STORYMIRROR

Rabindra Mishra

Tragedy Inspirational

4  

Rabindra Mishra

Tragedy Inspirational

ଆକର୍ଷଣ

ଆକର୍ଷଣ

3 mins
534

କୁନି କୁନି ପାଦ ଦୁଇଟି ତାର ସତେ ଯେମିତି ନାଲି ଆଳିତାରେ କିଏ ରଙ୍ଗେଇ ଦେଇଛି । ହାତ ଦୁଇଟା ସତେଅବା କଦଳୀ ପୁଆ । ଗୋଲ ଥାଳି ପଟ ମୁହଁରେ ଦୁଇଟା ଟଣା ଟଣା କଥାକୁହା ଆଖି ।ଖଣ୍ଡାଧାର ନାକ ତଳେ ଆଙ୍କି ଦେଲାପରି ସରୁ ଦୁଇଟା ଓଠ। ମୁଣ୍ଡରେ କୁଞ୍ଚି କୁଞ୍ଚି କଳା ଚୁଟି । ସତେ ଯେମିତି ଭଗବାନ ସବୁ ରୂପତକ ଖୁନ୍ଦି ଦେଇଛନ୍ତି । ସରଳ-ନିଷ୍ପାପ ମୁହଁରୁ କେମିତି ଗୋଟେ ତେଜ ବାହାରୁ ଥାଏ। ମାୟା, ଛନ୍ଦ, କପଟରୁ ଦୂର ସେ ଖେଳନା ଗୁଡାକ ସହ ଖେଳରେ ମଜ୍ଜି ଯାଇଥାଏ । ତା ଚାରିକଡେ କିଛି ଲୋକ ଯେ ତା ବିଷୟରେ ଆଲୋଚନା କରୁଛନ୍ତି, ଟିଭି କ୍ୟାମେରା ଯେ ତା ଫୋଟ ଉଠେଇ ନଉଚି, ସେ ସବୁକୁ ଧ୍ୟାନ ନାହିଁ। ଖେଳନା ଗୁଡାକୁ କେତେବେଳେ ଫିଙ୍ଗୁଥାଏ ତ କେତେବେଳେ ପାଟିରେ କାମୁଡୁଥାଏ । ସତେଆବା ସେଗୁଡା ତାପରି ଜୀବନ୍ତ ଓ ତା ସାଥି , ତାର ହବଭାଵକୁ ବୁଝି ପାରୁଛନ୍ତି ।

ସରକାରୀ ଶିଶୁ ପରିଚର୍ଯ୍ୟା କେନ୍ଦ୍ରର ପରିଚାଳକଙ୍କୁ ଶିଶୁଟିର ବିବରଣୀ ମାଗିଲି ।ତାଙ୍କ ସୂଚନା ମୁତାବକ- ପାଖା ପାଖି 18ମାସର ହେବ ଶିଶୁଟି । ଆଜି ପାହାନ୍ତିଆ ପହରରେ କେହିଜଣେ ଶାୟିତ ଅବସ୍ଥାରେ କେନ୍ଦ୍ର ମୁଖ୍ୟଦ୍ୱାର ପାଖରେ ରଖି ଦେଇ ଚାଲି ଯାଇଥିଲା।ଶିଶୁଟିର ପାଖରେ କାଗଜ଼ ଖଣ୍ଡେ ଥିଲା, ଯେଉଁଥିରେ ଲେଖାଥିଲା-"ସବର୍ଣ୍ଣ, କେହିବି ନବାକୁ ଇଚ୍ଛାକଲେ ଦେଇଦେବେ, ଅନ୍ୟଥା ଆପଣଙ୍କ ଇଚ୍ଛା"। ଲେଖାରୁ ଅନୁମାନ କରିପାରିଲୁ ନାରୀ ହାତଲେଖା ଓ ସେ ନିଶ୍ଚିତ ଭାବରେ ଉଚ୍ଚ-ଶିକ୍ଷିତା । ଶିଶୁଟି ହୁଏତ ଅବାଂଛିତ, ବିବାହ ପୂର୍ବ ସମ୍ପର୍କର ଫଳ ବା ପାପର ଫଳ ।ଯିଏ ଯେଉଁଥିପାଇଁ ବି ହେଉ, 18 ମାସ ପାଳିଲା ପରେ ଏମିତି ଛାଡି ଚାଲିଯିବା ବିରଳ ।


ପରିଚାଳକଙ୍କ କଥା ଗୁଡା ମୋ ମୁଣ୍ଡରେ ପିଟି ହେଉଥାଏ।କିଏ? କାହିଁକି ଏପରି କଲା। ସତରେ ଶିଶୁଟିର ନିଷ୍ପାପ ଚେହେରାକୁ ଦେଖିଲେ ଆଖି ଫେରେଇ ହେଉନି । ଶତ୍ରୁ ହେଲେବି ତା ହୃଦୟ ପରିବର୍ତ୍ତନ ହେଇଯିବ। ଅଥଚ ଜନ୍ମଦାତା ଅବା ଦାତ୍ରୀ ବା ଉଭୟେ,କିଭଳି ଏପରି କରିପାରିଲେ? ପ୍ରେମ-ପାପ। ଅବା ପରମ୍ପରା, କେଉଁଥି ପାଇଁ ନିରୀହ ଶିଶୁଟି ବଳି ପଡିଲା । ମୋ ମନ ଭିତରେ ଗଭୀର ଆନ୍ଦୋଳନ ।


ସରକାରୀ ଆଦେଶନାମା ଅନୁଯାଇ କୌଣସିବି ଶିଶୁ କେନ୍ଦ୍ରକୁ ଆସିଲା ମାତ୍ରେ 24 ଘଣ୍ଟା ଭିତରେ ତାର ସ୍ୱାସ୍ଥ୍ୟ ପରୀକ୍ଷା ସହ ବିବରଣୀ ପ୍ରଦାନ ବାଧ୍ୟତାମୂଳକ ।ଏଣୁ ପରିଚାଳକଙ୍କ ଫୋନ ପାଇବା ମାତ୍ରେ ନିତ୍ୟକର୍ମ ସାରି କେନ୍ଦ୍ରରେ ପହଞ୍ଚି ଯାଇଥିଲି । ପୁଣି ତାକୁ ଅନେଇଲି । ସେ କିନ୍ତୁ ଖେଳରେ ନିମଗ୍ନ । ଧୀରେ ତାକୁ ହାତରେ ଉଠାଇଲି ।

ଛୁଆଟି ଭେଁ କରି କାନ୍ଦି ଉଠିଲା । ଅଚିହ୍ନା ବାରିଲା ବୋଧେ । ତାକୁ ଧୀରେ ଉଠେଇ କାନ୍ଧରେ ଥୋଇଲି । ତା ପିଠି ଓ ଚୁଟିକୁ ଆଉଁସିଲି । ପିଲାଟିର କାନ୍ଦ ବନ୍ଦ ହୋଇଗଲା । ତାକୁ ଦୁଇ ହାତରେ ଉଠେଇ ଉପର ତଳ କଲି । ପିଲାଟି କିଲ୍ଲାରି ମାରି ହସିବାକୁ ଲାଗିଲା। ଏଥର ତାକୁ କୋଳରେ ବସାଇସାଙ୍ଗରେ ନେଇଥିବା ବିସ୍କୁଟ ପକେଟରୁ ବିସ୍କୁଟ 2 ଟା ଧରେଇ ଦେଲି । ଏକଦମ ଚିହ୍ନା ପରି ବିସ୍କୁଟ ନେଇ ପାଟିରେ ଭରିବାକୁ ଲାଗିଲା।


ଶିଶୁଟିକୁ କୋଳକୁ ନେଇ ତାର, ହୃଦସ୍ପନ୍ଦନ, ରକ୍ତଚାପ, ହାତ,ଆଖି, ନାକ ଓ କାନ ପରୀକ୍ଷା କଲି ।ଏତିକି ସମୟ ମଧ୍ୟରେ ମୋ ସ୍ପର୍ଶ ସ୍ୱରକୁ ଚିହ୍ନି ଯାଇଥିଲା ବୋଧେ, ଶିଶୁ ସୁଲଭ ଚାପଳାମି ଆରମ୍ଭ କରିଦେଇଥିଲା । କେତେବେଳେ ମୋ କଲମ ପକେଟରୁ ନେଇ ପାଟିରେ ଦେଲାଣିତ, ଷ୍ଟେଥୋ ଟାଣିଲାଣି । କେତେବେଳେ ଆଙ୍ଗୁଠିକୁ ପାଟିରେ କାମୁଡ଼ିଲାଣି ଟକେତେବେଳେ ମୋ ଚୁଟି ଭିଡ଼ିଲାଣି । ନିର୍ଭୟରେ ମୋ ଉପରେ ବସି ତାର ଖେଳ ଖେଳୁଥାଏ ।ପ୍ରକୃତରେ ପିଲାଟିର ମାୟାରେ ମୁଁ ଛନ୍ଦି ହେଇ ଯାଇଥିଲି । ପରୀକ୍ଷା ପରେ ଇଞ୍ଜେକ୍ସନ ଦେବାକୁ ହେବ । ମୋ ଉପରେ ଧ୍ୟାନ ରଖେଇ ଇଞ୍ଜେକ୍ସନ ଦେବମାତ୍ରେ ପୁଣି ଜୋରରେ କାନ୍ଦି ଉଠିଲା । ତା କାନ୍ଦ ମୋ ଛାତି ଥରାଇ ଦେଉଥାଏ । ତାକୁ କାନ୍ଧ ଉପରେ ପକେଇ ପୁଣି ଆଉଁସି ଦେଲି। ନିଶ୍ଚିନ୍ତରେ ସେ ମୋ କାନ୍ଧରେ ଶୋଇ ଗଲା।


ପରିଚାଳକ ଶିଶୁଟିକୁ ନବା ପାଇଁ ଚେଷ୍ଟା କଲେ । କିନ୍ତୁ ହୋଇପାରିଲା ନାହିଁ । ସେ ଯେତେ ଟାଣୁଥାନ୍ତି, ଶିଶୁଟି ସେତେ ମୋ ସାର୍ଟ କାଲରକୁ ଟାଣି ଧରିଥାଏ । ଅନ୍ୟହାତ ବେକରେ ।ପୁଣିଥରେ ପରିଚାଳକ ଶିଶୁଟିକୁ ଟାଣିବାକୁ ଚେଷ୍ଟା କଲେ । ସେମିତି ନିଦ୍ରିତ ଅବସ୍ଥାରେ କାନ୍ଦି ଉଠିଲା ସେ ।ମୋତେ ଲାଗିଲା ସତେ ଯେମିତି କାନ୍ଦି କାନ୍ଦି ସେ ପଚାରୁଛି-

ତୁମକୁ ଭରସା କରି ହାତ ଧରିଲି ଯେ ତମେ ବି ମତେ ଠେଲି ଦେଉଛ । ଯିଏ ଜନ୍ମ କଲା ସେତ ତାକୁ ସଫାସୁତର ଦେଖାଇବାକୁ ମୋତେ ଅନାଥ କେନ୍ଦ୍ର ଦୁଆରେ ପକେଇ ଦେଲା, ତୁମ ହାତ ଧରିଲି ଯେ ତୁମେବି ଛଡେଇ ନେଉଛ। ମୋର ଦୋଷ କଣ? ଇଛା ବା ଅନିଚ୍ଛା ହେଉ, ଉତ୍ତେଜନା ବା ଧର୍ଷଣ, ମିଳନରୁ ତ ମୁଁ ଆସିଲି ।ମତେ ଆଣିଲ କାହିଁକି? ଯଦି ଆଣିଲ, ଏଭଳି ଅନାଥ କରି ଛାଡି ଦେଉଛ କାହିଁକି? ତୁମ ଭିତରେ ମୋ ମନ ଓ ଦେହ ଟିକେ ଆଶ୍ରା ଖୋଜୁଛି । ମତେ ଏମିତି ଠେଲି ଦିଅନି ।"

ଆଖି ମୋର ଲୁହରେ ଭରିଗଲା। ନିଷ୍ପାପ ଶିଶୁଟିର ଆକର୍ଷଣ ମୋତେ ତା ଭିତରେ ବାନ୍ଧି ସାରିଥିଲା । ତା ନିରୀହତା ଭିତରେ ମୁଁ ବନ୍ଧା ପଡିସାରିଥିଲି । ପରିଚାଳକଙ୍କୁ ପୋଷ୍ୟଶିଶୁ ଗ୍ରହଣ ଜନିତ କାଗଜପତ୍ର ପ୍ରସ୍ତୁତ କରିବାକୁ କହିଲି ।ସେ ମୋତେ ଆଶ୍ଚର୍ଯ୍ୟ ହୋଇ ଅନାଇଥିଲେ ।


Rate this content
Log in

Similar oriya story from Tragedy