ଭିନ୍ନ ଆଲୋକ
ଭିନ୍ନ ଆଲୋକ
ସତ୍ୟ ଘଟଣା ଉପରେ ଆଧାରିତ ମୋର ଅଙ୍ଗେନିଭା କଥା 'ଅଭୁଲା ରାତି' ମୁଖପୁସ୍ତିକାରେ ପ୍ରକାଶିତ ହେଲାପରେ ଅନେକ ପାଠକ ପାଠିକା ଅନୁରୋଧ କରିଥିଲେ, ଏଇ ଭଳି ରୋମାଞ୍ଚକର ଅନୁଭୁତି ଆଉ ଯଦି କିଛି ଅଛି ଲେଖନ୍ତୁ। ହଁ ଅନୁଭୁତି ତ ନିଶ୍ଚୟ ଅଛି । କିଛି ମୋ ନିଜର କିଛି ମୋ ପରିବାରର କିଛି ବା ଶୁଣା କଥା । ଏ କଥାଟି କିନ୍ତୁ ମୋ ନିଜ ଅନୁଭୁତି । ମୋର ସମ୍ପୂର୍ଣ୍ଣ ନିଜସ୍ୱ। ଏକ ଅଙ୍ଗେ ନିଭା କଥା। ଯାହା ମୁଁ ଆପଣମାନଙ୍କ ସହ ବାଣ୍ଟିବାକୁ ଚାହୁଁଛି ।
ଏ କାହାଣୀଟି ଆରମ୍ଭ କରିବା ପୁର୍ବରୁ ପ୍ରଥମେ ମୋ ନିଜ ବିଷୟରେ କୁହେ। ମୋ ସ୍ୱାମୀ ଚାରି ଭାଇ । ଆମେ ଦୁଇ ନମ୍ବର । ଆମ ତଳେ ଦୁଇ ଭାଇ । ସଭା ସାନ ପୁଅ ଲୁଲୁ ତାକୁ ମୋ ଶାଶୁ ତାଙ୍କ ସାନ ଯା' ମାନେ ମୋ ଖୁଡି ଶାଶୁଙ୍କୁ ଦେଇ ଦେଇଥିଲେ । କାରଣ ମୋ ଖୁଡୀ ଶାଶୁଙ୍କର ଖାଲି ଗୋଟେ ଝିଅ ଥିଲେ। ମୋ ସାନ ଦିଅର ପୁରା ଛୋଟ ବେଳୁ ଚାଲି ଯାଇଥିଲେ ତେଣୁ ସେ ଜାଣନ୍ତି ସେ ହିଁ ତାଙ୍କ ମାଆ। ଆମର ଯୌଥପରିବାର। ଯଦିଓ ଚାକିରି କଲା ପରେ ସମସ୍ତେ ବାହାରେ । ଗାଆଁରେ ଖାଲି ଖୁଡୀ ଶାଶୁ, କକେଇ ଶଶୁର ଯିଏକି ପାଖ ଗାଆଁ ସ୍କୁଲର ହେଡ୍ ମାଷ୍ଟର। ଆଉ ଦିଅର ଲୁଲୁ ତା ସ୍ତ୍ରୀ ଓ ତିନି ବର୍ଷର ପୁଅଟିଏ। ଲୁଲୁ ଭାରି ନଟଖଟ, ଭାରି ଚଗଲା । କିନ୍ତୁ ସବୁରି ଗେହ୍ଲା । ମୁଁ ତାକୁ ଓ ସେ ମୋତେ ବହୁତ ଭଲ ପାଏ। ତାର କାରଣ ହେଲା ମୁଁ ଆସିଲା ବେଳେ ସେ ଆମ ପାଖରେ ରହି ପାଠ ପଢୁଥିଲା । ତେଣୁ ସେ ମୋ ସହ ଟିକେ ବେଶି close. ମୁଁ ତାକୁ ବହୁତ ସ୍ନେହ କରେ ଯେମିତି ସେ ମୋ ପୁଅ । ଭଗବାନ ବେଳେ ବେଳେ ବହୁତ ନିଷ୍ଠୁର ହୋଇ ପଡ଼ନ୍ତି । ସବୁ ଠିକ୍ ଠାକ୍ ଚାଲି ଥିଲା ବେଳେ ହଠାତ୍ ଦିନେ ଲୁଲୁର ମୁଣ୍ଡ ବିନ୍ଧିଲା,ଯେତେ ଔଷଧ ଖାଇଲେ ଵି ଭଲ ହେଲାନି । ଗାଆଁରୁ କକେଇ ଫୋନ୍ କଲେ । ତାଙ୍କୁ ଆଣି କଟକରେ ଚିକିତ୍ସା କରେଇଲୁ ଡ଼ଃ ସନାତନ ରଥଙ୍କ ପାଖରେ । ଚିକିତ୍ସାରେ ଜଣା ପଡ଼ିଲା ତାକୁ ବ୍ରେନ୍ ଟ୍ୟୁମର । ଭାଙ୍ଗି ପଡ଼ିଲୁ ଆମେ,ପାଣି ଭଳି ପଇସା ବୋହିଗଲା । ଦୁଇ ମାସ ପର୍ଯ୍ୟନ୍ତ ଲୁଲୁ ମୃତ୍ୟୁ ସହ ସଂଗ୍ରାମ କଲା, ଦୁଇ ଦୁଇ ଥର ବ୍ରେନ୍ ଓପେନ୍ କରାଗଲା। କିଛି ଲାଭ ହେଲାନି। ସବୁ ଚେଷ୍ଟା ସବୁ ପରିଶ୍ରମ ହାର୍ ମାନିଲା। ଆମ ସମସ୍ତଙ୍କୁ ଅସହାୟ କରି ଦିନେ ଲୁଲୁ ଆମକୁ ଛାଡ଼ି ଚାଲିଗଲା। ଚଳ ଚଞ୍ଚଳ ଘରଟା ତା ବିନା ନୀରବି ଗଲା । ଯୁଆଡେ ଚାହିଁଲେ ଖାଲି ତା କଥା, ତା ବଦମାସୀ, ତାର ଖିଲ୍ ଖିଲ୍ ହସ । ସବୁ କେମିତି ଆମକୁ ବ୍ୟତିବ୍ୟସ୍ତ କରି ପକାଉଥିଲା । ତା ସ୍ତ୍ରୀ ଯିଏ କି ନିଜେ ଛୋଟ ପିଲାଟିଏ, ତା ପରେ ତା କୁନି ପୁଅ । ସେ ଦୁହିଁଙ୍କୁ ଚାହିଁଲେ ଛାତି ଫାଟି ଯାଉ ଥିଲା । ଭଗବାନ ସତେ କେତେ ନିଷ୍ଠୁର। ତାର କ୍ରିୟା କର୍ମ ସାରି,ଆମେ ସମସ୍ତେ ନିଜ ନିଜ କର୍ମ ସ୍ଥଳୀକୁ ଫେରିଗଲୁ। ଗାଁରେ କେବଳ କକେଇ ଖୁଡୀ,ତା ସ୍ତ୍ରୀ ଓ ଛୋଟ ପୁଅ। ମଝିରେ ମଝିରେ ଯଦିଓ ଆମେ ଗାଆଁକୁ ଯାଉ କିନ୍ତୁ ଲୁଲୁ ବିନା ସେ ଘର ଭଲ ଲାଗେନା । ମୁଁ ପୁରୀରେ lectureship କରୁଥିଲି ।ତେଣୁ ସେଇଠି ଘର ଖଣ୍ଡିଏ ଵି କରିଛି ତେଣୁ ମୁଁ ପୁରୀରେ ରୁହେ। ଯେବେ ଵି ଶାଶୁ ଘରକୁ ଆସେ ମହାପ୍ରସାଦ ନିଶ୍ଚୟ ଆଣେ । ଘରେ ସମସ୍ତେ ମହାପ୍ରସାଦ ଭଲ ପାଆନ୍ତି। ସବୁଠୁ ବେଶି ଲୁଲୁ ଭଲ ପାଏ ମହାପ୍ରସାଦ ଖାଇବାକୁ। ମୁଁ ଆସିବି ବୋଲି ଫୋନ୍ କଲା ମାନେ ସେ କହିବ, ଭାଉଜ ଅବଢା ଆଣିବ। ଅବଢା ଦେଖିଦେଲେ ସେ ବହୁତ ଖୁସି ହେଇଯାଏ। ଲୁଲୁ ଗଲା ପରେ ଯେତେ ଥର ଵି ଗାଆଁକୁ ଯାଇଛି ଆଉ ମହାପ୍ରସାଦ ନେଇ଼ନି । କାରଣ ମୁଁ ଜାଣେ ପ୍ରସାଦ ଦେଖିଲେ ସମସ୍ତେ ତାକୁ ମନେ ପକେଇ କାନ୍ଦିବେ।
ଏଇ ଯେଉଁ ଘଟଣା କହିବାକୁ ଯାଉଛି ତାହା ଲୁଲୁ ଚାଲି ଯିବାର ୫/୬ ଵର୍ଷ ପରର ଘଟଣା । ଖରା ଛୁଟି ଥିଲା ପିଲାଙ୍କର ସ୍କୁଲ ବନ୍ଦ ଥାଏ। ଭାବିଲୁ ଗାଆଁରେ କିଛିଦିନ ରହି ଆସିବୁ । ହଠାତ୍ ଯେହେତୁ ପ୍ରୋଗ୍ରାମ କଲୁ ତେଣୁ ରାତି ରୋଷେଇର ଅସୁବିଧା ମେଣ୍ଟେଇବା ପାଇଁ ଗାଆଁକୁ ଅବଢା ନେଇଯିବା ଉଚିତ ହେବ ବୋଲି ଭାବିଲୁ। ପୁରୀରୁ ଟ୍ରେନରେ ଆସିବୁ, ଅବଢା ନେଇ଼ ଷ୍ଟେସନକୁ ଆସିତ ଗଲୁ କିନ୍ତୁ ଦୁର୍ଭାଗ୍ୟ ସେଦିନ ଟ୍ରେନ ଲେଟ୍ ଥିଲା । ଘରେ ପହଞ୍ଚୁ ପହଞ୍ଚୁ ରାତି 10ଟା ବାଜିଗଲା । ଆମକୁ ଦେଖି ସମସ୍ତେ ବହୁତ ଖୁସି ହେଲେ । ଧୁଆ ଧୋଇ ହୋଇ ମୁଁ ରୋଷେଇ ଘରକୁ ଗଲି, ବଢ଼ା ବଢ଼ି କରିବି ବୋଲି । କିନ୍ତୁ ରାତିରେ ଅବଢା ନେଲେ ବାହାରେ ଥୋଇ ବାକୁ ହୁଏ ତେଣୁ ଖୁଡୀ କହିଲେ, ଦେ' ଏ ପତ୍ରରେ ଟିକେ ବାରି ଆଡେ ଥୋଇଦେବା । ତାଙ୍କୁ ପତ୍ରରେ ଦେଲି ଓ ମୁଁ ମଧ୍ୟ ତାଙ୍କ ସହ ବାରିଆଡକୁ ଗଲି। ଆମ ବାରି ପଟେ ବିରାଟ ଖଳାବାଡ଼ି ଏବଂ ଶେଷକୁ କେଉଁ କାଳର ପୁରୁଣା ବିରାଟ ବିରାଟ କେତୋଟି ତେନ୍ତୁଳି ଗଛ। ଖୁଡୀ ଶାଶୁ ଆଗରେ ପତ୍ର ଓ ପାଣି ଢାଳଟିଏ ଧରି ଯାଉ ଥାନ୍ତି, ତାଙ୍କ ପଛରେ ମୁଁ ଓ ମୋ ପଛରେ ମୋ ସାନ ଯା' । ମୋ ଖୁଡୀ ଶାଶୁ ପାଣି ଟିକେ ଢାଳି ପତ୍ରଟି ଥୋଇବାକୁ ଯାଉଛନ୍ତି, ସେତେବେଳେ ମୁଁ ସ୍ପଷ୍ଟ ଦେଖିଛି ତେନ୍ତୁଳି ଗଛରୁ ହଠାତ୍ ଗୋଟେ ଉଜ୍ଜ୍ୱଳ ଆଲୋକଟିଏ ଉଡିଲା ପରି ଆସିଲା ଓ ପତ୍ରଟି ତଳେ ଥୋଇବା ପୁର୍ବରୁ ତାଙ୍କ ହାତରୁ ଉଡେଇ ନେଇ଼ଗଲା । ଖୁଡୀ ପଛକୁ ଘୁଞ୍ଚି ଆସିଲେ ଓ ମୋତେ ପଚାରିଲେ, "ହଇଲୋ ଝିଅ ମୁଁ ଯାହା ଦେଖିଲି ତୁ କଣ ତାହା ଦେଖିଲୁ ? ମୁଁ ଡରରେ ଥରି ଥରି କହିଲି ହଁ ଖୁଡୀ ମୁଁ ଵି ଦେଖିଲି । ମୋ ସାନ ଯା' ଯେହେତୁ ମୋ ପଛପଟେ ଥିଲା ସେ କିଛି ଦେଖିନି, ତେଣୁ ସେ ପଚାରିଲା କଣ ହେଲା ନାନୀ କଣ ଦେଖିଲ ? ଛୋଟ ପିଲାଟା ଡରିବ ଭାବି କହିଲି, କିଛି ନାହିଁମ ଘରକୁ ଚାଲ । ଆମେ ଶାଶୁ ବୋହୁ କାହାକୁ କିଛି କହିଲୁ ନାହିଁ । ଅନେକ ରାତି ଯାଏ ଶାଶୁ ବୋହୁ ସେଇ କଥା ହୋଇ ହୋଇ ଶୋଇପଡ଼ିଲୁ । ସକାଳୁ ଉଠି ବାରି ଆଡକୁ ଗଲୁ । କଣ ସେକଥା ଓ ତାର ସତ୍ୟାସତ୍ୟ କଣ ଜାଣିବା ପାଇଁ । ଆଶ୍ଚର୍ଯ୍ୟ ଆମ ବାରି ପୁରା ଆବଦ୍ଧ ଚାରି ପଟେ ପାଚେରୀ । ଗାଇ କି କୁକୁର ଆସିବାର ସମ୍ଭାବନା ନାହିଁ । ତେବେ ସେ ପତ୍ରଟି ଗଲା କୁଆଡେ ? ତନ୍ନ ତନ୍ନ କରି ଶାଶୁ ବୋହୁ ଦିହେଁ ବାରି ପଟେ ଅନେକ ଖୋଜିଲୁ । ହେଲେ ପତ୍ରଟି କେଉଁଠି ଵି ନଥିଲା। ଘରକୁ ଫେରି ସମସ୍ତଙ୍କୁ ଗତ ରାତିର ଘଟଣା ସବୁ କହିଲୁ । ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଆଜି ବି ଯେବେ ମୁଁ ଗାଆଁକୁ ଯାଏ ବାରି ପଟକୁ ଗଲେ ସେଦିନ କଥା ମନେପଡେ । ମନେ ମନେ ଭାବେ କୋଉଠୁ ଆସିଲା ସେ ଆଲୋକ ? ସେ ଆଉ ଲୁଲୁ ନଥିଲା ତ ? ଅବଢାରେ ତ ତାର ପ୍ରବଳ ଲୋଭ, ସତେ କଣ ଏକ ଭିନ୍ନ ଆଲୋକ ରୁପରେ ସେ ନିଜେ ଆସି ପତ୍ରଟି ନେଇଗଲା ? କେଜାଣି ? ଆଜି ବି ମୁଁ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନି । ଆଜି ବି ଖୋଜୁଛି ସେ ଭିନ୍ନ ଆଲୋକର ରହସ୍ୟ .......।

