ବିବର୍ଣ୍ଣ କୃଷ୍ଣ ଚୂଡ଼ା
ବିବର୍ଣ୍ଣ କୃଷ୍ଣ ଚୂଡ଼ା
ରାଜୀବ ଠିକ ଟାଇମ୍ ରେ ଆସି ପହଞ୍ଚି ଯାଇଥିଲା। ସବୁଦିନ ପରି ଆଜିବି ସେ ସେମିତି ସେଇଠି ବସି ରହିଥିଲା। ସୂର୍ଯ୍ୟଙ୍କର ଶେଷ ଲାଲିମା ତା ମୁହଁରେ ବୋଳି ହେଇଥିଲା ଓ ସେ ଆହୁରି ଅଧିକ ସୁନ୍ଦର ଲାଗୁଥିଲା। ଉଦାସ ଆଖି, ପବନରେ ଉଡୁଥିଲା ତାର ଦୀର୍ଘ କେଶରାଶି। ସେ ଥିଲା ନିର୍ଲିପ୍ତ। ଆଖିରେ ତାର ଅନ୍ତଃହୀନ ପ୍ରତୀକ୍ଷା। ହଜି ଯାଇଥିଲା ନିଜ ତପସ୍ୟାରେ। କୃଷ୍ଣଚୁଡା ଗଛରୁ ଅସହାୟ ଭାବେ ଝରିପଡୁଥିଲା କିଛି ପାଖୁଡା। ଏଇ କୃଷ୍ଣଚୁଡା ଗଛ ଆଉ ତା ତଳେ ପଡିଥିବା ଏଇ ପଥର ଦୀର୍ଘ ପନ୍ଦର ବର୍ଷ ହେଲା ପାଲଟିଛନ୍ତି ତାର ସହଚରି।
ରାଜୀବ ବାଇକ୍ ସାଇଡ଼ କଲା, ପାଖକୁ ଗଲା। ଧୀରେ ତା କାନ୍ଧରେ ହାତ ରଖିଲା "ଶ୍ରାବଣୀ"। ଆଉ କେତେଦିନ ଏମିତି ତାକୁ ଅପେକ୍ଷା କରିଥିବ ? ଆଜିକୁ ପନ୍ଦର ବର୍ଷ ପୁରିଲା। ତୁମେ ଏମିତି ଅହଲ୍ୟା ସାଜି ଏ ପଥରଟା ଉପରେ ପଥର ହୋଇ କାହିଁକି ଅପେକ୍ଷା କରିଛ ? ବିଶ୍ୱାସକର ମୁଁ ମିଛ କହୁନି। ବିରେନ୍ ଆଉ କେବେ ବି ଫେରିବନି, ସେ ଏଷ୍ଟାବ୍ଲିସ୍ ହୋଇ ସାରିଲାଣି। ଲଣ୍ଡନରେ ସିଟିଜେନ ସିପ୍ ମଧ୍ୟ ନେଇ ସାରିଲାଣି। ବିବାହ କରି ସନ୍ତାନର ବାପା ବି ହେଲାଣି। ଆଉ କାହିଁକି ଏ ତପସ୍ୟା ଶ୍ରାବଣୀ ? ଆଗକୁ ବଢ଼। ଲୁହ ବତୁରା ଆଖି ଉଠେଇ ଚାହିଁଲା ଶ୍ରାବଣୀ। ବେଦନାରେ ଥମ୍ ଥମ୍ ମୁହଁ। ତୁମେ ଯାଅ ରାଜୀବ ମୁଁ ତାଙ୍କୁ ଅପେକ୍ଷା କରିବି ମଲାଯାଏ। କେବେ ତ ସେ ଫେରିବେ। ସେ କହିଥିଲେ, ଏଇଠି ଅପେକ୍ଷା କରିଥିବୁ, ମୁଁ ନିଶ୍ଚୟ ଫେରିବି। ମୋର ବିଶ୍ୱାସ ସେ ମୋତେ ଠକିବେନି, ନିଶ୍ଚୟ ଆସିବେ। କିନ୍ତୁ ତୁମେ କାହିଁକି ସବୁଦିନ ଆସୁଛ ? କାହା ପ୍ରତିକ୍ଷାରେ ? ଏତେ ସମୟ ଖାଲି ଟାରେ ଏଠି କାହିଁକି ବ୍ୟତୀତ କରୁଛ ? ତୁମର କଣ ଧର୍ଯ୍ୟ ଚ୍ୟୁତି ଘଟୁନି ? କାହିଁ ମୋତେ ଉପଦେଶ ଦେଉଛ ? ହସିଲା ରାଜୀବ, ହଁ ! ମୁଁ ବି ଅପେକ୍ଷା କରିଛି। ଭାବିନିଅ ତୁମ ପ୍ରତୀକ୍ଷା ମୋ ପ୍ରତୀକ୍ଷା ଦୁହେଁ ବୋଧେ ସମାନ୍ତରାଳ ଗତିରେ। ହସିଦେଲା ଶ୍ରାବଣୀ। ରାତି କ୍ରମେ ଘନେଇ ଆସୁଥିଲା। ଦୀର୍ଘ ନିଃଶ୍ୱାସ ପକେଇ ଉଠିଲା ଶ୍ରାବଣୀ "ନା ଆଜି ଆଉ ନୁହେଁ"ତେବେ ଆସ, ତୁମକୁ ନେଇ ମୁଁ ଘରେ ଛାଡ଼ି ଦେବି, କହିଲା ରାଜୀବ। ଚୁପ୍ ଚାପ୍ ଯାଇ ବାଇକ୍ ପଛରେ ବସିଲା ଶ୍ରାବଣୀ ।
ଶ୍ରାବଣୀ ଜାଣେ, ରାଜୀବ ତାକୁ ଭଲ ପାଏ। ହଁ, ଯଦିଓ ସେ କେବେ ମୁହଁ ଖୋଲି କହିନି। ତାକୁ କେବଳ ସୁରକ୍ଷା ଦେବାକୁ ହିଁ ସନ୍ଧ୍ୟାରୁ ରାତି ଯାଏଁ ଜଗିରହେ ସେ, ଆଉ ଶେଷରେ ତାକୁ ନେଇ ଘରେ ଛାଡେ। ଏଇ କଣ ତାର ଜୀବନ? କାହିଁକି, ରାଜୀବ ତାକୁ ଏତେ ଭଲ ପାଉଛି ? ଯଦିଓ ସେ ଜାଣେ ଯେ ଶ୍ରାବଣୀ ତାକୁ ଭଲ ପାଏନା। ତା ପ୍ରେମ କେବଳ ବିରେନ୍। ରାଜୀବ କେବଳ ତାର ଜଣେ ଭଲ ବନ୍ଧୁ। ବାସ୍ ।
ପିଲାବେଳେ ଅଷ୍ଟମ ଶ୍ରେଣୀରେ ପଡ଼ିଲା ବେଳଠୁ ରାଜୀବ ଓ ସେ, ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ବିରେନ୍ କିନ୍ତୁ ଜଣେ ଗରିବ ଘର ପୁଅ। ବାପ ତାର ଜୋତା ପାଲିସ୍ କରେ। ପିଲାବେଳୁ ପାଠ ପାଗଳ ଥାଏ ବିରେନ୍। ପ୍ରବଳ ପଢ଼ିବାର ଇଚ୍ଛା ଥିଲେବି ଅର୍ଥ ଥାଏ ବାଧକ। ଶ୍ରାବଣୀ ସବୁ ଜାଣେ, ବିରେନ୍ କେତେ ଭଲପାଏ ପଢିବାକୁ। ହେଲେ ଧନୀର ଦୁଲାଳି ଶ୍ରାବଣୀ, କେମିତି ସହନ୍ତା ତା ପ୍ରିୟ ବନ୍ଧୁର ଏ ଅସହାୟତା କୁ ? ଇଚ୍ଛା ଥିଲେବି ବିରେନ୍ କୁ ସାହାଯ୍ୟ କରିବ ସେ କେମିତି ? ବନ୍ଧୁଯେ ତାର ଭାରି ସ୍ୱାଭିମାନି। ସେଦିନ ନିଜକୁ ପଢେଇବାର ସର୍ତ୍ତ ରଖି ଟିଉସନ ଦରମା ହିସାବରେ ସାହାଯ୍ୟ କରିଥିଲା ଶ୍ରାବଣୀ ବିରେନ୍ କୁ। ଭଲ ପଢୁଥିଲା ବିରେନ୍, ଆଉ ଆଗକୁ ବଢ଼ିବାରେ ରାସ୍ତା ସୁଗମ କରିଦେଲା ଶ୍ରାବଣୀ। ଶିଡି ପରେ ଶିଡି ଚଢି ଚାଲିଲା ବିରେନ୍। ଦୁହେଁ ବନ୍ଧୁରୁ କ୍ରମଶଃ ଜୀବନ ସାଥି ହେବାର ପ୍ରତିଜ୍ଞା କଲେ ।
ସରକାରଙ୍କ ଠାରୁ ସ୍କଲରସିପ୍ ପାଇ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଗଲା ବିରେନ୍। ଏଇ କୃଷ୍ଣ ଚୂଡ଼ା ଗଛ ତଳେ ହୋଇଥିଲା ସେମାନଙ୍କ ଭିତରେ ଶେଷ ଦେଖା। ଏଇ ପଥର ଉପରେ ବସି ପ୍ରତିଶ୍ରୁତି ଦେଇଥିଲା, ମୋତେ ତୁ ଅପେକ୍ଷା କରିବୁ ଶ୍ରାବଣୀ, ମୁଁ ଶୀଘ୍ର ଫେରି ଆସିବି ଆଉ ତୋତେ ବଧୁକରି ସାଙ୍ଗରେ ନେଇଯିବି। ବିରେନ୍ କୁ ସେମିତି ଅପେକ୍ଷା କରିକରି ଆଜି ପର୍ଯ୍ୟନ୍ତ ବାହାହେଲାନି ଶ୍ରାବଣୀ। ବାପା ଯିବା ଆଜକୁ ପ୍ରାୟ ପାଞ୍ଚବର୍ଷ ହୋଇଗଲାଣି। ମାଆ ପାଇଁ ଅଲଗା କେଉଁଠି ଚାକିରୀ ପାଇଁ ପ୍ରୟାସ ନକରି ବାପାଙ୍କ ବ୍ୟବସାୟରେ ପ୍ରବେଶ କଲା ଶ୍ରାବଣୀ। ହେଲେ ବିରେନ୍ ପାଇଁ ପ୍ରତୀକ୍ଷା ଏବେବି ତାର ଅବ୍ୟାହତ। ମନରେ ଦୃଢ ବିଶ୍ବାସ, ତା ବିରେନ୍ ଫେରିବ, ନିଶ୍ଚୟ ଫେରିବ। ଗାଡିର ବ୍ରେକ୍ ରେ ନିଜ ଚିନ୍ତାରୁ ଫେରିଲା ଶ୍ରାବଣୀ। "ଘରକୁ ଯାଅ ଶ୍ରାବଣୀ, ଶୁଭରାତ୍ରୀ"। ଶ୍ରାବଣୀକୁ ଗାଡିରୁ ଓହ୍ଲେଇ ଦେଇ ଗାଡି ବୁଲେଇଲା ରାଜୀବ। କିଛିବି ନକହି ଚୁପ୍ ଚାପ୍ ଘର ଭିତରକୁ ଚାଲିଗଲା ଶ୍ରାବଣୀ। ଖାଇବାର ଇଚ୍ଛା ନଥିଲା, ତେଣୁ ସେମିତି ଶେଯରେ ଗଡି ପଡିଲା ସେ। କେଜାଣି କେତେବେଳେ ନିଦ ଆସିଗଲା ତାକୁ ।
ହଠାତ କିଛି ଗୋଟେ ଶବ୍ଦରେ ଆଖି ଖୋଲିଲା ଶ୍ରାବଣୀ, ଟେଲିଫୋନ ବାଜୁଛି। ଘଣ୍ଟାକୁ ଚାହିଁଲା, ରାତି ତିନିଟା। ଗୋଟେ ଅଜଣା ଭୟରେ କ୍ରେଡିଲ ଉପରୁ ଧୀରେ ରିସିଭର ଉଠେଇଲା। ଡ଼ରିଡରି ପଚାରିଲା "ହାଲୋ"?
"ହାଲୋ ଶ୍ରାବଣୀ"!
ଆଶ୍ଚର୍ଯ୍ୟ ଓ ଆନନ୍ଦରେ ଅଧିରା ଶ୍ରାବଣୀ କିଛି କହି ପାରିଲାନି। ବାକ୍ ରୁଦ୍ଧ ହୋଇ ପଡ଼ିଲା। ଠିଆ ହୋଇ ରହିଥିଲା ସେମିତି ନିରବ ନିଶ୍ଚଳ ଭାବେ।
"ହାଲୋ ଶ୍ରାବଣୀ"
ହଁ ! ହଁ ! ବିରେନ, ମୁଁ ଶ୍ରାବଣୀ ତୁମ ଶ୍ରାବଣୀ ଏତେଦିନ ପରେ !
"କାଲି ଦେଖା କରି ପାରିବ ? ଓଡ଼ିଶା ଆସିଛି ମୁଁ"। ଶ୍ରାବଣୀ କିଛି କହିବାକୁ ଉଦ୍ୟତ ସମୟରେ ଅଧାରୁ କାଟି କହିଲା ବିରେନ୍।ନିଶ୍ଚୟ, ନିଶ୍ଚୟ ବିରେନ୍, ସେଇତ ମୋର ପ୍ରତୀକ୍ଷା, ସେଇ ସମୟରେ ସେଇଠି ମୁଁ ତୁମ ଅପେକ୍ଷାରେ ବସିଥିବି, ଯେଉଁଠି ତୁମେ ମୋତେ ଛାଡିଥିଲ। "ଓକେ"ଫୋନ ରଖିଦେଲା ବିରେନ୍। ହାଲୋ ବିରେନ୍ ! ବିରେନ୍ ! କି ଆଶ୍ଚର୍ଯ୍ୟ ! ଏତେଦିନ ପରେ ଅଥଚ ଏତିକି ମାତ୍ର ? ହଉ, କାଲିତ ଦେଖାହେବ। ଆନନ୍ଦରେ ଅଧିରା ଶ୍ରାବଣୀ, କେବେ ଫୋନକୁ ତ କେବେ ପୁଣି ବିରେନ୍ ର ଫୋଟକୁ ଚାହୁଁଥିଲା ।
ରାତି କେତେବେଳେ ପାହିଗଲା ଜଣା ପଡ଼ିଲାନି। ଠିକ୍ ସମୟରେ, ଅନେକ ଦିନପରେ, ନିଜକୁ ଖୁବ ସୁନ୍ଦର ଭାବେ ସଜେଇଲା ଶ୍ରାବଣୀ। ଆଜି ତା ବିରେନ୍ ଆସୁଛି, ତା ତପସ୍ୟା ଆଜି ସଫଳ ହୋଇଛି। ମୁଣ୍ଡରେ ଓଢଣା ଟାଣି ଦର୍ପଣରେ ନିଜକୁ ନିଜେ ଟିକେ ଭଲଭାବେ ନିରେଖି ଖୁସି ହେଲା ଶ୍ରାବଣୀ। ଏବେ ସେ ବିରେନ୍ ର ପତ୍ନୀ ହେବା ପାଇଁ ଆଉ କିଛି ବାଧା ନାହିଁ। ଠିକ୍ ସମୟ ଉପସ୍ଥିତ ହେବା ଆଗରୁ କୃଷ୍ଣ ଚୁଡା ଗଛପାଖରେ ପହଞ୍ଚି ଗଲା ଶ୍ରାବଣୀ। ମନଭରି କୃଷ୍ଣ ଚୁଡା ଗଛକୁ ଶେଷଥର ପାଇଁ ଅପଲକ ନୟନରେ ଦେଖିଲା। "ଅଲବିଦା ମାଇଁ ଫ୍ରେଣ୍ଡ"! ଆଜି ତୋ ସହ ମୋର ଶେଷ ଦେଖା। ଗୋଟି ଗୋଟିକରି କୃଷ୍ଣ ଚୁଡା ଫୁଲ ସବୁ ନିଜ ଅଣ୍ଟି ରେ ଗୋଟେଇ ରଖିଲା ବେଳେ ଗୁଣୁଗୁଣୁ ହୋଇ କହୁଥିଲା ଶ୍ରାବଣୀ। ଆଜି ଏ ଫୁଲ ସବୁକୁ ଅଜାଡ଼ି ଦେଵ ସେ ବିରେନ୍ ର ପାଦରେ। କଳ୍ପନା ରାଜ୍ୟରେ ଘୁରି ବୁଲୁଥାଏ ଶ୍ରାବଣୀ। ମନେ ମନେ ଭାବୁଥାଏ, କେମିତି ଦିଶୁଥିବେ ବିରେନ୍? ବହୁତ ସୁନ୍ଦର ଦିଶୁଥିବେ ନିଶ୍ଚୟ ! ଏଥର ତାର ସୁଖର ଦିନ ଆରମ୍ଭ ହେବ। କେବଳ ବିରେନ୍ ଓ ସେ।
"ଶ୍ରାବଣୀ"!
ବିରେନ୍ ର ଡାକରେ ମୁହଁ ଉଠାଇ ଚାହିଁଲା ଶ୍ରାବଣୀ। ତୁମେ ସତରେ ଆସିଛ ବିରେନ୍ !ପାଖରେ ଯାଇ ବସି ପଡ଼ିଲା ବିରେନ୍, ହଁ ! ଓଡିଶା ଆସିଥିଲି ଭାବିଲି, ତୁମକୁ ଟିକେ ଦେଖା କରିଯିବି। କେମିତି ଅଛ ଶ୍ରାବଣୀ ? ତୁମ ସ୍ୱାମୀ, ଛୁଆ, ସମସ୍ତେ କେମିତି ଅଛନ୍ତି ?
ସ୍ୱାମୀ ଛୁଆ ! ଥଟ୍ଟା କରୁଛ ମୋତେ ? ତୁମେ କଣ ମୋ କପାଳରେ ସିନ୍ଦୁର ଦେଖୁଛ ? ପ୍ରତୀକ୍ଷାର ପ୍ରତିଶ୍ରୁତି ଦେଇ, ଏ ପୁଣି କିଭଳି ପ୍ରଶ୍ନ ବିରେନ୍ ?
"କେଡେ ପାଗଳୀ ତୁମେ ? ଏତେ ଦିନ ହେଲାଣି ତୁମେ ଏବେ ବି ମୋତେ ଅପେକ୍ଷା କରିଛ, ବିବାହ କରିନ"?
କାଇଁ ତୁମେ କଣ ବିବାହ କରି ସାରିଛ ?
"ହଁ, ନକରି ଉପାୟ ବି ନଥିଲା। ଭଲ ଚାକିରୀ ଭଲ ସାଲେରୀ, ଛାଡି ଦେବାଟା ମୂର୍ଖତା ହୋଇ ନଥାନ୍ତା ? ଆଉ ସେଠି ରହିବାକୁ ହେଲେ ସିଟିଜେନସିପ୍ ତ ନିହାତି ଦରକାର। ସେଠିକାର ନାଗରିକ ହେବା ପାଇଁ ବାଧ୍ୟ ହୋଇ ମୋତେ ସେଠାରେ ହିଁ ବିବାହ କରିବାକୁ ପଡିଲା। ମୋର ଦୁଇଟି ପୁଅ ମଧ୍ୟ। ସରି ଶ୍ରାବଣୀ, କାମରେ ବ୍ୟସ୍ତ ଥାଇ ତୁମକୁ ଇନ୍ ଫର୍ମ କରିପାରିନି"।
ଓ !"ମୋତେ ଭୁଲ ବୁଝିବନି ଶ୍ରାବଣୀ ମୁଁ ମଜବୁର୍ ଥିଲି। କିନ୍ତୁ ବିଶ୍ୱାସ କର, ମୁଁ ଏବେବି ତୁମକୁ ଭଲପାଏ ଆଉ ପାଉଥିବି ମଧ୍ୟ"। ଥାଉ, ଏ ଭଲ ପାଇବା ଶବ୍ଦଟା ତୁମ ମୁହଁରୁ, ମୋତେ ଗାଳି ଭଳି ଲାଗୁଛି। ମୁଁ ମୂର୍ଖ ଥିଲି, ତେଣୁ ନିଜକୁ ଅହଲ୍ୟା ସଜେଇ ରାମ ବଦଳରେ ରାଵଣକୁ ଅପେକ୍ଷା କରିଥିଲି। ତୁମେ ଫେରିଯାଅ ବିରେନ୍, ମୋ ତପସ୍ୟା ଭାଙ୍ଗି ଯାଇଛି, ଆଉ ଭ୍ରମ ବି। ପ୍ଲିଜ, ଯାଅ ଚାଲିଯାଅ"। ଏକମୁହଁ ହୋଇ ଚାଲି ଯାଇଥିଲା ବିରେନ୍। କଇଁକଇଁ ହୋଇ କାନ୍ଦି ଉଠିଲା ଶ୍ରାବଣୀ। ଅଣ୍ଟି ରେ କୃଷ୍ଣ ଚୁଡା ପାଖୁଡାକୁ ଧରି କେଜାଣି କେତେ ସମୟ ସେମିତି ବସି ରହିଥିଲା ଶ୍ରାବଣୀ। ଆଜି ଘରକୁ ଫେରିବାର ଇଚ୍ଛା ବି ନଥିଲା ତାର। ଅବିରତ ଆଖିରୁ ଲୁହ ବହି ଚାଲିଥିଲା। କଣ ଲାଭ ପାଇଲା ସେ, ଏତେଦିନ ବିରେନ୍ କୁ ପ୍ରତୀକ୍ଷା କରି ? ତେବେ କଣ ଏସବୁ ଥିଲା ପ୍ରତାରଣା ? ନିଜଉପରେ ରାଗ ଆସୁଥିଲା ଶ୍ରାବଣୀର। ଆଉ ବଞ୍ଚିକି ଲାଭ କଣ ? କାହିଁକି ବା ବଞ୍ଚିବ ? ବଞ୍ଚିବାର ସବୁରାସ୍ତା ତ ଏବେ ଅସ୍ପଷ୍ଟ। ଜୋରରେ ଚିତ୍କାର କରି କାନ୍ଦି ଉଠିଲା ଶ୍ରାବଣୀ। ହେଲେ ମାଆ ? ଯିଏ ଆଜି ପର୍ଯ୍ୟନ୍ତ ତାକୁ ବଧୁ ବେଶରେ ଦେଖିବାକୁ ଅପେକ୍ଷା କରି ଚାହିଁ ରହିଛି ? କଣ କହିବ ସେ ତାକୁ ? କାହା କଥା ନଶୁଣି ବିରେନ୍ କୁ ଏତେଦିନ ମୂର୍ଖ ଭଳି କାହିଁକି ସେ ଅପେକ୍ଷା କରିଥିଲା ? ଜୀବନଠୁ ଅଧିକ ଭଲ ପାଉଥିବା, ତାକୁ ପୂଜା କରୁଥିବା, ତାର ପ୍ରତି ଘଡିସନ୍ଧି ମୁହୂର୍ତ୍ତରେ ତା ସାଙ୍ଗେ ସାଙ୍ଗେ ଛାଇ ପରି ରହୁଥିବା ତା ସହପାଠୀ ରାଜୀବକୁ କାହିଁକି ସେ ବୁଝିପାରିଲାନି ? ବିରେନ୍ ଭଳି ପ୍ରତାରକ ପଛରେ ଧାଇଁ ଧାଇଁ ଆଜି କଣ ପାଇଲା ସେ ? ତା ଭଳି ମୂର୍ଖ ଝିଅ ଏ ଦୁନିଆରେ ବଞ୍ଚି ରହି କଣ କରିବ ? ନିଜକୁ ଖୁବ୍ ଧିକ୍କାର କଲା। ଖୁବ୍ ଘୃଣା କଲା ନିଜକୁ। ତେବେ ସେ କଣ ଆତ୍ମହତ୍ୟା କରିବ ? କଇଁ କଇଁ ହୋଇ କାନ୍ଦି ଉଠିଲା ଶ୍ରାବଣୀ।
"ଶ୍ରାବଣୀ"!
ରାଜୀବର ଡାକରେ ମୁହଁ ଉଠେଇଲା ଶ୍ରାବଣୀ। ମୋ ତପସ୍ୟା ଆଜି ବିଫଳ ହୋଇଗଲା ରାଜୀବ୍। ମୁଁ ହାରିଗଲି। ମୋର ଆଉ ବଞ୍ଚିରହି କିଛି ଲାଭନାହିଁ। ମୋର ମରିଯିବା ଉଚିତ୍। ମୁଁ ହାରିଗଲି ରାଜୀବ୍। ଏତିକି କହି ଖୁବ ଜୋରରେ କାନ୍ଦି ଉଠିଲା ଶ୍ରାବଣୀ। ହାତ ଧରି ଉଠେଇ ନେଲା ରାଜୀବ୍। ନା ଶ୍ରାବଣୀ, ତୁମେ ବଞ୍ଚିବ ମାଆ ପାଇଁ ବଞ୍ଚିବ ମୋ ପାଇଁ ବଞ୍ଚିବ। ଗୋଟେ ପ୍ରତାରକ ପାଇଁ ମୁଁ ତୁମକୁ ଶେଷ ହେବାକୁ ଦେବିନି। ମୁଁ ତୁମକୁ ବହୁତ ଭଲପାଏ। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତୁମକୁ ହିଁ ଭଲ ପାଉଥିବି। ତୁମର ନହେଲେ ନାହିଁ, ମୋ ତପସ୍ୟା ତ ସଫଳ ହୋଇଛି। ଆସ, ସେତିକିରେ ଅନ୍ତତଃ ଖୁସି ହେବା"। ଅଣ୍ଟିରୁ କୃଷ୍ଣ ଚୁଡା ପାଖୁଡା ସବୁ ଅଜାଡି ହୋଇ ପଡ଼ିଲା ରାଜୀବ୍ ର ପାଦ ଯୁଗଳରେ। ଆସ୍ତେ ଶ୍ରାବଣୀକୁ ନିଜ ଛାତିରେ ଆଉଜେଇ ଆଣି ଚାପି ଧରିଲା ରାଜୀବ୍। ରାତି ଯୁବକରୁ ବୃଦ୍ଧ ହେଉଥିଲା, ଦୁହେଁ ଥିଲେ ନିରବ, ରହି ରହି ଝରି ପଡୁଥିଲା କୃଷ୍ଣଚୁଡା, କିନ୍ତୁ କେଜାଣି କାହିଁକି ଆଜି କେମିତି କୃଷ୍ଣ ଚୁଡା ସବୁ ବିବର୍ଣ୍ଣ ଦିଶୁଥିଲା ।
