ଯୁଧିଷ୍ଠିରଙ୍କ ପଶାଖେଳ
ଯୁଧିଷ୍ଠିରଙ୍କ ପଶାଖେଳ
ଗାଁରେ ଆଠ ଦିନ ରହି ସହରକୁ ଫେରିଲା ବିକାଶ। ସ୍ତ୍ରୀ, ପିଲା ସବୁ ଖୁସିରେ ଫାଟି ପଡୁଥିବା ବେଳେ ବିକାଶ କିନ୍ତୁ ଥିଲା ଉଦାସ, ଆଉ ତା ଉଦାସର କାରଣ ଥିଲା ବିଭିନ୍ନ ସ୍ଥାନରେ ଶୋଭା ପାଉଥିବା ନିର୍ବାଚନ ପୋଷ୍ଟର ସବୁକୁ ଦେଖି। ଡାକବାଜିର ଜିନ୍ଦାବାଦ କୋଳାହଳ ଶବ୍ଦ ତାକୁ କାହିଁକି କେଜାଣି ଆହୁରି ଉଦାସ କରିଦେଉଥିଲା। ପ୍ରଚାର ଗାଡି ତା ପାଖଦେଇ ଚାଲିଗଲା ବେଳେ ଓ ସେଥିରେ ଲାଗିଥିବା ଚିତ୍ରରେ ହାତ ଯୋଡି ଠିଆ ହୋଇଥିବା ଭଦ୍ର ବ୍ୟକ୍ତିଙ୍କୁ ଦେଖିଦେଲା ପରେ ମନେ ମନେ ଭାବୁଥିଲା, ଏ ଭଦ୍ର ବ୍ୟକ୍ତି ଜଣଙ୍କ କିଭଳି ଲୋକ ହୋଇଥିବେ କେଜାଣି ? ହେଲେ ବନାସାର୍ ଙ୍କ ଭଳି ନୁହେଁ ତ ।
ବିକାଶର ଗାଁ ନୀଳାମ୍ବରପୁର ଶାସନ।
ନାଁ ଟି ଯେମିତି ପରିବେଶ ଟି ମଧ୍ୟ ସେମିତି। ଆକାଶ ପରି ସ୍ୱଚ୍ଛ ଓ ନିର୍ମଳ। ଲିପା ପୋଛା ପରିଷ୍କାର ଦାଣ୍ଡ। ଗାଁ ଆରମ୍ଭରୁ ପୋଖରୀ। ତାକୁ ଲାଗି ଇଷ୍ଟଦେବୀ ମା ନୀଳାମ୍ବରୀ ଓ ନୀଳକଣ୍ଠ ମହାଦେବଙ୍କ ମନ୍ଦିର। ସବୁଠୁ ନିଆରା, ଗାଁଲୋକ ମାନଙ୍କ ସ୍ନେହ ସମ୍ଭାଷଣ। କିଏ ଜେଜେ, କିଏ ଦାଦା, ବଡବାପା, ତ କିଏ ଖୁଡି, ଅପା, ଭାଇ, ବଡ଼ବୋଉ, ଭାଉଜ ର ସମ୍ବୋଧନ। ଭାରି ସୁନ୍ଦର ଓ ଆତ୍ମୀୟତା ଭରା ସମ୍ପର୍କରେ ବନ୍ଧା ସଭିଏଁ। ଭାରି ଭଲପାଏ ବିକାଶ ତା ଗାଁକୁ ଓ ଗାଁ ଲୋକମାନଙ୍କୁ। ଖାଲି ବିକାଶ ନୁହେଁ ତା ସ୍ତ୍ରୀ ଓ ପିଲାମାନେ ବି ଗାଁ କୁ ଭାରି ଭଲ ପାଆନ୍ତି। ଛୁଟି ହେଲାମାନେ ତା ସ୍ତ୍ରୀ "ରିମା" କୁହେ, ଚାଲମ ଗାଁ କୁ ଟିକେ ଯିବା। ଏ ସହରରେ ମୋତେ କାହିଁକି ଭାରି ଅଣନିଶ୍ୱାସୀ ଲାଗୁଛି। ମାଆର ହାତ ରନ୍ଧା ରିମାର ବହୁତ ପ୍ରିୟ। ଦୁହେଁ ସମ୍ପର୍କରେ ଶାଶୁ ବୋହୁ ହୋଇଥିଲେ ବି ସମ୍ପର୍କ ଟି କିନ୍ତୁ ସତେ ଯେମିତି ମାଆ ଝିଅର। ଖାସ ସେଇଥିପାଇଁ ବୋଧେ ରିମାର ଭାରି ଫୁଟାଣି। କେବେ କେମିତି ଯଦି ବିକାଶ ରାଗରେ କିଛି ରିମାକୁ କହି ଦେଇଥାଏ ତେବେ ଗୋଟିଗୋଟି କରି ସେ ସବୁକୁ ରୀମା ମନେରଖିଥିବ ଆଉ ଗାଁକୁ ଗଲେ ମାଆକୁ କହି ସକେଇ ହେଇ ତାକୁ ଗାଳି ଖୁଆଇବ ।
ଏଥର ବି ଛୁଟି ଦେଖି, ସାଥିରେ ପିଲାମାନଙ୍କୁ ଧରି ଗାଁକୁ ଯାଇଥିଲା ବିକାଶ। ଦେଖିବାକୁ ପାଇଲା ଗାଁ ମନ୍ଦିର ପାଖରେ ଲୋକ ଗଦା। ଗାଁରେ କେତେବେଳେ କାହାର ବାହାଘର ବ୍ରତଘର ହେଉ କିମ୍ବା କୌଣସି ସଭା ସମିତି ଅବା ନ୍ୟାୟ ନିଶାପ ସବୁ ପାଇଁ ବ୍ୟବସ୍ଥା ଥାଏ ମନ୍ଦିର ପ୍ରାଙ୍ଗଣ। ସେଇଠି ସମସ୍ତେ ଏକାଠି ହେବାର ସମସ୍ତ ସୁବିଧା ଥାଏ। ଗାଁ ମଝିରେ ଥାଏ ପୋଷ୍ଟ ଅଫିସ, ଆଉ ପୋଷ୍ଟ ମାଷ୍ଟର ଥାଆନ୍ତି ବନମାଳୀ ମହାନ୍ତି। ସେଇ ଗାଁ ର ମଣିଷ ପରି। ଯଦିଓ ତାଙ୍କ ପ୍ରକୃତ ଘର କେଉଁଠି କେହି ଜାଣନ୍ତିନି। କାହିଁ କେଉଁ କାଳୁ ଡିହ ଖଣ୍ଡେ କିଣି ସେ ସେଠାରେ ରହି ଆସୁଛନ୍ତି। ପ୍ରାୟ କହିବାକୁ ଗଲେ ଦୁଇ ପୁରୁଷ ହେଲାଣି। ସ୍ୱାମୀ ସ୍ତ୍ରୀ ଦୁଇଜଣ, ପିଲାପିଲି ନାହାନ୍ତି। ସେଇ ଗାଁ ପିଲାମାନେହିଁ ତାଙ୍କର ସନ୍ତାନ।ଉଭୟ ଭାରି ସରଳ ଓ ମେଳାପୀ। ଭାରି ପରୋପକାରୀ। ଗାଁର ଲୋକମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଅଶିକ୍ଷିତ। ତେଣୁ ଚିଠି ଟିଏ ହେଉ ଅବା କିଛି ସରକାରୀ କାଗଜପତ୍ର କାମ, ସେସବୁକୁ ଗାଁ ଲୋକ ମାନଙ୍କ ପାଇଁ ଖୁସି ଖୁସି କରି ଦିଅନ୍ତି ବନମାଳୀ ବାବୁ ଓରଫ୍ "ବନା ସାର୍"। ତିନି ବର୍ଷ ହେଲା ଚାକିରିରୁ ଅବସର ନେଲେଣି। ସନ୍ଧ୍ୟା ବେଳେ ବିନା ପାରିଶ୍ରମିକରେ ଗାଁ ପିଲାଙ୍କୁ ଟିଉସନ କରନ୍ତି। ସଦା ହସହସ, ସରଳ, ନିଷ୍କପଟ ମଣିଷ ଟିଏ। ଗାଁ ଲୋକଙ୍କ ପାଇଁ କିଛି କରିବାର ମନୋବୃତ୍ତି ନେଇ ବଞ୍ଚିଥିବା ମଣିଷ ହେଉଛନ୍ତି ବନା ସାର୍. ।
ଘରେ ପହଞ୍ଚି ଧୁଆ ଧୋଇ ହୋଇ ଖାଇ ବସିଛି ତ ବିକାଶର ମାଆ କହିଲେ, "ଆରେ ବାପା ଆଜି ମନ୍ଦିରରେ କଣ ଗୋଟେ ମିଟିଂ ଅଛି। ତୁ ତ ଆସିଲୁଣି, ଟିକେ ଚାଲିଯିବୁ"। ମାଆ ଠାରୁ ମିଟିଂ କଥା ଶୁଣି ବିକାଶ ଭାବିଲା ଓହୋ ତେବେ ସେଇଥିପାଇଁ ଗାଁ କୁ ଆସିଲାବେଳେ ଗାଁ ମନ୍ଦିର ଏତେ ଗହଳି ଥିଲା ! ସେ ଯାହାବି ହେଉ ଗାଁ ସଭାରେ ତ ଉପସ୍ଥିତ ହେବାକୁ ହିଁ ପଡ଼ିବ। ସେଦିନ ସଭାର ବିଷୟବସ୍ତୁ ଥିଲା ଗାଁର ନୂଆ ସରପଞ୍ଚ କିଏ ହେବ ? ଓ ସେ ଉପଯୁକ୍ତ ଲୋକଟି କିଏ ? ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ସ୍ଥିର ହେଲା ଏଥର ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ବନାସାର୍ ଙ୍କୁ ନିଆଯାଉ। ପରୋପକାରୀ ଲୋକ ସେ, ଗାଁର ଉନ୍ନତ୍ତି ତାଙ୍କ ଦ୍ଵାରା ହିଁ ସମ୍ଭବ ହେବ। ତାଙ୍କର ମତା ମତ ଜାଣିବା ପାଇଁ ଗାଁର ସମସ୍ତେ ଆଶାୟୀ ଆଖିରେ ବନା ସାର୍ ଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ଚାହିଁ ରହିଥିଲେ। ହେଲେ ହାତଯୋଡି ଠିଆହୋଇ ପଡିଲେ ବନାସାର। କହିଲେ ଦେଖ ଭାଇମାନେ ମୁଁ ନିହାତି ଗରିବ ସାଧାରଣ ଲୋକଟିଏ, ମୋତେ ସେ ରାଜନୀତି ଆଡକୁ ଟାଣନା। ମୁଁ ପାରିବିନି। ବନାସାରଙ୍କ ପାଟିରୁ ଏଇ ଉତ୍ତରଟିକୁ ଶୁଣିବା ପାଇଁ ସତେ ଯେପରି ବିକାଶ ଅପେକ୍ଷା କରି ରହିଥିଲା ତେଣୁ ବନାସାରଙ୍କ ଉତ୍ତର ସହ ସେ ମଧ୍ୟ ଏକମତ ହେଲା। କାରଣ ସେ ଜାଣେ ଏ ରାଜନୀତିର ଖସଡ଼ା ପଥ ବନାସାର୍ ଙ୍କ ଭଳି ଚାଲି ନ ଶିଖିଥିବା ଲୋକଙ୍କ ପାଇଁ ଆଦୌ ନୁହେଁ। କିନ୍ତୁ ଗାଁ ଲୋକମାନେ ଥିଲେ ନଛୋଡବନ୍ଧା। ଗାଆଁ ଲୋକ ମାନଙ୍କ ବହୁ ଅନୁନୟ ବିନୟ ପରେ ବନାସାର୍ ଶେଷରେ ଗାଁ ଲୋକମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବାକୁ ଯାଇ ଧର୍ମ ସଙ୍କଟରେ ପଡି ରାଜିହେଲେ। ହେଲେ ଘରକୁ ଫେରିଲା ପରେ କିନ୍ତୁ ରାଜିହେଲେନି ସାର୍ ଙ୍କ ସ୍ତ୍ରୀ। ବାରମ୍ବାର ବୁଝେଇଲେ, ଏ ରାଜନୀତି ଗୋଲକ ଧନ୍ଦାରେ ତୁମେ ଯମା ପଶନି। ତୁମେ ସରଳ ଲୋକ, ପାରିବନି। ହେଲେ ମନ ଭିତରେ ଗାଁ ଲୋକଙ୍କ ପାଇଁ କିଛି କରିବାର ନିଶାରେ ଓ ଗାଁ ଲୋକମାନଙ୍କ ତାଙ୍କ ଉପରେ ଥିବା ଅହେତୁକ ବିଶ୍ୱାସକୁ ନେଇ ଦୁର୍ବଳ ହୋଇ ପଡିଲେ ବନା ସାର୍। ସ୍ତ୍ରୀଙ୍କ କଥାକୁ ଅଣଦେଖା କରି ପାଦଦେଲେ ରାଜନୀତିର ଖସଡ଼ା ପଥରେ। ଆରମ୍ଭ ହେଲା ଆୟୋଜନ। ଦାଖଲ ହେଲା ନୋମିନେସନ ଫର୍ମ୍। ନୋମିନେସନ ଫାଇଲ ଦିନ ବେକରେ ଫୁଲମାଳ ଗଳେଇ ଗାଁ ଦାଣ୍ଡରେ ହାତଯୋଡି ବନାସାର୍ ଗଲାବେଳେ ବିକାଶର ମନ କେଜାଣି କେମିତି ଏକ ଅଜଣା ଭୟରେ ବତୁରିଗଲା। ତାକୁ ଲାଗିଲା ସତେ ଯେମିତି ବନାସାର୍ ନୁହେଁ, ଛେଳିଟିଏ ପ୍ରସ୍ତୁତ ହେଉଛି ରାଜନୀତିର ଯଜ୍ଞରେ ବଳି ପାଇଁ ହାଣ ମୁହଁକୁ। ନୋମିନେସନ ସରିଲା। କିଛି ପଇସାପତ୍ର ଖର୍ଚ୍ଚ କରି ପୋଷ୍ଟର ବ୍ୟାନର ବି ଛପାହେଲା। କର୍ମୀ ମାନଙ୍କୁ ଘରେ ଚା ଜଳଖିଆ ଦେଇ ଦେଇ ଧର୍ମପତ୍ନୀ ବି ହାଲିଆ ହେଲେ। କିଛି ପଇସାପତ୍ର ଗାଁ ଯୁବକ ସଂଘ ମଧ୍ୟ ନେଲେ। ହେଲେ, ବିଚରା ବନାସାର୍ ।
ସେପଟେ ବନାସାରଙ୍କ ବିପକ୍ଷରେ ଯିଏ ଠିଆ ହୋଇଥିଲେ ସେ ଥିଲେ ପୂର୍ବତନ ସରପଞ୍ଚ। ଜଣେ ଟାଣୁଆ ଓ ଧୂର୍ତ୍ତ। ପଇସା ବି ପ୍ରବଳ, ଆଉ ପାଖରେ ଥାଏ ଅତୀତର ଅଭିଜ୍ଞତା। ରାଜନୀତିର ପଶାଖେଳ, ଭୋଟରଙ୍କୁ କିଣିବାର କୌଶଳ ତାଙ୍କୁ ବେଶ୍ ଭଲ ଭାବେ ଜଣା। ତେଣୁ ଭୋଜିଭାତ, ମଦ, ମାଂସ, ଶାଢ଼ୀ, ମୋବାଇଲ, ଇତ୍ୟାଦି ବାଣ୍ଟି ଚାଲିଲେ। ମୁଠା ମୁଠା ପଇସା ଦେଇ ଗାଁ ଲୋକଙ୍କୁ ହାତେଇ ନେବାକୁ ତାଙ୍କୁ ବେଶୀ ସମୟ ଲାଗିଲାନି। ଧୀରେ ଧୀରେ ବନାସାର୍ ଙ୍କୁ ଏକା କରି ଗାଁର ଲୋକମାନେ ଝଡି ପୋକ ପରି ଧନର ନିଆଁ ରେ ଝାସ ଦେବାକୁ ଲାଗିଲେ। ପୋଷ୍ଟର ବ୍ୟାନର ଘରେ ଗଦା ହୋଇଥିଲେ ବି ଲଗେଇବାକୁ ଲୋକଟିଏ ପାଇଲେନି ବନାସାର୍। କିଂ କର୍ତ୍ତବ୍ୟ ବିମୁଢ।ଏପଟେ ପଛକୁ ଫେରିବାର ରାସ୍ତା ବି ଥିଲା ବନ୍ଦ। ଶୁଖିଲା ପତ୍ର ପରି ବନାସାର୍ ଙ୍କ ଘରେ ଉଡିବାକୁ ଲାଗିଲେ ଅବହେଳିତ ଭାବେ ପଡ଼ି ରହିଥିବା ପୋଷ୍ଟର ବ୍ୟାନର ସବୁ। ବିଚରା ନିରୁପାୟ ବନାସାର୍। ଯେହେତୁ ପୋଷ୍ଟର ଛପା ହୋଇଛି ତେଣୁ ବାଧ୍ୟ ହୋଇ ରାତିରେ ବୁଲିବୁଲି ନିଜ ପୋଷ୍ଟର ନିଜେ ମାରିଲେ। ମଦ ମାଂସ ଦେଇ ଭୋଟ କିଣିବାର ସେ ଥିଲେ ଘୋର ପରିପନ୍ଥୀ। ତେଣୁ ଘର ଘର ବୁଲି ଟଙ୍କିକିଆ ହନୁମାନ ଚାଳିଶା ବହି ଖଣ୍ଡିଏ ଧରେଇ ହାତଯୋଡି କହୁଥିଲେ, ଯାହାକୁ ଯୋଗ୍ୟ ଭାବିବ ଦେବ। ବିଚରା ସରଳ, ଅମାୟିକ ବନାସାର୍ ବୁଝି ପାରିଲେନି ଏଠି ଲୋକ ଚରିତ୍ର ବଡ଼ ବିଚିତ୍ର। ଆଜିର ଏ କଳୁଷିତ ରାଜନୀତିରେ ଲୋକେ ପଇସା ପଛରେ ଚାଲନ୍ତି। ମିଥ୍ୟା ଧର୍ମୀୟ ଭାବନାରେ ଏଠି ଚୁଲି ଜଳେନି। ଏଠି ଭୋଟର ଟିଏ ଭବିଷ୍ୟତରେ ନୁହେଁ କେବଳ ବର୍ତ୍ତମାନରେ ହିଁ ବଞ୍ଚେ ।
ଶେଷରେ ଆସି ସେଇ ନିର୍ଣ୍ଣାୟକ ମୁହୂର୍ତ୍ତ ପହଁଚିଲା। ଅଗାଧ ବିଶ୍ବାସ ଥିଲା ଗାଁ ଲୋକମାନଙ୍କ ଉପରେ ବନା ସାରଙ୍କର। ଯାହା ହେଲେ ବି ମୋତେ ଏତେ ବିଶ୍ୱାସରେ ଠିଆ କରିଛନ୍ତି ମାନେ ଗାଁର ଉନ୍ନତ୍ତି ପାଇଁ ସେମାନେ ମୋତେ ନିଶ୍ଚୟ ଭୋଟ ଦେଇ ଜିତାଇବେ। କିନ୍ତୁ ବିଚରା ବନାସାର, ମାତ୍ର ୬୦ ଖଣ୍ଡ ଭୋଟ ପାଇଥିଲା ବେଳେ ପ୍ରତିପକ୍ଷ ପ୍ରାର୍ଥୀ ପାଇଥିଲେ ୧୫୪୦ ଖଣ୍ଡ ଭୋଟ। ଜିତିଗଲେ ପୂର୍ବ ସରପଞ୍ଚ। ସତେ ଯେମିତି ଆକାଶଟା ଛିଣ୍ଡି ପଡ଼ିଲା ବନା ସାରଙ୍କ ମୁଣ୍ଡ ଉପରେ। ପାଦ ତଳୁ ମାଟି ଖସି ଯାଉଥାଏ। ମଦ ମାଂସର ଗନ୍ଧରେ ଆକ୍ତାମାକ୍ତା ହୋଇ ବଡ଼ ଦୟନୀୟ ଭାବେ ହାରିଗଲେ ବିଚରା ନିରୀହ ଧର୍ମ ବିଶ୍ବାସୀ ବନା ସାର୍। ଜିତିଗଲା ମଦ ମାଂସ, ହାରିଗଲା ଟଙ୍କିକିଆ ହନୁମାନ ଚାଳିଶା। ଭାଙ୍ଗିଗଲା ବନାସାର୍ ଙ୍କ ସ୍ବପ୍ନ, ଗାଁ ପାଇଁ କିଛି କରିବାର ନିଶା। ହେଲେ ସେଦିନ କିନ୍ତୁ ବନାସାର୍ ଙ୍କ ଅପେକ୍ଷା ସବୁଠୁ ବେଶି ଦୁଃଖି ଥିଲା ବିକାଶ। କାରଣ ସେ ବନାସାର୍ ଙ୍କୁ ବହୁତ ଆଦର ଓ ସମ୍ମାନ କରୁଥିଲା। ମନ ଭିତରେ କ୍ଷୋଭ ରଖି ଗାଁ ର ଯୁବକ ମାନଙ୍କୁ ପଚାରିଲା, ଯଦି ବନା ସାର୍ ଙ୍କୁ ଭୋଟ ଦେବାର ନଥିଲା ତ କାହିଁକି ବିଚରା ନିରୀହ ଲୋକଟିର ସମ୍ମାନ ସହ ଖେଳ ଖେଳି ମିଛରେ ତାଙ୍କୁ ହନ୍ତସନ୍ତ କଲ ? ଭାରି ଦରଦୀ ମଣିଷ ପରି ଅଭିନୟ କରି ଗାଁର ଲୋକମାନେ ଉତ୍ତର ଦେଲେ, କଥା କଣ କି ବିକାଶ, ଆମେ ଚିନ୍ତା କଲୁ ବିଚରା ସରଳ ମଣିଷଟା କାହିଁକି ଆମ ଲାଗି ହଇରାଣ ହେବ ? ଗାଁ ଲୋକ ମାନଙ୍କ ଠାରୁ ଏପରି ଛଳନା ପୂର୍ଣ୍ଣ ଉତ୍ତର ଶୁଣି ମନେ ମନେ ବିରକ୍ତ ହେଲା ବିକାଶ। ଘର ମୁହାଁ ହେଲାବେଳେ ଭାବୁଥିଲା, ଛିଃ ! କଣ ଏମାନଙ୍କୁ ଯେ କହିବ । ବଡ଼ ବିଚିତ୍ର ଏ ସଂସାର, ଆହୁରି ବଡ ବିଚିତ୍ର ଏଠି ବାସ କରୁଥିବା ସ୍ୱାର୍ଥପର ମଣିଷମାନେ। ମନେ ପଡିଗଲା ତାର ମହାଭାରତର ଧର୍ମରାଜ ଯୁଧିଷ୍ଠିର ଙ୍କ କଥା ।ଏମିତି ଦିନେ ଭାଇମାନଙ୍କ କପଟ ରାଜନୀତିର କୋମଳ କଥାରେ ଫସି ଯାଇଥିଲେ ଧର୍ମରାଜ ଯୁଧିଷ୍ଠିର। ହରେଇଥିଲେ ନିଜର ଧନ ସମ୍ପତ୍ତି, ରାଜ୍ୟ, ସ୍ତ୍ରୀ, ମାନ ସମ୍ମାନ, ପ୍ରତିଷ୍ଠା ସବୁକିଛି। ଭେଦ କରିପାରି ନଥିଲେ ଭାଇ ଓ ମାମୁଁଙ୍କ ମନ୍ଦ ଉଦ୍ଦେଶ୍ୟର ଚକ୍ରବ୍ୟୁହ କୁ। ରାଜନୀତିର କପଟ ପଶାକାଠିରେ ଖେଳିବାକୁ ଯୁଗେ ଯୁଗେ ଧର୍ମାତ୍ମା ଯୁଧିଷ୍ଠିର ମାନେ ଥିଲେ ଅକ୍ଷମ। ଏଠି ଜିତନ୍ତି ସେଇମାନେ ଯେଉଁମାନଙ୍କ ପଛପଟେ କପଟୀ ଶକୁନି ମାନଙ୍କର ହାତ ଥାଏ। ଆଉ ଆଜିର ଏ ଭ୍ରଷ୍ଟ ରାଜନୀତିର କପଟ ପଶାଖେଳରେ ସବୁକିଛି ହରେଇ ଦିଅନ୍ତି ଧର୍ମୀୟ ଭାବନାରେ ବାନ୍ଧି ହୋଇଥିବା ବନାସାର୍ ଙ୍କ ଭଳି ଯୁଧିଷ୍ଠିର ମାନେ।
