STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କେଦାର ଗୌରୀଙ୍କ ଅମର ପ୍ରେମ

କେଦାର ଗୌରୀଙ୍କ ଅମର ପ୍ରେମ

4 mins
1

    କେଦାର ଗୌରୀଙ୍କ ଅମର ପ୍ରେମ
      =================
ମନ୍ଦିର ମାଳିନୀ ନଗର ଭାବେ ବିଶ୍ବ ପ୍ରସିଦ୍ଧ ଆମ ରାଜଧାନୀ ଭୁବନେଶ୍ବର l ଉତ୍କଳୀୟ ଉତ୍କୃଷ୍ଠ ଚାରୁକଳାର ନିଦର୍ଶନରୂପେ ଏଠାରେ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର l ଏହା ଛଡ଼ା ଏଠାରେ ରହିଛି ସାନବଡ ଅସଂଖ୍ୟ ମନ୍ଦିର l ସମୟ ପ୍ରବାହରେ ଅନେକ କଳାକୃତି କାଳ ଗର୍ଭରେ ଲୁପ୍ତ ହୋଇଛି l ବର୍ତ୍ତମାନ୍, ଯେତେ କଳା କୃତି ଏକାମ୍ର ନଗରୀରେ ଶୋଭମାନ ଅଛି ସେମାନଙ୍କ ମଧ୍ୟରେ କେଦାର ଗୌରୀ ମନ୍ଦିର ଅନ୍ୟତମ l ଏହି କେଦାର ଗୌରୀ ମନ୍ଦିର ନିର୍ମାଣ ପଛରେ ଏକ ସୁନ୍ଦର ପ୍ରେମ କାହାଣୀ ଲୁକ୍କାୟିତହୋଇ ରହିଛି l କବିବର ରାଧାନାଥଙ୍କ ଅମର ଲେଖନୀରେ ସେହି କାହାଣୀଟି ଖୁବ୍ ଜୀବନ୍ତ ଭାବେ ଚିତ୍ରିତ ହୋଇଛି l
କାହାଣୀର କଥା ବସ୍ତୁ ଅନୁସାରେ ପୂର୍ବେ ଏକାମ୍ର କାନନ ନିକଟରେ ବଣ ପାହାଡ଼ ଘେରା ଅନେକ ଗୁଡ଼ିଏ ଜନପଦ ଥିଲା l ସେହି ଜନପଦ ମାନଙ୍କ ମଧ୍ୟରୁ ଗୋଟିଏ ଗ୍ରାମର ଜଣେ ଯୁବକ ଓ ଜଣେ ଯୁବତୀ ପରସ୍ପରକୁ ଭଲ ପାଇ ବସିଲେ l କ୍ରମେ ସେହି ଭଲ ପାଇବା, ନିବିଡ଼ ପ୍ରେମରେ ପରିଣତ ହେଲା l ସେହି ଯୁବକଟିର ନାମ ଥିଲା କେଦାର ଏବଂ ଯୁବତୀର ନାମ ଥିଲା ଗୌରୀ l କେଦାର ଗୌରୀଙ୍କ ମଧ୍ୟରେ ସେହି ସଂପର୍କ ସେ ସମୟର ରକ୍ଷଣଶୀଳ ସମାଜର ଚକ୍ଷୁଶୂଳ ହେଲା l ଦୁହିଁଙ୍କୁ କ୍ରମେ ସମାଜ ସାମାଜିକଭାବେ ବାସନ୍ଦ କଲା ଓ ସେମାନଙ୍କ ମିଳାମିଶା ଉପରେ ନାନା କଟକଣା ଜାରି କଲା l ଏପରିହେଲା ସେମାନେ ପରସ୍ପରକୁ ଭେଟି ନ ପାରିବା ପାଇଁ ଦୁଇ ପରିବାରଙ୍କ ମଝିରେ ଗୋଟିଏ ପ୍ରାଚୀର ତିଆରି କରି ଦିଆ ଗଲା l ବର୍ତ୍ତମାନ କେଦାର ଓ ଗୌରୀଙ୍କ ମଧ୍ୟରେ ଅବାଧ ମିଳା ମିଶା ଆଉ ସମ୍ଭବ ହେଲା ନାହିଁ l ପ୍ରତିବନ୍ଧକ ରୂପେ ଠିଆ ହୋଇଥିବା କାନ୍ଥରେ ଗୋଟିଏ ରନ୍ଦ୍ର ଥାଏ l ସେହି ରନ୍ଦ୍ର ପାଖରେ କାନ୍ଥ ଦୁଇ ପଟରେ ଦୁହେଁ ବସି ନିଜ ନିଜର ଭାବର ଆଦାନ ପ୍ରଦାନ କରିବାକୁ ଲାଗିଲେ l
କ୍ରମେ ଏହା ମଧ୍ୟ ଲୋକଙ୍କ ଚକ୍ଷୁଶୂଳ ହେଲା l ସେମାନେ ଆଉ କିଛି ଉପାୟ ନପାଇବାରୁ ଦିନେ ଗ୍ରାମ ପରିତ୍ୟାଗ କରି କେଉଁ ଅଜଣା ରାଇଜକୁ ପଳାଇ ଗଲେ l ବଣପାହାଡ଼ ଘେରା ଅଜଣା ରାଇଜରେ କେଦାର ଗୌରୀ ବୁଲି ବୁଲି ଖୁବ୍ କ୍ଷୁଧିତ ହୋଇ ପଡ଼ିଲେ l ଖାଦ୍ୟ କେଉଁଠୁ ମିଳିବ l କେଦାର ସାହସ ବାନ୍ଧି ଗୌରୀକୁ କହିଲା, ତୁ ଏଇଠି ଥା l ମୁଁ ଯାଉଛି ଯେଉଁଠୁ ହେଉ, ଯେମିତି ହେଉ, ଖାଦ୍ୟ ଖୋଜି ଘେନି ଆସିବି l ଗୌରୀ ଏକ ଗିରି ଝରଣା ନିକଟରେ କେଦାରର ପଥ ଚାହିଁରହିଲା l କେଦାର ବାହାରିଗଲା ଖାଦ୍ୟ ଅନ୍ୱେଷଣରେ l
କ୍ରମେ ସଞ୍ଜ ନଇଁ ଆସୁଥାଏ ଏହି ସମୟରେ ଏକ ହିଂସ୍ର ବାଘ ହେଣ୍ଟାଳ ମାରିମାରି ସେହି ଝରଣାକୁ ପାଣି ପିଇବାକୁ ଆସିଲା l ବାଘ ଗର୍ଜନ ଶୁଣି ଗୌରୀ ଦୋଉଡ଼ି ଯାଇ ଏକ ଗୁମ୍ଫାରେ ଲୁଚି ଗଲା l ଗୌରୀ ଭୟରେ ତରବରହୋଇ ପଳାଇ ଯାଉଥିଲା ବେଳେ ତାର ଉତ୍ତରୀୟଟି ସେଠାରେ ପଡ଼ିଗଲା l ବାଘ ପାଣି ପିଇ ଆସି ଉତ୍ତରୀୟଟିକୁ ଦେଖିଲା l ମଣିଷଗନ୍ଧ ବାରି ସେ ଦାନ୍ତରେ ସେହି ଉତ୍ତରୀୟଟିକୁ କାମୁଡ଼ି ରାମ୍ପି ଖଣ୍ଡ ଖଣ୍ଡ କରି ଚିରି ପକେଇଲା l ବାଘଟି ଜଙ୍ଗଲରେ ଅନେକ ପଶୁଙ୍କୁ ମାରି, ମାଂସ ଖାଇ, ରକ୍ତମୁଖା ହୋଇ ଆସିଥିଲା l ବାଘର ମୁହଁରେ ଲାଗି ଥିବା ରକ୍ତରେ ଉତ୍ତରୀୟଟି ରକ୍ତାକ୍ତ ହୋଇ ସେଠାରେ ପଡ଼ି ରହିଲା l
 କିଛି ସମୟ ପରେ କେଦାର ଫେରି ଆସି ଦେଖେ ତ ଗୌରୀର ଉତ୍ତରୀୟଟି ସେଇଠି ରକ୍ତ ଯୁଡୁବୁଡୁ ହୋଇ ପଡ଼ିଛି ଓ ସେଠାରୁ ବାଘର ପାଦ ଚିହ୍ନ ପଡ଼ି ପଡ଼ି ଯାଇଛି l ସେଥିରୁ କେଦାର ଭାବିନେଲା ଗୌରୀକୁ ନିଶ୍ଚୟ ବାଘ ମାରି ଖାଇ ଦେଇଛି l ସେ କାନ୍ଦିକାନ୍ଦି ଅତି ଦୁଃଖରେ ଭାବିଲା ମୁଁ ଯାହା ପାଇଁ ଘର ଛାଡ଼ି ଆସିଥିଲି, ସେ ତ ଗଲା l ମୋର ଆଉ ବଞ୍ଚି ରହି ଲାଭ କଣ l ଏମିତି ଚିନ୍ତା କରି ହାତରେ ଧରିଥିବା ଏକ ତୀକ୍ଷ୍ମ ତରବାରୀକୁ ନିଜ ପେଟରେ ଭୂଷି ଦେଲା ଓ ଭୀଷଣ ଯନ୍ତ୍ରଣାରେ ଭୂମି ଉପରେ ଲୋଟି ପଡ଼ିଲା l
କିଛି ସମୟ ପରେ ଗୁମ୍ଫା ଭିତରୁ ଗୌରୀ ବାହାରି ଆସି ଦେଖେ ତ ତା' ପ୍ରିୟତମ ମୃତ୍ୟୁ ଯନ୍ତ୍ରଣାରେ ସେଠି ପଡ଼ି ଛଟପଟ ହେଉଛି l ସେ ପାଖରେ ବସି ଲୁହ ଗଡେଇ, ନିଜକୁ ଧିକ୍କାର କରି କହିଲା, ଆହା ! ଶେଷକୁ ଏଇଆ ମୋ କପାଳରେ ଥିଲା l ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହେଉଥିବା କେଦାର ପ୍ରିୟା ଗୌରୀର କଣ୍ଠସ୍ବର ଶୁଣି ଆଖି ଖୋଲି ତା ମୁହଁକୁ ଟିକିଏ ଚାହିଁ ଚିରଦିନ ପାଇଁ ଚକ୍ଷୁ ମୁଦିଲା l କେଦାର ହାତରେ ଗୌରୀ ନିଜର ରକ୍ତ ଯୁଡୁବୁଡୁ ଓଢଣାଟି ଦେଖି ଅନୁମାନ କରି ଜାଣିନେଲା ଯେ ମୋର ମୃତ୍ୟୁ ଆଶଙ୍କା କରି କେଦାର ଆତ୍ମହତ୍ୟା କରିଛି l ଗୌରୀ ମନେମନେ କହିଲା,ଯାହାଙ୍କୁ ଏହି ମନ ପ୍ରାଣ ମୁଁ ଅର୍ପଣ କରି ଥିଲି, ସିଏ ମୃତ୍ୟୁ ପଥର ଯାତ୍ରୀ ହେଲେ l ମୁଁ ଆଉ କାହାପାଇଁ ଏହି ଦେହ ଧରିବି l ମୁଁ ମଧ୍ୟ ଯାଉଛି, ତାଙ୍କରି ପଥରେ ପଥୁକୀ ହେବି l ଏହା କହି ସେ କେଦାର ମୁଖକୁ ଶେଷଥର ପାଇଁ ଟିକେ ଚାହିଁ ଦେଇ ଓ ମହାପ୍ରଭୁ ଏକାମ୍ରେଶ୍ୱରଙ୍କ ପାଦ ପଦ୍ମକୁ ଧ୍ୟାନ କରି ପାଖରେ ପଡ଼ିଥିବା ସେହି ତୀକ୍ଷ୍ଣ ତରବାରୀ ଉପରେ କଚାଡ଼ି ହୋଇ ପଡ଼ିଲା l ତରବାରୀ ସୁକୁମାରୀ ଗୌରୀର ବକ୍ଷ ଭେଦ କରିଗଲା ଓ ମୁହୂର୍ତ୍ତକ ମଧ୍ୟରେ ତାର ପ୍ରାଣବାୟୁ ଉଡ଼ିଗଲା l
ଏହି ଘଟଣା ସେଦିନ ରାତିରେ ମହାରାଜା ଲଲାଟେନ୍ଦୁ କେଶରୀଙ୍କ ମାନସ ପଟରେ ସ୍ବପ୍ନରେ ଦୃଶ୍ୟମାନ ହେଲା l ସକାଳ ହେବାରୁ ରାଜା ଘଟଣାର ସତ୍ୟା ସତ୍ୟ ଜାଣିବା ପାଇଁ ଯାଇ ଝରଣା କୂଳରେ ପହଞ୍ଚି ଦେଖନ୍ତି ତ ସତକୁ ସତ ତରୁଣ ତରୁଣୀଙ୍କ ଦୁଇଟି ମୃତ ପିଣ୍ଡ ସେଠାରେ ପଡ଼ିଛି l ଏ ଦୁଃଖଦ ଖବର କ୍ରମେ ଚାରିଆଡ଼େ ପ୍ରଚାରିତ ହୋଇଗଲା l ଖବର ଶୁଣି, ସମସ୍ତେ ହାୟ ହାୟ କଲେ l ଦୁହିଙ୍କ ଅନ୍ତିମ ସଂସ୍କାର କରାଇ ମହାରାଜା ଲଲାଟେନ୍ଦୁ କେଶରୀ ସେଠାରେ ଦୁହିଁଙ୍କ ନାମରେ ଗୋଟିଏ ସ୍ମୃତି ମନ୍ଦିର ତୋଳାଇ ଦେଲେ ଏବଂ ମନ୍ଦିରରେ ସ୍ଥାପନ ହେଲା କେଦାର ଗୌରୀଙ୍କ ପ୍ରତିମା l ସେହି ମନ୍ଦିର କ୍ରମେ ପ୍ରସିଦ୍ଧ ହେଲା କେଦାର ଗୌରୀ ମନ୍ଦିର ନାମରେ l ଏହାର ବର୍ଣ୍ଣନା ଖଣ୍ଡକାବ୍ୟ, କେଦାର ଗୌରୀରେ କବିବର ରାଧାନାଥ ଦେଲେ:-
ବେନିଙ୍କ ଅନଳ ସଂସ୍କାର କରାଇ ଦେଉଳ ତୋଳାଇ ତ‌ହିଁ l ବେନିଙ୍କ ନାମରେ ପ୍ରତିମା ସ୍ଥାପିଲେ ନରପତି ଆଜ୍ଞା ବ‌ହି ll
 କେଦାର ଗୌରୀଙ୍କ ମନ୍ଦିରର ସ୍ଥାନୀୟ କିମ୍ବଦନ୍ତୀ ଏହା ହୋଇଥିଲେହେଁ ପୌରାଣିକ କିମ୍ୱଦନ୍ତୀରୁ ଜଣା ଯାଏ, ପ୍ରଭୁ ଭୋଳାନାଥ ଏକାମ୍ର କାନନର ସୌନ୍ଦର୍ଯ୍ୟରେ ଆକୃଷ୍ଠ ହୋଇ ଶିବପୁରୀ କାଶୀରୁ ଆସି ଏଠାରେ ବାସ କରିବାକୁ ଇଚ୍ଛା କରିଥିଲେ l ସେହି ଇଚ୍ଛା ଅନୁସାରେ ପ୍ରଭୁ ଏଠି କେଦାର ଓ ମା' ପାର୍ବତୀ, ଗୌରୀ ନାମରେ ବାସ କରୁଛନ୍ତି l କେଦାରଗୌରୀ ମନ୍ଦିର ମନ୍ଦିର ମାଳିନୀ ନଗର ଭୁବନେଶ୍ଵରରେ ଆଜି ଏକ ପ୍ରମୁଖ ଶୈବ ପୀଠ ଓ ପର୍ଯ୍ୟଟନ ସ୍ଥଳୀ ରୂପେ ଦଣ୍ଡାୟମାନ ରହିଛି l ଏଠାରେ ଥିବା ମରିଚି କୁଣ୍ଡର ଜଳ ବନ୍ଧ୍ୟାଦୋଷ ଦୂରକାରୀ ବୋଲି ଚର୍ଚ୍ଚିତ ହୁଏ l 
       !!! ଜୟ ପ୍ରଭୁ କେଦାରେଶ୍ୱର !!!
               🙏 🙏 🙏
                    ଅର୍ଜୁନୀ
                 -------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Rate this content
Log in

Similar oriya story from Inspirational