STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବେଦ ବିଦ୍ୱାନ ଐତରେୟ   

ବେଦ ବିଦ୍ୱାନ ଐତରେୟ   

3 mins
4

        ବେଦ ବିଦ୍ୱାନ ଐତରେୟ     
        ==============
ପ୍ରାଚୀନ କାଳର କଥା l ମାଣ୍ଡୁକ ନାମରେ ଜଣେ ୠଷି ପତ୍ନୀ ଇତରାଙ୍କ ସହ ଅରଣ୍ୟ ମଧ୍ୟରେ ଏକ ଆଶ୍ରମରେ ବାସକରୁଥିଲେ l  ସୁଖମୟ ଥିଲା ତାଙ୍କର ଦାମ୍ପତ୍ୟ ଜୀବନ l କିନ୍ତୁ ଗୋଟିଏ ଅଭାବ ତାଙ୍କୁ ସର୍ବଦା ଦୁଃଖୀ କରୁଥିଲା l ସେମାନେ ଥିଲେ ନିଃସନ୍ତାନ l ଏଣୁ ପୁତ୍ରପ୍ରାପ୍ତି ନିମନ୍ତେ ୠଷି ମାଣ୍ଡୁକ ଘୋର ତପସ୍ୟା କଲେ l କିଛିକାଳ ପରେ ତାଙ୍କର ପୁଅଟିଏ ଜନ୍ମ ହେଲା l ତାଙ୍କ ମାଆଙ୍କ ନାମ ଅନୁସାରେ ପୁତ୍ରର ନାମ ହେଲା ଐତରେୟ l କ୍ରମେ ଐତରେୟ ବଡ଼ ହେବାରୁ ପିତା ଚାହିଁଲେ ତାକୁ ଶିକ୍ଷା ଦେଇ ବଡ଼ ବିଦ୍ୱାନ୍ କରିବେ ବୋଲି l କିନ୍ତୁ ପିତାଙ୍କ ଆଶା ଆଶାରେ ହିଁ ରହିଗଲା l ପୁତ୍ର ଐତରେୟ ଦ୍ୱାରା କୌଣସି ବିଦ୍ୟା ହେଲା ନାହିଁ l ତାକୁ ଯେତେ ପାଠପଢ଼ାଇଲେ ମଧ୍ୟ ସେ କେବଳ ଗୋଟିଏ ଶବ୍ଦ ମାତ୍ର ଉଚ୍ଚାରଣ କଲା, ବାସୁଦେବ l ୠଷି ମାଣ୍ଡୁକ ଧରିନେଲେ ଯେ ଇଏ ନିଶ୍ଚୟ ଜଡ଼ l ଏହା ଦ୍ବାରା କୌଣସି ବିଦ୍ୟା ହେବ ନାହିଁ, ଏଣୁ ସେ ପୁତ୍ର ବିଦ୍ୱାନ ହେବା ଆଶା ଛାଡ଼ି ଦେଲେ l
ୠଷି ମାଣ୍ଡୁକ ପତ୍ନୀ ଇତରାଙ୍କ ଠାରୁ ଆଉ କୌଣସି ସନ୍ତାନ ଆଶା ନକରି ପୁଣି ଦ୍ଵିତୀୟ ଵିଵାହ କଲେ l ଦ୍ୱିତୀୟା ପତ୍ନୀଙ୍କ ଠାରୁ ତାଙ୍କର ବହୁ ସନ୍ତାନ ଜନ୍ମ ହେଲେ l ପୁତ୍ର ମାନେ ବଡ଼ ହୋଇ ବେଦ ଅଧ୍ୟୟନ କଲେ l କର୍ମ କାଣ୍ଡରେ ବ୍ୟୁତ୍ପତ୍ତି ଲାଭ କଲେ ତଥା ସମସ୍ତ ଶାସ୍ତ୍ରରେ ପାରଙ୍ଗମ ହେଲେ l ଏଣୁ ଧୀରେ ଧୀରେ ପତ୍ନୀ ଇତରା ଓ ପୁତ୍ର ଐତରେୟ ପିତାଙ୍କ ଦ୍ୱାରା ଅବହେଳିତ ଓ ଉପେକ୍ଷିତ ହେଲେ l ଏସବୁ ଦେଖି ଦିନେ ମାଆ ଓ ପୁଅ ଆଶ୍ରମ ଛାଡ଼ି ବାହାରି ଯାଇ ଏକ ବିଷ୍ଣୁ ମନ୍ଦିରରେ ଆଶ୍ରୟ ନେଲେ l ସେହି ମନ୍ଦିରରେ ପୁଅ ଐତରେୟ ଦିନସାରା ବିଷ୍ଣୁ ପ୍ରତିମାଙ୍କ ଆଗରେ ବସି ରହି କେବଳ ବାସୁଦେବ ବାସୁଦେବ ଜପ କରୁଥାଏ l ପୁଅର ଏପରି ଅବସ୍ଥା ଦେଖି ଦେଖି ଦିନେ ମାଆ ଇତରା କହିଲେ, ପୁଅ ! ତୁ ଖାଲି ବାସୁଦେବ ବାସୁଦେବ ଜପ କରୁଛୁ l ତୋ ଦ୍ୱାରା କୌଣସି ପାଠ ହେଲାନାହିଁ l ତୋରି ପାଇଁ ଆଜି ଆମେ ସମାଜରେ ଅବହେଳିତ, ଏପରି ବଞ୍ଚି ରହି, ଲାଭ କଅଣ l ତାଙ୍କ କଥା ଶୁଣି ଐତରେୟ ପ୍ରଥମ ଥର ପାଇଁ କଥା କହିଲା l ସେ କହିଲା, ମାଆ ! ଏ ଅସାର ସଂସାରରେ ତୁମ ଆସକ୍ତି ଯୋଗୁଁ ହିଁ ତୁମେ ଏପରି କହୁଛ l ଭଗବାନଙ୍କ ନାମ ହିଁ ଅସାର ସଂସାରରେ ସାର l ତୁମେ ଯାହା କହୁଛ ଏ ସବୁ ମାୟା l ତଥାପି ତୁମେ ଦେଖିବ, ମୁଁ ନିଶ୍ଚୟ ଦିନେ ତୁମ ଅଭିଳାଷ ପୂର୍ଣ୍ଣ କରିବି l ତୁମକୁ ମୁଁ ଏପରି ଏକ ପଦରେ ପହଞ୍ଚାଇ ଦେବି ଯେଉଁଠି ଶତ ସହସ୍ର ଯଜ୍ଞ କରି ମଧ୍ୟ କେହି ପହଞ୍ଚି ପାରନ୍ତି ନାହିଁ l ତୁମେ ଆଉ ଦୁଃଖୀ ହୁଅ ନାହିଁ l ପୁଅଠାରୁ ଏପରି ଦୃଢ଼ ବାକ୍ୟ ଶୁଣି ମାଆ ଇତରା ଖୁବ୍ ଖୁସି ହୋଇ ଗଲେ l ତାଙ୍କ ଚକ୍ଷୁରୁ ଦୁଇବୁନ୍ଦା ଆନନ୍ଦାଶ୍ରୁ ନିଗିଡ଼ି ପଡ଼ିଲା l ଏହି ସମୟରେ ଏକ ବଡ ଚମତ୍କାର ଘଟିଲା, ଭଗବାନ ସେହି ବିଷ୍ଣୁ ପ୍ରତିମା ଭିତରୁ ପ୍ରକଟ ହୋଇ ଗଲେ l ଇତରା, ଭଗବାନଙ୍କ ଦର୍ଶନରେ ଖୁବ୍ ଭାବ ବିହ୍ବଳ ହୋଇ ପଡ଼ିଲେ l ସେ ନିଜର ଜନ୍ମ ସଫଳ ହେଲା ବୋଲି, ଭାବିଲେ l ଐତରେୟ ମଧ୍ୟ ଭଗବାନଙ୍କ ଦର୍ଶନ ଲାଭକରି ଅତ୍ୟନ୍ତ ରୋମାଞ୍ଚିତ ହୋଇ ପଡ଼ି ଭଗବାନଙ୍କୁ ସ୍ତୁତି କରିବାକୁ ଲାଗିଲେ l ଭଗବାନ ତାଙ୍କୁ ଆଶୀର୍ବାଦ କରି କହିଲେ, ତୁମେ ବର୍ତ୍ତମାନ ସମସ୍ତ ବୈଦିକ ଧର୍ମ ଆଚରଣ କର l ମୋ ଠାରେ ସମର୍ପଣ କରି, ତୁମେ ସମସ୍ତ କର୍ମକୁ ନିଷ୍ଠାର ସହ କର l ତୁମେ ବିବାହକରି ମା'ଙ୍କ ଇଚ୍ଛା ପୂର୍ଣ୍ଣ କର l ଯଜ୍ଞ ଦ୍ଵାରା, ଭଗବାନଙ୍କ ଆରାଧନା କର l ତୁମେ ବେଦ ଅଧ୍ୟୟନ କରି ନଥିଲେ ହେଁ ମୋ ଆଶିଷରୁ ତୁମ ହୃଦୟରେ ସବୁ ବେଦ ଜ୍ଞାନର ସ୍ଫୁରଣ ହେବ l ଏବେ ତୁମେ ଅବିଳମ୍ବେ କୋଟିତୀର୍ଥ ଯାତ୍ରାକର l ସେଠାରେ ହରିମେଧା ଋଷି ଯଜ୍ଞକରୁଛନ୍ତି l  ସେଠାରେ ତୁମେ ପହଁଚିଲେ ତୁମର ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇଯିବ l ଭଗବାନଙ୍କ ନିର୍ଦ୍ଧେଶ ଅନୁସାରେ ମାତାଙ୍କୁ ସଙ୍ଗରେ ଧରି ଯାଇ ହରିମେଧାଙ୍କ ଯଜ୍ଞ ସ୍ଥଳରେ ପହଞ୍ଚିଲେ ଐତରେୟ l ସେଠାରେ ପହଞ୍ଚିବା ମାତ୍ରେ, ତାଙ୍କ କଣ୍ଠରୁ ଅନର୍ଗଳ ବେଦଧ୍ଵନୀ ଅନୁରଣିତ ହେବାକୁ ଲାଗିଲା l ଏହା ଶୁଣି ସେଠାରେ ଉପସ୍ଥିତ ସମସ୍ତ ବିଦ୍ୱାନ ଅତୀବ ଚମତ୍କୃତ ହୋଇଗଲେ l ସେତିକି ନୁହେଁ l ଐତରେୟ ସେଠାରେ ବେଦର କେଇଟି ସୂକ୍ତ ଶୁଣାଇଲେ, ଯାହା ଆଗରୁ କେହି କେବେ ଶୁଣି ନଥିଲେ l ମହର୍ଷି ହରିମେଧା ଐତରେୟଙ୍କ ବିଦ୍ବତ୍ତାରେ ଅତ୍ୟନ୍ତ ପ୍ରୀତ ହୋଇ ତାଙ୍କ ପୁତ୍ରୀଙ୍କୁ ତାଙ୍କ ସହ ଵିଵାହ ଦେଲେ l ବେଦ ପାଠ ନକରି ମଧ୍ୟ ଭଗବାନଙ୍କ ଆଶିଷରୁ ଐତରେୟ, ମହାନ୍ ବେଦ ବିଦ୍ଵାନରେ ପରିଣତ ହେଲେ l ତାଙ୍କ ନାମ ଅନୁସାରେ, ବେଦର ଏକ ଅଂଶ ଐତରେୟ ବ୍ରାହ୍ମଣ ବୋଲି ନାମିତ l
                🙏🙏🙏
                   ଅର୍ଜୁନୀ
                 -------------
ଅର୍ଜ୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Rate this content
Log in

Similar oriya story from Inspirational