Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Rabindra Mishra

Romance Tragedy

3  

Rabindra Mishra

Romance Tragedy

କିଛି ଲୁହ ପିଇ ଯାଏ ଓଠ

କିଛି ଲୁହ ପିଇ ଯାଏ ଓଠ

7 mins
229


ଉତ୍ତର ବୟସରେ ଧୀରେ ଧୀରେ ଶାରୀରିକ କ୍ଷମତା ହ୍ରାସ ଏକ ପ୍ରାକୃତିକ କ୍ରିୟା।କିନ୍ତୁ ହରାଇବାର ସେ ଗ୍ଲାନି ଓ ଦୁଃଖ ବାହାରକୁ ନ ଜଣାପଡିଲେ ବି ଭିତରେ ଭିତରେ ଯେ ଚେତନା କୁ ମ୍ରିୟମାଣ କରି ପକାଉଛି- ଏ କଥା କିଏ ବୁଝୁ ନବୁଝୁ, ନିରଞ୍ଜନ ବାବୁ ଠିକ ରୂପେ ବୁଝୁଥିଲେ ଓ ଅନୁଭବ କରୁଥିଲେ। ମୁହଁରେ ଯଦିଓ ସବୁ ପାଇଁ ସାରିଥିବାର ପ୍ରଶାନ୍ତି ଦେଖାଉଥିଲେ, ଅନ୍ତରମନ ରେ କିନ୍ତୁ ବଞ୍ଚିବାର ମୋହ ଓ କାମନା ବଳବତ୍ତର ହେଉଥିଲା। ବୟସ ବଢ଼ିବା ସହ ଏପରି ଏକ ଅପ୍ରାକୃତିକ ଇଚ୍ଛା କେବଳ ତାଙ୍କୁ ଆସୁଛି ନା ଏବୟସରେ ଏଭଳି ସାମସ୍ତଙ୍କୁ ଲାଗେ ସେ ଭାବି ପାରୁ ନଥିଲେ। କିନ୍ତୁ ତାଙ୍କୁ ଯେ ପୁଣିଥରେ ସେଇ ପ୍ରାକ ଯୌବନ ଓ ଜୀବନକୁ ଫେରିଯିବାକୁ ଇଛା ହେଉଛି, ସେକଥା ନା ସେ କାହାକୁ କହି ପାରୁଥିଲେ ନା ସହି ପାରୁଥିଲେ।


ଏମିତି ଦେଖିଲେ ତାଙ୍କର ଆଉ କୌଣସି ଆଶା ଅପୁରାଣୀୟ ହୋଇ ନାହିଁ। ପରିପୂର୍ଣ୍ଣ ସଂସାର, ଏକଦମ ଉଚ୍ଚ ନହେଲେବି ପଦୋନ୍ନତି ପାଇ ଦୀର୍ଘ 35ବର୍ଷ ର ଚାକିରୀରେ ଉଚ୍ଚ ପଦବୀରେ ଅବସର, ତିନୋଟି ପିଲା, ଯେଉଁମାନେକି ଡେଣା ଉଡେଇ ନିଜ ଗୋଡ଼ରେ ନିଜେ ଶକ୍ତ ହୋଇ ଠିଆ ହେଲେଣି, ସମାଜରେ ଷ୍ଟାଟସ କହିଲେ ଯାହା ବୁଝାଏ ଅର୍ଥାତ ଗାଡି, କୋଠା, ବ୍ୟାଙ୍କଜମା,ସୁନାଗହଣା କେଉଁଥିରେ ସେ ପଛରେ ନାହାନ୍ତି। ସେ ଜାଣନ୍ତି, ଏ ସବୁ ସମ୍ଭବ ହେଇଚି କେବଳ ଅର୍ଧଙ୍ଗିନ ଙ୍କ ପାଇଁ। ଉଚ୍ଚ ଶିକ୍ଷିତ ନହେଲେବି ସାଂସାରିକ ଜ୍ଞାନ ଓ ତାର ପ୍ରକୃତ ଉପଯୋଗରେ ସେ ବିଚକ୍ଷଣା। ନହେଲେ ସେ ଯେଉଁ ଭଳି ମଣିଷ, ଏସବୁ କେବେ ବି ହୋଇ ପାରି ନଥାନ୍ତା। ସେ ଯେ ଜଣେ ସୁଖୀ ଓ ସମ୍ପୂର୍ଣ ମଣିଷ ଏକଥା ସେ ଭାବନ୍ତୁ ବା ନଭାବନ୍ତୁ, ତାଙ୍କ ସହ ମିଶୁଥିବା ବା ବନ୍ଧୁ ମହଲରେ ସମସ୍ତେ ଏ କଥା କହି ତାଙ୍କୁ ବଧେଇ ଦେବା ସହ ଅନେକ ଇର୍ଷା ମଧ୍ୟ କରନ୍ତି। କିଛି ବାପା-ମା ତାଙ୍କ ଘରେ ସମ୍ବନ୍ଧ ବାନ୍ଧିବାରେ ବିଫଳ ହୋଇ ଥିବାରୁ ତାଙ୍କ କୁତ୍ସା ରଟନା କରିବାରେ ବି ପଛରେ ନାହାନ୍ତି। କିନ୍ତୁ ବିଚକ୍ଷଣା ଅର୍ଦ୍ଧାଙ୍ଗିନୀ ଏଭଳି ସ୍ଥିତିକୁ ସମ୍ଭାଳି ନିଅନ୍ତି ଯେ ନିନ୍ଦୁକ ବି ପରମ ହୈତେଶୀ ପାଲଟି ଯାଆନ୍ତି। ପ୍ରକୃତରେ "ମୋହିନୀ" ଅର୍ଥାତ ମୋ ଅର୍ଧଙ୍ଗିନୀ ପ୍ରକୃତରେ ଜଣେ ବିଚକ୍ଷଣ ଖେଳାଳି। ତାଙ୍କ ମୋହନ ବଂଶୀରେ କି ସୁର ଅଛି କେଜାଣି, ତମ୍ଫ ପରି ଫଁ ଫଁ ହେଉଥିବା ଲୋକଟା ବି ତାଙ୍କ ପଦ୍ମତୋଳାରେ ମେଣ୍ଢା ଭଳି ସିଙ୍କୁଡ଼ି ଯାଏ। ସତ କହିବାକୁଗଲେ ମୋହିନୀଙ୍କ ଦୂରଦୃଷ୍ଟି ଓ ଗୋଟି ଚାଳନା ହିଁ ତାଙ୍କୁ ଏଇ ସ୍ଥାନରେ ପହଞ୍ଚାଇଛି। ତେଣୁ ଅନ୍ୟ ଆଖିରେ ସେ ସମ୍ପୂର୍ଣ୍ଣ।


କିନ୍ତୁ ଆଜି ଉତ୍ତର ବୟସରେ ଏମିତି ଶେଜ ଉପରେ ଏକା ଏକା ଗଡୁଥିବା ବେଳେ ବା ରାତିରେ ହଠାତ ନିଦ ଭାଙ୍ଗିଗଲେ ରହି ରହି ଗୋଟାଏ ମୁହଁ ଭାବନା ଦର୍ପଣରେ ଉଙ୍କି ମାରେ। ଝାପ୍ସା ଛବିରୁ ଧୀରେ ଆଲୋକିତ ହୋଇ ମନ ଆଇନା ରେ ଉକୁଟି ଉଠେ। ତନୁପାତେଳି ଲମ୍ବକେଶୀ ସେ ଝିଅଟା ଆଖି ଆଗରେ ନାଚି ଉଠେ। ଶ୍ୟାମଳ ରଙ୍ଗରେ ଖଣ୍ଡା ଧାର ପରି ନାକ ଓ ଆଜାନୁ ଲମ୍ବିତ କଳା ମଚ ମଚ ଚୁଟି ନିରଞ୍ଜନ ଙ୍କୁ କିମିଆ କରି ନିଏ। ସେଥି ପାଇଁ ବୋଧେ ତା ବାପା ମା ତା ନାଁ "ସୁକେଶି" ଦେଇଥିଲେ। କଥା କହୁ କହୁ ଲମ୍ବା ବେଣି କୁ ଏମିତି ହଲେଇ ଦିଏ ଯେ ଦେହରେ ଶିହରଣ ଦୌଡ଼ି ଯାଏ। ଶ୍ୟାମଳି ବର୍ଣ୍ଣ କୁ ଏ ଲମ୍ବ ବେଣି- ଲାଗେ ସତେକି ଖଜୁରାହୋ ର ସେ ଅପସରା ବା କୋଣାର୍କ ସୂର୍ଯ୍ୟ ମନ୍ଦିର ର ଅପରୁପା ପରୀ। ଶ୍ୟାମଳି ବୋଲି ସାଙ୍ଗ ମାନେ ତାକୁ ନ୍ୟୁନ ଦେଖନ୍ତି। ସାଇ ଛକରେ ଟୋକାମାନେ ସେ ଗଲା ଆସିଲା ବେଳେ କାଳି ଗାଈ ବୋଲି କମେଟ ମାରନ୍ତି। ହେଲେ ସେ ପୁରା ନିର୍ବିକାର। ସତେ ଅବା ନିଜ ଭିତରେ ନିଜକୁ ହଜେଇ ଦେଇଛି।

ନିରଞ୍ଜନକୁ ଲାଗେ ସୁକେଶିକୁ ଥରେ ନଦେଖିଲେ ମନଟା କେମିତି ଡହକ ବିକଳ ଲାଗୁଚି। ଏକ ନିର୍ଦିଷ୍ଟ ସମୟ ହେଲେ ସତେ ଯେମିତି ସୁକେଶି ତା ଛାତି ଭିତରେ ଠକ ଠକ କରୁଛି। ପ୍ରତିଦିନ ସାଢ଼େ ନଅ ରେ ଅଫିସ ବାହାରିଲା ବେଳକୁ ସୁକେଶି ତା ଲମ୍ବା ବେଣୀରେ ନାଲି ଫିତା ଦେଇ ତା ଆଗରେ ହଂସୀନି ଭଳି ଅତିକ୍ରମ କରିବ। ନୂଆ ନୂଆ ଚାକିରୀ ହେତୁ ଅଫିସ ସମୟ ଆଗରୁ ସେ ବାହାରି ପଡେ। ଆଉ ଠିକ ତା ସମୟରେ ସୁକେଶି ତା ଆଗ ଦେଇ ଚାଲିଯାଏ। ଚାଲିଯିବାର ସେ ଭଂଗି ତାକୁ ଏମିତି ବିମୋହିତ କରି ଦିଏ ଯେ ସାଇକେଲ ଚକା ଅଫିସ ଯିବା ପରିବର୍ତ୍ତେ ସୁକେଶି ପଛେ ପଛେ ଗଡି ଚାଲେ।ନିର୍ଦିଷ୍ଟ ଭାବରେ ସେଇ ହଳଦିଆ କୋଠାରେ ସୁକେଶି ପଶିବା ପୂର୍ବରୁ ଚୋରା ଚାହାଣୀରେ ଚେନଏ ହସ ନିରଞ୍ଜନ ଉପରକୁ ଏମିତି ଛାଟି ଦିଏ ଯେ ତାକୁ ଲାଗେ ଧଇଁ ଯାଇ ସୁକେଶିକୁ ଦୁଇ ବାହୁ ଭିତରେ ଆବୋରି ନିଅନ୍ତା। ନିଜର ଏ ଭବନରେ ନିଜେ ହସିଦେଇ ନିରଞ୍ଜନ ଅଫିସ ମୁହାଁ ସାଇଜେଲ ଛୁଟେଇ ଦିଏ।

ଏମିତି ସାଇକେଲ ଚକ ପଛେ ପଛେ ଗଡୁ ଗଡୁ କେତେବେଳେ ଯେ ଦୁହେଁ ଦୁହିଁଙ୍କୁ ହୃଦୟ ଦେଇଥିଲେ ଜାଣି ପାରିଲେନାହିଁ। ପ୍ରତିଦିନ ନିର୍ଦିଷ୍ଟ ସମୟରେ ଘଣ୍ଟା କଣ୍ଟା ମିନିଟ କଣ୍ଟା ଏକାଠି ହେଲାପରି ଦୁହିଁଙ୍କର ଭେଟ ହେବା ନିର୍ଦିଷ୍ଟ ହୋଇ ସାରିଥିଲା। ଆଉ ସେଇ ସମୟ ଆସିବା ମାତ୍ରେ ନିରଞ୍ଜନ ନିଜ ଭିତରେ ଏକ ଅପୂର୍ବ ଶିହରଣ ଅନୁଭବ କରେ। ଦେହରେ ଅଜବ ଉତ୍ତେଜନା। କିନ୍ତୁ ସୁକେଶି- ନିହାତି ବାସ୍ତବବାଦୀ । ମୋଟ ଉପରେ ଏ ସମାଜ, ଆବଶ୍ୟକତା ଓ ଚାକିରିଆ ପୁଅର ମା-ବାପା ଙ୍କ ମାନସିକତା କୁ ସେ ଠିକ ଭାବରେ ବୁଝିଥିଲା। ବିଶେଷ କରି ଶ୍ୟାମଳ ବର୍ଣ୍ଣର ଗ୍ରହଣୀୟତା ଯେ ଏତେ ସହଜ ନୁହେଁ, ସେ ବୁଝି ସାରିଥିଲା। "ଜଗନ୍ନାଥ ଙ୍କ ଚିକ୍କଣ କଳା ରେ ଭକ୍ତ ବା ଏ ସମାଜ ଭକ୍ତି -ଭାବ ଓ ସୌନ୍ଦର୍ଯ୍ୟ ଦେଖି ପାରେ କିନ୍ତୁ କାଳୀ ଝିଅ ଭିତରେ ସୌନ୍ଦର୍ଯ୍ୟ ଓ ଭାବନା ଏ ବଡ଼ ପଣ୍ଡାଙ୍କ ଆଖିକୁ ଆଦୌ ଦିଶେ ନାହିଁ"। ଏଣୁ ତା ଭଳି କାଳି ଝିଅର ବା ତାଙ୍କ ଅଭିଭାବକଙ୍କର ପ୍ରତିପତି ଓ ପୁଅ କିଣି ପାରୁଥିବା ମୋଟା ଟଙ୍କା ଥିବା ଦରକାର। ଏସବୁ ନଥିଲେ ଝିଅ ମୋଟା ଅଙ୍କ ରୋଜଗାର କରି ପାରୁଥିବା ସହ ପୁଅକୁ ପଇସାରେ ପୋତି ପାରିବାର କ୍ଷମତା ରଖିଥିବା ଦରକାର, ଯାହା ସୁକେଶି ଠାରେ ନାହିଁ। ନିମ୍ନ ମଧ୍ୟବିତ୍ତ ଚାଷୀ ପରିବାରର ଝିଅ ଯିଏ ବେସରକାରୀ ଅନୁଷ୍ଠାନରେ ସୁପରଭାଇଜର ଚାକିରୀ କରୁଛି, ସେ ନିଜକୁ ଚିହ୍ନି ସାରିଛି। ଏଣୁ ନିରଞ୍ଜନର ବିବାହ ପ୍ରସ୍ତାବକୁ ସେ ଏଡେଇ ଯାଏ ଯଦିଓ ତା ମନ ମନ୍ଦିରରେ ନିରଞ୍ଜନ ବସି ସାରିଥିଲା।

ସେଦିନ ନିରଞ୍ଜନର ଅନୁରୋଧ ଓ ଭଲ ପାଇବା ଖାତିର ରେ ହାପ ଡେ ନେଇ ଦୁହେଁ ସିନେମା ଦେଖିବାକୁ ବାହାରିଲେ।ସିନେମା ଦେଖା ବାହାନା ମାତ୍ର, ନିରଞ୍ଜନ ତାର ମନ କଥା ସୁକେଶି କୁ କହିବାକୁ ଚାହୁଁଥିଲା। ଏଣୁ ସିନେମା ପରିବର୍ତ୍ତେ ପାର୍କର ନିରୋଳା ପରିବେଶରେ ଦୁହେଁ ଦୁହିଁଙ୍କୁ ଜାଣିବାକୁ, ବୁଝିବାକୁ ପ୍ରୟାସ କରୁଥିଲେ। ସୁକେଶିର ଅତିଶୟ ବାସ୍ତବ ବାଦକୁ ନିରଞ୍ଜନ ଗ୍ରହଣ କରି ପାରୁ ନଥିଲା। ଲତା ମଙ୍ଗେସକର ଙ୍କ ଠାରୁ ଆରମ୍ଭ କରି ପି.ଟି.ଉଷା ଯାଏ ସବୁ ଶ୍ୟାମଳି ଓ ସେମାନଙ୍କର ବ୍ୟକ୍ତିତ୍ୱ ଓ ଉତ୍କର୍ଷତା ର ଉଦାହରଣ ଦେଇ ସୁକେଶି ର ସେ ଚିନ୍ତାଧାରା ରେ ପରିବର୍ତ୍ତନ ପାଇଁ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଥିଲା। ହେଲେ ସୁକେଶିର ସେଇ ଗୋଟିଏ ଉତ୍ତର। "ସମୟର ପରିବର୍ତ୍ତନ ସହ ଆମ ବେଶ ପୋଷାକ ଓ ବ୍ୟବହାରିକ ଢାଞ୍ଚା ରେ ହୁଏତ ପରିବର୍ତ୍ତନ ଆସି ଥାଇପାରେ, କିନ୍ତୁ ମାନସିକତା ଓ ଚିନ୍ତାଧାରା ରେ ଆମେ ଯେଉଁଠି ସେଇଠି ଅଟକି ଯାଇଛେ"। ବାସ୍ତବରେ ଆମେ ସେଇ ରୁଢିବାଦି ଚିନ୍ତାଧାରାରେ ଏବେ ବି ରହି ଯାଇଛେ। ଏସବୁ ଉଦାହରଣ ସାମୁହିକ ବ୍ୟବହାର ଯୋଗ୍ୟ ନୁହେଁ।ନିରଞ୍ଜନ କିନ୍ତୁ ସୁକେଶି କୁ ହରାଇବାକୁ ଚାହୁଁ ନଥିଲା। ଶେଷରେ ସିଧା ସଳଖ ସେ ସୁକେଶି କୁ ଶୁଣେଇ ଦେଲାଯେ ଆସନ୍ତା ରବିବାର ସେ ସୁକେଶି ଘରେ ତା ବାପା ମା ଙ୍କୁ ନେଇ ବିବାହ ପ୍ରସ୍ତାବ ଆଗତ ପାଇଁ ପହଂଚୁଛି।ତେଣୁ ସୁକେଶି ତା ବାପା ମା ଙ୍କ ସହ ଏଥି ପାଇଁ ପ୍ରସ୍ତୁତ କରି ରଖୁ। ସୁକେଶି ନିରଞ୍ଜନ ର ପୁରୁଷ ସୁଲଭ ଅଝଟ ଓ ରାଗ ଦେଖି ଫିକ କିନା ହସିଦେଲା। ତା ମୁଣ୍ଡରେ ହାତ ରଖି ଆଖିରେ ଆଖି ମିଶେଇ କହିଲା-" ଏ ଦୃଢ଼ ବିଶ୍ୱାସ ଯେପରି ଭାଙ୍ଗି ନଯାଏ, ଅନ୍ୟଥା......." ସୁକେଶିର ଓଠ ଉପରେ ଆଙ୍ଗୁଳି ରଖି ତାକୁ ନିଜ ଛାତି ଉପରେ ଆଉଜି ନେଇ ନିରଞ୍ଜନ କହିଲା- ସବୁବେଳେ ବିଯୁକ୍ତ ଚିନ୍ତାଧାରା ଠିକ ନୁହେଁ।ଥରେ ଯୁକ୍ତ ଚିନ୍ତା ଧାରାରେ ସେ ଏସବୁ ଦେଖୁ । ଦୁହେଁ ଘରକୁ ଫେରିବାକୁ ଉଦ୍ୟତ ହେଲେ।

ନିରଞ୍ଜନ ନିଜ ପିତାମାତାଙ୍କ ସହ କଥା ଅନୁଯାୟୀ ରବିବାର ସୁକେଶି ଘରେ ଯଥା ସମୟରେ ପହଞ୍ଚି ଯାଇଥିଲେ। ଯିବା ପୂର୍ବରୁ ନିଜର ଭାବନା ଓ ଭଲପାଇବା ତଥା ସୁକେଶି ଘର ର ଷ୍ଟାଟସ ବିଷୟରେ ମାକୁ ବୁଝେଇ ଦେଇଥିଲା। ଏଣୁ ପୁଅ ସୂଚନା ଅନୁଯାୟୀ ସୁନାନାକୀ ସୁଶୀଳ ବହୁଟିଏ ର ସ୍ୱପ୍ନ ତାଙ୍କ ମାନସ ଚକ୍ଷୁରେ ଚହଟି ଉଠୁଥିଲା।ସୁକେଶି ଘରେ ପହଁଚିଲା ପରେ ନିରଞ୍ଜନ ସୁକେଶିକୁ ମନେ ମନେ ଖୋଜୁଥିଲା ଏଇଥି ପାଇଁ ଯେ ତାକୁ କାହନ୍ତା- ଦେଖ କଥା ମୁତାବକ ମାବାପାଙ୍କୁ ନେଇ ଆସିଛି।ଏଥର ନିର୍ଣ୍ଣୟ ତୁମ ଘର ଉପରେ। ସୌଜନ୍ୟ ମୂଳକ ପରିଚୟ ଓ କଥାବାର୍ତା ଭାବି ବହୁ ର ମୁଖ ଦର୍ଶନ ପ୍ରସ୍ତାବ ମା ଆଗତ କଲେ। କାରଣ ଏହା ହିଁ ଆମ ପାରମ୍ପରିକ ରୀତି ଓ ନିୟମ। ବହୁ ମୁହଁ ପ୍ରଥମ ଦର୍ଶନ ରେ ତା ହାତରେ ଦର୍ଶନୀ ଦେଇ ସମ୍ବନ୍ଧକୁ ସ୍ୱୀକୃତି ପ୍ରଦାନ କରାଯିବ। ସେମାନେ ମଧ୍ୟ ପ୍ରସ୍ତୁତ ଥିଲେ। ଶ୍ୟାମଳିର ମା ହସି ହସି ଘର ଭିତରକୁ ଝିଅକୁ ଆଣିବା ପାଉଁ ଚାଲିଗଲେ। ନିରଞ୍ଜନ ର ଛାତି ଭିତରେ ମୃଦୁ କମ୍ପନ। ସୁବର୍ଣ୍ଣପୁରୀ ପାଟ ପିନ୍ଧି ଲମ୍ବା ଛୁଟିରେ ଗଜରା ହାର ବାନ୍ଧି କୁଂକୁମ ଶୋଭିତା ସୁରେଖା ତା ମାଙ୍କ ସହ ପରଦା ଆଡେଇ ପ୍ରବେଶ କଲା।ମୁହଁର ସେ ବ୍ରିଡା ଭାବ- ନିରଞ୍ଜନକୁ ଲାଗୁଥିଲା ଏଇ ମୁହୂର୍ତ୍ତ ରେ ହାତ ଗଣ୍ଠି ପଡି ଯାଅନ୍ତାକି, ସୁକେଶି ର ଏ ନୈସର୍ଗିକ ସୁନ୍ଦରତାକୁ ସେ ଆକଣ୍ଠ ପିଇ ଯାଆନ୍ତା। ବାସର ଶେଯରେ ସୁକେଶିର ଏ ମନଲୋଭା ସୌନ୍ଦର୍ଯ୍ୟ ପୁଷ୍ପ ପାଖୁଡ଼ା ଭିତରେ ସେ ଭଅଁର ହୋଇ ରହି ଯାଆନ୍ତା।


ଝଣଝାଣ ଶବ୍ଦ ରେ ନିରଞ୍ଜନ ପ୍ରକୃସ୍ଥିତ ହେଇଗଲା।ଏ କଣ ଦେଖୁଚି ସେ! କ୍ରନ୍ଦନରତା ସୁକେଶି ମୁହଁରେ ହାତ ଦେଇ ଘର ଭିତରକୁ ଚାଲି ଯାଉଛି। ଆଖିରେ ଆଖିରେ ଯେପରି ସେ ନିରଞ୍ଜନ କୁ କହୁଥିଲା ମୁଁ କହୁଥିଲି ନା, ଆମ ଚିନ୍ତା ଧାରାରେ ସେଇ ରୁଢିବାଦି ବିଚାର ଏବେବି ବସା ବାନ୍ଧି ରହିଛି। କାଳି ଝିଅକୁ ଵିଵାହ କରିବାକୁ କୌଣସି ପୁଅ ଘର ଏମିତି କେବେ ଉଦାହରଣ ସୃଷ୍ଟି କରି ପାରିନି।ଏବେ ବାସ୍ତବତା କୁ ବୁଝି ପାରୁଛ ତ? ନିରଞ୍ଜନ କିଛି ବୁଝିବା ଆଗରୁ ତା ମା ସୁକେଶି ର ମା ବାପା ଙ୍କୁ କହୁଥିଲେ- ଆମକୁ ଭୁଲ ବୁଝିବେନି ଆଜ୍ଞା। ଝିଅ କାଳି ବୋଲି ଜାଣିଥିଲେ ମୁଁ ଏ ପ୍ରସ୍ତାବରେ ଆଦୌ ଆଗେଇ ନଥାନ୍ତି। ଭାବି ଦେଖନ୍ତୁ, ସାଇ ପଡିଶା, ବନ୍ଧୁ ବାନ୍ଧବ ଟାହି ଟାପରା କରିଥାନ୍ତେ। କହିଥାନ୍ତେ ପଇସା ଓ ଯୌତୁକ ଲୋଭରେ ପୁଅକୁ ବିକି ଦେଇଛି। ବାହାଘର ପରେ ଝିଅ ଟିଏ ଜନ୍ମ ହେଲେ ସେ ଯଦି କାଳି ହେବ ତାକୁ ବାହାଘର କରିବାକୁ କଉ ପୁଅ ରାଜି ହେବ? ହଳଦିଗୋରୀକୁ ତ ପୁଅ ମିଳୁ ନାହାନ୍ତି, କାଳୀକୁ କିଏ ପଚାରିବ। ଆମକୁ ଖରାପ ଭାବିବେନି। ଆପଣ ଅନ୍ୟ ପ୍ରସ୍ତାବ ଦେଖନ୍ତୁ।

ହତବାକ ନିରଞ୍ଜନର ହାତ ଧରି ମା ବାପା ସେଠାରୁ ବାହାରି ଆସିଲେ। ପଛରୁ କେବଳ ଚାପା କ୍ରନ୍ଦନର ଶବ୍ଦ ଶୁଭୁଥାଏ।ଖୁବ କମ ଦିନ ଭିତରେ ମୋହିନୀ ପରି ମୋହନ ସୁନ୍ଦରୀ ସହ ନିରଞ୍ଜନକୁ ଛନ୍ଦି ଦେଇ ବାପା ମା ତାଙ୍କ କର୍ତ୍ତବ୍ୟକୁ ସୁନ୍ଦର ଭାବରେ ତୁଲେଇ ଦେଲେ। ସୁକେଶି ଓ ତାଙ୍କ ପରିବାର ସହର ଛାଡି କୁଆଡେ ଯେ ଚାଲିଗଲେ ନିରଞ୍ଜନ ବା କେହି କିଛି ଜାଣି ପାରିଲେ ନାହିଁ। କେବଳ ତା ବିବାହ ଚତୁର୍ଥୀ ଦିନ ଡାକ ଵାଲା ତା ନାମରେ ଆସିଥିବା ଚିଠି ଖଣ୍ଡକ ତା ହାତରେ ଧରେଇ ଦେଇ ଚାଲିଗଲା। ଲଫାପା ଚିରି ଦେଖିଲା ଛୋଟ ଚିଠି ଖଣ୍ଡେ। ଲେଖାଥିଲା-

ନିରଞ୍ଜନ,

ତୁମ ଯୁକ୍ତ ଚିନ୍ତାଧାରାର ସୁନ୍ଦର ନମୁନା ଟିଏ ଦେଖାଇଲ । ବାସ୍ତବ ତା କଣ ମୁଁ ଠିକ ବୁଝିଥିଲି । କିନ୍ତୁ ତୁମେ ଯେ ସ୍ୱପ୍ନ ରାଜ୍ୟରେ ରହୁଥିଲ ସେଇ ଦିନ ଜାଣିଲି। ବିବାହ ଅଭିନନ୍ଦନ। ଭଲରେ ରୁହ।

ସୁକେଶି


ଶେଜ ଉପରେ ନିରଞ୍ଜନ ବାବୁ ଉଠି ବସିଲେ। ଦୁଇ ଟୋପା ଲୁହ ଦୁଇ ଆଖି କୋଣରୁ ଝରି ପଡୁଥାଏ। ଛାତିରେ କୋହ। ପାଟିରୁ ଆପେ ବାହାରି ଆସିଲା- ମୁଁ ସେଇ ଦିନକୁ ଫେରି ଯିବାକୁ ଚାହୁଁଚି ସୁକେଶି, ଯେଉଁଠାରୁ ତୁମ ହାତ ଧରି ମୋ ଘରକୁ ନେଇ ଆସିବି। ମା ବାପା କାହା କଥା ଶୁଣିବିନି। ମୋ ଚେତନା ଖୋଲି ଯାଇଛି । ମୁଁ କେବଳ ତୁମକୁ ଖୋଜୁଛି।

ପାଟି ଶୁଣି ପୁଅ ବୋହୁ,ନାତି ସ୍ତ୍ରୀ ସମସ୍ତେ ଘର ଭିତରକୁ ପଶି ଆସିଲେ। ବୋହୁ ପାଣି ପିଏଇ ଦେଇ ପଚାରିଲା କଣ ହେଲା ବାପା, କିଛି ସ୍ୱପ୍ନ ଦେଖିଲ କି? ନିରଞ୍ଜନ ନିଜକୁ ବଞ୍ଚେଇବାକୁ ଯାଇ କହିଲେ ନାଇଁ, ତୋ ଶାଶୁଙ୍କ ଦେହ ଖରାପ ସ୍ୱପ୍ନ ଦେଖି ଉଠି ପଡ଼ିଲି।ପାଖରେ ମୋହିନୀ ହସିଦେଇ କହିଲେ,- ଅଲାଜୁକ ବୁଢା, ସମସ୍ତେ ସ୍ମିତ ହାସ୍ୟ କରି ଫେରିଗଲେ। ନିରଞ୍ଜନଙ୍କୁ ଲାଗିଲା" ଏବେ ମଧ୍ୟ ସୁକେଶି ତାଙ୍କ ହୃଦୟ ଭିତରେ ରହିଛି "। ସେ ଆଖିରୁ ଲୁହ ପୋଛିଲେ।


Rate this content
Log in

More oriya story from Rabindra Mishra

Similar oriya story from Romance