STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାନ୍ ଗୁରୁଭକ୍ତ ଉତ୍ତଙ୍କ     

ମହାନ୍ ଗୁରୁଭକ୍ତ ଉତ୍ତଙ୍କ     

4 mins
4

       ମହାନ୍ ଗୁରୁଭକ୍ତ ଉତ୍ତଙ୍କ     
          ============
ପ୍ରାଚୀନ କାଳର କଥା, ଉତ୍ତଙ୍କ ନାମରେ ବାଳକ ଜଣେ, ମହର୍ଷି ଧୌମ୍ୟଙ୍କ ଗୁରୁ କୁଳରେ ଅଧ୍ୟୟନ କରୁଥିଲା l ଗୁରୁ କୁଳରେ ତାର ସହପାଠୀ ଥିଲେ ପରବର୍ତ୍ତୀ କାଳରେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଥିବା ଆରୁଣୀ, ଉପମନ୍ୟୁ, ବେଦ ଆଦି ଶିଷ୍ୟ ମାନେ l ଉତ୍ତଙ୍କ ଗୁରୁଙ୍କର ଖୁବ୍ ଆଜ୍ଞାଧୀନ ଶିଷ୍ୟ ଥିଲେ l ଗୁରୁଙ୍କ ଆଦେଶକୁ ସେ କେବେ ଅନ୍ୟଥା ନ କରି ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ l
ଦିନକର କଥା l ଗୁରୁଙ୍କୁ କୌଣସି ଜରୁରୀ କାର୍ଯ୍ୟ ନିମନ୍ତେ ବାହାରକୁ ଯିବାକୁପଡ଼ିଲା l ଗଲାବେଳେ ସେ ଶିଷ୍ୟ ଉତ୍ତଙ୍କକୁ ଡାକି କହିଲେ,ବତ୍ସ ! ଏବେ ମୁଁ ବାହାରକୁ ଯାଉଛି l ତୁମେ ଘରର ସବୁ ଖବର ବୁଝୁଥିବ, ଯେପରି କୌଣସି ଅସୁବିଧା ନହୁଏ । ଏପରି କହି ଗୁରୁ ବାହାରକୁ ଚାଲି ଗଲେ l ଉତ୍ତଙ୍କ ଗୁରୁଙ୍କ ନିର୍ଦ୍ଧେଶ ଶିରୋଧାର୍ଯ୍ୟ କରି ଘରର ସମସ୍ତ ଦାୟିତ୍ବ ତୁଲାଉଥାନ୍ତି । ଦିନେ ଏକ ଭୀଷଣ ଧର୍ମ ସଙ୍କଟରେ ସେ ପଡ଼ିଲେ । ସେଦିନ ଗୁରୁମା ତାଙ୍କୁ ଡାକି କହିଲେ, ତୁମେ ଗୁରୁଙ୍କ ଅନୁପସ୍ଥିତିରେ ଘରର ସବୁ ଦାୟୀତ୍ଵ ବୁଝୁଛ । ଆଜି ମୁଁ ଋତୁସ୍ନାନ କରି, ଶୁଦ୍ଧ ହୋଇଛି । ମୋର ଋତୁକାଳ ଯେପରି ବ୍ୟର୍ଥ ନ ଯାଏ ସେପାଇଁ ତୁମେ ଚେଷ୍ଟାକର। ଗୁରୁ ମାଆଙ୍କ କଥା ଶୁଣି, ଉତ୍ତଙ୍କ ଅତି ଆଶ୍ଚର୍ଯ୍ୟ ହୋଇ କହିଲେ, ଏପରି ଅନୁଚିତ କାର୍ଯ୍ୟ ମୁଁ କରି ପାରିବି ନାହିଁ। ମୋତେ କ୍ଷମା କରନ୍ତୁ।
କିଛି ଦିନ ପରେ ଗୁରୁ ଫେରି ଆସିଲେ ଏବଂ ଗୁରୁ ମାଆଙ୍କ ଠାରୁ ଉତ୍ତଙ୍କଙ୍କ ସଦାଚାର ଓ ସଂଯମର କଥା ଶୁଣିଲେ। ଏଭଳି ଏକ କଠୋର ପରୀକ୍ଷାରୁ ଶିଷ୍ୟ ଉତ୍ତଙ୍କ ଉତ୍ତୀର୍ଣ୍ଣ ହୋଇଥିବାରୁ ଗୁରୁ ଅତୀବ ଆନନ୍ଦିତ ହୋଇ ତାଙ୍କୁ ସର୍ବଶାସ୍ତ୍ରବିଦ୍ ହୁଅ ବୋଲି ଆଶୀର୍ବାଦ ଦେଲେ । ଉତ୍ତଙ୍କଙ୍କ ଅଧ୍ୟୟନ ଶେଷ ହେଲା । ଏବେ ସେ ଗୁରୁ ଦକ୍ଷିଣା ଦେଇ ସ୍ଵ ଗୃହକୁ ଫେରିଯିବେ। ଏକଥା ସେ ଗୁରୁଙ୍କୁ କହିବାରୁ ଗୁରୁ କହିଲେ, ତୁମ ପରି ଶିଷ୍ୟଙ୍କ ଠାରୁ ମୋର କୌଣସି ଦକ୍ଷିଣାର ଆବଶ୍ୟକତା ନାହିଁ । ହଉ ଯେବେ କହୁଛ ତାହେଲେ ଗୁରୁ ମାଆଙ୍କୁ ପଚାର । ଉତ୍ତଙ୍କ ଯାଇ ଗୁରୁମାଙ୍କୁ ପଚାରିବାରୁ ଗୁରୁମାଆ କହିଲେ, ଆଜିଠାରୁ ଚାରି ଦିନ ପରେ, ମୁଁ ପୂଣ୍ୟ ନାମକ ଗୋଟିଏ ବ୍ରତକରିବାକୁ ଯାଉଛି। ତୁମେ ଯାଅ ପୌଷ୍ୟ ରାଜାଙ୍କ ପାଟରାଣୀ କର୍ଣ୍ଣରେ ପିନ୍ଧୁ ଥିବା ଦିବ୍ୟ କୁଣ୍ଡଳ ମୋତେ ଆଣିଦିଅ। ମୁଁ ସେହି କୁଣ୍ଡଳ ପିନ୍ଧି ବ୍ରତ କରିବି ଏବଂ ବ୍ରାହ୍ମଣଙ୍କୁ ଭୋଜନ ଦେବି। ରାଣୀଙ୍କ କୁଣ୍ଡଳ କିପରି ଆଣିବେ ଏନେଇ ଉତ୍ତଙ୍କ ଖୁବ୍ ଚିନ୍ତାରେ ପଡ଼ିଲେ। ତଥାପି, ମନରେ ସାହସ ବାନ୍ଧି 
ସେ ରାଜା ପୋଷ୍ୟଙ୍କ ରାଜଧାନୀ ଅଭିମୁଖେ ଚାଲିଲେ । ଉତ୍ତଙ୍କ ରାସ୍ତାରେ ଯାଉଛନ୍ତି ତାଙ୍କର ଭେଟ ହେଲା ଦେବରାଜ ଇନ୍ଦ୍ରଙ୍କ ସହିତ । ଏକ ବଳଦ ଉପରେ ଇନ୍ଦ୍ର ଯାତ୍ରା କରୁଥାନ୍ତି। ସେ ତାଙ୍କୁ ଦେଖି କହିଲେ, ତୁମେ ଏ ବଳଦର ଗୋବର ଖାଅ, ତୁମ ଗୁରୁ ମଧ୍ୟ ଖାଇଥିଲେ । ଇନ୍ଦ୍ରଙ୍କ କଥାରେ ଉତ୍ତଙ୍କ ଧର୍ମ ରୂପୀ ସେହି ବଳଦର ଗୋବର ଖାଇଲେ ଓ ତାର ମୂତ୍ର ପିଇଲେ । ତାପରେ ସେ ଯାଇ ପୌଷ୍ୟ ରାଜାଙ୍କ ପାଖରେ ପହଁଚିଲେ । ରାଜା ଆଗନ୍ତୁକ ବ୍ରାହ୍ମଣଙ୍କ ଯଥା ସତ୍କାର କରି ତାଙ୍କ ଆଗମନର ଉଦ୍ଦେଶ୍ୟ ପଚାରି ଜାଣି ପାରିଲେ। ରାଜା କହିଲେ, ତୁମେ ବିନା ଦ୍ୱିଧାରେ ରାଣୀ ମହଲକୁ ଯାଇ ରଣୀଙ୍କୁ ତୁମର ଅଭିଳାଷ ବ୍ୟକ୍ତ କର । ସେ ନିଶ୍ଚୟ ତାହା ପୂରଣ କରିବେ। ଉତ୍ତଙ୍କ ରାଣୀ ନିବାସକୁ ଯାଇ ରାଣୀଙ୍କୁ ନ ପାଇ ଫେରି ଆସିଲେ। ଫେରି ଆସି ରାଜାଙ୍କୁ କହିଲେ, ମହାରାଜ ! ଆପଣ ପରିହାସ କରୁ ନାହାଁନ୍ତି ତ ! ରାଣୀ ନଅରରେ ନାହାଁନ୍ତି। ଅଥଚ ମୋତେ ତାଙ୍କ ପାଖକୁ ଆପଣ ପଠାଇ ଦେଲେ । ରାଜା କହିଲେ, ହେ ବ୍ରାହ୍ମଣଦେବ ! ମୁଁ ଆପଣଙ୍କ ପରିହାସ କରୁ ନାହିଁ । ରାଣୀ ନଅରରେ ଅଛନ୍ତି । ସେ ସତୀ ନାରୀ । ଆପଣଙ୍କ ମୁଖ ଉଚ୍ଚିଷ୍ଠ ହୋଇ ଥିବାରୁ ଆପଣ ତାଙ୍କୁ ଦେଖି ପାରିଲେ ନାହିଁ। ଏହା ଶୁଣି ଉତ୍ତଙ୍କ ମୁହଁ ହାତ ଧୋଇ ରାଣୀ ନିବାସରେ ଯାଇ ଦେଖନ୍ତି ତ ରାଣୀ ଅଛନ୍ତି । ସେ ତାଙ୍କୁ ନିଜ ପରିଚୟ ଦେଇ, ଆସିବାର କାରଣ ବ୍ୟକ୍ତ କଲେ । ଗୋଟିଏ ମହତ କାର୍ଯ୍ୟରେ ତାଙ୍କ କୁଣ୍ଡଳ ଦୁଇଟି ଲାଗିବ ବୋଲି ମନେ କରି ସେ ଉତ୍ତଙ୍କଙ୍କ ହାତକୁ ନିର୍ଦ୍ୱନ୍ଦରେ ତାଙ୍କ କୁଣ୍ଡଳ ଦୁଇଟିକୁ ବଢାଇ ଦେଲେ। ରାଣୀ ତାଙ୍କୁ କହିଲେ, ତୁମେ ସାବଧାନ ସହକାରେ ଯାତ୍ରାକରିବ l କାରଣ ତକ୍ଷକ ନାଗର ବହୁ ଦିନରୁ ଏ କୁଣ୍ଡଳ ଉପରେ ନଜର ଅଛି l ସେ ସୁଯୋଗ ପାଇଲେ ଏହାକୁ ଝାମ୍ପି ନେବ l ଉତ୍ତଙ୍କ ରାଣୀଙ୍କୁ ଧନ୍ୟବାଦ ଦେଇ, କୁଣ୍ଡଳ ଘେନି ଗୁରୁଙ୍କ ଆଶ୍ରମ ଅଭିମୁଖେ ଚାଲିଲେ। ଗଲା ବେଳେ ସେ ଗୋଟିଏ ନଦୀ କୂଳରେ କୁଣ୍ଡଳ ଦୁଇଟିକୁ ଥୋଇ ଦେଇ ସ୍ନାନ କରିବା ପାଇଁ ନଦୀ ଭିତରକୁ ପଶିଛନ୍ତି କି ନାହିଁ ନାଗ ତକ୍ଷକ ଆସି କୁଣ୍ଡଳ ଦୁଇଟିକୁ ଧରି ପାତାଳକୁ ପଳାଇ ଗଲା । ଇନ୍ଦ୍ରଙ୍କ ସାହାଯ୍ୟରେ, ଉତ୍ତଙ୍କ ପୁଣି ପାତାଳକୁ ଯାଇ, ନାଗ ମାନଙ୍କୁ ଯୁଦ୍ଧରେ ପରାସ୍ତ କରି ତକ୍ଷକ ନାଗ ପାଖରୁ କୁଣ୍ଡଳ ଦୁଇଟିକୁ ଉଦ୍ଧାରକଲେ । ସେ ଗୁରୁମାଆଙ୍କୁ ଆଣି କୁଣ୍ଡଳ ଦୁଇଟିକୁ ଯଥା ସମୟରେ ଦେଲାରୁ ଗୁରୁମା' ଖୁବ୍ ଆନନ୍ଦିତ ହେଲେ l ସେ ଉତ୍ତଙ୍କଙ୍କୁ ସର୍ବ ସିଦ୍ଧି ପ୍ରାପ୍ତ ହୁଅ ବୋଲି ଆଶୀର୍ବାଦ ଦେଲେ ।
ବିଦାୟ ନେବାକୁ ଉତ୍ତଙ୍କ ଗୁରୁଙ୍କ ପାଖକୁ ଗଲେ । ସେ କୁଣ୍ଡଳ ଆଣିବାରେ ବିଳମ୍ବ ହେବାର କାରଣ ଗୁରୁଙ୍କୁ କହିବାରୁ ଗୁରୁ କହିଲେ, ଯେଉଁ ଗୋବର ତୁମେ ଖାଇଥିଲ ତାହା ପ୍ରକୃତରେ ଥିଲା ଅମୃତ । ମୋ ମିତ୍ର ଇନ୍ଦ୍ର ତୁମକୁ ତାହା ଖାଇବାକୁ ଦେଇଥିଲେ । ତାରି ପ୍ରଭାବରୁ ତୁମେ ପାତାଳ ପୁରକୁ ଯିବା ପାଇଁ, ସମର୍ଥ ହୋଇ ପାରିଲ। ତୁମ ଉଁପରେ ମୁଁ ଅତ୍ୟନ୍ତ ପ୍ରୀତ। ଏବେ ତୁମେ ଘରକୁ ଆନନ୍ଦରେ ଫେରିଯାଅ। ମୋ ଆଶୀର୍ବାଦରୁ ତୁମେ ଜଣେ ମହାନ୍ ବ୍ୟକ୍ତିରେ ପରିଣତ ହେବ । ଗୁରୁଙ୍କ ଆଶୀର୍ବାଦରୁ ସତକୁ ସତ ଉତ୍ତଙ୍କ ପରେ ଜଣେ ମହାନ୍ ଜ୍ଞାନୀ ଋଷି ବୋଲି ବିଦିତ ହୋଇ ଥିଲେ ।
ମହାଭାରତର ବର୍ଣ୍ଣନା ଅନୁଯାୟୀ ଋଷି ଉତ୍ତଙ୍କ, ରାଜପୂତାନା ମରୁଭୂମିରେ ଆଶ୍ରମ କରି ରହୁ ଥିଲେ। ମହାଭାରତ ଯୁଦ୍ଧ ପରେ, ଭଗବାନ୍ ଶ୍ରୀକୃଷ୍ଣ ଯେତେବେଳେ ଦ୍ଵାରକାକୁ ଫେରୁ ଥିଲେ ସେତେ ବେଳେ ସେ ଯାଇ ଉତ୍ତଙ୍କଙ୍କୁ ଭେଟି ତାଙ୍କ ବିରାଟ ରୂପ ଦର୍ଶନ କରାଇ ଥିଲେ l ତକ୍ଷକ ନାଗ ଉପରେ ସେ ପ୍ରତିଶୋଧ ନେବା ନିମନ୍ତେ ମହାରାଜ ଜନ୍ମେଜୟଙ୍କୁ ସର୍ପ ଯଜ୍ଞ କରିବା ପାଇଁ ଉପଦେଶ ଦେଇଥିଲେ l କିନ୍ତୁ ଇନ୍ଦ୍ରଙ୍କ ଶରଣ ଯାଇ ଓ ମୁନି ଆସ୍ତିକଙ୍କ ଯୋଗୁଁ ତକ୍ଷକ ରକ୍ଷା ପାଇ ଯାଇଥିଲା l
                 🙏🙏🙏
                     ଅର୍ଜୁନୀ
                   -----------
ଅର୍ଜୁନୀ ଚରଣ ବେହେରା
ମୋ - ୭୬୯୩୦୯୧୯୭୧


Rate this content
Log in

Similar oriya story from Inspirational