Pranati Mahapatra

Inspirational

4.5  

Pranati Mahapatra

Inspirational

ମାଆ

ମାଆ

3 mins
374



ମାଆ ତ ନୁହେଁ, ଜୀବନର ଅସରନ୍ତି ଘିଅ ସଳିତା ଭରା ଦୀପଟିଏ ତୁ । ତୋତେ ମୁଁ ଦେଖିଛି କି ,ହଁ ଦେଖିଛି ,ଆହୁରି ଆହୁରି ଦେଖିବାକୁ ଇଚ୍ଛା ହୁଏ । ମନଭରି ଭୋଗିବାକୁ ଇଚ୍ଛା ହୁଏ ତୋ ସେହି କଡା କଡା ଆକଟ,ତୋ ହାତରେ ସେହି ବାଡିର ମାଡ ଏବେବି ହାତ ମାରିଲେ ମନେ ପଡେ ଏ ପରା ମାଆ ମାଡ଼ ।


  ମାଆଲୋ, ଲୋକ କଥାରେ ଅଛି କାଳେ ମାଆ ମାଡ ନାହିଁ ତୋଡ,ବାପା ମାଡ଼ ରାଇଜ ଛାଡ଼ । ମୁଁ କାହିଁକି ବିଶ୍ବାସ କରେ ନାହିଁ ,ବୋପାଲୋ କି ମାଡ଼ । ଗଡିଆକୁ ଗାଧୋଇ ଯିବା ଆଗରୁ ଖରାରେ ଛେପ ପକେଇ ଯିବୁ,ଛେପ ଶୁଖି ନ ଥିବ ଆସିବୁ ,ଛେପ ଯଦି ଶୁଖି ଗଲା ତ କଥା ଶେଷ । କାନ୍ଥରେ ଚୌକି ବସିବା ଥୟ । ବଡ଼ ପାଟିରେ କହିବୁ ତୁ ,ଏଁ ଏତେ ସମୟ କ'ଣ ପାଠପଢୁଆ ଛୁଆ ଗାଧୋଇବ । 

ଆରମ୍ଭ ଶ୍ଲୋକ - କାକ ସ୍ନାନ ବକ ଧ୍ୟାନ, ଶ୍ବାନ ନିଦ୍ରା ତଥୈବ ଚ

ସ୍ବଳ୍ପାହାରୀ ଗୃହତ୍ୟାଗୀ ବିଦ୍ୟାର୍ଥୀ ପଞ୍ଚ ଲକ୍ଷଣମ୍ ।


ଆରେ ଯାଇକି ପାଣିରେ ଗୋଟା ପହଁରା ଦେବ ।

ଏ ଟା କ'ଣ ବେମୁରିଆ ଘର ହେଇଗଲା ।

ମୋ ବୋପାଲୋ, ଯୋଉ ପାଟି ତୋର, ସେ ପାଟି ଶୁଣୁ ଶୁଣୁ ବଡ଼ଭଉଣୀର ଏକ ସଙ୍ଗେ ସଙ୍ଗେ, କିଛି ସମୟ ପରେ ଦୁଇ ,ସେହି ପ୍ୟାଣ୍ଟରେ । 

ଭାରି ମନେପଡେ, ସାନବାପାଙ୍କ ପିଜୁଳି ଗଛରୁ ଭାଇଭଉଣୀ ଦୁହେଁ ଖରାବେଳେ ପିଜୁଳି ଆଣି ଖାଉଥିଲୁ ,ସାନମାଆ ଏକଥା କହି ଦେବାରୁ ସେହି ଗୋଡକୁ ଗୋଡକୁ ଦେଖେଇ ଯୋଉ ମାଡ଼ । ଭାଇଭଉଣୀ ଦୁହେଁ ତିନି ଚାରି ଦିନ ଚାଲି ପାରିଲୁ ନାହିଁ । ରାତିରେ ଜଡାତେଲ ଘଷୁ ତୁ । ଆଉ କହୁ ,କି ନିଆଁ ରାଗ ମୋର ,ଛୁଆ ଦିଟାଙ୍କୁ ମାରି ଗୋଡ଼ ଫୁଲେଇ ଦେଇଛି । ମୁଁ ଶୋଇ ନ ଥାଏ ,ଚଟାପଟ୍ ଉଠିପଡି କହେ ,ଆମେ ଶୋଇବା ପରେ ତୁ ଏତେ ତ ଭଲ ପାଉଛୁ ,ଚେଇଁ ଥିଲାବେଳେ ଖାଲି ମାରୁଛୁ କାହିଁକି । ସେ ପୁଣି ପାଟିକରେ ଯେ ଏକାଥରେ ଉଠେ ସକାଳେ ।

ସଞ୍ଜ ନ ହେବା ଆଗରୁ କହେ ,ଯାଅ ଝାଡା ଝପଟ କରି ଆସିବ ।ପି କରି ଯାଅ ,ପି କରି ଆସିବ । ମୁଁ ଶହେ ଗଣି ସାରିବା ବେଳକୁ ଆସି ପହଞ୍ଚିବ । ଗୋଡ଼ହାତ ଧୋଇ ଫଳା,ପଣିକିଆ, ପ୍ରାର୍ଥନା କରିବ । ସୁ ସୁ କରି ଯିବୁ ,ସୁ କରି ଆସିବୁ । ବସିଯିବୁ ଭାଇଭଉଣୀ ପିଣ୍ଢାରେ ,ଫଳା,ପଣିକିଆ, ପ୍ରାର୍ଥନା ଇତ୍ୟାଦି ଇତ୍ୟାଦି ଯେତେ ଯାହା ଅଛି ସବୁ ଡାକି ସାରି ପାଠପଢି ବସୁ । ସେ ବେଳରେ ତ ରାଗି ରାଗି ବସୁ ଆମେ । 

ସବୁଠାରୁ ମଜା କଥା ହେଲା - ଛୁଟିଦିନ ମାନଙ୍କରେ ପାଲା,ଦାସକାଠିଆ ଗୀତ ଗାଇ ଗାଇ ନାଚେ ,ଆମକୁ କହେ ପାଳି ଧରିବାକୁ । ଆମ ଘରେ ଟିଭି ନ ଥାଏ କାଳେ ଜିଦି କରିବୁ ,ସେ ଆମ ମନୋରଞ୍ଜନ ଏହିଭଳି କରି ସମୟ ବିତେଇ ଦିଏ । 

ମୋ ମାଆ ,ଏକାଦଶ ପାସ କରିଛି । ବହୁତ ଗପ କବିତା ଲେଖେ । ତା'ର ବଡ଼ ନିଶା ପଢିବା, ଯେକୌଣସି ବହି ହେଉ । ସେ କେତେ ଯେ ରାମାୟଣ, ମହାଭାରତ ମୁହଁରେ ମୁଖସ୍ଥ ନ କରିଛି ।ଦିନେ ଗୋଟିଏ ରାତିରେ ପ୍ରତିଭା ରାୟଙ୍କର ସମୁଦ୍ରର ସ୍ବର ବହି ପଢି ଶେଷ କରି ଦେଲା । ଡିଟେକ୍ଟିଭ,ଉପନ୍ୟାସ, ରହସ୍ୟ କୁମାରଙ୍କ ବହି ଏମିତି ଶେଷରେ ଆମ ସାହିତ୍ୟ ବହି ସବୁ ପଢି ଘୋଷିଦିଏ ।


 ବ୍ରେନ କ୍ୟାନସରରେ ପୀଡ଼ିତ ହୋଇ ଦୁଇ ଦୁଇ ଥର ଅପରେସନ ପରେ ମଧ୍ୟ ୩୪ ବର୍ଷ ବୟସରେ ଚାରୋଟି ପିଲା ସ୍ତ୍ରୀକୁ ଛାଡ଼ି ଚାଲିଗଲେ ଆରପାରିକୁ ବାପା । ନିଜ ସୁଖକୁ ଜଳାଞ୍ଜଳି ଦେଇ ପାଠଶାଠ ପଢେଇଲୁ ତୁ ଆମକୁ । କେବେହେଲେ ବାପାଙ୍କ ଅଭାବ ଅନୁଭବ କରିବା ପାଇଁ ଦେଇ ନାହୁଁ । ପୁସ୍ତକ କୀଟଟିଏ ତୁ ,ସେଥିପାଇଁ ଶିକ୍ଷାର ମୂଲ୍ୟ ବୁଝି ସମସ୍ତଙ୍କୁ ପାଠ ପଢେଇଲୁ । କାଳେ କିଏ ମୁରବି ନାହିଁ, ବାପ ଛେଉଣ୍ଡ କହି ଦେବେ ସେଥିପାଇଁ ଗୋଡେ ଗୋଡେ ଜଗି ରହୁଥିଲୁ ତୁ । ଜମିବାଡ଼ି କଥା କିଛି ନ ବୁଝି ଆମ ମାନଙ୍କ ଭବିଷ୍ୟତକୁ ନିଜ ହାତରେ ଗଢିଦେଲୁ । 


  ତୁ କେଉଁ ଉପାଦାନରେ ଗଢା ଏବେବି ମୁଁ ଭାବେ । କଡା ଶାସନ ଭିତରେ ମମତାର ଚାଦରଟି ସବୁବେଳେ ଢାଙ୍କି ଦେଉ ନିଜେ ଓଦା ହୋଇ । ଅନ୍ଧ ସାଜି ଚକ୍ଷୁଦାନ ଦେଇ ପାରୁ ଆମକୁ । ତୋତେ ଶବ୍ଦର ଭାଷାକୋଷ ରେ ସଜେଇଲେ ବି ମୁଁ ବୁଝିପାରେ ନାହିଁ ଅସଜଡା ମନରେ ଏତେ ସୁନ୍ଦର ଘର କେମିତି ସଜେଇ ଦେଉ ମାଆ ।

ସତରେ ମାଆ ତୁ ଆମରି ମାଆ

ତୁ ତ କେବଳ ଆମର ମାଆ ନ ଥିଲୁ ,ଆମ ଗୁହାଳରେ ଥିବା ଗେଡି,ଘୁଙ୍ଗୁରି ତୋ ଡାକ ଶୁଣିଲେ ଆସି ଲୁଗା କାନିରେ ମୁହଁ ପୁରାନ୍ତି ।

ସେମାନେ ବି ତାଙ୍କ ଭାଷାରେ ତୋତେ ମାଆ ମାଆ ବୋଲି ଡାକ ପକାନ୍ତି ।


ମାଆ ତୁ ସମସ୍ତଙ୍କ ମାଆ





Rate this content
Log in

Similar oriya story from Inspirational