Dr Arati

Tragedy Inspirational Children

5  

Dr Arati

Tragedy Inspirational Children

ମାଆରୁ ମାମା ପର୍ଯ୍ୟନ୍ତ

ମାଆରୁ ମାମା ପର୍ଯ୍ୟନ୍ତ

8 mins
480



ମୁଁ ଆଇ.ଏ.ଏସ. ପ୍ରଶାନ୍ତ ମହାପାତ୍ର। ମୋ ସ୍ତ୍ରୀ ମିଲି, ନା, ନା, ଭୁଲ କହିଲି, ମିସେସ୍ ମହାପାତ୍ର। କାରଣ ସେ ମିସେସ୍ ମହାପାତ୍ର ! ନଚେତ୍ ମାଡ଼ାମ୍ ! ଶୁଣିବାକୁ ପସନ୍ଦ କରେ। ମୋର ଗୋଟିଏ ଛୋଟିଆ ପୁଅ, ବୟସ ମାତ୍ର ୬ଵର୍ଷ। ମୋଟା ମୋଟି କହିବାକୁ ଗଲେ ଛୋଟ ଓ ସୁଖୀ ସଂସାର। ମୋ ସ୍ତ୍ରୀ ଜଣେ ଡକ୍ଟର। ଯଦିଓ ମୁମ୍ବାଇରେ ମୋର ଘର ଅଛି, ମୁଁ କିନ୍ତୁ ରହେ ସରକାରୀ କ୍ୱାର୍ଟରରେ। ମୋ ସ୍ତ୍ରୀ ଭାରି ବୁଦ୍ଧିମତି ଆଉ ଏଇଟା ତାର ବୁଦ୍ଧି, ଯେଉଁଥିପାଇଁ ନିଜଘର ଭଡ଼ା ଲାଗିଛି ମୁମ୍ବାଇରେ। ମୋଟା ମୋଟି ମୁଁ ଜଣେ ସୁଖୀ ମଣିଷଟେ ବୋଲି ଭାବି ପାରନ୍ତି................!!

     

ମୁଁ ଆଜି କେବଳ ମୋ ସ୍ତ୍ରୀ ବିଷୟରେ କହିବି। ପ୍ରଥମରୁ କହିଛି, ସେ ହେଉଛନ୍ତି ମିସେସ୍ ମହାପାତ୍ର। ଆବଶ୍ୟକତା ଠୁ ଅଧିକା କେୟାରିଂ। ଖାଲି ମୋପାଇଁ ନୁହେଁ ମୋ ପୁଅ ପାଇଁବି। ମୋର ୬ବର୍ଷର ପୁଅ, ତାକୁ ସେ ଭୋର ୫ଟାରୁ ଉଠାଏ। ଖରା, ବର୍ଷା, ଶୀତ, ସବୁଦିନ ସକାଳୁ ତାକୁ ନେଇ ମର୍ଣିଂ ୱାକରେ ଯାଏ। ସେଠୁ ଫେରିଲେ ଯଦିଓ ତାକୁ ଖୁବ୍ ଭୋକ ଲାଗୁଥାଏ ହେଲେ ତାକୁ ସେ ମାତ୍ର ଗୋଟେ ଗ୍ଲାସ ଜୁସ୍ ପିଇଵାକୁ ଦିଏ। କିଛି ସମୟ ପରେ ଗୋଟେ ବାଉଲ୍ ଗଜାମୁଗ ଖାଇବାକୁ ଦିଏ ଯାହାକି ତାର ଯମାବି ପସନ୍ଦ ନୁହେଁ। ମୁଁ ଘରେ ଥିଲେ, ମୋ ଖାଇବାବି ପ୍ରାୟ ଏକରକମ ସେଇଆ। ସେ ରୋଷେଇ ଜାଣିନି କି ଜାଣିଶୁଣି କରେନି ମୁଁ ଆଜି ଯାଏ ଜାଣିପାରିନି, କିନ୍ତୁ ଆମେ ସବୁବେଳେ ସିଝା ସନ୍ତୁଳା ଖାଉ। ହଁ ! ସୁପ୍ ନଚେତ୍ ଦଲିଆବି ବେଳେ ବେଳେ ଥାଏ ଆମ ମେନୁରେ। ନଚେତ୍ କିଛି ଫଳ ଯାହାସବୁ ଆମ ବାପ ପୁଅଙ୍କୁ ଯମା ପସନ୍ଦନୁହେଁ। କିନ୍ତୁ ଆମେ ନାଚାର। ମୁଁ, ତ ବେଳେ ବେଳେ ବାହାରେ ଖାଇନିଏ ହେଲେ ମୋ ପୁଅ....? ବିଚରା ବବଲୁ କେବଳ ଖାଇବାର ସ୍ବପ୍ନ ଦେଖେ। ମୋର ନୀତି ଦିନିଆ ଟାଇଟ୍ ପ୍ରୋଗ୍ରାମ ଭିତରେ କେଵେ କେମିତି ଯଦି ତାକୁ ବାହାରକୁ ନିଏ, ମାଡ଼ାମ୍ କିନ୍ତୁ ଘରୁ ତାଗିଦ କରିଥାନ୍ତି, "ବାହାର ଖାଦ୍ୟ ଖାଇଵନି କି ବବଲୁକୁ ଦେବନି। ଦେହ ଖରାପ ହେବ, କେବଳ ଜୁସ୍ ! ତାଛଡା ଆଉ କିଛିବି ନୁହେଁ। ହେଲେ ତାଙ୍କ ଅଲକ୍ଷରେ ବାହାରେ ଆମେ ବାପ, ପୁଅ, ଖୁବ୍ ମସ୍ତି କରୁ, ଧୁମ ଖାଉ, ଆଉ ଫେରିଲାବେଳେ ପରସ୍ପରକୁ ପ୍ରମିସ୍ କରୁ ମାମା ଯେମିତି ନଜାଣେ.................!!     

  

ବବଲୁର ସବୁ କିଛି ରୁଟିନ୍। ଖାଇବା, ପଢିବା, ଖେଳିବା, ଶୋଇବା, ଇତ୍ୟାଦି ଇତ୍ୟାଦି। ବିଚରା....!! ବେଳେ ବେଳେ ଏସବୁ ଦେଖି ଭାରି ଦୟା ଲାଗେ। କଠୋର ଅନୁଶାସନ ଆଉ ଏ ଶୃଙ୍ଖଳିତ ବ୍ୟବସ୍ଥା ଭିତରେ ପିଲାଟା ବିଚରା ଅଣନିସ୍ୱାସୀ ହୋଇପଡେ। ମୁଁ ବେଳେ ବେଳେ ଭାବେ ଆମେତ ପିଲାଦିନେ ଏତେ ଖେଲୁଥିଲୁ ତାପୁଣି ବାଲି ଧୁଳିରେ, ଆଉ ଯାହା ମାନେ ତାହା ଖାଉଥିଲୁ, ଆମେ କଣ ଶୃଙ୍ଖଳିତ ନଥିଲୁ ? ନା ପ୍ରତିଷ୍ଠିତ ନୁହେଁ ? ମାତ୍ର କିଏ ବୁଝେଇବ ମିଲିକୁ...? ବବଲୁର ପିଲାଦିନୁ ଶୋଇବାଘର ଅଲଗା, ସେ କେଵେ ହେଲେ ତା ମା କୋଳରେ ଶୋଇନି। ଯଦିଓ ମୁଁ କଲେଜ ଯିବା ଯାଏ ମୋ ମା' ପାଖେ ଶୋଉଥିଲି, ଗୀତ ଶୁଣି ଶୁଣି ମାଆକୁ ଜାବୁଡ଼ିଧରି। ରାତିସାରା ତା ହାତ ମୋ ପିଠିରେ ବୁଲୁଥିଲା। ମୋ ମା' ତା ହାତରେ ମୋତେ ମୋ ପସନ୍ଦର କେତେ କଣ ଖାଦ୍ୟ ସବୁ ଖୁଆଇଦିଏ। ଖାଇ ସାରିଲେ ତା କାନିରେ ମୋ ମୁହଁକୁ ନିଜେ ପୋଛିଦିଏ। ଶିଶୁ ସୁଲଭ କୌଣସି ସ୍ଵଭାଵ ମୁଁ ବବଲୁ ପାଖରେ ପାଏନାହିଁ। ଯଦିବି କିଛି କରେ ତା ମା' ର ଅନୁପସ୍ଥିତିରେ। ମା ପାଖରେ ଥିଲେ ସେ ପୁରାପୁରି ଚୁପ୍...........!!

   

ପାଞ୍ଚବର୍ଷ ତଳେ ମୋ ମା, ଗାଁ ରୁ ମୁମ୍ବାଇ ଆସିଥିଲା। ପ୍ରଥମରୁ କହିଛି, ମୋ ସ୍ତ୍ରୀ ଭାରି କେୟାରିଂ। ତେଣୁ ମୋ ପଖାଳଖିଆ ମା, ବିନା ପଖାଳରେ ଛଟପଟ ହୋଇ ଚାରି ପାଞ୍ଚ ଦିନରେ ବ୍ୟତିବ୍ୟସ୍ତ ହୋଇ ଗାଁ,କୁ ପଳେଇଲା।ଆମର ଏ ସିଝା ସିଝି ଖାଦ୍ୟ ସେ ଖାଇ ପାରେନି ବୋଲି କେତେବେଳେ କେମିତି ଯଦି କିଛି ସେ ରୋଷେଇ କରେ, ନା ମିଲି ସେସବୁ ଖାଏ ନା ଆମକୁ ଦିଏ। ମା, ସେଇଯେ ଯାଇଛି ଆଉ ଆସିନି। ମୁଁ,ବି ପାଞ୍ଚବର୍ଷ ହେଲା ଗାଁ,କୁ ଯାଇନି। ମାଆ ଗାଆଁରେ ସାନଭାଇ ପାଖରେ ରୁହେ। ତା, ସ୍ତ୍ରୀ ବହୁତ ଭଲ, ମା,ର ଖୁବ୍ ଯତ୍ନନିଏ।ବେଳେ ବେଳେ ମାଆ କଥା ଓ ଗାଁ କଥା ମୋର ବହୁତ ମନେପଡେ। ଅଫିସ କାମରୁ ସମୟ ମିଳିଲେ ବବଲୁକୁ ମଝିରେ ମଝିରେ ଗାଆଁର କାହାଣୀ ଶୁଣାଏ ଆଉ କାହାଣୀ ଶୁଣି ତାର ଭାରି ଇଛାହୁଏ ଗାଆଁକୁ ବୁଲି ଯିବାକୁ। ଜେଜେମା, ଦାଦା, ଖୁଡୀ, ସମସ୍ତଙ୍କୁ ସେ ଦେଖିବ। ତାକୁ ମୁଁ କଥା ଦେଇଛି ଏଥର ଶୀତ ଛୁଟିରେ ଆମେ ସମସ୍ତେ ଗାଁ,କୁ ଯିବା। କାରଣ ଶୀତ ଋତୁରେ ଗାଁ,ର ଦୃଶ୍ୟ ଖୁବ ସୁନ୍ଦର୍ ଆଉ ନିଆରା, ଯାହାକି ବବଲୁକୁ ଆକୃଷ୍ଟ କରିବ...........!!


ବମ୍ବେରେ ମୁଁ ଯୋଉଠି ରୁହେ, ସେଠି ପାଖାପାଖି ଅନେକ ଓଡ଼ିଆ ଲୋକ ମଧ୍ୟ ଥାନ୍ତି। ମୁଁ ସମସ୍ତଙ୍କ ସହ ମିଶେ।ବିଦେଶରେ ନିଜ ଭାଷା ଭାରି ଆପଣାର ଲାଗେ। କିନ୍ତୁ ମୋ ସ୍ତ୍ରୀ ସେସବୁକୁ ପସନ୍ଦ କରେନା। ଏଇ ଯେମିତି....ନାନୀ, ଭାଉଜ, ବା "ମିଲି" ଡାକ ତାକୁ ଭଲ ଲାଗେନା। ଭଲଲାଗେ କେବଳ ମିସେସ୍ ମହାପାତ୍ର ବା ମାଡ଼ାମ୍। ତାକୁ ବୁଝେଇଲେବି ସେ ବୁଝେନା ସେ ରାଗିଯାଇ କହେ, ମୋତେ ଏସବୁ ଭଲ ଲାଗେନା, କି କାହା ସହ ପୁଅକୁବି ମିଶିବାକୁ ଛାଡେନା। ସବୁବେଳେ କେବଳ ନିଜ ଷ୍ଟାଟସ ଲୋକଙ୍କ ସହ ସେ ମିଶେ ଯେଉଁମାନେକି ଖାଲି ଫର୍ମାଲିଟି ଜାଣନ୍ତି। ସମାଜରେ ଆର୍ଟିଫିସିଆଲ ଲୋକମାନେ ହିଁ ତାର ବହୁତ ପସନ୍ଦ..........!! 

    

ଏଥର ଶିତଛୁଟିରେ ମିଲିକୁ ବହୁତ ବୁଝେଇଲି ଟିକେ ଗାଁ,କୁ ଯିବା। ଗାଁ ଏବଂ ଗାଁଲୋକ ତାର ଯମା ପସନ୍ଦ ନୁହଁ। ଯାହାହଉ ବହୁ କଷ୍ଟରେ ୪ଦିନ ପାଇଁ ଯିବାକୁ ରାଜି ହେଲା। କିନ୍ତୁ ସର୍ତ୍ତ ଥିଲା, "ତୁମ ଗାଉଁଲି ଲୋକଙ୍କ ଭଳି ମୁଁ ଗାଆଁରେ ଶାଢ଼ୀ ପିନ୍ଧି ପାରିବିନି। ମୁଁ ମୋର ଜିନ୍ସ, ଟିସାର୍ଟ ହିଁ ପିନ୍ଧିବି, ଆଉ କହିବ ଯଦି ସାଲୁୱାର ଚଳେଇ ଦେଇ ପାରେ ହେଲେ ଶାଢ଼ୀ, ଯମାବି ନୁହେଁ। "ବବଲୁକୁ ଗାଆଁକୁ ନେବା ଓ ନିଜେ ଟିକେ ମାଆର ସାନ୍ନିଧ୍ୟ ପାଇବା ମୋ ପାଇଁ ଏତେ ପ୍ରାଧାନ୍ୟ ଥିଲା ଯେ ମୁଁ ତାର ସବୁ ସର୍ତ୍ତକୁ ମାନିନେଲି। ଶେଷରେ ସର୍ବସମ୍ମତି କ୍ରମେ ଆମେ ଗ୍ରାମାଭିମୁଖି ହେଲୁ। ଫ୍ଲାଇଟରେ ପ୍ରଥମେ ଭୁବନେଶ୍ୱର ଆଉ ସେଠୁ ଆମ ଗାଆଁ ମାତ୍ର ୪୦ କିଲୋମିଟର। ଵସ୍ ରେ ଯିବାକୁ ହୁଏ। ବବଲୁ ଯଦିଓ ଵସ୍ ଅନୁଭୁତି ସାଉଁଟିବାକୁ ଚାହୁଁଥିଲା, ହେଲେ ମୁଁ କିନ୍ତୁ କୌଣସିମତେ ମିଲିକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲି ତେଣୁ କାର୍ ବୁକ୍ କଲି। ଆଗରୁ ଭାଇକୁ ଫୋନ୍ କରି ଜଣେଇ ଦେଇଥିଲି। ମୋ ଭାଇ ଗାଁ ସ୍କୁଲରେ ଟିଚର୍। ମୋର ସେ ବହୁତ ଗେହ୍ଲା। କିନ୍ତୁ ମିଲି ତାକୁ ଯମାବି ପସନ୍ଦ କରେନା। ଆମେ ଗାଁରେ ପ୍ରବେଶ କଲୁ। କିଛି ଦୂରରୁ ଆମ ଘର ଦେଖାଗଲା। କେମିତି ଗୋଟେ ଅଜଣା ପୁଲକରେ ଛାତି ଜୋରରେ ଧଡ଼ ପଡ କରୁଥିଲା। ମାଆ ଅପେକ୍ଷା କରି ଠିଆ ହୋଇଥିଲା ଦାଣ୍ଡ ଦୁଆର ପାଖରେ।


ଘର ଯେତିକି ପାଖେଇ ଆସୁଥିଲା ମୋ ଭିତରୁ କେମିତି ଗୋଟେ କୋହ ଉଠୁଥିଲା। ଘର ସାମ୍ନା ସିଝୁ, ଅମରିର, ବାଡ଼ଘେରା ଆବଦ୍ଧ ଦାଣ୍ଡ ପଟ, ଯାହାକୁ ଆମେ କହୁ ଖଳାବାଡ଼ି, ଆଉ ସେଇଠି ଆମକୁ ଚାହିଁ ଠିଆ ହେଇଥିଲା ମୋ ମାଆ, ଧଳାଶାଢ଼ୀ, ଧଳା ଫୁର୍ ଫୁର୍ ଚୁଟି, ପାନଖିଆ ନାଲି ଓଠ, ସାକ୍ଷାତ ଆମ ଗାଁ ବୁଢ଼ୀମଙ୍ଗଳା ପରି ଦିଶୁଥିଲା। ଆମକୁ ଦେଖି ଧାଇଁ ଆସିଲା ଆଉ ସାନ ଭାଇକୁ ଡାକ ଛାଡିଲା, ଆରେ ଟୁଟୁ ଦେଖ୍ ରେ ମୋ ପିଲେ ଆସିଲେଣି...!! ଗାଡ଼ିରୁ ଓହ୍ଲେଇ ଆମେ ମାଆର ପାଦ ଛୁଇଁଲୁ। ମାଆ ସମସ୍ତଙ୍କୁ ଏକାଠି ଜାକି ପକେଇଲା। ବବଲୁ ମାଆକୁ ଜାବୁଡ଼ି ଧରିଥାଏ।ମିଲି ଟିକେ ନାସିକା କୁଞ୍ଚନ କଲା। କାରଣ ମୋ ବୋଉ ଦେହର ଗାଉଁଲି ଗନ୍ଧ ତାକୁ କାଳେ ଅତିଷ୍ଠ କରୁଥିଲା। ମୁଁ କିନ୍ତୁ ସେଇ ବାସ୍ନାରେ ପାଗଳ ଥିଲି। ମା କାନ୍ଦି ପକେଇଲା। ମୋ ମୁହଁକୁ ଆଉଁସି ଦେଲା। କହିଲା, ଖାଉନୁ କିରେ ଧନ ? କେତେ ଝଡି ଯାଇଛୁ ତୁ। ଯଦିଓ ମୁଁ ପୁରା ମୋଟା ମୋଟି ହୋଇଯାଇଥିଲି। କିନ୍ତୁ ମାଆର ନଜର ନାଁ ! ସବୁ ମା, ଗୁଡା ନାକ କାନ୍ଦୁରି, ଆଉ ସବୁ ମାଆଙ୍କୁ ତାଙ୍କ ଛୁଆମାନେ ସବୁବେଳେ ଦୁର୍ବଳ ଦିଶନ୍ତି। ସାନଭାଇ ଆମକୁ ପ୍ରଣାମ କଲା ଓ ଗାଡ଼ିରୁ ଜିନିଷ ପତ୍ର କାଢି ଘର ଭିତରକୁ ନେଇ ଆସିଲା। ଭାଇବୋହୂ ଆସି ମୋତେ ଓ ମିଲିକୁ ପ୍ରଣାମ କଲେ। ମିଲି ବବଲୁକୁ ଚାହିଁ କହିଲା, "ବବଲୁ ବେଟା, ଅଙ୍କଲ ଆଣ୍ଟିଙ୍କୁ ହାଲୋ କୁହ"। ବବଲୁ କିନ୍ତୁ ପାଦଛୁଇଁ ସମସ୍ତଙ୍କୁ ପ୍ରଣାମ କଲା। ସେମାନେ ତାକୁ କୋଳେଇ ନେଲେ ଏବଂ କହିଲେ, ନାରେ ବାବା ଅଙ୍କଲ ଆଣ୍ଟି ନୁହେଁ ଦାଦା ଖୁଡୀ। ବବଲୁର କଅଁଳ କଣ୍ଠରୁ ଦାଦା ଖୁଡି ଖୁବ୍ ମିଠା ଲାଗୁଥିଲା। ଖୁବ୍ କମ ସମୟରେ ବବଲୁ ସମସ୍ତଙ୍କ ସହ ଖୁବ୍ ସହଜରେ ମିଶିଗଲା।


ଆମେ ଫ୍ରେସ୍ ହୋଇ ଖାଇବସିଲୁ। ମାଆ ନିଜ ହାତରେ ମୋ ପାଇଁ ମୋ ପସନ୍ଦର ଯାହା ଯାହା ସବୁ ମୋତେ ଭଲ ଲାଗେ ସବୁ ରାନ୍ଧିଥିଲା। ପଖାଳ, ଛୋଟମାଛ ଭଜା, କଳମ ଶାଗ, ବଡ଼ିଚୁରା, ଏମିତି କେତେ କଣ। ଓଃ ! ପୁରା ଅମୃତ ! ମାଆ ନିଜେ ପାଖରେ ବସି ମୋତେ ଓ ବବଲୁକୁ ଖୁଆଇ ଦେଲା। କି ଶାନ୍ତି !! ଆଶ୍ଚର୍ଯ୍ୟ...!! ଏସବୁ ଜିନିଷ କେଵେ ଚାଖିନଥିବା ମୋ ପୁଅ, ଭାରି ଖୁସିରେ ସବୁ ପୋଛିପାଛି ଖାଇ ଦେଇଥିଲା। ମୁଁ ଖାଇସାରି ମାଆ କାନିରେ ମୁହଁ ପୋଛିଲି କାରଣ ଏଇଟା ଥିଲା ମୋର ପୁରୁଣା ଅଭ୍ୟାସ। ବବଲୁକୁ ମାଆ ତାରୁମ୍ କୁ ନେଇଗଲା, ଆଉ ଗଲାବେଳେ କହିଗଲା ତମେ ସବୁ ବିଶ୍ରାମନିଅ।ଏତେଦିନ ପରେ ଗାଁ କୁ ଆସିଛି ତେଣୁ ନିଦ ଲାଗୁ ନଥାଏ ମୋତେ। ଭାବିଲି ଯାଉଛି ମାଆ ଓ ଭାଇ ସହ ବସି ଗପିବି। ମାଆର ରୁମକୁ ଯାଇ ଦେଖେତ, ମାଆକୁ ଜାବୁଡ଼ି ଧରି ମାଆ ଉପରେ ଗୋଡ ହାତ ଲଦି ବବଲୁ ଶୋଇଛି ନିଘୋଡ଼ ନିଦରେ। ତାକୁ ଏମିତି ଦେଖି ମୋ ଆଖିରେ ଲୁହ ଆସିଗଲା। ମାଆ ଶୋଇନଥିଲା। ମୁଁ ଯାଇ ବବଲୁ ପାଖରେ ଠିଆ ହେଲି ମା ମତେ ଟିକିଏ ଚାହିଁ, ପଚାରିଲା, "ଶୋଇନୁ କିରେ ଧନ ? ଆ ବସ ପାଖରେ"। ମୁଁ ପାଖକୁ ଯାଇ ବସିଲି, କହିଲି, ମା ବବଲୁ ଶୋଇ ପଡ଼ିଛି ? ମାଆ ହସିଲା "ହଁରେ ବାପ ତୋପୁଅ ଏଇଲେ ଗପ ଶୁଣୁଥିଲା ଯେ ଶୋଇପଡ଼ିଲା। ମୁଁ ଦୀର୍ଘନିଶ୍ୱାସଟେ ଛାଡ଼ିଲି।


ପ୍ରଥମଥର ବବଲୁକୁ ଏମିତି ଖୁସିରେ ଖାଇବା ଆଉ ଶୋଇବାର ଦେଖିଲି। ମନେ ମନେ ଭାବୁଥିଲି ବିଚରା ବବଲୁ ସବୁଥିରୁ ବଞ୍ଚିତ...!! ମାଆ ସହ ବସି ଗାଆଁ କଥା ଗପିଲି। ବବଲୁ ନିଦରୁ ଉଠିଲା ପ୍ରାୟ ଦିନ ଚାରିଟାରେ। ମୁଁ ପଚାରିଲି କଣ ନିଦ ଭାଙ୍ଗିଲା ଧନ ? ଯିବୁ ଆମ ବାରିଆଡ ବୁଲି ? ଖୁସି ହୋଇଗଲା ବବଲୁ, ସିଓର୍ ପାପା ଚାଲ ନା...! ଲମ୍ବାବାରି ଆମର। ବାଟସାରା ବବଲୁ ପଚାରୁଥାଏ, ଏଇଟା କୋଉ ଗଛ, ଏଇଟା କୋଉ ଫୁଲ, କୋଉ ଫଳ, କୋଉ ପକ୍ଷୀ, ଇତ୍ୟାଦି ଇତ୍ୟାଦି। ବାଡି ଭିତରେ ବୁଲି ବୁଲି ଶେଷରେ ପୋଖରୀ ପାଖେ ପହଞ୍ଚୀଲୁ ଆମେ। ପୋଖରୀକୁ ଏତେ ପାଖରୁ ଦେଖି ଓ ଛୁଇଁ ଖୁସିରେ ଉଛୁଳି ପଡ଼ିଲା ବବଲୁ। ମୁଁ ତା ହାତ ଧରିଲି, ସେ ଗୋଡ ହାତ ବୁଡ଼େଇ ଧୁମ ଖେଳିଲା। ପାହାଚ ଉପରେ ବସିଲା ବବଲୁ। ପାପା ଏଠି ଟିକେ ବସିବା ? ଭାରି ଭଲ ଲାଗୁଛି। ମୁଁ କହିଲି ହଁ ବସ। ବାପ ପୁଅ ଦୁହେଁ ବସିଲୁ, ପୋଖରୀର ମାଛ ମାନଙ୍କୁ ଦେଖୁଥାଏ ବବଲୁ। ସେମିତି ଏକା ଲୟରେ ପୋଖରୀକୁ ଚାହିଁ ରହି ସେ କହିଲା, "ତୁମ ଗାଆଁ କେତେ ସୁନ୍ଦର ପାପା"। ମୁଁ ହସିଲି, କାଇଁ ଏଇଟା ତ ତୋରବି ଗାଆଁ। ସେ ଖୁସି ହେଇଗଲା, ପଚାରିଲା, ସତରେ ଏଇଟା ମୋ ଗାଆଁ ? ଆଉ ମୁମ୍ବାଇ ? କଣ ବା ଉତ୍ତର ଦେବି ? କହିଲି, ସେଇଟା ତୋ ମାମା ର ଗାଆଁ, ସେ ହସିଲା, ଆଉ କହିଲା "ପାପା ! ଗୋଟେ କଥା କହିବି, ମାମାକୁ କହିବନି। ତା ଗାଆଁ ଯମା ଭଲ ନୁହେଁ, ଆମ ଗାଆଁ ଭଲ। ପାପା ତୁମ ଗାଆଁ, ତୁମ ମାଆ, ଦାଦା ଖୁଡୀ.... ସମସ୍ତେ ବହୁତ ଭଲ। ତମେ ଦେଖିଛ ନା ପାପା...!! ମାଆ ଆଉ ଖୁଡି ଯେମିତି ଡ୍ରେସ ପିନ୍ଧୁଛନ୍ତି....!! ମୁଁ କହିଲି କଣ ଶାଢ଼ୀ ? ହଁ ! ହଁ ! ଶାଢ଼ୀ। ସେମାନେ ସେଥିରେ ପୁରା God ପରି ଲାଗୁନାହାନ୍ତି ? ମାମା କାଇଁ ପିନ୍ଧୁନି ? ଜାଣିଛ ପାପା, ତୁମ ମା ବହୁତ ଭଲ। ସେ ମତେ ଖୁଆଇ ଦେଲେ, ଗପ କହିଲେ, ଖାଇବା ଯେମିତି ଟେଷ୍ଟି, ଗପତ ଆଉ କଣ କହିବି, ଖୁବ୍ ସୁନ୍ଦର୍ ପାପା। ଆଛା ପାପା, ଏଇ ଯୋଉ ତୁମ ମାଆ, ସେ ତୁମ ମାମା ନା...? "ହଁ ବାପା ସେ ମୋ ମାମା"। ଆଛା ପାପା, ତୁମ ମାଆଙ୍କୁ ତୁମ ପାଇଁ କିଏ ଆଣି ଦେଇଥିଲେ ?ତା ପ୍ରଶ୍ନରେ ମୁଁ କିଛି ସମୟ ପାଇଁ ହଡ ବଡେଇ ଗଲି, ହସିଲି, କହିଲି, ମୋ ଜେଜେ ବାପା। ସେ କହିଲା ତୁମ ଜେଜେ ବାପା ବହୁତ ଭଲ ନୁହେଁ ? ମୁଁ କହିଲି କାହିଁକି ? ସେ ଟିକେ ମୁହଁକୁ ଶୁଖେଇ ଉଦାସ ସ୍ୱରରେ କହିଲା, କାହିଁକିନା ସେ ତୁମ ପାଇଁ ଭଲ ମାଆଟିଏ ଆଣିଦେଲେ। ହେଲେ ମୋ ଜେଜେ ବାପା ମୋ ପାଇଁ କାହିଁକି ଏମିତି ମାଆଟିଏ ଆଣି ଦେଲେନି ? ସେ ମୋ ପାଇଁ "ମାମା" କାଇଁ ଆଣିଲେ, "ମାମା" ଭଲ ନୁହେଁ "ମାଆ" ଭଲ। କଣବା ଉତ୍ତର ଦେବି ଅବୋଧ ଶିଶୁଟିକୁ। କହିଲି ସରି ଧନ ! ତୋ ପାଇଁ "ମାମା" ମୁଁ ଆଣିଛି।ତୋ ଜେଜେ ନୁହେଁ। କାରଣ ସେତେବେଳେ ସେ ନଥିଲେ। ସେ ଥିଲେ ହୁଏତ ତୋପାଇଁ "ମାମା" ନ ଆଣି "ମାଆ" ଆଣି ଥାଆନ୍ତେ।


ମୁଁ ନିର୍ବୋଧ ଜାଣି ପାରିଲିନି "ମାମା" ନେଇଆସିଲି। ସେ ଜଣେ ପରିପକ୍ଵ ମଣିଷ ପରି କହିଲା, "ୟୁ ଆର୍ ରଙ୍ଗ୍ ପାପା ୟୁ ହାଭ ଡ଼ନ୍ ଏ ମିଷ୍ଟେକ" "ମାଆ" ସହ "ମାମା" କୁ ସମାନ କରିହବନି। "ମାଆ" ଇଜ ସମଥିଙ୍ଗ ଡିଫରେଣ୍ଟ।ମୁଁ ନିରବ ରହିଲି।ନିଜକୁ ଧିକ୍କାର କରୁଥିଲି ଆଉ ମନେ ମନେ ଭାବୁଥିଲି, ସତରେ କେତେ ସତ କହୁଥିଲା ବବଲୁ। "ମାଆ" ଇଜ ସମଥିଙ୍ଗ ଡିଫରେଣ୍ଟ। ହଁ ! ନହବ ବା କେମିତି ? ବବଲୁର "ମାମା" ଶିକ୍ଷିତା, ଜଣେ ପ୍ରତିଷ୍ଠିତ ଡକ୍ଟରଙ୍କ ଝିଅ ଆଉ ନିଜେବି ଡାକ୍ତର। ମୁମ୍ବାଇରେ ଘର, ସେଇଠି ତାସହ ହୁଏ ପରିଚୟ, ପ୍ରେମ, ଆଉ ବିବାହ। ହେଲେ ମୋ "ମାଆ" ଅଶିକ୍ଷୀତା, ଜଣେ ଗାଉଁଲି ଚାଷୀର ଝିଅ, ଜେଜେଙ୍କ ପସନ୍ଦ, ଆଉ ବାପାଙ୍କ ବିବାହ। ତେଣୁ କାହିଁ "ମାମା" କାହିଁ "ମାଆ" ? ଆଉ ଏସବୁ ଭିତରେ "ମାଆ" ରୁ "ମାମା" ପର୍ଯନ୍ତ ମୋର ଯାତ୍ରା ସତରେ କେତେ ନିଷ୍ଫଳ, ଓ କେତେ ଦୟନିୟ...!!

    

ଚାରିଦିନ କେମିତି ବିତିଗଲା ଜଣା ପଡ଼ିଲାନି। ହେଲେ ଏଇ କେତେଦିନ ଭିତରେ ବବଲୁ ତା "ମାମା" କୁ ଭୁଲି ସାରିଥିଲା। ସବୁବେଳେ ଖାଲି ଜେଜେମା ନଚେତ୍ ଖୁଡୀ। ଫେରିବା ଦିନ ପାଖେଇ ଆସିଲା। ମାଆ ବ୍ୟାଗରେ କେତେ କଣ ସଜାଡିଥିଲା। ମୁଢି, ମୁଆଁ, ଆଚାର, ବଡ଼ି, ବାଡ଼ିପିଜୁଳି, ଇତ୍ୟାଦି, ଆଉ ଯାହାସବୁ ଥିଲା ବବଲୁର ପସନ୍ଦ। କାନ୍ଦୁଥିଲା ମାଆ ,କାନ୍ଦୁଥିଲା ବବଲୁ। ଜାବୁଡ଼ି ଧରିଥିଲା ଜେଜେମାଆକୁ। ହାତଧରି ଟାଣୁଥିଲା ମିଲି। "ମାଆ" ଠୁ ଦୂରେଇ ଯାଉଥିଲା ବବଲୁ "ମାମା" ପାଖକୁ। ଏକମୁହାଁ ହେଇ ଆଗେ ଆଗେ ଚାଲୁଥିଲା ମିଲି। ବବଲୁର ଲୁହ ବତୁରା ଆଖିରେ ହାତ ବଢ଼େଇ ଥିଲା ଜେଜେମା ଆଡକୁ। ମୁଁ ଭାଵ ପ୍ରବଣ ହୋଇପଡିଲି। ମା କାନ୍ଦୁଥିଲା। ଗାଡି ଯେତିକି ଯେତିକି ଦୂରେଇ ଯାଉଥିଲା ବବଲୁ ସେତିକି ଯୋରରେ କାନ୍ଦୁଥିଲା। ନିଷ୍ପାପ କୋମଳ ହାତ ତାର ଦୂରେଇ ଯାଉଥିଲା "ମାଆ" ରୁ "ମାମା" ପର୍ଯ୍ୟନ୍ତ....!!


Rate this content
Log in

Similar oriya story from Tragedy