Rabindra Mishra

Romance

2  

Rabindra Mishra

Romance

ଚିରକୁଟ

ଚିରକୁଟ

6 mins
274


ଏକା ଏକା ଘରପଛ ଆମ୍ବଗଛ ଚାନ୍ଦିନୀ ବସିଥିଲା ବେଳେ କାହିଁକି କେଜାଣି ରହି ରହି "ବିନି" ର ମୁହଁ ଟା ଆଖି ଆଗରେ ନାଚି ଉଠେ। ତା ଶ୍ୟାମଳି ମୁହଁର ସେ ଟଣା ଟଣା ଦୁଇ ଆଖି ଆଉ ଲମ୍ବା ମୋଟା ବେଣୀ ମୋ ମନ ଚିତ୍ରପଟ ରେ ଅଲିଭା ଛବି ହୋଇ ଝଲସି ଉଠେ। ଶୀତୁଆ ସକାଳ ଶୋରିଷ କ୍ଷେତର କଞ୍ଚା ହଳଦି ଢେଉ ପରି ବିନିର ହାସକୁରି ମୁହଁ ମୋ ମନ ଆଞ୍ଜେଲରେ ଲହଡି ଭାଙ୍ଗେ। ଚାନ୍ଦିନୀ ଉପରେ ମୁହଁ ଟାକୁ ଆକାଶ ଆଡକୁ କରି ଗଡି ପଡି ଥିବା ମୋ ଶରୀରରେ ଏକ ଅଜଣା ପୁଲକ ଜାଗିଉଠେ। ଠିକ ଯେମିତି ଅନୁଢ଼ା କିଶୋରୀର ଆଦ୍ୟ ଯୌବନ ରସକୁ ଲୁଚି ଲୁଚି ପାନ କରୁଥିବା ଚପଳ କିଶୋର ପରି । ମୁଁ ଭାବେ- ବିନି ସହ ମୋର ସେମିତି ପ୍ରଣୟ କି ଆସକ୍ତିର ସମ୍ପର୍କ ତ ନଥିଲା ।କିନ୍ତୁ କେଜାଣି ବିନି ମୋ ଅଜାଣତରେ ମୋ ଭିତରେ ଗୋଟେ ନିର୍ଦିଷ୍ଟ ଆସନ ନେଇ ସାରିଥିଲା। ଏଣୁ ଏମିତି ଏକା ଏକା ଥିଲାବେଳେ ବିନି ହୃଦୟ ର ସେ ନିଭୃତ କୋଣରୁ ଆତ୍ମ ପ୍ରକାଶ କରେ। ନହେଲେ କଣ ସ୍ତ୍ରୀ-ପିଲାଛୁଆ ସଂସାରର ଜଞ୍ଜାଳରେ ପେଶୀ ହେଇ ଯାଉଥିବା "ମୁଁ" ସେ ଭିତରୁ ବାହାରି ଆସି ଘର ପଛ ଆମ୍ବଗଛ ଚାନ୍ଦିନୀ ତଳେ ଏକା ଏକା ନିଜ ଭିତରେ ହଜି ଯିବାକୁ ଚେଷ୍ଟା କଲାବେଳେ ବିନି ମୋ ମନ ଆଞ୍ଜେଲ ରେ ଛବିଟିଏ ହୋଇ ଫୁଟି ଉଠନ୍ତା? ମୁଁ ନିଜକୁ ପଚାରେ- ବିନି ଆଉ ମୋ ଭିତରର ସମ୍ପର୍କ କଣ?

ଚାକିରୀ-ସଂସାର-ଜଞ୍ଜାଳ ଭିତରେ ଘାଣ୍ଟି ହୋଇସାରିଥିବା ବିଚରା ଅଧ୍ୟାପକଟିଏ ମୁଁ ନିଜକୁ ନିଜ ଭିତରେ ବଞ୍ଚେଇ ରଖିବାକୁ, ନିଜର ସତ୍ତା କୁ ଅନୁଭବ କରିବାକୁ ଫୁରସତ ପାଇଲେ କଲମ ମୁନରେ ମନର ଅନାବନା ଭାବନା ଗୁଡାକୁ ଗାରେଇ ପକାଏ। ଭାବେ ମୁଁ ଯେମିତି ଜଞ୍ଜାଳ ଭିତରେ ଅଣ-ନିଶ୍ୱାସୀ ହେଇ ଯାଉଛି,ସେମିତି କିଛି ସତୀର୍ଥ ନିଶ୍ଚୟ ଥିବେ। ତେଣୁ ମୋ ଅନୁଭବ ଓ ଆର୍ତ୍ତନାଦ କୁ ସେମାନଙ୍କ ପାଖରେ ପହଞ୍ଚାଇ ପାରିଲେ ସେମାନେ କେତେ ଉପକୃତ ହେବେ ନହେବେ ଜାଣେନି, କିନ୍ତୁ ମୋ ଭିତରେ ମୁଁ ଖୁସି ଅନୁଭବ କରେ। ତେଣୁ ମୋର ସେ ଅନାବନା ଭାବନା ସବୁକୁ କବିତା ଅବା ଗଳ୍ପର ରୂପଦେଇ ବିଭିନ୍ନ ପତ୍ର-ପତ୍ରିକା ଓ ସମ୍ବାଦ ପତ୍ରକୁ ପଠେଇବା ମୋର ଗୋଟାଏ ବଦଭ୍ୟାସ । ଆଉ ସେଗୁଡା ବିଭିନ୍ନ ସମୟରେ ପତ୍ରପତ୍ରିକା ବା ସମ୍ବାଦପତ୍ରରେ ପ୍ରକାଶିତ ହେବାପରେ ସତୀର୍ଥ ମାନେ ଯେଉଁ ମନ୍ତବ୍ୟ ଦିଅନ୍ତି, ଲାଗେ ଅତନ୍ତଃ ସଂଘର୍ଷମୟ ଏଇ ଅଲଣା ଜୀବନ ପ୍ରବାହରେ ଏ ମନ୍ତବ୍ୟ ରୂପୀ ଚିଠି ଗୁଡା ଗୋଟେ ଗୋଟେ ସ୍ୱାଦିଷ୍ଟ ଚକୋଲେଟ, ଯିଏ ମୋ ଆମ୍ବିଳା ମୁହଁରେ ସତେଜତା ଭାରି ଦିଏ।


ଚାନ୍ଦିନୀ ଉପରେ ଗଡ଼ି ପଡ଼ି ଏକା ଏକା ଜଣେ ପ୍ରଶଂସିକା ଦେଇଥିବା ଚିଠି ଖଣ୍ଡକ ପଢୁଥିଲି। ସଂକ୍ଷିପ୍ତ ପତ୍ର ଖଣ୍ଡକରେ ଲେଖିଥିଲେ- " ସାର, ମୁଁ ଜାଣିନି ଆପଣଙ୍କ ବୟସ କେତେ, ଆପଣଙ୍କ ଚେହେରା ଓ ସ୍ଵଭାଵ କିପରି । କିନ୍ତୁ ଆପଣଙ୍କ ଗଳ୍ପର ଭାବ ଓ ଭାଷା ମୋତେ ପାଗଳ କରିଦେଇଛି। ଏକ ଅଜଣା କିନ୍ତୁ ଅପୂର୍ବ ରୂପ ହୋଇ ମୋ ଆଖିରେ ନାଚି ଯାଉଛନ୍ତି। ଆପଣ ଜଣେ ଯାଦୁକର। ଆପଣ ମୋତେ ବିବାହ କରିବେ?"ହାତରୁ ପ୍ରଶଂସିକାଙ୍କ ଚିଠିଟା ଖସି ପଡ଼ିଲା। ଅଜବ ଏକ ଶିହରଣ ମୋ ଭିତରେ ଅନୁଭବ କଲି। ପଡିଯାଇଥିବା ଚିଠିକୁ ଉଠେଇ ଆଣି ପୁଣିଥରେ ପଢ଼ିଲି। ଥରେ ନୁହେଁ, ଚାରି ପାଞ୍ଚ ଥର ପଢ଼ିଲି। ଭାବିଲି- କି ସାଙ୍ଘାତିକ ପ୍ରଶଂସିକା! କଥା ନାହିଁ, ବାର୍ତା ନାହିଁ, ସିଧା ସଳଖ ବିବାହ ପ୍ରସ୍ତାବ। ଆମୋଦିତ ଲାଗୁଥିଲା। ହୃଦବୋଧ ହେଲା ପ୍ରକୃତରେ ମୋ ଲେଖାରେ କିଛି ଅଛି, ଯାହା ମୁଁ ଜାଣି ପାରୁନି, କିନ୍ତୁ ପଢ଼ୁଥିବା ମଣିଷ ଅନୁଭବ କରୁଛି। ଖୁସିରେ ଆଖି ଦୁଇଟା ବୁଜି ଦେଲି।

" ବାଃ ରେ ମଉନମୁହାଁ, ଦେଖିଲେ ଲାଗୁଚି ପିଲା କିଛି ଜାଣୁନି, କଲମରେ କିନ୍ତୁ ଛାତିରେ ଗାର କାଟି ଦେଉଚି ।" ବିନିର ସ୍ୱର ଶୁଣି ଚମକିଲା ପରି ଆଖି ଖୋଲିଦେଲି। କିନ୍ତୁ ମୁଁ ଆମ୍ବଗଛ ଓ ଚୁପଚାପ ବାଡ଼ି କୁ ଛାଡିଦେଲେ ଆଉ କାହାର ସୋର ଶବ୍ଦ ନଥିଲା। ପୁଣିଥରେ ବିନି ମୋ ମନ ଓ ଚେତନାକୁ ଆବୋରି ନେଲା।

ବିନି, ମୋ ଆଦ୍ୟ ବସନ୍ତର ପ୍ରଥମ କୁହୁତାନ, ମୋ ଚେତନାର ପ୍ରଥମ ଝଲକ, ମୋ ମନ ଆଇନା ରେ ଆଂଜି ହୋଇଥିବା ପ୍ରଥମ ଛବି, ମୋ ଭଲ ପାଇବାର ପ୍ରଥମ ସ୍ତବକ। ଗ୍ରାଜୁଏସନ ସାରି ଏମ.ଏ ରେ ନାଁ ଲେଖେଇବା ପାଇଁ ପ୍ରସ୍ତୁତ ହେଉଥିଲି । ଆମ ରେଭେନ୍ୟୁ କଲୋନୀ ରେ DSP ଙ୍କ କ୍ୱାଟରଟା ହରିଣ ପଲଙ୍କ ଭିତରେ ଗୟଲ କ୍ୱାଟର ଭଳି ପ୍ରତୀତ ହେଉଥିଲା। DSP ମିଷ୍ଟର ପଣ୍ଡାଙ୍କ ଝିଆରୀ "ବିନିତା"- ଆମ ଘରକୁ ଆସିଥିବା ସେଇ ଶ୍ୟାମଳି ଝିଅକୁ ମୋତେ ସାନ ଭଉଣୀ ପରିଚିତ କରିଦେଲା। ମହିଳା କଲେଜରେ ଶେଷ ବର୍ଷର ଛାତ୍ରୀ। ତୋ ବହି ଓ ନୋଟ ଗୁଡା ଦରକାର ନଥିଲେ ସେ ନେବାକୁ ଚାହୁଁଛନ୍ତି । ତତେ ଭେଟ କରିବାକୁ ଚାହୁଁଥିଲେ ତ, ତୋ ପାଖକୁ ନେଇ ଆସିଲି। ତୁମେ କଥା ହେଉଥା, ମୁଁ ଚା ନେଇ ଆସୁଛି, କହି ସାନ ଭଉଣୀ ରୋଷେଇ ଘର ଆଡ଼େ ଚାଲିଗଲା। ବାସ, ସାଧାରଣ ପଦେ ଦୁଇପଦ କଥାବାର୍ତ୍ତା ପରେ ମୁଁ ପରେ କଥା ହେବା କହି ଖେଳିବାକୁ ବହାରିଗଲି। ତାପରେ ଏମିତି ଦେଖା ସାକ୍ଷାତ, କଥାବାର୍ତ୍ତାରୁ କେବେଯେ ସେ ମୋ ଭିତରର ଶୁନ୍ୟସ୍ଥାନରେ ଘର କରି ନେଲାଣି, ମୁଁ ନିଜେ ବି ଜାଣି ପାରିଲିନି। ବହିରେ ପଢ଼ିଥିଲି- opposite sex has an inclined and attraction to each other". କିନ୍ତୁ କେବେ ବିଶ୍ୱାସ କରିନଥିଲି । କିନ୍ତୁ ବିନି ସହ ପରିଚୟ ମୋତେ ମୋ ଅଜାଣତରେ ତା ଆଡ଼କୁ ଟାଣି ନେଉଥିଲା । ବିନି ପ୍ରତି ମିର ଆକର୍ଷଣ ଟା କେମିତି- କିପରି ମୁଁ ନିଜେ ବୁଝି ପାରେନି। ହେଲେ ଏହା ନିଚ୍ଛକ ସତ୍ୟ ଯେ ଦିନରେ ଅତନ୍ତ ଥରେ ବିନି କୁ ନଦେଖିଲେ ଓ କଥା ନହେଲେ ମତେ କେମିତି ଫାଙ୍କା ଫାଙ୍କା ଲାଗେ, ମନ ଉଦାସ ହେଇ ଯାଏ । ବିରକ୍ତି ଲାଗେ। ଛାତି ଭିତରେ ଗୋଟେ ଉଚ୍ଚାଟ ଭାବ ସୃଷ୍ଟି ହୁଏ । ତେବେ ଏଇଟା କଣ ପ୍ରେମର ପୂର୍ବଭାସ ନା ଯୌବନର ଦୈହିକ ଆକର୍ଷଣ । କିନ୍ତୁ କାଇଁ? ଅନେକଥର ଏକାନ୍ତରେ ମୋ ସହ ବା ମୁଁ ତା ସହ ଥିବାବେଳେ ସେମିତି ଦୈହିକ ଆକର୍ଷଣ ତ ସୃଷ୍ଟି ହୋଇନି । ବିନି ଶ୍ୟାମଳି ହେଲେ ବି ନିଶ୍ଚୟ ସୁନ୍ଦରୀ। ହେଲେ କାଇଁ ଏକୁଟିଆ ଥିଲା ବେଳେ ସେଇ ସବୁ କାମନା ବା ଉଦ୍ଦୀପନା ଅନୁଭବ କରିନୁ । କିନ୍ତୁ ବିନିକୁ ନଦେଖିଲେ ମତେ ବହୁତ ଖାଲି ଖାଲି ଲାଗୁଥିଲା । ତାକୁ ବି ସେମିତି ଲାଗୁଥିଲା ନା ନାହିଁ ମୁଁ କେବେ ପଚାରିବାକୁ ସାହସ କରିନି।

ଦିନେ ଦ୍ୱିପ୍ରହର ରେ ମୋ ପଢ଼ା ଟେବୁଲରେ ଲେଖୁଥିଲି । ହଠାତ ପଛ ପଟରୁ ମୋ ଖାତା କିଏ ଭିଡି ନେଲା। ପଛକୁ ବୁଲି ଦେଖିଲି ବିନି ମୋ ଖାତା ନେଇ ପଢିବାକୁ ଉପକ୍ରମ କରୁଛି। ଲାଜ, ରାଗ ଓ ଭୟ ମିଶି ମୋତେ କେମିତି ଆନମନା କରିଦେଲେ। ବିନି, ମୋ ଖାତା ଦେ । ନହେଲେ...........ନହେଲେ କଣ କରିବ? ବିନି ମୋ ଖାତାଟା ନେଇ ତାଙ୍କ ଘରକୁ ପଳେଇ ଗଲା। ଇସ...... ବିନି କଣ ଭାବିବ। ମତେ ଅସ୍ତବ୍ୟସ୍ତ ଲାଗିଲା। ଖାତାଟାରେ ମୁଁ କେବଳ ଦୁଇ ଧାଡି ଲେଖିଥିଲି। କଲମ ଧରିବା ମାତ୍ରେ ବିନି ମୋ ମାନସ ପଟରେ ଝଲସି ଉଠିଲା। ମୁଁ ନିଜେ ଜାଣିନି କେତେବେଳେ ଲେଖିଦେଇଥିଲି- " ତୁ ମୋ ପ୍ରଥମ ବସନ୍ତ ର ନିତ୍ୟ ଚେତନା,

ତୋ ବିନା ମୋର ସବୁ ଆନମନା"

ହେ ଭଗବାନ, ବିନି କଣ ଭାବିବ। ଅସ୍ତବ୍ୟସ୍ତତା ଭିତରେ ସେଦିନ ସେମିତି କଟିଗଲା। ପରଦିନ ସକାଳୁ ସକାଳୁ ବିନି ମୋ ଖାତା ଧରି ଆମ ଘରେ ପହଞ୍ଚି ଗଲା। ସାନ ଭଉଣୀ ସହ ମୋ ରୁମ କୁ ଆସି ମୋତେ ଖାତା ଫେରାଇଦେଲା। ଦେଖିଲି ତା ମୁହଁରେ କେମିତି ଗୋଟେ ଆପଣାର ଭାବ । ଖାତା ଟା ମୋ ହାତରେ ଦେଇ ସଙ୍ଗେ ସଙ୍ଗେ ଚାଲିଗଲା। ଖାତା ଟାକୁ ଖୋଲିଦେଲି । ସେଇ ଖାତା ଭିତରୁ ଖଣ୍ଡେ ଚିରକୁଟ ଗଳି ପଡ଼ିଲା । "ଚିରକୁଟ" ଖଣ୍ଡ ଉଠେଇ ନେଇ ଦେଖିଲି, ସୁନ୍ଦର ଅକ୍ଷର ରେ ଦି ଧାଡି ଲେଖା ହେଇଚି-

" ବାଃ, କି ଗଭୀର ଭାବ । ବଙ୍କେଇ ବୁଲେଇ ଦି ଧାଡିରେ ଏମିତି ଲେଖି ଦେଇଛ ଯେ ମୋ ଭିତରେ ଗାର ହେଇଗଲା।ସତରେ ତୁମ ଲେଖାରେ ଯାଦୁ ଅଛି, ଯିଏ ପଢିବ, ପାଗଳୀ ହେଇଯିବ।ଏ କଲମ କେବେ ବନ୍ଦ କରିବନି। ହାତ ଚାଲୁଥିବା ଯାଏ ଚଳାଉଥିବ ।"

ମୋତେ ଲାଗିଲା ବିନି ମୋ ଭିତରେ ଉଷ୍ଣତା ଭରି ଦେଇଛି। ମୋ ଭାବନାର ଭଣ୍ଡାର ରେ ଅସୁମାରୀ ଇନ୍ଧନ ସାଇତି ଦେଇଛି।ବିନି ମୋତେ..........ମୁଁ ଖୁସିରେ ବିଭୋର ହୋଇ ଡେଇଁ ପଡିଲି। ନିଜକୁ ନିଜେ କହିଲି yes, କାହା ପାଇଁ ନହେଲେବି ବିନି ପାଇଁ ନିଶ୍ଚୟ ଲେଖିବି।

ଏମ. ଏ ପଢିବାକୁ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଇଣ୍ଟିମେସନ ପାଇଁ ଦିଲ୍ଲୀ ଚାଲିଗଲି । DSP ମଉସା ରିଟାଏଡ଼ ହେଇ ଗାଁ ପରିବାର ସହ ଚାଲିଗଲେ। ବିନି ବିଏ ସାରି ଗାଁ ଫେରିଗଲା। ପରେ ସାନ ଭଉଣୀ ଠାରୁ ଶୁଣିଲି ବିନି ବାପାଙ୍କର ହର୍ଟଷ୍ଟ୍ରୋକରେ ଦେହାନ୍ତ ହେଇଗଲା। ବିନିକୁ ଚାରି ପାଂଚ ଖଣ୍ଡ ଚିଠି ଦେଇଥିଲି। କିନ୍ତୁ ମୋ ଚିଠିର ଉତ୍ତର ସେ ଦେଇ ନଥିଲା। ଥରେ ଖଣ୍ଡେ ଚିଠି ଦେଇଥିଲା। ଲେଖିଥିଲା-

" ଭଲରେ ପଢା ସାରି ଘରକୁ ଫେର। ଭଲ ଚାକିରୀ କରି ସମସ୍ତଙ୍କ ଆଶା ପୂରଣ କର। କିନ୍ତୁ କଲମ କେବେ ଶୁଖେଇ ଦେବନି । ତୁମ କଲମ ଗାର ମୋ ଛାତିରେ ସବୁ ଦିନ ପାଇଁ ରହିଗଲା ।"

ବାସ, ସେ ପରଠୁ ବିନି ତା ରାସ୍ତରେ, ମୁଁ ମୋ ରାସ୍ତାରେ। ସମାନ୍ତର ସରଳ ରଖା ପରି ଯିଏ ଯାହା ବାଟରେ ଚାଲିଗଲୁ।ବିନି ର କୌଣସି ଖବର ମୁଁ ଆଉ ରଖିନି । କିନ୍ତୁ ବିନି ସବୁଦିନ ପାଇଁ ମୋ ମାନସର ଦିପଶିଖା ହୋଇ ରହି ଗଲା।

ସହ-ଧର୍ମିଣୀଙ୍କ ଡାକରେ ବାସ୍ତବ ଜଗତକୁ ଫେରି ଆସିଲି। ପ୍ରଶଂସିକାଙ୍କ ଚିଠିକୁ ଧରି ଘର ଆଡ଼କୁ ଯିବାକୁ ପାଦ ବାହାର କରୁଛି, ମତେ ଲାଗିଲା ସତେ ଯେମିତି ଆମ୍ବ ଗଛ ଉହାଡ଼ରୁ ବିନି କହୁଛି-

ଏଇ ରସିକ ପ୍ରବର, ଶୋଇ ଗଲକି? କିଛି ନୂଆ ଲେଖ, ନୂଆ ସୃଷ୍ଟି କର, ମୁଁ ତୁମ ଲେଖାକୁ ଅନେଇ ରହିଛି ଯେ....

ମୋ ପାଟିରୁ ମୋ ଅଜାଣତରେ ବାହାରି ଆସିଲା- " ବିନି, ତୁ ମନ ଆଇନାରେ ଉଙ୍କି ମାରିଲେ ମୋ କଲମ ଆପେ ଆପେ ଲେଖି ଚାଲେ,ଆଉ ତୁ ଲୁଚିଗଲେ ମୋ କଲମ ସବୁ ଭୁଲି ଯାଏ।ଭାବନା ହଜିଯାଏ। ତୁ ମୋ ଭାବନାର ଖିଅ । ତୁ ବିଶ୍ୱାସ କରିବୁ ନା ନାହିଁ ଜାଣିନି । କିନ୍ତୁ ତୋ ସେଇ "ଚିରକୁଟ"ଖଣ୍ଡକ ଆଜିବି ମୁଁ ସାଇତି ରଖିଛି। ପକେଟ ଭିତରେ ଛାତିକୁ ଛୁଇଁ ସବୁବେଳେ ମୁଁ ଅନୁଭବ କରୁଛି। ସତରେ ବିନି ତୁ କେଉଁଠି କିପରି ଅଛୁ ଜାଣିନି, କିନ୍ତୁ ତୁ ମୋ ଭବାନରେ ଅଛୁ। ତୁହିଁ ମୋ ପ୍ରଥମ ଲେଖା। ତୁ ମୋର ସାହିତ୍ୟର ପ୍ରେରଣା। ହେଲେ ତୁ କଣ ମତେ ମନେ ରଖିଛୁ?

ସ୍ମିତ ହାସ୍ୟରେ ବିନି କହୁଥିଲା- ମୁଁ ତୁମକୁ ମନେ ପକାଉ ନଥିଲେ ତୁମ ଭାବନାରେ ଆସୁଛି କେମିତି? ସବୁଦିନ ପାଇଁ ତୁମେ ମୋ ହୃଦୟର ନିଭୃତ କୋଣରେ ରହି ଯାଇଛ ଆଉ ମୁଁ ତୁମ କଲମ ଗାରରେ ରହି ଯାଇଛି।

ଆମାନିଆ ଲୁହ ଦି ବୁନ୍ଦା ଆଖିରୁ ଗଡି ଆସିଲା। ବାଁ ହାତର ପୋଛି ଦେଇ ଘର ଭିତରକୁ ମୁହାଇଁଲି।



Rate this content
Log in

Similar oriya story from Romance