Rabindra Mishra

Drama

3  

Rabindra Mishra

Drama

"ତୁମେତ ଦୟାଳୁ ଦାତା ବୋଲି ପ୍ରଭୁ"

"ତୁମେତ ଦୟାଳୁ ଦାତା ବୋଲି ପ୍ରଭୁ"

14 mins
211


“ତୁମେତ ଦୟାଳୁ ଦାତା ବୋଲି ପ୍ରଭୁ”

ଶ୍ରୀ ସତ୍ୟଦର୍ଶୀ 

ସକାଳୁ ସକାଳୁ ଘଡଘଡି ସହ ମୁଷଳ ଧାରାରେ ବର୍ଷା ସବୁ ଯୋଜନାକୁ ତାଙ୍କର ଏକରକମ ବନ୍ଦ କରିଦେଲା ଯାଣ । କେତେବେଳେ ଝିଅକୁନେଇ ଡାକ୍ତରଖାନରେ ଆଡମିଶନ କରିବେ ଆଉ ଡାକ୍ତର ପରାମର୍ଶ ନେବେ । ଗତ ରାତିରୁ ବହୁ ଭାବିଛିନ୍ତି ସ୍ଥିରକରିଥିଲେ ସକାଳ ହେବାମାତ୍ରେ ଶୀଘ୍ର ନିତ୍ୟକର୍ମ ସାରି ଆଗେ ଦିଅଁ-ଦର୍ଶନଟା ସାରିଦେବେ। କୋଶେବାଟ ମନ୍ଦିର କୁ ଯାଇ ପ୍ରଭୁଙ୍କ ନିତ୍ୟସେବାଲାଗି ସାରୁସାରୁ ବେଳ ନଅ କି ଦଶ ବାଯିଯିବ। ତେଣେ ବାଳଧୂପ-ସମୟ ଉଚ୍ଛୁର ହେଇଗଲେ ମନ୍ଦିର ଖଡସୁଧାଙ୍କ ରାଗ ନାକ ଅଗରେ । ଏଣେ ମନ୍ଦିରକୁ ଦର୍ଶନଭିଳାଷୀଙ୍କ ଆସିବା ଲାଗିଗଲେ ଆଉ ଟିକେବି ଫୁରସତ ମିଳିବନି। ଏପରି ସ୍ଥିତିରେ କେମିତି କାମଛାଡି ସେ ଯିବେ। ଯେତେ କହିଲେ ବି ଶ୍ୟାମଳୀ ବୁଝୁନି। ଏଣିକି କଥା କଥାକେ ଖିଙ୍କାରି ଉଠୁଛି। ଯାହା ମନକୁ ଆସିଲା ଆଗ-ପଛ କିଛି ନାହିଁ, ଝାଡି ଦେଉଛି । ସତକଥା ହେଲା- କେତେବି ଧର୍ଯ୍ୟ ଧରିବ। ମଫସଲ ଗାଁ ହେଇନିଯେ ଯେମିତି-ସେମିତି କରି ଚଲେଇଦେବ। ଆଜିକାଲିତ ନିପଟ ମଫସଲରେ ଝିଅ-ବୋହୁ ଭଳିକି ଭଳି ମୋବାଇଲ, ଡ୍ରେସ-ଶାଢୀ ପରିପାଟି ହେଇ ବାହାରୁଛନ୍ତି। ନୀତି ସହର ଆଡୁ ଭେରେ ବୁଲି ନଆସିଲେ କି ‘ମଲ’ ରୁ ନିହାତି କିଛି ନ କିଣିଲେ ଅସ୍ତବ୍ୟସ୍ତ ହେଇଯାଉଛନ୍ତି। ଶ୍ୟାମଳିତ ସହଜେ ପାଠ-ପଢୁଆ ଟାଉନରେ ବଢିଥିବା ଝିଅ। ତା ଦୁର୍ଭାଗ୍ୟ – ଯିଏ ମୋ ସହ ତାକୁ ଏମିତି ବିବାହ ବନ୍ଧନରେ ବାନ୍ଧି ଦେଇଛି। ମନ୍ଦିର ପୂଜାରୀର ହାତଧାରୀ ସେ ବୋଲି ସ୍ତ୍ରୀ ସବୁକିଛି ଚଳେଇ ନେଉଛି, ଆଉ କିଏ ହେଇଥିଲେ କେବେଠୁ ସବୁ ଛାଡି-ଛୁଡ଼ି ପଳେଈ ଯାଆନ୍ତାଣୀ । କେତେବି ବୟସ । ୩୨ପୁରୀ ୩୩ ପଶିଲା । ଆଜିକାଲି ଏଇ ବୟସରେ ଯୁବତୀମାନେ ଅବିବାହିତ ରହି ନିଜ ଜୀବନ କୁ ନିଜେ ଉପଭୋଗ କରୁଛନ୍ତି । ହେଲେ ଶ୍ୟାମଳୀ ୯ବର୍ଷ ହେଲାଣି ତାଙ୍କ ହାତଧରି ଏ ଅଭାବି ସଂସାର ଓ ଜଞ୍ଜାଳରେ ପେଶୀ ହେଇ ଗଲାଣି। ଘର ଚଳଣି, ଶାଶୁସେବା ସାଙ୍ଗକୁ ଟାଉନରେ ରହୁ ଥିବାରୁ ନୀତି ବନ୍ଧୁ-ବାନ୍ଧବ ଯିଏ ହେଲେ କୁଣିଆ ଘରେ ପହଞ୍ଚିଥିବେ। ଏଣେ ଛୁଆ ଗୋଟାକର ଜଞ୍ଜାଳ –କେତେହେଲେ ସବୁକୁ ଆଦରି ନେଇ ଚଲେଇବ। ହାଡ ମାଂସର ମଣିଷ ଜୀବନ, ରାଗ-ମାନ-ଅଭିମାନ ତ ଏଇ ଦେହରେ ଭରି ହେଇ ରହିଛି, ଏଣୁ ଅସହ୍ୟ ହେଲେ ବାହାରି ପଡୁଛି। 

                       ସବୁ ବୁଝୁଛନ୍ତି,ସବୁ ଜାଣୁଛନ୍ତି ସେ, କିନ୍ତୁ ସ୍ଵାମୀ ହିସାବ ରେ କଣ କରିପାରିବେ। ଏଣେ ସ୍ତ୍ରୀର କଷ୍ଟ ରେ ସହଯୋଗ କଲେ କି ତା-କଡିଆ ହେଇ ପଦେ କହିଲେ ମା ଦୁଃଖ କରୁଛି । “ବାହା କରିଦେଲି, ଏଡେରୁ ଏଡେ କରି ମୁଣ୍ଡକୁ ହାତ ଛୁଏଁଇ ଦେଲି, କେଡେ କଷ୍ଟରେ ତୋତେ ମଣିଷ କରିବାକୁ ଯାଇ ବାପା-ମା ଆମେ ସବୁକିଛି ସାରିଦେଲୁ,ବାପା ତୋର ଅଧାବାଟରେ ମତେ ଏକୁଟିଆ କରି ଆରପାରିକୁ ପଳେଇଗଲେ, ମୁଁ ବିଧବା ମାଇପିଟେ, ତତେ ଏଡିକିରୁ ଏଡେ କରିବାକୁ କଣ ଯେ ନକରିଛି, ସେ କଥା କି କଷ୍ଟ ତୁ ଜାଣି ପାରିବୁନି। ଆଉ ଆଜି ମୁଣ୍ଡକୁ ହାତ ପାଇଗଲାରୁ ମାଈପ ବୋଲିଆ ହେଇ ତା ପାଇଁ ବାହାରି ପଡୁଛୁ”। ଆଉ ଯଦି ମାଙ୍କ ମନ ରଖିବା ପାଇଁ କି ଟିକେ ଖୁସି କରିବା ପାଇଁ, ଶ୍ୟାମଳିଙ୍କୁ ପଦେ-ଅଧେ କହିଲେ, ଅଭିମାନ-ଋଷା-ମାନ ସବୁ ଏକାଠି ହେଇ ଆଖିରୁ ପାଣି ହେଇ ବାହାରିବାକୁ ଲାଗିବେ। ସେ ଯେ ଏଇ ମଝି ଭଉଁରୀରେ ଠିଆହେଇ କେମିତି ଛଟପଟ ହେଉଛନ୍ତି, ସେ ସ୍ଥିତି କି କଥା ନା ମାଙ୍କୁ କହି ପାରୁଛନ୍ତି ନା ସ୍ତ୍ରୀ କୁ ବୁଝେଇ ପାରୁଛନ୍ତି। ସେମାନେ ତାଙ୍କ ରାଗ-ରୁଷା ପୁଅ କି ସ୍ଵାମୀ ଉପରେ ଝାଡି ଦେଇ ସେଥିରୁ ଖସି ଆସୁଛନ୍ତି । କିନ୍ତୁ ସେ............ସବୁକିଛି ସେଇ “ରଙ୍ଗାଧର-କଳା ମୁହଁ” ଉପରେ ଛାଡି ଦେଇଛନ୍ତି। ଦୁଇ ହାତ ଟେକିଦେଇ ସେଇ ଗୋଟିଏ କଥାରେ ନିଜକୁ ନିଜେ ବୁଝେଇଛନ୍ତି-“ସବୁ ତାରି ଲୀଳା-ଖେଳା, ରତ୍ନ-ସିଂହାସନଉପରେ ବସି ସେତ ସବୁ ଦେଖୁଛି, ସବୁ ଜାଣୁଛି । କଊ କଥା ତାକୁ ଅଛପା । ସେ ଯେମିତି ଟାଣୁଛି,ଏ ମଣିଷ ସେମିତି ଚାଲୁଛି । ତାଙ୍କ ହାତରେ କଣ ଅଛି ? ରଖିଲେ ସିଏ, ମାରିଲେ ବି ସିଏ। ମଣିଷ ସେ, କେବଳ ନିମିତ୍ତ ମାତ୍ର। ଯେମିତି ପ୍ରଭୁ ଚହୁଁଛନ୍ତି, ସେ ସେମିତି କରୁଛନ୍ତି। କେତେ ଲୋକ, କେତେ କଥା ତାଙ୍କୁ କହିଛନ୍ତି, ଏଡେବଡ ମନ୍ଦିରର ପୂଜାରୀ ସେ, ତା ପୁଣି ସହର ମନ୍ଦିର, ଗାଁ ମନ୍ଦିର ନୁହେ, ସେଥିରେ ଯଦି ସେ କମାଣି କରି ପାରୁ ନାହାନ୍ତି, ତେବେ ଆଉ କେଉଁବାଟରେ ବି ସେ କମେଇ ପାରିବେନି । ଆଉ କିଛିତ ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେ ସେ ନିହାତି ସାଧାରଣ ଜୀବନ , ଅଭାବ-ଅନାଟନ ଭିତରେ ପରିବାର ଚଳେଇବାକୁ ନୀତି ସଂଘର୍ଷ କରୁଛନ୍ତି। ଓଲଟା ପଛଆଡେ ଟାପରା କରନ୍ତି- “ପୁରା ବାମ୍ହୁଣିଆ ଚାଲ , ମାଲ ଲୁଚେଇରଖି ନିଜକୁ କାଙ୍ଗାଳ ଦେଖେଇବାର ମସ୍ତ ଅଭିନୟ ଜଣା । ସବୁ ଶୁଣି ହସି ଦିଅନ୍ତି ସେ। ପ୍ରଭୁଙ୍କୁ ଏକଳୟରେ ଚାହିଁ ଏତିକି କୁହନ୍ତି-“ତୋର ଇଚ୍ଛା ପୂର୍ଣ୍ଣ ହେଉ ମହାବାହୁ”। ତୁ ଯେମିତି କରୁଛୁ,ଯାହା ଚାହୁଞ୍ଚୁ, ଖାଲି ଏତିକି ପ୍ରାର୍ଥନା – ମୋ ବିଶ୍ଵାସକୁ କେବେ ଭାଙ୍ଗି ଦେବୁନି । ତୋରି ଭରଷା ଓ ଅଟଳ ବିଶ୍ଵାସ ନେଇ ଏ ସଂସାର ସାଗର ରେ ମୁଁ ନାଆ ମେଲି ଦେଇଛି। ସେତକ ତୁଟିଗଲେ ଏ ସଂସାରରେ ଭଗବାନଙ୍କ ସତ୍ତା ଉପରେ ମଣିଷର ଭରଷା ଦୋହଲିଯିବ। 

                                       ସେଇ ବିଶ୍ଵାସ .......ଭରଷା....... ସେଇ କଥାରେ ସେ ବିଲକୁଲ ନରମି ଯାଆନ୍ତି । ଆଖି ଆଗରେ ‘ମା’ ର ସେ ଢିଙ୍କିରେ ଚାଉଳକୁଟା ରୁ ଆରମ୍ଭ କରି ଗୁହାଳ ସଫା, ଗାଈସେବା ଆଉ ସେଇ ଟିକକ ଜମିରେ ତିନିଉତିଆ ଚାଷ କରେଇବାର ଛବି ସିନେମା ଭଳି ଭାସି ଉଠେ। ଲୋଟଣିପାରା ଭଳି ବଡିଭୋରୁ ରାତି ଶୋଇବା ଯାଏ ଖଟି ଚାଲନ୍ତି ଗୋଟିଏ ଆଶା ନେଇ ପୁଅ ତାଙ୍କର ପାଠପଢି ଚାକିରୀ ଖଣ୍ଡେ କଲେ ସବୁ ଦୁଃଖ କୁଆଡେ ଲୁଚିଯିବ। ଘର କାନ୍ଥରେ ଜାଗା-ବଳିଆଙ୍କ ଫଟ କୁ ସକାଳୁ ଉଠିଲା ମାତ୍ରେ ଗୁଣୁଗୁଣୁ ହେଇ ସବୁବେଳେ ମିନତୀ କରନ୍ତି-“ମୋ ଜୀବନଧନକୁ ତୋ ଚକ୍ର ଆଢୁଆଳରେ ରଖିଥିବୁ। ଏ ନିଆଶ୍ରୀ ବିଧବାର ସେଇ ହିଁ ଭରଷା। ତାକୁ ତୋ କରୁଣାର କାନିତଳେ ଘୋଡେଇ ରଖିବୁ ପ୍ରଭୁ। ଆଉ ତାଙ୍କୁ ଉଠେଇ ମୁହଁଟାକୁ ପୋଛି ଦେଇ କୁହନ୍ତି-“ତା ପାଦତଳେ ମୁଣ୍ଡିଆଟେ ମାରିଦେ ଧନ। ତତେ ମୁଁ ତାରି ପାଦତଳେ ସମର୍ପିଦେଇଛି। ସେ ଚାହିଁଲେ ସବୁ ବଦଳିଯିବ । ମୁଁ ସିନା ଜାନମ ଦେଇଛି। ହେଲେ ତା କରୁଣା ନହେଲେ ଡାଳରୁ ପତର ଖସିବନି। ତା ଆଡ-ନଜର ପଡିଲେ ଆମର ଏ ଅବସ୍ଥା କାଲିକି କୁଆଡେ ବଦଳିଯିବ। ଆଉ ତାପରେ ତାଙ୍କୁ ନିତ୍ୟକର୍ମ କରେଇ ଚୂଡା ହଉ କି ମୁଢି, ଖୁଏଇ ଗାଁ ସ୍କୁଲ ପଠେଇବାରେ କେବେ ବି ହେଳା କରିନାହାନ୍ତି। ସବୁ ଅଭାବ-ଅସୁବିଧା ମାନ-ଅପମାନ ଭିତରେ ତାଙ୍କୁ ସ୍କୁଲରୁ କଲେଜ , ଗାଁ ରୁ ସହର ପଠେଇ ବଡ କରିଛନ୍ତି। ସେବି ‘ମା’ ର ସେ କଥାକୁ ଆଜି ଯାଏ କେବେ ଛାଡି ନାହାନ୍ତି। ଜୀବନ ର ସବୁ କିଛି ସେଇ ଛଳିଆ-ନଟନାଗର ହାତରେ ଟେକି ଦେଇଛନ୍ତି। ତାରି ଉପରେ ବିଶ୍ଵାସ ରଖି ସବୁକୁ ଆଖି ମୁଦି ଦେଇଛନ୍ତି। ହେଲେ କାଇଁ, ଯେଉଁ ଆଶା କି ଭରଷା ନେଇ ମା ତାଙ୍କୁ ପାଠ ପଢେଇଲା, ସବୁ କଷ୍ଟକୁ ଆଖି ମୁଜିଦେଇ ତାଙ୍କୁ ଏଡେବଡ କଲା ତାର ଫଳ କଣ ଏଇ ମନ୍ଦିର ପୂଜାରୀ ହେବା? 

     ସେଇଦିନ-ସେଇ ମୁହୁର୍ତ୍ତ ପୁଣି ବର୍ତ୍ତମାନ ପରି ତାଙ୍କ ଆଗରେ ଭାସି ଉଠେ। ଅର୍ଥନୀତିରେ ସମ୍ମାନ ଓ ଡିସଟିଙ୍କସନ ସହ ସ୍ନାତକ ହେବାପରେ ଆଉ ପଢିବାକୁ ମନାକଲେ ସେ। ମାର ଏତେ କଷ୍ଟ ତାଙ୍କ ଆଖିରେ ଗଲାନି । ‘ମା’ କୁ ବୁଝେଇଦେଲେ, ସେ ଚେଷ୍ଟାକରି ଯେମିତି ହଉ ଚାକିରିଟେ ଯୋଗାଡ କରିନେଲେ ସବୁ ସମାଧାନ ହେଇଯିବ। ‘ମା’ ବି ସେଦିନ କେତେ ଆଶୀର୍ବାଦ ତାଙ୍କୁ ଢାଳି ଦେଇଥିଲେ। ଜଗନ୍ନାଥଙ୍କ ଧଣ୍ଡା ମୁଣ୍ଡରେ ମାରି କାଗଜରେ ଯତ୍ନର ସହ ତାଙ୍କ ପକେଟ ରେ ରଖିଦେଲାବେଳେ ଆଖି ଦୁଇଟାରୁ ଧାରଧାର ଲୁହ ଗଡି ପଡୁଥିଲା। ସେମିତି କୋହମିଶା ସ୍ଵରରେ ତାଙ୍କ ମୁଣ୍ଡ ଆଉଁସି କହିଥିଲେ- “ଧନରେ, ତାରି କରୁଣାକୁ ତୋ ପକେଟରେ ଦେଇଛି, ସାଇତି ରଖିଥିବୁ। ସେ ତତେ ନିଶ୍ଚୟ ଜୟଯୁକ୍ତ କରାଇବ । ସେ ମଧ୍ୟ ସେଇ ବିଶ୍ଵାସ ନେଇ ଚାକିରି ସନ୍ଧାନରେ ମାନପ୍ରାଣ ଲଗେଇ ଦେଇଥିଲେ। ହେଲେ ଦିନ ପରେ ଦିନ, ମାସ ପରେ ମାସ ସିନା ବଦଳିବାକୁ ଲାଗିଲା, ତାଙ୍କ କପାଳକୁ ଚାକିରି ଖଣ୍ଡେ ଜୁଟିଲା ନାହି । ସରକାରୀ, ବେସରକାରୀ, ସଂସ୍ଥା, ଏପରିକି ସ୍ଵେଛାସେବୀ ଅନୁଷ୍ଠାନ ଯାଏ ସବୁଠି ପରୀକ୍ଷା ଦେଇଛନ୍ତି। କିନ୍ତୁ କପାଳରେ କେବେବି ଚାକିରି ଖଣ୍ଡକ ଜୁଟିଲା ନାହି । ପେଟପୋଷିବା ପାଇଁ ଟିଉସନକୁ ବି ଆଦରିଛନ୍ତି। ହେଲେ ମାସ ପୁରିଲେ ଟିଉସନ ଦରମା ଗଣ୍ଡାକ ଦେବା ବେଳକୁ ଅଭିଭାବକ ଏମିତି ଛଳନା କରନ୍ତି ଯେ ଲାଗେ ସତେ ଅବା ଦୟାରେ ତାଙ୍କୁ ସେତକ ଦେଉଛନ୍ତି । ଅଥଚ ଆଶ୍ଚର୍ଯ୍ୟ ଲାଗେ ସେଇ ବାପ-ମା ବାହାର ସହର କୋଚିଙ୍ଗ ସେଣ୍ଟର ରେ ପିଲା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆଗରୁ ଭରି ଦେଉଛନ୍ତି, କିନ୍ତୁ ପିଲାର ଅଗ୍ରଗତି ଦେଖିଲା ବେଳକୁ ସାଧାରଣ ସ୍ତରରୁ ବି ନିମ୍ନ ମାନର। ଏମିତି ନିରାଶା ଭିତରେ ଜୀବନ ହାରିଦେବା କଥା ବି ମନକୁ ଆସିଛି। 

                                    ସବୁଚେଷ୍ଟାରେ ବିଫଳ ହେବା ପରେ ସେଦିନ ସେ ମନ୍ଦିରକୁ ଯାଇଥିଲେ ଥରେ ସେ ହଟିଆ ଠାକୁରଙ୍କୁ ପଚାରିବା ପାଇଁ ଯେ ସେ ସତରେ ସବୁ ଦେଖୁଛି ନା ପଥର ହେଇ ମନ୍ଦିରରେ ବସିଚି । ଖୁବଯୋର ରେ ଘଣ୍ଟିଟା ପିଟିଦେଇ ଚତୁର୍ଦ୍ଧା ମୁରତୀକୁ ଏକଳୟରେ ଚାହିଁ ରହିଥାନ୍ତି। ଆଖିରୁ କେତେବେଳେ ଲୁହ ଗାଡି ଆସିଲାଣି ତାଙ୍କର ନିଘା ନାହି । ଆକୁଳ ଚାହାଣୀଇରେ ପ୍ରଭୁଙ୍କୁ ନିରେଖି କହୁଥାନ୍ତି-“ ଆଉ କେତେ ଚାହିଁବି ପ୍ରଭୁ, ସବୁ ଆଶା ମୋର ଭାଙ୍ଗି ଗଲାଣି। ଏ ପାଠ-ଶାଠ ର କିଛି ମୂଲ୍ୟ ନାହିଁ। ସେଥିରେ ଯଦି ମୁଁ ନିଜ ଗୋଡ ରେ ନିଜେ ଠିଆ ହେଇପାରିଲିନି, ମା ର ଆଶାକୁ ପୂରଣ କରି ପାରିଲିନି, ତେବେ ମୋ ଏ ଜୀବନ ରଖି କି ଲାଭ? ତାହା ଶେଷ ହେଇଯିବା ଦରକାର। ଏମିତି କହି ଫେରିବାକୁ ଗୋଡ ଉଠେଇଲାବେଳେ କାନ୍ଧଉପରେ କାହା ହାତ ସ୍ପର୍ଶ ରେ ପଛକୁ ଚାହିଲେ.... ମନ୍ଦିରର ପୂଜାରୀ । ସେ କିଛି କହିବା ପୂର୍ବରୁ ତାଙ୍କ ହାତ ଧରି ମନ୍ଦିରପାଖ ତାଙ୍କ ଘରକୁ ଡାକିନେଲେ। ସୁନ୍ଦର ସଫା-ସୁତର ଦୁଇ ବଖରା ଘର। ଯେତିକି ଆବଶ୍ୟକ ଜିନିଷ, ସେତିକି ଖୁବ ସୁନ୍ଦର ଭାବରେ ସଜା ହେଇ ରଖା ହେଇଛି। ପୂଜାରୀ ମହାଶୟ ତାଙ୍କୁ ତାଙ୍କ ସେଇ ପୁରୁଣା କାଠ ସୋଫା ଉପରେ ବସେଇ କହିଲେ- ମୁଁ ସବୁ ଶୁଣିଛି। ହେଲେ ଏତିକି କହିବି ନିରାଶ କାହିଁକି ? ପେଟପୋଷିବା ପାଇଁ କୌଣସି କାମରେ କିଛି ଛୋଟ ବଡ ନାହି। କେବଳ ସମର୍ପିତ ହେଇ କରିବା ଦରକାର। ମୁଁ ବୁଢା ଲୋକ , ଆଉ ପାରୁନି। ଯଦି କିଛି ଖରାପ ନଭାବିବ କି ଛୋଟ ନବିଚାରିବ, ତେବେ ଏଇ ମନ୍ଦିରର ପୂଜକ ଭାବରେ କାଲିଠାରୁ କାମ ଆରମ୍ଭ କର। ମନ୍ଦିର ଖଡସୁଧା[ବ୍ୟବସ୍ଥାପକ] କୁ ମୁଁ କହିଦେବି। ବାଶ....... ଜୀବନର ଆଉ ଏକ ପର୍ଯ୍ୟାୟ ସେଇଠୁ ଆରମ୍ଭ ହେଲା। ସେଇ ମନ୍ଦିର ପୂଜାରୀ ତାଙ୍କ ଏକମାତ୍ର ପାଠପଢୁଆ ଝିଅ ଶ୍ୟାମଳୀକୁ ତାଙ୍କ ହାତରେ ଟେକିଦେଇ ଆରପାରିକୁ ଚାଲିଗଲେ। ଶ୍ୟାମଳିର ହାତଧାରୀ ଶଶୁରଙ୍କ ପଦବୀରେ ସେଇଦିନଠୁ ସେ କାମ ଆରମ୍ଭ କରିଲେ। ଗାଁ ରୁ ମା କୁ ବି ପାଖକୁ ନେଇ ଆସିଲେ। କଣ ବା ଥିଲା ତାଙ୍କର ଗାଁ ରେ । 

                        ବେଳେ ବେଳେ ଭାଙ୍ଗି ପଡନ୍ତି ସେ।କିନ୍ତୁ ପ୍ରଭୁଙ୍କ ସେଇ ମନଲୋଭା ହସ ଆଉ ଦୁଇ ହାତ ଟେକାକୁ ଦେଖିଲେ ପୁଣି ସବୁଭୁଲି ଯାଆନ୍ତି। ସତେ ଅବା ଯେମିତି କିଏ ତାଙ୍କ କାନେ କାନେ କହିଦିଏ- “ ବାଶ, ଏତିକିରେ ଭାଙ୍ଗି ପଡୁଛୁ,ଆଖି ଖୋଲି ଦେଖ, ତୋଠାରୁ ଆହୁରି କଷ୍ଟରେ ଥାଇ ବି ଲୋକ କେମିତି ବଞ୍ଚିଛନ୍ତି, ଅହରହ ଯୁଦ୍ଧ କରୁଛନ୍ତି। ତୁ ବିଶ୍ଵାସ ରଖି ଆଗେଇ ଚାଲ, ମୁଁ ତୋ ପଛେ ପଛେ ରହିଛି । ସେତିକିରେ ପୁଣି ସବୁକୁ ପଛକୁଠେଲି ସେ ଆଗେଇ ଚାଲିଛନ୍ତି। ତାରି ସେବାଲାଗି ରେ ମନପ୍ରାଣ ଢାଳିଦେଇଛନ୍ତି। ସେଥି ପାଇଁ ଅନେକଥର ଘରର ଜରୁରୀ ଓ ଆବଶ୍ୟକତାକୁ ବି ପାଶୋରୀ ଦେଇଛନ୍ତି। ମା କି ଶ୍ୟାମଳୀ ବିରକ୍ତି ହେଲେ ଗୋଟେ ଉତ୍ତର ତାଙ୍କର- “କରି-କରାଏ ସେହି, ତା ବିନୁ ଅନ୍ୟ ଗତି ନାହି” । ଯାହା ହବ-ଯେମିତି ହବ ସବୁ ତା ହାତର କଥା। ଆମେ କିଏ। ହେଲେ ଆଜିକାଲି ‘ମା’ ଆଉ ସେକଥାକୁ ଗ୍ରହଣ କରୁନି। ଓଲଟା ତାଙ୍କ କଥାରେ ଚିଡି ଉଠୁଛି। ତା ଔଷଧ, ଖାଇବା-ପିଇବାରେ ଗତାନୁଗତିକ ଧାରାକୁ ସାହି ପାରୁନି। ତାଙ୍କ ପୂଜକ କାମ କୁ ବି ସେ ବୋଧେ ଅନ୍ତର ମଧ୍ୟରେ ଗ୍ରହଣ କରିପାରିନି , ଏଣୁ ବେଶ ଚିଡିଚିଡା ହେଇଯାଇଛି। ଆଉ ତାଙ୍କ ଉପର ରାଗ ସବୁ ଶ୍ୟାମଳୀ ଉପରେ ବାହାରୁଛି। ଆଉ ଶ୍ୟାମଳୀ………… ସବୁ ସହିବାର ବି ଗୋଟେ ସୀମା ଅଛି। ସବୁ ସ୍ଵପ୍ନ, ସବୁ ଆଶାକୁ ଚାପିଦେଇ ହାତଧରିଲା ଦିନୁ ଶାଶୁ,ବନ୍ଧୁ-ବାନ୍ଧବ କୁଣିଆଙ୍କ ଭିତରେ ଏମିତି ଘାଣ୍ଟି ହେଇ ଯାଇଚି ଯେ ସ୍ଵାମୀ-ସ୍ତ୍ରୀ ନିରୋଳାରେ ବସି ଦି-ପଦ ସୁଖଦୁଖ ବି ହେଇପାରି ନାହାନ୍ତି। ସେଥିକି ପୁଣି ‘ମା’ର ଜିଦ୍ଦିରେ ବର୍ଷେ ପୁରୁ-ନପୁରୁ କୋଳରେ ଝିଅ । ଝିଅ ଜନ୍ମ ହେଲା ବୋଲି କିଛି ନକହିଲେ ମଧ୍ୟ ସବୁବେଳେ ପୁଅଟେ ପାଇଁ ଶ୍ୟାମଳୀ କୁ ନାନା କଥା । ବେଳେବେଳେ ମୁଁ ବୁଝେଇଲେ ମଧ୍ୟ ‘ମା’ ତା ପ୍ରକୃତି ଛାଡିପାରେନି, ତେଣୁ ଅତିଶୟ ହେଲେ ଶ୍ୟାମଳୀ ମଧ୍ୟ ଓଲଟା ଜବାବ ଦେଉଛି। ସ୍ଥିତି ସମୟେ- ସମୟେ ଏମିତି ହେଇଯାଏ ଯେ ଶାଶୁ-ବୋହୁ କେହି କାହା ଜିଦ୍ଦି କି କଥାରୁ ହଟିବାର ନା ଧରନ୍ତି ନାହିଁ । ଅସହାୟ ମୁଁ ସେମାନକୁ ବୁଝେଇବାରେ ବିଫଳ ହେଇ ଶେଷରେ ସେଇ ଚକା ଆଖିକୁ ଆକୁଳ ନୟନରେ ଅନେଇ ରହେ। ସେ କିନ୍ତୁ ସେମିତି ସ୍ମିତ ହାସ୍ୟ ରେ ସତେ ଅବା ମତେ କହେ-‘ ତୁ ତୋ ବାଟରେ ଚାଲ,ସବୁ ଆପେ ଆପେ ଠିକ ହେଇଯିବ।‘ ସେଇ ଭାବନା କୁ ମୁଁ ଶ୍ୟାମଳୀକୁ ବୁଝେଇଦିଏ, ଇଚ୍ଛା ଥାଉ ବା ନଥାଉ, ସେ କୌଣସି ଉପାୟରେ ଶାନ୍ତ ହେବାକୁ ଚେଷ୍ଟା କରେ। 

        ତିନି-ଚାରିଦିନ ହେଲାଣି ଛୁଆଟା ଏମିତି ଲହରେଇ ଲହରେଇ ଖାସୀ ନୟାନ୍ତ ହେଇ ଯାଉଛି। ଅଳ୍ପ-ଅଳ୍ପ ଜର ବି ରହୁଛି। ଦିଇଦିନ ହେଲାଣି ଶ୍ୟାମଳୀ ଝିଅକୁ ନେଇ ଟିକେ ଡାକ୍ତରଖାନାରେ ଦେଖେଇ ଆଣିବାକୁ ତାଙ୍କୁ ବାରମ୍ବାର କହି ଚାଲିଛନ୍ତି। ହେଲେ ସେଇ ମନ୍ଦିରକାମ, ସେବାଲାଗି, ନୀତିକାନ୍ତି କରୁକରୁ କେମିତି କୁଆଡେ ସମୟ ପଳେଈ ଯାଏ ଯେ ସେ ଠଉରେଇ ପାରନ୍ତିନି । ଆଉ ଘରକୁ ଆସି ଶ୍ୟାମଳିଙ୍କୁ ମିଛ କହି ଭୁଲେଇ ଦେବାକୁ ଚେଷ୍ଟା କରନ୍ତି। କାଲି କିନ୍ତୁ ସେ ଧରାପଡିଗଲେ। ଝିଅକୁ ଆସି ଡାକ୍ତରଖାନା ନେବେ କହି ଆସିପାରିଲେ ନାହିଁ । ଛୁଆର ଖାସ ଅତିଶୟ ହେବାରୁ ଶ୍ୟାମଳୀ ନିଜେ ନେଇ ଡାକ୍ତର ଦେଖେଇ ଆଣିଲେ। ମନ୍ଦିରକାମ ସାରି ଦିପହରେ ଘରକୁ ଫେରନ୍ତେ ଶ୍ୟାମଳୀ ଝିଅ ରିପୋର୍ଟ ଟା ମତେ ଦେଇ ଦୁଃଖ ଆଉ ବିରକ୍ତିରେ କହିଲେ-“ ବାପା ହେଇ ଯଦି ସେ ଦାୟିତ୍ଵକୁ ପୁରା କରିପାରିବନି, ତେବେ ବାପା ହେଉଥିଲ କାହିଁକି? ଘର-ପିଲାଛୁଆ ସଂସାର ର ଦାୟିତ୍ଵ ଯଦି ନେଇ ପାରିବନି,ତେବେ ବାହା ହେଉଥିଲ କାହିଁକି,?” ଝିଅ ର ଅବସ୍ଥା କେଉଁଠି ହେଲାଣି, ରିପୋର୍ଟ ରେ ଦେଖ. । ମୁଁ ରିପୋର୍ଟ ଦେଖି ସତରେ ଚମକି ପଡିଲି। ଝିଅ ମୋର ‘ଟିବି’ ଆକ୍ରାନ୍ତ। ପ୍ରାଥମିକ ଅବସ୍ଥା ରେ ଅଛି। ଡାକ୍ତର ଲେଖିଛନ୍ତି, ଶୀଘ୍ର ଚିକିସ୍ଛା ନକଲେ ଅବସ୍ଥା ଖରାପ ହେଇ ପାରେ। ଆଉ ଖାଇବାକୁ ବସିବି କଣ, ଝିଅକୁ ନେଇ ପୁଣି ଡାକ୍ତର ପାଖୁ ବାହାରିଗଲି । ଘରେ ଡାକ୍ତର ଆଉଥରେ ଭଲଭାବରେ ଦେଖି ସାରି ଔଷଧ ଦେବାସହ କାଲି ଆଣି ହସପିଟାଲରେ ଆଡମିଶନ କରିବାକୁ ପରାମର୍ଶ ଦେଲେ। ଝିଅକୁ ନେଇ ଘରକୁ ଫେରିଲାବେଳକୁ ମତେ ଲାଗୁଥିଲା ମୋ ଧର୍ମ-କର୍ମ, ପୂଜା-ପାଠ ଏସବୁର କିଛି ମୂଲ୍ୟ ନାହିଁ । ମୋ ବିଶ୍ଵାସ ମୁଲ୍ୟହୀନ । ନହେଲେ କଣ ପ୍ରଭୁ ଏମିତି ବେଡି ଉପରେ କୋରଡା ମାଡ ଦିଅନ୍ତେ। ମତେ ଲାଗିଲା ଏ ପାର୍ଥିବ ସଂସାର ରେ ଟଙ୍କା-ପଇସା ଅଛି ତ ସବୁ ଅଛି। ନହେଲେ ଜୀବନ ଧୂଳିବାଲିଠୁ ବି ହୀନ । ଝିଅକୁ ଘରେ ଛାଡିଲା ବେଳକୁ ୪ବାଜି ଗଲାଣି । ଆଉ ଖାଇବି କଣ, ପୁଣି ମନ୍ଦିର ବାହାରିପଡିଲି, ସନ୍ଧ୍ୟା ନୀତିକାନ୍ତି ପାଇଁ। ଶ୍ୟାମଳିବି କେମିତି ଗମ୍ଭୀର ଆଉ ଉଦାସ ଭାବେ ଝିଅକୁ ଔଷଧ ଦେବାକୁ ନେଇଗଲେ। ବୋଧେ ଝିଅର ଅବସ୍ଥା ଜନିତ ଚାପ ଆଉ ଦୁଃଖ ରେ ସେ ମତେ ଖାଇବାକୁ ଦେବାକଥା ଭୁଲି ଯାଇଥିଲେ। ମୁଁ ଘରୁ ବାହାରି ଗଲା ବେଳକୁ ‘ମା’ କିନ୍ତୁ ଭିତରୁ ଏସବୁକୁ ଠିକ ଦେଖି ପାରିଥିଲା।   

                      ମନ୍ଦିରର ସାନ୍ଧ୍ୟ ନୀତିକାନ୍ତି ଆଉ ଦର୍ଶନଲାଗି ସରିଲାବେଳକୁ ରାତି ୮ ହେଇଯାଇଥାଏ। ଠାକୁରଙ୍କ ପହଡ କରେଇ ଘରକୁ ଯିବାକୁ ଉଠିଲି। କାହିଁକି କେଜାଣି ଯିବା ପୂର୍ବରୁ ପ୍ରଭୁଙ୍କୁ ଥରେ ଭଲକରି ଦେଖିବାକୁ ଇଚ୍ଛା ହେଲା। କେହିକୁଆଡେ ନାହାନ୍ତି। ମନ୍ଦିର ଭିତର ବାହାର ସବୁ ଶୁନଶାନ ହେଇଗଲାଣି। କବାଟ ବନ୍ଦ କରିବା ପୂର୍ବରୁ ଏକଲୟରେ ତାଙ୍କୁ ଅନେଇରହିଲି। ମତେ ଲାଗିଲା- ସତେ ଯେମିତି ମୁଚୁ ମୁଚୁ ହସି ପଚାରୁଛନ୍ତି-“ କଣ ଦେଖୁଚୁ ? ଆଖିରେ ମୋର ଧାର ଧାର ଲୁହ। କହିଲି- ପ୍ରଭୁ, କାହିଁକି ଏତେ କଷ୍ଟ ମତେ ଦେଉଛ? ସବୁ ଆଶା-ସବୁ ସ୍ଵପ୍ନ ତ ଭାଙ୍ଗିଦେଲ, ଶେଷରେ ଏଇ ମୋର ଭକ୍ତି ଆଉ ବିଶ୍ଵାସ ଟିକକ ବି ଭାଙ୍ଗିଦେବ। ମତେ ସିନା ଦଣ୍ଡିବ, ହେଲେ ମୋର ନିଷ୍ପାପ ଛୁଆକୁ ଏ ଦଣ୍ଡ କାହିଁକି ପ୍ରଭୁ? ତମେ ଆଜି ପ୍ରମାଣ କରିଦେଲ ଯେ ଏ ଭକ୍ତି, ଏ ବିଶ୍ଵାସ ସବୁ ମିଛ, ତମେ ତୁଚ୍ଛ ପଥର ଖଣ୍ଡେ। ତୁମ ସେବା କାହିଁକି କରିବି। କାଲିଠୁ ପଛେ ମୂଲ ଲାଗିଯିବି, ହେଲେ ମନ୍ଦିର ଆଉ ଆସିବିନି । ଧର୍ଯ୍ୟର ବନ୍ଧ ମୋର ଭାଙ୍ଗିଗଲା ପରି ଲାଗିଲା। ଛୋଟପିଲାପରି ଭୋ-ଭୋ କାନ୍ଦିବାକୁ ଲାଗିଲି। କିଛିସମୟ ପରେ ନିଜକୁ ନିଜେ ପ୍ରବୋଧନା ଦେଇ ମନ୍ଦିର କବାଟ ପକେଇବାକୁ ବାହାରିଲି। ବନ୍ଦକରିବା ପୂର୍ବରୁ ଆଖି ପୁଣି ବେଦି-ଆସିନ ପ୍ରଭୁଙ୍କ ଉପରେ ପଡିଲା। ଦେଖିଲି, ସେମିତି ମନଲୋଭା ହସ । ସେମିତି ଛଳିଆ ଆଖିରେ ଅନେଥାନ୍ତି,ସତେ ଯେମିତି ମୋ ସେ ଅବିଶ୍ଵାସ ଓ ଦୋଷାରପକୁ ହସି ହସି ଗ୍ରହଣ କରି ନେଉଛନ୍ତି। ଦୀର୍ଘଶ୍ଵାସ ଟେ ଛାଡି ଘରକୁ ପାଦ ବଢେଇଲି । ଘରେ ପହଞ୍ଚି ଗୋଡ ହାତ ଧୋଇଚିକି ନାହିଁ, ‘ମା’ ଖାଇବାକୁ ବାଢିଦେଲା। ଯଦିଓ ମତେ ଭୋକ ଲାଗୁନଥିଲା, ତଥାପି ଖାଇବାରେ ବସିବାକୁ ଯିବାବେଳେ ପଚାରିଲି- ‘ଶ୍ୟାମଳୀ ନାହିଁ କି, ତୁ ଖାଇବା ବାଢିଲୁ ଯେ? ମା କିନ୍ତୁ କିଛି ଉତ୍ତର ନଦେଇ ଗୁମ ହେଇ ବସିଥାଏ। ଏଇସମୟରେ ଶ୍ୟାମଳୀ ବୋଧେ ଝିଅକୁ ଔଷଧ ଦେଇ ଶୁଏଇ ସାରି ମତେ ଖାଇବାକୁ ଦେବାକୁ ଆସୁଥିଲେ। ମତେ କିନ୍ତୁ ଖାଇବାରେ ବସିବା ଦେଖି ଟିକେ ଅପ୍ରତିଭ ଭାବରେ କହିଲେ,-ରୁହ, ମୁଁ ଖାଇବା ଟିକେ ଗରମ କରିଦିଏ। ‘ ବାଶ, ସେତିକିରୁ ମହାଭାରତ ଆରମ୍ଭ ହେଇଗଲା । ନିଜର ସାମାନ୍ୟ ହେଳା ହେଉ କି ଦାୟିତ୍ୱବୋଧ , ସେଇ ଡାକ୍ତରଖାନା ଆଉ ଔଷଧ କଥାରୁ ଶାଶୁ-ବୋହୁଙ୍କ ମଧ୍ୟରେ କଥା-କଟାକଟି ରୁ ଉଚ୍ଚ-ବାଚ୍ଚ। ସବୁକଥା ‘ମା’ ସବୁବେଳେ ଠିକ୍ ଖାଇ ବସିଲାବେଳେ ଉଖାରିବ। ଏମିତି ସ୍ଥିତିରେ କାହାକୁ ବୁଝେଇବେ, କାହାପକ୍ଷ ହେବେ ସେ? ତ୍ରିଶଙ୍କୁ ପରି ଅସହାୟ ଭାବରେ ଶାଶୁ-ବୋହୂଙ୍କୁ କ୍ଷଣେ ଅନେଇ ଖାଇବାରୁ ଉଠିଯାଇ ଝିଅ ପାଖରେ ଗଡିପଡିଲେ। ପିତୃତ୍ଵର ଆବେଗରେ ଗୋଡ ଠାରୁ ମୁଣ୍ଡ ଯାଏ ଆଉଁସିବାକୁ ଲାଗିଲେ। ଛୁଆଟବି ବାପା ହାତ ସ୍ପର୍ଶ ପାଇ ବେକକୁ ଜାବୁଡି ଧରିଲା। ସେମିତି ଆଊଁସୁ- ଆଊଁସୁ ମନେ ମନେ ସ୍ଥିରକଲେ କାଲି ସକାଳ ହେଲା ମାତ୍ରେ ଆଉଥରେ ଝିଅ କୁ ନେଇ ଡାକ୍ତର ପରାମର୍ଶ କରିଆସିବେ । ତାପରେ କେତେବେଳେ ଯେ ଝିଅକୁ କୋଳେଇ ଶୋଇଗଲେ ନିଜେ ଜାଣିପାରିଲେ ନହିଁ। ଘଡଘଡି ସହ ମୁଷଳ ବର୍ଷାରେ ନିଦ ତାଙ୍କର ଭାଙ୍ଗିଗଲା। କାନ୍ଥଘଣ୍ଟାକୁ ଦେଖିଲେ ୫ ଟା ୩୦ମିନିଟ। ଶେଯରେ ଉଠିବସି ପାଦ ଆଡକୁ ଦେଖିଲେ, ଶ୍ୟାମଳୀ ଶୋଇ ଯାଇଛନ୍ତି। 

                             ମା-ଝିଅଙ୍କୁ ଚଦରଟା ଢାଙ୍କିଦେଇ ନିତ୍ୟକର୍ମ ସାରିବାକୁ ବାହାରିଗଲି । ଅଧଘଣ୍ଟା ଭିତରେ ସବୁ କାମସାରି ପୁଣି ଆସି ଝିଅ ପାଖେ ବସି ତାକୁ ଆଉଁସିବାକୁ ଲାଗିଲି। ତାଙ୍କ ସ୍ପର୍ଶରେ ଝିଅର ନିଦ ଭାଙ୍ଗିଗଲା ବୋଧେ, ଆଖିଖୋଲି ତାଙ୍କଆଡେ ଚାହିଁ ଟିକେ ହସିଦେଲା। “ତମେ ରାତିରେ କାଲି କେତେବେଳେ ଆସିଲ ବାବା? ମୁଁ କାଲି ଶୀଘ୍ର ଶୋଇ ପଡିଲି। ମତେ ଟିକେ ପାଣି ଦିଅତ, ଶୋଷ ଲାଗୁଛି .......... “ ଝିଅକୁ ଫୁଟାହେଇ ରଖା ହେଇଥିବା ଅଦା-ମିଶ୍ରି ପାଣି ଗ୍ଲାସରେ ଆଣି ପିଏଇଦେଲି। ଢୋକେ କି ଦି- ଢୋକ ପିଇଛି କି ନାହି ଝିଅ ମୋର ଖାସିବାକୁ ଲାଗିଲା। ମୁଣ୍ଡ-ପିଠିକୁ ଧୀରେ ଧୀରେ ଥାପୁଡିଦେଲି,ଖାସ ବନ୍ଦ ହେଇଯିବ ବୋଲି, କିନ୍ତୁ ସେ ଜୋରରେ ଖାସିବାକୁ ଲାଗିଲା। ତା ଖାସରେ ଶ୍ୟାମଳୀ ହଡବଡେଇକି ଉଠିପଡିଲେ। ଆର ପ୍ରକୋଷ୍ଠରୁ ମା ବି ଦଉଡି ଆସିଲା। କେହିକିଛି ବୁଝିବା ବା କିଛି ପଚାରିବା ଆଗରୁ ଝିଅ ଆଉଥରେ ମୋ ହାତକୁ ତା ମୁହଁ ଉପରେ ଚାପିଧରି ଜୋରରେ ଖାସିଦେଲା। ଶ୍ୟାମଳୀ ସେତେବେଳକୁ କାଲୀ ଆଣିଥିବା ଔଷଧ ଧରି ଆମ ବାପ-ଝିଅଙ୍କ ପଛକଡକୁ ଚାଲି ଆସିଥାନ୍ତି। ହାତମୋର ଉଷୁମ ଲାଗିବାରୁ ଝିଅ ମୁହଁ ଉପରୁ ହାତକୁ ମୋର ବାହାର କରିଆଣିଲି । କିନ୍ତୁ ଏ କଣ?.......... ହାତରେ ମୋର ତାଜା ନାଲି ରକ୍ତ ମନ୍ଦାଏ..............ମତେ ଲାଗିଲା ସତେ ଅବା ମୋ ପାଦ ତଳୁ ମାଟି ଖସି ଯାଉଛି, ମୋ ଦେହ ଥରିବାକୁ ଲାଗିଲା। ସେତେବେଳକୁ ଶ୍ୟାମଳୀ ଝିଅକୁ କାଖେଇଧରି ଖାସ ରୋକିବାକୁ ଚେଷ୍ଟା କରୁଥାନ୍ତି, ଆଖିରୁ ତାଙ୍କର ଲୁହ ବହି ଯାଉଥାଏ। ‘ମା’ ଖାସରେ ରକ୍ତ ଦେଖି ଡକା ପାରୁଥାଏ। ମୁଁ କିନ୍ତୁ କିଛି ଶୁଣିବା ବା ବୁଝିବା ଅବସ୍ଥାରେ ନଥିଲି। ସାର୍ଟ କୁ ଗଲେଇଦେଇ ସେମିତି ବର୍ଷାରେ ଡାକ୍ତରଙ୍କ ଘରକୁ ସାଇକେଲ ଛୁଟେଇଦେଲି। ଖାଲ-ଖମା, ଉଠାଣି-ଗଡାଣି କିଛି ଜାଣି ପାରୁନଥାଏ। ପ୍ରାୟ ପନ୍ଦରମିନିଟର ସାଇକ୍ଲିଙ୍ଗ ପରେ ଡାକ୍ତରଙ୍କ ଘରେ ପହଞ୍ଚିଳି। ଗେଟ ତାଙ୍କର ବନ୍ଦ ଥାଏ। ଏ ବର୍ଷା, ପୁଣି ଏତେ ସକାଳୁ କାହିଁକି କିଏ ବା କବାଟ ଖୋଲି ବସିବ। ମୋ ମୁହଁ ଆଗରେ କିନ୍ତୁ ଝିଅର ସେ ରକ୍ତ ଆଉ ଖାସ ନାଚି ଉଠୁଥାଏ। ବିକଳରେ ଡାକ୍ତରଙ୍କ ଗେଟରେ ଲାଗିଥିବା କଲୀଙ୍ଗବେଲ କୁ ଚାପିଧାରିଲି। 

               କିଛି ସମୟପରେ ସ୍ଵୟଙ୍ଗ ଡାକ୍ତର ସାହେବ ଗେଟଖୋଲି ମୋର ଏଭଳି ସମ୍ପୂର୍ଣ ଓଦାସଡସଡ ଶରୀର ଓ ଅବସ୍ଥା ଦେଖି କିଛିକ୍ଷଣ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଲେ। ପରମୁହୂର୍ତ୍ତ ରେ ମତେ ଘର ପର୍ଟିକୋକୁ ଡାକି ନେଇ ଏମିତି ବର୍ଷାରେ ପୁଣି ଏତେ ସକାଳୁ ...............ବିଶ୍ଵାସ ହେଉନଥିଲା ବୋଧେ। କାରଣ ମନ୍ଦିର ର ପୂଜକ ଓ ଜଣେ ଶିକ୍ଷିତ ବ୍ୟକ୍ତି ହିସାବରେ ସେଇ ଛୋଟ ସହରରେ ସମସ୍ତେ ଜାଣିଥିଲେ ବା ବ୍ୟକ୍ତିଗତ ପରିଚୟ ଓ ସମ୍ପର୍କ ଥିଲା। ଘର ସହାୟକ କୁ ଟାୱେଲ ଆଣିବାକୁ କହି ମତେ ପ୍ରଶ୍ନବାଚି ନଜର ରେ ଅନେଇ ରହିଲେ। କଣ କହିବି, କିପରି କହିବି ମୁଁ କିଛି ଜାଣିପାରୁ ନଥାଏ। ଲୁହ ଛଳ ଛଳ ଆଖିରେ କେବଳ ଏତିକି କହିଲି- “ମୋ ଝିଅ କୁ ବଞ୍ଚାନ୍ତୁ ଡାକ୍ତର ସାହେବ, ମୋ ଝିଅକୁ ବଞ୍ଚେଇ ଦିଅନ୍ତୁ।“ ସେତିକିରେ ବୋଧେ ଡାକ୍ତର ସବୁ ଠଊରେଇ ନେଲେ। ମତେ ଆଉ କିଛି ପ୍ରଶ୍ନ ନକରି ଅଳ୍ପସମୟ ଭିତରେ ଆସୁଛି କହି ଘର ଭିତରକୁ ଚାଲିଗଲେ। ମୁଁ ସେମିତି ପର୍ଟିକୋରେ ଏକଡ ସେକଡ ହେଉଥାଏ। ପବନ ବାଜି ଓଦାଲୁଗା କିଛି-କିଛି ଶୁଖି ଆସିଲାଣି। ମେଘର ପ୍ରକୋପବି ଟିକେ କମି ଆସିଥାଏ। ଅଧାଘଣ୍ଟା ଭିତରେ ଡାକ୍ତରସାହେବ ପ୍ରସ୍ତୁତ ହେଇ ଡାକ୍ତରଖାନା ଆସିବାକୁ ଇଶାରା କରି ନିଜ ଗାଡିରେ ଡାକ୍ତରଖାନା ବାହାରିଗଲେ। ପାଞ୍ଚ ମିନିଟ ଭିତରେ ମୁଁ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଗଲି। ମତେ ବସେଇଦେଇ ସେ ମେଡ଼ିସିନୱାର୍ଡ ରେ ବେଡ ଆଲଟମେଣ୍ଟ ଠାରୁ ଆରମ୍ଭ କରି ଝିଅକୁ ଆଣିବା ପାଇଁ ଆମ୍ବୁଲାନ୍ସ ଅର୍ଡର ଇତ୍ୟାଦି ସବୁ ଆବଶ୍ୟକୀୟ କାର୍ଯ୍ୟ ର ପ୍ରସ୍ତୁତି ନିଜ ହେପାଜତରେ କରେଇନେଲେ। ଆମ୍ବୁଲାନ୍ସ ଡ୍ରାଇଭର କୁ ଡକେଇ ପଠେଇବା ପରେ ମତେ ଝିଅକୁ ପ୍ରସ୍ତୁତ କରି ଆମ୍ବୁଲାନ୍ସ ରେ ପଠେଇବା ପାଇଁ ଘରକୁ ଯିବାକୁ ଇଶାର ଦେଲେ। ସେତେବେଳକୁ ବେଳ ପ୍ରାୟ ସକାଳ ୯ଟା ବା କିଛି ଅଧିକ ହେଇଥିବ ବୋଧେ। ବର୍ଷା ବି ଛାଡି ଯାଇ ଥାଏ। ମୁଁ ସାଇକେଲ ଘର ମୁହାଁ ଛୁଟେଇ ଦେଲି। ଆଖି ଆଗରେ କେବଳ ଆଉ କେବଳ ମୋ ଝିଅର ଛବି । ସେ କେମିତି କେଉଁ ଅବସ୍ଥାରେ ଥିବ, ଏମାନେ ସ୍ତ୍ରୀ ଲୋକ ଦୁଇଜଣ କଣ କରୁଥିବେ, ମୁଁ ଭାବି ପାରୁ ନଥାଏ। ଘରୁ ବାହାରିଲା ବେଳେ ମୁଁ ମୋବାଇଲ ମଧ୍ୟ ଆଣିବାକୁ ଭୁଲି ଯାଇଥିଲି। 

               ଘର ସାମ୍ନାରେ ସାଇକେଲକୁ ରଖିଦେଇ ମୁଁ ଭିତରକୁ ଦଉଡିଗଲି । ମନରେ ଅନେକ ଶଂସୟ, ଭୟ । କୁଆଡେ ନଦେଖି ସିଧା ଝିଅ ପାଖରେ ପହଞ୍ଚି ଦେଖେତ ଝିଅ ବେଶ ଆରମରେ ପ୍ଳେଟରେ ଅଙ୍ଗୁର ଆଉ ବିସ୍କୁଟ ଧରି ଖାଉଛି। ମୁହଁ ମଳିନ ବଦଳରେ ଉଜ୍ଜ୍ଵଳ ଲାଗୁଛି। ‘ମା’ ପାଖରେ ଚା-କପ ଧରି ତା ମୁଣ୍ଡ କୁ ଆଉଁସୀ ଦଉଛି । ମୋ ପାଦ ଶବ୍ଦ ଶୁଣି ଶ୍ୟାମଳୀ ରୋଷେଇଘରୁ ବାହାରି ଆସି ମତେ ପଚାରିଲେ-“ ତୁମେ ଏତେବେଳ ପର୍ଯ୍ୟନ୍ତ କୁଆଡେ ଥିଲ? ଡାକ୍ତର ମହାପାତ୍ର ତୁମେ ସେଇ ଯିବାର ଅଧଘଣ୍ଟା ପରେ ଗାଡିରେ ଆସି ଝିଅର ଦେହ ପୁରା ଚେକପ କରିବା ସହ କାଲିର ସେ ପୁରୁଣା ଔଷଧ ବଦଲେଇ ନୂଆ ଔଷଧ ଦେଲେ। ଖାଲି ସେତିକି ନୁହେଁ, ନିଜ ହାତରେ ଝିଅକୁ ଔଷଧ ଖୁଏଇବା ସହ ଏଇ ବିସ୍କୁଟ ଆଉ ଅଙ୍ଗୁର ବି ତା ପାଇଁ ଆଣିଦେଇଛନ୍ତି। ଆମକୁ କହିଲେ – ‘ପାଣୁ‘ ନାନାଙ୍କୁ ଡାକ୍ତରଖାନାରୁ ଆଉକିଛି ଔଷଧ ଆଣିବାକୁ କହି ମୁଁ ଆଗରେ ପଳେଈ ଆସିଲି। ସାଇକେଲ ନେଇଥିଲେ , ନହେଲେ ସାଥିରେ ନେଇ ଆସିଥାନ୍ତି। କିଛି ବ୍ୟସ୍ତ ହେବାର ନାହିଁ, ଝିଅ ଆମର ପୁରା ଠିକ ହେଇଯିବ। ଆଉ ଘଣ୍ଟାକୁ ଖେଳିବ ।‘ ଯେତେ ଚା ଟିକେ ପିଇ ଯାଅନ୍ତୁ କହିଲି, ମନାକଲେ । ରୋଗୀ ଆସିଯିବେ, ଯାଉଛି କହି ଫେରିଗଲେ। ତମେ ଏତେବେଳ ଯାଏ କଣ କରୁଥିଲ? ଶ୍ୟାମଳୀ ଆଉ କଣ କଣ କହୁଥିଲେ ବୋଧେ, ମତେ କିନ୍ତୁ କିଛି ଶୁଭୁ ନଥିଲା। ମୁଁ ହତ-ଚକିତ ହେଇ ଥରେ ମୋ ହାତରେ ଧରିଥିବା ଆମ୍ବୁଲାନ୍ସ ପର୍ମିଶାନ କାଗଜ ସହ ଡାକ୍ତର ମହାପାତ୍ର ଲେଖିଦେଥିବା ଡାକ୍ତରଖାନାରେ ଏଡମିଟ ପେପର କୁ ଏବଂ ଆଉଥରେ ଝିଅ ଓ ମା-ତଥା ଶ୍ୟାମଳୀକୁ ଦେଖୁଥିଲି। କିଛିକ୍ଷଣ ପରେ ଶ୍ୟାମଳୀ ମତେ ହଲେଇ ଦେଇ ପଚାରିଲେ- “ ଏମିତି କଣ ଚାହିଁ ରହିଛ? ତୁମ ଦେହ ଠିକ ଅଚିତ? ମୋବାଇଲ କି ଛତା କିଛି ବି ନେଇନ, ସେଇ ସକାଳୁ ଯାଇଛ ଯେ ଏବେ ଫେରୁଚ । ଡାକ୍ତରଙ୍କୁ ଘରକୁ ପଠେଇ ତମେ କୁଆଡେ ରହିଗଲ? ମୁଁ ମୋ ନିଜ ହାତକୁ ଚିମୁଟି ଦେଲି, ସ୍ଵପ୍ନ ଦେଖୁନିତ । ଝିଅ କୁ ମୋର ଆବେଗରେ ଜଡେଇ ଧରିଲି। ଆଖିରେ ମୋର ଲୁହ ଉକୁଟି ଆସିଲା। ମା ବା ଶ୍ୟାମଳୀ ଆଉ କିଛି ପଚାରିବା ଆଗରୁ ଝଡପରି ଘରୁ ମନ୍ଦିରକୁ ଦଉଡି ଗଲି। 

       ସେମିତି ସ୍ମିତ ହସ ଅଧରରେ ଲାଗି ରହିଥାଏ। କିରିଟୀ-କୁଣ୍ଡଳ ପାଟ-ପୀତାମ୍ବରୀ ପିନ୍ଧି ସିଂହାସନରେ ବସି ରହିଥାନ୍ତି ନୀଳାଦ୍ରି ବିହାରୀ। ସତେ ଯେମିତି ଦୁଇ ବାହୁ ମେଲି ଡାକିଛନ୍ତି- ଆ, ମୋ କୋଳକୁ ଆ, ତୋ ପାଇଁ ପରା ବାହୁ ମେଲି ଦେଇଛି। ନିଜକୁ ରୋକି ପାରିଲିନି। ଛୋଟ ପିଲା କାନ୍ଦିଲା ପରି କଇଁ କଇଁ କାନ୍ଦି ପ୍ରଭୁଙ୍କ ପାଦ ତଳେ ମୁଣ୍ଡ ରଖିଦେଲି। ପାଦ ଜୋଡକୁ ଜାବୁଡି ଧରି କହିଲି- “ ତୁ ଏତେ ଦୟାଳୁ, ପୁଣି ଏତେ ଆପଣାର , ମୁଁ ଜାଣି ନଥିଲି। ହେ ଦୀନବନ୍ଧୁ ! ମୋ ଭଳି ଗୋଟେ ଛାର ପୂଜାରୀ ପାଇଁ ତୋ ସିଂହାସନ ଛାଡି ତୁ ମୋ ଝିଅକୁ ସେବା ଦେଇ ଆସିଲୁ। ହେ ଲୀଳାମୟ, ମତେ କ୍ଷମା କରିଦେ, ତୋ ମହିମା କି ତୋ କରୁଣା କୁ ମୁଁ ବୁଝି ପାରି ନଥିଲି। ସେ କିନ୍ତୁ ସେମିତି ହସୁଥିଲା, ସତେ ଅବା ମତେ କହୁଥିଲା – ଯା, ଘରକୁ ଯା, ମୋ ଉପରେ ସବୁ ଛାଡିଦେ, ମୁ ପରା ତୋ ପଛରେ ଅଛି, ‘। ଧୂପ ଆଉ ଭୋଗ ଚଢେଇ ଦେଇ ସାନ-ପୂଜାରୀକୁ ମନ୍ଦିରରେ ବସେଇ ଘରକୁ ଫେରିଲି। ମତେ ଦେଖି ମା କହିଲା- କାଲିଠୁ ଖାଇନୁ, ଶ୍ୟାମଳୀ ତେଣେ ଜଳଖିଆ ଧରି ତତେ ଖୋଜୁଛି, କୁଆଡେ ଯାଇଥିଲୁ? ନାଇଁ,ମନ୍ଦିର ବାଳଧୂପ ଦବାକୁ ଯାଇଥିଲି- ସେତିକି ଉତ୍ତର ଦେଇ ଝିଅ କୁ ମୋର ଦୁଇ ହାତରେ ଟେକି ଧରିଲି। ମୋ ହୃଦୟ ଭିତରେ ସେତେବେଳକୁ ସମର୍ପଣର ସ୍ରୋତ । ଶ୍ୟାମଳୀ ଜଳଖିଆ ନେଇ ଆସିଲେ। ପ୍ରକୃତରେ ମତେ ଭୋକ ଲାଗୁଥିଲା। ଆଉ କିଛି ନପଚାରି ସିଧା ଖାଇବାରେ ବସିଗଲି । ଅଧା ଖିଆ ହେଇଛି, ବାହାରେ ସାଇକେଲ ଘଣ୍ଟି ଶବ୍ଦ ଶୁଭିଲା। ମତେ ଖାଇବାକୁ କହି ଶ୍ୟାମଳୀ ବାହାରକୁ ଗଲେ। ହାତରେ ଗୋଟେ ରେଜିଷ୍ଟ୍ରି ଚିଠି ଆଣି ମତେ ବଢେଇ ଦେଲେ। ମୁଁ ଟିକେ ଆଶ୍ଚର୍ଯ୍ୟ ହେଇ ଅନେଇବା ସହ ଚିଠି କୁ ଫାଡି ଦେଖେତ ୯ ବର୍ଷ ତଳେ ଦେଇଥିବା “ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ” ପରୀକ୍ଷାର କେସ ଜନିତ ଫଳାଫଳ ସହ ନବରଙ୍ଗପୁର ରେ ଆସନ୍ତା ୭ ଦିନ ଭିତରେ ଯଏନ କରିବାର ଅର୍ଡର। ମୁଁ ଖୁସିରେ ଆତ୍ମହରା ହେଇ ଉଠିଲି। ଶ୍ୟାମଳିଙ୍କୁ ଅର୍ଡର ଟା ଧରେଇ ଦେଇ ଏକ ମୁହାଁ ହେଇ ପୁଣି ମନ୍ଦିରକୁ ଦଉଡିଲି। ଦୂରରୁ କେଉଁଠୁ ମାଇକ ରେ ଭାସି ଆସୁଥିଲା –

           “ ତୁମେତ ଦୟାଳୁ ଦାତା ବୋଲି ପ୍ରଭୁ 

           ଜଗତେ ପଡୁଛି ହୁରି, ଜଗତେ ପଡୁଛି ହୁରି”   


 








Rate this content
Log in

Similar oriya story from Drama