କୁମ୍ଭ ସଂକ୍ରାନ୍ତିର ପୌରାଣିକ ମହତ୍ତ୍ଵ
କୁମ୍ଭ ସଂକ୍ରାନ୍ତିର ପୌରାଣିକ ମହତ୍ତ୍ଵ
କୁମ୍ଭ ସଂକ୍ରାନ୍ତିର ପୌରାଣିକ ମହତ୍ତ୍ଵ
==================
ସୂର୍ଯ୍ୟ ମକର ରାଶିରୁ କୁମ୍ଭ ରାଶିକୁ ଗମନ କଲେ ସେହିଦିନ କୁମ୍ଭସଂକ୍ରାନ୍ତି ହୋଇଥାଏ l ଇଂରାଜି ମାସ ଫେବୃଆରୀ ମଝିରେ ଏହି ସଂକ୍ରାନ୍ତି ପଡ଼େ l ଆମ ହିନ୍ଦୁ ପରମ୍ପରାରେ ଏହି ସଂକ୍ରାନ୍ତି ଖୁବ୍ ଗୁରୁତ୍ତ୍ଵ ବହନ କରେ କାରଣ ଏହା ସହିତ ଯୋଡ଼ି ହୋଇ ରହିଛି ସମୁଦ୍ର ମନ୍ଥନ, ଅମୃତ ହରଣ, କୁମ୍ଭମେଳା ଆଦି ପୌରାଣିକ ଗାଥା l
ସତ୍ୟଯୁଗର କଥା, ଦେବାସୁରଙ୍କ ମଧ୍ୟରେ ସର୍ବଦା ସଂଘର୍ଷ ଲାଗି ରହିଲା l ଦେବତା ମାନେ ଶତଚେଷ୍ଟା କରି ମଧ୍ୟ, ଅସୁରମାନଙ୍କୁ ପରାଜିତ କରି ପାରିଲେ ନାହିଁ l ଦିନେ ଭଗବାନ୍ ବିଷ୍ଣୁ ଚିନ୍ତାକଲେ ଦେବତା ମାନେ ଶକ୍ତିଶାଳୀ ହେବାକୁ ଅମୃତର ଆବଶ୍ୟକତା ଅଛି l ଅମୃତ ତ ସମୁଦ୍ର ମଧ୍ୟରେ ରହିଛି l ତାକୁ ପୁଣି ପାଇବେ କିପରି? ଏଣୁ ସାଗର ମନ୍ଥନ କରି ଅମୃତ ବାହାରକରିବାକୁ ପଡ଼ିବ l ଭଗବାନ୍ ବିଷ୍ଣୁ ଦେବତା ମାନଙ୍କୁ ଡକାଇ ଏ ପ୍ରସ୍ତାବ ଦେଲେ l ପୁଣି ଭଗବାନ କହିଲେ, ସାଗରମନ୍ଥନ ତୁମମାନଙ୍କ ଦ୍ୱାରା ଏକାକୀ ସମ୍ଭବ ନୁହେଁ, ଏଣୁ ଆମେ ଅସୁର ମାନଙ୍କ ସାହାଯ୍ୟ ନେବା ଓ ଦେବାସୁରଙ୍କ ସମ୍ମିଳିତ ଉଦ୍ୟମରେ ସମୁଦ୍ର ମନ୍ଥନ ସମ୍ଭବ ହେବ l ଏଣୁ ତୁମେ ମାନେ ଅସୁରଙ୍କ ସହ ଆଉ ଶତ୍ରୁତା ନକରି ଯାଇ ସନ୍ଧି କରିନିଅ l
ବିଷ୍ଣୁଙ୍କ କଥା ଶ୍ରବଣକରି ଦେବରାଜ ଇନ୍ଦ୍ର ଦେବତା ମାନଙ୍କୁ ଘେନି ପାତାଳ ପୁରକୁ ଯାତ୍ରା କଲେ ଦାନବ ରାଜ ବଳିଙ୍କ ସହ ଆଲୋଚନା ପାଇଁ l ଇନ୍ଦ୍ର ବଳିଙ୍କୁ ଏ ପ୍ରସ୍ତାବ ଦେଇ କହିଲେ, ସାଗରମନ୍ଥନରୁ ଯାହା ସବୁ ବାହାରିବ ତାକୁ ଆମେ ଅଧାଅଧା କରି ବାଣ୍ଟି ନେବା l ଏ ପ୍ରସ୍ତାବ, ଅସୁର ମାନଙ୍କ ମନକୁ ପାଇଲା । ସମସ୍ତେ ସାଗର ମନ୍ଥନ ପାଇଁ ରାଜି ହୋଇଗଲେ l
ମନ୍ଦର ପର୍ବତକୁ ବିଷ୍ଣୁଙ୍କ ନିର୍ଦ୍ଦେଶରେ ଗରୁଡ଼ ଘେନି ଆଣି ସାଗରରେ ଖୁଆଦଣ୍ଡ ଭାବେ ସ୍ଥାପନ କଲେ l ରଜ୍ଜୁଭାବେ ବାସୁକୀନାଗକୁ ଆଣି ବାନ୍ଧିଦିଆଗଲା l ଏବେ କଥା ଉଠିଲା କିଏ କେଉଁ ପାଖରେ ରହିବ l ଦେବତାମାନେ ଦେଖିଲେ, ବାସୁକୀଙ୍କ ମୁଣ୍ଡ ପାଖେ ରହିବା ଆମ ପାଇଁ ବିପଦ୍ଜନକ ହେବ l କିନ୍ତୁ ଲାଞ୍ଜ କଥା ଯଦି କହିବା, ଅସୁରମାନେ ଆମକୁ ବିରୋଧ କରିବେ l ଏହି ସମୟରେ ଦେବର୍ଷି ନାରଦ ଏକ ବୁଦ୍ଧି ବାହାର କଲେ l ନାରଦ ଦେବତାଙ୍କୁ କହିଲେ, ଆପଣ ସମସ୍ତେ କୁହନ୍ତୁ, ଆମେ ବାସୁକୀର ମୁଣ୍ଡକୁ ଧରିବୁ l ଦେଖିବେ ଆପଣଙ୍କୁ ବିରୋଧ କରି ଅସୁର ମାନେ ବାସୁକୀଙ୍କ ମୁଣ୍ଡକୁ ଧରିବାକୁ ରାଜି ହୋଇ ଯିବେ l ସତକୁ ସତ ତାହାହିଁ ହେଲା l
ଅସୁର ମାନେ ବାସୁକୀର ମୁଣ୍ଡ ଓ ଦେବତା ମାନେ ବାସୁକୀ ଲାଞ୍ଜକୁ ଧରି ସମୁଦ୍ର ମନ୍ଥନ ପାଇଁ ପ୍ରସ୍ତୁତ ହେଲେ l କିନ୍ତୁ ସମୁଦ୍ରର ଅଗାଧ ଜଳରେ କୌଣସି ଆଧାର ନଥିବାରୁ ମନ୍ଦର ପର୍ବତ ବୁଡ଼ିବାକୁ ଲାଗିଲା l ସମସ୍ତେ ନିରାଶ ହୋଇ ପଡ଼ିଲେ, ସମସ୍ତଙ୍କ ହତାଶ ମୁଖକୁ ଦେଖି ବିଷ୍ଣୁ ଟିକିଏ ହସିଦେଇ ଓ ତାପରେ ଯାଇ ଏକ ବିଶାଳ କୂର୍ମରୂପ ଧରି ମନ୍ଦର ପର୍ବତକୁ ପୃଷ୍ଠରେ ତୋଳି ଧରିଲେ l ଆଉ କୌଣସି ସମସ୍ୟା ରହିଲା ନାହିଁ l ମନ୍ଥନ ଆରମ୍ଭ ହେଲା l
ମାତ୍ର ମନ୍ଥନରୁ ଅମୃତ ବାହାରିବ କଅଣ l ପ୍ରଥମେ ବାହାରିଲା, ହଳାହଳ ବିଷ l ସମସ୍ତ ବିଶ୍ଵକୁ ଦହନ କରୁଥିବା ବିଷକୁ ଦେବତାଙ୍କ ପ୍ରାର୍ଥନାରେ ଭଗବାନ ଶିବ ଆସି, ପାନ କରି ଦେଲେ l ସେହି ଉତ୍କଟ ବିଷ ଜ୍ୱାଳାରେ ତାଙ୍କ କଣ୍ଠ ନୀଳ ହୋଇ ଗଲା l ସେ ହେଲେ ନୀଳ କଣ୍ଠ l ଭଗବାନ୍ ଶିବ ବିଷପାନ କରୁ ଥିଲା ବେଳେ, ତାଙ୍କ ଆଞ୍ଜୁଳୀରୁ କିଛି ବିଷ ଛିଟିକି ପଡ଼ିଲା l ସେହି ବିଷକୁ ପ୍ରାପ୍ତକରି ସର୍ପ ବିଛା ତଥା ଅନ୍ୟ କେତେକ କୀଟପତଙ୍ଗ ସରୀସୃପ ବୃକ୍ଷଲତା ଆଦି ବିଷଧର ହେଲେ l
ସଂସାର ହଳାହଳ ବିଷଜ୍ୱାଳାରୁ ରକ୍ଷା ପାଇଗଲା l ମହାଉଲ୍ଲାସରେ ପୁଣି ଦେବ ଓ ଅସୁରମାନେ ମିଶି ମନ୍ଥନ ଆରମ୍ଭକଲେ l ମନ୍ଥନରୁ କ୍ରମେ କାମଧେନୁ, ଉଚ୍ଚୈଶ୍ରବା ଅଶ୍ଵ,ଐରାବତ ହସ୍ତୀ, ପାରିଜାତ କଳ୍ପ ବୃକ୍ଷ, ପଦ୍ମରାଗ ମଣି ଓ ଅପ୍ସରାଗଣ ବାହାରିଲେ l ପୁଣି ଆବିର୍ଭୁତା ହେଲେ ମହାଲକ୍ଷ୍ମୀ, ସେ ଭଗବାନ ବିଷ୍ଣୁଙ୍କୁ ବରଣକଲେ l ଅନ୍ୟସବୁ ସମ୍ପଦ ଦେବତା ମାନଙ୍କୁ ପ୍ରାପ୍ତହେଲା l ଏହାପରେ ଜଳରୁ ଉଠିଲେ ବାରୁଣୀଦେବୀ, ତାଙ୍କୁ ଅସୁରମାନେ ନେଲେ l ପୁଣି ମନ୍ଥନ ଚାଲିଲା l
ସାଗର ଗର୍ଭରୁ ଅମୃତକଳସ ହସ୍ତରେ ଧାରଣ କରି ଉଠିଆସିଲେ ସ୍ୱୟଂ ନାରାୟଣଙ୍କ ଅବତାର ଅମୃତ ପୁରୁଷ, ଧନ୍ଵନ୍ତରୀ l ତାଙ୍କ ହସ୍ତରେ ଅମୃତ କଳସ ଦେଖି, ଅସୁରମାନେ ଛଡ଼ାଇ ନେଲେ ଓ "ମୁଁ ଆଗ ପିଇବି,ମୁଁ ଆଗ ପିଇବି" କହି କଳିଗୋଳ ଆରମ୍ଭ କରି ଦେଲେ l ଏହିସମୟରେ ଭଗବାନ୍ ବିଷ୍ଣୁ ଏକ ଅପୂର୍ବ ସୁନ୍ଦରୀ ବିଶ୍ଵମୋହିନୀ ନାରୀବେଶ ଧାରଣ କରି ଆସି ପହଁଚିଲେ l ଅସୁର ସବୁ ତାଙ୍କ ରୂପରେ ମୋହିତ ହୋଇପଡ଼ି କହିଲେ, ହେ ସୁନ୍ଦରୀ, ତୁମେ ଆମ ମାନଙ୍କ ମଧ୍ୟରେ ଅମୃତ ବାଣ୍ଟି ଦିଅ l
ଭଗବାନ୍ ବିଷ୍ଣୁ ଦେଖିଲେ, ଏ ଅସୁର ଗୁଡ଼ାକ ଯଦି ଅମୃତ ପିଇ ଦିଅନ୍ତି ତେବେ ଦେବତା ମାନଙ୍କ ଆଉ ଦୁର୍ଗତିର ସୀମା ରହିବ ନାହିଁ l ଏହି ହେଉଛି ଅପୂର୍ବ ସୁଯୋଗ l ଅସୁର ମାନେ ଏପରି ମୋହିତ ହୋଇ ପଡ଼ିଥିଲା ବେଳେ ସେ ଚତୁରତା ପୂର୍ବକ ଗରୁଡଙ୍କ ଦ୍ବାରା (ଅନ୍ୟ ମତରେ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ) ଅମୃତ କଳସଟିକୁ ହରଣ କରି ନେଲେ l ଗୁରୁ ଶୁକ୍ରାଚାର୍ଯ୍ୟ ଏକଥା ଜାଣି ପାରି ରାକ୍ଷସ ମାନଙ୍କୁ କହି ଦେବାରୁ ସେମାନେ ଗରୁଡ଼ଙ୍କଠାରୁ ଏହାକୁ ଛଡ଼ାଇନେବାକୁ ତାଙ୍କପଛରେ ଗୋଡ଼ାଇଲେ l ଆରମ୍ଭ ହୋଇଗଲା ଗରୁଡ଼ ଓ ଅସୁରଙ୍କ ଭିତରେ ପ୍ରବଳ ଟଣା ଓଟରା l ଏହି ଟଣା ଓଟରା ଭିତରେ ଅମୃତ କଳସରୁ ଚାରି ବୁନ୍ଦା ଅମୃତ, ପୃଥିବୀ ଉପରେ ଚାରୋଟି ସ୍ଥାନରେ ଛିଟିକି ପଡ଼ିଲା l ସେ ସ୍ଥାନଗୁଡ଼ିକ ହେଉଛି ପ୍ରୟାଗ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ l ଏଣୁ ଏହି ସ୍ଥାନ ମାନଙ୍କରେ କୁମ୍ଭ ମେଳା ଅନୁଷ୍ଠିତ ହୋଇ ଆସୁଛି l ଗରୁଡ଼ ଓ ଅସୁରଙ୍କ ମଧ୍ୟରେ ଅମୃତ ପାଇଁ ସଂଘର୍ଷ ବାର ଦିନ ଯାଏ ଲାଗି ରହିଥିଲା l ଏଣୁ ପ୍ରତି ବାରବର୍ଷ ଅନ୍ତରାଳରେ କୁମ୍ଭମେଳା ଆୟୋଜିତ ହୁଏ l
ତେବେ କୁମ୍ଭ ମେଳା କେଉଁ କେଉଁ ସ୍ଥାନରେ ହେବ ଏହାର ନିର୍ଣ୍ଣୟ ଜ୍ୟୋତିଷ ଗଣନା ଅନୁସାରେ ସ୍ଥିର ହୋଇଥାଏ l
ଦେବାସୁରଙ୍କ ସଂଗ୍ରାମ ସମୟରେ ଯେଉଁ ସ୍ଥାନରେ ଯେଉଁ ଗ୍ରହ ଯୋଗରେ ଅମୃତ ପଡ଼ିଥିଲା ସେହି ଗ୍ରହ ଯୋଗରେ ସେହି ସ୍ଥାନରେ କୁମ୍ଭଯୋଗ ପଡ଼ି ଥାଏ l ସୂର୍ଯ୍ୟ ବର୍ଷକ ବାରମାସରେ ବାର ରାଶିରେ ଭ୍ରମଣ କରି ଗୋଟିଏ ରାଶି ଚକ୍ରକୁ ପୁରା କରିଥାନ୍ତି l କିନ୍ତୁ ବୃହସ୍ପତି, ୧୨ ବର୍ଷରେ ଏକଏକ କରି ବାର ରାଶି ଭ୍ରମଣ କରିଥାନ୍ତି l ଗୋଟିଏ ରାଶିକୁ ବୃହସ୍ପତିଙ୍କୁ ଫେରି ଆସିବା ପାଇଁ ବାର ବର୍ଷ ଲାଗେ l ବୃହସ୍ପତିଙ୍କ ଏହି ରାଶି ଭ୍ରମଣ ଆଧାରରେ ବିଶେଷ ଗ୍ରହଯୋଗ ନେଇ ୧୨ ବର୍ଷରେ ଥରେ ଲେଖାଏଁ ୪ ଟି ସ୍ଥାନରେ କୁମ୍ଭମେଳା ହୋଇଥାଏ l
ଜ୍ୟୋତିଷ ଶାସ୍ତ୍ରରେ କୁମ୍ଭପର୍ବର ନକ୍ଷତ୍ର ଯୋଗ ନିମ୍ନ ଭାବେ ବର୍ଣ୍ଣିତ l
ପଦ୍ମିନୀ ନାୟକେ ମେଷେ
କୁମ୍ଭରାଶି ଗତେ ଗୁରୋଃ l
ଗଙ୍ଗାଦ୍ୱାରେ ଭବେଦ୍ ଯୋଗଃ
କୁମ୍ଭ ନାମା ତଥୋତମାଃ ll
ଅର୍ଥାତ୍, ଯେତେବେଳେ ସୂର୍ଯ୍ୟ ମେଷରାଶି ଓ କୁମ୍ଭ ରାଶିରେ ବୃହସ୍ପତି ଅବସ୍ଥାନ କରନ୍ତି ସେତେବେଳେ ଗଙ୍ଗାଦ୍ଵାର ବା ହରିଦ୍ଵାରରେ କୁମ୍ଭଯୋଗ ପଡ଼େ l
ମକରେ ଚ ଦିବାନାଥେ
ହ୍ମଜଗେଂ ଚ ବୃହସ୍ପତି l
କୁମ୍ଭଯୋଗ ଭବେତ୍ତତ୍ର
ପ୍ରୟାଗେ ଅତି ଦୁର୍ଲ୍ଲଭଃ ll
ମେଷରାଶି ଗତେ ଜୀବେ
ମକରେ ଚନ୍ଦ୍ର ଭାସ୍କରୌ l
ଅମାବାସ୍ୟା ତଥା ଯୋଗଃ
କୁମ୍ଭସ୍ଵସ୍ତୀର୍ଥ ନାୟକେ ll
ଅର୍ଥାତ୍, ଯେତେ ବେଳେ ବୃହସ୍ପତି ବୃଷ ରାଶିରେ, ସୁର୍ଯ୍ୟ ଓ ଚନ୍ଦ୍ର ମକର ରାଶିରେ ଅବସ୍ଥାନ କରନ୍ତି, ସେତେବେଳେ ତୀର୍ଥରାଜ ପ୍ରୟାଗଠାରେ ପବିତ୍ର କୁମ୍ଭଯୋଗ ପଡ଼ିଥାଏ l
ସିଂହରାଶି ଗତେ ସୂର୍ଯ୍ୟେ
ସିଂହ ରାଶୌ ବୃହସ୍ପତୋ l
ଗୋଦାବର୍ଯ୍ୟା ଭବେତ୍ କୁମ୍ଭୋ
ଯାୟତେ ଖଲୁ ମୁକ୍ତିଦଃ ll
ଅର୍ଥାତ୍, ଯେତେବେଳେ, ବୃହସ୍ପତି ସିଂହ ରାଶିରେ ଏବଂ ସୂର୍ଯ୍ୟ ଚନ୍ଦ୍ର କର୍କଟରାଶିରେ ପ୍ରବେଶ କରନ୍ତି ସେତେବେଳେ ଗୋଦାବରୀ ତୀର୍ଥ, ତ୍ର୍ୟମ୍ବକେଶ୍ୱର ନାସିକ ଠାରେ କୁମ୍ଭ ଯୋଗ ପଡ଼ିଥାଏ l
ମେଷ ରାଶି ଗତେ ସୂର୍ଯ୍ୟ
ସିଂହରାଶୌ ବୃହସ୍ପତୋ l
ଉଜ୍ଜୟିନ୍ୟାଂ ଭବେତ୍ କୁମ୍ଭଃ
ସଦା ମୁକ୍ତି ପ୍ରଦାୟକଃ ll
ଅର୍ଥାତ ଯେତେବେଳେ ବୃହସ୍ପତି ସିଂହରାଶି, ସୂର୍ଯ୍ୟ ଚନ୍ଦ୍ର ମେଷ ରାଶିରେ ଅବସ୍ଥାନ କରନ୍ତି, ସେତେ ବେଳେ ଉଜ୍ଜୟିନୀରେ ମହାମୋକ୍ଷ ପ୍ରଦାୟକ କୁମ୍ଭ ଯୋଗ ପଡ଼ିଥାଏ l
ବୃହସ୍ପତି, ସିଂହ ରାଶିରେ ଥାଇ ଉଜ୍ଜୟିନୀ ଏବଂ ନାସିକ ଠାରେ କୁମ୍ଭମେଳା ଅନୁଷ୍ଠିତ ହେଉ ଥିବାରୁ ଏହା ସିଂହସ୍ଥ କୁମ୍ଭବୋଲି ଅଭିହିତ ହୁଏ l
କୁମ୍ଭମେଳା ଚାରି ପ୍ରକାରର:-
1. ମାଘ ମେଳା - ପ୍ରତିବର୍ଷ ଏହା ପ୍ରୟାଗରାଜରେ ଅନୁଷ୍ଠିତ ହୋଇଥାଏ l
2. କୁମ୍ଭମେଳା - ପ୍ରତି ତିନବର୍ଷରେ ଥରେ ପ୍ରୟାଗ, ହରିଦ୍ଵାର, ନାସିକ ଓ ଉଜ୍ଜୟିନୀ ଠାରେ ଅନୁଷ୍ଠିତ ହୋଇଥାଏ l
3. ଅର୍ଦ୍ଧକୁମ୍ଭ ମେଳା - ପ୍ରତି ଛଅ ବର୍ଷରେ ଥରେ ପ୍ରୟାଗ ଓ ହରିଦ୍ଵାର ଠାରେ ଅନୁଷ୍ଠିତ ହୁଏ l
4. ପୂର୍ଣ୍ଣକୁମ୍ଭ ମେଳା - ପ୍ରତି ବାରବର୍ଷରେ ପ୍ରୟାଗ, ହରିଦ୍ଵାର, ନାସିକ ଓ ଉଜ୍ଜୟିନୀ ଠାରେ ଅନୁଷ୍ଠିତ ହୋଇ ଥାଏ l
5. ମହାକୁମ୍ଭ ମେଳା -ଏହା ବାରଗୋଟି ପୂର୍ଣ୍ଣକୁମ୍ଭ ଅନ୍ତରରେ ଅର୍ଥାତ୍, ୧୪୪ ବର୍ଷରେ ଥରେ ପ୍ରୟାଗ ଠାରେ ଅନୁଷ୍ଠିତ ହୋଇ ଥାଏ l ମହାକୁମ୍ଭଯୋଗ ଏଥର ୨୦୨୫ ରେ ପଡ଼ିଛି l
କୁମ୍ଭମେଳା ବିଶ୍ୱରେ ବହୁ ଚର୍ଚ୍ଚିତ ସବୁଠାରୁ ବୃହତ୍ ମେଳା ଭାବେ ବିଖ୍ୟାତ l ଏଥିରେ ବହୁ ସାଧୁ ସନ୍ଥ, ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଥାଏ l ଗତ ବର୍ଷ ପ୍ରୟାଗ ମହାକୁମ୍ଭ ମେଳାରେ ୪୦ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥଲାବୋଲି ଆକଳନ କରା ଯାଇଛି l କୁମ୍ଭ ମେଳା ଅବସରରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରୟାଗର ତ୍ରିବେଣୀସଙ୍ଗମ, ହରି ଦ୍ଵାରରେ ପରମ ପାବୀନୀ ଗଙ୍ଗା , ଉଜ୍ଜୟିନୀରେ ସିପ୍ରାନଦୀ ତଥା ନାସିକର ଗୋଦାବରୀ ନଦୀରେ ସ୍ନାନ ପାଇଁ ଅପୂର୍ବ ଉତ୍କଣ୍ଠା ପ୍ରକାଶ ପାଏ l
କୁମ୍ଭସ୍ନାନ ଅଶେଷ ପୁଣ୍ୟଦାୟୀ ବୋଲି ଆମ ଶାସ୍ତ୍ର ପୁରାଣ ମାନଙ୍କରେ ବର୍ଣ୍ଣିତ l କୁମ୍ଭ ସ୍ନାନର ମହିମା ବର୍ଣ୍ଣନା କରି ବିଷ୍ଣୁ ପୁରାଣରେ କୁହାଯାଇଛି:-
ଅଶ୍ୱମେଧ ଯଜ୍ଞ ସହସ୍ରାଣି
ବାଜପେୟ ଶତାନି ଚ l
ଲକ୍ଷ୍ୟଂ ପ୍ରଦକ୍ଷିଣା ଭୂମେଃ
କୁମ୍ଭ ସ୍ଥାନେନ ତତ୍ ଫଳଂ ll
ଅର୍ଥାତ୍, ଏକହଜାର ଅଶ୍ୱମେଧ ଯଜ୍ଞ, ଶହେ ଗୋଟି ବାଜପେୟ ଯଜ୍ଞ, ଏକ ଲକ୍ଷ ଥର ପୃଥିବୀ ପରିକ୍ରମା ଦ୍ୱାରା ଯେତିକି ଫଳ ମିଳି ଥାଏ, ଥରେ ମାତ୍ର କୁମ୍ଭ ଯୋଗରେ ସ୍ନାନକଲେ ସେତିକି ଫଳପ୍ରାପ୍ତ ହୋଇଥାଏ l କଥିତ ହୁଏ, କୁମ୍ଭ ଯୋଗ ସମୟରେ ସେହି ନଦୀର ଜଳ ୪ କିଲୋମିଟର ପର୍ଯ୍ୟନ୍ତ ଅମୃତ ମୟ ହୋଇଯାଏ l ତେତିଶି କୋଟି ଦେବତା ଆସି ଛଦ୍ମ ବେଶରେ ସେଠାରେ ଉପସ୍ଥିତ ଥାନ୍ତି l
କୁମ୍ଭ ମେଳା କେବେ ଠାରୁ ଅନୁଷ୍ଠିତ ହୋଇ ଆସୁଛି ନିର୍ଣ୍ଣୟକରିବା ଖୁବ କଷ୍ଟକର l ଅଷ୍ଟମ ଶତାବ୍ଦୀରେ ଏହା ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ଆରମ୍ଭ ହୋଇଛି ବୋଲି ବିଦ୍ୱାନ ମାନେ କହନ୍ତି l ଚୀନ ପରିବ୍ରାଜକ ହୁଏନସାଂ (୬୨୯ -୬୪୫ ଖ୍ରୀଷ୍ଟାବ୍ଦ) ତାଙ୍କ ଭ୍ରମଣ ବୃତ୍ତାନ୍ତରେ ଉଲ୍ଲେଖ କରିଛନ୍ତି ସମ୍ରାଟ୍ ହର୍ଷ ବର୍ଦ୍ଧନ ସଙ୍ଗମରେ ଏକ ବିରାଟ ଉତ୍ସବର ଅୟୋଜନ କରୁଥିଲେ ଓ ଏହି ଉତ୍ସବରେ ରାଜା ବହୁ ବିଦ୍ୱାନ, ବ୍ରାହ୍ମଣ ଏବଂ ସାଧୁସନ୍ଥଙ୍କୁ ସମ୍ମାନିତ କରୁଥିଲେ l ଏହାହିଁ କୁମ୍ଭମେଳା ବୋଲି ଅନୁମିତ ହୁଏ l
କୁମ୍ଭ, କୁମ୍ଭ ସଂକ୍ରାନ୍ତି, କୁମ୍ଭ ମେଳା ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସୂର୍ଯ୍ୟଙ୍କ ମକର ରାଶିରୁ କୁମ୍ଭରାଶି ଦିଗରେ ଚଳନଦିନ ବା ମକରସଂକ୍ରାନ୍ତି ଦିନ କୁମ୍ଭରେ ପବିତ୍ର ସାହି ସ୍ନାନ ପଡ଼େ । ଏହାର ଏକ ମାସ ପରେ ଆସେ କୁମ୍ଭ ସଂକ୍ରାନ୍ତି l ଏହିଦିନ ଗଙ୍ଗା, ଯମୁନା, ଗୋଦାବରୀ, ଆଦି ପବିତ୍ର ନଦୀ ମାନଙ୍କରେ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇ ଅଶେଷ ପୁଣ୍ୟ ଅର୍ଜନ କରିଥାନ୍ତି l
ଓଁ
ଦେବୀ ସୁରେଶ୍ଵରୀ ଭଗବତୀ ଗଙ୍ଗେ l ତ୍ରିଭୁବନ ତାରିଣୀ ତରଳ ତରଙ୍ଗେ ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
