ଯହିଁ ଅନେକଲୋକ ମିଳି ଅବଶ୍ୟ ଉପୁଜଇ କଳି
ଯହିଁ ଅନେକଲୋକ ମିଳି ଅବଶ୍ୟ ଉପୁଜଇ କଳି
ଯହିଁ ଅନେକ ଲୋକ ମିଳି
ଅବଶ୍ୟ ଉପୁଜଇ କଳି
===============
ଦିନେ ଅବଧୂତ ବେଶ ଧାରୀ ଭଗବାନ ଦତ୍ତାତ୍ରେୟ ଇତସ୍ତତଃ ଭ୍ରମଣ କରି, ଗୋଟିଏ ବୃକ୍ଷ ଛାୟାରେ ବିଶ୍ରାମ କରୁଥାନ୍ତି l ରାଜା ଯଦୁ ସେହି ବାଟ ଦେଇ ଯାଉଥିଲେ l ରାଜାଙ୍କ ଅବଧୂତଙ୍କ ସହିତ ସାକ୍ଷାତ ହେଲା l ଧର୍ମପ୍ରାଣ ଯଦୁ ରାଜା ତାଙ୍କୁ ଅତି ଆନନ୍ଦ ସହକାରେ ପ୍ରାସାଦକୁ ପାଛୋଟିନେଲେ l ତାଙ୍କର ପଦ ପ୍ରକ୍ଷାଳନ,ପୂଜା ଓ ବନ୍ଦନା କରି ତାଙ୍କୁ ଦିବ୍ୟ ଆସନରେ ବସାଇଲେ l କରପତ୍ର ଯୋଡ଼ି, ରାଜା ଅବଧୂତଙ୍କୁ ପ୍ରଶ୍ନ କଲେ,"ଆପଣ ନର ଦେହ ଧରି ଏ ସଂସାରରେ ବିଚରଣ କରୁଛନ୍ତି l ସଂସାରରେ ରହି ମଧ୍ୟ ସଂସାରର ମାୟା ମୋହ ଠାରୁ ଆପଣ ଦୁରେଇ ରହୁଛନ୍ତି କିପରି ?" ରାଜାଙ୍କ ପ୍ରଶ୍ନ ଶୁଣି ଅବଧୂତ ସ୍ମିତହାସ୍ୟ କରି କହିଲେ," ମୁଁ ସଂସାର ମାୟା ଠାରୁ ଦୁରେଇ ରହିବା ପାଇଁ ଚବିଶ ଗୋଟି ଗୁରୁ କରିଛି ଓ ତାଙ୍କ ଠାରୁ ଏ ସଂସାରର ମାୟା ନିକଟରୁ ଦୁରେଇ ରହିବା କଳା ମୁଁ ଶିକ୍ଷା କରିଛି"l ଯଦୁ ରାଜାଙ୍କ ଉତ୍ସୁକତା ବଢ଼ିଗଲା l ସେ ଆଶ୍ଚର୍ଯ୍ୟ ହୋଇ କହିଲେ, ଆଛା ! ଆପଣଙ୍କର ଏତେ ଗୁରୁ ଅଛନ୍ତି l ବିନୀତ ହୋଇ, ଯଦୁ ରାଜା ଅବଧୂତଙ୍କୁ କହିଲେ,"ତେବେ ମୋତେ ଅନୁଗ୍ରହ କରି ଆପଣ ଏହି ଚବିଶ ଗୁରୁ କିଏ ? ଆପଣ ସେମାନଙ୍କ ଠାରୁ କି ଶିକ୍ଷା ଗ୍ରହଣ କରିଛନ୍ତି, ମୋତେ ସେ ବିଷୟରେ ଟିକିଏ କୁହନ୍ତୁ ଯାହା ଶୁଣିଲେ ମୁଁ ଧନ୍ୟ ହେବି l" ରାଜାଙ୍କ ଠାରୁ ଏହାଶୁଣି ଅବଧୂତ କଥା ଆରମ୍ଭକରି କହିଲେ :-
ପୃଥିବୀ ପବନ ଅନଳ l
ଉର୍ଦ୍ଧ୍ୱେ ଯେ ଆକାଶ ମଣ୍ଡଳ ll
ରବି ଶଶାଙ୍କ ଆପ ସିନ୍ଧୁ l
ଭ୍ରମର ସର୍ବ ପୁଷ୍ପ ବନ୍ଧୁ ll
କପୋତ ପକ୍ଷୀ ଗୁରୁମୋର l
ପତଙ୍ଗ ସର୍ପ ଅଜଗର ll
ମୀନ ପିଙ୍ଗଳା ବେଶ୍ୟାନାରୀ l
କୁରର କୁମର କୁମାରୀ ll
ହରିଣ ଉର୍ଣ୍ଣନାଭୀ କରୀ l
ଶରକାରକ ମଧୁହାରି ll
ଆବର କୀଟ ପେଶସ୍କାରୀ l
ମୁଁ ଏତେ ଗୁରୁ ସେବାକରି ll
ଅର୍ଥାତ୍ ମୋର ଗୁରୁମାନେ ହେଲେ ପୃଥିବୀ, ଜଳ, ଅନୀଳ, ଅନଳ, ଆକାଶ,ଚନ୍ଦ୍ର, ସୂର୍ଯ୍ୟ, କପୋତ, ଅଜଗର, ସମୁଦ୍ର,ପତଙ୍ଗ,ମଧୁମକ୍ଷି,ହସ୍ତୀ,ହରିଣ, ପିଙ୍ଗଳାନାମ୍ନୀ ବେଶ୍ୟା,କୁରରପକ୍ଷୀ,ବାଳକ,ମୀନ ବ୍ରାହ୍ମଣ କୁମାରୀ ଇତ୍ୟାଦି ଚବିଶ ଜଣ l ତାପରେ ଅବଧୂତ ଗୋଟି ଗୋଟି କରି କାହାଠାରୁ କି ଶିକ୍ଷା କରିଛନ୍ତି ରାଜାଙ୍କୁ ବୁଝାଇବାରେ ଲାଗିଲେ l କଥା ପ୍ରସଙ୍ଗରେ ସେ ବ୍ରାହ୍ମଣ କୁମାରୀ ଠାରୁ ଲାଭ କରି ଥିବା ଶିକ୍ଷା ବିଷୟ କହି ସେ ଉପାଖ୍ୟାନ ରାଜାଙ୍କୁ ଶୁଣାଇଲେ l
ବ୍ୟାସଦେବ କୃତ ସଂସ୍କୃତ ଶ୍ରୀମଦ ଭାଗବତରେ ଏକାଦଶ ସ୍କନ୍ଧରେ ସେହି କଥାକୁ ବ୍ୟାଖ୍ୟା କରି ଶ୍ଳୋକଟିଏ ଅଛି :-
ବାସେ ବହୁନାଂ କଳହୋ ଭଵେତ୍
ବାର୍ତ୍ତା ଦ୍ବୟରୋପି l
ଏକ ଏକ ଚରେତ୍ତସ୍ମାତ୍ କୁମାର୍ଯ୍ୟା
ଇବ କଙ୍କଣ ll
ଅର୍ଥାତ୍ ଯେଉଁ ଠାରେ ଅନେକ ଲୋକ ରହି ଥାନ୍ତି ସେଠାରେ କଳି ଉପୁଜିଥାଏ l ଏପରିକି ଦୁଇଜଣ ଲୋକ ଏକାଠି ରହିଲେ ବୃଥା ଗପ ସପ ଆରମ୍ଭ ହୋଇଯାଏ l ତେଣୁ ସେହି କୁମାରୀ କନ୍ୟା ପଟେ ପଟେ ଚୁଡ଼ି ପିନ୍ଧିଲାପରି ମଣିଷ ଏକାକୀ ବିଚରଣ କରିବା ଉଚିତ l ଶ୍ଲୋକଟି କହି ଅବଧୂତ କହିଲେ, 'ହେ ରାଜା,ସେହି କୁମାରୀକନ୍ୟା କଥା ମୁଁ ବିସ୍ତୃତ ଭାବେ କହୁଛି ମନଦେଇ ଶୁଣ 'l
ହେ ରାଜା ! ମୋର ପଞ୍ଚଦଶତମ ଗୁରୁ ହେଉଛନ୍ତି ସେହି କୁମାରୀକନ୍ୟା l ତାଙ୍କଠାରୁ ଏକାକୀ ବାସ କରିବାର ମହତ୍ତ୍ୱ ମୁଁ ଶିକ୍ଷାକରିଛି l ପୂର୍ବେ ଅବନ୍ତୀ ନବରରେ ଜଣେ ସୁସାଧୁ ବିପ୍ର ବାସ କରୁଥିଲେ l ତାଙ୍କର ସୁଶୀଳା କନ୍ୟାଟିଏ ଥିଲା l କ୍ରମେ ସେହି କନ୍ୟାର ବିବାହ ବୟସ ଉପନୀତ ହେଲା l ପିତା ତା'ର ବିବାହ ଦେବା ପାଇଁ ବର ପାତ୍ର ଅନ୍ୱେଷଣ କରୁଥାନ୍ତି l ଦିନେ ସେହି କନ୍ୟାକୁ ଵିଵାହ ଅର୍ଥେ ଦେଖିବା ପାଇଁ ଚାରିଜଣ ବିପ୍ର ଆସି ପହଞ୍ଚିଲେ l ସେମାନେ କନ୍ୟାପିତାଙ୍କ ସହ ନିରୋଳାରେ ବସି ଆଲୋଚନା କରୁଥାନ୍ତି l ଏପଟେ ସେହି କନ୍ୟାର ମାଆ ଝିଅକୁ ଚାଉଳ ବାହାର କରିବା ପାଇଁ କିଛି ଧାନ କୁଟିବାକୁ ଦେଇ ଥାନ୍ତି l ସେ ହେମ ଦସ୍ତାରେ ରୋଳ ପ୍ରହାର କରି ଧାନ କୁଟୁଥାଏ l ଝିଅଟି ଦୁଇ ହାତରେ କିଛି କଙ୍କଣ ପିନ୍ଧି ଥାଏ l ଧାନ କୁଟନ୍ତେ ସେ କଙ୍କଣ ଗୁଡ଼ିକ ପରସ୍ପର ବାଜି ରୁଣୁଝୁଣୁ ଶବ୍ଦ କରିବାକୁ ଲାଗିଲେ l ବାହାରେ ଭଦ୍ରଲୋକ ମାନେ ବସିଛନ୍ତି l ତା'ର ଚୁଡ଼ିଶବ୍ଦ ଶୁଣି ସେମାନେ କଅଣ ଭାବୁଥିବେ ଚିନ୍ତାକରି ଝିଅଟିକୁ ଟିକେ ଲଜ୍ଜା ବୋଧ ହେଲା l ଏଣୁ ସେ ହାତରୁ ଅଧେ ଚୁଡ଼ି କାଢ଼ିଦେଇ ପୁଣି ଧାନ କୁଟିବାକୁ ଲାଗିଲା l ତଥାପି ମଧ୍ୟ ଚୁଡ଼ି ଗୁଡ଼ିକ ଶବ୍ଦ କରିବାକୁ ଲାଗିଲେ l ଝିଅଟି ବିଚାର କଲା,ଏମାନେ ସମସ୍ତେ ଏକାଠି ହୋଇ ରହି ଶବ୍ଦ କରୁଛନ୍ତି l ତେଣୁ ସେ ହାତରେ ପଟେ ପଟେ ଚୁଡ଼ି ରଖି, ବାକି ସବୁ ଚୁଡ଼ି ଫିଙ୍ଗି ଦେଲା ଓ ପୁଣି ଧାନ କୁଟିବାରେ ଲାଗିଲା l ଏଥର ଆଉ କିନ୍ତୁ କୌଣସି ଶବ୍ଦ ହେଲାନାହିଁ l "ବେନି କଙ୍କଣ ବେନି କରେ l କୁଟନ୍ତେ ଶବଦ ନକରେ ll"
ପ୍ରସଙ୍ଗଟି ଶେଷ କରି ଅବଧୂତ କହିଲେ,ରାଜନ୍ ! ମୁଁ ସେହି ବ୍ରାହ୍ମଣ କୁମାରୀ ଠାରୁ ଏକଥା ଶିଖିବାକୁ ପାଇଲି :-
ଯହିଁ ଅନେକ ଲୋକ ମିଳି l
ଅବଶ୍ୟ ଉପୁଜଇ କଳି ll
ସେ କନ୍ୟାଠାରୁ ଏହି ଶିକ୍ଷାଲାଭ କରି ମୁଁ କାହାରି ସଙ୍ଗ ନକରି ଏକାନ୍ତରେ ଭ୍ରମଣକରୁଛି l ସେ ପୁଣି କହିଲେ,ହେ ରାଜା ! ଲୋକଙ୍କ ଗତିଵିଧି ଜାଣିବା ଇଚ୍ଛା କରି ବୁଲୁ ବୁଲୁ ମୁଁ ଯାଇ ସେଠାରେ ପହଞ୍ଚି ଲୋକଶିକ୍ଷାପାଇଁ ଏହା ଶିକ୍ଷା କରିଛି l ବ୍ୟାସକୃତ ଶ୍ରୀମଦ୍ ଭାଗବତମ୍ ଅନୁସାରେ :-
ଅନୁଶିକ୍ଷମିମଂ ତସ୍ୟା ଉପଦେଶମରିନ୍ଦମ l
ଲୋକାନନୁଚରନ୍ନେତାଂଲ୍ଲୋକତତ୍ତ୍ୱ ବିବିତ୍ସୟା l
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
