STORYMIRROR

Dr Arati

Tragedy Inspirational

5  

Dr Arati

Tragedy Inspirational

ବାପାଙ୍କ ସ୍ମୃତି

ବାପାଙ୍କ ସ୍ମୃତି

5 mins
448


ବାପା ଶୋଇଯାଇଥିଲେ ଚିର ନିଦ୍ରାରେ। ତାଙ୍କ ଚାରିପଟେ ଘେରି ବସିଥିଲେ ମୋ ସ୍ତ୍ରୀ, ମୋ ପୁଅ, ଆଉ କିଛି ବନ୍ଧୁ ବାନ୍ଧବ। ବାପାଙ୍କ ମୁହଁକୁ ଆଉଁସି ମୋ ସ୍ତ୍ରୀ ଚିତ୍କାର କରି କାନ୍ଦୁଥିଲା। ମୁଁ ଅପରାଧୀଟିଏ ପରି ମୁହଁ ତଳକୁ କରି ଚୁପ୍ ଚାପ୍ ବସିଥିଲି। କାନ୍ଦ ମଝିରେ ବେଳେ ବେଳେ ମୋ ସ୍ତ୍ରୀ ମୁହଁ ଉଠେଇ ମୋତେ କେମିତି ଏକ ଅଭିମାନ ଓ ଅଭିଯୋଗ ଭରା ଆଖିରେ ଚାହୁଁ ଥାଏ। ତା ଚାହାଣୀ ମୋତେ ମର୍ମାହତ କରୁଥାଏ। ମୁଁ ଭିତରେ ଭିତରେ କେମିତି ସାଁକୁଡି ଯାଉଥାଏ। ନିଜକୁ ଦୋଷୀ ଦୋଷୀ ଭାବୁଥାଏ। ସ୍ତ୍ରୀର ନଜରକୁ ଆଉ ସାମ୍ନା କରିପାରିଲିନି। କଥା ହେଲା, ଭଉଣୀ ଆସିଲେ ଯାଇ ଶବ ଦାହ ହେବ ତେଣୁ ଉଠିଆସିଲି କୂଅ ମୂଳକୁ। ଆଣ୍ଠୁ ସନ୍ଧିରେ ମୁହଁ ଲୁଚେଇ ବସିପଡ଼ିଲି। ସତରେ କଣ ବାପାଙ୍କ ମୃତ୍ୟୁ ପାଇଁ ମୁଁ ଦାୟୀ ? କେଜାଣି ? ଏବେଵି ମୁଁ ଥଳକୁଳ କିଛି ପାଉନି। ବେଳେ ବେଳେ ଲାଗୁଛି, ହଁ ! ମୁଁ ହିଁ ଦୋଷୀ। ମୁଁ ହିଁ ମାରିଦେଲି ବାପାଙ୍କୁ। 


ବୋଉ ଯିବା ଆଜକୁ ବାର ଵର୍ଷ ହେଲାଣି। ମୋ ବାହାଘର ବର୍ଷେ ପରେ ବୋଉ ଚାଲିଗଲା। ବୋଉ ଗଲା ପରେ ବାପା ବହୁତ ଏକୁଟିଆ ହୋଇଗଲେ। ମୁଁ, ମୋ ସ୍ତ୍ରୀ, ମୋ ପୁଅ, ଝିଅ, ସମସ୍ତେ ବାପାଙ୍କୁ ଖୁସିରେ ରଖିବାକୁ ଆପ୍ରାଣ ଚେଷ୍ଟାଵି କରୁଥିଲୁ। ତଥାପିବି ସେ ସବୁବେଳେ ବୋଉକୁ ମନେ ମନେ ଖୋଜୁଥିଲେ। 


ବାପାଙ୍କର ସବୁଠୁ ପ୍ରିୟ ଥିଲା ତାଙ୍କ "ବାଜାଜ୍ ସୁପର" ସ୍କୁଟର ଖଣ୍ଡକ। ବାପା ସବୁଦିନ କନା ଖଣ୍ଡେ ଧରି ତାକୁ ପୋଛନ୍ତି। ଗୁଣୁ ଗୁଣୁ ହୋଇ ତା ସହ କଣ ସବୁ ଗପନ୍ତି। ଏବଂ ସବୁଦିନ କିଛି ନହେଲେ ଵି ଛକ ପାଖକୁ ପାନ ପାଇଁ ସ୍କୁଟର ଟିକୁ ନିଅନ୍ତି। ଯେମିତି ସେଇଟି ସବୁବେଳେ ଚଳତ୍ କ୍ଷମ ହୋଇ ରହିବ। ଟିକେ ଖରାପ ହେଲେ ବାପା କେମିତି ବ୍ୟତିବ୍ୟସ୍ତ ହୋଇପଡନ୍ତି। ଯେମିତି ସେଇଟା ଯନ୍ତ୍ର ନୁହେଁ ଏକ ଜୀବନ୍ତ ମଣିଷ। ସେତେବେଳେ ମୋ ପିଛା ଛାଡ଼ନ୍ତିନି। ଟୁକୁନା ନେଇ଼ଯାରେ ବାପା, "ମୋ ଗାଡ଼ିଟା Repair କରି ଆଣିବୁ"। ବେଳେ ବେଳେ ମୋତେ ବିରକ୍ତ ଲାଗେ। କହେ, ବାପା କଣ ପାଇଁ ସେ ପୁରୁଣା ଖଣ୍ଡିଆ ଗାଡ଼ିଟାକୁ ରଖିଛ କହିଲ ? ସେଇଟା ବିକିଦବା। ମୁଁ ବରଂ ତମ ପାଇଁ ଭଲ ସ୍କୁଟିଟେ କିଣିଦେବି। ବାପା ଏତିକି ଶୁଣିଲେ, ବିକଳରେ ତାଙ୍କ ଗାଡ଼ିଟାକୁ କୁଣ୍ଢାଇ ଧରନ୍ତି। ନା, ନା, ସେମିତି କହନା ! ମୁଁ ମୋ ଗାଡିକୁ ଯମା ବିକିବିନି। ବାଧ୍ୟ ହୋଇ ଗ୍ୟାରେଜ ନେଇ ସଜାଡି ଆଣେ। ଗାଡିଟିକୁ ଷ୍ଟାର୍ଟ କରିଦେଲେ ବାପା କେମିତି ଖୁସିରେ ଆତ୍ମହରା ହୋଇପଡନ୍ତି, ସତେ ଯେମିତି ଆତ୍ମୀୟ କେହି ରୋଗରେ ଚୁପ୍ ଚାପ୍ ଶେଯରେ ପଡ଼ି ରହିଥିଲା ଆଉ ଆଜି କଥା କହିଲା।


ଏବେ ୨/୩ଵର୍ଷ ହେଲା ବାପା ଆଉ ଗାଡି ଚଲଉ ନାହାନ୍ତି। ବୟସ ହେଲାରୁ ଆଖିକି ଭଲ ଦେଖା ଯାଉନି। ହାତଵି ଦମ୍ଭ ପାଉନି। ତଥାପିବି ଦିନକୁ ଥରେ ପୋଛା ପୋଛି ସେ କରନ୍ତି। ଥରେ ମୋସ୍ତ୍ରୀ କହିଲା, ବାପା ଆପଣତ ଗାଡି ଆଉ ଚଲାଉନାହାନ୍ତି ବିକି ଦେବାକି ଗାଡ଼ିଟା ? ଚିଡି ଉଠିଲେ ବାପା ! କାହିଁକି ତୁମେ ସମସ୍ତେ ମୋ ଗାଡିପଛରେ ପଡିଛ ? କଣ ଅସୁବିଧା କରୁଛି ତୁମର ? କଣ ଜାଣିବ ତୁମେ ସେ ଗାଡି ସହ ମୋର କି ସମ୍ପର୍କ ? ଜାଣିଛୁ...! ସେ ଗାଡି ମୋ ବିଧବା ଶାଶୁ ତାଙ୍କର ସମସ୍ତ ଯମା ପୁଞ୍ଜି ଖର୍ଚ୍ଚ କରି ମୋତେ ଦେଇଥିଲେ। ଯେମିତି, ତାଙ୍କର ଏକ ମାତ୍ର ଝିଅକୁ ମୁଁ ସବୁବେଳେ ତାଙ୍କ ପାଖକୁ ନେଇ଼ ଆସି ପାରିବି। ତୋ ଶାଶୁ ଓ ମୁଁ ସେ ଗାଡିରେ କେତେ କୁଆଡେ ବୁଲିଛୁ। ପ୍ରତି ରବିବାର ମୁଁ ତୋ ଶାଶୁକୁ ନେଇ଼ ସେଇଥିରେ ବୁଲିବାକୁ ଯାଏ। ସେଇ ଗାଡିରେ ନେଇ଼ ମୁଁ ମୋ ପିଲାଙ୍କୁ ସ୍କୁଲ କଲେଜ ଯାଇଛି। କେତେ ଦୁଃଖ ସୁଖ ଅସମୟ ସମୟରେ ସେ ଗାଡି ମୋତେ କେତେ ସାହାଯ୍ୟ କରିଛି। ସେ ଗାଡିଟି ତୋ ଶାଶୁର ଥିଲା ଭାରି ପ୍ରିୟ। କାରଣ ତାହା ତା ବୋଉର ସ୍ମୃତି। ଆଉ ବର୍ତମାନ ତାହା ମୋ ପାଇଁ ତୁମ ମାନଙ୍କ ବୋଉର ସ୍ମୃତି। ତେଣୁ ଆଉ କେବେବି ଗାଡି ବିକିବା କଥା ମୋତେ କେହି କହିବନି। ମୋ ପାଖରୁ ମୋ ଗାଡି ଚାଲିଗଲେ ବୋଧେ ମୁଁ ଆଉ ବଞ୍ଚିବିନି। ମୋ ସ୍ତ୍ରୀ ତାପରଠୁ ବାପାଙ୍କୁ କେବେବି ଗାଡି ବିକିବା କଥା କହିନାହିଁ।


ଅପିତୁ ମୋତେ ମନା କରିଥିଲା ମୁଁ ଯେମିତି ଗାଡି ବିକିବା କଥା ଆଉ କେବେବି ତୁଣ୍ଡରେ ନଧରେ। ଏବେ ପନ୍ଦରଦିନ ତଳେ ମୋ ପୁଅ ପାଇଁ ସାଇକେଲ ଟିଏ ଆଣିଲି। କିନ୍ତୁ ସମସ୍ୟା ହେଲା ରଖିବାରେ। କାରଣ ମୋ ଗ୍ୟାରେଜ ଟି ଛୋଟ ତା ଭିତରେ ଗୋଟେ କାର୍, ଗୋଟେ ମୋଟର ସାଇକେଲ, ଗୋଟେ ସ୍କୁଟର, ପୁଣି ଗୋଟେ ସାଇକେଲ ? ତେଣୁ ଚିନ୍ତାକଲି, ବାପା ତ ଆଉ ପ୍ରାୟ ତଳକୁ ଆସୁନାହାନ୍ତି। ବାପାଙ୍କ ସ୍କୁଟରଟି ବିକିଦେଲେ ଯିବ। ହଁ ! ଜାଣିଲେ ଅବଶ୍ୟ ଟିକେ ଗେଜେ ଗେଜେ ହେବେ, ହେଲେ ହୁଅନ୍ତୁ ପଛେ, କୋଉ ଆଉ ଚଲେଇବେ ଯେ ଏତେ ଚିନ୍ତା। ତେଣୁ କାହାକୁ କିଛି ନ ଜଣେଇ ଗୋଟେ ଗ୍ୟାରେଜ ବାଲାକୁ ମାତ୍ର ୫୦୦୦ ଟଙ୍କାରେ ଗାଡିଟିକୁ ବିକି ଦେଲି। ମୋ ସ୍ତ୍ରୀ ଅବଶ୍ୟ ଜାଣିଲା ପରେ ବହୁତ ବିରକ୍ତ ହେଲା ମୋ ଉପରେ, କହିଲା ଯାହା କଲ ଭଲ କଲନି ବାପା ଯଦି ଜାଣିବେ....? ମୁଁ ଚିଡିଗଲି। ତୁମେ ଚୁପ୍ ରୁହ ବାପା କୋଉ ତଳକୁ ଯାଉଛନ୍ତି ? କିନ୍ତୁ ମୋର ଦୁର୍ଭାଗ୍ୟ ବିକିବା ପରଦିନ ହିଁ ବାପା ବାଡ଼ି ଖଣ୍ଡେ ଓ ପୋଛା କନା ଖଣ୍ଡିଏ ଧରି ଧୀରେ ଧୀରେ ତଳକୁ ଓହ୍ଲେଇଲେ। ତାଙ୍କୁ ଯିବାର ଦେଖି ମୁଁ ଡରିଗଲି। ଏବେତ ବାପା ଜାଣିଦେବେ, ତାପରେ କଣ ହବ ? ପୁଣି ନିଜକୁ ନିଜେ ଦମ୍ଭ କଲି, ହଅ...!! କଣ ଆଉ ହବ ? ଟିକେ ଗାଳିଦେବେ ପୁଣି କିଛିଦିନ ଗଲେ ଭୁଲିଯିବେନି କି ? ଏମିତି ମୁଁ ସବୁ ଭାବୁଥାଏ, ହଠାତ୍ ଶୁଣିଲି ମୋ ସ୍ତ୍ରୀଙ୍କ ଚିତ୍କାର। ଦଉଡିଗଲି, ବାପା ତଳେ ପଡିଛନ୍ତି, ମୋ ସ୍ତ୍ରୀ ତାଙ୍କୁ ଉଠେଇବାକୁ ଚେଷ୍ଟା କରୁଛି ଆଉ ବାପା, ବାପା, ବୋଲି ଚିତ୍କାର କରୁଛି। ବାପା ଆଖି ବନ୍ଦକରି ଖାଲି ତିଳ ! ତିଳ ! ବୋଲି ବିଳି ବିଳାଉଛନ୍ତି। ତିଳ ମୋ ବୋଉର ନାଁ। ବାପାଙ୍କୁ ଉଠେଇ ତାଙ୍କ ରୁମ୍ କୁ ଆଣିଲି। ସେ ଟିକେ ସାଷ୍ଟାମ ହେଲା ପରେ ପଚାରିଲି, କଣ ହେଲା ବାପା, କେମିତି ପଡ଼ିଗଲ ? ତମେ ତଳକୁ କାଇଁ ଯାଉଥିଲ ? ଆମକୁ କହିଲନି, ଯଦି କଣ ଦରକାର ଥିଲା ? ବାପା ମୋ ମୁହଁକୁ ଟିକେ ଚାହିଁଲେ ଏବଂ ଧୀରେ କହିଲେ ତୁ ମୋ ତିଳକୁ ବିକିଦେଲୁ ? ନିଜକୁ ବଞ୍ଚେଇବା ପାଇଁ ମୁଁ ଚିଡିଗଲି, ପଚାରିଲି, କଣ ଏମିତି ସବୁ ପାଗଳ ଭଳି କହୁଛ ? କଣ ହେଇଥାନ୍ତା ସେ ପୁରୁଣା ଗାଡ଼ିଟା ? ତାଛଡ଼ା ତମେ ଆଉ କୋଉ ଚଲେଇବ ? ବାପା କିଛି ସମୟ ମୋ ମୁହଁକୁ ଚାହିଁଲେ। କିନ୍ତୁ ଗୋଟେଵି ଶବ୍ଦ ନକହି ମୁହଁ ବୁଲେଇ ଶୋଇପଡ଼ିଲେ। ମୁଁ ଦୀର୍ଘନିଃଶ୍ୱାସଟେ ଛାଡ଼ିଲି, ଓହୋ ମଣିଷ ବଂଚିଗଲା। କିନ୍ତୁ ନା...!! ଠିକ୍ ତାପରଠୁ ବାପା କେମିତି ଗୋଟେ ନୀରବ ହୋଇଗଲେ। ଖାଲି ବୋଉ ଫଟୋକୁ ଚାହିଁ ରହିଥିଲେ ଚୁପ ଚାପ୍। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଲା। ଔୖଷଧ କାମ ଦେଲାନି। ଧୀରେ ଧୀରେ ଖାଦ୍ୟଵି ତଣ୍ଟିରେ ଗଲାନି। ଖାଲି ତରଳ ଖାଦ୍ୟ କିଛି ଦେଇ ଦେଇ ୫ଦିନ କଟିଲା, ବର୍ତମାନ ୨ଦିନ ହେଲା ବାପାଙ୍କ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ମୋ ସ୍ତ୍ରୀ ଆଠଦିନ ହେଲା ମୋତେ ଦୋଷ ଦେଇଚାଲିଛି। କାଲିଠୁତ ସେ ମୋସହ କଥାଵି ହଉନି। ମୁଁ ତାକୁ ବାରମ୍ବାର ପଚାରି ଚାଲିଛି ମୋର ଦୋଷ କଣ ? ହେଲେ ତାର ଏକମାତ୍ର ପ୍ରଶ୍ନ, ତୁମେ ପୁଅ ହୋଇ ବାପାଙ୍କ ଗାଡ଼ି ସାଥିରେ ଥିବା ଭାବପ୍ରବଣତାକୁ ବୁଝିପାରିଲନି ?


ଶେଷକୁ ସେ କାନ୍ଦି କାନ୍ଦି କହିଲା, ସେଇ ଗାଡ଼ି ଭିତରେ ସେ ବୋଉଙ୍କ ସ୍ମୃତି ଖୋଜୁଥିଲେ। ବାପା ବାରମ୍ବାର କହୁଥିଲେ, ଗାଡି ତାଙ୍କଠୁ ଦୂରେଇଗଲେ ସେ ମରିଯିବେ। ଆଉ ଆଜି ଦେଖ, ତାଙ୍କ ଅବସ୍ଥା.....!! ଛିଃ !! କିଭଳିଆ ପୁଅ ତୁମେ ? ବାପାଙ୍କ ନୀରବତା ସ୍ତ୍ରୀର ଅଭିମାନ ଆଉ ସହିନପାରି ଆଜି ସକାଳୁ ସକାଳୁ ୫୦୦୦ଟଙ୍କା ଫେରସ୍ତ ଦେଇ ଗାଡିଟିକୁ ଫେରେଇ ଆଣିଲି। ଗାଡ଼ିଟା ଦୁଆର ମୁହଁରେ ଷ୍ଟାଣ୍ଡ ମାରି ଖୁସିରେ ଦଉଡିଗଲି ବାପାଙ୍କ ପାଖକୁ। ହଲେଇ ଦେଇ ତାଙ୍କ ହାତକୁ ଚାବିଟି ଦେଇ କହିଲି, ହେଇଟି ଦେଖ ବାପା, ମୁଁ ତୁମ ଗାଡ଼ିଟିକୁ ନେଇ଼ ଆସିଲି ଆଉ କେଵେ ବିକିବିନି କାନ ଧରୁଛି...!! ବାପା ଚାବିଟିକୁ ମୋ ହାତରୁ ନେଇ ମୁଠେଇ ଧରିଲେ, ଆଖିଖୋଲି ମୋ ମୁହଁକୁ ଟିକେ ଚାହିଁଲେ, ଟିକେ ହସିଲେ, ଧୀରେ ମୋ ମୁଣ୍ଡରେ ଥରି ଥରି ତାଙ୍କ ହାତଟିକୁ ରଖିଲେ, କିନ୍ତୁ ହାତଟି ଖସିଗଲା। ବାସ୍ ସବୁ ଶେଷ...!! ମୁଁ ଜୋରରେ କାନ୍ଦି ଉଠିଲି। ହଠାତ୍ କାହା ଚିତ୍କାରକରି କାନ୍ଦିବାର ଶୁଣି ମୁଁ ଭାବନାରୁ ଫେରିଲି। ଭଉଣୀ ଆସିଲା ବୋଧେ ? ମୋତେ ବହୁତ କାନ୍ଦ ଲାଗିଲା ମୁହଁ ବୁଲେଇ ବଗିଚାକୁ ଚାହିଁଲି ତ ଲାଗିଲା ସତେ ଯେପରି ବାପା ଠିଆ ହୋଇଛନ୍ତି କିଛି ଦୂରରେ ଓ ମୋତେ ଚାହିଁ ହସୁଛନ୍ତି। ଭାରି ଖୁସିଲାଗିଲା, ଆରେ ବାପାତ ବଞ୍ଚି ଛନ୍ତି...!! ମୁଁ କଣ ସ୍ବପ୍ନ ଦେଖୁଥିଲି କି ? ଦଉଡିଗଲି ବଗିଚାକୁ ନା ! ବାପା ନୁହେଁ ମୁହଁକୁ ତଳକୁ କରି ମନ ଦୁଃଖରେ ଠିଆ ହୋଇଥିଲା ବାପାଙ୍କ ସ୍କୁଟର...!! ସ୍କୁଟରଟିକୁ ଜାବୁଡ଼ି ଧରି ଭୋ, ଭୋ, ହୋଇ କାନ୍ଦିଉଠିଲି। ନିଜ ଗାମୁଛାରେ ଗାଡ଼ିଟିକୁ ପୋଛି ପାଛି ପୁନର୍ବାର ଗ୍ୟାରେଜରେ ଥୋଇଦେଲି। ଥାଉ ସେମିତି କାଳ କାଳକୁ ଅନ୍ତତଃ ମୁଁ ବଞ୍ଚିଥିବା ଯାଏ। ବାପାଙ୍କ ସ୍ମୃତି ହୋଇ........................!!


    


Rate this content
Log in

Similar oriya story from Tragedy