STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନବ ଯୋଗୀନ୍ଦ୍ର ଉପାଖ୍ୟାନ 

ନବ ଯୋଗୀନ୍ଦ୍ର ଉପାଖ୍ୟାନ 

5 mins
0

      ନବ ଯୋଗୀନ୍ଦ୍ର ଉପାଖ୍ୟାନ   
         =============
ଦିନେ ଦ୍ୱାରିକାରେ ଦେବର୍ଷି ନାରଦ ଆସି ବସୁଦେବଙ୍କ ବାସ ଭବନରେ ପହଁଚିଲେ । ମୁନିଙ୍କୁ ଅଭିବାଦନ କରି ବସୁଦେବ ଆସି ଅନ୍ତଃପୁରକୁ ନେଇ ତାଙ୍କର ବିଧି ପୂର୍ବକ ସତ୍କାର କରି ଆସନରେ ବସାଇଲେ। ମୁନି ବସି ସାରିଲା ପରେ ବସୁଦେବ ତାଙ୍କୁ ପ୍ରଶ୍ନ କଲେ, ହେ ମୁନିବର ! ମୁଁ ସ୍ଵୟଂ ଭଗବାନଙ୍କୁ ପୁତ୍ରରୂପେ ପାଇ ମଧ୍ୟ ତାଙ୍କର ସ୍ୱରୂପକୁ ଜାଣି ପାରିଲି ନାହିଁ । ଆଉ ମୁକ୍ତିମଧ୍ୟ ପାଇପାରିଲି ନାହିଁ, ଏହାହିଁ ମାୟା। ଆପଣ ଦୟା କରି, ମୋତେ ଏହି ମାୟାରୁ ମୁକ୍ତିପାଇବା ଉପାୟ ବତାନ୍ତୁ। ବସୁଦେବଙ୍କ କଥା ଶୁଣି ନାରଦ ଅତି ହୃଷ୍ଟ ହୋଇ କହିଲେ, ହେ ଯଦୁଵୀର ! ତୁମେ ଧନ୍ୟ। ତୁମର ତା' ହେଲେ ଭାଗବତ ଧର୍ମ କଅଣ ଜାଣିବା ପାଇଁ ଇଚ୍ଛା ହୋଇଛି । ଏହି ମର୍ମରେ ମୁଁ ତୁମକୁ ଜାଣିଥିବା ଏକ ପୁରାତନ ଇତିହାସ କଥା କହୁଛି ଶୁଣ ତୁମର ସକଳ ଭ୍ରମ ଦୂର ହେବ।
ନାରଦ କଥା ଆରମ୍ଭ କଲେ । ଦିନେ ମିଥିଳାରେ ରାଜା ନିମିଙ୍କ ଯଜ୍ଞ ଶାଳାରେ ନଅଜଣ ତେଜସ୍ୱୀ ଯୋଗୀ ଆସି ପହଞ୍ଚିଲେ। ତାଙ୍କୁ ଦେଖିବା ମାତ୍ରେ କୁଣ୍ଡରେ ଯଜ୍ଞାଗ୍ନୀ, ଯୋରରେ ପ୍ରଜ୍ବଳିତ ହେବାକୁ ଲାଗିଲା। ଏଥିରୁ ରାଜା ନିମି ଜାଣି ନେଲେ, ଏହି ତେଜସ୍ଵୀ ମୁନି ମାନେ ହେଉଛନ୍ତି, ସମସ୍ତେ କୃଷ୍ଣ ପରାୟଣ। ରାଜା ମୁନି ମାନଙ୍କ ପାଦ ପୂଜା କରି ଆସନରେ ବସାଇ ତାଙ୍କ ସତ୍କାର କଲେ । ସେହି ନବ ମୁନି ଥିଲେ ଭଗବାନ୍ ଋଷଭ ଦେବଙ୍କ ପୁତ୍ର। ସେମାନେ ଥିଲେ ବିଦ୍ୱାନ, ସକଳଶାସ୍ତ୍ର ଜ୍ଞାତା ଓ ପରମ ଜ୍ଞାନୀ। ସେମାନଙ୍କର ନାମ ହେଉଛି କବି, ହରି, ଅନ୍ତରୀକ୍ଷ,ପ୍ରବୁଦ୍ଧ,ପିପ୍ପଳାୟନ, ଆର୍ବିହୋତ୍ର, ଦୃମିଳ,ଚମସ ଓ କରଭାଜନ। ସେମାନେ ଆସନ ଗ୍ରହଣ କଲା ପରେ, ରାଜା ନିମି କହିଲେ, ଧର୍ମାନ୍ ଭାଗବତାନ୍ ବ୍ରୁତ ଯଦି ନଶୃତୟେ କ୍ଷମ୍। ଅର୍ଥାତ୍, ହେ ମୁନିମାନେ ! ମୁଁ ଯଦି ଶୁଣିବା ପାଇଁ ଯୋଗ୍ୟ ହୋଇଥାଏ, ଆପଣ ମାନେ ଭାଗବତ ଧର୍ମ କଥା ମୋତେ ଶୁଣାନ୍ତୁ। ମୁନିମାନେ ରାଜାଙ୍କ କଥାରେ ଖୁବ୍ ପ୍ରସନ୍ନହୋଇ ତାଙ୍କୁ କଥା ଶୁଣାଇଲେ।
ପ୍ରଥମ ଯୋଗୀ କବି କହିଲେ, ବିନାଶ ଶୀଳ ପଦାର୍ଥରେ ଭୋଗର ଆଶା ସଫଳ ହୁଏନାହିଁ, ବରଂ ତହିଁରେ ଭୋଗ ବାସନା ବଢ଼ି ବଢ଼ି ଚାଲେ। ଏଣୁ ବାସନାର ବିନାଶ ସର୍ବାଦୌ ଆବଶ୍ୟକ। ଏହା ସମ୍ଭବ ହୋଇ ଥାଏ, ଭଗବତ ଉପାସନା ଦ୍ୱାରା। ଯେଉଁ ଉପାୟ ଦ୍ୱାରା ଭଗବତ ପ୍ରାପ୍ତି ହୋଇ ଥାଏ ତାକୁ ଭାଗବତ ଧର୍ମ କୁହାଯାଏ। ଭଗବାନଙ୍କୁ ସମସ୍ତ କର୍ମ ସମର୍ପଣ କରି କାର୍ଯ୍ୟ କଲେ, ନୀତି ନିୟମରେ ଦୋଷ ତ୍ରୁଟି ରହିଲେ ମଧ୍ୟ କର୍ମର ପତନ ଘଟେ ନାହିଁ । ପ୍ରଭୁଙ୍କ ମଧୁର ନାମ ଉଚ୍ଚାରଣ କରି ତାଙ୍କ ସ୍ମରଣରେ ଗାନ ନୃତ୍ୟ ଆଦି କରି, ସେଥିରେ ମଗ୍ନ ରହିଲେ ମନୁଷ୍ୟ ଭଗବାନଙ୍କ ଭକ୍ତ ହୋଇ ଯାଏ। ତା ମନରେ କାହାପ୍ରତି ରାଗ ଦ୍ୱେଷ ରହେ ନାହିଁ। ସମସ୍ତଙ୍କ ମଧ୍ୟରେ 'ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ' ନ୍ୟାୟରେ ସେ ପରମାତ୍ମାଙ୍କ ଦର୍ଶନ କରିଥାଏ।
ଏଥିରେ ରାଜା ପଚାରିଲେ, ଭକ୍ତ କେତେ ପ୍ରକାର? ସେମାନଙ୍କ ଲକ୍ଷଣ ସବୁ କ'ଣ? ରାଜାଙ୍କ ପ୍ରଶ୍ନରେ ଦ୍ୱିତୀୟ ଯୋଗୀଶ୍ୱର, ହରି କହିଲେ, ଉତ୍ତମ ଭକ୍ତ ସମସ୍ତଙ୍କ ମଧ୍ୟରେ, ପରମାତ୍ମା ଏବଂ ପରମାତ୍ମାଙ୍କ ମଧ୍ୟରେ, ସମସ୍ତଙ୍କୁ ଦର୍ଶନ କରେ। ମଧ୍ୟମ ପ୍ରକାର ଭକ୍ତ ଈଶ୍ବରଙ୍କ ଠାରେ ପ୍ରେମ, ଭକ୍ତମାନଙ୍କ ସହିତ ମିତ୍ରତା ଓ ଶତ୍ରୁଙ୍କୁ ଉପେକ୍ଷା କରେ। ପ୍ରାକୃତ ଭକ୍ତ ମନ୍ଦିରରେ ଭଗବାନଙ୍କ ପୂଜା କରିଥାଏ କିନ୍ତୁ ସେ ସମସ୍ତଙ୍କ ଆତ୍ମମା ମଧ୍ୟରେ ଥିବା ପରମାତ୍ମାଙ୍କୁ ଚିହ୍ନି ପାରେ ନାହିଁ। ମନ୍ଦିରରେ ଥିବା ଭଗବାନଙ୍କୁ ସେ ସଭିଙ୍କ ହୃଦୟମଧ୍ୟରେ ଦେଖେ। ସେ କେବେ ବ୍ରହ୍ମଲୋକ ପ୍ରାପ୍ତିର ଆଶା ରଖେ ନାହିଁ।
ପୁଣି ରାଜା, ମାୟାର ଲକ୍ଷଣ କଅଣ ପଚାରିଲେ । ଏହାର ଉତ୍ତର ଦେବାକୁ ଯାଇ, ତୃତୀୟ ମୁନିଶ୍ୱର ଅନ୍ତରୀକ୍ଷ କହିଲେ, ମହା ଭୂତମାନଙ୍କ ଦ୍ବାରା ମାୟା ସୃଷ୍ଟି ହୋଇଥାଏ । ଯାହା ଆଗରେ ଦେଖା ଯାଏ ତାହା ସତ୍ୟ ନୁହେଁ। କିନ୍ତୁ ତାହା ସତ୍ୟପରି ମନେ ହେଲେ ହେଁ ତାହା ସ୍ଵପ୍ନ ପରି ମିଥ୍ୟା।
ରାଜା କହିଲେ, ତା ହେଲେ ଏହି ମାୟା ପ୍ରଭାବରୁ ରକ୍ଷା କିପରି ମିଳିବ । ଏହାର ଉତ୍ତରରେ ଚତୁର୍ଥ ଯୋଗୀନ୍ଦ୍ର ପ୍ରବୁଦ୍ଧ କହିଲେ, ସଂସାରରେ ଲୋକେ ସର୍ବଦା ସୁଖ ପାଇଁ ବ୍ୟସ୍ତ । କିନ୍ତୁ ସେମାନେ ସୁଖ ପରିବର୍ତ୍ତେ ଦୁଃଖ ହିଁ ପାଆନ୍ତି । ମାୟା ପ୍ରଭାବରୁ ମୁକ୍ତି ନିମନ୍ତେ ସଦଗୁରୁଙ୍କ ସେବା ଓ ସତସଙ୍ଗର ଆବଶ୍ୟକତା ରହିଛି । ଭଜନ, କୀର୍ତ୍ତନ, ଶ୍ରବଣ ଆଦି, ନବଧା ଭକ୍ତି ଦ୍ଵାରା କଳୁଷ ବିନାଶ ହୋଇ ଥାଏ। ଭଗବତ ଭକ୍ତିହିଁ ଜ୍ଞାନ ଏବଂ ବୈରାଗ୍ୟର ଜନକ। ନାରାୟଣଙ୍କ ଭକ୍ତ ମାୟା ପ୍ରଭାବକୁ ପୂର୍ଣ୍ଣ ରୂପେ ବାଧା ଦେଇ ପାରେ ।
ରାଜା ପୁନଶ୍ଚ ନାରାୟଣଙ୍କ ସ୍ୱରୂପ କଅଣ ବୋଲି ପଚାରିବାରୁ ପଞ୍ଚମ ଯୋଗୀ ପିପ୍ପଳାୟନ ଉତ୍ତର ଦେଲେ, ଉଦ୍ଭିଦଜ, ସ୍ୱେଦଜ, ଅଣ୍ଡଜ ଓ ଜରାୟୁଜ ଆଦି ଚାରି ପ୍ରକାର ଜୀବର ଉତ୍ପତ୍ତି ଜଳକୁ ଆଶ୍ରୟ କରି ହୁଏ । ଫୁଲର ହସ ଓ ମହକରେ ନାରାୟଣ ବିଦ୍ୟମାନ। ଆତ୍ମାର ଯାହା ସମସ୍ତ ଲକ୍ଷଣ ପରମାତ୍ମାଙ୍କର ମଧ୍ୟ ତାହାହିଁ ଲକ୍ଷଣ। ଦେହ, ଇନ୍ଦ୍ରିୟ, ବୁଦ୍ଧି ତଥା ମନର ପ୍ରକାଶକ ହେଉଛି ଆତ୍ମା। ଆତ୍ମାକୁ ବାଣୀଦ୍ଵାରା ଜାଣି ହୁଏ ନାହିଁ। ନେତି, ନେତି ଶବ୍ଦ ଦ୍ଵାରା ଆତ୍ମାକୁ ବୁଝାଇବା ପାଇଁ ଚେଷ୍ଟା କରାଯାଏ। ନିଷେଧ କରି କରି, ସର୍ଵ ଶେଷରେ ଯାହାକୁ ନିଷେଧ କରା ଯାଇ ପାରେନା ତାହା ହେଉଛି, ଆତ୍ମା। ତତ୍ତ୍ଵବିତ୍ ମାନେ ଯାହାକୁ ଅବ୍ୟୟ ଜ୍ଞାନ, ବୋଲି କହି ଥାନ୍ତି ସେ ହେଉଛନ୍ତି ପରମାତ୍ମା।
ଏହାପରେ ରାଜା ପୁଣି କର୍ମଯୋଗ ଓ ନିଷ୍କାମତା କଅଣ ବୋଲି ପ୍ରଶ୍ନ କରିବାରୁ ଏହାର ଉତ୍ତର ଦେଇ ଷଷ୍ଠ ଯୋଗୀନ୍ଦ୍ର ଆର୍ବିର୍ହୋତ୍ର କହିଲେ, କର୍ତ୍ତବ୍ୟକୁ ଶାସ୍ତ୍ରରେ କର୍ମ ବୋଲି କୁହାଯାଏ। ନିଷିଦ୍ଧ କର୍ମକୁ ଅକର୍ମ କୁହାଯାଏ। ବିପରୀତ ଆଚରଣକୁ ବିକର୍ମ କୁହାଯାଏ। ଅନ୍ତଃକରଣର ଶୁଦ୍ଧିପାଇଁ କର୍ମବାଦର ଏହି ବ୍ୟବସ୍ଥା ରହିଛି। ସତ ମାର୍ଗରେ ଚାଲି ଅସତ ପ୍ରବୃତ୍ତିକୁ ବିରୋଧ କରିବାପାଇଁ କର୍ମରେ ନିର୍ଦ୍ଧେଶ କରା ଯାଇଛି। ତାନ୍ତ୍ରିକ,ବୈଦିକ, ପୌରାଣିକ ଏହି ତିନି ପ୍ରକ୍ରିୟା ମଧ୍ୟରୁ, ଗୁରୁଙ୍କ ଠାରୁ କୌଣସି ଏକ ପ୍ରକ୍ରିୟା ଶିକ୍ଷା କରିବା ଉଚିତ୍। ସୂର୍ଯ୍ୟ, ଅଗ୍ନି, ଜଳ, ଅତିଥି ଓ ହୃଦୟ ମଧ୍ୟରେ ଭଗବାନ୍ ବିରାଜମାନ ଅଛନ୍ନ୍ତି ବୋଲି ଭାବି ତାଙ୍କ ପୂଜା କର।
ରାଜା ପୁଣି ପଚାରିଲେ ଭଗବାନଙ୍କର କେବେ ଓ କେତେ ଅବତାର ସବୁ ହୁଏ। ଏହାର ଉତ୍ତରରେ ସପ୍ତମ ଯୋଗୀନ୍ଦ୍ର, ଦୃମିଳ ବୁଝାଇ କହିଲେ, ଭଗବାନ ହେଉଛନ୍ତି ଅନନ୍ତ। ତାଙ୍କ ଲୀଳା ଏବଂ ଗୁଣ ମଧ୍ୟ ଅନନ୍ତ। ସେ ଜୀବ ଓ ସଂସାରର କଲ୍ୟାଣ ଅର୍ଥେ ବ୍ୟାସ, ନାରଦ, ନରନାରାୟଣ, ଦତ୍ତାତ୍ରେୟ ଆଦି ନାନା ଅବତାର ଗ୍ରହଣ କରିଛନ୍ତି। ଅନନ୍ତ ପ୍ରଭୁଙ୍କ ଅବତାର ଲୀଳା।
ମହାରାଜା ପୁଣି ପଚାରିଲେ, ଭଗବାନଙ୍କ ଭଜନ ନକଲେ ଜୀବର କଅଣ ଦଶା ହୁଏ । ଏହା ଶୁଣି ଅଷ୍ଟମ ଯୋଗୀନ୍ଦ୍ର, ଚମସ କହିଲେ, ଭଗବାନଙ୍କ ସମସ୍ତଙ୍କ ଉପରେ ଦୟା ଥାଏ। କିନ୍ତୁ ମୋହବଶ ହୋଇ ଜୀବ ଭଗବାନଙ୍କ ଭଜନ ନ କରି ହିଂସା କପଟ, ମିଥ୍ୟାଚାର କରି ନାର୍କଗାମୀ ହୁଏ।
କେଉଁ ସମୟରେ କିପରି ଭଗବାନଙ୍କ ଆରାଧନା କରାଯାଏ ବୋଲି ରାଜା ପଚାରିବାରୁ ନବମ ମୁନି କରଭାଜନ କହିଲେ, ସତ୍ୟ ଯୁଗରେ ସେ ଶ୍ୱେତ ବର୍ଣ୍ଣ, ନିର୍ବେଦ ଓ ଶାନ୍ତ। ତାଙ୍କର ପୂଜା ଚତୁର୍ବାହୁ, ଶୁକ୍ଳାମ୍ବରଧାରୀ ଭଗବାନ ରୂପରେ ହୋଇ ଥାଏ । ତ୍ରେତାରେ ସେ ରକ୍ତବର୍ଣ୍ଣ। ବୈଦିକ ଯଜ୍ଞ ବିଧିରେ ତାଙ୍କ ପୂଜା କରା ଯାଏ । ଦ୍ଵାପରରେ ତାଙ୍କ ବର୍ଣ୍ଣ କୃଷ୍ଣ ବର୍ଣ୍ଣ । ସେ ବାସୁଦେବ, ସଙ୍କର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ ରୂପେ ପୂଜା ହୁଅନ୍ତି। ସେ କଳି ଯୁଗରେ ଉଜ୍ଜ୍ବଳ ନୀଳମଣି ରୂପ। କେବଳ ନାମ ସଙ୍କୀର୍ତ୍ତନ ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି। ଏପରି ଦେବର୍ଷି ନାରଦ ବସୁଦେବଙ୍କୁ ନବ ଯୋଗୀନ୍ଦ୍ରଙ୍କ କଥାଶୁଣାଇ କହିଲେ, ତୁମେ ସର୍ବାତ୍ମା ଶ୍ରୀକୃଷ୍ଣଙ୍କ ଠାରେ ପୁତ୍ରଭାବ ଛାଡ଼ି ବ୍ରହ୍ମ ଭାବର ଚିନ୍ତନ କର। ସେ ହେଉଛନ୍ତି ପରଂବ୍ରହ୍ମ। ଜଗତ କଲ୍ୟାଣାର୍ଥେ ସେ ନର ଦେହ ଧରିଛନ୍ତି। ନାରଦଙ୍କ କଥା ଶୁଣି ଦେବକୀ ଓ ବସୁଦେବ ଖୁବ୍ ପୁଲକିତ ହେଲେ । ସେମାନେ ଦେବର୍ଷିଙ୍କ ଉପଦେଶ ପାଳନ କରିବା ପାଇଁ ମନେମନେ ଅଙ୍ଗିକାର ବଦ୍ଧ ହେଲେ । ଏହା ବର୍ଣ୍ଣନା କରି, ଶ୍ରୀମଦ୍ ଦ୍ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ :-
       ଏମନ୍ତ ନାରଦର ବାଣୀ ।
          ଦେବକୀ ବସୁଦେବ ଶୁଣି ।।
      ତନୁ ପୁଲକ ରୋମରାଜି ।
           ଅତି ବିସ୍ମୟେ ଚକ୍ଷୁ ବୁଜି ।।
       କୃଷ୍ନଙ୍କୁ ପୁତ୍ରଭାବେ ମାନି ।
         କିଛି ନବୋଲି ହେଲେ ତୁନି ।।
ଅତି ତାତ୍ତ୍ୱିକ ନବ ଯୋଗୀନ୍ଦ୍ର ଉପାଖ୍ୟାନ ନାରଦ ବସୁଦେବ ସମ୍ବାଦ ନାମରେ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଧ, ଦ୍ଵିତୀୟରୁ ଷଷ୍ଠ ଅଧ୍ୟାୟ ମଧ୍ୟରେ ବର୍ଣ୍ଣିତ ହୋଇଛି ।
                🙏🙏🙏
                    ଅର୍ଜୁନୀ
                  ------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational