Rabindra Mishra

Romance

4.7  

Rabindra Mishra

Romance

ବସନ୍ତ-ବୈଶାଖ ଓ ଡ଼ାହାଣୀ

ବସନ୍ତ-ବୈଶାଖ ଓ ଡ଼ାହାଣୀ

19 mins
375



=୧=

ବସନ୍ତ ଋତୁ ର ଆଗମନ ପ୍ରକୃତରେ କେତେ ଯେ ପରିବର୍ତ୍ତନ ଆଣେ ତାର ଏକ ନିର୍ଦ୍ଦିଷ୍ଟ-ସାଙ୍ଖିକ ରୂପରେଖ ହୁଏତ ଦେଇହେବ ନାହି, କିନ୍ତୁ ବସନ୍ତର ପଦସ୍ପର୍ଶ ରେ ନବ-ପଲ୍ଲବ ର ସମ୍ଭାର ଓ ସିକ୍ତତା ଯେ ବାରି ହେଇପଡେ ତାକୁ କେହି ଅସ୍ଵୀକାର କରିପାରିବ ନାହି। ତାର ମହକ ଓ ଛୁଆଁ କେତେ କେତେ କବି-ସ୍ରଷ୍ଟା-ଗାଳ୍ପିକ-ସାହିତ୍ୟ ରସିକଙ୍କୁ ଆନମାନା କରିଦିଏ ହୁଏତ ତାର ହିସାବ ଦେବେ ଏତେ ସହଜ ନୁହେଁ । ହେଲେ ଏହା ଏକ ଧୃବସତ୍ୟ- ବସନ୍ତ ର ସାମାନ୍ୟ ସ୍ପର୍ଶ ବେପଥୁର କମ୍ପନ ଭରିଦିଏ। ବୋଧେ ସେଥିପାଇଁ ବସନ୍ତ ର ବର୍ଣ୍ଣନା ଅନ୍ୟ ସବୁ ଋତୁ ଠାରୁ ଅଧିକ ଓ ଗଭୀର। ବସନ୍ତର ନିଆରା କଅଁଳ ଛୁଆଁ ତନୁ-ମନ-ଜୀବନ ରେ ଏକ ବିଚିତ୍ର ଓ ଅନନ୍ୟ ଶିହରଣ ସୃଷ୍ଟିକରେ । 

              ଆଉ ଠିକ ସେମିତି ଏକ ଶିହରଣ ଓ ଅନନ୍ୟ ବେପଥୁ ମୋ ବୟସର ବସନ୍ତରେ ଆସିଥିଲା। ବସନ୍ତର ହଳଦୀ ମଖା ସ୍ପର୍ଶ ଆଉ ତାର ରଙ୍ଗ ତୂଳୀ ମୋ ମନର ଇନ୍ଦ୍ରଧନୁ ରେ ସାତରଙ୍ଗ ମାଖି ଦେଇଥିଲା। ଶରୀରରେ ମୋର ଅପୂର୍ବ ପୁଲକ କୁ ଅନୁଭବ କରୁଥିଲି, ଅନୁଭବ କରୁଥିଲି ମୋ ଭିତରର ଅନ୍ୟମନସ୍କ ଭାବକୁ, ଯିଏ ବେଲୁନ ପରି ଦିଶାହୀନ ନୀଳ ଆକାଶ ରେ ଉଡୁଥିଲା ଯାହାକୁ ଛୁଇଁବା ସାଧ୍ୟାତିତ । ଲାଗୁଥିଲା ଗଭୀର ସମୁଦ୍ର ଭିତରୁ ମୁଁ ଏମିତି ଏକ ମୁକ୍ତା ଖୋଜି ପାଇଛି, ଯିଏ ମୋର ତନୁମନ କୁ ଅକ୍ଟୋପସ ପରି ଆବୋରି ଧରିଛି। ମୋର ସୀମା-ସରହଦ ସେଇ ବଳୟ ଭିତରେ ବାନ୍ଧି ହେଇଯାଇଛି । ମୁଁ ହଜି ଯାଇଛି, ହଜିଯାଇଛି ସ୍ଵପ୍ନ ର ଆଶ୍ଲେଷ ଭିତରେ । ବସନ୍ତ-ରାଗ ର ମୂର୍ଚ୍ଛନା ଭିତରେ । 

   ଆନନ୍ଦ ନଗର,-ପାଣିଓହଳା ପର୍ବତର ପାଦ ଦେଶରେ ଗଢି ଉଠିଥିବା ସୁନ୍ଦର ଏକ ଜନବସତି । ପ୍ରାୟ ଦୁଇଶହ ରୁ ଅଢେଇଶହ ପରିବାରଙ୍କୁ ନେଇ ଆନନ୍ଦର ଅନିନ୍ଦ୍ୟ ବାତାବରଣ। ଆନନ୍ଦର ଅନିନ୍ଦ୍ୟ ବାତାବରଣ ଏଥିପାଇଁ ଯେ ପ୍ରତ୍ୟେକ ପରିବାର ପରସ୍ପରକୁ ଜାଣୁଥିଲେ ଓ ଏକ ପାରସ୍ପରିକ ଭାଇଚାରାରେ ବାନ୍ଧି ହେଇ ରହିଥିଲେ। ସୁଖ ହେଉ କି ଦୁଖ, କାହାର ବି ସାମାନ୍ୟତମ ଅସୁବିଧା ବା ଅବଶ୍ୟକତାରେ ସଂପୂର୍ଣ୍ଣ ନଗରବାସିନ୍ଦା ଏକତ୍ରିତ ହେଇ ତା ପଛରେ ଠିଆ ହେବା ନିଶ୍ଚିତ। ବୋଧହୁଏ, ସେଥିପାଇଁ ଏଭଳି ଏକ ନାମକରଣ କରା ଯାଇଛି। ସଂପୂର୍ଣ୍ଣ ନଗରକୁ ଦଶଟି ଲେନ ରେ ବିଭକ୍ତ କରା ଯାଇ ପ୍ରତି ଲେନରେ ଅନ୍ୟୂନ ପଚିଶ ପରିବାର ରୁଚି-ସମ୍ପନ୍ନ ସୁନ୍ଦର ଗୃହନିର୍ମାଣ ପୂର୍ବକ ରହୁଛନ୍ତି ଏବଂ ପ୍ରତି ଲେନ ର ମଧ୍ୟ ଏକ ସୁନ୍ଦର ନାମକରଣ କରାଯାଇଛି ଯାହା ପଛରେ ମଧ୍ୟ ନିର୍ଦିଷ୍ଟ ଭାବରେ ଏକ ଭାବନା ଓ ବ୍ୟଭହାରିକ ପୃଷ୍ଠଭୂମୀ ଅଛି କହିଲେ ଅତ୍ୟୁକ୍ତି ହେବନାହିଁ। ଆଉ ଏହାର ତୃତୀୟ ଲେନ- ମୋ ଜୀବନ ବସନ୍ତ ରାଗିଣୀର ମୂର୍ଚ୍ଛନା ଓ ବୈଶାଖର ଦାରୁଣ ତାଣ୍ଡବ ର ମୁକସାକ୍ଷୀ, ଯିଏ ମତେ ଆଈମା କାହାଣୀର ରୂପବାଦଲାଇ ନିଜକୁ ଅନିନ୍ଦ୍ୟ ସୁନ୍ଦରୀ ରେ ପରିବର୍ତ୍ତିତ କରିପାରୁଥିବା ଡାଆଣି ସହ ପରିଚିତ କରେଇଥିଲା । 

=୨=

“ପ୍ରଶାନ୍ତି କଲୋନୀ”- ଆନନ୍ଦ ନଗର ର ତୃତୀୟ ଲେନ, ଯାହା ମୋଟ ଉପରେ ତିରିଶ ସମ୍ପନ୍ନ ପରିବାରଙ୍କୁ ନେଇ ସମୃଦ୍ଧ । ଅନ୍ୟ କଲୋନୀ ଅପେକ୍ଷା ଏହାର ପାତିଆରା ବହୁ ଅଧିକ ଏଥିପାଇଁ ଯେ ଏହି କଲୋନୀ ଭିନ୍ନ ଭିନ୍ନ ସମ୍ପ୍ରଦାୟ, ଜୀବିକା ଓ ଖୋଲା ଚିନ୍ତାଧାରାର ବ୍ୟକ୍ତିତ୍ଵଙ୍କ ଅପୂର୍ବ ସହାବସ୍ଥାନ । ଏଠି ଉଚ୍ଚ ସରକାରୀ ଚାକିରିଆ, ଶିକ୍ଷକ, ସାହିତ୍ୟିକ, ବ୍ୟବସାୟୀ, ସ୍ଥପତି , ବୁଦ୍ଧିଜୀବୀ ଏବଂ ଲୋକପ୍ରିୟ ଚଳଚିତ୍ର ବ୍ୟକ୍ତିତ୍ଵ ଘର କରି ରହୁଛନ୍ତି। ସାଧାରଣତଃ ସମମାଜର ଏଭଳି ଉଚ୍ଚବର୍ଗ ଓ ପ୍ରତିଷ୍ଠିତ ଲୋକ ଏକାଠି ଏକ ସ୍ଥାନରେ ରହିଲେ ପରସ୍ପର ଭିତରେ ନିଜର ଶ୍ରେଷ୍ଠତ୍ଵ ଓ ପାତିଆରା ପ୍ରମାଣ କରିବାର ପ୍ରତିଯୋଗୀତା ଚାଲେ। କିନ୍ତୁ ପ୍ରକୃତରେ ପ୍ରଶାନ୍ତି କଲୋନୀ ଏହାର ଏକ ବ୍ୟତିକ୍ରମ । କାରଣ ବ୍ୟକ୍ତିଗତ ପାତିଆରା ଓ ଗାରିମା ପରିବର୍ତ୍ତେ ଏଠି ଏକ ପ୍ରଶାନ୍ତିର ଓଢଣୀ ସମସ୍ତଙ୍କୁ ଘୋଡେଇ ରଖିଥିଲା । କିନ୍ତୁ ତା ଭିତରେ ଯେ ଅଶାନ୍ତି ଓ ଅବିଶ୍ଵାସ ର ନିଆଁ କୁହୁଲୁଥିଲା ସେକଥା ବା କିଏ କାହିଁକି ଜାଣିବ। 

                    ତିନିନମ୍ବର ଲେନ-ପ୍ରଶାନ୍ତି କଲୋନୀ, ପ୍ରକୃତରେ ତିନିଜଣ ଙ୍କ ପାଇଁ ବେଶୀ ପ୍ରସିଦ୍ଧ। ମିତ୍ରଭାନୁ କାଶ୍ୟପ ଅର୍ଥାତ ମୁଁ, ଅଧ୍ୟାପକ ସହସ୍ରାଂଶୁ କାଶ୍ୟପ ମାନେ ମୋ ବାପା ଓ ଓଡିଆ ଚଳଚିତ୍ର ଜଗତର ସୁନାମଧନନ୍ୟ ପ୍ରଯୋଜକ ଓ ପରିବେଷକ ଆଲୋକ ରଞ୍ଜନ ରାଏ ଙ୍କ ଏକମାତ୍ର କନ୍ୟା ନୀଳନୟନା ଚିତ୍ରାଙ୍ଗଦା ରାଏ । ପ୍ରସିଦ୍ଧ ଏଇଥିପାଇଁ ଯେ ବସନ୍ତ ଓ ବୈଶାଖ ର ଯୁଦ୍ଧ, ଅବିଶ୍ଵାସ ଓ ଅଶାନ୍ତିର କୁଝଟ୍ଟିକା ଓ ଡାଆଣୀର ଦଂଶନ ଆମ ଚାରିକଡେ କେତେବେଳେ ଯେ ବଳୟ ବାନ୍ଧି ସାରା ଆନନ୍ଦନଗର ରେ ଏକ ଚାପା ଗୁଞ୍ଜରଣ ଓ ନାକରାତ୍ମକ ଟିପ୍ପଣୀ ର ମାହୋଲ ତିଆରି କରିସାରିଲାଣି, ଆମେ ଜିଣି ପାରିନଥିଲୁ। କିନ୍ତୁ ଆମ ପଛକଡେ, ଖାସ ଆମ ଦୁଇ ପରିବାର ଯେ ଏକ ଅସଡ-ଆଶ୍ଳେଷ ର ବିଷୟବସ୍ତୁ ହେଇ ଦାଣ୍ଡରେ ଗଡି ହାଟରେ ଶୁଭିଲାଣି , ଅନୁଭବ କଲାବେଳକୁ ଅନେକ ଝଡ ସେତେବେଳକୁ ତା ଉପରେ ବହି ଗଲାଣି, ଯାହା ବସନ୍ତ ଓ ବୈଶାଖ ର ଅପୂର୍ବ ଦ୍ଵନ୍ଦ ଆଉ ନିଦର୍ଶନ ଭିତରେ ଆମକୁ ଗୋଟି ସଜେଇ ଝଡ ଭିତରେ କେଉଁଠି ହଜେଇ ଦେବା ପାଇଁ ଉପକ୍ରମ କରୁଥିଲା ମାତ୍ର । 

        କଲୋନୀର ଦୁଇଥାକିଆ ସମାନ୍ତରାଳ ସୁରୁଚିପୂର୍ଣ୍ଣ ଘରଗୁଡିକ ପ୍ରକୃତରେ ଅନ୍ୟ ଲେନର ଘର ଓ ସ୍ଥିତି ଠାରୁ ବହୁ ଆକର୍ଷଣୀୟ। ଆଉ ସେଇ ସୁନ୍ଦର ଆକର୍ଷଣୀୟ-ପରିବେଶ ଭିତରେ ସାମ୍ନା-ସାମ୍ନି ଆମ ଦୁଇ ଘର । ଆମଘର କହିଲେ-ମୁଁ, ୪୦ବର୍ଷ ବୟସ୍କ ଅଧ୍ୟାପକ ସହଶ୍ରାଂଶୁ କାଶ୍ୟପ, ମୋ ବାପା ଓ ୩୪ବର୍ଷ ବୟସ୍କା ଅଧ୍ୟାପିକା ରାଜଲକ୍ଷ୍ମୀ ଭାରଦ୍ଵାଜ, ମୋ ମା ଙ୍କୁ ନେଇ ଆମର ହସ-ଖୁସିର ପରିବାର । ମା ଓ ବାପା ଉଭୟଙ୍କ ଅଧ୍ୟାପନା ବୃତ୍ତି ହେତୁ ଉଭୟେ ସାରା ସହର ରେ ପରିଚିତ । ଖାଲି ପରିଚିତ ନୁହନ୍ତି, ବରଂ ସୁ- ଶିକ୍ଷକ ଭାବରେ ସାରା ସହର ରେ ପ୍ରସିଦ୍ଧ । ମା ଜଣେ ମେଳାପୀ ମହିଳା ଆଉ ବାପା ଏକ ନୀତିବାନ-ବିଚାରବନ୍ତ ଆଦର୍ଶ ପୁରୁଷ ଭାବେ ସ୍ଵତନ୍ତ୍ର ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି। ଏହାଛଡା ବାପାଙ୍କ ଲମ୍ବା-ଖେଳୁଆଡ ଚେହେରା ମଧ୍ୟ ଅନେକଙ୍କ ପାଇଁ ପରୋକ୍ଷରେ ଯେ ଏକ ଈର୍ଷାର କାରଣ, ଅତନ୍ତଃ ଅନ୍ୟମାନଙ୍କ ପଛକଡ ଆଲୋଚନାରୁ ବୁଝିଥିଲି। ମୁଁ- ୧୫-୧୬ ବର୍ଷର ମିତ୍ରଭାନୁ, କୈଶୋର କୁ ବିଦାୟ ଦେଇ ନବ-ଯୌବନ ଦ୍ଵାରଦେଶର ପ୍ରବେଶ ଅପେକ୍ଷାରେ । ପିତା-ମାତାଙ୍କ ସ୍ନେହ ଓ ଯତ୍ନର ଫଳସ୍ଵରୂପ ନିଶ୍ଚିତ ଭାବରେ ମୁଁ ସୁନ୍ଦର ଓ ସ୍ୱାସ୍ଥ୍ୟବାନ ଥିଲି, ଯାହା ମୁଁ ପ୍ରାୟତଃ ସମସ୍ତଙ୍କ ମୁହଁରୁ, ଖାସକରି ସମବୟସ୍କା କିଶୋରୀ ଓ ଯୁବତୀ ମାନଙ୍କ ମୁହଁରୁ ଶୁଣି ଆସୁଥିଲି । ବାପା-ମା ଙ୍କ ବ୍ୟକ୍ତିତ୍ଵ ଓ ମୋର ଏଇ ସୁଦର୍ଶନ ଚେହେରା ପାଇଁ ବୋଧେ ମୋର ସମସ୍ତଙ୍କ ଘରେ ବେଲଗାମ ପ୍ରବେଶ ଥିଲା,ବିଶେଷ ଭାବରେ ଆଲୋକ ରାଏ ଙ୍କ ଘରେ। 

     ଆମଘର ସାମ୍ନା ସୁରମ୍ୟ ଅଟ୍ଟାଳିକା ଆଲୋକ ରାଏଙ୍କର । ୪୫ବର୍ଷ ବୟସ୍କ ବଳିଷ୍ଠ ସାଧାରଣ ଉଚ୍ଚତାର ପ୍ରକୃତ ବଙ୍ଗାଳୀ ଭଦ୍ରଲୋକ ର ଅବିକଳ ନମୁନା। ଫିନ-ଫିନ ସଫା ଶାନ୍ତିପୂରି ଧୋତି ସାଙ୍ଗକୁ ରଙ୍ଗୀନ ପଞ୍ଜାବୀ ଉପରେ ଟସର ବେଢାଣ, କ୍ଲିନ ସେଭ ମୁହଁ ରେ ପାନରଙ୍ଗା ଅଧର ଆଉ ଉଗ୍ର ସେଣ୍ଟ ର ବାସ୍ନା ତାଙ୍କୁ ଚଳଚିତ୍ର ର ଏକ ପାତ୍ରଭଳି ପ୍ରତୀୟମାନ କରାଏ। ଖାଲି ସେତିକିନୁହେ, ତାଙ୍କ କଥାବାର୍ତ୍ତା ବି କେମିତି ସିନେମା-ସିନେମା ଭଳି ଲାଗେ। ମିସେସ ରାଏ- ଅର୍ଥାତ ଶେଫାଳି ରାଏ, ଉଗ୍ର ଆଧୁନିକତା ଏବଂ ପ୍ରଦର୍ଶନ ର ଜବରଦସ୍ତ ନମୁନା। ତାଙ୍କ ପରିପାଟି ଓ ହାବଭାବ ଦେଖି କେହି ତାଙ୍କର ବୟସ ଅନୁମାନ କରିପାରିବ ନାହିଁ । ମୋଟା ମେକପର ପ୍ରଲେପ ସହ ଝୀନ ବସନ ମଧ୍ୟରୁ ଶରୀରର ପ୍ରତୀଟି ଅଙ୍ଗସୌଷ୍ଠବ ଯେପରି ବାହାରି ଆସିବାକୁ ପ୍ରତିଯୋଗୀତା କରୁଛନ୍ତି । ସେ ଯେ ଏକ ଯୁବତୀ ଝିଅର ମା, ନକହିଲେ କେହି ବିଶ୍ଵାସ କରିବେନି । ରାଣୀ ମହୁମାଛି ପରି ମିଷ୍ଟର ରାଏଙ୍କ ପ୍ରଯୋଜନା ସଂସ୍ଥାର ସମସ୍ତ କର୍ମଚାରୀ ଓ ତାଙ୍କ ଚଳଚିତ୍ରରେ ଅଭିନୟ କରୁଥିବା ବା କରିବାକୁ ଆଶାୟୀ ଥିବା ଚରିତ୍ର ମାନେ ତାଙ୍କ ଚାରିପାଖେ ଗୁଣୁ-ଗୁଣୁ ହେଇ ପ୍ରସଶ୍ତି ର ଗୀତଗାଇ ବୁଲୁଥାନ୍ତି କେମିତି ତାଙ୍କ ସୁ-ନଜର ଟିକେ ପଡିଯିବ। କାରଣ ସମସ୍ତେ ଜାଣିଥିଲେ ଶେଫାଳି ରାଏ ହେଉଛନ୍ତି ରିଙ୍ଗମିଷ୍ଟ୍ରେସ,ଯାହାଙ୍କ ଈଶାରାରେ ମିଷ୍ଟର ରାଏ ଉଠ-ବସ ହୁଅନ୍ତି । ନିନ୍ଦୁକମାନଙ୍କ ମୁହଁରୁ ଶୁଣିବାକୁ ମିଳେ ଅୟାଶୀ ବୟସ୍କା ଶେଫାଳି ତାଙ୍କ ଧନ ଓ ରଙ୍ଗୀନ ଜୀବନ ଯାପନ ପାଇଁ ପୁରା ବଦନାମ ହେଇଯିବା ପରେ ନିଜର ପ୍ରତିଷ୍ଠା ଓ ଲୌକିକ ଭାବରେ ଏକ ପାରିବାରିକ ଜୀବନ ଦେଖେଇବା ଉଦେଶ୍ୟରେ ସିଲିଗୁଡି ଛାଡିଦେଇ ଓଡିଶା ପଳେଇ ଆସିଥିଲେ । ଆଉ ସେଠି ତାଙ୍କ ଘରେ ଚାକର ଥିବା ଗରିବ ଆଲୋକ ରାଏକୁ ପ୍ରଲୋଭିତ ଓ କେତେକାଂଶରେ ଭୟଭୀତ କରି ନିଜର ମଥାର ସିନ୍ଦୁର ଭାବରେ ପିନ୍ଧିନେବା ସହ ବେଶ୍ ନିଜ ଇଶାରା ରେ ନାଚଉଛନ୍ତି । ଏହାମଧ୍ୟ ଶୁଣିବାକୁମିଳେ ଯେ ତାଙ୍କର ସେଇ ଏକମାତ୍ର କନ୍ୟା ତାଙ୍କ ଅୟାଶୀ ଜୀବନର ଫଳ, ଯାହାର ପିତୃତ୍ଵ ବିଚରା ଶଖିକଣ୍ଢେଇ ଆଲୋକରାଏ ମୁଣ୍ଡ ଉପରେ ଛାପି ଦିଆଯାଇଛି । ପ୍ରକୃତରେ ସତ କଣ, ତାହା ଶେଫାଳି ଓ ମିଷ୍ଟର ରାୟଙ୍କ ଛଡା ଆଉ କେହି କହିପାରିବେ ନାହିଁ । କିନ୍ତୁ ଏଭଳି ଏକ ବିତ୍ତଶାଳୀ-ବିଖ୍ୟାତ ଓ ସିନେମା ପ୍ରଯୋଜନା ଓ ବିତରଣ ପାଇଁ ସାରା ରାଜ୍ୟ ତଥା ଦେଶ ଜାଣୁଥିବା ବ୍ୟକ୍ତିତ୍ଵ ଆମ ପ୍ରଶାନ୍ତି-କଲୋନୀ ତଥା ଆନନ୍ଦ ନଗରରେ ରହୁଥିବାରୁ ଆମ ଅଞ୍ଚଳର ଲୋକପ୍ରିୟତା ଓ ଚାହିଦା ବେଶ ଆକାଶଛୁଆଁ । 

=୩=

‘ନୀଳନୟନା-ଚିତ୍ରାଙ୍ଗଦା’, ମିଷ୍ଟର ଓ ମିସେସ ରାଏଙ୍କ ଏକମାତ୍ର କନ୍ୟା । ସାରା ଆନନ୍ଦ ନଗର କାହିଁକି, ସାରା ରାଜ୍ୟରେ ଥିଲେ ସମସ୍ତଙ୍କ ଛାତିଭିତର କମ୍ପନ । ଟୋକାରୁ ବୁଢା, ଏମିତିକି ଅଳ୍ପବୟସର କିଶୋର ମଧ୍ୟ ତାଙ୍କ ଦର୍ଶନ ଟିକେ ପାଇଁ ପାଗଳ ହେଇଯାଉଥିଲେ । ସତେଅବା ଉପରବାଲା ଫୁରସତରେ ନିଠେଇ-ନିଠେଇ ତାଙ୍କ ଶରୀର ଗଢିଛି । ଦୁଧ-ଅଳତା ପରି ଉଜ୍ଜ୍ଵଳ ତ୍ଵଚା ସାଙ୍ଗକୁ ଆକର୍ଷଣୀୟ ମୁଖକାନ୍ତି, ମୁଣ୍ଡର ଲାମ୍ବା କେଶ ସାଙ୍ଗକୁ ଶରୀର ର ଗଠନ ବିଲକୁଲ ମାପଚୁପ ଅନୁଯାୟୀ, ଯେଉଁଥିରୁ ଖୁଁଣ କାଢିବା ଅସମ୍ଭବ । ୨୦-୨୧ବର୍ଷର ସେଇ ଅନିନ୍ଦ୍ୟ ସୁନ୍ଦରୀ ଯୁବତୀ ଉପରେ ଥରେ ଆଖି ପଡିଲେ ଫେରାଇ ଆଣିବା ସତରେ ମୁସ୍କିଲ । ଭଞ୍ଜଙ୍କ ନାୟିକା ‘ଲାବଣ୍ୟବତୀ’ ବା ସ୍ଵର୍ଗସୁନ୍ଦରୀ ‘ରମ୍ଭା-ମେନକା’ ବି ରୂପରେ ପଛରେ ପଡିଯିବେ। ତାଙ୍କ ସେ ଓଠଚିପା ସ୍ମିତହସ ଆଗରେ ମୋନାଲିସା ର ହସ ବି ଫିକା ଲାଗିବ । ଦୈହିକ ସମ୍ଭାର ଏପରି ଯେ ‘ଉର୍ବଶୀ’ ବି ଲାଜେଇଯିବେ। ସର୍ବଦା ଗାଢ ରଙ୍ଗର ଆଧୁନିକ ପୋଷାକ ପରିହିତା ସେଇ ଯୁବତୀ ଭିଡ ଭିତରୁ ବି ଅଲଗା ହେଇ ବାରି ହେଇପଡନ୍ତି । ଆଉ ତାଙ୍କର ସେ ଦୁଇ’ନିଳ’ ଆଖି – ଆଃ..........ସତେ ଅବା ଗଭୀର ନୀଳ ସମୁଦ୍ର , ଯେଉଁଥିରେ ତୁମେ ବୁଡିଯିବ ସିନା କିନ୍ତୁ ସେ ଆଖିର ଭାଷା ଓ ଭାବନା ର ଟେର୍ ପାଇବନି । 

                    ସେଇ ଲକ୍ଷ-ହୃଦୟର ସ୍ପନ୍ଦନ, ହଜାରେ-ହୃଦୟର ‘ଉହୁ’ ଚିତ୍ରାଙ୍ଗଦା କିନ୍ତୁ ଆମ ଘରକୁ ନୀତି ଯିବା-ଆସିବା କରନ୍ତି । ଯିବା-ଆସିବା କହିଲେ ଭୁଲହେବ, ପ୍ରାୟତ ଆମଘରେ ହିଁ ତାଙ୍କର ଅଧିଙ୍କାଂଶ ସମୟ କଟେ । ଆମଘରେ କିଏ କେତେ ତାଙ୍କ ସମୟ ବିତେଇବାକୁ କେମିତି ଗ୍ରହଣ କରେ ମୁଁ ବୁଝିବାକୁ ଚେଷ୍ଟା କରିନି, କିନ୍ତୁ ତାଙ୍କ ରହଣିରେ ସବୁଠୁ ବେଶୀ ଯଦି କିଏ ଖୁସି ହେଉଥାଏ, ତେବେ ସେ ହେଉଛି ମୁଁ । ଜାଣେନି ଏମିତି ମୁଁ କାହିଁକି ଅନୁଭବ କରେ, କାହିଁକି ସେ ଯୁବତୀ ଆଡକୁ ଏତେ ଆକର୍ଷିତ ହେଇଯାଏ, ମାତ୍ର ତାଙ୍କ ଉପସ୍ଥିତି ସତେ ଅବା ମୋ ହୃଦୟ ଭିତରେ ଏକ ଆହେତୁକ ବେପଥୁ ଭରି ଦିଏ, ମନ ଲଗାମହୀନ ଘୋଡା ଭଳି ଦୌଡିବାକୁ ଭଲପାଏ। ଏହା କଣ? ଆନ୍ତରିକତା, ଭଲପାଇବା ନା ଯୌବନର ଦ୍ଵାରରେ ପାଦ ଦେବା ପୂର୍ବରୁ ବସନ୍ତର ପହିଲି ସ୍ପର୍ଶ ଜନିତ ଆକର୍ଷଣ? ମାମା ବା ବାପାଙ୍କ ସେମିତି ଆକଟ ବା ରୂଢିବାଡଦି ବିଚାର ଧାରା ରହିତ ଖୋଲା ଓ ସମ୍ଭଭାବାପନ୍ନ ବିଚାରଧାରା କିମ୍ବା ସେମାନକର ମୋ ଉପରେ ଅଖଣ୍ଡ ବିଶ୍ଵାସ ହେତୁ ମତେ ସେଇ ନୀଳନୟନା ଆଡକୁ ଆହୁରି ଟାଣି ନେଉଥାଏ । ସେଥିରେ ପୁଣି ତାଙ୍କର ସେଇ ମନଜିଣା ହସ, ଆଖି ନଚା ଓ ମୋ ଉପରେ ଜାଣତ କି ଅଜାଣତ ରେ କଥା କଥାକେ ଲୋଟି ପଡିବା ବା ମତେ ଚାପି ଧରିବା ଅବା ମୋର ଗାଲ ଟିପିଦେବା, ସେସବୁ ମୋ ଦେହ ଭିତରେ କିପରି ଏକ ଅଜଣା କମ୍ପନ ଓ ଶିହରଣ ଭରିଦିଏ। ସତେକି କେହି ମୋ ଦେହରେ ନିଆଁ ଲଗେଇ ଦିଏ, ଯାହା ବୈଶାଖର ପ୍ରଚଣ୍ଡତା ଠାରୁ ଆହୁରି ଗଭୀର, କିନ୍ତୁ ସେଥିରେ ତ୍ଵଚା ବା ଶରୀର ରେ ଜ୍ଵଳନ ହୁଏନା, ଅଧିକନ୍ତୁ ବସନ୍ତର କୁହୁକ ସ୍ପର୍ଶ ଓ ମତୁଆଲା ରଙ୍ଗ ରେ ମନ ଓ ହୃଦୟକୁ କେମିତି ଏକ ଅବିଶ୍ଵାସି ଉନ୍ମାଦନା ର ନିଆଁ ରେ ଜଳେଇ ଦିଏ ଯାହାର ପରିପ୍ରକାଶ ପାଇଁ ମୁଁ ନିଜେ କୌଣସି ଭାଷା ପାଏନା । ତେବେ ମୁଁ କଣ ସେଇ ନୀଳନୟନା-ଚିତ୍ରାଙ୍ଗଦା ଙ୍କୁ ଭଲ ପାଇ ବସିଚି ନା ବିପରୀତ ଳିଙ୍ଗ ଜନିତ ଦୈହିକ ଆକର୍ଷଣ? ଏକୁଟିଆ ସମୟରେ ମୁଁ ମୋ ମନକୁ ପଚାରେ, କିନ୍ତୁ ସଠିକ ଉତ୍ତର ମିଳେନା । ବିବେକ ସୁଚେଇ ଦିଏ-ବୟସରେ ତୋ ଠାରୁ 6-7 ବର୍ଷ ବଡ, ମାନସିକତାରେ ତ ଆହୁରି ଅଧିକ, ଏଣୁ ଏହା ପ୍ରେମ ନୁହେଁ, ବରଂ ଏକ ଅହେତୁକ ଦୈହିକ କାମନା, ଚିତ୍ରାଙ୍ଗଦା କେବେ ବି ତତେ ସେ ଅର୍ଥରେ ଭଲ ପାଉନି ବା ପାଇବନାହି ଯାହା ତୁ ଭାବି ବସିଛୁ। କେବଳ ଏହା ଏକ ସାମୟିକ ଆକର୍ଷଣ ବା ଅନ୍ୟ କିଛି ଉଦେଶ୍ୟର ଚରିତାର୍ଥ ପାଇଁ । ଆଉ ତୁ ହୁଏତ ଏକ ମାଧ୍ୟମ । ରାଗ ଓ କ୍ଷବୋ ରେ ମୋ ମନ ଭରିଯାଏ । ମତେ ଲାଗେ ମୋ ଅନ୍ତର ଭିତରୁ ଏହା ଏକ ଭୁଲ ବାଖ୍ୟା । ଏହା ଗ୍ରହଣୀୟ ନୁହେଁ । ମୁଁ ଯେଉଁ ଜ୍ଵଳନ ଓ ଉଚ୍ଚାଟ ଅନୁଭବ କରୁଛି, ତାଙ୍କଠାରେ ବି ଠିକ୍ ସେଇ ସ୍ଥିତି, ନଚେତ ଆମ ଘରକୁ ସେ ଏତେ ପ୍ରାଧାନ୍ୟ କାହିକି ଦିଅନ୍ତେ ; - କିନ୍ତୁ ତାର ଉତ୍ତର ମୋ ପାଇଁଯେ ଏତେ ଶୀଘ୍ର ଆସିଯିବ, ବୋଧହୁଏ ମୁଁ ଆଶା କରିନଥିଲି। 

                         ମୋର ମନେ ପଡୁଛି,ଏମିତି ଦିନେ ସକାଳୁ ମାମା-ବାପା କଲେଜ ଯିବା ପାଇଁ ପ୍ରସ୍ତୁତ ହେଉଥାନ୍ତି । ଘଣ୍ଟାରେ ନଅ ବାଜିଗଲାଣି । ମୁଁ ମେଟ୍ରିକ ପରୀକ୍ଷା ସରି ଯାଇଥିବାରୁ ଆଡଭାନ୍ସ କୋଚିଙ୍ଗ ପାଇଁ ସେଣ୍ଟର କୁ ଯିବା ପାଇଁ ପ୍ରସ୍ତୁତ ହେଉଥାଏ। ମାମା ଖାଇବା ଟେବୁଲ ଉପରେ ସମସ୍ତଙ୍କ ପାଇଁ ଜଳଖିଆ ବାଢି ମତେ ଶୀଘ୍ର ଆସିବାକୁ ଡାକୁଥାନ୍ତି । ଗାଧୁଆଘରୁ ସେମିତି ଓଦା ଟାଉଏଲ ଅଣ୍ଟାରେ ଗୁଡେଇ ମୁଁ ଜଳଖିଆ ବାସ୍ନା ରେ ଆସି ଟେବୁଲ ପାଖରେ ପହଞ୍ଚି ପ୍ଳେଟରୁ ମୋ ପ୍ରିୟ ସିମେଇ-ଉପମା ଚାମୁଚେ ପାଟିରେ ପକେଇ ଦେବାକୁ ଯାଉଛି, ଠିକ୍ ସେତିକି ବେଳେ ଦମକାଏ ପବନରେ ମଲ୍ଲିଫୁଲର ବାସ୍ନା ଆମ ଘରକୁ ସମ୍ପୂର୍ଣ ମହାକାଇ ଦେଲା, ତା ସହ ଏକ ମନ-ମତାଣିଆ ହାଲକା ବିଦେଶୀ ଅତର ର ଗନ୍ଧ । ମୁଁ ବାସ୍ନା ର ଉସ୍ଚ ବାରିବା ପୂର୍ବରୁ ବୈଠକ ଘର କବାଟ ପାର କରି ମିସେସ ଶେଫାଳି ରାଏ ସପରିବାର ହସି ହସି ଆମ ଡ୍ରଇଙ୍ଗ କମ ଡାଇନିଙ୍ଗରେ ପ୍ରବେଶ କଲେ । ଉଗ୍ର ପ୍ରସାଧାନ ଓ ପରିପାଟି ରେ ମା-ଝିଅ ଏକୁ ଆଡ଼କୁ ବଳିବା ପାଇଁ ପ୍ରତିଯୋଗୀତା କରୁଥିଲେ ବୋଧେ, ଆଉ ଏମାଙ୍କ ଗହଣରେ ମିଷ୍ଟର ରାଏ- ବଳି କା ବକରା ସଦୃଶ ଦୃଶ୍ୟମାନ ହେଉଥିଲେ । ସେମାନଙ୍କ ଏପରି ଅତର୍କିତ ଆଗମନରେ ଟିକେ ହଡବଡେଇ ଗଲି କାରଣ ସେପର୍ଯ୍ୟନ୍ତ ମୁଁ ସେମିତି ଟାଉଏଲ ପରିହିତ , ଦେହରୁ ଠୋପା-ଠୋପା ପାଣି ଗଡି ପଡୁଥାଏ। ଚିତ୍ରାଙ୍ଗଦା ମତେ ଏମିତି ଅବସ୍ଥାରେ ଦେଖି ହସି ହସି ବେଦମ ହେଇଗଲେ। ଥଟ୍ଟା କରିବାକୁ ଯାଇ କହିଲେ- ମିତ୍ର, ଟାରଜନ ଭୂମିକା ପାଇଁ ଅଭ୍ୟାସ କରୁଛ କି? ଚାଲ, ତୁମକୁ ମୁଁ ଆହୁରି ଭଲଭାବରେ ସଜେଇ ଦେବି, ଯେମିତି ପ୍ରକୃତ ଟାର୍ଜନ ଭଳି ଦେଖାଯିବ । ତାଙ୍କ ଏଇ ପଦେ କଥା ରେ ମୋ ଦେହ ଆହୁରି ରୋମାଞ୍ଚିତ ହେଇ ଉଠିଲା । ଲାଗିଲା ସତେକି ଲକ୍ଷେ ବସନ୍ତର ଛୁଆଁ ମୋ ଦେହରେ ଫୁଲଶର ମାରିଦେଲା। ମନ ଭିତରେ କେହି ଯେମିତି କହୁଥିଲା ସତରେ ମତେ ସଜେଇ ଦିଅନ୍ତେ କି , ମୁଁ ପୋଷାକ ବଦଳେଇବା ପାଇଁ ଘର ଭିତରକୁ ତ୍ଵରିତ ଚାଲି ଗଲି । ମାମା ସମସ୍ତଙ୍କୁ ଜଳଖିଆ ଟେବୁଲ କୁ ଆମନ୍ତ୍ରିତ କରୁଥିଲେ । 

=୪=

ଜଳଖିଆ ଖାଇବାକୁ କିନ୍ତୁ ରାଏ ପରିବାର ଆଦୌ ରାଜି ହେଉନଥାନ୍ତି। ମାମା ଙ୍କ ଆଗ୍ରହ ଏଡାଇ ନପାରି ବାପା ଆଣିଥିବା ରସଗୋଲା ଦୁଇଦୁଇଟା ଖାଉ ଖାଉ ମିସେସ ରାଏ କଥା ଆରମ୍ଭ ଛଳରେ କହିଲେ- ‘ଆମେ ଦୁଇଟା ଉଦେଶ୍ୟ ନେଇ ଆସିଛୁ ମିଷ୍ଟର କାଶ୍ୟପ’ । ମୋ କାନ ଦୁଇଟା ତାଙ୍କ କଥା ଆଡକୁ ଟାଣି ହେଇଗଲା, ଯଦିଓ କଣେଇ କଣେଇ ମୁଁ ଚିତ୍ରାଙ୍ଗଦାଙ୍କୁ ଦେଖୁଥିଲି। ମିସେସ ରାଏ ଙ୍କ କଥା ପୂରଣ କରିବାକୁ ଯାଇ ମିଷ୍ଟର ରାଏ କହିଲେ- ‘ପ୍ରକୃତରେ ଚିତ୍ରାର ପରୀକ୍ଷା ପାଇଁ ଆମେ ବହୁତ ଚିନ୍ତିତ, ଘରେ ତାକୁ ଗାଇଡ କରିବାକୁ କେହି ନାହାନ୍ତି, ତେଣୁ ଏଇ ଦୁଇ-ତିନିମାସ ପରୀକ୍ଷା ପର୍ଯ୍ୟନ୍ତ ଆପଣ ଟିକେ ତାକୁ ଗାଇଡ କରନ୍ତୁ ମିଷ୍ଟର କାଶ୍ୟପ, କାରଣ ସେ କଳାର ଛାତ୍ରୀ, ଆଉ ଆପଣ ତା ଅଧ୍ୟାପକ । ମାଡାମ ତ ବିଜ୍ଞାନ ଅଧ୍ୟାପିକା, ଆମେ କେହି ବିଜ୍ଞାନ ପ୍ରେମୀ ନୋହୁ, କଳାର ପୂଜାରୀ । ଆପଣକ ପୁଅ ସହ ମୋ ଝିଅକୁ ବି କିଛି ସମୟ ଗାଇଡ କଲେ ଅତନ୍ତ ସେ ରେଜଲ୍ଟ ଟିକେ ଭଲ କରିପାରନ୍ତା । ଆଶା କରୁଛୁ ଆପଣ ଆମ ଅନୁରୋଧ ରକ୍ଷା କରିବେ’। ମତେ ଲାଗିଲା ସତେଅବା ମୋ ମନ ଖୋଜୁଥିବା ଇଛା ମୋ ହାତରେ ଧାରା ଦେବାକୁ ପାଦ ବଢାଉଛି । ମୋର ଭାବନା କୁ ଚାପିରଖି ଶୀଘ୍ର ଜଳଖିଆ ସାରି କୋଚିଙ୍ଗ ଯିବା ଉଦେଶ୍ୟରେ ପଢା ବ୍ୟାଗ ଆଣିବା ପାଇଁ ମୋ ଶୟନ କକ୍ଷ ଆଡକୁ ଚାଲିଗଲି । କିନ୍ତୁ ପଛରୁ ମିସେସ ରାଏ ଙ୍କ ଶେଷ ଦୁଇପଦ କଥା କାନରେ ସ୍ପଷ୍ଟ ବାଜୁଥାଏ । “ଆପଣ ଦୁହିଙ୍କର କଲେଜ ଯିବା ବେଳ ହେଇଗଲାଣି, ଏଣେ ଆମେ ବି ଷ୍ଟୋରି ସେଶନ ପାଇଁ ଯିବାକୁ ବ୍ୟସ୍ତ ହେଉଛୁ , କଲେଜରୁ ଫେରି ଝିଅ ଟିକେ ଆପଣଙ୍କ ଘରେ ଥିବ। ଆମେ ଫେରୁ ଫେରୁ ଡେରି ହେଇପାରେ। କିନ୍ତୁ ସନ୍ଧ୍ୟାରେ ଆମେ ପୁଣି ଆସିବୁ, ଆଉ ଗୋଟେ ଜରୁରୀ ବିଷୟରେ କଥାବାର୍ତ୍ତା ହେବାର ଅଛି, ୱେଲ, ଆମେ ଆସୁଛୁ “ । ସେମାନେ ବାହାରିଗଲେ ବୋଧେ । ମାମା-ବାପା ବି କଲେଜ ଯିବା ପାଇଁ ଘର ଚାବି ଦେଇ ମୋ ହାତକୁ ଚାବି ବଢେଇଦେଇ ସ୍କୁତିରେ ବାହାରିଗଲେ। ଆଉ ମୁଁ , ସାଇକେଲକୁ ମୋର କୋଚିଙ୍ଗ ସେଣ୍ଟର ମୁହାଁ ଆଗେଇନେଲି। ମତେ ଲାଗୁଥାଏ, ମୁଁ ସାଇକେଲ ରେ ଯାଉନି, ମନପବନ ଘୋଡାରେ ସବାର ହେଇ ଉଡୁଛି । 

       କୋଚିଙ୍ଗ ସେଣ୍ଟର ରେ ସାର କଣ ପଢଉଥିଲେ, ମୋ ମୁଣ୍ଡ ଭିତରେ ପଶୁନଥିଲା। କେବଳ ଆଖି ଆଗରେ ନୀଳନୟନା-ଚିତ୍ରାଙ୍ଗଦା ନାଚି ଉଠୁଥିଲେ । ସେଇ ଆଖି ଝଲସା ରୂପ ଓ ଉତ୍ତାଳ ଯୌବନର ସିମେଟ୍ରି ମତେ କେମିତି ଆନମାନା କରିଦେଉଥାଏ। କୌଣସି ଉପାୟରେ ଦୁଇଘଣ୍ଟା କ୍ଳାସ ସାରି ଏକମୁହାଁ ଘରକୁ ଫେରି ଆସିଲି । ମାମା-ବାପା ଆସୁ ଆସୁ ଦୁଇ ବାଜିବ । ଘରେ ପଶିବା ମାତ୍ରେ ବେଗଟାକୁ ଫିଙ୍ଗିଦେଇ ଶେଯ ଉପରେ ଗଡିଗଲି, ଆଖିରେ ଆଖିଏ ସ୍ଵପ୍ନ, ଦେହରେ ଶିହରଣ । ହାଏ; ଆଜି ମୋ ସ୍ଵପ୍ନର ପରୀ ଆଉକିଛି ସମୟ ପରେ ଆମଘରକୁ ଆସିବେ । ଆମେ ଏବେ ଏକାଠି ପଢିବୁ, ସମୟ କାଟିବୁ………… ମୋ ଆଖି ବୁଜି ହେଇଗଲା, ମୁଁ କେଉଁ ଏକ ଅଜଣା ରାଇଜକୁ ଚାଲିଗଲେ ବୋଧେ........ହଁ, ଚିତ୍ରାଙ୍ଗଦାଙ୍କ ହାତରେ ହାତଛନ୍ଦି ମୁଁ ଚାଲୁଛି, ତାଙ୍କ ଲମ୍ବା ବେଣୀର ରଜନିଗନ୍ଧା ମତେ ଆନମାନା କରି ଦେଉଛି, ବେଳେବେଳେ ଚାଲୁ ଚାଲୁ ଭାରସମ୍ୟ ହରେଇ ମୋ ଉପରକୁ ଆଉଜି ପଡ଼ୁଛନ୍ତି, ଆଉ ରାସ୍ତା ଦୁଇକଡ ଲୋକ- ପିଲାଠୁ ବୁଢା ଯାଏ ଆମ ଆଡକୁ ଈର୍ଷା ପରାୟଣ ଆଖିରେ ଦେଖୁଛନ୍ତି, ମୋ ଛାତି ଗର୍ବରେ ଫୁଲି ଉଠୁଥାଏ । ଅନ୍ୟ ମାନକର ସେ ଭାବନା ଓ ହିଂସା ମତେ ଆହୁରି ଉତଫୁଲିତ କରୁଥାଏ। ମୁଁ ସେତେବେଳେ ନୀଳ ଆକାଶର ନୀଳିମା ଭିତରେ- ଚାନ୍ଦ ଧରି ବାଦଲ ଫାଙ୍କରେ ସେଇ ଈର୍ଷାଳୁ ଙ୍କୁ କଣେଇ ଦେଖୁଥାଏ। ଓଃ.......ବସନ୍ତର ସୁଲଳିତ ରାଗିଣୀ । ଏତିକି ବେଳେ ବାହାର କଲିଙ୍ଗ ବେଲ ଉଚ ସ୍ଵରରେ ବାଜି ଉଠିଲା। ମୁଁ ସ୍ଵପ୍ନ ରୁ ବାସ୍ତବ କୁ ଫେରି ଆସିଲି। 

           ମାମା ଓ ନୀଳନୟନା ଚିତ୍ରାଙ୍ଗଦା, କବାଟ ଖୋଲିଲା ମାତ୍ରେ ଦୁହେଁ ଭିତରକୁ ଆସିଲେ। ମାମା ତାଙ୍କ ବ୍ୟାଗ ଓ ବହି ରଖିଦେଇ ଗାଧୁଆଘରକୁ ପଶୁ ପଶୁ ମତେ ପଚାରିଲେ- ଶୋଇ ପଡିଥିଲୁକି, ଆଖି କେମିତି ନିଦରେ ଭାରି ହେଇଥିଲା –ପରି ଲାଗୁଛି? ଯା ମୁହଁ ଧୋଇ ଆସ । ମୁଁ ତୁମ ଦୁହିଙ୍କ ପାଇଁ ଖାଇବା ବାଢେ । ମତେ ଲାଗିଲା, ସତେ ମା ଆଖି ଆଗରେ ସନ୍ତାନ ତାର ସବୁ ବେଳେ ଛୋଟ ପିଲା, କାନି ତଳେ ତାର ସେମିତି ସୁରକ୍ଷିତ ଥାଉ । ମୁଁ ହସିଦେଲି, ପ୍ରକୃତ ସତ୍ୟ ଯେ ଅନ୍ୟକିଛି, ସେକଥା ମୁଁ କେମିତି ବା କହିବି । ଚିତ୍ରାଙ୍ଗଦା ମତେ ଆଖି-ମିଟିକା ମାରି ଗାଲକୁ ଟିକେ ଟିପିଦେଲେ । “କଣ ମିତ୍ର, ସ୍ଵପ୍ନରାଜ୍ୟ ରେ ଉଆସ ତୋଳୁ ଥିଲ କି? ସ୍ଵପ୍ନ ରୁ ବାସ୍ତବ କୁ ଫେରିଆସ “ କହି ହସି ହସି ସେ ତାଙ୍କ ଘରକୁ ଯାଇ ଫ୍ରେଶ ହେଇ ବହିସହ ପୁଣି ଆମଘରକୁ ଆସିଲେ। ମାମା ଯେତେ ଖାଇବା ପାଇଁ କହିଲେ ବି ମନା କରିଦେଇ ବାପାଙ୍କ ଷ୍ଟଡି ରୁମ ରେ ବହି ନେଇ ବସିଗଲେ। ସତେ ଅବା ବାଧ୍ୟ ଛାତ୍ରୀ। ମୁଁ ମଧ୍ୟ କଣ ଦିଇଟା ଖାଇଦେଇ ବାପାଙ୍କ ରୁମ କୁ ଆସିଲି । ମତେ ଆସିବା ଦେଖି ଚିତ୍ରାଙ୍ଗଦାଙ୍କ ମୁହଁରେ କେମିତି ଏକ ବିରୋଦ୍ଧାଭାସ ଓ ଅସହଜ ଭାବ । କଥା କଥା କେ ମୋ ଉପରେ ଆଉଜି ପଡୁଥିବା, ଗାଲ ଟିପି ଦେଉଥିବା ବା ଚାପି ଧରି ମତେ ବିଭୋର କରି ଦେଉଥିବା ସେ ନୀଳଞାନା ଯେ ନୁହେଁ । ମତେ ବି କେମିତି ଖରାପ ଲାଗିଲା। ତେବେ ସତେ କଣ ମୋ ଅନ୍ତର ଚେତେଇ ଦେଉଥିବା ପରି ମୁଁ ତାଙ୍କ କୌଣସି ଏକ ଲୁକାୟିତ ଉଦେଶ୍ୟର ମୋହରା ମାତ୍ର । ତାଙ୍କ ଆଖି ଦିଟାକୁ ନିରେଖି ଚାହିଁଲି, କିନ୍ତୁ ସେ ନୀଳ-ନୟନ ର ଗଭୀରତାରୁ କିଛି ବି ବାରି ପାରିଲିନି । ଓଲଟା ସେ ଆଖିରେ କେମିତି ଏକ ରହସ୍ୟମୟ ଭାବ । ଚୁପଚାପ ମୋ ବହି ବାହାରକାରି ମୁହଁ ଆଗରେ ତୋଳି ଧରିଲି । 

ବାପା- କଲେଜରୁ ଫେରି ଆସିବା ପରେ ସଙ୍ଗେ ସଙ୍ଗେ ଖାଇଦେଇ ଚିତ୍ରାଙ୍ଗଦାଙ୍କୁ ପଢେଇବା ପାଇଁ ତାଙ୍କ ପଢାଘରକୁ ଆସିଗଲେ। ବାପା ସଦାବେଳେ ଏମିତି। କୌଣସି ବି କାମ କରିବା ପାଇଁ ଥରେ ହଁ କରିଛନ୍ତି ମାନେ ତାକୁ ନିଷ୍ଠାର ସହ ପାଳନ କରିବେ। ସେଥିପାଇଁ ନିଜର ସୁଖ, ବିଶ୍ରାମ ବା ଆଳସ୍ୟ କୁ କେବେ ବି ସାମନାକୁ ଆସିବାକୁ ଦେବେନାହିଁ। ଚିତ୍ରାଙ୍ଗଦାଙ୍କୁ ପଢେଇବା ପାଇଁ ମଧ୍ୟ ଠିକ ସେଇ ମନୋଭାବ ଓ ବ୍ୟବହାର । କଲେଜରୁ ଆସି ବିଶ୍ରାମ ନେବେ କଣ ଓଲଟି ପଢେଇବାକୁ ଚାଲି ଆସିଲେ । ମାମା ଆସି ମତେ ମୋ ରୁମକୁ ଯିବା ପାଇଁ କହି ବିଶ୍ରାମ ନେବା ଉଦେଶ୍ୟରେ ଶୋଇବା ଘରକୁ ଚାଲିଗଲେ । ସେଇଦିନ ଠାରୁ ପଢିବା ର ମାଧ୍ୟମ ନେଇ ଚିତ୍ରାଙ୍ଗଦା ବାପାଙ୍କ ପଢାଘରକୁ ଅନାୟାସରେ ଯିବା ଆସିବା କରିବାକୁ ଲାଗିଲେ, ଯେଉଥିରେ କୌଣସି ନିର୍ଦ୍ଧିଷ୍ଟ ସମୟ ନିର୍ଘଣ୍ଟ ନଥିଲା । ବାପା ମଧ୍ୟ ବିନା ଦ୍ଵିଧାରେ ତାଙ୍କୁ ବେଳ-ଅବେଳ ଯେତେବେଳେ ସେ ଆସିଲେ ପଢେଇବାକୁ ବସିଯାନ୍ତି । ଏୟା ହେଲା, ଧୀରେ ଧୀରେ ନୀଳଞ୍ଜନା ବାପାଙ୍କ ପାଖଲାଗି ହେବାକୁ ଲାଗିଲେ ଯାହା ଆସ୍ତେ ଆସ୍ତେ ମୋ ମନ ମଧ୍ୟରେ କେମିତି ଏକ ପ୍ରତିଦ୍ଵନ୍ଦିର ଭାବନା ସୃଷ୍ଟି କରିଲା । । ମୋ ବାପା ମତେ ମୋର ପ୍ରତିଦ୍ଵନ୍ଦି ଭଳି ପ୍ରତୀୟମାନ ହେଲେ । ବାପଙ୍କର ଏପରି ନିଷ୍ଠାପର କର୍ମ ପ୍ରବଣତା ମତେ ଈର୍ଷାପରାୟଣ କରି ତୋଳିଲା । କିନ୍ତୁ ମୁଁ କାହାକୁ କିଛି କହି ପାରିଲିନି । କାରଣ ବାପାଙ୍କ ଚରିତ୍ର-ଆଦର୍ଶ ଓ ବିଚାରଧାରା ସହ ମୁଁ ଭଲ ଭାବରେ ପରିଚିତ । ତାହାହିଁ ତାଙ୍କ ବ୍ୟକ୍ତିତ୍ଵ । ଆଉ ଚିତ୍ରାଙ୍ଗଦା, ତାଙ୍କ ରହସ୍ୟମୟ ଭାବ ଓ ସୌନ୍ଦର୍ଜ୍ୟ ଆଗରେ ମୁଁ ପାଟି ଫିଟେଇ ପାରେନି । ଧୀରେ ଧୀରେ ମୋର ଅବିକଳ ଭାବ ମାମାଙ୍କ ମୁହଁ ରେ ବି ଦେଖିବାକୁ ପାଇଲି । ବିଶେଷକରି ପଢିବା ଆଳରେ ତାଙ୍କର ନିଜକୁ ପ୍ରଦର୍ଶିତ କରିବାର ଅହରହ ପ୍ରୟାସ ଓ କିଛିବି ବହାନା କରି ବାପାଙ୍କ ସାନିଧ୍ୟରେ ରହିବାର ପ୍ରକ୍ରିୟା ମାମାଙ୍କୁ ବୋଧେ ଅସ୍ଥିର ଓ ଅସୁରକ୍ଷିତ ଭାବନା ମଧ୍ୟକୁ ଠେଲି ଦେଉଥିଲା । ଜଣେ ଅପୂର୍ବ ସୁନ୍ଦରୀ ଯୁବତୀର ଏପରି ଦେହଲଗା ଓ ଘନିଷ୍ଟତା ଧୀରେ ଧୀରେ ପ୍ରଶାନ୍ତି କଲୋନୀର ପରିବେଶ ରେ ଭିନ୍ନ ଏକ ଗୁଞ୍ଜରଣ ର ମୂଳଦୁଆ ପକେଇ ସାରିଥିଲା ଯାହା ସଂପୂର୍ଣ୍ଣ ଆନ୍ଦନଗର କୁ ବବ୍ୟାପିଯିବା ପାଇଁ ବେଶୀ ସମୟ ଲାଗିଲା ନାହିଁ । କିନ୍ତୁ ମା-ପୁଅ ଆମେ କେହି କାହାକୁ କିଛି ବି କହି ପାରୁ ନା । ଧୀରେ ଧୀରେ ବସନ୍ତର ବିଦାୟ ସହ ବୈଶାଖର ଆଗମନ ସମସ୍ତ ପରିବେଶକୁ ମଧ୍ୟ ବଦଳେଇଦବାର ପ୍ରକ୍ରିୟା ଆରମ୍ଭ କରିସାରିଥିଲା। ମୁଁ ମଧ୍ୟ ସ୍ଵପ୍ନର ଅବିର ଭିତରୁ ବର୍ତ୍ତମାନ ର ଧୂସର ରଙ୍ଗ କୁ ଅନୁଭବ କରୁଥିଲି । 

=୫=

ସମୟର ଚାରିକାନ୍ଥ ମଝିରେ ଠିଆ ହେଇ ବର୍ତ୍ତମାନର ଦର୍ପଣ ରେ ନିଜକୁ ଦେଖିଲା ମାତ୍ରେ ଶିହିରୀ ଉଠିଲି- ବସନ୍ତର ଆବର୍ତ୍ତନ ରେ ‘କାଳ-ବୈଶାଖୀ’ର ଝାଞ୍ଜି ମୋ ସ୍ଵପ୍ନର ମିନାର କୁ ଧୂଳିସାତ କରିଦେଊଥିଲା । ଧୁ-ଧୁ ଖରାର ପ୍ରଚଣ୍ଡତା ସବୁକିଛି ଶ୍ରୀ-ହିନ କଲାପରି ମୋ ମନ-ପଲ୍ଲବରେ ଅଙ୍କୁରିଆସୁଥିବା ଅଙ୍ଗୁରୀଲତାକୁ ମାଡିମକଚି ଦେଲା। ଯୌବନ ର କବାଟ ସାମ୍ନାରେ ପାଦଥାପିବା ଆଗରୁ ବାଟରେ ସତେକି କେହି କଣ୍ଟା ବିଛେଇଦେଲା । ବସନ୍ତ-ବୈଶାଖ ର ଏ ତାଣ୍ଡବ ଭିତରେ ମୁଁ ମୋ ନିଜକୁ ଖୋଜୁଥିଲି, ଖୋଜୁଥିଲି ମୋର ଅନୁଭବ ଓ ଅନୁଭୂତି କୁ, ସ୍ଵପ୍ନ ଏବଂ ବାସ୍ତବତାକୁ । କିନ୍ତୁ କଳା ଅନ୍ଧାର ଛଡା ମୋ ଆଖି ଆଉ କିଛି ଦେଖି ପାରୁନଥିଲା , ଲାଗୁଥିଲା ସେଇ ଘନ ଅନ୍ଧାର ଭିତରେ ଆମେ ସମସ୍ତେ କିଏ କୁଆଡେ ହଜିଯିବୁ । ଆଉ ସେଇ ଘନ କୁଝଟ୍ଟୀକା କୁ ନେଇ ପୁଣିଥରେ ଆମଘରକୁ ଆସିଥିଲେ ମିଷ୍ଟର ଓ ମିସେସ ରାଏ । 

  ସେଇ ପ୍ରଥମ ଥରର ଆଗମନ ପରେ ଏହା ରାଏ ଦମ୍ପତ୍ତିଙ୍କ ଥିଲା ଦ୍ଵିତୀୟ ଆଗମନ, ଉଦେଶ୍ୟ କିନ୍ତୁ ଭିନ୍ନ । ସନ୍ଧ୍ୟାବେଳେ ବାପା-ମାମା ଓ ମୁଁ ଆମ ଘାସଲନ ରେ ବସି ଥଣ୍ଡା ପବନ ଓ ସନ୍ଧ୍ୟାର ମଜା ନେଉଛୁ, ଝିଅର ପାଠ ବିଷୟରେ ଏମିତି ବୁଝିବା ବାହାନାରେ ଦୁହେଁ ଅନ୍ୟ ଏକ ପ୍ରସ୍ତାବ ନେଇ ଆସିଥିଲେ । ସେମାନଙ୍କର ଆଗାମୀ ଚଳଚିତ୍ର୍ ପାଇଁ ଯେଉଁ କାହାଣୀ ଠିକ କରିଛନ୍ତି, ଧରାବନ୍ଧା ଚଳଚ୍ଚିତ୍ର କାହାଣୀଠାରୁ ସଂପୂର୍ଣ୍ଣ ଅଲଗା। ଖାଲି ଅଲଗା କହିଲେ ଠିକ ହେବନାହିଁ , ବରଂ ଓଡିଆ ଭାଷାରେ ଏମିତି ଛବିଟେ ଆଗରୁ ହେଇନି ବା କେହି ଏଭଳି କାହାଣୀ ଉପରେ ସିନେମା କରିବାକୁ କିଏ ସାହସ କରିବ । ଏଭଳି ସିନେମା ପାଇଁ ସାହାସ ଦରକାର ଓ ପ୍ରତି ପାଦରେ ରିସ୍କ ରହିଛି । କିନ୍ତୁ ଆମେ ଏ ଚାଲେଞ୍ଜ କୁ ଦ୍ରାହାନ କରିଛୁ ଓ ଏଇ କାହାଣୀକୁ ଚଳଚ୍ଚିତ୍ର ରୂପଦେବାକୁ ବଦ୍ଧପରିକର । ପୁରା ନୂଆ ମୁହଁ ନେଇ ପ୍ରଥମକରି ମିସେସ ରାଏ ନିର୍ଦ୍ଦେଶିକା ଭାବରେ ଅବତୀର୍ଣ୍ଣ ହେବେ । ତେଣୁ ଆପଙ୍କ ପାଖୁ ସହଯୋଗ ପାଇବା ଆଶାରେ ଆମର ଆଜିର ଆଗମନ । ମିସେସ ରାଏ କେମିତି ଏକ ସଯୋଗ ପରିବର୍ତ୍ତେ ଦାମ୍ଭିକ ଓ ଅନୁଗ୍ରହିତ କରିବାପରି ସ୍ଵରରେ କହୁଥାନ୍ତି । କଥା ଜାରି ରାଖୀ ମାମା ଆଡେ ଅନେଇ ସେ କହିଲେ- ମିସେସ ଭାରଦ୍ଵାଜ, କାହାଣୀ ଅନୁଯାୟୀ ମୁଁ ମୋ ଝିଅକୁ ଏଇ ଛବି ମାଧ୍ୟମରେ ଚଳଚ୍ଚିତ୍ର ଦୁନିଆରେ ପେଶ କରିବାକୁ ଚାହୁଁଛି ଆଉ ତା ବିପକ୍ଷରେ ମୁଖ୍ୟ ଚରିତ୍ର ଭାବରେ ମିଷ୍ଟର କାଶ୍ୟପ ସେ ଚରିତ୍ର ରେ ଅବତୀର୍ଣ୍ଣ ହୁଅନ୍ତୁ ବୋଲି ଆପଣ ମାନଙ୍କ ସହ ଆଲୋଚନା ପାଇଁ ଆସିଛୁ । ମୁଁ ଦେଖିଲି ଏଇ କଥା ପଦକ ଶୁଣିବା ମାତ୍ରକେ ମାମାଙ୍କ ମୁହଁ ରେ କେମିତି ଏକ ଆତଙ୍କିତ ଭାବ । ମୁଣ୍ଡ ଉପରେ ବୁନ୍ଦାବୁନ୍ଦା ଝାଳ । କିଛି କହିବାକୁ ଚହୁଁଛନ୍ତି, କିନ୍ତୁ ପାଟି ଖୋଲି ପାରୁ ନାହାନ୍ତି । ବାପା କିନ୍ତୁ ନିର୍ବିକାର । ସେମିତି ଶାନ୍ତ ଓ ସ୍ଥିର ହେଇ ଶୁଣୁଥାନ୍ତି । କାହାଣୀ ଓ ଚଳଚ୍ଚିତ୍ର ବିଷୟରେ ଆଗକୁ ବୁଝେଇବା ପୂର୍ବରୁ ମିସେସ ରାଏ ଙ୍କ ଇଶାରରେ ଶ୍ରୀମାନ ରାଏ ମତେ କହିଲେ-‘ ଯାଅ ମିତ୍ର, ଟିକେ ଦେଖି ଆସିବ ଚିତ୍ରା ଆମର କଣ କରୁଛି ‘। ମାମାଙ୍କ ମୁହଁ କୁ ଅନେଇଲି । କେମିତି ଏକ ଉଦାସ ଆଖିରେ ମତେ ଯିବା ପାଇଁ ସେ ସମ୍ମତି ସୂଚକ ଇଶାରେ ଦେଲେ । 

      କଲିଙ୍ଗବେଲ ବଜାଇବା ପୂର୍ବରୁ କିନ୍ତୁ ନୀଳଞ୍ଜନା ଚିତ୍ରାଙ୍ଗଦା ଦ୍ଵାର ମେଲେଇ ମତେ ଭିତରକୁ ଆସିବା ପାଇଁ ଇଙ୍ଗିତ କରୁଥାନ୍ତି । ମୁଁ ଭିତରକୁ ପଶିବା ମାତ୍ରେ କବାଟକୁ ତ୍ଵରିତ ବନ୍ଦ କରି ମୁଁ କିଛି ବୁଝିବା ପୂର୍ବରୁ ପଛଆଡୁ ମତେ ଖୁବ ଜୋରରେ ତାଙ୍କ ଦୁଇବାହୁ ମଧ୍ୟରେ ଜାକି ଧରିଲେ । ଅନୁଢା ଯୁବତୀର ଅଙ୍ଗସ୍ପର୍ଶରେ ମୋ ଦେହ ଭିତରେ ତୀବ୍ର ବିଜୁଳୀ ଖେଳିଗଲା । ଶରୀର ରେ ଅଜବ ଏକ ରୋମାଞ୍ଚ । ମୋ ଭିତର ର ସେ ପ୍ରେମ ଓ ଭଲପାଇବା ପୁଣି ମୁଣ୍ଡ ଟେକି ଠିଆ ହେଇଗଲା । ଭାବିଲି ବୁଲିପଡି ତାଙ୍କୁ ମୋ ବହୁ-ବନ୍ଧନରେ ଆବୋରି ନେବି । କିନ୍ତୁ ମୋ ସଂସ୍କାର, ବାପା-ମାଆଙ୍କ ଶିକ୍ଷା ଓ ଚରିତ୍ର ମତେ ରୋକି ଦେଲା । ମୁଁ ତାଙ୍କ ବନ୍ଧନରୁ ନିଜକୁ ଆସ୍ତେ ବାହାର କରିଆଣିଲି । ସେ କିନ୍ତୁ ପ୍ରଗଳଭ ।

ତାଙ୍କ ଶୟନ କକ୍ଷ ଭିତରକୁ ଟାଣି ନେଇ ମୋ ଗାଲରେ ସରୁ ଏକ ଚୁମ୍ବନ ଆଙ୍କିଦେଇ ଆଖି ମିଟମିଟ କରି ପଚାରିଲେ- ମିତ୍ର, ଡାଡି-ମମି ସାରଙ୍କୁ ରାଜି କରେଇ ଦେଲେ ନା ? ମୁଁ ନିଶ୍ଚିତ, ମମି ତାଙ୍କ ଇଚ୍ଛାକୁ ହାସଲ କରି ନେଇଥିବେ । ସାରଙ୍କୁ ରାଜି କରେଇ ନେଇଥିବେ । ପ୍ରକୃତରେ ମିତ୍ର, ସାର ବହୁତ ସ୍ମାଟ ଆଉ ହାଣ୍ଡସମ । କଲେଜରେ ଅନେକ ଅଧ୍ୟାପିକା, ଓ ମୋ ପରି ଅନୁଢା ଯୁବତୀଙ୍କ ରାଜକୁମାର। କିନ୍ତୁ ହାଏ, ମାଡାମ ଓ ତୁମକୁ ଦେଖିଲା ପରେ ସମସ୍ତଙ୍କ ଛାତିରୁ କେବଳ ଦୀର୍ଘ ନିଶ୍ଵାସ ବାହାରି ଆସେ । କେହି ବିଶ୍ଵାସ କରନ୍ତିନି ସାର ବିବାହିତ ଓ ତାଙ୍କର ତୁମପରି ଏଡେବଡ ପୁଅ ଅଛି ବୋଲି । ଓଲଟା ମତେ ଈର୍ଷା କରନ୍ତି ଏଇଥିପାଇଁ ଯେ ଆମ ଆଉ ତୁମ ଘର ଏକାଠି ଏବଂ ସାର ମତେ ଘରେ ପଢଉଛନ୍ତି । ରିଅଲି, ସାରଙ୍କ କ୍ଳାସରେ ମୁଁ କୁଆଡେ ହଜିଯାଏ, ଆନମାନା ହେଇଯାଏ, ପ୍ରକୃତିସ୍ଥ ନକରାଇଲେ ସେ ସ୍ଵପ୍ନ ଭିତରୁ ବାସ୍ତବ ରାଜ୍ୟ କୁ ଫେରି ପାରେନା । ସାରଙ୍କ ପଢାରେ ଗୋଟେ ନିଆରା ଢଙ୍ଗ, ବ୍ୟକ୍ତିତ୍ଵରେ ଅଜବ ଏକ ଆକର୍ଷଣ, ଯେଉଁଥିରେ ମୁଁ ଚୁମ୍ବକ ଭଳି ଟାଣି ହେଇଯାଏ । ମୁଁ ଠିକ କହୁଛି ନା? ଯେତେବେଳେ ମମି ତାଙ୍କ ନୂଆ ଚଳଚ୍ଚିତ୍ରରେ ମତେ ନାୟିକା ଭାବରେ ସୁନେପ୍ରେମୀଙ୍କ ଆଗରେ ଉପସ୍ଥାପିତ କରିବାକୁ ଚାହିଁଲେ, ମୋର ସେଇ ଗୋଟେ ଜିଦ ଥିଲା ମୁଁ ଗତାନୁଗତିକ ଫର୍ମୁଲା ଚିତ୍ରରେ ଅଭିନୟ କରିବିନି।ମୋ ପାଇଁ ଏପରି ଏକ କାହାଣୀ ଚୟନକର ଯାହା ବିଲକୁଲ ନୂଆ ଓ ଗତାନୁଗତିକ ଧାରାଠାରୁ ଏକଦମ ହଟିକରି ହେଇଥିବ। କେମିତି କେଜାଣି ଡାଡ଼ଙ୍କ ମୁଣ୍ଡରେ ଏଇ କାହାଣୀ ଆସିଲା, ଆମେ ମମି ଓ ମୁଁ ଅବାକ ହେଇଗଲୁ। ପୁରା ନୂଆ କନସେପ୍ଟ। ଜଣେ ବିବାହିତ ମଧ୍ୟବୟସ୍କ ପୁରୁଷକୁ ଏକ ଅନୁଢା ଯୁବତୀର ପ୍ରେମ, ଯିଏ ପାଗଲଭଳି ସେଇ ବିବାହିତ ପୁରୁଷକୁ ଭଲପାଉଛି ଓ ତାକୁ ପାଇବା ପାଇଁ ସେ ଯୁବତୀ କେଉଁ ସ୍ଥିତି ସୃଷ୍ଟି କରୁଛି ଓ କେଉଁ ହଦତକ ଯାଉଛି, ତାହା ନିଖୁଣ ଭାବରେ ଦର୍ଶା ଯାଇଛି। କାହାଣୀରେ ଜବରଦସ୍ତ ରୋମାନ୍ସ,ରୋମାଂଚ ଓ ଲୋମଟାଙ୍କୁରି ଦେବାପାରି କ୍ଳାଇମାକ୍ସ। ମାମା ପ୍ରଥମ କରି ନିର୍ଦେଶନା ଦେବେ, ଏଣୁ ମୋ ବିପକ୍ଷରେ ମଧ୍ୟବୟସ୍କ ସେଇ ନାୟକ ଚରିତ୍ର ପାଇଁ ଏକଦମ ଫ୍ରେଶ, ସ୍ମାର୍ଟ ଓ ସୁନ୍ଦର ସ୍ପୋଟିଭ ଚେହେରା ଥିବା ଜଣେ ପୁରୁଷକୁ ନେବା ପାଇଁ ମନସ୍ଥକରି ଅଡିଶନ ଉଦ୍ଧେଶ୍ୟରେ ବିଜ୍ଞାପନ ଦବାକଥା ଚିନ୍ତା କରୁଥିଲେ। କିନ୍ତୁ ମୁଁ ତାଙ୍କ ଚରିତ୍ରର ଚାହିଦା ଅନୁଯାୟୀ ସବୁ ଯୋଗ୍ୟତାଠାରୁବି ଅଧିକ ଯୋଗ୍ୟ ସାରଙ୍କ ଛଡା ଆଉ କିଏ ହେଇ ପାରେ। ତେଣୁ ଛବିର ନାୟକ ଚରିତ୍ରରେ ଶହଶହ ଯୁବତୀ ଓ ନାରୀଙ୍କ ହୃଦସ୍ପନ୍ଦନ ତଥା ମୋର ଡ୍ରିମ ନାୟକ ତୁମ ବାପା ଅର୍ଥାତ ମୋ ପ୍ରିୟ ସାରଙ୍କୁ ଅନୁବନ୍ଧିତ କରିବାପାଇଁ ପ୍ରସ୍ତାବ ଦେଲି, ପ୍ରସ୍ତାବ ନୁହେଁ, ବରଂ ବାଧ୍ୟ କରେଇଲି ଆଉ ସେମାନେ ମୋ ପ୍ରସ୍ତାବ ମାନିନେଇ ତୁମ ଘରକୁ ଯାଇଛନ୍ତି ସାର ଓ ମାଡ଼ାମଙ୍କୁ କନଭିନ୍ସ କରିବା ପାଇଁ। ମୁଁ ଜାଣିଚି, ମମି ସଫଳ ହେବେ। ନଚେତ ଆମେ ମାଆ-ଝିଅ ମିଶି ଯେମିତି ହେଉ ମିଷ୍ଟର କଶ୍ୟପଙ୍କୁ ରାଜି କରେଇନେବୁ, ବାଇ ଏନି ମିନ୍ସ।

               ମୁଁ ସମ୍ମୋହିତପରି ତାଙ୍କ କଥା କେବଳ ଶୁଣି ଯାଉଥାଏ ।ଅଠାକାଠି ପିଞ୍ଜରାର ଶୁଆଭଳି ତାଙ୍କ କଥା ଓ ପ୍ରଶ୍ନରେ ମୁଣ୍ଡ ହଲେଇବାଛଡ଼ା ମୋର ଚାରା ନଥିଲା।ମତେ ଲାଗିଲା ଅକ୍ଟୋପସ ର ହାତପରି ସେ ନିଲଞ୍ଜନା ଆମ ପରିବାରକୁ ଗ୍ରାସିବାକୁ ତାର କପଟପାଶ ମେଲେଇଧରିଛି। ଆଉ ସେ ଫାଶରେ ତାର ଇପ୍ସିତ ଶୀକାରକୁ ଖେଳେଇ ଖେଳେଇ ଧରିବାର ଆନନ୍ଦ ଉପଭୋଗ କରୁଛି।ଆଉ ତା ମାଆ, ଝିଅର ଶିକାରକୁ ତାର ମାୟାଜାଲରେ ବାନ୍ଧି ଆଣିବାର ପ୍ରହେଳିକା କରୁଛି। ମୋ ଆଖି ଆଗରେ ମମିଙ୍କ ନିରୀହ ଓ ନିଷ୍ପାପ ମୁହଁ ଭାସି ଉଠିଲା। ସତେ ଅବା ମମି ମତେ ପ୍ରଶ୍ନ କରିଛନ୍ତି- ତତେ ଜନ୍ମ ଦେଇ, ପନ୍ଦରବର୍ଷର ସଂସାର ପରେ ସତେ କଣ ତୋ ବାପାଙ୍କ ପୌରୁଷ ଓ ବ୍ୟକ୍ତିତ୍ୱ ପାଇଁ ମୁଁ ଯୋଗ୍ୟ ନୁହେଁ? ମୋ ପାଖରେ କେଉଁ ଜିନିଷର ଅଭାବ ରହିଗଲା ଯାହାର ସୁଯୋଗ ଅନ୍ୟମାନେ ନେବାକୁ ବ୍ୟଗ୍ର । ମୋ ଆଖି ଦୁଇଟା ଲୁହରେ ଜକେଇ ଆସିଲା । କଣ ବା ବୁଝେଇବି । ମତେ ଲାଗିଲା ଏସବୁ ଆଜି ମୋ ପାଇଁ ହେଇଚି।ମୋର ନିଲନୟନା ପ୍ରତି ଅହେତୁକ ଆକର୍ଷଣ ପାଇଁ ଆଜି ମୋ ମାଆ-ବାପାଙ୍କୁ ମୂଲ୍ୟ ଦେବାକୁ ପଡୁଛି। ମୋ ଇଛା ଓ ଖୁସି ପାଇଁ ଅନିଚ୍ଛାସତ୍ତ୍ୱେ ସେମାନେ ଚିତ୍ରାଙ୍ଗଦା ଓ ତାଙ୍କ ପରିବାରକୁ ଆମ ପରିଧି ଭିତରେ ପ୍ରବେଶ ଅନୁମତି ଦେଇଛନ୍ତି। ଏଣୁ ମତେ କିଛି କରିବାକୁ ହେବ। କିନ୍ତୁ ମୁଁ....... ଗୋଟେ ପନ୍ଦର ବର୍ଷର କିଶୋର କଣ କରିପାରିବି। ଏ ଖେଳ ଯେ ମୋ ପହଞ୍ଚର ବାହାରେ। ମୁଁ ନିଶ୍ଚଳ ଭାବରେ ଠିଆହୋଇ ରହିଲି।

               ମୋର ଏପରି ଭାବ ଓ ବ୍ୟବହାରରୁ ଚିତ୍ରାଙ୍ଗଦା କଣ ଅନୁମାନ କଲେ କେଜାଣି, ମତେ ସେମିତି ଆଳିଙ୍ଗନବଧ ମୁଦ୍ରାରେ ତାଙ୍କ ଶୋଇବା ଘର ଭିତରକୁ ଟାଣିନେଲେ। ମତେ ତାଙ୍କ ବେଡ଼ ଉପରକୁ ଜୋରରେ ଠେଲିଦେଇ ମୋ କାନ ପାଖରେ ଚୁପିଚୁପି କହିଲେ- ଜାଣ ମିତ୍ର, ବଡ଼ ଶିକାର ଧରିବାକୁ ହେଲେ ତାର ପରିଧିରେ ଥିବା ଅନ୍ୟ ଛୋଟବଡ଼ ସହଯୋଗୀଙ୍କୁ କଳେବଳେ ନିଜର କରିବାକୁ ପଡିବ । ସେମାନଙ୍କୁ ଖୁସି କରିବାକୁ ପଡିବ। ଥରେ ସେମାନେ ହାତ ମୁଠାକୁ ଆସିଗଲେ, ଅସଲ ଶିକାରକୁ ଧାରିବାଟା ବିଲକୁଲ ସହଜ ହେଇଯିବ । ମୁଁ ଜାଣିଚି, ତୁମେ ଏକାନ୍ତରେ ମୋର ସାନିଧ୍ୟ ଚାହଁ। ଏଇ, ଆଜି ସେ ସୁଯୋଗ, ନିଅ ଏ ସୁଯୋଗର ସଦବ୍ୟଭହାର କର। ହରିଆପ । 

                ସ୍ୱଳ୍ପଆଲୋକରେ ମତେ ହଠାତ ଚିତ୍ରାଙ୍ଗଦାଙ୍କ ମୁହଁ ଟା ଆଈମା କାହାଣୀର ଡ଼ାହାଣୀ ଭଳି ପ୍ରତୀୟମାନ ହେଲା । ଅପୂର୍ଵସୁନ୍ଦରୀ ରୂପ ଲୁଚିଯାଇ ସେଇ ଭୟଙ୍କର ରୁପ ମୋ ଆଗରେ ଛିଡା ହେଇଗଲା । ମତେ ଦେଖାଗଲା ସେ ନୀଳ ଆଖିଦୁଇଟାରୁ ନିଆଁ ବାହାରୁଚି। ହାତରେ ଲମ୍ବା ନଖ। ତାଙ୍କ ଲମ୍ବାଖୋଲା କେଶ ସବୁ ଭୟଙ୍କର ସର୍ପ ହେଇ ମତେ ଦଂଶିବାକୁ ଆସୁଛନ୍ତି।ଦେହସାରା ମୋର ଝାଳ। ମତେ ଲାଗିଲା କିଛି ସମୟପରେ ହୁଏତ ମୁଁ ପୁରା ପାଣିରେ ଗାଧେଇ ପଡିବି। ତଣ୍ଟି ଅଠା ଅଠା ଲାଗୁଥିଲା । ପାଟି କରିବାକୁ ଚେଷ୍ଟା କଲେ ମଧ୍ୟ ତୁଣ୍ଡ ଖୋଲୁ ନଥାଏ।ସେଇ ଝାପସା ଆଲୁଅରେ ଦେଖିଲି ମତେ ଗ୍ରାସ କରିବା ପାଇଁ ସେ ଡାହାଣୀ ନଇଁ ଆସୁଛନ୍ତି। କୌଣସି ଉପାୟରେ ସବୁ ଶକ୍ତି ଲଗେଇ ତାଙ୍କୁ ଜୋରରେ ଠେଲିଦେଲି।ମୋର ଏ ଅପ୍ରତ୍ୟାଶିତ ଧକ୍କା ପାଇଁ ସେ ପ୍ରସ୍ତୁତ ନଥିଲେ ବୋଧେ। ଜୋରରେ ଖଟ ବାଡ଼ରେ ପିଟି ହେଇଗଲେ। ଉଃ........ ତାଙ୍କ ପାଟିରୁ କଷ୍ଟ ଜନିତ ସାମାନ୍ୟ ଚିତ୍କାର ବାହାରି ଆସିଲା। ଆଉ ସେଇ ସୁଯୋଗରେ ମୁଁ ଏକମୁହାଁ ଘରକୁ ଯିବାପାଇଁ ବାହାର କବାଟ ଆଡେ ଦୌଡ଼ିଲି । ପଛରୁ ଖିଲି ଖିଲି ହସ ସହ ମୋ କାନରେ ବାଜିଲା- ମାଇଚିଆ।

=୬=


ଘରକୁ ଆସିଲାବେଳକୁ ସେମାନଙ୍କ ଆଲୋଚନା ସରି ଯାଇଥାଏ ବୋଧେ। ମତେଦେଖି ମିଷ୍ଟର ରାଏ ପଚାରିଲେ ଚିତ୍ରା କଣ କରୁଛି ମିତ୍ର? ଇଛା ହେଉଥିଲା କହିଥାନ୍ତି ସେ ଡାହାଣୀ ସମସ୍ତଙ୍କୁ ଗିଳିବା ପାଇଁ ନଖ ପଜଉଛି। ଧୀର ଭବରେ ଉତ୍ତର ଦେଲି ସେ ପଢିବାପାଇଁ ପ୍ରସ୍ତୁତ ହେଉଛନ୍ତି, ଏଣୁ ମୁଁ ଚାଲି ଆସିଲି। କାହିଁକି କେଜାଣି ମୋ ଏ ଉତ୍ତରରେ ମାମା ମତେ କଣେଇ ଚାହିଁ ହସିଦେଲେ। ମୁଁ ତାଙ୍କ ପଛ ପାଖକୁ ଚାଲି ଆସିଲି। ମିସେସ ରାଏ ଚା କପ ଟି-ପୟ ଉପରେ ରଖି ନିରାଶ ଓ ବିଷର୍ଣ୍ଣ କଣ୍ଠରେ କହିଲେ- 'ଉଏଲ ମିଷ୍ଟର ଆଣ୍ଡ ମିସେସ କାଶ୍ୟପ, ଆମେ ଏ ପ୍ରୋଜେକ୍ଟକୁ ଏବେ ବନ୍ଦ କରି ଦେଉଛୁ। ଆପଣ ରାଜି ହେଲେନି, ଚିତ୍ରାର ଏକା ଜିଦ ନାୟକ ଚରିତ୍ରରେ ଆପଣ କେବଳ ଅଭିନୟ କରିବାକୁ ରାଜି ହେଲେ ସେ ଅଭିନୟ କରିବା ଉପରେ ବିଚାର କରିବ। ଆଉ ସ୍କ୍ରିପ୍ଟ ବଦଳେଇ ମିତ୍ରଭାନୁକୁ ଅଭିନୟ ପାଇଁ ନବାକୁ ଚାହିଁଲେବି ଆପଣ ତା ପଢାପଢି ପାଇଁ ମନା କରୁଛନ୍ତି। ସୋ, ଆମେ ଆସୁଛୁ, କିନ୍ତୁ ମନେ ରଖନ୍ତୁ, ଆପଣ ପାଦପାଖୁ ଆସିଥିବା ଏକ ବିରାଟ ସୁଯୋଗକୁ ହାତଛଡା କରୁଛନ୍ତି। ହୁଏତ ପରେ ଭାବିଲେ ବା ଇଚ୍ଛାକଲେ ଏମିତିକା ଅବସର ଆସିବ ନାହିଁ। ଆମେ ଆସୁଛୁ।

                  ସେମାନେ ଆମ ଗେଟପାର ହେଇ ବାହାରକୁ ବାହାରୁଥିଲେ। ମତେ ଲାଗିଲା ବୈଶାଖର ଝାସ ଅପସରି ଯାଉଛି ଆଉ ଡାହାଣୀ ସୂର୍ଯ୍ୟ ଆଲୋକର ଆବିର୍ଭାବ ପୂର୍ବରୁ ତା ଫରୁଆ ଭିତରେ ପଶିଯିବା ପାଇଁ ବ୍ୟଗ୍ର ହେଉଚି। ମାମଙ୍କ ମୁହଁରେ ଦେଖିଲି ଏକ ଆତ୍ମତୃପ୍ତି ର ସ୍ମିତହାସ୍ୟ। ଆଉ ବାପାଙ୍କ ବ୍ୟକ୍ତିତ୍ୱ ଓ ଚରିତ୍ର ମୋ ଆଖି ଆଗରେ ଆହୁରି ଉଜ୍ଜ୍ୱଳ ହେଇଗଲା। ବାପା ଓ ମାମର ହାତଧରି ଆମେ ଘର ଭିତରକୁ ପାଦ ବଢ଼େଇଲୁ। ଦୂର କେଉଁ ମାଇକ ରୁ ଭାସି ଆସୁଥିଲା-

               "ଛୋଟ ମୋର ଏଘର, ଛୋଟ ମୋ ସଂସାର"


Rate this content
Log in

Similar oriya story from Romance