ଵିଦ୍ୟା ଅଟଇ ମହାଧନ
ଵିଦ୍ୟା ଅଟଇ ମହାଧନ
ଵିଦ୍ୟା ଅଟଇ ମହାଧନ
=============
ବହୁଦିନ ତଳର କଥା l ଲାଓସି ନାମରେ ଜଣେ ବିଦ୍ୱାନ ଚୀନରେ ବାସ କରୁଥିଲେ l କଥାରେ ଅଛି, " ନମ୍ରନ୍ତି ଫଳିନୋ ବୃକ୍ଷା, ନମ୍ରନ୍ତି ଗୁଣିନୋ ଜନା"l ପୁଣି ଅଛି,"ବିଦ୍ୟା ଦଦାତି ବିନୟମ୍"l ଏହି ନ୍ୟାୟ ଅନୁସାରେ ଲାଓସି ସ୍ୱଭାବରେ ଥିଲେ ଅତି ଭଦ୍ର,ନମ୍ର ଓ ଅହଙ୍କାର ଶୂନ୍ୟ l ଦିଗ ବିଦିଗରେ ତାଙ୍କର ବିଦବତ୍ତାର ଚର୍ଚ୍ଚା ହେଉ ଥାଏ l ସ୍ଵ ଅନୁଭବ ଓ ଅନୁଶୀଳନରୁ ସେ ବହୁ ସିଦ୍ଧାନ୍ତ ଓ ଦର୍ଶନ ନିରୂପଣ କରିଥାନ୍ତି l କିନ୍ତୁ ଏହା କୌଣସି ଗ୍ରନ୍ଥରେ ଲିପିବଦ୍ଧ ହୋଇ ନଥାଏ l କାରଣ ଲାଓସି ଭାବୁ ଥାନ୍ତି ଏହା ଲିପିବଦ୍ଧ କରିବା ଦୁରୁହ ବ୍ୟାପାର l ପୁଣି ଏହାକୁ ଲିପିବଦ୍ଧ କଲେ ଏହା ଜନ ମାନସରେ ଆଦୃତ ନହୋଇ ପାରେ l ଏପରି ହେଲେ ସେମାନଙ୍କ ଦ୍ୱାରା ସେ ଉପହସିତ ହେବେ l ତାଙ୍କର ଶିଷ୍ୟଗଣ ଓ ଖୋଦ ସମ୍ରାଟ ଯେତେ ଅନୁରୋଧ କଲେ ମଧ୍ୟ ଏହିସବୁ କାରଣରୁ ସେ ତାଙ୍କର ସାଧନା ଲବ୍ଧ ଜ୍ଞାନକୁ ଲିପିବଦ୍ଧ କରିବାକୁ ରାଜି ହେଉ ନଥାନ୍ତି l
କିଛି ଦିନ ଅନ୍ତେ ଲାଓସି ଘୋର ଅସୁସ୍ଥ ହୋଇ ପଡ଼ିଲେ l ଶିଷ୍ୟମାନେ ନିଷ୍ଠାପର ଭାବେ ସେବା କରୁଥାନ୍ତି ହେଲେ ତାଙ୍କର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥାଏ l ସେମାନେ ଭାବିଲେ ବୋଧହୁଏ ଗୁରୁଙ୍କର ଶେଷସମୟ ଆସି ଗଲା l ଶିଷ୍ୟ ମାନଙ୍କ ମନରେ ପ୍ରବଳ ଉତ୍କଣ୍ଠା ଜାତ ହେଉ ଥାଏ ମହାପ୍ରୟାଣ ପୂର୍ବରୁ ଗୁରୁଜୀ ତାଙ୍କର ଜ୍ଞାନକୁ ଭବିଷ୍ୟତ ପିଢ଼ି ପାଇଁ କିପରି ଲିପି ବଦ୍ଧ କରି ଯାଆନ୍ତେ କି ! ଏନେଇ ଶିଷ୍ୟଗଣ ତାଙ୍କୁ ବହୁତ ବାଧ୍ୟ କରୁଥାନ୍ତି l ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ଟିକେ ହେବାରୁ ଶିଷ୍ୟ ମାନଙ୍କ ଏହି ବାଧ୍ୟ ବାଧକତା ଏଡ଼ାଇବା ନିମନ୍ତେ ଲାଓସି ନିଶାର୍ଦ୍ଧରେ ଦିନେ ଆଶ୍ରମ ପରିତ୍ୟାଗ କରି ପଳାୟନ କଲେ l
ପରଦିନ ସକାଳୁ ଆଶ୍ରମରେ ଶିଷ୍ୟମାନେ ଗୁରୁଙ୍କୁ ନ ପାଇ ଅନ୍ୱେଷଣ କରି ଚତୁର୍ଦିଗ ଖେଦି ଗଲେ l ସମ୍ରାଟଙ୍କ କାନକୁ ବି ଏକଥା ଗଲା l ଲାଓସିଙ୍କୁ ଖୋଜି ଆଣିବା ପାଇଁ ତାଙ୍କର ସୈନ୍ୟ ସାମନ୍ତଙ୍କୁ ସମ୍ରାଟ ଲଗାଇ ଦେଲେ l ରାଜ୍ୟରୁ ବାହାରିଯିବା ପାଇଁ ସମସ୍ତ ରାସ୍ତାକୁ ଅବରୁଦ୍ଧ କରି ଦିଆଗଲା l କିଛିଦିନ ପରେ ଦିନେ ସମ୍ରାଟଙ୍କ ଅନୁଚରମାନେ ତନଖି ଫାଟକ ବାଟେ ଲାଓସି ସୀମାପାର ହେବା ପାଇଁ ଉଦ୍ୟମ କରୁଥିବାର ଦେଖିଲେ l ସେମାନେ ତାଙ୍କୁ ତତ୍କ୍ଷଣାତ କାବୁକରିନେଲେ l ଅଧିକାରୀ ଜଣେ ଲାଓସିଙ୍କୁ କହିଲେ, ଆପଣ ଶୁଳ୍କ ନଦେଇ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ l ଆପଣଙ୍କ ନିକଟରେ ଯେତେ ଅମୁଲ୍ୟ ସମ୍ପଦ ରହିଛି ତାହା ଆଉ କାହା ପାଖରେ ନାହିଁ l ଆପଣଙ୍କୁ ନିଶ୍ଚୟ ଶୁଳ୍କ ଦେବାକୁ ପଡ଼ିବ l ଆଉ ସେହି ଶୁଳ୍କ ହେଉଛି ଆପଣଙ୍କ ପାଖରେ ଥିବା ଅମୁଲ୍ୟ ଜ୍ଞାନ ଭଣ୍ଡାରକୁ ଲିପିବଦ୍ଧ କରିବା ଯାହା ଯୁଗ ଯୁଗ ପାଇଁ ମାନବ ସମାଜକୁ ଅନୁପ୍ରାଣିତ କରୁଥିବ l ସ୍ୱୟଂ ସମ୍ରାଟ ଏହି ଆଦେଶ ଦେଇଛନ୍ତି l ସମ୍ରାଟଙ୍କ ଆଦେଶ ସେ ଉଲ୍ଲଙ୍ଘନ କରିବେ ବା କିପରି l ତେଣୁ ସୀମା ପାର ଫାଟକ ପାଖରେ ବସି ସେ ତାଙ୍କ ଉପଲବ୍ଧ ଜ୍ଞାନକୁ ଲିପିବଦ୍ଧ କରିବାରେ ଲାଗିଲେ l ଏଥିରୁ ଆତ୍ମପ୍ରକାଶ କଲା ମହାନ ଗ୍ରନ୍ଥଟିଏ, 'ତାହି ତେହ କିଙ୍ଗ'l ଏହା ଚୀନା ମାନଙ୍କର ଏକ ମହାନ ଏବଂ ପବିତ୍ର ଗ୍ରନ୍ଥ l
ପାର୍ଥିବ ସମ୍ପଦର କୌଣସି ସ୍ଥାୟୀତ୍ୱ ନାହିଁ l ପୁଣି ପାର୍ଥିବ ସମ୍ପଦ ପଛେ ପଚ୍ଛେ,ପଦେ ପଦେ ବିପଦ ରହିଛି l କିନ୍ତୁ ଜ୍ଞାନ ରୂପକ ସମ୍ପଦ ପ୍ରତି ଏ ସବୁ ବିପଦ ନ ଥାଏ l ଏ ସମ୍ପଦର ଅଧିକାରୀର ମିତ୍ର, ପ୍ରଶଂସକଙ୍କ ସଂଖ୍ୟା ଅଗଣିତ l ବିଦ୍ୱାନ ପାଖରେ ସ୍ୱତଃ ସମସ୍ତେ ମଥାନତ କରିଥାନ୍ତି l ସେଦିନ ଚୀନର ସମ୍ରାଟ ଏହି କଥାଟିକୁ ହୃଦୟଙ୍ଗମ କରି ବିଜ୍ଞ ଓ ପ୍ରାଜ୍ଞ ଲାଓସିଙ୍କ ଠାରୁ ଏହି ଦିବ୍ୟଜ୍ଞାନକୁ ଶୁଳ୍କ ଆକାରରେ ଆଦାୟ କରିଥିଲେ l ଯଥାର୍ଥରେ କବିଶେଖର ଚିନ୍ତାମଣି ମହାନ୍ତି କହିଛନ୍ତି :-
ରଜତ କାଞ୍ଚନେ ସର୍ବେ ବୋଲନ୍ତି ଯେ ଧନ l
ପୁଣି ଧନ ଆଖ୍ୟା ଲଭେ ମାଣିକ୍ୟ ରତନ ll
ସର୍ବ ଧନ ଠାରୁ କିନ୍ତୁ ଆଦର ବିଦ୍ୟାର l
ବିଦ୍ୟାଧନ ମହାଧନ ତୁଲ୍ୟ ନାହିଁ ତାର ll
ଯେଉଁ ବିଦ୍ୱାନଗଣ ପରମାର୍ଥ ଜ୍ଞାନ ଅର୍ଥାତ ବ୍ରହ୍ମ ଜ୍ଞାନର ଅଧିକାରୀ ତାଙ୍କୁ ଧନର ଗର୍ବରେ କେବେ ହେଲେ ଅବମାନନା କର ନାହିଁ l ସେହି ମହାତ୍ମା ମାନେ ଧନକୁ ତୃଣବତ ତୁଚ୍ଛ ଜ୍ଞାନ କରନ୍ତି l ବିଦ୍ୟା ଏକ ଏପରି ଧନ ଯାହାକୁ ବିତରଣ କଲେ ତାର ବୃଦ୍ଧି ହୁଏ ଓ ସଞ୍ଚୟ କଲେ ଅର୍ଥାତ ଗୁପ୍ତ ଭାବେ ରଖିଲେ କ୍ଷୟ ହୁଏ l ଏଣୁ ବିଦ୍ୟା ଦାତ୍ରୀ ମାଆ ସରସ୍ବତୀଙ୍କ ଏକ ପ୍ରାର୍ଥନାରେ କୁହା ଯାଇଛି :-
ଅପୂର୍ବ କୋପି କୋଷୋୟଂ
ବିଦ୍ୟତେ ତଵ ଭାରତୀ l
ବ୍ୟୟତେ ବୃଦ୍ଧିମାୟାତି
କ୍ଷୟମାୟାତ ସଞ୍ଚୟାତ ll
ଅର୍ଥାତ ହେ ମାଆ ଭାରତୀ ! ତୁମର ଭଣ୍ଡାରରେ ଏପରି କେଉଁ ଅପୂର୍ବ ସମ୍ପତ୍ତି ଅଛି ଯାହାକୁ ବ୍ୟୟ କଲେ ବୃଦ୍ଧିଲାଭ କରେ ଏବଂ ସଞ୍ଚୟ ଦ୍ୱାରା କ୍ଷୟ ପ୍ରାପ୍ତ ହୁଏ l ଚାଣକ୍ୟ ନୀତି ଶ୍ଳୋକରେ ମଧ୍ୟ କୁହା ଯାଇଛି :-
କାମଧେନୁ ଗୁଣା ବିଦ୍ୟା
ହ୍ୟକାଳେ ଫଳ ଦାୟିନୀ l
ପ୍ରବାସେ ମାତୃ ସଦୃଶା
ବିଦ୍ୟା ଗୁପ୍ତମ୍ ଧନଂ ସୁତମ୍ ll
ଅର୍ଥାତ ବିଦ୍ୟା କାମଧେନୁ ସଦୃଶ l ଏହା ଅସମୟ ସମୟରେ ସୁଫଳ ପ୍ରଦାନ କରି ଥାଏ l ପ୍ରବାସରେ ଏହା ମାଆପରି ରକ୍ଷା କବଚ ହୋଇଥାଏ l ଏହାକୁ ଗୁପ୍ତଧନ ରୂପେ ବିବେଚନା କରିବା ବିଧେୟ l ସେ ପୁଣି କହିଛନ୍ତି :-
ନ ଚୌରହାର୍ଯ୍ୟମ୍ ନ ଚ ରାଜ ହାର୍ଯ୍ୟମ୍
ନ ଭ୍ରାତୃଭାଜ୍ୟମ୍ ନ ଚ ଭାରକାରି l
ବ୍ୟୟେ କୃତେ ବର୍ଦ୍ଧତ ଏବ ନିତ୍ୟଂ
ବିଦ୍ୟା ଧନଂ ସର୍ଵ ଧନ ପ୍ରଧାନମ୍ ll
ଯେଉଁ ଧନ ପ୍ରତି ରାଜା ଅଥବା ତସ୍କର ମାନଙ୍କ ପକ୍ଷରୁ କୌଣସି ଭୟ ନ ଥାଏ, ଭାଈ ଭାଗରେ ଭାଜ୍ୟ ନୁହେଁ, ବହନ କାରୀ ପାଇଁ ଭାର ନୁହେଁ, ଯାହା ବ୍ୟୟ ଦ୍ୱାରା ବର୍ଦ୍ଧିତ ହୁଏ, ସେହି ସର୍ବଧନ ପ୍ରଧାନ ବିଦ୍ୟାକୁ ଅର୍ଜନକର l ଅନ୍ୟ ସମସ୍ତ ଧନ କାଳକ୍ରମେ ନଷ୍ଟ ହୋଇ ଯିବ କିନ୍ତୁ ବିଦ୍ୟା ରୂପକ ମହାଧନ କାଳକାଳ ପାଇଁ ଗଛିତ ହୋଇରହିବ l
ଧନସ୍ୟ ଯସ୍ୟାସ୍ତି ନ ରାଜତୋ ବା ନ
ଚୋୖରତୋବାପି ଭୟଂ,
କଦାଚିତ ବିଦ୍ୟାଖ୍ୟାମନ୍ତର୍ଧନମର୍ଜୟେତ
ଦନ୍ୟଦ୍ଧନଂ ନଶ୍ୟନ୍ତି ସର୍ଵମ୍ ଏବ ll
ବିଦ୍ୟାର ମହାନତାକୁ ଲକ୍ଷ୍ୟ କରି ଭକ୍ତକବି ମଧୁସୂଦନ ରାଓ କହିଛନ୍ତି :-
ବିଦ୍ୟା ଅଟଇ ମହାଧନ l
ବାଳକେ କର ଉପାର୍ଜନ ll
ବିଦ୍ୟା ଅଟଇ ମହାରତ୍ନ l
ହୃଦୟେ ଘେନ କରି ଯତ୍ନ ll
ବିଦ୍ୟା ଅଟଇ ମହାମିତ୍ର l
ସେ ସଙ୍ଗେ ହୁଅ ହେ ପବିତ୍ର ll
🙏🙏🙏
ଅର୍ଜୁନୀ
----------------
ଅର୍ଜୁନୀ ଚରଣ ବେହେରା
ପୋଖରୀପୁଟ, ଭୁବନେଶ୍ୱର
ମୋ - 7693091971
