ପ୍ରେମ ପଥର
ପ୍ରେମ ପଥର
କଣ ଟି ଏ ପଥର ର ନା ? ହଁ "ପ୍ରେମ୍ ପଥର୍"। ହସିଲେ ହିମାଂଶୁ। ମହୁଲ ଗଛ ତଳେ ପଡିଥିବା ଏ ପଥର ଦୁଇଟି ର ନାଁ କାଳେ "ପ୍ରେମ୍ ପଥର୍" ବୋଲି ସେଦିନ ଶିଉଳି କହୁଥିଲା। ୭୭ ବର୍ଷୀୟ ବୃଦ୍ଧ, ନା ନା ! ଯୁବକ ହିମାଂଶୁ ଚୁପ୍ ଚାପ୍ ଆସି ବସିଲେ ଏଇ ପଥର ଉପରେ। କେତେ ସଂଧ୍ୟା ସେ କାଟିଛନ୍ତି ଏଇ ପଥର ରେ ବସି ବସି ଶେଫାଳି ସହ। ମହୁଲ ଗଛଟିକୁ ଆଉଁସିଲେ ହିମାଂଶୁ। ଦୁଇଟି ନାଁ. "ଦାଦାବାବୁ" ଆଉ "ଶିଉଳି"। ଏଇ ନାଁ ରେ ହିଁ ଶିଉଳି ତାଙ୍କୁ ଡାକୁଥିଲା। ଗଛ କୁ କୋରି କୋରି ଲେଖିଥିଲା ଶିଉଳି ଅଙ୍କା ବଙ୍କା ଅକ୍ଷର ସାତ ଟି। ସେମିତି ଅଛି ସେ ଲେଖା। ହଁ କିଛି ଉଚ୍ଚକୁ ହୁଏତ ଉଠିଗଲାଣି ଗଛ'ର ଉଚ୍ଚତା ସହ। ଅଶିକ୍ଷିତା, ସୁନ୍ଦରୀ, ସରଳ, ଜଙ୍ଗଲୀ ଆଦିବାସୀ ଝିଅଟିଏ ଶିଉଳି ହିମାଂଶୁ'ଙ୍କ ପ୍ରେମ ବହୁତ ଭଲ ପାଉଥିଲେ ହିମାଂଶୁ ଶିଉଳିକୁ। ତା ନିରୀହ ମନଟିକୁ ନିଜ ହୃଦୟରେ ସାଇତି ରଖିଥିଲେ ହିମାଂଶୁ ପ୍ରାୟ ୫୦ ଵର୍ଷ ତଳେ
ହଁ, ୫୦ ଵର୍ଷ ତଳେ ଶିଉଳି ସହ ତାଙ୍କର ଦେଖା, ଡାକ୍ତର ହିସାବରେ। ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା ଏଇ ଫୁଲବାଣୀର ଏକ ଉପାନ୍ତ ଅଂଚଳରେ। ଜଏନ୍ କରିବାର ୪/୫ ଦିନ ପରେ ଶିଉଳି ସହ ତାଙ୍କର ଦେଖା ଅତି ଅତର୍କିତ ଭାବରେ। ରାତି ପ୍ରାୟ ୮ ଟା ଖଣ୍ଡେ ହବ ବୋଧେ କବାଟ ବନ୍ଦ କରି ଵହି ପଢୁଥିଲେ ହିମାଂଶୁ। ହଠାତ୍ କବାଟରେ ଠକ୍ ଠକ୍ ଶବ୍ଦ ଶୁଣି ଏତେ ରାତିରେ କିଏ ଡାକୁଛି ଭାବି କବାଟ ଖୋଲିଲେ। ସାମ୍ନାରେ ଠିଆ ହୋଇଥାଏ ସୁନ୍ଦରୀ ତରୁଣୀଟିଏ। ବ୍ୟସ୍ତ ହୋଇପଡିଲେ ହିମାଂଶୁ ! କିଏ ତୁମେ କଣ ହେଲା "ଦାଦାବାବୁ ମୋ ବାଆ ର ଦେହ ଭଲ ନାହିଁ", ତୁ ଟିକେ ଆସିବୁ କି ? ଗୋଡତଳେ ପଡୁଛି ମୋ ବାଆ ମରିଯିବ ନ ହେଲେ । କାନ୍ଦିଉଠିଲା ଶିଉଳି। ଶିଉଳିକୁ ତଳୁ ଉଠେଇ ବୁଝେଈଥିଲେ ହିମାଂଶୁ। ଆରେ ! କାନ୍ଦୁଛୁ କାହିଁକି ? ଚାଲ୍ ମୁଁ ଯିବି ତୋ ସହ। ଶିଉଳି ସହ ସେଇ ରାତିରେ ବାହାରି ଗଲେ ହିମାଂଶୁ। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲା ଶିଉଳି ର ବାଆ। ଚିକିତ୍ସା ଆରମ୍ଭ କଲେ ହିମାଂଶୁ। କିଛି ଔଷଧପତ୍ର ଦେଇ ରାତିସାରା ଜଗି ରହିଲେ ହିମାଂଶୁ। ସକାଳୁ ଟିକେ ସୁସ୍ଥ ହେଲା ଶିଉଳି'ର ବାପା। କୃତଜ୍ଞତା ରେ ପୋତି ପକାଇଲା ଶିଉଳି। ତା'ପରଦିନ ସକାଳୁ ବାହାରିଛନ୍ତି ତ, ବାହାରେ କିଛି ପରିବା ଧରି ଶିଉଳି ହାଜର। ଦାଦାବାବୁ କାଲି କିଛି ପଇସା ଦେଇ ପାରିଲିନି। ବାଡ଼ି ପରିବା ଆଣିଛି, ରୋଷେଇ କରି ଖାଇବୁ। ହସିଲେ ହିମାଂଶୁ ଆରେ ମୋତେ ତ ରୋଷେଇ ଆସେନା। ସବୁଦିନ ଚୁଡା ଛତୁଆ ନହେଲେ ଖେଚୁଡ଼ି ଖାଉଛି। ପରିବା ନେଇ଼ କଣ କରିବି ହସିଲା ଶିଉଳି ଦାଦାବାବୁ ତୁଇ ରୋଷେଇ ଜାଣିନୁ ତୁ କହିବୁ ଯଦି, ମୁଁ ତୋର ଲାଗି ରାନ୍ଧିଦେବି। ହଁ ସହରୀ ରନ୍ଧା ତ ଜଣା ନହିଁ, ହେଲେ ରନ୍ଧା ଜାଣେ। ଚଳିବ ହସିଲେ ହିମାଂଶୁ ତୁ ରାନ୍ଧିଦେବୁ ? ତୋତେ, ତମ ଘରେ, ତମ ଗାଁ'ରେ କିଛି କହିବେନି? ମୁଁ ଏଠି ଏକା ରହୁଛି। ନାଇଁ ଦାଦାବାବୁ ତୁ ଆମ ଗାଁ ଲୋକର ଭଲ ପାଈଁ ଆସିଛୁ। ତୋର ଲାଗି କିଛି କରିଲେ କିଏ କାଣେ କିଶ୍ ଭାବିବ ? ମୁଇଁ ତୋରଲାଗି ରାନ୍ଧିଦେବି। ସେହି ଦିନଠୁ ଶିଉଳି ସବୁଦିନ ହିମାଂଶୁ ଲାଗି ରାନ୍ଧିଦିଏ। ଭାରି ଚମତ୍କାର ରୋଷେଇ ଜାଣେ ଶିଉଳି। କେଵେ କିଛି ଖାଇବାକୁ ଇଛାହେଲେ, ଯଦି ସିଉଳି ଜାଣିନଥାଏ ତେବେ ବହି ଦେଖି କହିଦିଏ ହିମାଂଶୁ। ଏମିତି ରାନ୍ଧୁ ରାନ୍ଧୁ କେତେ କଣ ରୋଷେଇ ଶିଖିଗଲା ଶିଉଳି। ଧୀରେ ଧୀରେ ଶିଉଳି କେମିତି ହିମାଂଶୁ ର ମନ ମସ୍ତିସ୍କକୁ କାବୁ କରିନେଲା। ହିମାଂଶୁ ଅନୁଭବ କଲା, ତା ଅଜଣାତରେ ସେ କେମିତି ଶିଉଳି ମନସ୍କ ହୋଇପଡୁଛି। ଅପଲକ ତାକୁ ଚାହିଁ ରହୁଛି। ଶିଉଳି ଆସିଲେ ସେ ଖୁସି ଅନୁଭବ କରୁଛି। ଶିଉଳି ଚାଲିଗଲେ ଦୁଃଖ ରେ ଭାଙ୍ଗି ପଡୁଛି ହିମାଂଶୁ। ଅଧିକରୁ ଅଧିକ ସମୟ ସେ ଶିଉଳି କୁ ପାଖରେ ଚାହୁଁଛି। ଶିଉଳି ଅଶିକ୍ଷିତା ହିମାଂଶୁ ତାକୁ ଶିକ୍ଷା ଦେବାକୁ ଚାହିଁଲା। ଆଛା ଶିଉଳି ତୁ ପାଠ କାହିଁକି ପଢିଲୁନି ? ହସିଲା ଶିଉଳି କ'ଣ ମିଳିବ ପାଠ ପଢ଼ି ଦାଦାବାବୁ ? ମାଇକିନା ଝିଅ ପାଠ ପଢ଼ି କ'ଣ କରିବ ? ରନ୍ଧାଵଢା ଘର କରଣା ଶିଖିଲେ ନା ତା'ର କାମରେ ଆସିବ। କେମିତି ବୁଝେଇବ ହିମାଂଶୁ, ଏ ନିରୀହ ଆଦିବାସୀ ଝିଅଟିକୁ ଯେ ପାଠ ର ମହତ୍ତ୍ୱ କଣ "ତଥାପି ତୋର କେଵେ ଇଚ୍ଛା ହୁଏନି ପାଠ ପଢିବାକୁ"? "ହୁଏ ବାବୁ, କିନ୍ତୁ ମା' ତ ଆରପାରିରେ ମୁଁଇ ଇସ୍କୁଲ ଗଲେ ରାନ୍ଧିବ କିଏ? ମୋ ଭାଇ, ଭଉଣୀ ଆଉ ବାଆ କ'ଣ ଖାଇବେ"? "ଆଛା ମୁଁ ତୋତେ ପଢେଇଵି, ପଢିବୁ"? "ହଁ ପଢିବି ବାବୁ। ତୁ ସତ କହୁଛୁ ମତେ ପଢେଇଦେବୁ"? "ହଁ କାହିଁକି ନୁହେଁ"? ଶିଉଳିକୁ ପାଠ ପଢେଇବା ଆରମ୍ଭ କଲା ହିମାଂଶୁ। ଏହାଦ୍ୱାରା ଶିଉଳି ର ଆହୁରି ନିକଟତର ହେଲା ହିମାଂଶୁ। ଅକ୍ଷର ତକ ଶିଖୁ ଶିଖୁ ଗୋଟେ ଵର୍ଷ ଲାଗିଗଲା ଶିଉଳିକୁ। ଏବେ ଧିରେ ଧିରେ ବହି ପଢୁଛି ଶିଉଳି। ଦୁହିଙ୍କ ଭିତରେ ଦୂରତା ଅନେକ କମିଗଲାଣି। ହିମାଂଶୁ ଗୋଟାପଣେ ଶିଉଳି ର ହୋଇସାରିଲାଣି। ହେଲେ ଶିଉଳି ? କେମିତି ଜାଣିବ ହିମାଂଶୁ, ଶିଉଳି ତାକୁ ଭଲପାଏ କି ନା ? ପଚାରିଵ କି ? କିନ୍ତୁ ଶିଉଳି ଯଦି ଖରାପ ଭାବେ ? କେମିତି ବଞ୍ଚିବ ହିମାଂଶୁ ? ପଚାରିଵ ନ ପଚାରିଵ ର ଗୋଲକ ଧନ୍ଦା ଭିତରେ ପେଶି ହୋଇଯାଉଥିଲା ହିମାଂଶୁ। ବହି ପଢ଼ୁଥିଲା ଶିଉଳି, ପାଖରେ ଯାଇ ବସିଲା ହିମାଂଶୁ। ଅତି ସନ୍ତର୍ପଣ ରେ ପଚାରିଲା ! "ଶିଉଳି ତୁ କେଵେ କାହାକୁ ଭଲ ପାଇଛୁ"? ଆଖି ଉଠେଇ ଚାହିଁଲା ଶିଉଳି" ହଁ " ଚମକି ପଡ଼ିଲା ହିମାଂଶୁ ! ଯଦି ଶିଉଳି କାହାକୁ ଭଲ ପାଉଛି ତେବେ କ'ଣ କହିବ ହିମାଂଶୁ ? "ଆଛା ଦାଦା ବାବୁ ତୁ କେଵେ କାହାକୁ ଭଲ ପାଇଛୁ" ପଚାରିଲା ଶିଉଳି। "ହଁ ରେ ପାଏ ବହୁତ ଭଲପାଏ । "କିଏ ସେ ? ଦେଖିବାକୁ କେମିତି" ? "ବହୁତ ସୁଂଦର ଆଉ ବହୁତ ସରଳ।" ମୋତେ ଟିକେ ତାକୁ ଦେଖେଇବୁ ? କ'ଣ କହିବ ହିମାଂଶୁ ଭାବୁଥିଲା ବେଳେ ତା ହାତଟିକୁ ଧରିଦେଲା ଶିଉଳି। ଦେଖାନା ମୋତେ କିଏ ସେ ? ବିଜୁଳି ର ଚମକ ଖେଳିଗଲା ହିମାଂଶୁ ଦେହରେ। ଉଠିଗଲା ହିମାଂଶୁ, ହାତରେ ଦର୍ପଣଟେ ଧରି ଆସିଲା। ଦେଖିବୁ ମୁଁ କାହାକୁ ଭଲପାଏ ? ଶିଉଳି ସାମ୍ନା ରେ ତୋଳି ଧରିଲା ଦର୍ପଣଟି। ପ୍ରତିଫଳିତ ହେଲା ଶିଉଳି ର ମୁହଁ। ସତ ତୁ ଵି ମୋତେ ଭଲପାଉ ? "ତୁ ଵି ମାନେ ତୁ କଣ "ହଁ ଦାଦା ବାବୁ ମୁଁ ଵି ତତେ ବହୁତ ଭଲପାଏ, ହେଲେ ତୁ ବଡ଼ ଲୋକ, ସହରୀ ପୁଣି ଡାକ୍ତର କେତେ ପାଠ ପଢିଚୁ, ମୁଁ ତ ମୂର୍ଖ, ଜଙ୍ଗଲୀ ଗାଉଁଲି ଝିଅଟେ।" "ତୁ ତୋର ମୂଲ୍ୟ ଜାଣୁନାରେ ସିଉଳି। ଜାଣୁ ଜଙ୍ଗଲରେ କେତେ ମୂଲ୍ୟବାନ ଗଛ ଅଛି ? ଯାହା ଆମକୁ ଔଷଧ ଭାବରେ ଦରକାରରେ ଆସେ ? ହେଲେ ସହରୀ ଗଛଗୁଡା ଖାଲି ଘର ସଜେଇବା ପାଈଁ ଠିକ୍। ତୋ ପରି ମନଟେ କୋଉଠୁ ପାଇଵି ଶିଉଳି ସେଇଠୁ ଆରମ୍ଭ ହେଇଥିଲା ହିମାଂଶୁ ଆଉ ଶିଉଳି'ର ପ୍ରେମ କାହାଣୀ, ଆଉ ସାକ୍ଷୀ ଥିଲା ଏଇ ମହୁଲଗଛ ଆଉ ଏ "ପ୍ରେମ୍ ପଥର"। ଏଇମିତି କଟିଗଲା ଦୁଇଵର୍ଷ। ହଠାତ୍ ଆସିଲା ବଦଳି ଅର୍ଡର। ଭାଙ୍ଗି ପଡ଼ିଥିଲା ଶିଉଳି। "ଦାଦା ବାବୁ ତମେ ଚାଲିଯିବ ? ଆଉ ଜଦି ନ ଆସ ? ନାଇଁରେ ତୋ ବିନା ମୁଁ ବଞ୍ଚି ପାରିବିନି। ମୋତେ ମାତ୍ର କିଛି ଦିନ ସମୟ ଦେ।ମୁଁ ଆସିବି, ଘର ଲୋକଙ୍କୁ ନେଇ଼, ଆଉ ତୋତେ ସବୁଦିନ ପାଈଁ ବୋହୂ କରି ନେଇ଼ଯିବି। ଚାଲିଆସିଥିଲା ହିମାଂଶୁ। କାନ୍ଦି କାନ୍ଦି ବିଦାୟ ଦେଇଥିଲା ଶିଉଳି। କାର୍ୟବ୍ୟସ୍ତତା ରେ କଟିଗଲା କିଛିଦିନ। ମଝିରେ ମଝିରେ ଶିଉଳିର କଥା ହିମାଂଶୁ କୁ ଆନ୍ଦୋଳିତ କରେ, ହେଲେ କିଛି ଖବର ପାଏନା। କାରଣ ଶିଉଳି ମନା କରିଥିଲା ଦାଦା ବାବୁ ଚିଠି ଦବନି କି କାହାଠୁ ମୋ କଥା ବୁଝିବନି। ମୁଁ ବଦନାମ ହେଇଯିବି। ମୋତେ ଗାଁ ଲୋକ ମାରିଦେବେ। ସେଇ ଭିତରେ ହିମାଂଶୁର ଏକ ବଡ଼ ଧରଣ ର ଆକ୍ସିଡେଣ୍ଟ ଘଟିଲା ଆଉ ହସ୍ପିଟାଲ ରେ ପଡ଼ିରହିଲା ହିମାଂଶୁ ପ୍ରାୟ ୬ ମାସ। ୬ ମାସ ପରେ ହସ୍ପିଟାଲ ରୁ ଫେରି ପୁଣି କାମରେ ଯୋଗ ଦେଲା ହିମାଂଶୁ। ଘରେ କହିଲା ଶିଉଳି କଥା। ପ୍ରଥମେ ପ୍ରଥମେ ସମସ୍ତେ ମନା କରୁଥିଲେ ଵି ଶେଷରେ ରାଜିହେଲେ ବାପା ମା, ଭାଇ ଭାଉଜ। ମନରେ ଅନେକ ଉତ୍ତକଣ୍ଠା। ହିମାଂଶୁ ଆଜି ଯିବ ତା ପ୍ରେମିକା ପାଖକୁ। ଶିଉଳି ପାଈଁ ଅନେକ ଜିନିଷ କିଣିଲା ହିମାଂଶୁ। ହଳଦୀ ରଙ୍ଗର ଶାଢ଼ୀ, ଚୁଡ଼ି, ଗହଣା, ଏମିତି ଅନେକ କିଛି। ବାଟସାରା ଖାଲି ଶିଉଳି ମନେ ପଡୁଥାଏ। ବର୍ଷେ ହେଲା ଦେଖିନି ଶିଉଳି କୁ। ତାକୁ ଦେଖି କେତେ ଖୁସିହେବ ଶିଉଳି। ଆସିଲାବେଳେ କହିଥିଲା, ମୁଁ ତତେ ଅପେକ୍ଷା କରିବି ଦାଦା ବାବୁ। ବିଶ୍ୱାସ କର୍, ମରିଯିବି ପଛେ ତୋ ଛଡ଼ା ଆଉ କାହାର ହେବିନି। ତୋରି କୋଳରେ ହିଁ ଶେଷ ନିଶ୍ୱାସ ନେବି। ଏଇ "ପ୍ରେମ୍ ପଥର" ସାକ୍ଷୀ। ଫୁଲବାଣୀ ମାଟିରେ ପାଦ ଦେଲା ବେଳେ କେମିତି ଶିହରିତ ହେଇପଡ଼ିଲା ହିମାଂଶୁ। କଣ କରୁଥିବ ମୋ ଶିଉଳି ? ଵସ୍ ରୁ ଓହ୍ଲ୍ଲେଇ ସିଧା ଯାଇଥିଲା ଶିଉଳି ଘରକୁ ହିମାଂଶୁ। ଦାଣ୍ଡ ପିଣ୍ଡାରେ ବସିଥିଲା ଶିଉଳି ର ବାଆ। ହିମାଂଶୁ କୁ ଦେଖି ଖୁସି ହେଇଗଲା ସିଉଳିର ବାଆ। କେମିତି ଆସିଲୁ ବାବୁ ? ତୁମର ତ ବଦଳି ହୋଇଯାଇଥିଲା ? ହଁ ମଉସା ବଦଳିତ ହେଇଥିଲା, ହେଲେ ଗୋଟେ ବିଶେଷ କାମରେ ଆସିଛି। ତୁମକୁ କିଛି ମାଗିବାକୁ, ଦବ ? ଗରିବ ଲୋକ ବାବୁ କ'ଣ ଦେଇ ପାରିବି ? ହଁ ଜଙ୍ଗଲୀ ଦରଵ ହେଲେ କହ, ଚେଷ୍ଟା କରିବି। ହଁ ମଉସା ଜଙ୍ଗଲୀ, କିନ୍ତୁ ନିଆରା ମୋତେ ତୁମ ଶିଉଳି କୁ ଦଵ ମଉସା ? ମୁଁ ଆସିଛି ତାକୁ ବିବାହ କରି ସହରକୁ ନେଇ଼ ଯିବାକୁ। ଭୋ ଭୋ ହୋଇ କାନ୍ଦି ଉଠିଲା ଶିଉଳି ର ବାଆ। ମୁଁ ସବୁ ଜାଣିଥିଲି ବାବୁ, ଶିଉଳି ମତେ ସବୁ କହିଥିଲା। ହେଲେ ଭାରି ହିନିକପାଳି ମୋ ଝିଅ। ତତେ ଅପେକ୍ଷା କରିଥିଲା। ବାହା ହେବାକୁ ମନା କରିଦେଲା ବାବୁ। ସବୁଦିନ ଯାଇ ମହୁଲଗଛ ତଳ ପଥର ଉପରେ ବସି ତୋ ବାଟ ଚାହୁଁଥିଲା। ସେଇ ଜଙ୍ଗଲ ରେ ଦିନେ ତାକୁ ଗୋଟେ ସାପ କାମୁଡ଼ିଦେଲା ।ସାଙ୍ଗେ ସାଙ୍ଗେ ଗୁଣିଆ ପାଖକୁ ନେଇଥିଲି ବାବୁ, ହେଲେ ବଞ୍ଚିଲାନି ମୋ ଶିଉଳି। ଏତିକି କହି କାନ୍ଦି ଉଠିଲା ଶିଉଳି ର ବାଆ। ଖସିପଡ଼ିଲା ସବୁ ଜିନିଷ ହିମାଂଶୁ ହାତରୁ। ଲଥ୍ କରି ବସିପଡ଼ିଲା ହିମାଂଶୁ। ଵାସ୍ ସେଇ ଦିନଠୁ ଫୁଲବାଣୀ ର ମହୁଲଗଛ ତଳ ପଥର ର ଶିଉଳି ରେ ପାଦ ଖସେଇ ଦେଲା ହିମାଂଶୁ ଆଉ ସେଇଠି ରହିଗଲା ସବୁଦିନ ପାଈଁ, ଶିଉଳି ର ସ୍ମୃତିକୁ ପାଥେୟ କରି। ସମସ୍ତେ ବୁଝେଇ ବୁଝେଇ ଥକିଗଲେ। ହେଲେ ଫେରିଲାନି ହିମାଂଶୁ। ହଠାତ୍ ମହୁଲ ଫୁଲ କିଛି ଖସି ପଡ଼ିଲା ହିମାଂଶୁ ମଥାରେ। ସମ୍ବିତ୍ ଫେରିପାଇ କାନ୍ଦି ଉଠିଲା ହିମାଂଶୁ। ତୁ କୁଆଡେ ଗଲୁ ଶିଉଳି ? ମୋ କୋଳରେ ମଥା ରଖି ଶୋଇବୁ କହିଲୁ, ଅଥଚ ମୃତ୍ୟୁ କୁ ପ୍ରେମକରି କୋଳେଇ ନେଲୁ ତୁ ଫେରିଆ ଶିଉଳି ! ଦିନେ ତୁ ମୋ ପ୍ରତୀକ୍ଷାରେ ଏଠି ବସି ରହିଥିଲୁ, ହେଲେ ଆଜି ମୁଁ ଏଇ "ପ୍ରେମ୍ ପଥର" ଉପରେ ବସିରହି ଅପେକ୍ଷା କରିଛି ତୋ ଫେରିବା ବାଟକୁ ।

