ମାଆ ଏକ ଅଭିଧାନ
ମାଆ ଏକ ଅଭିଧାନ
ଘଣ୍ଟାଏ ହେଲା ସେମିତି ଝରକାକୁ ଚାହିଁ ବସିଛି ପଲ୍ଲବୀ। ମଝିରେ ମଝିରେ ଲୁଗା କାନିରେ ଆଖି ପୋଛୁଛି। ପ୍ରୀତିଶ ଆସି ବାରମ୍ବାର ବୁଝେଇକି ଗଲେଣି। ଥାଉ ପଲ୍ଲବୀ, ଏମିତି ହୁଅନି। ତୁମେ ଏମିତି କାନ୍ଦିଲେ ଆମ ଛୁଆ ଉପରେ ବି ଏହାର ପ୍ରଭାବ ପଡିବ। ପଲ୍ଲବୀ କାନ୍ଦିବାକୁ ଚାହୁଁନି ତଥାପି ବି..!!
ଶାଶୁ ଯିବା ଆଜିକୁ ମାସେ ହେଲାଣି। କିନ୍ତୁ ଘରସାରା ସବୁଆଡୁ ତାଙ୍କୁ ଯେମିତି ଶୁଭୁଛି, ମାଆରେ, ଝିଅରେ, ବା ବୁଢ଼ୀରେ ଡାକ। ଏତେ ଭଲ ପାଉଥିବା ମଣିଷଟି କେମିତି ତାଙ୍କୁ ଏକା କରି ଚାଲିଗଲେ ? ଅତୀତରେ ହଜିଗଲା ପଲ୍ଲବୀ....!!
ପ୍ରୀତିଶ ଓ ସେ ଦୁହେଁ ଇଂଜିନିଅରିଂ ଷ୍ଟୁଡେଣ୍ଟ। ଭଲ ସାଙ୍ଗ ହେଉ ହେଉ କେତେବେଳେ ଦୁହିଙ୍କର ମନ ମିଶିଗଲା ଜାଣି ହେଲାନି। ପ୍ରଥମକରି ଯେଉଁଦିନ ମା'କୁ ଦେଖେଇବାକୁ ପ୍ରୀତିଶ ତାଙ୍କୁ ଘରକୁ ଡାକି ଆଣିଥିଲେ, ସେଇ ପ୍ରଥମ ଦେଖାରେ ହିଁ ଶାଶୁ ତା ମନ କିଣି ନେଇଥିଲେ। ଯେତେ ଶୀଘ୍ର ସମ୍ଭବ ସେ ଶାଶୁଙ୍କ ପାଖକୁ ଚାଲି ଆସିବାକୁ ଚାହିଁଲା। ସାଧାରଣ ଭାବରେ ବାହାହୋଇ ଶାଶୂଘରକୁ ଆସିଲା ପରେ, ବାପଘରକୁ ପ୍ରାୟ ଏକରକମ ଭୁଲି ଯାଇଥିଲା ପଲ୍ଲବୀ। ବୋଉ ତାର ଯେତେବେଳେ ବି ଫୋନ କରେ ସବୁବେଳେ ଅଭିଯୋଗ ବାଢିଦିଏ ଶାଶୂଙ୍କ ପାଖରେ ଆଉ କହେ......
"ବୁଝିଲ ସମୁଦୁଣୀ, କି କିମିଆ କଲ ଯେ ମୋ ଝିଅ ୨୧ବର୍ଷର ସମ୍ପର୍କକୁ ଭୁଲିଗଲା"। ଏପ୍ରକାର ଅଭିଯୋଗ ଶୁଣି ହସିଉଠନ୍ତି ଶାଶୁ, କହନ୍ତି, ନାଇଁମ ସମୁଦୁଣୀ, ତୁମ ଝିଅଟି ପ୍ରକୃତରେ ବହୁତ ଭଲ..!!
ଶାଶୁ ତାର ସବୁଠୁ ଭଲ ସାଙ୍ଗ। ତା ଚୁଟିରେ ତେଲ ଲଗେଇଦେବା ଠାରୁ ସୁନ୍ଦର ଭାବରେ ମୁଣ୍ଡ କୁଣ୍ଡେଇଦେବା ପର୍ଯ୍ୟନ୍ତ। ଅଫିସ ବାହାରିଲା ବେଳେ ତା ପଛେ ପଛେ ବୁଲି ବୁଲି ଭାତଗୁଣ୍ଡା ତା ପାଟିରେ ମାଡି ଦେଉଥାନ୍ତି। ଯେତେ ମନାକଲେ ବି ଅଫିସରୁ ଫେରିଲା ବେଳକୁ ରାତି ରୋଷେଇ ସାରିଦିଅନ୍ତି। ଅଫିସରୁ ଥକିପଡି ଆସିଲା ମାତ୍ରେ ଶାଶୁଙ୍କ କୋଳରେ ମୁଣ୍ଡ ରଖି କିଛି ସମୟ ପାଇଁ ଶୋଇଯାଏ ପଲ୍ଲବୀ। ତା ମୁଣ୍ଡକୁ ହାତରେ ଧୀରେ ଧୀରେ ସୁଲୁ ସୁଲୁ କରିଦିଅନ୍ତି ଶାଶୁ। ଭାରି ଆରାମ ଲାଗେ ପଲ୍ଲବୀକୁ। ଥକ୍କାପଣ ତାର ଦୂରେଇ ଯାଏ। ମନକୁ ମନ ଆଖି ତାର ମୁଦି ହୋଇ ଆସେ। ଶାଶୁଘରେ ମାଆର ଅଭାବ କେବେବି ଅନୁଭବ କରିନି ପଲ୍ଲବୀ...!!
କ୍ୟାନ୍ସର ଚିହ୍ନଟ ହେଲାପରେ ମାତ୍ର ୧୫ଦିନ ପାଇଁ ଅଫିସରୁ ଛୁଟିନେଇ ଶାଶୁଙ୍କ ସେବା କରିବାର ସୌଭାଗ୍ୟ ମିଳି ପାରିଥିଲା ପଲ୍ଲବୀକୁ। ୧୫ଦିନ ପରେ ଶାଶୁ ଚାଲିଗଲେ ଆରପାରିକୁ। ଦୀର୍ଘ ୩ବର୍ଷର ସ୍ନେହକୁ ତୁଚ୍ଛ କରି କେମିତି ମୋତେ ଛାଡ଼ି ଚାଲିଗଲେ ମ ? ପୁଣି କାନ୍ଦି ଉଠିଲା ପଲ୍ଲବୀ। ପ୍ରୀତିଶ ଆସି ତାକୁ କୋଳକୁ ଆଉଜେଇ ନେଲେ। ଥାଉ, ଏମିତି ସବୁବେଳେ ଝୁରିଲେ ମାଆକୁ ବି କଷ୍ଟ ହେବ, ତୁମେ ବୁଝୁନ କାହିଁକି ? ଚାଲ ଟିକେ ବାହାରୁ ବୁଲି ଆସିବା। ଇଚ୍ଛା ନଥିଲେ ମଧ୍ୟ ପ୍ରୀତିଶଙ୍କ ସହ ବାହାରକୁ ବାହାରିଲା ପଲ୍ଲବୀ। ତାଙ୍କ ଘର ଠାରୁ ଅଳ୍ପ ଦୂରରେ ଥାଏ ଗୋଟିଏ ମନ୍ଦିର, ମନ୍ଦିର ଚାରିପଟେ ଥାଏ ସୁନ୍ଦର ସୁନ୍ଦର ଫୁଲଗଛର ଛୋଟିଆ ବଗିଚାଟିଏ ଏବଂ ତା ଭିତରେ ଲୋକମାନଙ୍କ ପାଇଁ ତିଆରି ହୋଇଥାଏ କିଛି ସିମେଣ୍ଟ ବେଞ୍ଚ। ପରି ବେଶ ଖୁବ ଶାନ୍ତ ଓ ଆଧ୍ୟାତ୍ମିକ। ସେଇଠି ଯାଇ ବସିଲେ ଦୁହେଁ। ପାଖରେ କିଛି ଛୋଟ ଛୋଟ ପିଲା ଖେଳୁଥାନ୍ତି। କୋଉଠି କେମିତି କିଛି ବୟସ୍କ ଲୋକମାନେ ବସି ସମୟ ଅତିବାହିତ କରୁଥାନ୍ତି ଗପର ଆସର ମେଲେଇ। ଅନ୍ୟମନସ୍କ ଭାବେ ଚୁପ ଚାପ ବସି ସମସ୍ତଙ୍କୁ ଦେଖୁଥାଏ ପଲ୍ଲବୀ। "ତୁମେ ଏଇଠି ବସିଥାଅ, ମୁଁ ଟିକେ ଜୁସ ନେଇଆସେ" କହି ଜୁସ ଆଣିବା ପାଇଁ ଚାଲିଗଲେ ପ୍ରୀତିଶ। ତାଙ୍କ ଯିବା ବାଟକୁ ଏକା ଲୟରେ ଚାହିଁ ରହିଥିଲା ପଲ୍ଲବୀ। ହଠାତ ମୁଣ୍ଡ ବୁଲେଇଦେଲା ପଲ୍ଲବୀର। ସେ ପଡି ଯାଉ ଯାଉ କାହାର ଦୁର୍ବଳ ହାତ ଧରିନେଲା ତାକୁ। କୋଳରେ ପଲ୍ଲବୀର ମୁଣ୍ଡଟିକୁ ରଖି ପାଟିରେ ପାଣି ଟୋପେ ଦେଲେ। ଧୀରେ ଆଖି ଖୋଲିଲା ପଲ୍ଲବୀ। ପାଖରେ ଜଣେ ବୁଢ଼ୀ ଲୋକ ତାକୁ କୋଳରେ ଧରିଛନ୍ତି। ପ୍ରୀତିଶ ଆସି ପହଁଚିଲେ, ତାକୁ ଏମିତି ଅବସ୍ଥାରେ ଦେଖି ବ୍ୟସ୍ତ ଓ ବିବ୍ରତ ହୋଇପଡିଲେ। ପଚାରିଲେ, କଣ ହେଲା ତୁମର ? କଣ ହେଲା ମାଉସୀ ? ହସିଦେଲେ ବୃଦ୍ଧା, କହିଲେ, କିଛି ନାଇଁରେ ବାପା, ଅସଜ ମଣିଷଟା ତ ମୁଣ୍ଡ ଟିକେ ବୁଲେଇଦେଲା। ଏ ଅବସ୍ଥାରେ ଏମିତି ହୁଏ, ବ୍ୟସ୍ତ ହେବାର କିଛି ନାହିଁ। ବୃଦ୍ଧାଙ୍କୁ ଧନ୍ୟବାଦ ଦେଇ ଘରକୁ ଫେରିଲେ ଦୁହେଁ। ତା ପରଦିନ ପୁଣି ମନ୍ଦିର ଗଲେ ତ ପୁଣି ସେଇ ବୃଦ୍ଧାଙ୍କୁ ଭେଟିଲେ ଏକୁଟିଆ ଗୋଟେ ବେଞ୍ଚରେ ବସିଥିବାର। ଏମିତି ପ୍ରାୟ ସବୁଦିନେ ମନ୍ଦିର ଯିବା ଭିତରେ କେବେ କେମିତି କୁନି କୁନି ପିଲାଙ୍କ ସହ ଖେଳୁଥିଲେ ପଲ୍ଲବୀ ଓ ପ୍ରୀତିଶ। ବେଳେ ବେଳେ ପଲ୍ଲବୀ ଓ ପ୍ରୀତିଶ ଯାଇ ବୃଦ୍ଧାଙ୍କ ପାଖରେ ବି ବସନ୍ତି। ସେମାନଙ୍କୁ ଦେଖି ଖୁସି ହୋଇ ହସି ହସି ପଚାରନ୍ତି ବୃଦ୍ଧା, "କେମିତି ଅଛୁରେ ମାଆ"? ଭଲ ଅଛି ମାଉସୀ, ହସି ହସି ଉତ୍ତର ଦିଏ ପଲ୍ଲବୀ। ଏମିତି ଏମିତି ବୃଦ୍ଧାଙ୍କ ସହ ପ୍ରାୟ ପ୍ରତିଦିନ ଦେଖା ହୁଏ ତାର। ହଠାତ ମଝିରେ କିଛିଦିନ ପାଇଁ ବୃଦ୍ଧାଙ୍କ ଅନୁପସ୍ଥିତି ଦେଖି ବ୍ୟସ୍ତ ହୋଇ ପଡିଲେ ପ୍ରୀତିଶ ଓ ପଲ୍ଲବୀ। ପ୍ରାୟ ୫/୬ଦିନ ପରେ ବୃଦ୍ଧା ଜଣଙ୍କ ପୁଣି ଆସିଲେ ମନ୍ଦିରକୁ। ବୃଦ୍ଧାଙ୍କୁ ଦେଖି ଖୁସିରେ କୁଣ୍ଢେଇ ପକେଇଲା ପଲ୍ଲବୀ। ତୁମେ କୁଆଡେ ଯାଇଥିଲ ମାଉସୀ ? ଦେହ କଣ ଖରାପଥିଲା କି ? ପଲ୍ଲବୀର ମୁଣ୍ଡକୁ ସ୍ନେହରେ ଟିକେ ଆଉଁସି ଦେଇ କହିଲେ, "ହଁରେ ମାଆ, ଟିକେ ଥଣ୍ଡା ଜ୍ୱର ହେଇଥିଲା"। ପ୍ରୀତିଶ କହିଲା, ମାଉସୀ ତୁମ ଫୋନ ନମ୍ବରଟି ଆମକୁ ଟିକେ ଦିଅ ଓ ଆମ ନମ୍ବର ବି ତୁମେ ରଖ, କେବେ ଯଦି କିଛି ଦରକାର ହୁଏ....!! "ହଁ ! ହଁ ! ଠିକ କଥା, ପଲ୍ଲବୀର ମାସ ପାଖେଇ ଆସିଲାଣି, ଯଦି ଦରକାର ହୁଏ ମୋତେ ତୁମେ ନିଶ୍ଚୟ ଫୋନ କରିବ.!!
ସତକୁ ସତ କିଛି ମାସ ପରେ ସେ ଦିନ ଆସି ପହଁଚିଲା। ପଲ୍ଲବୀ ହସ୍ପିଟାଲରେ ଆଡ଼ମିଟ ହେଲା। ସିଜରିଆନ କେଶ, କମ ସେ କମ ୮ଦିନ ତ ରହିବାକୁ ହେବ ମେଡ଼ିକାଲ ରେ। ଏମିତି ସମୟରେ ଜଣେ ସ୍ତ୍ରୀ ଲୋକର ସାହାଯ୍ୟ ତ ନିହାତି ଦରକାର। ଅନିଚ୍ଛା ସତ୍ତ୍ୱେ ମାଉସୀଙ୍କୁ ଫୋନ କଲା ପ୍ରୀତିଶ। ମାଉସୀ, ପଲ୍ଲବୀ ହସ୍ପିଟାଲରେ, ଆପଣଙ୍କ ସାହାଯ୍ୟ ଦରକାର, ଯଦି ଆପଣ..... "ହଉ !! ତୁମେ ଜମା ବ୍ୟସ୍ତ ହୁଅନି, ମୁଁ ଯାଇ ସାଙ୍ଗେ ସାଙ୍ଗେ ପହଞ୍ଚୁଛି"। ଉତ୍ତର ଦେଲେ ବୃଦ୍ଧା। ନିଜ ଖିଆ ପିଆ ଭୁଲି ରାତି ଦିନ ଏକ କରି ସେତକ ଦିନ ପଲ୍ଲବୀର ଯତ୍ନ ନେଲେ ବୃଦ୍ଧା। ଯଥା ସମୟରେ ପୁତ୍ର ସନ୍ତାନର ଜନନୀ ହେଲା ପଲ୍ଲବୀ। ପ୍ରୀତିଶ ଓ ପଲ୍ଲବୀଙ୍କ ଅପେକ୍ଷା ସେଦିନ ବୋଧେ ବେଶୀ ଖୁସି ହେଇଥିଲେ ବୃଦ୍ଧା। ନିଜ ପେନସନ ପଇସାରେ ଖୁସୀରେ ହସ୍ପିଟାଲ ରେ ମିଠା ବାଣ୍ଟିଥିଲେ ସେ। ପଲ୍ଲବୀର ଦେଖାଶୁଣା ପାଇଁ ୧୦ଦିନ ହେବ ହସ୍ପିଟାଲରେ କଟେଇଥିଲେ ବୃଦ୍ଧା। କେତେଥର ପ୍ରୀତିଶ ପଚାରିଛି, ମାଉସୀ ତୁମ ଘରେ କେହି ବ୍ୟସ୍ତ ହେବେନି ତ ? ମୋତେ ବରଂ ଠିକଣା କୁହ, ମୁଁ ନିଜେ ଯାଇ କହିଦେଇ ଆସିବି। ହେଲେ ମାଉସୀଙ୍କ ଉତ୍ତର, "ନା, ନା, କିଛି ବ୍ୟସ୍ତ ହବାର ନାହିଁ, ମୁଁ ଫୋନ କରି ଘରେ ଜଣେଇ ଦେଇଛି"। ହସପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିବା ସମୟ ଆସି ପହଁଚିଲା ପଲ୍ଲବୀ ର। "ମୁଁ ଏବେ ଆସୁଛି ମା" କହି ବିଦାୟ ମାଗିଲେ ବୃଦ୍ଧା। ନା, ମାଉସୀ ଚାଲ ମୁଁ ତୁମକୁ ଗାଡ଼ିରେ ନେଇ ଘରେ ଛାଡ଼ିଦେଇ ଆସିବି କହିଲା ପ୍ରୀତିଶ। ଅଟକାଇ ଦେଲେ ବୃଦ୍ଧା, "ନାଇଁ ବାବା ତୁମେ ମୋ ପଲ୍ଲବୀକୁ ନେଇ ଘରକୁ ଯାଅ, ମୁଁ ଏକୁଟିଆ ଚାଲିଯିବି। ପ୍ରୀତିଶ ଆଉ ପଲ୍ଲବୀଙ୍କ ବାରମ୍ବାର ଅନୁରୋଧ କୁ ଅଣଦେଖା କରି ଏକାମୁହାଁ ହୋଇ ଚାଲିଗଲେ ବୃଦ୍ଧା। ପଲ୍ଲବୀ ମନ ଦୁଃଖ କଲା। ବୃଦ୍ଧାଙ୍କ ଯିବା ବାଟକୁ ଏକାଲୟରେ ଚାହିଁରହି ମନେ ମନେ ଭାବୁଥାଏ ପଲ୍ଲବୀ, ମାଉସୀ ଯଦି ସବୁବେଳ ପାଇଁ ଆମ ପାଖରେ ରୁହନ୍ତେ କେତେ ଭଲ ହୁଅନ୍ତା ନା ? ବୋଧହୁଏ ଏହା ଭିତରେ ପଲ୍ଲବୀର ମନକଥାକୁ ପଢି ପାରିଥିଲେ ପ୍ରୀତିଶ, କହିଲେ, ହଁ !! ତୁମେ ଠିକ କହୁଛ, କିନ୍ତୁ ମୋତେ ଗୋଟେ କଥା ଆଶ୍ଚର୍ଯ୍ୟ ଲାଗୁଛି, ମାଉସୀ କାହିଁକି ଆମକୁ ତାଙ୍କ ଘର ଠିକଣା କହୁ ନାହାନ୍ତି ? ଭାବୁଛି, ଆଜି ମୁଁ ତାଙ୍କ ପଛେ ପଛେ ଯାଇ ତାଙ୍କ ଘର ଦେଖି ଆସିବି। ପୁଣି ଯଦି କେବେ ଦରକାର ପଡେ। "କଣ ତାଙ୍କୁ ପିଛାକରି" ? ପଚାରିଲା ପଲ୍ଲବୀ। ହଁ !! ତା ଛଡା ଆଉ ଉପାୟ ବା କଣ ? ବୃଦ୍ଧାଙ୍କ ଅଟୋକୁ ପିଛା କଲା ପ୍ରୀତିଶ। ଅଟୋଟି ଯାଇ ପହଁଚିଲା ଏକ ବୃଦ୍ଧାଶ୍ରମ ବାହାରେ। ବୃଦ୍ଧାଙ୍କୁ ଘେରିଗଲେ ଆଶ୍ରମର ଅନ୍ତେବାସୀ ମାନେ ପଚାରିଲେ, କେମିତି ଅଛି ପଲ୍ଲବୀ ? ଆଉ ତା ପୁଅ କେମିତି ହେଇଛି ? କାନ୍ଦି ପକେଇଲେ ବୃଦ୍ଧା। ହଁ, ଏଇ ୧୦ଦିନରେ କେମିତି ଗୋଟେ ମାୟା ଲଗେଇଦେଲା ଟୋକାଟା। ତାକୁ ଛାଡି ଆସିବାକୁ ଯମା ଇଚ୍ଛା ହଉନଥିଲା, ହେଲେ ନିଜ ପିଲା ମାନେ ଯେତେବେଳେ ଘରୁ କାଢ଼ିଦେଲେ, ପର ଘରେ କୋଉ ଅଧିକାରରେ ରହିଥାନ୍ତି ? ଆଖି ପୋଛିଲେ ବୃଦ୍ଧା। ଦୂରରୁ ଥାଇ ସବୁ ଲକ୍ଷ କରୁଥାନ୍ତି ପ୍ରୀତିଶ। ଧାଇଁଗଲେ ପ୍ରୀତିଶ, ବୃଦ୍ଧାଙ୍କୁ ଜାକିଧରି ତାଙ୍କ କୋଳରେ ମୁଣ୍ଡ ରଖି ଅଳିକଲେ ପ୍ରୀତିଶ, କହିଲେ, ତୁମେ ଆମର ଦରକାର ମାଆ। ମୋ ପୁଅ ତୁମ କୋଳ ଝୁରୁଛି, ମୋ ସ୍ତ୍ରୀ ତୁମ ସ୍ନେହ ଖୋଜୁଛି। ତୁମେ ଏବେ ଫେରିଚାଲ ମୋ ସହ ଆମ ଘରକୁ। କାନ୍ଦି ପକେଇଲେ ବୃଦ୍ଧା ଆଉ କାନ୍ଦୁଥାନ୍ତି ପ୍ରୀତିଶ। ଆଶ୍ରମର ସମସ୍ତଙ୍କ ଇଚ୍ଛା ଓ ପ୍ରୀତିଶଙ୍କ ଅନୁରୋଧକୁ ଏଡେଇ ନପାରି ପ୍ରୀତିଶର ହାତ ଧରି ପ୍ରୀତିଶର ମାଆ ହୋଇ ପ୍ରୀତିଶର ଘରେ ପାଦ ଦେଲେ ବୃଦ୍ଧା। ପ୍ରୀତିଶଙ୍କ ସହ ବୃଦ୍ଧାଙ୍କୁ ଦେଖି ଖୁସିରେ ଆତ୍ମ ବିଭୋର ହୋଇ ଉଠିଲା ପଲ୍ଲବୀ। ଖୁସିରେ ଆଖିରେ ଲୁହ ଜକେଇ ଆସିଲା ପଲ୍ଲବୀର। ଜୋରରେ କାନ୍ଦୁଥିବା ପଲ୍ଲବୀର ପୁଅ ମଧ୍ୟ ବୃଦ୍ଧାଙ୍କ କୋଳକୁ ଯାଇ ଶାନ୍ତ ପଡିଯାଇଥିଲା। ପ୍ରୀତିଶଙ୍କ ଠାରୁ ବୃଦ୍ଧାଙ୍କ କାହାଣୀ ଶୁଣି ଘୃଣାରେ ଶିହରି ଉଠିଲା ପଲ୍ଲବୀ। ସତରେ କେତେ ଅଦ୍ଭୁତ ଏ ଦୁନିଆ....!! କେତେ ବିଚିତ୍ର ତାଙ୍କ ପୁଅ....!! ମାଆ ଭଳି ମଣିଷ ଯାହାକୁ ଗନ୍ଧ ହେଉଛି ସେମାନେ ବୁଝିବେ ବା କିପରି ମମତାର ମୂଲ ? ହେଲେ ଆମର କିନ୍ତୁ ମାଆ ଦରକାର। ମାଆ ହୀନ ସଂସାର କଣ ସଂସାର ? ତାହା କେବଳ ଶ୍ମଶାନ। କାରଣ, "ମାଆ କେବଳ ଗୋଟେ ଶବ୍ଦ ନୁହେଁ ଏକ ଅଭିଧାନ"..!!