Rabindra Mishra

Tragedy

3  

Rabindra Mishra

Tragedy

"ଦ୍ଵନ୍ଦ୍ୱ"-ଜୀବନର ଦୋ-ଛକିରେ

"ଦ୍ଵନ୍ଦ୍ୱ"-ଜୀବନର ଦୋ-ଛକିରେ

4 mins
512


ନଦିଖଣ୍ଡି ବାଲିଉପରେ ବସି ନୀଳଚକ୍ର ଆକାଶକୁ ଚାହିଁଥିଲା । ସଂଧ୍ୟାନତ ଆକାଶରେ ଟିକି ଟିକି ତାରାଗୁଡା ଆଖିମିଟିକା ମାରୁଥିଲେ । ଆଖିମିଟିକା ମାରି ତାକୁ ବିଦ୍ରୂପ କରୁଥିଲେ । ଉପହାସ କରୁଥିଲେ ତାର ଅସହାୟତାକୁ । ନଈ କୂଳରେ ବହୁଥିବା ସୁଲୁସୁଲିଆ ପବନ କିରିକିରି ହସୁଥିଲା ତାର ଏଇ ସିଦ୍ଧାନ୍ତ ଗ୍ରହଣ କରି ପାରୁନଥିବା ମାନସିକତା ପାଇଁ । ଆଖି ଫେରେଇ ଚାରିଆଡେ ଚାହିଁଲା ନୀଳଚକ୍ର । ହାତରେ ହାତ ଛନ୍ଦି କେଡେ ଆନନ୍ଦରେ ବୁଲୁଛନ୍ତି ପ୍ରେମୀ-ଯୁଗଳ । ଆଉକିଛି ପିଠିକୁ ପିଠିରେ ଦେଇ ଦେହର ଉଷ୍ମତା ମାପୁଛନ୍ତି ବୋଧେ । ସେଇ କିଛିଦୂର ଏକାନ୍ତରେ ପ୍ରେମିକାର କୋଳରେ ମୁଣ୍ଡରଖି ପ୍ରିୟତମ ତାର ସ୍ୱପ୍ନ-ବିଭୋର । 

ଆଖି ଫେରେଇ ଆଣିଲା ସେ । ବାଲି ଉପରେ ଅନାବନା ଗାର କାଟୁକାଟୁ ନିଜକୁ ନିଜେ ପଚାରୁଥିଲା-ସେ କଣ କରିବ । ଜୀବନର ଏଇ ଦୋଛକିରେ ସେ ସଠିକ ରାସ୍ତା କେମିତି ବାଛିବ? ମୁଣ୍ଡ ତାର ଝିମଝିମ କରି ଉଠିଲା । ଅଫିସରୁ ଘରକୁ ନଫେରି ଚାଲି ଆସିଛି ଏଇ ନଦୀ କୂଳକୁ ଟିକେ ଶାନ୍ତି ପାଇବା ପାଇଁ, ନିଜ ଅସହାୟତା ଉପରେ ବିଜୟ ପ୍ରାପ୍ତି ପାଇଁ । ହେଲେ ଏଠି ପହଁଞ୍ଚିଲା ପରେ ସେ ଅନୁଭବ କରୁଛି ଯେ ସେ ଆହୁରି ଆହୁରି ଜିଜ୍ଞାସା କୁହୁଡି ଭିତରେ ବାଟ ବଣା ହେଇ ଯାଉଛି । ମୁଣ୍ଡଟେକି ଚାହିଁଲା । ତାରା ମାନେ ଉଜ୍ଜ୍ୱଳ ଦିଶିଲେଣି । କିନ୍ତୁ ତା ଭିତରର ଚିନ୍ତା ଗୁଡା ଅଡୁଆ ସୁତା ପରି ଗୁଡେଇ ହେଇ ଯାଉଛନ୍ତି । 

ବାଲି ଉପରେ ଚିତ ହୋଇ ଶୋଇଗଲା ନୀଳଚକ୍ର । 'ମା'ତେଣେ ବ୍ୟସ୍ତ ହେଇଯିବଣି । ଦାଣ୍ଡରୁ ବାଡ଼ି , ବାଡ଼ିରୁ ଦାଣ୍ଡ ହେଉଥିବ । ନହେଲେ ଘର ଆଗ ଲୁହାଗେଟରେ ଠିଆ ହୋଇ ବାରମ୍ବାର ରାସ୍ତାକୁ ଚାହୁଁଥିବ- ସତେ ଅବା ସେ ସ୍କୁଲଫେରନ୍ତା ସାନ ପିଲାଟେ । କେତେଥର ନୀଳଚକ୍ର କହିଛି-ମୁଁ ସରକାରୀ ଦପ୍ତରୀଟେ ମା, ସ୍କୁଲପିଲା ନୁହେଁ । ସବୁଦିନେ ନିର୍ଦ୍ଦିଷ୍ଟ ସମୟରେ ଫେରିବା ସମ୍ଭବ ନୁହେଁ । ମା କିନ୍ତୁ ନଛୋଡବନ୍ଧା । ହାଡ଼ି ଦେଇ କହିବ- ତୁ ଯେତେ ବଡ଼ ହେଲେବି ମୋ ଆଖିରେ ସେଇ ପେଣ୍ଟ ଗଳି ପଡୁଥିବା ଖାଇ ଜାଣିନଥିବା ଅଝଟିଆ "ନୀଳ" । ତୁ ଘରକୁ ନଫେରିଲା ଯାଏ କେମିତି ଲାଗେ ତୁ ନିଜେ ବାପା ହେଲାପରେ ବୁଝି ପାରିବୁ । ବାପା ମା ପିଲା ଘରକୁ ନଫେରିଲା ଯାଏ କେତେ ଯେ ଦୁଶ୍ଚିନ୍ତା ଭିତରେ ରହିଥାନ୍ତି, ସେ କଥା ତୁ ବୁଝି ପାରିବୁନି । ମୁଁ ଭାବେ ଏଇଟା ଠିକ ସମୟ, ମାଆକୁ 'ବିନି' ବିଷୟରେ କହିବା ପାଇଁ । କିନ୍ତୁ ଠିକ ସେତେବେଳେ ମୋ ତଣ୍ଟିକୁ କିଏ ଜାବୁଡି ଧରେ । କହିବାକୁ ଥିବା କଥା ଗୁଡା ସେଇଠି ଅଟକି ଯାଆନ୍ତି । ଯେତେ ଚେଷ୍ଟା କଲେବି ସାହସ ପାଏନାହିଁ । ଅଦୃଶ୍ୟ ଶକ୍ତି ତା ମୁହଁ ବନ୍ଦ କରିଦିଏ । କଣ କହିବି ସେ ମା କୁ? ମୁଁ ବିନିତାକୁ ଭଲ ପାଏ । ଆମେ ବିବାହ କରିବାକୁ ଚାହୁଁଚୁ । ତେଣୁ ତୁ ଶୀଘ୍ର ଆମ ବିବାହ କରେଇ ଦେ, ନଚେତ..........

ନଚେତ କଣ କରିବୁ? ତାକୁ ଲାଗେ ତା ଅନ୍ତର ଭିତରୁ ବିବେକ ଯେପରି ଚିହିଁକି ଉଠି ପଚାରେ- ନଚେତ ଧରି ପଳେଇବୁ, କୋର୍ଟରେ ବାହା ହେଇ ପଡ଼ିବୁ, ଘରୁ ଅଲଗା ହେଇଯିବୁ, ଏୟାତ । ଥରେ ଭାବିଦେଖ- ଏଇ ମା ତୁମ ଭାଇ-ଭଉଣୀ ବାପଛେଉଣ୍ଡ ଦିଟାଙ୍କୁ ମଣିଷ କରିବା ପାଇଁ କଣ ନକରିଛି? । ଦୁନିଆର ସବୁ ଟାହି ଟାପରାକୁ ସହି ତୁମକୁ ବଡ଼ କରିଛି । ତୋ କିରାଣୀ ଚାକିରୀ ଖଣ୍ଡକ ପାଇଁ ଜୀବନର ଏକମାତ୍ର ସମ୍ବଳ ମାଣ କ ଜମି ବିକିଦେଇଛି ଏଇ ଆଶାରେ ଯେ ପୁଅ ଚାକିରୀ କଲେ ସବୁ ଦୁଃଖ ଦୂର ହେଇଯିବ । ତେଣେ ବଢ଼ିଲା ଭଉଣୀ ମୁଣ୍ଡ ଉପରେ । ତା ବାହାଘର ପାଇଁ ମା କେତେଥର ତତେ କହିଲାଣି ଯେ ଭଲ ପିଲାଟିଏ ଦେଖି ହାତ ରୁ ଦି ହାତ କରିଦବା । ତା ଦାୟିତ୍ୱ ସାରିଲେ ତୁ ତ ପୁଣି ଘର ସଂସାର କରିବୁ ନା ଏମିତି ବାବନା ଭୂତ ପରି ବୁଲୁଥିବୁ । ବିଧବା ମା ଭଉଣୀ ଯାହାର ଅନ୍ୟ ଆଶ୍ରା ନାହିଁ ଯିଏ ସବୁ କିଛି ତୋ ପାଇଁ ବାଜି ଲଗେଇ ଦେଇଛି, ତାକୁ ଛାଡି ଚାଲିଯିବୁ । ଏ ଦୁନିଆ ତୋତେ କୃତଘ୍ନ କହିବ । ଜୀବନ ଯାକ ସେଇ ଅପବାଦରେ ଘାଣ୍ଟି ହେବୁ । 

ବିଚରା ନୀଳଚକ୍ର, କିଛବି ନିଷ୍ପତ୍ତି ନେବା ପୂର୍ବରୁ ସ୍ୱାର୍ଥପର ମନଟା ଖିଙ୍କାରୀ ଉଠି କହେ-କଣ ସୁପୁତ୍ର ହେଇ ଉଦାହରଣ ସାଜିବୁ । ରାମଚନ୍ଦ୍ରଙ୍କ ପରି ଆଦର୍ଶ ଓ ତ୍ୟାଗର ପ୍ରତୀକ ହେବୁ । ସବୁ ବକବାସ । ଆପେ ବଂଚିଲେ ବାପର ନାଁ । ଏଇ ତ୍ୟାଗ ଆଦର୍ଶ ଦେଖେଇ କିଏ ସ୍ୱର୍ଗ ଗଲାଣି । ଗାନ୍ଧୀ-ପଟେଲଙ୍କ ଆଦର୍ଶର ମୂଲ୍ୟ ଆଜି କେଉଁଠି? ସବୁ ଧପାବାଜି । କାଇଁ ବନିତାକୁ ପ୍ରେମ କଲାବେଳେ, ତା ପ୍ରେମରେ ଦୋଳି ଖେଳିଲାବେକେ ଏଗୁଡା କେଉଁଠି ଥିଲେ? ଥରେ ଭାବି ଦେଖ- ବିନିତା ଓ ତୋ ପ୍ରେମ କଥା ସମସ୍ତେ ଜାଣିଲେଣି । ଅଫିସ ଠାରୁ ସହକର୍ମୀ, ଡିପାର୍ଟମେଣ୍ଟରୁ ଡିପାର୍ଟମେଣ୍ଟ୍ ଏପରିକି ତାଙ୍କ ଘରେ ବି ଜାଣିଲେଣି । ଭାବିପାରୁଛୁ- ଗୋଟେ ଝିଅର ନାମ ସହ ଥରେ ଗୋଟେ ପୁଅର ନାଁ ଯୋଡି ହୋଇ ଯିବା ହେଇଗଲା ପରେ ସେ ଝିଅର ଅବସ୍ଥା କଣ ହେବ? ଏଣୁ ସେ ଆଦର୍ଶ ତ୍ୟାଗ ଛାଡ଼, ବିନିତା ସହ ବାହାଘରର ଦିନ ଠିକ କର । ସେଇଥିରେ ତୋର ମଙ୍ଗଳ । ନହେଲେ ଆଜି ଭଉଣୀ ବାହାଘର, କାଲି ମାର ଦେହ ପା, ତାପରେ ଭଣଜା ଭାଣିଜୀ ଏମିତି ଲମ୍ବି ଚାଲିବ । ସେ ସବୁ କରୁ କରୁ ତୁ ବୁଢା ହେଇଯାଇଥିବୁ । 

ନୀଳଚକ୍ରର ଦେହଟା ଝାଳରେ ଭିଜି ଗଲା । ତଣ୍ଟି ଶୁଖିଗଲା ପରି ଲାଗିଲା । କଣ କରିବ ସେ । କେଉଁ ରାସ୍ତାରେ ଯିବ । ଆଖି ଆଗରେ ମା-ଭଉଣୀ ଭାସିଉଠିଲେ । ତାକୁ ଲାଗିଲା ଯେପରି ସାନ ଭଉଣୀ କହୁଛି- ତୋ ହାତରେ ରାଖୀ ବାନ୍ଧି ଦେଇ ମୋ ଜୀବନ ଟା ତୋ ହାତରେ ଟେକି ଦେଇଛି ଭାଇ । ତୁ ଏକା ମୋ ସାହା ଭରସା । ତୁ ଛାଡିଦେଲେ ମୁଁ କୁଆଡେ ଯିବି । ମାକୁ ଚାହିଁଲା ସେ । ମା ଯେମିତି କହୁଛି- ତୋତେ ମଣିଷ କରିବା ପାଇଁ ସବୁ କିଛି ବାଜିରେ ଲାଗେଇଦେଇଛିରେ ବାପ । ଏବେ ତୁ ଝଙ୍କା ଗଛ । ତୋ ଛାଇ ଛାଡି ଏ ବୁଢୀଟା କୁଆଡେ ଯିବ । ନୀଳଚକ୍ରର ଆଖି ଦିଟା ଓଦା ହେଇଗଲା । ସତେତ- ସେଇ ଗୋଟିଏ ଆଶାରେ ମା ସବୁ କଷ୍ଟକୁ ଦାନ୍ତ କାମୁଡି ସହି ଯାଇଛି । ଆଜି ଏସମୟରେ ତାଙ୍କୁ ଛାଡିଦେଲେ ଧର୍ମ ଦ୍ରୋହୀ ହେବ । 

ମୋ କଥା କଣ ଚିନ୍ତାକଲ? ତାକୁ ଲାଗିଲା ବିନିତା ଏକାଡେ ଠିଆ ହୋଇ ତା ପ୍ରଶ୍ନର ଉତ୍ତର ମାଗୁଛି । ନିମ୍ନ ମଧ୍ୟବିତ୍ତ ପରିବାରର ଏକମାତ୍ର ଚାକିରିଆ ଝିଅ । ବୁଢା-ବୁଢ଼ୀ ବାପା ମାଙ୍କ ସବୁ ଅଶାଭାରସା । ବାପମା ସେଇ ଗୋଟିଏ ସର୍ତ୍ତ ରଖିଛନ୍ତି ଯେ ଝିଅ ହାତ ଯିଏ ଧରିବ ସେ "ଘରଜ୍ୱାଇଁ" ହେଇ ରହିବ । ଝିଅ ଦେଇ ସେ ଘରକୁ ପୁଅ ଆଣିବେ, ଯିଏ ତାଙ୍କ ସେବା ଟିକେ କରିବ । ମଲାବେଳେ ପାଣିଟିକେ ମୁହଁରେ ଦେବ । ବିନିତା କହୁଥିଲା- ପ୍ରତିଦିନ ପ୍ରସ୍ତାବ ଆସୁଛି, ସେ କିନ୍ତୁ ବାହାନା କରି ସବୁ ଭାଙ୍ଗି ଦେଉଛି । ତା ଛଡା ସେ ଆଉ କାହା ସହ ଜୀବନ କେମିତି ବିତେଇ ପାରିବ । ଅନ୍ୟ କାହା ହାତ ଧରିଲେ ତାଙ୍କ ପ୍ରେମରୁପି ଅତୀତଟା ସଦାବେଳେ ପ୍ରଶ୍ନ ବାଚି ହେଇ ଠିଆ ହେବ । ଏଣୁ ସେ ବିବାହ ଦିବସ ଶୀଘ୍ର ନିର୍ଣ୍ଣୟ କରୁ । 

ନୀଳଚକ୍ରକୁ ଲାଗିଲା ସେ ପାଗଳ ହେଇଯିବ । ଗୋଟେ କଡେ ମା-ଭଉଣୀଙ୍କ ପାଇଁ କର୍ତ୍ତବ୍ୟର ଆହ୍ୱାନ, ଆଉ ଗୋଟେ କଡେ ଭଲପାଇବାର ମୂଲ୍ୟ- କେଉଁଟାକୁ ସେ ଗୁରୁତ୍ୱ ଦେବ, ଏଣେ ମାରିଲେ ଗୋ ହତ୍ୟା, ତେଣେ ମାରିଲେ ବ୍ରହ୍ମହତ୍ୟା । ଗୋଟେ କଡେ ପୁତ୍ରର କର୍ତ୍ତବ୍ୟ, ଭାଇର ଦାଇତ୍ୱ, ଅନ୍ୟପଟେ ପ୍ରେମ ପାଇଁ ମୂଲ୍ୟ । ସେ କାହାକୁ ରଖିବ, କାହାକୁ ଛାଡିବ- କିଛିବି ବୁଝି ପାରୁନଥିଲା । ଦୁଇ ପକ୍ଷ ନିଜ ଜାଗାରେ ସଠିକ ଓ ନୀତିନିର୍ଦିଷ୍ଟ ଥିଲେ । କେବଳ ସେ ହିଁ ଏ ଦୋଛକିରେ ଠିଆ ହେଇ ଅସହାୟ ପରି ଦେଖୁଚି । 

ନୀଳଚକ୍ର ଝଡ଼ିଝୁଡ଼ି ହେଇ ଠିଆ ହେଲା । ଇଛା ହେଲା କବୁବିଜୋରରେ କାନ୍ଦନ୍ତା । ଜୀବନର ଏ ଦୋ ଛକିରୁ ଉଦ୍ଧର ପାଇଁ ବାଟ ଖୋଜନ୍ତା । ନିଃସହାୟ ମଣିଷ, ଯେତେବେଳେ ସବୁ ଆଶା ହରେଇ ଦିଏ, ସେତେବେଳେ ଆପେ ହାତ ଉପରକୁ ଉଠିଯାଏ । ପରାହତ ସୈନିକ ପରି ହାତ ଦୁଇଟି ଉପରକୁ ଟେକିଦେଲା ସେ । ଆକାଶର ତାରା ମାନେ ସତେ ଅବା ତାକୁ ସମବେଦନା ଜଣାଉଥିଲେ । ସେ ଘର ଆଡ଼କୁ ପାଦ ବଢ଼େଇଲା । 



Rate this content
Log in

Similar oriya story from Tragedy