Madhu Mita

Inspirational Others Children

4.3  

Madhu Mita

Inspirational Others Children

ଛୁଙ୍କ

ଛୁଙ୍କ

5 mins
547



ହଁ ..ଛୁଙ୍କ..!ଛୋଟିଆ ନାଆଁ ଟିଏ।କିନ୍ତୁ କାମରେ ତାକୁ କେହି ହରେଇ ପାରିବେନି। କେତେ ବଡ଼ ବଡ଼ ବୀର ହେଲେ ମଧ୍ୟ ତା ସାମ୍ନାରେ ହାରି ଯାଆନ୍ତି। ଯେତେ କୌଶଳ ଥାଉ କି କେତେ ଫନ୍ଦି ଫିକର..! ତା ଆଗରେ କାହାରି ଜୋର୍ ଚାଲେନି। ଏଇ ଛୁଙ୍କ ହେଉଛି ଆମ ହାଣ୍ଡିଶାଳ ର ଏକ ବିଶିଷ୍ଟ ଅସ୍ତ୍ର । ଯାହା ସୁଚେଇ ଦିଏ ଆମେ କେତେ ପାରଙ୍ଗମ..?


ସକାଳୁ ସକାଳୁ ଆଉ କାହା ଘରର ଛୁଙ୍କ ନାକରେ ବାଜିଗଲେ ଆପଣାଛାଏଁ ସ୍ଵେଦଗ୍ରନ୍ଥି କାର୍ଯ୍ୟକ୍ଷମ ହୋଇଉଠେ ଆଉ ଇଚ୍ଛା ହୁଏ ଯାହା ହେଲେ ବି ସେଦିନ ଯେମିତି କିଛି ସୁଆଦିଆ ଭୋଜନ ହେବା ନିହାତି ଜରୁରୀ।ବେଳେବେଳେ ଏଇ ଛୁଙ୍କ ନାକେ ଦମ୍ କରିଦିଏ। ଛିଙ୍କ କାଶ ଦ୍ଵାରା ଅସ୍ତବ୍ୟସ୍ତ କରି ପକାଏ। ଆଉ ଜଣେଇ ଦିଏ ରୋଷେଇ ଘର ଏକ ସାମାନ୍ୟ ପ୍ରାଙ୍ଗଣ ନୁହେଁ।ଏଇଠି ଯେଉଁ ଖାଦ୍ୟ ପ୍ରସ୍ତୁତ ହୁଏ ତାହା ଦିନସାରା କାମ କରିବାକୁ ପ୍ରେରଣା ଆଉ ଶକ୍ତି ଯୋଗାଏ। ଯେ କୌଣସି ଖାଦ୍ୟ ହେଉନା କାହିଁକି ତାକୁ ପୂର୍ଣ୍ଣତା ପ୍ରଦାନ କରେ ଏହି ଛୁଙ୍କ।


ସାଧାରଣତଃ ଛୁଙ୍କ ଦେଇ ସାରିଲା ପରେ ଶେଷ ହୁଏ ଖାଦ୍ୟ ପ୍ରସ୍ତୁତି। କିନ୍ତୁ ବେଳେବେଳେ ଏଇ ଛୁଙ୍କ ପ୍ରଥମରୁ ମଧ୍ୟ ଆସନ ଅଳଙ୍କୃତ କରିଥାଏ।


ଛୁଆ ବେଳୁ ମୁଁ ସତରେ ଆଶ୍ଚର୍ଯ୍ୟ ହୁଏ। ମା ରୋଷେଇ ଘରକୁ ଯାଆନ୍ତି ଆଉ କିଛି ବାସ୍ନା ଆସେ।ତା ପରେ ପରେ ଆସିଯାଏ ସୁସ୍ୱାଦୁ ଖାଦ୍ୟ। ହେଲେ ସବୁ ଖାଦ୍ୟର କିନ୍ତୁ ଅଲଗା ବାସ୍ନା ଥାଏ।ଅଲଗା ଅଲଗା ଛୁଙ୍କ ଲାଗିଥାଏ।ଖାଇସାରି ହାତ ଧୋଇଲା ପରେ ଆଉ କିଛି କାମ ନ ଥାଏ ଏହି ଛୁଙ୍କର। ମାତ୍ର କେଇ ମିନିଟ ଖାଇବା ପାଇଁ ପ୍ରସ୍ତୁତି କିନ୍ତୁ କରିବାକୁ ହୁଏ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ।ବେଳେବେଳେ ମା ଙ୍କୁ ପଚାରେ.."ଏତେ କଷ୍ଟ କରୁଛ ଏତିକି ଟିକେ ଖାଇବା ତିଆରି ପାଇଁ??"ଆଉ ମା ହସି ଦେଇ "ବଡ଼ ହେଲେ ଜାଣିବୁ" କହି ଦିଅନ୍ତି।


ଆଉ ଏଇ ବଡ଼ ହେବା କି ସବୁ ବିଷୟ ବୁଝିବା ପ୍ରଣାଳୀ କେବେ ଆରମ୍ଭ ହୁଏ କି କେବେ ଅନ୍ତ ହୁଏ ସେକଥା କେହି କେବେ ବୁଝି ପାରେନା ଆଉ ବୁଝେଇ ପାରିବା ବହୁତ୍ ପରର କଥା।ଭାବିଲେ ହସ ଲାଗେ।କିନ୍ତୁ ସତ କଥା ଏଇଟା।


ମା ଯେତେବେଳେ ଖଟାମିଠା ମାଛ କରନ୍ତି ଆଉ ତାକୁ ଛୁଙ୍କ ଲଗାନ୍ତି; ମୋ ଗୋଡ଼ ଆଉ ତଳେ ଲାଗେନା। ମାଛ ଭଜା ହେବା ସମୟରୁ ହିଁ ମୁଁ ରୋଷେଇ ଘରେ ପହଞ୍ଚି ଯାଇଥାଏ। ଆଉ ଛଣା ହୋଇ ରଖା ହୋଇଥିବା ଗରମ୍ ଗରମ କଡା ମାଛ ଭଜା ପ୍ଲେଟରେ ଆଣି ସେମିତି ଖାଇଦିଏ। ମୋତେ ସତରେ ମନ ପଡୁନି ମା କେବେ କେତେ ମାଛ ମୁଁ ଖାଇଛି ତା ହିସାବ ରଖନ୍ତି କି ନାହିଁ। କିନ୍ତୁ ମିଛରେ କୁହନ୍ତି.."ଯାଃ..ଏମିତି ଭଜା ମାଛ ଖାଇଦେଲେ ମୁଁ ଆଉ କିଛି ଆଇଟମ କରିବା କଣ ଦରକାର..? "କିନ୍ତୁ ମା ଜାଣନ୍ତି ମୁଁ ସେମିତି ହସିଦେଇ ଚାଲିଯିବି ଆଉ ଜଗି ରହିବି ସେହି ଛୁଙ୍କ ବାସ୍ନା ଆସିବା ପର୍ଯ୍ୟନ୍ତ।


ଦିନକର କଥା। ମୁଁ ସ୍କୁଲ୍ ଯାଇ ନ ଥିଲି।ଦେହ ଟିକେ ଭଲ ଲାଗୁ ନ ଥିଲା। ଦୁଇଦିନ ତଳେ ଅଳ୍ପ ଜର ହୋଇ ଛାଡ଼ି ଯାଇଥିଲା କିନ୍ତୁ ତଥାପି ଭାରି ଦୁର୍ବଳ ଲାଗୁଥାଏ।ବାପା ଅଫିସ ଚାଲିଯିବା ପରେ ମା ମୋତେ ଜଳଖିଆ ଦେଇ ଟିକେ ଶୋଇଯିବା ପାଇଁ ପରାମର୍ଶ ଦେଲେ। ଅଳ୍ପ ସମୟ ଶୋଇଛି କି ନାହିଁ କେହି ଆସିବାରୁ ମୋ ନିଦ ଭାଙ୍ଗିଗଲା।ଦେଖିଲି ମା ବାହାରେ କାହା ସହ କଥା ହୋଇ ଏକ ପଲିବ୍ୟାଗ୍ ନେଇ ଭିତରକୁ ଆସିଲେ। ମୋତେ ଚାହିଁ ଥିବା ଦେଖି କହିଲେ.."ତୋ ଦେହ ଭଲ ନାହିଁ । ଟିକେ ଶୋଇଲେ ଭଲ ଲାଗିବ ନା । ମୁଁ ମାଛ ବନେଇବାକୁ ଯାଉଛି।"ମୋ ପାଟିରୁ ବାହାରିଗଲା.."ମମି.. ଖଟା ମିଠା ମାଛ ବନେଇବ।"ସ୍ନେହରେ ହଁ ଭରି ଦେଇ ମା ରୋଷେଇ ଘରକୁ ଚାଲିଗଲେ। ଆମିଷ ମୋର ଭାରି ପସନ୍ଦ।ଦେହ ଭଲ ଲାଗୁ ନ ଥିଲେ ମଧ୍ୟ ନିଦ ଆସୁ ନ ଥିଲା।ତେଣୁ ଖଟ ଉପରେ ମୁହଁ ମାଡ଼ି ମିଛିମିଛିକା ଶୋଇବା ଅଭିନୟ କଲି କିନ୍ତୁ ସତରେ ମୁଁ ମାଙ୍କୁ ଦେଖୁଥାଏ। ଏତେ ସୁଆଦିଆ ବ୍ୟଞ୍ଜନ କିପରି ସେ ତିଆରି କରନ୍ତି ତାହା ଜାଣିବାକୁ ବହୁତ୍ ଇଛା ଥିଲା।


ମା ଅତି ଯତ୍ନ ସହିତ ମାଛ ଖଣ୍ଡ ସବୁକୁ ଭଲ ରୂପେ ଧୋଇ ଦେଲେ ଆଉ ତେଲ,ଲୁଣ,ହଳଦୀ ଦେଇ ଗୋଳେଇ ଘୋଡେଇ ରଖି ଦେଲେ।ଆଉ ଏକ ପାତ୍ରରେ କିଛି ତେନ୍ତୁଳି କୋଳ ପାଣିରେ ପକେଇ ବତୁରେଇ ଦେଲେ।ତା ପରେ ଏକ କଡାଇରେ ତେଲ ଗରମ୍ କରି ମାଛ ଖଣ୍ଡ ସବୁ ପକାଇ ଛାଣିବା ଆରମ୍ଭ କଲେ।ମୋତେ ଦୁର୍ବଳ ଲାଗୁଥାଏ ସତ ହେଲେ ମାଛ ଛଣା ଦେଖି ଆଉ ଶୋଇ ପାରିଲିନି।ଆସ୍ତେ ଉଠି ଯାଇ ରୋଷେଇ ଘରେ ବସିଗଲି। ମୋତେ ଦେଖି ମା କୃତ୍ରିମ ରାଗ ଦେଖେଇଲେ ଆଉ ନିହାତି ସାଧାରଣ ଭାବରେ ଗୋଟିଏ ପ୍ଲେଟ୍ ରେ ମୋ ଫେବରେଟ୍ ମାଛ ଭଜା ଆଣି ହାତରେ ଧରେଇ ଦେଲେ।


ମାଛ ଖଣ୍ଡ ଖାଇବା ଅପେକ୍ଷା ମୋ ମନ ଥାଏ ଦେଖିବାକୁ ମା କେମିତି ସେହି ସୁସ୍ୱାଦୁ ଆଇଟମ ତିଆରି କରିବେ ..!କଡାଇରେ ତେଲ ଗରମ କରି ସେଥିରେ ମା ପ୍ରଥମେ ହିଙ୍ଗୁ,ଭୂଷଙ୍ଗ ପତ୍ର ଆଉ ପଞ୍ଚ ଫୁଟଣ ପକେଇ ଦେଲେ।ତା ପରେ କିଛି ରସୁଣ କାେଲା ପକେଇ ଫୁଟେଇଦେଲାରୁ ଘର ସାରା ବାସନା ଖେଳିଗଲା। ରସୁଣ ଲାଲ୍ ହୋଇଯିବା ପରେ ମା ସେଥିରେ ପାଣି ଦେଇ ହଳଦୀ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ ପକେଇଲେ।ତା ପରେ ଏକ ବଡ଼ ଖଣ୍ଡ ଗୁଡ ନେଇ ପକେଇ ଆବଶ୍ୟକୀୟ ଲୁଣ ଦେଲେ। ଫୁଟି ଆସିବା ପରେ ମାଛ ଖଣ୍ଡ ସେଥିରେ ପକେଇ ଆଉ ଟିକେ ଭୃଷଙ୍ଗ ପତ୍ର ପକେଇଲେ। ଭଜା ହୋଇଥିବା ପାନମଧୁରୀ ଗୁଣ୍ଡ କରି ତା ଉପରେ ପକେଇ ଦେଇ ମୋତେ ଚାହିଁ କହିଲେ.."ମା..ଟିକେ ଖାଇ ଦେଇ ଔଷଧ ଖାଇଦେ।ଭଲ ଲାଗିବ।"


ମାଛ ଭଜା ଖାଇ ମଧ୍ୟ ମା ଙ୍କ ହାତରନ୍ଧା ଖଟା ମିଠା ମାଛ ତରକାରି ବାସ୍ନାରେ ମୁଁ ମନା କରି ପାରିଲିନି। କିନ୍ତୁ ଦେହ ଭଲ ନ ଥିବାରୁ ଅଳ୍ପ ଖାଇଲି।ଆଶ୍ଚର୍ଯ୍ୟ କଥା...ଖାଇ ସାରିବା ପରେ ମୋତେ ଆଉ ଦୁର୍ବଳ ଲାଗୁ ନ ଥିଲା।ଭଲ ଲାଗୁଥିଲା।ତେଣୁ ଆଉ ଔଷଧ ନ ଖାଇ ଚୁପ୍ ଚାପ୍ ଶୋଇ ପଡ଼ିଲି। ଆଜିବି ମନେ ପଡ଼ିଲେ ବିଶ୍ୱାସ ହୁଏନି ଯେ ଉଠିଲା ପରେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲି..!


ସମୟ ବଦଳିଗଲା ।ତା ସହିତ ଜୀବନଶୈଳୀ ମଧ୍ୟ।ହସି ଖେଳି ବିତି ଯାଉଥିବା ଦିନ ସବୁ ଦାୟୀତ୍ବ ନେବାରେ ହଜି ଯିବାକୁ ଲାଗିଲେ।ସେ ଭିତରେ କେତେ ଥର ମୋ ଦେହ ନିଶ୍ଚୟ ଖରାପ୍ ହୋଇଛି।ହେଲେ ମା ଙ୍କ ହାତରନ୍ଧା ମାଛ କେବଳ ମନେ ପକାଇ ପାରିଛି।ଖାଇବା ସୁଯୋଗ ସେ ସମୟରେ ସବୁବେଳେ ସମ୍ଭବ ହେବା କଳ୍ପନା ମାତ୍ର।


ଏମିତି ଥରେ ମୋତେ ଭୀଷଣ ଜ୍ଵର ହୋଇଥାଏ।ମା ଙ୍କ ପାଖରେ ମୁଁ ସେଦିନ ଥିଲି।ମୋ ମୁଣ୍ଡରେ ପାଣି କପଡ଼ା ରଖି ଔଷଧ ଦେବା ପରେ ମା କହି ଉଠିଲେ.."ମନେ ଅଛି ତୋର?ଛୁଆ ହୋଇଥିଲୁ ଥରେ ଏମିତି ଜର ସମୟରେ ମାଛ ଖାଇ ଭଲ ହୋଇ ଯାଇଥିଲୁ??"ମା ମୋ ମନ କଥା କହିଦେବା ପରେ ମୋ ଆଖିକୁ ପାଣି ଆସି ଯାଇଥିଲା।ସତରେ ମା କେମିତି ସବୁ ବୁଝି ପାରନ୍ତି ନା??ପାଟିରୁ ବାହାରିଗଲା.."ଆଜି ମଧ୍ୟ ମାଛ ଖାଇଲେ ସୁସ୍ଥ ହୋଇଯିବି..!"


ମୋ ପାଟିରୁ କଥା ସରିଛି କି ନାହିଁ ମା ସଙ୍ଗେ ସଙ୍ଗେ ବଜାରରୁ ମାଛ ମଗେଇଲେ ଆଉ ତିଆରି କରିବାକୁ ଲାଗିଲେ। ମୋତେ ବି ଏତେ ଦିନ ପରେ ସୁଯୋଗ ମିଳି ଥିବାରୁ ମୋ ପସନ୍ଦର ଖଟା ମିଠା ମାଛ କରିବାକୁ ଆଗ୍ରହ କଲି ଆଉ ମା କାହିଁକି ମନା କରିଥାନ୍ତେ? ଗରମ୍ ଗରମ୍ ପସନ୍ଦିଆ ଖାଦ୍ୟ ଆଣି ମୋତେ ଖାଇବା ପାଇଁ ଡାକିଲେ।


ମନ ଖୁସିରେ ଖାଇଲା ପରେ ମୁଁ ଲକ୍ଷ୍ୟ କଲି..କେବଳ ମୋ ପାଇଁ ହିଁ ମାଛ ରୋଷେଇ ହୋଇଥିଲା। ପଚାରିବାରୁ ମା କହିଲେ..ସେମାନେ ଆମିଷ ତ୍ୟାଗ କରି ଦେଇଛନ୍ତି। ତେଣୁ ଆଉ କେହି ଖାଇବେନି। ମୁଁ କିଛି କହି ପାରିଲି ନାହିଁ। କିନ୍ତୁ କିଛି ଭଲ ଲାଗିଲା ନାହିଁ। ମୋ ଜ୍ଵର ଛାଡ଼ି ଗଲା।ମା ଘରୁ ବାହାରି ପୁଣି ମୋ କର୍ମକ୍ଷେତ୍ରକୁ ଆସିବାକୁ ହେଲା।କିନ୍ତୁ ମା ହାତରନ୍ଧା ସ୍ଵାଦ ସବୁବେଳେ ମନ ପଡୁଥାଏ।


ବିଧିର ବିଧାନ। ମାଛରେ ତିଆରି କରୁଥିବା ଅନେକ ଆଇଟମ ଭିତରେ ଚିଲି ମାଛ,ମାଛ ମସଲା,ମାଛ ଭଜା,ମାଛ ବେସର,ମାଛ ଝୋଳ, ମାଛ ଦୋ ପିଆଜା,ମାଛ ମୁଢ଼ି ଘାଣ୍ଟ,ମାଛ ଆଳୁ ଦମ ଇତ୍ୟାଦି ବହୁତ୍ କିଛି ରୋଷେଇ କରିଲି। ଖଟା ମିଠା ମାଛ ମଧ୍ୟ ବନେଇଲି।କିନ୍ତୁ ମା ଙ୍କ ହାତରନ୍ଧା ସ୍ଵାଦ ଆସିଲାନି ବୋଲି ମୋତେ ସବୁବେଳେ ଲାଗେ।ଅବଶ୍ୟ ମୋ ରୋଷେଇକୁ ସମସ୍ତେ ତାରିଫ କରନ୍ତି ଆଉ ଖୁସିରେ ଖାଆନ୍ତି କିନ୍ତୁ ମୋ ମନ ମାଙ୍କ ରୋଷେଇ ଖୋଜୁଥାଏ।


ବୟସ ବଢିବା ସହିତ ଧୀରେ ଧୀରେ ମୋତେ ମଧ୍ୟ ଆଉ ଆମିଷ ଭଲ ଲାଗିଲା ନାହିଁ।ସ୍ବାସ୍ଥ୍ୟ ଦୃଷ୍ଟିରୁ ହେଉ କି ପସନ୍ଦ ମୁତାବକ ହେଉ ମୁଁ ମଧ୍ୟ ଆମିଷ ଛାଡ଼ିବା ଆରମ୍ଭ କରିଦେଲି।


କିଛି ଦିନ ତଳେ ଏମିତି ଗପ ସପ କରୁଥିବା ବେଳେ ପୁରୁଣା ଦିନ ମନ ପକେଇ ଚାଲିଥିଲି।ଆଉ ମା ହାତରନ୍ଧା ଖଟା ମିଠା ମାଛ କଥା ବି ଉଠିଲା।କିନ୍ତୁ ମୁଁ କହିଲି.."ଆମିଷ ଛାଡ଼ିଦେଲି।ଆଉ କେମିତି ସେହି ଡିସ୍ ଖାଇହେବ??" ଆଉ ହସିବାକୁ ଲାଗିଲି।କିନ୍ତୁ ମା କହିଲେ.."କାହିଁକି ଖାଇ ପାରିବୁନି। ରହ। କାଲି ମୁଁ ତୋ ପାଇଁ ସେହି ଡିଷ୍ ନିରାମିଷ ଭାବେ ରୋଷେଇ କରି ଖୁଏଇବି।"


ତା ପରଦିନ ସତକୁ ସତ ମା ରୋଷେଇ ଆରମ୍ଭ କଲେ।ସେହି ଛୁଙ୍କ..ସେହି ବାସ୍ନା ..ଆଉ ପରଷି ଦେଲା ବେଳେ ସେହି ଷ୍ପେଶଲ୍ ସ୍ଵାଦ...। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। "ଏଇଟା କଣ ?" କହି ଖୁସିରେ ଖାଇବା ଆରମ୍ଭ କଲି। "ପନିର୍.." ଚାଖି ଦେ଼ଇ ମୋ ଖୁସିର ସୀମା ରହିଲାନି। ମା ହସି ହସି କହିଲେ.."ଏଇଟା ସମ୍ପୂର୍ଣ୍ଣ ନିରାମିଷ ।" ଆଉ ମୁଁ ସେତେବେଳେ ବୁଝି ପାରିଥିଲି ନା ଆମିଷ ନା ନିରାମିଷ..ନା ରୋଷେଇ ଶୈଳୀ ନା ଖାଦ୍ୟ..! ତୃପ୍ତି ଥାଏ କେବଳ ସେହି ଆପଣା ପଣରେ..ଯାହାର ଛୁଙ୍କ ଆମ ଜୀବନକୁ ଶାନ୍ତିର ବାସ୍ନାରେ ଭରି ଦେଇଥାଏ...।



Rate this content
Log in

Similar oriya story from Inspirational