Rabindra Mishra

Children Stories

4  

Rabindra Mishra

Children Stories

ନିଃସ୍ୱାର୍ଥ ପ୍ରତିଦାନ

ନିଃସ୍ୱାର୍ଥ ପ୍ରତିଦାନ

9 mins
391


ଏମିତି ଦୀର୍ଘ ଦିନର ବ୍ୟବଧାନ ପରେ ପରିବାର ସହ ଘରକୁ ଫେରିଥାଏ । ଏଣୁ ଘରେ ପହଞ୍ଚିବା ପରେ ସମସ୍ତଙ୍କ ଆଖିରେ ଆନନ୍ଦର ଚିକ-ଚିକ ଭାବ । ବିଶେଷ କରି “ବୋଉ” ମୋର ବେଶ ଖୁସି ଆଉ ଚଳ-କଞ୍ଚଳ ହେଇ ଉଠିଥାଏ । ଏଇଥିପାଇଁ ଯେ ବଡ ଓ ସାନ ତା ପହଞ୍ଚ ଦୂରତ୍ଵ ପରିଧି ଭିତରେ ରହୁଛନ୍ତି । ଘରେ ସାନଭାଇ, ସାନବୋହୁ ଓ ତାର ଏକମାତ୍ର ଝିଅ ସହ “ବୋଉ”କୁ ନେଇ ଚାରିଜଣିଆ ଏକ ହସ-ଖୁସିର ସଂସାର । ଆଉ ଘର ଠାରୁ ସାତ କିଲୋମିଟର ଦୂର ସହରର ଅନ୍ୟ ଏକ ସମ୍ରାନ୍ତ କଲୋନୀରେ ବଡଭାଇ ଘରକରି ପୁଅ-ବୋହୁ-ନାତୁଣୀ ସହ ପାଞ୍ଚ ଜଣିଆ ସଂସାରର ନୀଡ ତୋଳି ରହୁଛନ୍ତି । ସାନ ପୁତୁରା ବାହାରେ ଚାକିରି କରୁଥିଲେ ମଧ୍ୟ ଘରକୁ ପ୍ରତି ଛଅ ମାସରେ ଆସିବା ପକ୍କା । ଭଉଣୀମାନେ ମଧ୍ୟ ଯେ-ଯାହା ଘର ପରିବାର ନେଇ ଜମି ଯାଇଛନ୍ତି ଓ ଘର ଓ ବୋଉ ସହ ନିୟମିତ ଯୋଗାଯୋଗରେ ରହିଥାନ୍ତି । କେବଳ ମୁଁ, ଅର୍ଥାତ ମଝିଆଁ ‘ନୁହେଁ କାହାର’ ନ୍ୟାୟରେ ଘରଠାରୁ ପ୍ରାୟ ସାଢେ-ପାଞ୍ଚଶହ କିଲୋମିଟର ଦୂର ‘ନୂଆପଡା’ ପରି ଏକ ଛୋଟ କିନ୍ତୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସହରରେ ରହୁଥାଉ । ଏଣୁ ଇଚ୍ଛା ଥିଲେ ମଧ୍ୟ ବୃତ୍ତିଗତ ଓ ପାରିବାରିକ ଚାପ ହେତୁ ନିୟମିତ ଘରକୁ ଯାଇ ପାରୁନା । ତିନି କି ଚାରି ବର୍ଷରେ କୌଣସି ଉପାୟରେ ଥରେ ଅବଶ୍ୟ ନିଶ୍ଚିତ ଘରକୁ ଆସୁ । ଆଉ ସେଇ ବ୍ୟବଧାନ ହେତୁ ହେଉ ବା ଆମର ଦୀର୍ଘ ଅନୁପସ୍ଥିତି, ଘରେ ପହଞ୍ଚିଲା ମାନେ ଏକ ସ୍ଵତନ୍ତ୍ର ଊତ୍ସାହ ଓ ସ୍ନେହ-ଆଦର ମିଳେ । ଆଉ ସବୁଠାରୁ ଯଦି ବେଶୀ କିଏ ଆନନ୍ଦିତ ହୁଅନ୍ତି, ସେମାନେ ହେଉଛନ୍ତି ମୋର ବାଳ-କିଶୋର ବୟସର ଝିଆରୀ-ଭଣଜା-ଭାଣିଞ୍ଜୀ, ବଡପୁତୁରାର ଝିଅ ଓ ଆମ ସାଇରେ ରହୁଥିବା ସେମାନଙ୍କ ବଯସର ପିଲାମାନେ । କାକା-ମାମୁ-ମଉସା-ବଡବାବା କଳରବରେ ମୋତେ ସମ୍ପୂର୍ଣ ଘେରି ଯାଆନ୍ତି । ଏଣୁ ମୁଁ ଅନୁଭବ କରେ ବୋଉ ମନେ ମନେ ସାମାନ୍ୟ କ୍ଷୁବ୍ଧ ହେଲେ ମଧ୍ୟ କିଛି କହି ପାରେନି । ପୁଅସାଙ୍ଗେ ବସି ଘଣ୍ଟେ ମନଖୋଲି ଘର ଭଲ-ମନ୍ଦ କଥା ହବାକୁ ଇଚ୍ଛାଥିଲେ ମଧ୍ୟ ମିଠାରେ ପିମ୍ପୁଡି ଲାଗିଲା ପରି ପିଲାମାନଙ୍କୁ ମୋର ଗୋଡଠୁ ମୁଣ୍ଡ ଯାଏ ଏମିତି ଚିପକି ରହିବା ଦେଖି ହସିଦିଏ କାରଣ- ସେଇ କେତେଦିନ ପିଲାମାନଙ୍କ ଅଳି-ଅର୍ଦ୍ଦଳୀ, ଦୁଷ୍ଟାମି, ଓ ବଦମାସି ସବୁ ମୋ ସହ ଫେବିକଲ ଅଠା ପରି ଲାଗି ରହେ । ଅତଏବ ସେମାନେ ଶାଶୁ-ବୋହୁ-ଝିଅ ବେଶ ଆରମରେ ବସି କଥାବାର୍ତ୍ତା ହେବା ସହ ରୋଷେଇ ଓ ଘରକାମ ବେଶ ଫୁରସତରେ କରି ପାରନ୍ତି । ତେବେ ପ୍ରଶ୍ନ ହେଉଛି- ପିଲାମାନେ ଏମିତି ମୋ ସହ ଲଟକି ରୁହନ୍ତି କାହିଁକି? ସାଧାରଣ ଉତ୍ତର-“ଗପ” । 

              ନୂଆପଡା ଓ ଏହାର ସୀମାକୁ ଲାଗିରହିଥିବା ‘ଛତିଶଗଡ ରାଜ୍ୟ’ର ସେଇ ଅଞ୍ଚଳସବୁ ଘନ-ବନାନୀ, ବିଭିନ୍ନ ପ୍ରକାର ଜଙ୍ଗଲି ଫୁଲ-ଫଳ, ଜୀବଜନ୍ତୁ ଓ ଜଙ୍ଗଲଜାତ ଦ୍ରବ୍ୟରେ ସମୃଦ୍ଧ । ଦେଖିଲେ ଲାଗିବ ପ୍ରକୃତି ସତେ ଅବା ତାର ସବୁ ସୁନ୍ଦରତା ଓ ସମ୍ପଦ ମନ ଖୋଲି ଅଜାଡି ଦେଇଛି । ଏହାଛଡା ଅନ୍ୟ ରାଜ୍ୟ ଓ ଅଞ୍ଚଳ ତୁଳନାରେ ମଣିଷ ଓ ପ୍ରକୃତି ତଥା ପଶୁପକ୍ଷୀଙ୍କ ସହବାସ୍ଥାନ ତୁଳନାତ୍ମକ ଭାବରେ ଭଲ । ପୁନଶ୍ଚ ଛୋଟ ହେଉ ବା ବଡ, ପ୍ରକୃତି-ମଣିଷ ଓ ଜଙ୍ଗଲକୁ ନେଇ କିଛି ନା କିଛି ଖବର ସମ୍ବାଦପତ୍ର ପୃଷ୍ଠା ମଣ୍ଡନ କରିଥାଏ । ଏଣେ ମୁଁ ନିଜେ ଜଣେ ‘ସମାଜ ବିଜ୍ଞାନ ଅଧ୍ୟାପକ’ ଭାବରେ ଏ ଅଞ୍ଚଳ ସବୁକୁ ପ୍ରତ୍ୟକ୍ଷ ଭାବରେ ବୁଲବା ସହ ଅନେକ ତଥ୍ୟ ଓ ଘଟଣା ସଂଗ୍ରହ କରିଥାଏ । ଏଣୁ ଛୁଟିରେ ଘରେ ପହଞ୍ଚିଲା ମାନେ ପିଲାମାନଙ୍କର ସେଇ ଗୋଟିଏ ଜିଦ-“ଆମେ ଜଙ୍ଗଲ କାହାଣୀ ଶୁଣିବୁ, ଆଉ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଁ ସେ ଜଙ୍ଗଲ ସମ୍ପର୍କିତ କାହାଣୀ କହେ।“ ଏଥର ମଧ୍ୟ ପିଲାମାନଙ୍କର ଆଗ୍ରହ ହେତୁ ସେଇ ଜଙ୍ଗଲ କାହାଣୀ କହିବା ଆରମ୍ଭ କଲି । ଆଉ ସେମାନେ ଏକଦମ ଶାନ୍ତ ଓ ତନ୍ମୟ ହୋଇ ମୋ କାହାଣୀ ଶୁଣୁଥାନ୍ତି । 

=୨=

ନୂଆପଡା ଜିଲ୍ଲା ପଶ୍ଚିମରେ ଓଡିଶା ରାଇଜର ଶେଷ ଓଡିଆ ଭୂଖଣ୍ଡ ଯାହା ଛତିଶଗଡ ରାଇଜ ସହ କାନ୍ଧକୂ କାନ୍ଧ ମିଳାଇ ସ-ଗର୍ବେ ଠିଆ ହେଇଛି । ଏହି ଜିଲ୍ଲାରେ ମୋଟ ପାଞ୍ଚୋଟି ପଞ୍ଚାଯତ ସମିତି(block) । ଜୈବ ବିବିଧତାରେ ଭରପୁର “ସୁନାବେଡା ବନ୍ୟ ଜୀବନ ଓ ଅଭୟାରଣ୍ୟ” ଏହି ଜିଲ୍ଲାରେ ରହିଛି । ସମୁଦ୍ର ପତ୍ତନ ଠାରୁ ପାଖାପାଖି ୨୮୮୮ ଫୁଟ ଉଚ୍ଚରେ ଓ ହାରାହାରି ୬୦୦ବର୍ଗ କି.ମି.ପରିମିତ ଅଞ୍ଚଳରେ ଏହା ନୂଆପଡାର ପାଞ୍ଚୋଟି ବ୍ଲକ ଅଞ୍ଚଳ ଛୁଇଁବା ସହ ଛତିଶଗଡ ରାଜ୍ୟର ନୂଆପଡା ସୀମାନ୍ତ ଜିଲ୍ଲା ଗରିଆବନ୍ଧ, ଜଗଦଲପୁର, ଓ ମହାସମୁଦ୍ର ଜିଲ୍ଲାର କିଛି ଅଞ୍ଚଳସବୁକୁ ନେଇ ପରିବ୍ୟାପ୍ତ । ବଡବଡ ଶାଳ, କୁସୁମ, ମହୁଲ, ଅଶୋକ, ଅଶନ, ଗମ୍ଭାରୀ ଓ ଶିଶୁଗଛ, ସୁନାବେଡା ପାହାଡ , ପଶୁ-ପକ୍ଷୀ ଓ ସରୀସୃପଙ୍କୁ ନେଇ ସମୃଦ୍ଧ ଏଇ ଅଞ୍ଚଳର ମୁଖ୍ୟ ଭାଗ ଓ ଭୂଖଣ୍ଡ ‘କୋମନା ବ୍ଲକ’ରେ ରହିଛି । ଜାଣିଛ ପିଲାମାନେ- ଏଇ ସୁନାବେଡା ଜଙ୍ଗଲ ଓ ପାହାଡ ଭିତରେ ପାଖା ପାଖି 11ଟି ଛୋଟ-ବଡ ଜଳ-ପ୍ରପାତ ରହିଛି, ତା ମଧ୍ୟରୁ “ଖରେଲ-ଧଁସ”, ‘ବେନିଆ- ଧଁସ ‘ ଓ “ଗୋ- ଧଁସ” ପ୍ରସିଦ୍ଧ । ପୁଣି “ଇନ୍ଦ୍ର” ଓ “ଯୋଙ୍କ” ନଦୀ ଏଇ ପହଡରୁ ବାହାରି ତଳକୁ ବହି ଯାଇଛି । ଏଣୁ ଏହା ବାଘ-ଭାଲୁ-ହାତୀ-ଜଙ୍ଗଲି ଗାଈ- ବରାହ-ଶିଂଘାଳ-ହରିଣ-ଠେକୁଆ-ଝିଙ୍କ ଓ ନାନପ୍ରକାର ମାଙ୍କଡ ଓ ମୂଷାଙ୍କ ଚରାଭୁଇଁ । ପୁଣି ଭିନ୍ନ ପ୍ରକାର ସାପ , ଗୋଧି ଓ ପକ୍ଷୀଙ୍କ ମଧ୍ୟ ଘର । ମୋଟ ଉପରେ ଏସମସ୍ତେ ମିଶି ସୁନାବେଡାକୁ ଅତି ମନୋରମ ଓ ଆକର୍ଷଣୀୟ କରିଛନ୍ତି । 

           ଏହି ସୁନାବେଡାର “ସୋସେଙ୍ଗ”ଗାଁରେ ରହୁଥାଏ “ଅର୍ଜୁନ ପହରିଆ”ବୋଲି ସତର-ଅଠର ବର୍ଷର ଯୁବକ । ସାବନ ଚେହେରା ସାଙ୍ଗକୁ ବଳିଲା ବଳିଲା ହାତଗୋଡ । ମୁଣ୍ଡରେ କୁଞ୍ଚ ଛୁଟି ସାଙ୍ଗକୁ ଅଣ୍ଟାରେ ଟାଙ୍ଗୀ ଓ କାନ୍ଧରେ ଧନୁ ସାକ୍ଷାତ ଅର୍ଜୁନଙ୍କ ଭ୍ରମ ସୃଷ୍ଟିକରୁଥାଏ । ନିହାତି ସାହସୀ ଓ ପରିଶ୍ରମୀ । ଜଙ୍ଗଲରୁ କାଠ-କନ୍ଦା-ପତ୍ର ଆଉ ଜଙ୍ଗଲି ଫଳ ଗୋଟେଇ ନିଜ ଗୁଜୁରାଣ ଖୁସିରେ ମେଣ୍ଟେଇବା ସହ ବଳକାକୁ ବିକି ଦି-ପଇସା ରୋଜଗାର କରେ । ଧନୁ ଓ ଟାଙ୍ଗୀ ଚଳେଇବାରେ ଓସ୍ତାଦ । ହେଲେ କେବେବି ପଶୁ କି ପକ୍ଷୀ ଶିକାର କରେନି । ପଚାରିଲେ ଉତ୍ତର ଦିଏ-“ ଆମର ଯେମିତି ଜୀବନ, ତାଙ୍କର ବି ସେମିତି । ଆମକୁ ଆଘାତ ଲାଗିଲେ ଯେମିତି କଷ୍ଟ ହୁଏ, ତାଙ୍କୁ ବି ହୁଏ । ତାପରେ ସେମାନେ ତ କାହାର କିଛି କ୍ଷତି କରୁନାହାନ୍ତି । ବରଂ, ଆମେ ମଣିଷ ଆମ ସ୍ଵାର୍ଥ ପାଇଁ ଜଙ୍ଗଲ ଉଜାଡି, ପଶୁ-ପକ୍ଷୀ ମାରି ନାନଥାନ କରିଦେଉଛେ । ଫଳରେ ତାଙ୍କ ଖାଦ୍ୟ ଓ ବାସ-ସ୍ଥାନ ଆମେ ମାଡି ବସିଲାରୁ ବାଧ୍ୟ ହେଇ ସେମାନେ ଜନବସତି ମୁହାଁ ହୁଅନ୍ତି, ଅନ୍ୟଥା ନୁହେଁ । ଏଇ ବିଚାର ପାଇଁ ଅର୍ଜୁନକୁ ତାଙ୍କ ଅଞ୍ଚଳରେ କିଛି ତାକୁ ପଶୁ-ପକ୍ଷୀଙ୍କ ଦୋସ୍ତ ଡାକନ୍ତି ତ ଆଉ କିଛି ପଛ ଆଡେ ଥଟା କରନ୍ତି । ହେଲେ ସେସବୁ ପ୍ରତି ତାର ନିଘା ନଥାଏ । 

             ଏମିତି ଦିନେ ଖରାଦିନିଆ ସକାଳୁ-ସକାଳୁ ଅର୍ଜୁନ ତା ଟାଙ୍ଗୀ-ଶର ନେଇ ଜଙ୍ଗଲ ଭିତରକୁ କାଠ ଗୋଟେଇବାକୁ ଯାଇଥାଏ । ସକାଳ କଅଁଳିଆ ପବନ ସାଙ୍ଗକୁ ଭିନ୍ନ ଭିନ୍ନ ପକ୍ଷୀଙ୍କ ରାବରେ ଏକ ଅପୂର୍ବ-ମନ ମତାଣିଆ ସଙ୍ଗୀତ ସୃଷ୍ଟି ହେଉଥାଏ । ଜଙ୍ଗଲର ଏ ଶୋଭା ସତେ ଦେହ-ମନରେ ଏକ ଅପୂର୍ବ ଶିହରଣ ଓ ଫୁର୍ତ୍ତି ଭାରି ଦେଉଥାଏ । ଅର୍ଜୁନ ସେଇ ଶୋଭା ଓ ସଂଗୀତରେ ବିଭୋର କାଠ-କନ୍ଦା ଓ କୋଳି ଗୋଟେଇବାରେ ମଜ୍ଜି ଯାଇଥାଏ । ଏମିତି ଗୋଟାଉ ଗୋଟାଉ ସେ ଯେ ଟିକେ ଗଭୀର ଜଙ୍ଗଲକୁ ପଶି ଗଲାଣି ସେଆଡେ ତାର ନିଘା ନଥାଏ । ଏମିତି ବେଳେ ସେ ଲକ୍ଷ୍ୟ କଲା ମାଙ୍କଡ ମାନେ ଖିଙ୍କାରି ଖିଙ୍କାରି ଲାଞ୍ଜ ଟେକି ଗଛ ଉପରକୁ ଚଢି ଯାଉଛନ୍ତି । ହରିଣ-ଠେକୁଆ ମାନେ କାନ ଟେକି ଏକମୁହାଁ ଦଉଡୁଛନ୍ତି । କାଉମାନେ ମୁଣ୍ଡ ଉପରେ ଚକ୍ରି କାଟି ରାବ ଛାଡୁଛନ୍ତି । ଅର୍ଜୁନ ଠିକ ଠଊରେଇନେଲା କୌଣସି କାରଣରୁ ଏମାନେ ଭୟଭୀତ ହେଇ ଏମିତି କରୁଛନ୍ତି । ବିଶେଷ କରି ବାଘ ଦେଖିଲେ ସେମାନେ ଏପରି ବ୍ୟବହାର କରନ୍ତି । କ୍ଷଣକ ପାଇଁ ତା ଦେହରେ ଭୟ ଓ ଚମକର ବିଜୁଳି ଦଉଡିଗଲା । ହେଲେ ପରକ୍ଷଣରେ ନିଜକୁ ସମ୍ଭାଳି ନେଲା । ଭାବିଲା ଡରିବ କାହାକୁ? ଯିଏ ଆସୁ ସାମ୍ନା କରିବ , ତେଣିକି ଯାହା ହେବ । 

          ଅର୍ଜୁନ କାନପାରି ଶୁଣିବାକୁ ଚେଷ୍ଟାକଲା । ହଁ, ସେ ଠିକ ଶୁଣିଛି, ବାଘର ଚାପା ଗର୍ଜନ ସାଙ୍ଗକୁ ଭୟଙ୍କର ‘ହିସ-ହିସ’ ଶବ୍ଦ । ଶବ୍ଦକୁ କାନେଇ-କାନେଇ ପ୍ରାୟ ଜଙ୍ଗଲ ଭିତରକୁ ଅଧା କିଲୋମିଟର ଗଲାପରେ ଯାହା ଦେଖିଲା, ସେଥିରେ କାନ ତାର ଠିଆ ଠିଆ ହେଇଗଲା । ଲୋମ ଟାଙ୍କୁରି ଉଠିଲା । ପ୍ରାୟ ଆଠ-ନଅ ଫୁଟର ଏକ ଲମ୍ବା ଅଜଗର ସାପ ଗୋଟେ କଲରାପତରିଆ ବାଘକୁ , ଯିଏ କି ପାଖାପାଖି ତିନି-ଚାରି ଫୁଟ ଲମ୍ବ ହେବ, ପଛ ଗୋଡଠୁ ଅଣ୍ଟା ଯାଏଁ ଗୁଡେଇ ଧରି ମୁଣ୍ଡ ଆଡୁ ଗିଳିବାକୁ ଚେଷ୍ଟା କରୁଛି । ଆଉ ବାଘ, ସାପଠାରୁ ନିଜକୁ ବଞ୍ଚେଇବା ପାଇଁ ଆଗ ଗୋଡ ଓ ନଖରେ ସାପ ମୁଣ୍ଡ ଓ ତଳପାଖକୁ ପଞ୍ଝା ମାରି ଅଟକେଇବାକୁ ଚେଷ୍ଟା କରୁଛି । ବାଘର ଆଘାତରେ ସାପ ଖଣ୍ଡିଆ-ଖାବରା ହେଇ ଭଯଙ୍କର ହିସ-ହିସ ଶବ୍ଦ କରୁଛି । ଅର୍ଜୁନ ଲକ୍ଷ୍ୟ କଲା, ସାପର ପେଷଣରେ ବାଘ ଧୀରେ ଧୀରେ ନିସ୍ତେଜ ହବାକୁ ଲାଗିଲାଣି । କିଛି ନକଲେ ଆଉ ଅଳ୍ପ ସମୟ ପରେ ସାପ ତାକୁ ଗିଳିଦେବ । ଅର୍ଜୁନ ଦେଖିଲା, ଏ ପରିସ୍ଥିତିରେ ତାକୁ କିଛି କରିବାକୁ ପଡିବ, ବାଘକୁ ବଞ୍ଚେଇବାକୁ ପଡିବ । ଆଉ ଡେରି ନକରି ସେ ତୁରନ୍ତ ଟାଙ୍ଗୀ ବାହାର କରି ପାଖ ଅଶନ ଗଛରୁ ଲାମ୍ବା କିନ୍ତୁ ଶକ୍ତ ଏକ ସାରୁ ଡାଳ କାଟି ଆଣିଲା । ସେଇ ଡାଳର ଗୋଟେ କଡକୁ ଟାଙ୍ଗୀରେ ଚାଞ୍ଛି- ଚାଞ୍ଛି ଶାବଳ ଭଳି ଗୋଜେଇ ଦେଲା । ଏଥର ସେଇ ଲାମ୍ବା ବାଡି ଧରି ଗୋଜିଆ କରିଥିବା କଡରେ ସାପର ଲାଞ୍ଜକୁ କେଞ୍ଚିବାକୁ ଲାଗିଲା । ଏଣେ ମୁହଁ ତଳକୁ ବାଘର ନଖ ଓ ପଞ୍ଚା ମାଡ, ତେଣେ ଲାଞ୍ଜ ଉପରେ ଭୀଷଣ କେଞ୍ଚା, କ୍ରୋଧିତ ସାପ ବାଘକୁ କୌଣସି ଉପାୟରେ ଭୁଇଁରେ ପିଟିଦେବାକୁ ଚେଷ୍ଟା କରୁଥାଏ । କିନ୍ତୁ ସଫଳ ହେଇପାରୁ ନଥାଏ । ପଶୁ-ପକ୍ଷୀଙ୍କୁ ଖୁବ ନିକଟରୁ ଦେଖିଥିବା ଅର୍ଜୁନ ସାପର ଏ ଚାଲକୁ ଠଉରେଇ ନେଲା । ଏଣୁ ବାଘକୁ ତଳେ କଚାଡିବା ପୂର୍ବରୁ ଅର୍ଜୁନ ତା ସେଇ ବାଡିରେ ସାପ ବେକତଳକୁ ପହରେ କଷିଦେଲା । ସାପକୁ ଆଉ ସମ୍ଭାଳେ କିଏ! ଅତି ଭୟଙ୍କର ଭାବରେ ରାଗି ଯାଇ ବାଘକୁ ଛାଡି ଅର୍ଜୁନ ଆଡକୁ ଝପଟି ଆସିଲା । ଅର୍ଜୁନ ଏମିତି ହେବ ବୋଲି ଜାଣିଥାଏ । ଏଣୁ ଯେମିତି ସାପ ବାଘକୁ ଢିଲା କରିଛି, ବାଘ ଗୋଟେ ପଞ୍ଚା ମାଡ କରି ଜଙ୍ଗଲ ଭିତରକୁ ଝପଟି ଗଲା । ଆଉ ଅର୍ଜୁନ, ଲାମ୍ବା ବାଡିରେ ଆଉ ପହରେ ତା ଅଣ୍ଟାକୁ ମାରି ଖୁବ ଜୋରରେ ଦୌଡିବାକୁ ଲାଗିଲା । ଆହତ ସାପ ବେକ-ଅଣ୍ଟା-ଲାଞ୍ଜରେ ମାଡ ଖାଇ ଅର୍ଜୁନକୁ ଧରି ପାରିଲା ନାହିଁ । ଅର୍ଜୁନ ସାପ ହାବୁଡରୁ ସାହି-ସଲାମତ ଫେରି ଆସିବା ସହ ବାଘକୁ ବଞ୍ଚେଇବାରେ ସହଯୋଗ କରିପାରିଥିବାରୁ ମନେ ମନେ ଖୁସି ହେଉଥାଏ । 

= ୩ =

 ଏ ଘଟଣା ଘଟି ଯିବାର ବର୍ଷେ କି ଦୁଇ ବର୍ଷ ବିତିଯିବଣି । ଅର୍ଜୁନ ବି ସେ କଥାକୁ ଧୀରେ ଧୀରେ ଭୁଲି ଗଲାଣି । ତେବେ ଏମିତି ଦିନେ ସକାଳୁ ସକାଳୁ ଜୋରରେ ବର୍ଷା ହେଉଥାଏ ଯେ ଛାଡିବାର ନାମ ନେଉନଥାଏ । ଘରେ ଏଣେ କାଠ-ପତର କି କନ୍ଦା କିଛି ବି ନଥାଏ । ଖାଇବ କଣ? ବିକିବ ବା କଣ ? ମାନେ ମାନେ ଭାବିଲା,- ଯାଏ , ଜଙ୍ଗଲ ଭିତରୁ ଖରେଲଧନସ କୂଳରୁ ମିଠାକନ୍ଦା ଆଉ ପାଣି- ଶିଙ୍ଗିଡା ସଂଗ୍ରହ କରିଆଣିଲେ ଆରମରେ ଦୁଇ-ତିନି ଦିନ ଚାଲିଯିବ । ବର୍ଷା ଛାଡିଲେ ପୁଣି କାଠ-ପାଟରା ଗୋଟେଇ ବିକି ଦି-ପଇସା ରୋଜଗାର କରିବ । ଏମିତି ଭାବି ସେଇ ବର୍ଷାରେ ଖରେଲଧନସ ଆଡକୁ ମୁହାଁଇଲା । ବାଟରେ ଯିଏ ଦେଖାହେଲେ, ଏମିତି ବର୍ଷାରେ ସେକଡକୁ ଯିବାକୁ ବାରଣ କାଲେ । ଏକେ ତ ସନ୍ତସନ୍ତିଆ ଭୁଇଁ , ପୁଣି ସେଥିରେ ତିନି-ଚାରିଦିନ ହେଲେ ସକାଳୁ ସକାଳୁ ବାଘ ଗର୍ଜନ ଶୁଭୁଚି । ବାଘ ଗଡିଛି ବୋଧେ । ହେଲେ ଅର୍ଜୁନ କାହା କଥା ଶୁଣିବା ଅବସ୍ଥାରେ ନଥାଏ । କିଛି ନଆଣିଲେ ସେ ଖାଇବ କଣ । ବାସ୍, ଏକମୁହାଁ ଖରେଲଧନସ ଆଡକୁ ଚାଲିଲା । 

        ଖରେଲଧନସ ପାଖରେ ପହଞ୍ଚି ଗଳାପରେ ତା ସୁନ୍ଦରପଣରେ କିଛି ସମୟ ସେ ବିଭୋର ହେଇଗଲା । ପାଣି ଉପରୁ ପାଖା-ପାଖି 70-80 ଫୁଟ ତଳକୁ ପଡି ଘୁ-ଘୁ ଗର୍ଜନ କରି ବହି ଯାଉଛି । ସେଇ ପାଣି ପଡି କୁହୁଡିର ଭ୍ରମ ସୃଷ୍ଟି କରୁଛି । ଏଣେ ଉପରମୁଣ୍ଡ ପାଣି ଦୁଇକଡେ ପାଣି-ଶିଙ୍ଗିଡା ଆଉ ମିଠା କନ୍ଦାର ଅପୂର୍ବ ସଂଭାର, ସତେକି କିଏ ଘନ-ସବୁଜ ଚାଦର ବିଛେଇ ଦେଇଛି । ଆଗପଛ ନଦେଖି ଅର୍ଜୁନ ଆଗେ ପାଞ୍ଚ-ଛଟା ପାଣି-ଶିଙ୍ଗିଡା ତୋଳି ଖାଇଗଲା । ଆଃ, କି ସୁଆଦ । ଏଥର ଟାଙ୍ଗୀ ଆଉ ଧନୁକୁ ପାଖ ପଥର ଚଟାଣରେ ରଖି କନ୍ଦା ଆଉ ପାଣି-ଶିଙ୍ଗିଡା ତୋଳି ଗାମୁଚ୍ଛାରେ ଭରିବାକୁ ଲାଗିଲା । ତୋଳୁତୋଳୁ ଏମିତି ମଜ୍ଜି ଗଲା ଯେ କେତେବେଳେ ପ୍ରପାତର ଖସଡା କଡକୁ ପଳେଇ ଆସିଲାଣି, ନିଘା ନାହିଁ । ଠିକ୍ ଏତିକିବେଳେ ବାଘର ଭୀଷଣ ଗର୍ଜନରେ ଅର୍ଜୁନର ଦେହ ଥଋ ଉଠିଲା । କିଛି ବୁଝିବା ପୂର୍ବରୁ ପାଦ ଖସି 80ଫୁଟ ତଳ ପାଣିରେ ଧପାସ କରି ଖସି ପଡିଲା । ପାଣିରେ ପଡି ସେତେବେଳକୁ ସେ ଦୁଇ-ତିନି ଡୁବକି ନେବା ସହ ପଣି ପିଇଦେଲାଣି । ଏତିକି ବେଳେ ତା କାନରେ ପଡିଲା –‘ ଧାଇଁ ଆସ ହୋ, ଧାଇଁ ଆସ । ଅର୍ଜୁନୀ ଖରେଲଧନସରେ ଗାଳି ପଡିଛି । କିଏ ଆସିଲା କି ନାହିଁ, ସେ ଜାଣିନି, କିନ୍ତୁ ପୁଣିଥରେ ବାଘ ଗର୍ଜନ ସହ ପାଣିକୁ ବାଘର ଡେଇଁ ପଡିବାର ଶବ୍ଦରେ ଆଖି ତାର ବୁଜି ହେଇଗଲା । ସେ ଜାଣିଲା, ଆଜି ବାଘ ହାତରେ ପ୍ରାଣ ତାର ଗଲା । କେହି ବି ତାକୁ, ଏପରିକି ଭଗବାନ ବି ତାକୁ ବଞ୍ଚେଇ ପାରିବେ ନାହିଁ । ଶେଷଥର ଆଖି ଖୋଲି ଦେଖିଲା ଜୁଆନ ବାଘଟେ ତା ଆଡକୁ ପହଁରି ଆସୁଛି । ଅତି ଭୟ ଓ ରୋମାଞ୍ଚରେ ପୁଣି ଆଖି ବୁଜି ହେଇଗଲା । ବାସ୍ ତାପରେ କଣ ହେଲା ସେ ଆଉ କିଛି ଜାଣିନି । 

        ପନ୍ଦର-କୋଡିଏ ମିନିଟ ବିତିଯାଇଥିବ ପରା । ଧୀରେ ତା ଆଖି ଖୋଲିଲା । ଆଶ୍ଚର୍ଯ୍ୟ, ସେ ବଞ୍ଚିଛି! ଅନୁଭବ କଲାସେ ମୁହଁ ମାଡି ଘାସ ଉପରେ ପଡିଛି । ପିଠିରେ ଓଜନ ପଞ୍ଝାର ଚାପ । ଭକ-ଭକ କରି ପାଟି କାନ ଦେଇ ପାଣି ପୁଳାଏ ବାହାରିଗଲା।ତେବେ ବାଘ ହାତରେ କଣ ସେ ପଡିନି ? ସାହସ ଜୁଟେଇ କଡ ଓଲଟେଇଲା । ଅଦ୍ଭୁତ! ସେଇ ଯେଉଁ କଲରା ପତରିଆ ବାଘକୁ ସେ ସାପ ମୁହଁରୁ ବଞ୍ଚେଇବାରେ ସାହାଯ୍ୟ କରିଥିଲା, ସେଇ ତା ପାଖରେ ଠିଆ ହେଇ ରହିଛି । କଡ ଲେଉଟାଇବା ଦେଖି, ଲାଞ୍ଜରେ ତାର ଅର୍ଜୁନକୁ ଝାଡିବାକୁ ଲାଗିଲା । ସତେ ଅବା “ମା” ପଣତ କାନୀରେ ଦେହ ଝାଡିଝୁଡି ଦେଉଛି । ହତବାକ ଓ ଆଶ୍ଚର୍ଯ୍ୟ ଚକିତ ଅର୍ଜୁନ ବାଘକୁ ଏକ ଲୟରେ ଅନେଇ ରହିଲା । ସେ ଦେଖିଲା – ତା ଆଖିରେ ହିଂସ୍ରତା ବଦଳରେ କୃତଜ୍ଞତାର ଭାବ । ସତେ ଅବା ଅମାପ ସ୍ନେହ ଓ କରୁଣା ଝରି ପଡୁଛି । ଅର୍ଜୁନ ନିଜକୁ ସମ୍ଭାଳି ପାରିଲା ନାହିଁ । ଦୁଇ ହାତରେ ବାଘକୁ କୁଣ୍ଢେଇ ଧରିଲା । ଆଖିରୁ ତାର ଝର-ଝର ଲୁହାର ଧାର । ବାଘର ସାରା ଦେହ ଆଉଁସୁ ଆଉଁସୁ କହିବାକୁ ଲାଗିଲା- “ ତୋ ଏ ଋଣ ଜୀବନ ଥିବା ଯାଏ ମୁଁ ଶୁଝି ପାରିବିନି । ତୋ ଖାଦ୍ୟ ହେଇ ମଧ୍ୟ ତୁ ମତେ ଜୀବନ ଦାନରେ ଦେଲୁ । ତୁ ପ୍ରମାଣ କରିଦେଲୁ,ସ୍ନେହ-ପ୍ରେମ କଣ, ତୁ ଠିକ ବୁଝିଛୁ । ତୋ ଭିତରେ ହିଂସ୍ରତା ନାହି, ବରଂ ଏକ ପ୍ରେମର ଝରଣା ବହୁଛି, ଯାହା ଆମେ କୃତଘ୍ନ ମଣିଷ ଦେଖି ପାରୁନୁ ବା ଦେଖିବାର ଚେଷ୍ଟା କରୁଣୁ । କିଏ କହିଲା ଜୀବ-ଜନ୍ତୁ ହିଂସ୍ର । ପ୍ରକୃତରେ ଏଇ ମଣିଷ ହେଉଛି ସବୁଠୁ ହିଂସ୍ର ଓ କୃତଘ୍ନ । ସେ ପୁଣି ତାକୁ କୁଣ୍ଢେଇ ଧରି ଗେଲ କରିବାକୁ ଲାଗିଲା । ସତେ ଅବା ତା ସ୍ନେହ-ପରଶରେ ପଶୁଟା ଆହୁରି ନିଜର ହେଇ ତା ମୁହଁକୁ ଅର୍ଜୁନ କାନ୍ଧ ଉପରେ ଥୋଇ ଦେଲା । କୃତଙ୍ଗ୍ୟ ଅର୍ଜୁନ ତା କାନରେ ଧୀରେ କହିବାକୁ ଲାଗିଲା- “ ତୁ ଆଜି ଠାରୁ ସବୁଦିନ ପାଇଁ ମୋର ପ୍ରିୟତମ ବନ୍ଧୁ ହେଇଗଲୁ।“ ସତେକି ଏତିକି ଶୁଣିବା ପାଇଁ ବାଘ ଚାହିଁ ବସିଥିଲା । ବାସ୍ ଅର୍ଜୁନକୁ ସେଇଠି ଛାଡି ଘନ ଜଙ୍ଗଲ ଭିତରେ ସେ ପୁଣି ଅଦୃଶ୍ୟ ହେଇଗଲା । 

        ବୁଝିଲ ପିଲାମାନେ, ବାଘ ଭଳି ହିଂସ୍ରଜନ୍ତୁ ବି ସ୍ନେହ ଓ ସାହାଯ୍ୟର ମୂଲ ବୁଝେ । ଖାଲି ବୁଝେନି, ବରଂ ସମୟ ପଡିଲେ ସେଇ ଦାନର ପ୍ରତିଦାନ ଫେରେଇ ଦିଏ । କିନ୍ତୁ ମଣିଷ, ନିଜ ସ୍ଵାର୍ଥ ଛଡା ଆଉ କିଛି ବୁଝେ ନାହି । ମୋ କଥାଟି ସରିଲା, ଆଖିକୁ ନିଦ ଘାରିଲା । 



Rate this content
Log in