STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାସତୀ ପାର୍ବତୀଙ୍କ ଅମର ଗାଥା

ମହାସତୀ ପାର୍ବତୀଙ୍କ ଅମର ଗାଥା

8 mins
1

  ମହାସତୀ ପାର୍ବତୀଙ୍କ ଅମର ଗାଥା
     =================
ଦକ୍ଷ ପ୍ରଜାପତିଙ୍କର ଅନେକ ଗୁଡ଼ିଏ କନ୍ଯା ଥିଲେ, ସେମାନଙ୍କ ମଧ୍ଯରୁ 'ସତୀ' ନାମରେ କନ୍ଯାଟିର ବିବାହ ହୋଇଥିଲା ଦେବ ଦେବ ମହାଦେବଙ୍କ ସହ l ସତୀ କଠୋର ତପସ୍ୟା କରି ମହାଦେବଙ୍କୁ ନିଜର ପତି ରୂପେ ଲାଭ କରି ଥିଲେ l ଏଣୁ ମହାଦେବ ଥିଲେ ଦକ୍ଷ ପ୍ରଜାପତିଙ୍କ ଜାମାତା। ଥରେ ଦେବତାମାନେ ଏକ ବଡ଼ ଯଜ୍ଞର ଆୟୋଜନ କଲେ l ସେହି ଯଜ୍ଞରେ ସମସ୍ତ ଦେବ ଗଣ ଉପସ୍ଥିତ ଥାନ୍ତି ଏବଂ ମୁନିଋଷି ମାନେ ଆସି ଯୋଗ ଦେଉ ଥାନ୍ତି l ଏକଦା ଦକ୍ଷ ପ୍ରଜାପତି ମଧ୍ୟ ଯାଇ ସେଠାରେ ଉପସ୍ଥିତ ହେଲେ l ପ୍ରଜାପତିଙ୍କୁ ଦେଖି, ସମସ୍ତ ଦେବତା ମାନେ ସମ୍ମାନ ଜଣାଇବା ପାଇଁ ନିଜନିଜ ଆସନଛାଡ଼ି ଉଠି ପଡ଼ିଲେ, ମାତ୍ର ସେଠାରେ ଉପସ୍ଥିତ ଥିବା ଭୋଳେନାଥ ସଦାଶିବ ନିଜ ଆସନରେ ବସି ରହିଲେ l ପ୍ରଚଣ୍ଡ ରାଗରେ ପ୍ରଜ୍ବଳିତ ଦକ୍ଷ ଦେବତାମାନଙ୍କୁ କହିଲେ, ସମସ୍ତ ଦେଵଗଣ ଶୁଣ l ଏ ନିର୍ଲଜ ଶିବ ମୋର କନ୍ୟାର ପାଣି ଗ୍ରହଣ କରିଥିବାରୁ ଇଏ ମୋର ଜାମାତା ଓ ପୁତ୍ରତୁଲ୍ୟ, କିନ୍ତୁ ଏହାର ଅନୁଚିତ ବ୍ୟବହାର ଆଜି ଲୋକପାଳଙ୍କ ଯଶ ନାଶ କରିଦେଲା l ବ୍ରାହ୍ମଣ ଓ ଅଗ୍ନିଙ୍କୁ ସାକ୍ଷୀ ରଖି ସାବିତ୍ରୀ ପରି ମୋର କନ୍ୟାକୁ ମୁଁ ଏହାକୁ ପ୍ରଦାନ କରିଥିଲି, କିନ୍ତୁ ମୋର ଅତ୍ୟନ୍ତ କ୍ଷୋଭ ଜାତ ହେଉଛି ଯେ, ଏ ମର୍କଟଚକ୍ଷୁ ଶିବ ମୋତେ ଅଭିବାଦନ କରିବା ତ ଦୂରର କଥା, ଭଲ କଥା ପଦେ ମଧ୍ୟ କହିଲା ନାହିଁ l ଅନିଚ୍ଛା ସତ୍ୱେ ମୁଁ ଶୁଦ୍ରକୁ ବେଦ ପଢ଼ାଇଲା ପ୍ରାୟ, ମୋର ସୁକୁମାରୀ କନ୍ୟାକୁ ଏହାକୁ ପ୍ରଦାନ କରିଛି,ଭୁତପ୍ରେତ ଗଣଙ୍କ ସହ ଏହାର ବାସ ଭୟଙ୍କର ସ୍ମଶାନ ମଧ୍ୟରେ l ପାଗଳ ପରି ଲଙ୍ଗଳା ହୋଇ ଇଏ କେତେ ବେଳେ ହସେ, ପୁଣି କେତେବେଳେ କାନ୍ଦେ, ସର୍ବଦା ବାଳ ମୁକୁଳାକରି ବୁଲୁଥାଏ l ଚିତାଭଷ୍ମ ବୋଳି ହୋଇ ସ୍ନାନ କରେ l ମୁଣ୍ଡ ଓ ହାଡ଼ ମାଳ ଏହାର ଭୂଷଣ l ଏହାର ନାମ ଶିବ ହେଲେ ମଧ୍ୟ ଇଏ ଅତ୍ୟନ୍ତ ଅଶିବ l ଏ ପାଗଳ ସମସ୍ତ ପାଗଳ ମାନଙ୍କର ପ୍ରୀୟ l କେବଳ ବ୍ରହ୍ମାଙ୍କ କଥାରେ ପଡ଼ି, ପାଗଳ ମାନଙ୍କ ସର୍ଦ୍ଦାର ଏହି ଦୁଷ୍ଟଟାକୁ ମୁଁ ମୋ ସ୍ନେହଶୀଳ ସୁକୁମାରୀ କନ୍ୟାକୁ ପ୍ରଦାନ କରିଛି l ଅପାତ୍ରରେ ଦାନ ଦେବା ଫଳ ହିଁ ମୋତେ ପ୍ରାପ୍ତ ହୋଇଛି l
 ଅପାତ୍ରେ ଦେଲା ଫଳ ଯେତେ l
 ଏବେ ବାଧିଲା ଆସି ମୋତେ ll
     ଏହାର ନାମ ମାତ୍ର ଶିବ l
     ସ୍ୱଭାବେ ଅଟଇ ଅଶିବ ll
ଏ ଶିବ ଆଜିଠାରୁ ଯଜ୍ଞଭାଗ ପାଇବ ନାହିଁ l ଦେବ ଦେବ ମହାଦେବ ଏହା ଶୁଣି ମଧ୍ୟ ପୂର୍ବ ପରି ଶାନ୍ତ ଭାବେ ବସି ରହିଲେ l ମାତ୍ର ତାଙ୍କ ଅନୁଚର ନନ୍ଦୀ କ୍ରୋଧାନ୍ବିତ ହୋଇ ଦକ୍ଷଙ୍କୁ କହିଲେ,ଶୁଣ ପ୍ରଜାପତି ଦକ୍ଷ, ତୁମେ ମଙ୍ଗଳ ମୟ ପ୍ରଭୁ ସଦାଶିବଙ୍କୁ ଏପରି ଭର୍ତ୍ସନା କରି ପଶୁପ୍ରାୟ ଆଚରଣ କରିଛ l ତୁମର ମୁଣ୍ଡ ତେଣୁ ଏକ ପଶୁର ମୁଣ୍ଡ ହୋଇଯାଉ l ସେହି ଦିନ ପାଖେଇ ଆସୁଛି, ଯେତେ ବେଳେ ତୁମ ଶିର ଛାଗଳ ମୁଣ୍ଡ ଧାରଣ କରିବ l
କିଛିଦିନ ଉତ୍ତାରେ ଦକ୍ଷ ପ୍ରଜାପତି ନିଜେ ଗୋଟିଏ ଯଜ୍ଞର ଆୟୋଜନ କଲେ l ସମସ୍ତ ଦେଵତା, ମୁନି ଋଷି ମାନଙ୍କୁ ସେହି ଯଜ୍ଞରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଗଲା l କିନ୍ତୁ ଦକ୍ଷ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କର ଦୁହିତା ସତୀ ଓ ଜାମାତା ଶିବଙ୍କୁ ଆମନ୍ତ୍ରଣ କଲେନାହିଁ l ସବୁ ଦେବତାମାନେ ନିଜ ନିଜ ବିମାନ ଆରୋହଣ କରି ଏ ଯଜ୍ଞ ଦେଖିବାକୁ ଯାଉଥାନ୍ତି l ସତୀ ପିତ୍ରାଳୟରେ ଏହି ଉତ୍ସବ କଥା ଜାଣି ପାରି ଶିବଙ୍କୁ ଇଚ୍ଛା ପ୍ରକାଶ କଲେ ପିତ୍ରାଳୟ ଯାଇ ଯଜ୍ଞ ଦେଖିବାପାଇଁ l ସମସ୍ତ ଦେବତାମାନେ ନିମନ୍ତ୍ରିତ ହୋଇ ଯାଉଥାନ୍ତି ମାତ୍ର ଶିବଙ୍କୁ କୌଣସି ନିମନ୍ତ୍ରଣ ନ ଥାଏ ଏପରିକି କନ୍ୟା ସତୀଙ୍କୁ ମଧ୍ୟ l ନିମନ୍ତ୍ରଣ ବିନା ସେ ଯଜ୍ଞକୁ ଯିବା ଉଚିତ ହେବ ନାହିଁ କହି,ପତି ମହାଦେବ ତାଙ୍କୁ ବାରଣ କଲେ l ମହାଦେବ କହିଲେ,ବିନା ନିମନ୍ତ୍ରଣରେ ମିତ୍ର, ପତି, ପିତା ଓ ଗୁରୁଙ୍କ ଗୃହକୁ ଯାଇପାର ବୋଲି ଶାସ୍ତ୍ରର ନିର୍ଦ୍ଧେଶ ଯଦିଓ ରହିଛି,କିନ୍ତୁ ପିତାଙ୍କ ମୋ ସହିତ ବୈରତାଦୃଷ୍ଟେ ସେଠାକୁ ଯିବା ମୁଁ ଉଚିତ ମଣୁନି l କିନ୍ତୁ ସତୀଙ୍କ ଏକା ଜିଦ୍ ସେ ପିତ୍ରାଳୟଯିବେ ଓ ଯଜ୍ଞ ଦେଖିବେ l ସର୍ବ ଶେଷରେ ପତ୍ନୀଙ୍କର ଆଗ୍ରହ ଦେଖି ମହାଦେବ ତାଙ୍କୁ ନନ୍ଦୀ ଓ ଭୃଙ୍ଗୀଙ୍କ ସହିତ ପିତୃ ଗୃହକୁ ପଠାଇ ଦେଲେ l ମାତ୍ର ସତୀ ପିତୃ ଗୃହରେ ପହଞ୍ଚି କୌଣସି ଆଦର ସମ୍ମାନ ପାଇଲେ ନାହିଁ l ପୁଣି ସେ ଦେଖିଲେ ପତି ଦେବଦେବ ମହାଦେବଙ୍କୁ ବାଦଦେଇ ସେହି ଯଜ୍ଞ ଅନୁଷ୍ଠାନ ଚାଲିଛି l ସତୀ ପିତା ଦକ୍ଷଙ୍କୁ କହିଲେ, ଶିବଙ୍କୁ ବାଦ ଦେଇ କିପରି ଆପଣ ଏହି ଯଜ୍ଞ କରି ଚାଲିଛନ୍ତି l ସତୀଙ୍କ ଏ ପ୍ରଶ୍ନରେ ରାଗି ଯାଇ ଦକ୍ଷ ଶିବଙ୍କୁ ବହୁ ଭର୍ତ୍ସନା ଓ ନିନ୍ଦା କରିବାକୁ ଲାଗିଲେ l ସତୀ ପତି ନିନ୍ଦା ଶୁଣି ଅତିଶୟ ମର୍ମାହତ ହୋଇ ପିତା ଦକ୍ଷଙ୍କୁ କହିଲେ, ହେ ପିତା ଇହ ଲୋକରେ ଯାହାଙ୍କଠାରୁ ବଡ଼ ବୋଲି କେହି ନାହିଁ, ଯିଏ ସର୍ବଭୂତଙ୍କର ଆତ୍ମା, ଯାହାଙ୍କର ପ୍ରିୟ ଅପ୍ରିୟ ବୋଲି କିଛିନାହିଁ,ଯାହାଙ୍କୁ ମଙ୍ଗଳମୟ କୁହା ଯାଏ,ତାଙ୍କ ପ୍ରତି ଆପଣଙ୍କର ଏ ବୈର ଭାବ କେଉଁଥି ପାଇଁ? କନ୍ଯାଙ୍କ ଏପରି କ୍ଷୋଭଭରା ବାଣୀ ଶୁଣିଲେ ମଧ୍ଯ ଦକ୍ଷ,ମହାଦେବଙ୍କ ନିନ୍ଦା କରିବାରୁ ବିରତ ହେଲେ ନାହିଁ l ଏଥିରେ ସତୀଙ୍କର ଧୈର୍ଯ୍ୟଚ୍ଯୁତି ଘଟିଲା l ସେ ପତି ନିନ୍ଦାକୁ ଆଉ ସହ୍ଯ କରି ପାରିଲେନାହିଁ l ସେ କହିଲେ,"ହେ ପିତା !!! ଆଜିଠାରୁ କେହି ଏ ଦାକ୍ଷାୟଣୀକୁ ଆଉ ଶିବ ଘରଣୀ ବୋଲି ନକହୁ l "
କେହି ନ ବୋଲୁ ଦାକ୍ଷାୟଣୀ l
ଅଟଇ ଶିବର ଘରଣୀ"l
ତତ୍କ୍ଷଣାତ ସତୀ ଶିବଙ୍କ ଚରଣକୁ ଧ୍ୟାନ ପୂର୍ବକ ତିନି ପ୍ରାଣକୁ ଯୋଗ ବଳରେ ଉର୍ଦ୍ଧ୍ୱ ଗାମୀ କରାଇ, ଯଜ୍ଞ କୁଣ୍ଡରେ ଝାସ ଦେଇ ଦେହ ତ୍ଯାଗ କରି ଦେଲେ l
ଦେବର୍ଷି ନାରଦ ଶିବ ପୁରୀରେ ପହଞ୍ଚି ଶଙ୍କରଙ୍କୁ ସତୀଙ୍କ ଦେହତ୍ୟାଗ ସମ୍ବାଦ ଦେଲେ l କ୍ରୋଧରେ ଜଳିଉଠି ମହାଦେବ ତାଙ୍କ ଶିରରୁ ଗୋଟିଏ ଜଟା ଛିଣ୍ଡାଇ ତଳକୁ ନିକ୍ଷେପ କଲେ l ସେ ନିକ୍ଷିପ୍ତ ଜଟା ମଧ୍ୟରୁ ଜଣେ ଭୟଙ୍କର ପୁରୁଷ ଆବିର୍ଭୁତ ହେଲେ ଯାହାଙ୍କ ନାମ ବୀରଭଦ୍ର l ଦକ୍ଷଙ୍କ ଯଜ୍ଞ ନଷ୍ଟ ଭ୍ରଷ୍ଟ କରି ତାଙ୍କ ମସ୍ତକ କାଟି ଦେବା ପାଇଁ ମହାଦେବ ବୀରଭଦ୍ରଙ୍କୁ ତାଙ୍କର ଅନ୍ୟ ଅନୁଚରମାନଙ୍କ ସହ ପଠାଇଲେ l ସେମାନେ ଯାଇ ପହଞ୍ଚିଲେ ଦକ୍ଷଙ୍କ ଯଜ୍ଞ ସ୍ଥଳରେ ଓ ବିଭିନ୍ନ ଉତ୍ପାତକରି ଯଜ୍ଞକୁ ଛିନ୍ନ ଭିନ୍ନ କରି ଦେଲେ l ଯଜ୍ଞ କରୁଥିବା, ଭୃଗୁ ମୁନିଙ୍କ ଦାଢ଼ି ଉପାଡ଼ି ଦେଲେ,ଶିବଙ୍କ ନିର୍ଦ୍ଦେଶ ଅନୁସାରେ ବୀରଭଦ୍ର ଦକ୍ଷ ପ୍ରଜାପତିଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲେ l ଦେବତା ମାନେ ଭୀତ ତ୍ରସ୍ତ ହୋଇ ଇତସ୍ତତଃ ଧାଇଁବାକୁ ଲାଗିଲେ l ବ୍ରହ୍ମା ଦେବତା ମାନଙ୍କୁ ସଙ୍ଗରେ ନେଇ ମହାଦେବଙ୍କ ନିକଟରେ ପହଞ୍ଚି ସ୍ତୁତିକରି ତାଙ୍କ କ୍ରୋଧ ଶାନ୍ତ କଲେ l ଶିବ କହିଲେ, ଦକ୍ଷଙ୍କୁ ମୁଁ ବଞ୍ଚାଇ ଦେବି, ମାତ୍ର ତାଙ୍କର ମୁଣ୍ଡଟି ମନୁଷ୍ୟ ମୁଣ୍ଡ ପରିବର୍ତ୍ତେ ହେବ, ଗୋଟିଏ ଛାଗଳର ମୁଣ୍ଡ l
 ଶିବଙ୍କ ଆଦେଶରେ ଦକ୍ଷଙ୍କ ଶରୀରରେ ଗୋଟିଏ ଛାଗଳ ମୁଣ୍ଡ ଲଗାଇ ଦିଆଗଲା, ସେ ଜୀବନ୍ୟାସ ପାଇ ଜିଇଁଉଠିଲେ l ବିଷ୍ଣୁଙ୍କ ଆଦେଶରେ ପୁନଶ୍ଚ ଯଜ୍ଞ ଆରମ୍ଭ ହେଲା l ସେତିକି ବେଳେ ଭଗବାନ ବିଷ୍ଣୁ ସେଠାରେ ଉପସ୍ଥିତହେଲେ l ଯଜ୍ଞ ସମାପନ ହେଲା l ଭଗବାନ ବିଷ୍ଣୁଙ୍କ ନିର୍ଦ୍ଧେଶରେ ଯଜ୍ଞ ଭାଗ ଶିବଙ୍କୁ ଉତ୍ସର୍ଗ କରା ଗଲା l ଭଗବାନ ବିଷ୍ଣୁ ଯଜ୍ଞ ସ୍ଥଳୀରେ ଉପସ୍ଥିତ ଥିବା, ଦେବ ଗଣଙ୍କୁ କହିଲେ, ବେଦପତି ବ୍ରହ୍ମା, ମୁଁ ଏବଂ ଶିବ ହେଉଛୁ ଏକ ରୂପ l ଆମେ ସର୍ବ ଭୂତଙ୍କର ଆତ୍ମା l ଯେଉଁ ମାନେ ଆମ ତିନିଙ୍କୁ ଏକ ଓ ଅଭିନ୍ନ ରୂପେ ଦେଖନ୍ତି ସେମାନେ ହିଁ ବିଜ୍ଞ ଆଉ ସେମାନେ ଶାନ୍ତିଲାଭ କରନ୍ତି l ଶିବ ନିନ୍ଦୁକଙ୍କର ଯେଉଁଦଶା ହୋଇଥାଏ ବୋଲି ଯାହା ଜଗତରେ ବିଦିତ ଅଛି, ସେହି ଦଶା ହିଁ ଦକ୍ଷଙ୍କର ହୋଇଥିଲା l
ଦେହତ୍ୟାଗ କାଳରେ ସତୀ ଶ୍ରୀହରିଙ୍କୁ ବର ମାଗି ଥିଲେ, ମୋର ଜନ୍ମ ଜନ୍ମାନ୍ତରେ ଶିବଙ୍କ ପାଦରେ ଅନୁରାଗ ରହିଥାଉ l ତେଣୁ ପର ଜନ୍ମରେ ପର୍ବତ ରାଜ ହିମାଳୟଙ୍କ ଘରେ ସତୀ, ମେନାଙ୍କ ଗର୍ଭରୁ ଜନ୍ମହୋଇ ପାର୍ବତୀ ରୂପରେ ଶରୀର ଧରିଥିଲେ l ଶ୍ରୀମଦ୍ ଦ୍ଭାଗବତର ପ୍ରମାଣ ଅନୁଯାୟୀ :-
ସେ ପୁଣି ହିମବନ୍ତ ଘରେ l
ଜନ୍ମିଲେ ମେନକା ଉଦରେ ll
ପୁଣି ସେ ରୁଦ୍ରଙ୍କୁ ବରିଲା l
 ଅମ୍ବିକା ହିମ ଗିରି ବାଳା ll
ସତୀ ଯେଉଁଦିନୁ ଗିରିରାଜ ହିମାଳୟଙ୍କ ଗୃହରେ ଜନ୍ମହେଲେ ସେହି ଦିନ ଠାରୁ ହିମବନ୍ତପୁର ସକଳ ସୁଖ ସମୃଦ୍ଧିରେ ପୁରି ଉଠିଥିଲା l ଏଣୁ ଗୋସ୍ୱାମୀ ତୁଳସୀଦାସ ରାମଚରିତ ମାନସରେ କହିଲେ :-
 ଜବତେ ଉମା ଶୈଲଗୃହ ଯାଇଁ l
 ସକଲ ସିଦ୍ଧି ସମ୍ପତ୍ତି ତହଁ ଛାଇଁ ll
ଦକ୍ଷ ଯଜ୍ଞରେ ଯେଉଁ ଦିନ ସତୀ ଶରୀର ତ୍ୟାଗ କରିଦେଲେ ସେହିଦିନ ଠାରୁ ଶିବଙ୍କ ମନରେ ବୈରାଗ୍ୟ ଆସି ଗଲା l ସେ ସର୍ବଦା ଶ୍ରୀରାମଙ୍କ ଗୁଣକୀର୍ତ୍ତନ ତଥା ରାମକଥା ଶୁଣି ଶୁଣି ବ୍ରହ୍ମାଣ୍ଡ ଭ୍ରମଣ କରିବାକୁ ଲାଗିଲେ l ଏପରି ଭାବେ ବହୁକାଳ ବିତି ଗଲା l ଶ୍ରୀରାମ ଯେତେ ବେଳେ ଶଙ୍କରଙ୍କ ଏହି କଠୋର ନିୟମ ପାଳନ,ଏବଂ ତାଙ୍କଠାରେ ଅନନ୍ୟ ଭକ୍ତି ଓ ନିଷ୍ଠା ଦେଖିବାକୁ ପାଇଲେ ସେ ପ୍ରକଟ ହୋଇ ଶଙ୍କରଙ୍କୁ ଦର୍ଶନ ଦେଲେ l ସେ ମହାଦେବଙ୍କୁ ପ୍ରଶଂସା କରି କହିଲେ, ଏପରି କଠିନ ବ୍ରତ ଆଚରଣ ଆପଣଙ୍କ ବ୍ୟତିରେକ ଆଉ କାହା ପକ୍ଷରେ ସମ୍ଭବ ନୁହେଁ l ପୁଣି କହିଲେ,ହେ ମହାଦେବ ! ଯଦି ଆପଣଙ୍କର ମୋ ପ୍ରତି ପ୍ରକୃତ ଅନୁରାଗ ଥାଏ ତେବେ ମୋର ପ୍ରାର୍ଥନା ପୂର୍ଣ୍ଣ କରନ୍ତୁ l ଆପଣଙ୍କୁ ବିବାହ କରିବା ନିମନ୍ତେ ପାର୍ବତୀ କଠୋର ତପସ୍ୟା ରତା l ଜଳ ଆହାର ତ୍ୟାଗ କରି ସେ ତାଙ୍କର ଶରୀରକୁ ଅତି କୃଶ କରି ସାରିଲେଣି l ବୃକ୍ଷର ପତ୍ର ବା ପର୍ଣ୍ଣଟିଏ ସୁଦ୍ଧା ସେ ଭକ୍ଷଣ କରି ନ ଥିବାରୁ ଲୋକେ ତାଙ୍କୁ ଅପର୍ଣ୍ଣା କହୁଛନ୍ତି, ଆପଣ ଯାଇ ପାର୍ବତୀଙ୍କୁ ତୁରନ୍ତ ବିବାହ କରନ୍ତୁ l ଶିବ କହିଲେ, ଆପଣଙ୍କ ଆଜ୍ଞା ମୋର ଶିରୋଧାର୍ଯ୍ୟ l ତାହାକୁ ପାଳନ କରିବାହିଁ ମୋର ପରମ କର୍ତ୍ତବ୍ୟ, ପରମଧର୍ମ l ମାତା, ପିତା, ଗୁରୁ ଓ ପ୍ରଭୁଙ୍କ ବଚନ ସର୍ବଦା ଶୁଭକର l ଆପଣ ମୋର ପରମହିତୈଷୀ,ଆପଣଙ୍କ ଆଜ୍ଞା ମୁଁ ପାଳନ ନ କରିବି କିପରି ? ପ୍ରଭୁ ଶ୍ରୀରାମ କହିଲେ,ବର୍ତ୍ତମାନ ମୁଁ ଯାହା କହିଲି ସେକଥା ମନେ ରଖନ୍ତୁ l ଏହା କହି ସେ ଅନ୍ତର୍ଧ୍ୟାନ ହୋଇଗଲେ l ସଦାଶିବ ପ୍ରଭୁ ଶ୍ରୀରାମଙ୍କ ରୂପରେ ଧ୍ୟାନ ଲଗାଇ ଥାନ୍ତି,ଏତିକିବେଳେ ସପ୍ତ ଋଷି ଆସି ତାଙ୍କ ନିକଟରେ ପହଞ୍ଚିଲେ l ସେ ସପ୍ତର୍ଷିଙ୍କୁ ଦେଖି କହିଲେ ଆପଣମାନେ ପାର୍ବତୀଙ୍କ ନିକଟକୁ ଯାଇ ତାଙ୍କର ପ୍ରେମ ପରୀକ୍ଷା କରନ୍ତୁ l ହିମାଳୟଙ୍କୁ କହି ତାଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରନ୍ତୁ ଏବଂ ସେମାନଙ୍କର ସଂଶୟ ଦୂର କରନ୍ତୁ l ଋଷି ମାନେ ପାର୍ବତୀଙ୍କ ପାଖକୁ ଯାଇ ଦେଖନ୍ତି ତ କଠୋର ତପସ୍ୟା ରତା ପାର୍ବତୀ ସତେ ଗୋଟିଏ ପାଷାଣ ମୂର୍ତ୍ତି ହୋଇ ଯାଇଛନ୍ତି l ସେମାନେ ତାଙ୍କୁ ପଚାରିଲେ, ହେ ଶୈଳ କୁମାରୀ ! ତୁମେ କାହିଁକି ଏପରି କଠିନ ତପସ୍ୟା କରୁଛ l କାହାକୁ କେଉଁଥି ପାଇଁ ତୁମେ ଆରାଧନା କରୁଛ ଓ କଅଣ ଚାହୁଁଛ l ତୁମ ଅନ୍ତରର କଥା ଆମକୁ ଖୋଲି କୁହ l ପାର୍ବତୀ କହିଲେ, ହେ ମୁନିଗଣ, କହିବାକୁ ମୋତେ ଭାରି ସଙ୍କୋଚ ବୋଧ ହେଉଛି, ଆପଣମାନେ ମୋ ମୁର୍ଖତା ଶୁଣିଲେ ନିଶ୍ଚୟ ହସିବେ, ନାରଦଙ୍କ କଥାକୁ ସତ ମଣି, ମୁଁ ବିନା ଡେଣାରେ ଉଡ଼ିବାକୁ ଚାହୁଁଛି l ମୁଁ କେବଳ ଶିବଙ୍କୁ ହିଁ ମୋର ପତି ରୂପେ ପାଇବାକୁ ଚାହୁଁଛି l ଋଷିମାନେ କହିଲେ, ତୁମେ ନଗାଧିରାଜ ହିମାଳୟଙ୍କ କନ୍ୟାତ ତେଣୁ ତୁମର ଏପରି ବୁଦ୍ଧି l ତେବେ କୁହ ତ, ଏ ନାରଦଙ୍କ ବୁଦ୍ଧିରେ କିଏ ଘର ସଂସାର କଲାଣି କି? ଯିଏ ନାରଦଙ୍କ ଉପଦେଶ ଶୁଣିଛି, ସିଏ ଘର ଦ୍ୱାର ସବୁ ଛାଡ଼ି ଭିକାରି ହୋଇଛି l ଚିତ୍ରକେତୁ, ଦକ୍ଷପୁତ୍ର ଓ ହିରଣ୍ୟ କଶିପୁର ଦଶା ଦେଖ l ନାରଦ ସିନା ଉପରେ ସଜ୍ଜନପରି ଦେଖା ଯାଆନ୍ତି ହେଲେ ସେ ବଡ଼ କପଟି l ସେ ସମସ୍ତଙ୍କୁ ଆପଣା ପରି କରି ଦେବାକୁ ଚାହାଁନ୍ତି l ଆଉ ସେହି ନାରଦଙ୍କ କଥାକୁ ମାନି, ତୁମେ ଏଭଳି ଗୋଟିଏ ନିର୍ଲଜ ପତି ପାଇବାକୁ ଚାହୁଁଛ, ଯାହାଙ୍କ ବେଶ ଅତି କୁତ୍ସିତ, ସର୍ବଦା ଖପୁରି ମାଳ ପିନ୍ଧି ରହିଥାନ୍ତି, ତାଙ୍କର କୂଳ ନାହିଁ କି ଘର ନାହିଁ, ଲଙ୍ଗଳା ହୋଇ ବୁଲୁଥାନ୍ତି, ସାପ ତାଙ୍କର ଭୂଷଣ l ଏଭଳି ପତିକୁ ନେଇ ତୁମେ ଭଲା କେଉଁ ସୁଖ ପାଇବ କୁହତ l ତୁମେ ସେହି ନାରଦଙ୍କ ପ୍ରବଞ୍ଚନାରେ ପଡ଼ି, ବଡ଼ ଭୁଲଟାଏ କରିଛ l ଆଗରୁ ସେହି ଶିବ ସତୀଙ୍କୁ ବିବାହ କରି ଥିଲେ l ତାଙ୍କୁ ସେ କିଛି ଦିନ ପରେ ଛାଡ଼ି ଦେଲେ l ସେ ତାଙ୍କରି ପାଇଁ ମଲେ l ଏବେ ଶିବ ନିଶ୍ଚିନ୍ତ l ସେ ଭିକ୍ଷା ମାଗି ଖାଉଛନ୍ତି l ଶିବ ସ୍ଵଭାବତଃ ଏକା ଏକା ରହିବାକୁ ଭଲ ପାଆନ୍ତି l ତାଙ୍କ ସହିତ କେଉଁ ସ୍ତ୍ରୀ  ବା ରହି ପାରିବ l ଆମେ ତୁମ ପାଇଁ ଗୋଟିଏ ସୁନ୍ଦର ସୁଶୀଳ ବର ଠିକ କରିଛୁ ଯାହାର ଲୀଳା ଓ ଯଶ ଦେଵ ଗଣ ମଧ୍ୟ ଗାନ କରନ୍ତି l ସେ ସକଳ ଦୋଷଶୂନ୍ୟ,ସର୍ବ ଗୁଣ ସମ୍ପନ୍ନ ଲକ୍ଷ୍ମୀ ପତି,ବୈକୁଣ୍ଠ ନିବାସୀ l ତାଙ୍କ ସହିତ ଆମେ ତୁମର ମିଳନ କରାଇ ଦେବୁ l ଏହା ଶୁଣି ମାଆ ଭବାନୀ ହସି ହସି କହିଲେ, ମୋର ଏହି ଶରୀର ହିମାଳୟରୁ ଜାତ l ତେଣୁ ମୋର ପ୍ରତିଜ୍ଞା ହିମାଳୟ ସମ ଅଟଳ l ଦେବର୍ଷି ନାରଦଙ୍କ ବାକ୍ୟ ପ୍ରକାରେ ମୁଁ ତାଙ୍କୁହିଁ ବରଣ କରିବି l କୋଟି କୋଟି ଜନ୍ମ ଲାଗିଯାଉ ପଛେ ଶିବଙ୍କୁ ହିଁ ବିବାହ କରିବି, ନହେଲେ କୁଆଁରି ରହିବି l ନିଜେ ପ୍ରଭୁ ଶିବ ଆସି କହିଲେ ମଧ୍ୟ ମୁଁ ଦେବର୍ଷି ନାରଦଙ୍କ ସେହି ଉପଦେଶ ଛାଡ଼ି ପାରିବି ନାହିଁ l ସନ୍ଥ ତୁଳସୀଙ୍କ ଭାଷାରେ:-
 ଜନ୍ମ କୋଟି ଲଗି ରଗର ହମାରୀ l
 ବରଉଁ ଶମ୍ଭୁ ନ ତ ରହଉଁ କୁଆଁରୀ ll ଶଙ୍କରଙ୍କ ପ୍ରତି ପାର୍ବତୀଙ୍କର ଏପରି ଅତୁଟ ପ୍ରେମ ଦେଖି ମୁନି ଋଷିଗଣ କହିଲେ, ହେ ଜଗଦମ୍ବେ ! ହେ ଭବାନୀ, ଆପଣଙ୍କର ଜୟ ହେଉ l
ଦେଖି ପ୍ରେମ ବୋଲେ ମୁନି ଜ୍ଞାନୀ l
 ଜୟ ଜୟ ଜଗଦମ୍ବିକେ ଭବାନୀ ll
ଏପରି କହି ମୁନିଗଣ ସେଠୁ ପ୍ରସ୍ଥାନ କଲେ l ସେମାନେ ହିମବନ୍ତଙ୍କୁ ଯାଇ ବୁଝାଇକହିବାରୁ ପାର୍ବତୀଙ୍କୁ ସେ ଘରକୁ ଫେରାଇ ନେଲେ l ସେଠାରୁ ଋଷିମାନେ ଯାଇ ଶିବଙ୍କୁ ସକଳ ବୃତ୍ତାନ୍ତ ଶୁଣାଇ ପାର୍ବତୀଙ୍କ ତାଙ୍କ ଠାରେ ଅନୁରାଗ ଏବଂ ତାଙ୍କର ଶଙ୍କରଙ୍କୁ ପାଇବାର ବ୍ୟାକୁଳତା ବିଷୟରେ କହିଲେ l ଋଷିଗଣ ଭଗବାନ ଶିବଙ୍କୁଏପରି ସମାଚାର ଶୁଣାଇ ବ୍ରହ୍ମଲୋକ ଚାଲିଗଲେ l
ବର୍ତ୍ତମାନ ଦେବତା ମାନେ ନିଶ୍ଚିନ୍ତ ହୋଇ ଗଲେ ଯେ ଏଥର ଶିବ ପାର୍ବତୀଙ୍କ ବିବାହ ସୁନିଶ୍ଚିନ୍ତ ଏବଂ ତାଙ୍କ ମିଳନରୁ ତାରକାସୁର ନିଧନକାରୀ ସନ୍ତାନ ଜାତହେବ ଏହା ମଧ୍ୟ ସୁନିଶ୍ଚିନ୍ତ l
ଏହିଥିଲେ ମହାସତୀ ପାର୍ବତୀ l ଯୁଗେ ଯୁଗେ ସେ ଶିବାନୁରାଗୀ l ପୂର୍ବଜନ୍ମରେ ସେ ଥିଲେ ଶିବପତ୍ନୀ ସତୀ ଓ ପର ଜନ୍ମରେ ପାର୍ବତୀ l                  🙏🙏🙏
                  ଅର୍ଜୁନୀ
                -------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational