ସରଳ ବିଶ୍ୱାସ
ସରଳ ବିଶ୍ୱାସ
ମହୁଲ ଗଛ ତଳେ ବସିଥିଲା ଝୁମୁରି। ତା କୋଳରେ ମଥା ରଖି ଶୋଇଥିଲା ଜାଗୁଲୁ। ଦୁହେଁ ଏକ ଅଜଣା ଭୟରେ ଥିଲେ ଚିନ୍ତାମଗ୍ନ। ଚାରିପଟେ ଅଖଣ୍ଡ ନିରବତା, ଖାଲି ପ୍ରତିକ୍ରିୟାଶିଳ ଥିଲେ କିଛି ମହୁଲ ଫୁଲ ଯାହା ରହି ରହି ଝରି ପଡୁଥିଲା ଦୁହିଁଙ୍କ ଉପରେ। କିଛି ମୁହୂର୍ତ୍ତର ନିରବତା ପରେ ମୁହଁ ଖୋଲିଲା ଝୁମୁରି। ମୋତେ ଭାରି ଭୟ ଲାଗୁଛି ଜାଗୁଲୁ, ଯଦି ଗାଆଁରେ କେହି ଦେଖି ଦିଅନ୍ତି କି ଜାଣି ଦିଅନ୍ତି, ଆମେ ଘର ଛାଡ଼ି ପଳେଇ ଆସିଛେ ବୋଲି ? ମୋ ବାଆ,ତ ହାଣିଦେବ। ଆମେ କାହିଁ ଏମିତି କଲେ ? ଝୁମୁରି କୋଳରୁ ଉଠିପଡ଼ି ତା ମୁହଁକୁ ଚାହିଁଲା ଜାଗୁଲୁ। ଝୁମୁରି ଆଖିରେ ଆଖିଏ ଲୁହ। ମୁଁ କଣ କରିଥାନ୍ତି କହିଲୁ ? ଗୋଟେପଟେ ତୋତେ ଛାଡ଼ି ମୁଁ ଯେ ବଞ୍ଚିପାରିବିନି, ଆଉ ଅନ୍ୟପଟେ ତୋତେ ବିବାହ କରିବାକୁ ମୋ ପାଖରେ ପାଇସା ବି ନାହିଁ। ତୋ ବାପା ଯେତିକି "ପ୍ରଥା ଧନ" ଦାବି କରିଛି, ମୁଁ କୋଉଠୁ ଆଣିବି ? ଦୁଇଟା ଛେଳି, ଦଶ ହଜାର ଟଙ୍କା କୋଉଠୁ ଆଣିବ ମୋ ବାଆ? ତା ପାଖରେ ଏତେ ପଇସା କାହିଁ ? ତୋତେ ନପାଇଲେ ମୁଁ ମରିଯିବି ଝୁମୁରି। ମୋ ବାଆ ଏତେ ଦେଇ ପାରିବନି କହିଲାରୁ, ତୋ ବାଆ "ସମୁରୁ" ସହ ତୋ ବାହାଘର କରିଦେବ ବୋଲି କହିଲା। ମୁଁ କେମିତି ସହିବି କହ ? ଝୁମୁରି କାନ୍ଦି ପକେଇଲା। ମୁଁ ବି ତୋତେ ଛାଡ଼ି ରହିପାରିଵିନି ଜାଗୁଲୁ। ସେ ସମୁରୁକୁ ମୁଁ ଜମା ବାହା ହେବିନି। ମାଁ ଡମଣେଇ ରାଣ, ମରିଯିବି ପଛେ ତାକୁ ଜମା ବାହା ହେବିନି। ହେଲେ ଏବେ ଆମେ କଣ କରିବା କହ ? ମୁଁ ବି ଜାଣିନି ଝୁମୁରି। ଚାଲ୍ ଆମେ ଗାଁ ଛାଡି ଦୁହେଁ ସହର ପଳେଇବା ସେଇଠି ଆମେ କାମ ଧନ୍ଦା କରି ଚଳିବା। ହଠାତ୍ କିଛି ଦୂରରେ ମଶାଲ ଓ ଘୋ ଘୋ ପାଟି ଶବ୍ଦରେ ଠିଆ ହୋଇପଡିଲେ ଦୁହେଁ। ଝୁମୁରି ହାତକୁ ଜୋରରେ ଜାବୁଡ଼ି ଧରିଲା ଜାଗୁଲୁ। ଚାଲ୍ ଝୁମୁରି କହି ଦୁହେଁ ଦିଗ ଶୂନ୍ୟ ହୋଇ ଧାଉଁଥିଲେ ଜଙ୍ଗଲ ଭିତରେ, କିନ୍ତୁ କୁଆଡେ? ନିଜେ ବି ଜାଣନ୍ତିନି। ଧୀରେ ଧୀରେ ପାଖେଇ ଆସୁଥାଏ ଲୋକଙ୍କ ଭିଡ଼। କିଛି ନବୁଝି ନଭାବି ଦୁହେଁ ଦଉଡ଼ି ଦଉଡ଼ି ରେଞ୍ଜରଙ୍କ ଘର ଆଡେ ମୁହାଁଇଲେ। ରେଞ୍ଜର ବାବୁ ଜାଗୁଲୁକୁ ବହୁତ ଭଲପାଆନ୍ତି। ଦୁର୍ ଦୁର କରି ରେଞ୍ଜରଙ୍କ କବାଟ ବାଡେଇ ଚାଲିଲେ ଦୁହେଁ। ରାତି ଅଧ ନିଦରେ ଶୋଇଯାଇଥିଲେ ରେଞ୍ଜର, "ରଞ୍ଜନ କୁମାର"। ଏତେ ରାତିରେ କିଏ ଡାକୁଛି ? ଆଖି ମଳି ମଳି କଲବଲ ହୋଇ ଶେଯରୁ ଉଠି କବାଟ ଫିଟେଇଲେ ରଞ୍ଜନ। ଆରେ ତୁମେ ଦୁହେଁ ? ଏତେ ରାତିରେ ? କଣ ହେଇଛି ? ଜାଗୁଲୁ ଝୁମୁରିର ହାତ ଧରି ବିକଳ ହୋଇ ଘର ଭିତରକୁ ପଶିଯାଇ କବାଟକୁ ଭିତର ପଟୁ ବନ୍ଦ କରିଦେଲା, ଆଉ ଲଥ କରି ତଳେ ବସିପଡି ରଞ୍ଜନର ପାଦ ଦୁଇଟିକୁ ଜାବୁଡି ଧରିଲେ ଦୁହେଁ। ଆମକୁ ବଞ୍ଚାଅ ବାବୁ, ଆମକୁ ସେମାନେ ମାରିଦେବେ। ହେଲେ ଘଟଣା କଣ ଆଗେ କୁହ ? ବ୍ୟସ୍ତ ଓ ବିବ୍ରତ ହୋଇ ପଚାରିଲେ ରଞ୍ଜନ। ସଂକ୍ଷେପରେ ଦୁହିଁଙ୍କ ପ୍ରେମ କାହାଣୀ ଓ ସେଥିରେ ଉପୁଜିଥିବା ବାଧା, ଗ୍ରାମବାସୀଙ୍କ ଆକ୍ରୋଶ, ସବୁକୁ ଏକା ନିଶ୍ୱାସରେ ବଖାଣିଗଲା ଜାଗୁଲୁ। ସବୁ ଶୁଣିସାରି ଦୀର୍ଘ ନିଶ୍ଵାସ ଛାଡି ଚିନ୍ତାରେ ଘର ସାରା ପଦଚାରଣା କରୁଥିଲେ ରଞ୍ଜନ। ମୁଣ୍ଡ ଭିତରଟା ଗୋଳମାଳ ହେଇଯାଉଥାଏ। କିଛି ହେଲେ ବୁଦ୍ଧି ବାଟ ଦେଖା ଯାଉନଥାଏ। କଣ କରିବେ ସେ ଏବେ ? ଘରର ବାହାରେ, ସେପଟେ ପାଟିତୁଣ୍ଡ ଶୁଭୁଥିବା ସମୟରେ ଏପଟେ ଘର ଭିତରେ ଭୟଭୀତ ଅବସ୍ଥାରେ ତିନି ଜଣ। କିଛି ସମୟ ପାଇଁ ଅନ୍ୟମନସ୍କ ହୋଇ ଚାହିଁ ରହିଥିଲେ ରଞ୍ଜନ ଜାଗୁଲୁ ଓ ଝୁମୁରିକୁ। ନିରୀହ ଆଖିରେ ସୁରକ୍ଷା ଚାହୁଁଥିବା ଦୁଇଟି ପ୍ରେମୀ ଯୁଗଳ। କଣ କରିବେ ରଞ୍ଜନ ? ଏ ଆଦିବାସୀ ମାନଙ୍କୁ ବିଶ୍ୱାସ ନାହିଁ। କ୍ରୋଧରେ ଏମାନେ କିଛି ବି କରିପାରନ୍ତି। କବାଟ ନ ଖୋଲିବାକୁ ବି ଉପାୟ ନାହିଁ। ଦରକାର ପଡ଼ିଲେ,ଡେରିହେଲେ ସେମାନେ କବାଟକୁ ଭାଙ୍ଗି ବି ଦେବେ। କିଛି ସମୟର ନୀରବତା ପରେ ଧୀରେ ଧୀରେ ବାହାରର କୋଳାହଳର ଶବ୍ଦ ଜୋରରେ ଶୁଭିବାକୁ ଲାଗିଲା। ହଠାତ ଘରର କବାଟକୁ ଜୋରରେ କିଏ ପିଟିବାର ଶବ୍ଦ ଶୁଣି, ମନ ଭିତରେ ସାହାସ ସଞ୍ଚୟ କରି କବାଟ ଖୋଲିଲେ ରଞ୍ଜନ। କବାଟ ଖୋଲିବା ମାତ୍ରେ, ଝୁମୁରିର ବାପା ଆଗକୁ ଚାଲି ଆସି କହିଲା, ବାବୁ ମୋ ଝିଅକୁ ମୋତେ ଦେଇଦେ କହୁଛି ନହେଲେ କିଛି ଭଲ ହବନି। ଘର ବାହାରକୁ ଆସି ସମସ୍ତଙ୍କୁ ଯଥା ସମ୍ଭବ ବୁଝା ଶୁଝା କରି କିଛି ସମୟ ପାଇଁ ଶାନ୍ତ ରହିବାକୁ କହିଲେ ରଞ୍ଜନ। ଅନେକ ବୁଝେଇଲେ ସେମାନଙ୍କୁ। କହିଲେ, ଯଦି ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି ତେବେ ଏକାଠି ରହିବାରେ ଅସୁବିଧା କେଉଁଠି ? ଯୋଉଠି ମନ ମିଶିଛି ସେଠି ଧନ କଣ କରିବ ? ତୁମ ଝିଅ ଯଦି ଜାଗୁଲୁ ସହ ରହିବାରେ ଖୁସି ତେବେ ବାହାଘର କରିଦେଲେ ଅସୁବିଧା କଣ ? ସେମାନଙ୍କ ବାହାଘର କରିଦିଅନା। ରଞ୍ଜନର କଥା ଶୁଣି ରାଗିଗଲା ଝୁମୁରିର ବାପା। ନା ବାବୁ ସେମିତି ହବନି, ତୁଇ କଣ ଆମ ପ୍ରଥା ବିଷୟରେ ଜାଣିନୁ ? ତୁଇ ଆମ ପ୍ରଥା ଭାଙ୍ଗିବାକୁ କହନା। ସେଇଟା ଆମର ସନମାନ। ଆମ ସମ୍ପ୍ରଦାୟର ପ୍ରଥା। ମୁଇ ଛାଡିବିନି ସେ ଜାଗୁଲୁକୁ। ତାକୁ ମୁଇ ଟାଙ୍ଗିଆରେ ଖଣ୍ଡ ଖଣ୍ଡ କରି ହାଣିଦେବି। ଝୁମୁରି ବାପାର ଏ ପ୍ରକାର ଉଗ୍ରମୁର୍ତ୍ତି ଦେଖି ନିରୁପାୟ ହୋଇ ଶେଷରେ ସମସ୍ତଙ୍କ ସମ୍ମୁଖରେ ହାତ ଯୋଡିଲେ ରଞ୍ଜନ। କହିଲେ, ଦେଖ ! ତୁମେମାନେ ଦୟାକରି ମୋ କଥା ଟିକେ ଶୁଣ। ତୁମେମାନେ ଆଜି ପାଇଁ ଗାଁକୁ ଫେରିଯାଅ। ତୁମ ଝିଅ ମୋ ଭଉଣୀ, ସେ ଆଜି ମୋ ପାଖରେ ଥାଉ, ରାତି ଅନେକ ହେଲାଣି, କାଲି ସକାଳେ ବୁଝିବା ଆଉ କାଲି ସକାଳୁ ତୁମ ମାନଙ୍କ ସହ ଏ ବିଷୟରେ ଆଲୋଚନା କରି ଯାହା କରିବା କଥା କରିବା। ସେ ଅଞ୍ଚଳରେ ଅବଶ୍ୟ ରଞ୍ଜନଙ୍କର ସରକାରୀ ବାବୁ ହିସାବରେ ଖୁବ ଦବ ଦବା ଓ ଖାତିର ମଧ୍ୟ ଥାଏ। ଏମିତିବି ରଞ୍ଜନଙ୍କର କଥାବାର୍ତ୍ତା କାର୍ଯ୍ୟ କଳାପରେ ସମସ୍ତେ ତାଙ୍କୁ ଖୁବ ବିଶ୍ୱାସ କରନ୍ତି ଓ ଭଲ ପାଆନ୍ତି। ସେଇ ବିଶ୍ୱାସରେ ସେଦିନ ଫେରିଗଲେ ଗାଁଲୋକ।
କିଛି ସମୟ ପାଇଁ ନିଜକୁ ହାଲୁକା ମନେକଲେ ରଞ୍ଜନ। ମନେ ମନେ ଭାବିଲେ, ଓଃ ହୋ ଅନ୍ତତଃ କିଛି ଗୋଟାଏ ଚିନ୍ତାକରି ନିଷ୍ପତି ନେବାକୁ ରାତିଟା ପାଇଗଲେ। କିନ୍ତୁ କଣ କରିବେ ସେ ଏବେ ? ଘରର ଗୋଟେ କୋଣରେ ଚୁପ ଚାପ ହୋଇ ଏକ ଅଜଣା ଭୟରେ ବସିଥାନ୍ତି ଝୁମୁରି ଆଉ ଜାଗୁଲୁ। ମନରେ ଭରି ରହିଥାଏ ଅନେକ ଉତ୍କଣ୍ଠା। ରେଞ୍ଜର ବାବୁଙ୍କ ଉପରେ ରହିଥାଏ ଅଖଣ୍ଡ ବିଶ୍ୱାସ। ସେପଟେ କିନ୍ତୁ ରଞ୍ଜନ ମନେ ମନେ ଚିନ୍ତା କରୁଥାନ୍ତି ଯେ ଏ ଆଦିବାସୀ ଲୋକମାନଙ୍କୁ ବୁଝେଇବାକୁ ହେଲେ ସେଇ ଚିନ୍ତାଧାରାର ବା ସେଇ ପରମ୍ପରାର କିଛି ଗୋଟାଏ ଚାଲ ବା ବାହାନା କରିବାକୁ ପଡିବ। ହେଲେ କଣ ? କଣ ଅଛି ଉପାୟ ? ହଠାତ ରଞ୍ଜନଙ୍କର ମନେ ପଡିଗଲା ଆଦିବାସୀ ମାନଙ୍କର ଇଷ୍ଟ ଠାକୁରାଣୀ ମା ଡମଣେଇ, ଯାହାକୁକି ସେମାନେ ପ୍ରବଳ ବିଶ୍ୱାସ କରନ୍ତି ଓ ମାନନ୍ତି ମଧ୍ୟ। ଉପରକୁ ହାତ ଟେକିଦେଲେ ରଞ୍ଜନ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ। ପ୍ରଣାମ କରି କ୍ଷମା ଚାହିଁଲେ ରଞ୍ଜନ। ଅଜାଣତରେ ପାଟିରୁ ବାହାରି ପଡ଼ିଲା, ମା ଲୋ ତୋରି ସନ୍ତାନକୁ ରକ୍ଷା କରିବାକୁ ଆଜି ମୋର, ତୋ ସାହାଯ୍ୟ ଦରକାର। ତୋ ସନ୍ତାନକୁ ତୁ ହିଁ ରକ୍ଷା କରିବୁଲୋ ମାଆ। ମୁଁ କେବଳ ନିମିତ୍ତ ମାତ୍ର। ତୋରି ନାଁ ନେଇ କାଲି ସକାଳୁ ଯାହା ମୁଁ କରିବାକୁ ଯାଉଛି ଆଶା ଓ ବିଶ୍ୱାସ ତୁ ମୋତେ କ୍ଷମା କରିଦେବୁ ଓ ସାହା ହେବୁ। କିଛି ସମୟ ପାଇଁ ମାଆ ଙ୍କୁ ସ୍ମରଣ କରି ଆଖି ବୁଜିଦେଲେ ରଞ୍ଜନ। ହଠାତ ସେ ଅନୁଭବ କଲେ, ତାଙ୍କ ଆଖି ଆଗରେ ସ୍ୱପ୍ନ ପରି ଝଲକାଏ ଆଶାର କିରଣ ଖେଳିଗଲା। ଶିହରୀ ଉଠିଲେ ରଞ୍ଜନ। କାହାକୁ କିଛି ନକହି କେବଳ ଜାଗୁଲୁ ଓ ଝୁମୁରିକୁ ଶୋଇବାକୁ କହି ନିଜେ ଶୋଇବାକୁ ଚାଲିଗଲେ ବେଡ଼ରୁମକୁ। ଆଖିକୁ ନିଦ ଆସୁନଥାଏ। ଶେଯ ଉପରେ ଗଡ ପଡ ହେଉଥାନ୍ତି। ମନ ଭିତରେ ଅନେକ ଅସୁମାରୀ ପ୍ରଶ୍ନରେ ଛନ୍ଦି ହୋଇ ପଡୁଥାନ୍ତି ରଞ୍ଜନ। ତା ପରଦିନ ସକାଳେ ଗାଁ ଲୋକ ସମସ୍ତେ ଆସି ଏକାଠି ହେଲେ ରଞ୍ଜନଙ୍କ ଘର ପାଖରେ। ସମସ୍ତଙ୍କୁ ସମ୍ବୋଧନ କରି ରଞ୍ଜନ କହିଲେ ଦେଖ, ଦୟାକରି ସମସ୍ତେ ମୋ କଥାକୁ ଟିକେ ଧ୍ୟାନ ଦେଇ ଶୁଣ। କାଲି ରାତିରେ ମୁଁ ମାଆ ଡମଣେଇଙ୍କୁ ସ୍ୱପ୍ନରେ ଦେଖିଲି। ମାଆ ମୋତେ କହିଲେ, ଝିଅର ବାପାକୁ ଯାଇ କହ, ଗୋଟେ ସାଧା କାଗଜ ମୋ ପାଖରେ ମୋ ନାଁ ରେ ପୂଜା କରି ଥୋଇଦେଵ। ରାତିରେ ମୁଁ ସେଥିରେ ଯାହା ନାଁ ଲେଖିଦେବି ସେ ହିଁ ଝୁମୁରିକୁ ବାହା ହେବ। ମୋ କଥାକୁ ଯିଏ ଅମାନ୍ୟ କରିବ ତାକୁ ମୁଁ ଭୀଷଣ ଦଣ୍ଡ ଦେବି। ବର୍ତ୍ତମାନ କଣ କହୁଛ ତୁମେମାନେ ? ମାଆ କୋପକଲେ ଆମ ସମସ୍ତଙ୍କର ଆଉ ଆମ ଗାଁଆ ର ଖୁବ ଅନିଷ୍ଟ ହେବ। ତେଣୁ ଏଥିରେ ତୁମେମାନେ ରାଜି ତ ? ମନେରଖ ଏହା ମୋର ନୁହେଁ, ମାଆଙ୍କ ସ୍ୱପ୍ନାଦେଶ। ମାଆ ଡମଣେଇଙ୍କ ଇଚ୍ଛା। ମାଆ ଡମଣେଇଙ୍କ ସ୍ୱପ୍ନାଦେଶ କଥା ଶୁଣି କିଏ ବା ମନା କରିବ ? ସମସ୍ତେ ମୁଣ୍ଡ ହଲେଇ ରାଜିହେଲେ। ପୂଜା ପାଠ ସାରି ଥୁଆ ହେଲା ମାଆଙ୍କ ଉଦ୍ଦେଶ୍ୟରେ ସାଧା କାଗଜ ଖଣ୍ଡେ। ରାତି ସାରା ସେମିତି ରହିଲା। ତା ପରଦିନ ସକାଳୁ ଏକ ପାଣି କୁଣ୍ଡରେ ରଞ୍ଜନ କିଛି ଫୁଲ, କିଛି ହଳଦୀ ଅରୁଆ ଚାଉଳ ସବୁ ପକେଇ ଗୁଣୁ ଗୁଣୁ ହୋଇ କିଛି ମନ୍ତ୍ର ପଢି କାଗଜଟିକୁ ପାଣିରେ ଭସେଇଦେଲେ। ସଙ୍ଗେ ସଙ୍ଗେ ସେଥିରେ ଫୁଟି ଉଠିଲା ଜାଗୁଲୁ ଓ ଝୁମୁରିର ନାଁ। ମାଆଙ୍କ ନିର୍ଦେଶ ଅବମାନନା କଲେ କାଳେ ମାଆ ରିଷା ହେବେ ତେଣୁ ସମସ୍ତେ ମାଆଙ୍କ ଆଜ୍ଞାକୁ ମାନିନେଲେ। ରଞ୍ଜନଙ୍କ ଉପସ୍ଥିତିରେ ମାଆଙ୍କ ଆଗରେ ଜାଗୁଲୁ ଓ ଝୁମୁରି ଏକ ହୋଇଗଲେ। ନିଜକୁ ଖୁବ ହାଲକା ଓ ଉଶ୍ୱାସ ମନେକରି କ୍ବାର୍ଟରକୁ ଫେରିଲେ ରଞ୍ଜନ। ସତେ ଯେମିତି ଏକ ବିରାଟ ଦାୟିତ୍ୱର ବୋଝରୁ ସେ ଆଜି ମୁକୁଳି ପାରିଛନ୍ତି। ଝୁମୁରିକୁ ନେଇ ଆନନ୍ଦରେ ଜାଗୁଲୁ ନିଜ ଘରକୁ ଫେରିଲା। ଦୁଇ ଦିନର ମାନସିକ ଚାପରୁ ମୁକ୍ତ ହୋଇ ଗୋଡ ହାତ ଳମ୍ବେଇ ବସିପଡିଲେ ରଞ୍ଜନ। ହଠାତ କବାଟରେ ଠକ ଠକ ଶବ୍ଦରେ ଡରିଗଲେ ରଞ୍ଜନ। ମନେ ମନେ ଚିନ୍ତାକଲେ, ମୋ କାରନାମା କଣ କେହି ଜାଣି ଦେଲାକି ? ସନ୍ତର୍ପଣରେ କବାଟ ଫିଟେଇଲେ ରଞ୍ଜନ। ବାହାରେ ଠିଆ ହୋଇଥିଲା ଜାଗୁଲୁ। କଣ ପୁଣି ହେଲା ? ପଚାରିଲେ, ରଞ୍ଜନ। ନାଇଁ ବାବୁ, କିଛି ନାହିଁ, ଆପଣଙ୍କୁ ଧନ୍ୟବାଦ ଦେବାକୁ ମୁଁ ଆସିଥିଲି। ହେଲେ ବାବୁ ମୋ ମନ ଭିତରେ ଗୋଟେ ପ୍ରଶ୍ନ ଥିଲା ପଚାରିବାକୁ। ପ୍ରଶ୍ନ ଆରେ କି ପ୍ରଶ୍ନ ? ବାବୁ ସତ କୁହ, ସାଧା କାଗଜରେ ମା ଡମଣେଇ କଣ ସତରେ ମୋ ନାଁ ଲେଖିଥିଲା ? ହସି ଉଠିଲେ ରଞ୍ଜନ, ଆରେ ଏଇ କଥା ? ତୋ ଶଶୁରକୁ ଓ ତୋ ଗାଁ ଲୋକମାନଙ୍କୁ ମୁଁ କେମିତି ବୁଝେଇ ଥାଆନ୍ତି କହିଲୁ ? ଆ, ଘର ଭିତରକୁ ଆ, ସବୁ ଖୋଲି କରି କହୁଛି। ବୁଝିଲୁ ! ଗୋଟେ ସାଧା କାଗଜରେ ସାବୁନ ଖଣ୍ଡେ ଧରି ମୁଁ ସେଥିରେ ହାଲକେଇ ସମସ୍ତଙ୍କ ଅଲକ୍ଷ୍ୟରେ ତମ ଦୁଇ ଜଣଙ୍କ ନାଁ ଲେଖି ଦେଇଥିଲି ଆଉ ସେଇଟାକୁ ମୁଁ ସେଦିନ କିଛି ମିଛି ମିଛିକା ମନ୍ତ୍ର ପଢି ପାଣି କୁଣ୍ଡରେ କିଛି ଫୁଲ ଓ ଅରୁଆ ଚାଉଳ ସହ ପକେଇଦେଲି। ପାଣିରେ ଓଦା ହେଲାପରେ ତମ ଦୁହିଁଙ୍କ ନାଁ ସେ କାଗଜରେ ସ୍ପଷ୍ଟ ଭାବେ ଦେଖାଗଲା। ଏଇଟା ବିଜ୍ଞାନର ଗୋଟେ ଖେଳ। ଆଶ୍ଚର୍ଯ୍ୟ ହୋଇ ରଞ୍ଜନଙ୍କ ଆଡକୁ ଏକା ଲୟରେ ଚାହିଁ ରହିଥିଲା ଜାଗୁଲୁ। ଖୁସିରେ କାନ୍ଦି ପକେଇଲା ଜାଗୁଲୁ ଆଉ ପାଟିରୁ ତାର ବାହାରି ପଡ଼ିଲା, କେମିତି ଧନ୍ୟବାଦ ଦେବି ବାବୁ ତୁମକୁ ? ଜାଗୁଲୁ ଆଖିରୁ ଲୁହ ପୋଛି ଦେଇ ପାଖକୁ ଟାଣି ଆଣି ଜାବୁଡି ଧରି ରଞ୍ଜନ କହିଲେ, ଆରେ ତୁମେ ଦୁହେଁ ଖୁସିରେ ରହିଲେ ମୁଁ ଖୁସି। ହଁ ! ଶୁଣ, ଏ କଥା କାହାକୁ କେବେ କହିବୁନି, ବୁଝିଲୁ ? ହସି ଉଠିଲେ ଦୁହେଁ। ବିବାହ ପର ନାଚ ଗୀତର ଆସରକୁ ନିମନ୍ତ୍ରଣ ଜଣାଇ ଆନନ୍ଦ ମନରେ ଫେରୁଥିଲା ଜାଗୁଲୁ ଆଉ କବାଟ ପାଖରେ ଠିଆ ହୋଇ ତା ଯିବା ବାଟକୁ ଖୁବ ଖୁସିରେ ଚାହିଁ ରହିଥିଲେ ରଞ୍ଜନ ଓ ମନେ ମନେ ଭାବୁଥିଲେ ଆଦିବାସୀ ସମ୍ପ୍ରଦାୟର ସରଳ ବିଶ୍ୱାସକୁ।