ବେତ
ବେତ
ଏବେ ଉତ୍ତର ବୟସରେ ରିଟାୟାରର ଦିନ ଗଣୁଥିବା ମନଟା ବେଳେ ବେଳେ ଛାଡି ଆସିଥିବା ସେଇ ପିଲାଦିନର ସ୍ମୃତି ଗୁଡାକୁ ମନ ଦର୍ପଣରେ ମେଲେଇ ଦେଲାବେଳେ ସେଗୁଡା ଗୋଟେ ପରେ ଗୋଟେ ଏମିତି ଆଖି ଆଗରେ ନାଚି ଯାଆନ୍ତି ଯେ ଲାଗେ ଚଳଚ୍ଚିତ୍ର ବି ଏହା ଆଗରେ ଫିକା ପଡିଯିବ । କେତେ ରଙ୍ଗ, କେତେ ରସ, ମାନ-ଅଭିମାନ, ସତରେ ବାଲ୍ୟ ସ୍ମୃତି ଓ ଅନୁଭୂତି ପିକାସୋ ଙ୍କ ଚିତ୍ର ଠାରୁ ଢେର ସୁନ୍ଦର ଓ ପ୍ରେରଣାଦାୟୀ । କିଏ ମାନୁ ବା ନମାନୁ ମୁଁ କିନ୍ତୁ ଏହା ସହିତ ସମ୍ପୂର୍ଣ୍ଣ ଏକମତ। ମନେ ପଡେ କିଶୋର କୁମାରଙ୍କ ସେ ଅଭୁଲା ଗୀତର ଧାଡି- "କୋଇ ଲୌଟାଦେ ମେରେ ବିତେ ହୁଏ କଲ" । ଯାହା ଯାଇ ସାରିଛି ଫେରେଇ ତ ଆଣିହେବନି, କିନ୍ତୁ ସେଇ ବିଗତ ସ୍ମୃତିର ମହକ, ଏଇ ସାୟାହ୍ନ ବୟସରେ ବଞ୍ଚିବାର ଖୋରାକ ଯୋଗାଉଛି ନିଶ୍ଚୟ ।
ସେମିତି ଦିନେ ରବିବାରରେ ମଧ୍ୟାହ୍ନ ଭୋଜନ ସାରି ମୋ ପଢା ଟେବୁଲ ପାଖରେ ବସି ସେଦିନର ଖବର କାଗଜ ଓଲଟାଉ ଥିଲି। ହଠାତ ଗୋଟେ ଛୋଟ ଖବର ଉପରେ ଆଖି ଅଟକି ଗଲା । ଶୀର୍ଷକ ଥିଲା- "ଶିକ୍ଷକଙ୍କ ପଞ୍ଚମ ଶ୍ରେଣୀର ଛାତ୍ରଙ୍କୁ ଦଣ୍ଡ ସ୍ୱରୂପ ଚପୋଟଘାତ ର ପ୍ରତିବାଦରେ ଅଭିଭାବଙ୍କ ଶିଶୁ ସୁରକ୍ଷା ସମିତିରେ ନାଲିସ"। ଖବରଟାକୁ ଚାରି-ପାଞ୍ଚ ଥର ମୂଳରୁ ଶେଷ ପର୍ଯ୍ୟନ୍ତ ପଢ଼ିଲି । ନିଜେ ଜଣେ ମହାବିଦ୍ୟାଳୟ ର ଶିକ୍ଷକ ହିସାବରେ ସାଥୀର୍ଥଙ୍କ ପାଇଁ ମନଟା ଉଦାସ ହେଇ ଗଲା । ବର୍ତ୍ତମାନର ଛାତ୍ରଛାତ୍ରୀ ଓ ସେମାନଙ୍କ ବ୍ୟବହାର ତଥା ହବଭାଵ ଯେ କେଉଁ ସ୍ତରରେ ପହଂଚିଛି, ତାହା ନକହିବା ଭଲ । ଭୟ ଶୁନ୍ୟ, ଦଣ୍ଡମୁକ୍ତ ବ୍ୟବସ୍ଥା ଶ୍ରେଣୀ ଶୃଙ୍ଖଳା ଓ ପରିଚାଳନାକୁ କିପରି ପ୍ରଭାବିତ କରୁଛି, ତାହା ନଦେଖିଲେ ବିଶ୍ୱାସ ହେବନି । ଏଣୁ ଶିକ୍ଷକଙ୍କ ପ୍ରତି ସମବେଦନାରେ ଛାତିରୁ ଦୀର୍ଘ ନିଶ୍ଵାସଟେ ବାହାରି ଆସିଲା। ସେ ଠିକ କରିଛନ୍ତି କି ଭୁଲ, ଏଇ ଦ୍ଵନ୍ଦ ଭିତରେ ମୁଁ କେତେବେଳେ ମୋ ପିଲାଦିନର ସ୍ମୃତି ଭିତରକୁ ଧସେଇ ପଶି ଯାଇଥିଲି, ଜାଣିପାରିଲି ନାହିଁ।
ବୁଧବାର, 20ଜୁନ 1973 ମସିହା।ମୋ ସ୍କୁଲରେ ପ୍ରବେଶ ଦିବସ।ଢେଙ୍କାନାଳ ଜିଲ୍ଲାର ପୋଲିସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାପା ନେଇ ମୋ ନାଁ ଲେଖେଇଦେଲେ। ସେ ସମୟରେ ଆଜିଭଳି ଭଳିକି ଭଳି ଇଂରାଜୀ ମିଡିୟମ ସ୍କୁଲର ପ୍ରବଲ୍ୟ ନଥିଲା। ସରକାରୀ ବିଦ୍ୟାଳୟ ହିଁ ଏକ ମାତ୍ର ମାଧ୍ୟମ । ଢେଙ୍କାନାଳ ପରି ଅପେକ୍ଷାକୃତ ଛୋଟ ଜିଲ୍ଲାରେ ଶିକ୍ଷା ସମ୍ପୂର୍ଣ୍ଣ ସରକାରୀ ଅନୁଷ୍ଠାନ ଉପରେ ନିର୍ଭରଶୀଳ। ଛୋଟ ଟାଉନ ରେ ତିନିଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ପୋଲିସ ଉ:ପ୍ରା: ବିଦ୍ୟାଳୟକୁ ମୁଁ ଏଇଥି ପାଇଁ ବାଛିଲି ଯେ ବଡ଼ ଭାଇ ଭଉଣୀ ପଢିଥିବା ଜର୍ଜ ସ୍କୁଲ ଠାରୁ ଭିନ୍ନ ଏକ ପରିବେଶରେ ମୁଁ ପଢିବି।ଏଣୁ ଟିକେ ଡେରିରେ ଆଠ ବର୍ଷ ବୟସରେ ସିଧା ତୃତୀୟ ଶ୍ରେଣୀରେ ମୋର ନାମ ଲେଖିବା ପାଇଁ ଘରେ ସ୍ଥିର କଲେ ।
ସେଇ ଅନୁଯାୟୀ ବାପା ସାଥିରେ ନେଇ ପୋଲିସ ସ୍କୁଲରେ ପହଂଚି ଗଲେ। ମାଟିଆ ବେଗରେ ବହି ଖାତା ସହ ବାପାଙ୍କ ହାତଧରି ସ୍କୁଲରେ ପହଂଚି ଗଲି। ବାପା ପ୍ରଧାନ ଶିକ୍ଷକଙ୍କ ପ୍ରକୋଷ୍ଠକୁ ନେଇ ଗଲେ। ଦେଖିଲି ପଞ୍ଚମ ଶ୍ରେଣୀର ପିଲାମାନେ ସେଇ କୋଠରୀରେ ବସୁଛନ୍ତି। ଧୋତି-କୁର୍ତ୍ତା ପିନ୍ଧା ପାନ ଖିଆ ନାଲି ପାଟିରେ ସେ ସାହିତ୍ୟ ପଢାଉଛନ୍ତି । ଆମକୁ ଦେଖି ପ୍ରକୋଷ୍ଠ ଭିତରକୁ ଆମନ୍ତ୍ରଣ ପୂର୍ବକ ବାପାଙ୍କ ସହ ଆଲୋଚନା କଲାବେଳକୁ ମୋ ଆଖି ଟେବୁଲ ଉପରେ ଥିବା "ବେତ" ଉପରେ ଥାଏ। ମଝିରେ ମଝିରେ ପ୍ରଧାନ ଶିକ୍ଷକ ସେ ବେତକୁ ଟେବୁଲ ଉପରେ ଜୋର ରେ ପିଟି ଦେଇ ଏଇ, ଚୁପ ରୁହ, ନହେଲେ ପିଠିରୁ ଛାଲ ଉତାରି ଦେବି ବୋଲି ଉଚ୍ଚ ସ୍ୱରରେ କହୁଥାନ୍ତି। ବେତର ସେ ଶବ୍ଦ ଓ ପ୍ରଧାନ ଶିକ୍ଷକଙ୍କ ଧମକ ମୋ ଭିତରେ କିପରି ଏକ ଭୟ ସୃଷ୍ଟି କରି ସାରି ଥାଏ। ମୁଁ ଭୟରେ ବାପାଙ୍କ ହାତକୁ ଜାବୁଡି ଧରିଲି। ନାମଲେଖା ସାରି ପ୍ରଧାନ ଶିକ୍ଷକ ଚଷମା ଭିତରୁ ମୋ ଆଡ଼କୁ ଚାହିଁ ମୁରୁକି ହସିଦେଇ କହିଲେ- ଡରି ଯାଉଛୁ କି? ଭୟର କୌଣସି କାରଣ ନାହିଁ । ନିୟମିତ ସ୍କୁଲ ଓ ଠିକ ଠିକ ପାଠ ପଢିଲେ ଦଣ୍ଡ ନାହିଁ । ଯିଏ ସେଥିରେ ଖିଲାପ କରିବ ତା ପାଇଁ ଏଇ ବେତ ଯଥେଷ୍ଟ। ବାପାଙ୍କୁ ଇସାରାରେ ଯିବାକୁ କହି ସେ ମୋ ହାତ ଧରି ତୃତୀୟ ଶ୍ରେଣୀ ଆଡ଼କୁ ଚାଲିଲେ। ଗାଈ ସାଙ୍ଗେ ବାଛୁରୀ ଗଲା ଭଳି ମୁଁ ଟାଣି ହୋଇ ତାଙ୍କ ସହ ଚାଲିଲି। ମୋତେ ସେତେବେଳକୁ ଭୀଷଣ କାନ୍ଦ ଲାଗୁଥାଏ, ହେଲେ ଚାପିଦେଇ ଚାଲିଲି।
ତୃତୀୟ ଶ୍ରେଣୀର ଶ୍ରେଣୀ ଶିକ୍ଷକ ଯିଏକି ପ୍ରଧାନ ଶିକ୍ଷକଙ୍କ ପରି ପୋଷାକ ପିନ୍ଧିଥାନ୍ତି, ହାତରେ ଏକ ଲମ୍ବା ବେତ ଧରି ପ୍ରଧାନ ଶିକ୍ଷକଙ୍କ ପାଖରୁ ମୋ ହାତ ଧରି ଶ୍ରେଣୀକୁ ନେଇଗଲେ । ହାତରେ ସେ ବେତ ଦେଖି ମୋ ଆଖିରେ ଲୁହ ଜମିବାକୁ ଆରମ୍ଭ କରିଦେଇ ଥାଏ। ମୋ ଆଖି କେବଳ ସେଇ ବେତ ଉପରେ ଥାଏ। ସାର ନା ଘର ବହି ଖାତା ଏମିତି କିଛି ସାଧାରଣ ପ୍ରଶ୍ନ ପଚାରୁଥାନ୍ତି। ମୁଁ ଡରି ଡରି ବଡ଼ କଷ୍ଟରେ କାନ୍ଦ କାନ୍ଦ ସ୍ୱରରେ ସେ ସବୁର ଉତ୍ତର ଦେଉଥାଏ,କିନ୍ତୁ ଆଖି ବେତ ଉପରୁ ଫେରୁ ନଥାଏ। ଶ୍ରେଣୀ ଶିକ୍ଷକ ହସିଦେଇ କହିଲେ- ତୁ ଡରୁଛୁ କି? ଭୟ କରନା। ଦୁଷ୍ଟ ପିଲାଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷା ଓ ପଠନ ମାନସ୍କ ପାଇଁ ଦଣ୍ଡ ଲୋଡ଼ା। ତୁ ଭଲ ପିଲା ହେଲେ ଏସବୁର ଦରକାର ହେବନି। ଏଣୁ ଭୟ କରନା। ତଥାପି ମୋ ଭୟ ଛାଡୁ ନଥାଏ। ଓଲଟା ଗୋଡ଼ ଥରିବା ଆରମ୍ଭ ହୋଇ ଯାଇଥାଏ।
ଏତିକିବେଳେ ପଛ ପାଖରେ ବସିଥିବା ଦୁଇଜଣ ପିଲା କୌଣସି କାରଣ ହେତୁ ନିଜ ନିଜ ଭିତରେ ମାଡ଼ ହବା ସହ ଚୁଟି ଟଣା ଓଟରା ଆରମ୍ଭ କରି ଦେଲେ। ଏହା ଶ୍ରେଣୀ ଶିକ୍ଷକଙ୍କ ଦୃଷ୍ଟି ଏଡେଇ ପାରିନଥିଲା। ସେ ମୋ ହାତ ଛାଡି କର୍କଶ ସ୍ୱରରେ ସେ ଦୁଇ ବାଳକଙ୍କୁ ନିଜ ପାଖକୁ ଆସିବାକୁ ଆଦେଶ ଦେଲେ। ମୁଁ ସେତେବେଳକୁ ଭୟରେ ଥରିବାକୁ ଲାଗିଲିଣି। ସେ ପିଲା ଦୁହେଁ ନିର୍ଲିପ୍ତ ଭାବରେ ଆସି ଶ୍ରେଣୀ ଶିକ୍ଷକଙ୍କ ଆଗରେ ମୁଣ୍ଡ ନଇଁ ଠିଆ ହେଲେ। ଶିକ୍ଷକ ହାତ ଦେଖାଅ କହିବା ମାତ୍ରେ ଯନ୍ତ୍ର ଚାଳିତ ପରି ନିଜ ହାତ ଦୁଇଟି ଆଗକୁ ଦେଖାଇ ଦେଲେ। ଶ୍ରେଣୀ ଶିକ୍ଷକଙ୍କ ବେତ ତ୍ୱରିତ ସପାକ ସପାକ ଶବ୍ଦ କରି ସେ କଅଁଳ ହାତ ଉପରେ ଆଘାତ କରି ଚାଲିଲା।
ସେମାନଙ୍କ ପ୍ରତିକ୍ରିୟା କଣ ହେଲା ମୁଁ ଦେଖିବା ଅବସ୍ଥାରେ ନଥିଲି। ବେତ୍ରାଘାତ ର ଶବ୍ଦ ମୋ ଛାତିରେ ଏମିତି ଭୟ ସୃଷ୍ଟି କଲାଯେ ମୁଁ ଭେଁ କରି ଜୋରରେ କାନ୍ଦିବା ଆରମ୍ଭ କରିଦେଲି। କାନ୍ଧରୁ ବସ୍ତାନି ତଳେ ପଡ଼ିଗଲା। ଶ୍ରେଣୀ ଶିକ୍ଷକ ମୋ କାନ୍ଦ ଦେଖି ଅପ୍ରସ୍ତୁତ ହୋଇଗଲେ ବୋଧେ। ମତେ ଚୁପ ଚୁପ କହି କାନ୍ଦ ବନ୍ଦ କରିବା ପାଇଁ ଇଶାରା ଦେଉଥାନ୍ତି । ହାତରେ ବେତ ସେମିତି ଉପର ତଳ ହେଉଥାଏ। ବେତର ସେ ଦୋଳନରେ ମୁଁ ଆହୁରି ଭୟଭୀତ ହୋଇ ଆହୁରି ଜୋରରେ କାନ୍ଦିବାକୁ ଲାଗିଲି। ମୋ କାନ୍ଦରେ ଆଉ କିଛି ପିଲା ମଧ୍ୟ କାନ୍ଦିବା ଆରମ୍ଭ କରିଦେଲେ। ମିଳିତ ଶବ୍ଦର ଭୀଷଣତାରେ ପାଖ ଶ୍ରେଣୀରୁ ଶିକ୍ଷକ ଓ ପିଲା କିଛି ଆମ ଶ୍ରେଣୀ କବାଟ ପାଖକୁ ଚାଲି ଆସି ଘଟଣା କଣ ଜାଣିବାକୁ ରୁଣ୍ଡ ହୋଇଗଲେ। ଏ ସ୍ଥିତି ମୋ ଶ୍ରେଣୀ ଶିକ୍ଷକଙ୍କୁ ଅପମାନିତ କରିଦେଲା ବୋଧେ। ସେ ହଠାତ ମୋ ପିଠିରେ ବିଧାଏ କଷି ଦେଇ ଶକ୍ତ ସ୍ୱରରେ "ଚୁପ" ବୋଲି ଆଦେଶ ଦେଲେ। ସତକୁ ସତ ମୋ ରାହା ଧରି କାନ୍ଦିବା ବନ୍ଦ ହୋଇଗଲା । ଆଖିରୁ ଲୁହ ପୋଛି ପକେଇ ଥରି ଥରି ଠିଆ ହୋଇ ରହିବାକୁ ଚେଷ୍ଟା କଲି। କିଛି କ୍ଷଣ ମଧ୍ୟରେ ଶ୍ରେଣୀ ସ୍ଥିତି ସ୍ୱାଭାବିକ ହେବାକୁ ଲାଗିଲା।
ସାର ମୋତେ ଯତ୍ନ ଓ ସ୍ନେହ ସହ ତାଙ୍କ ଚୌକି ପାଖରେ ବସାଇଲେ। ମୋ ମୁଣ୍ଡକୁ ଆଉଁସି ଦେଇ ଗଡି ପଡୁଥିବା ଅମାନିଆ ଲୁହ ପୋଛି ଦେଇ ମୋ ହାତରେ ଲଜେନ୍ସ ଗୋଟିଏ ଧରେଇ ଦେଲେ। ତାପରେ ଅତି ମଧୁର ତଥା ଆପଣାର ସ୍ୱରରେ କହିଲେ - ତୁ ଏମିତି କାନ୍ଦିଲୁ କାହିଁକି? ତୁ ତ ଭଲପିଲା। ଭଲପିଲାଙ୍କୁ ଏମିତି ସବୁଦିନେ ଲଜେନ୍ସ ମିଳେ । ଦୁଷ୍ଟ ମାନଙ୍କୁ ପାଠ ମାନସ୍କ ଓ ଶୃଙ୍ଖଳା ଶିଖାଇବା ଲାଗି ଏ ବେତ ଦରକାର ହୁଏ। ତୋ ଭଳି ପିଲାଙ୍କର ଡରିବାର ଦରକାର ନାହିଁ।
ଆତ୍ମବିସ୍ମୃତିରୁ ବାସ୍ତବକୁ ଫେରି ଆସିଲି। ଖବର କାଗଜଟା ରଖିଲା ବେଳକୁ ଆପେ ଆପେ ହାତ ପିଠିର ସେଇ ପ୍ରଥମ ଦିନର ପ୍ରଥମ ବିଧା ଖାଇଥିବା ଜାଗାକୁ ଛୁଇଁ ଦେଉଥିଲା। ସେଇ ପ୍ରଥମ ଅନୁଭୂତି ଓ ବିଧା ଜୀବନ ସାରା ମୋତେ ଶୃଙ୍ଖଳ, କର୍ତ୍ତବ୍ୟନିଷ୍ଠ ଓ ସମୟାନୁବର୍ତ୍ତି କରି ଏମିତି ଠିଆ କରି ଦେଇଛି ଯେ ଆଜି ଅବକାଶ ବୟସରେ ଉପନୀତ ହୋଇ ମଧ୍ୟ ଶୃଙ୍ଖଳା ଓ କର୍ତ୍ତବ୍ୟକୁ ଅଣଦେଖା କରି ପାରିନି। ଖବର କାଗଜଟା ଥୋଇ ଦେଇ ଉଠିଲା ବେଳେ ଅନୁଭବ କଲି ଆମ ସମୟର ଦଣ୍ଡ ବିଧାନ ଓ ଶିକ୍ଷକଙ୍କ ପ୍ରତି ଭୟ ଓ ସମ୍ମାନ ବୋଧ ଆମକୁ ମଣିଷ କରି ଗଢି ତୋଳିଛି। ଆଜିର ଏ ଦଣ୍ଡମୁକ୍ତ ଓ ପାଠ୍ୟ ପରିଚାଳନାରେ ବାହ୍ୟ ହସ୍ତକ୍ଷେପ ଛାତ୍ର-ଶିକ୍ଷକ ସମ୍ପର୍କ କୁ ଖରାପ କରିବା ସହ ପିଲାମାନଙ୍କୁ ବିଶୃଙ୍ଖଳ କରିବାରେ ଲାଗିଛି ।ଅନ୍ତରରେ ସେଇ ଶିକ୍ଷକଙ୍କୁ ସମବେଦନା ଜଣାଇବା ଛଡା ମୋ ପାଖରେ ଆଉ କିଛି ରାସ୍ତା ନଥିଲା।