ଓଡ଼ିଆଣୀ ମାଆ ମହାଲକ୍ଷ୍ମୀ
ଓଡ଼ିଆଣୀ ମାଆ ମହାଲକ୍ଷ୍ମୀ
ଓଡ଼ିଆଣୀ ମାଆ ମହାଲକ୍ଷ୍ମୀ
==============
ଆଜି ମହାଲକ୍ଷ୍ମୀଙ୍କ ବାର, ଗୁରୁବାର l କିନ୍ତୁ କଥା ଏକ ମନକୁ ଆସେ l ତାହା ହେଲା, ସାରା ଦେଶ ଲକ୍ଷ୍ମୀଙ୍କ ବାର ଶୁକ୍ରବାର ବୁଝୁ ଥିଲା ବେଳେ ଆମ ଓଡିଶାରେ କାହିଁକି ଲକ୍ଷ୍ମୀଙ୍କ ବାର ଗୁରୁବାର ?
ଏହାର ଉତ୍ତର ଖୋଜିବାକୁ ଗଲେ ପ୍ରତୀତ ହୋଇଥାଏ ଯେ ଶ୍ରୀକ୍ଷେତ୍ରରେ ବିଜେ କରିଥିବା ମହାଲକ୍ଷ୍ମୀ ଖାଲି ଜଣେ ଦେବୀ ନୁହଁନ୍ତି l ଅଧିକନ୍ତୁ ସେ ଜଣେ ଆଦର୍ଶ ଓଡ଼ିଆଣୀ ବୋହୁ l ପ୍ରତି ଓଡ଼ିଆ ଘର ପରି ତାଙ୍କର ଅଛନ୍ତି, ସ୍ବାମୀ, ନଣନ୍ଦ ଏବଂ ଦେଢ଼ସୁର l ପ୍ରତି ଓଡ଼ିଆ ଘର ପରି ସେ ଶାଶୁ ଶ୍ବଶୁରଙ୍କୁ ଶ୍ରାଦ୍ଧ ଦିଅନ୍ତି l ସେ ଛପନ ଭୋଗ ରାନ୍ଧି ବାଢ଼ି ସମସ୍ତଙ୍କୁ ପରସି ଦିଅନ୍ତି l ତାଙ୍କର ରାନ୍ଧଣା, କେବେ ଶେଷ ହୁଏ ନାହିଁ କି ବଡ଼ ଖିଆ ଜଗା ଓ ବଳିଆଙ୍କ ହାତ କେବେ ଶୁଖେ ନାହିଁ l
ମହାଲକ୍ଷ୍ମୀ ପୁଣି ରାଗନ୍ତି, ରୁଷନ୍ତି, ସ୍ଵାମୀ ଉପରେ ଅଭିମାନ କରନ୍ତି l ସେ ପୁଣି ଘରବାହୁଡ଼ା ବେଳ ହେଲେ ସ୍ୱାମୀ ଆସିଲେ ନାଁ ନାହିଁ, ଜାଣିବା ପାଇଁ ବାରମ୍ବାର ଏରୁଣ୍ଡି ବନ୍ଧ ପର୍ଯ୍ୟନ୍ତ ଦଉଡ଼ି ଯାଆନ୍ତି l ଦେଢ଼ଶୁରଙ୍କୁ ତାଙ୍କର ଭାରି ଲାଜ l ତାଙ୍କ ଆଗକୁ ହାତେ ଲମ୍ବା ଓଢ଼ଣି ଟାଣି ଯାଆନ୍ତି l ହଳଦୀ ମୁହିଁ ନଣନ୍ଦକୁ ସେ ବହୁତ ସ୍ନେହକରନ୍ତି l ଆକଟ କରି କେତେବେଳେ ପୁଣି ନାନା କଥା କହନ୍ତି l
ଏଥର ଆସନ୍ତୁ ରଥଯାତ୍ରାର କଥାକୁ l ଠାକୁରାଣୀଙ୍କୁ ମହାପ୍ରଭୁ ଭୁଲେଇ ଭଣ୍ଡେଇ ଭାଇ ଭଉଣୀଙ୍କୁ ଧରି ବାହାରି ଗଲେ ଗୁଣ୍ଡିଚା ବାଡ଼ିକୁ l ପରେ ଜଣାଗଲା ମହାପ୍ରଭୂ କି ଆନନ୍ଦରେ ଆଡ଼ପ ମଣ୍ଡପରେ ଭକ୍ତ ମାନଙ୍କ ମେଳରେ ବସି ଛପନ ଭୋଗ ଗେଫୁଛନ୍ତି l କଳମ
ଶାଗ ଓ ବଗଡା ଅନ୍ନରେ ସଂସାରର ପଡ଼ିଦାତ୍ରୀ ପଡ଼ି ରହିଛନ୍ତି l ଆଉ ସମ୍ଭାଳୁଛି କିଏ l ମାଆ ରାଗ
ତମ ତମ ହୋଇ ସବାରି ଦାସୀ ପରିବାରୀ ନେଇ ଚାଲିଲେ ଗୁଣ୍ଡିଚା ମନ୍ଦିରକୁ କଅଣ ଲୀଳା ଲାଗିଛି ଦେଖିବା ପାଇଁ l
ବେଦୀରେ ତ ଦେଢ଼ଶୁର ବସିଛନ୍ତି l ଆଉ ଆଗକୁ ଯିବେ କେମିତି l ହାତେ ଓଢ଼ଣା ଟାଣି, ନାକଚଣା ଦ୍ଵାରବାଟେ ଟିକେ ପ୍ରଭୂଙ୍କୁ ଚାହିଁ ମାଆ ବିମଳେଇ ଦେଇ ଥିବା ମୋହ ଚୂର୍ଣ୍ଣ ପକେଇ ଦେଇ ଟାଉ କରି ବାହାରି ଆସିଲେ ସେଠାରୁ l ଦେଖିଲେ, ଆଗରେ ନନ୍ଦିଘୋଷ ରଥ ଥୁଆ ହୋଇଛି l ଆରେ, ନାଟର ଗୋବର୍ଦ୍ଧନ ତ ଏହିରେ l ଧାଉଁ କି ପାହାରେ ପିଟି ଦେଲେ କାଠ ଖଣ୍ଡେ ଭାଙ୍ଗି ଗଲା l ଲାଜରେ ବଡ଼ ଦାଣ୍ଡ ଦେଇ ଆଉ ଆସିବେ କଣ, ହେରାଗୋହିରୀ ସାହି ବାଟେ ସବାରୀ ଚାଲିଲା ଶ୍ରୀମନ୍ଦିର l
ସେତିକିରେ ପୁଣି ରାଗ ଶାନ୍ତି ହେଲା ନାହିଁ l ମନ୍ଦିରରେ ପହଞ୍ଚି ସିଂହଦ୍ବାର କିଳି ଦେଲେ l ଆସ ତୁମେ ତିନି ଭାଇ ଭଉଣୀ l ଦେଖିବି, କିଏ ତୁମକୁ ମନ୍ଦିରରେ ପୁରୋଉଛି l ପୁଣି ହଳଦୀ ମୁହିଁ ନଣନ୍ଦ ସୁଭଦ୍ରାଙ୍କୁ ଉଲୁଗୁଣା ଦେଇ କୁହନ୍ତି ଏ ଉପର ମୁହିଁ ଭଉଣୀର ଗୁଣ ବି କମ୍ ନୁହେଁ l ଭାଇ ମାନଙ୍କ କାନରେ କହି କଣ କେତେ ନାଟ ସବୁ ଲଗେଇ ଦଉଛି l କହିଲା ବେଳେ ମାଆ ମହାଲକ୍ଷ୍ମୀ ତାଙ୍କ ସ୍ଵାମୀ ଅର୍ଜ୍ଜୁନଙ୍କୁ ବି ଛାଡନ୍ତି ନାହିଁ, "ହାତ ଗୋଡ଼ ନାହିଁ ହଳଦୀ ମୁହିଁଟା ଗଉଡ଼ ଘରର ଝିଅ !!! ଗେରସ୍ତ ନିକମ୍ମା, ରଥରେ ବସିଛି କୋଉ କୂଳକୁ ସେ ନୁହଁ l
ମହାପ୍ରଭୁ ବାହୁଡ଼ା ଦିନ ଫେରି ଆସୁଛନ୍ତି ଲକ୍ଷ୍ମୀଙ୍କ ରାଗ ଇଆଡ଼େ ପଞ୍ଚମରେ l ମହା ପ୍ରଭୁ ଦେଉଳ ନ ଧରୁଣୁ ତାଙ୍କୁ ଟିକେ ଭଲକି ଜବତ କରିବା ପାଇଁ ମାଆ ଯାଇ, ଠାକୁର ରାଜାଙ୍କ ନଅରରେ ହାଜର ଫେରାଦ ହେବା ପାଇଁ l ବୁଝେଇ, ବାଝେଇ ମାଆଙ୍କୁ ବିଦା କରନ୍ତି ଗଜପତି l
ଖେଳା, ନୀଳାଦ୍ରୀ ବିଜେ ଦିନ l ଲାଗିଲା ଭୀଷଣ କଳି l କିନ୍ତୁ ଚତୁର ଶିରୋମଣି ମହାପ୍ରଭୁଙ୍କୁ ଆଉ ପାରିବ କିଏ ? ମହାଲକ୍ଷ୍ମୀଙ୍କୁ ଶାନ୍ତ କରିବା ବାଟ ତ ତାଙ୍କୁ ଜଣା l ରସଗୋଲା ସାଙ୍ଗକୁ, ମଖମଲୀ ସୁନା ଜରିଲଗା ପାଟ ଲାଞ୍ଚ ବଢ଼ାଇଦେଲେ ମାଆ ଲକ୍ଷ୍ମୀଙ୍କୁ l ଶାନ୍ତ ପଡ଼ି ଗଲେ ମାଆ ଲକ୍ଷ୍ମୀ l ଆହା କେଡ଼େ ଖରାରେ ବଡ଼ ସାମନ୍ତ ଛିଡ଼ା ହୋଇଛନ୍ତି l ତୁଟି ଗଲା ଲକ୍ଷ୍ମୀ ନାରାୟଣ କଳି l ସଙ୍ଗେ ସଙ୍ଗେ ଓଡ଼ିଆ ଘରର ବୋହୁ ଭଳି ମଉଳି ଗଲା ମାଆଙ୍କ ପଞ୍ଚମ ରାଗ l ମହାପ୍ରଭୁ ବିଜେ କଲେ ଶ୍ରୀମନ୍ଦିର l ଶୂନ୍ୟ ଶ୍ରୀମନ୍ଦିର ପୁଣି ପୂର୍ଣ୍ଣ ହୋଇଉଠିଲା ଭକ୍ତଙ୍କ ଗହଳ ଚହଳରେ l
ସେତିକିରେ କଥା ସରେ ନାହିଁ l ମହାପ୍ରଭୁ ମାଆଙ୍କ ମନ ବୁଝେଇବାକୁ ଗୁପ୍ତ ଗୁଣ୍ଡିଚା ଦିନ ତାଙ୍କୁ ନେଇ ଯାନ୍ତି ବରୁଣ ମନ୍ଦିରକୁ l ସ୍ଵାମୀଙ୍କ ସହିତ ବାପ ଘର ଯିବା ଖୁସିରେ ମାଆ ମହାଲକ୍ଷ୍ମୀ ଭୁଲିଯାନ୍ତି ସେହି ଅତୀତର ସବୁ କଥାକୁ l
ଏଥିରୁ ବୁଝାପଡ଼େ ମାଆ ଲକ୍ଷ୍ମୀ ଠାକୁରାଣୀ ଖାଣ୍ଟି ଓଡ଼ିଆଣୀ, ଆମ ଓଡ଼ିଆ ଘରର ଆଦର୍ଶ ବୋହୁ l ସେ, ଶ୍ରୀକ୍ଷେତ୍ରର ରାଣୀ l ଓଡ଼ିଶାର ଘରେ ଘରେ ସେ ପୂଜ୍ୟା ଠାକୁରାଣୀ l ଆମ ସମସ୍ତଙ୍କ ମାଆ l ମାର୍ଗଶିର ମାସଟା ସାରା ଦେଉଳରେ ନୁହେଁ ସେ ବୁଲୁ ଥାନ୍ତି, ଗ୍ରାମେ ଗ୍ରାମେ ଓଡ଼ିଆ ପୁଅର କ୍ଷେତ, ଖମାର ଧାନ ଖଳାରେ l
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
