Soumya Shubhadarshinee

Romance

2.2  

Soumya Shubhadarshinee

Romance

ବର୍ଷା ସହ

ବର୍ଷା ସହ

10 mins
615


  

 ଘଟେ ଏମିତି ହୁଏତ କେବେକେବେ ଆମ ସହ ଅପ୍ରତ୍ୟାଶିତ ଭାବେ କିଛି ଘଟଣା ଯାହା ଘଟିବା ଜରୁରୀ ନଥାଏ ତଥାପି ସ୍ମୃତି ହେଇ ସାଇତା ହୁଏ ଭିତରେ । 

...................................


 ଅଦିନିଆ ବର୍ଷାର ଆବିର୍ଭାବ ସବୁବେଳେ ଯନ୍ତ୍ରଣାଦାୟକ । ତରତର ହେଇ ଘରୁ ବାହାରି ଆସିଥିବା ଅଂଶୁ ପାଇଁ ନିଜ ବର୍ଷାତିଟି ଆଣିବା ଜରୁରୀ ନଥିଲା ସକାଳେ କାରଣ ପାଗ ଶୀତସ୍ନିଗ୍ଧ ଥିଲା ସିନା କିନ୍ତୁ ଆକାଶ ମେଘାଛନ୍ନ ନଥିଲା । କିନ୍ତୁ ଦୁର୍ଭାଗ୍ୟ ଏଇନେ ବେଶ ବର୍ଷା ବ୍ୟତିବ୍ୟସ୍ତ କରୁଛି ସାଧାରଣ ଜୀବନଚର୍ଯ୍ୟା । 


 ବର୍ଷା ପ୍ରେମିକା ଭଳି ସବୁବେଳେ ଅଚାନକ ଆସିଯାଏ ବିନା ପୂର୍ବ ସୂଚନା ଦେଇ ।


  ସଠିକ ସମୟରେ କିନ୍ତୁ ଅଫିସ ପହଞ୍ଚିବା ଏଇନେ ଭାରି ଜରୁରୀ ଏଇ ଟିପ ଚିହ୍ନ କାର୍ଯ୍ୟକ୍ରମ ଆରମ୍ଭ ହେଲା ଦିନୁ । ବାୟୋମେଟ୍ରିକ୍ ସିଷ୍ଟେମ କିଏ ଆରମ୍ଭ କଲା କେଜାଣି ? ମଣିଷକୁ ଆଉ ଟିକିଏବି ତର ନାହିଁ । ଆରେ ବାବୁ ଠିକ ବେଳରେ ପହଞ୍ଚିବା ଆଉ ଠିକ ଘଡି ଦେଖି ଅଫିସ ଛାଡିବା କ'ଣ ଜରୁରୀ ? ବିଲକୁଲ ନୁହେଁ , ଜରୁରୀ ହେଲା ଠିକ ଭାବେ କାମ କରିବା । ଛାଡ଼ କେହି ବୁଝିବାକୁ ନାରାଜ । ଆଉ ଏବେ ଯେଉଁ ନୂଆ ଅଫିସର ଆସିଛି ସିଏ ଆହୁରି ନମୁନା । ମାଡୁଆଟା ବ୍ୟାଚେଲର୍ । ମାନେ ଆଉ ଭିଡ଼କୁ ପଶିବାର ହିଁ ନାହିଁ । ଥୋକେ କହୁଛନ୍ତି ମନ ତା'ର ପ୍ୟାକେଟ କ୍ଷୀର ଠିଁ ଘରେ ଗାଈ ରଖିବାରେ ଇଚ୍ଛା ନାହିଁ । ତେଣୁ ତା'ର ଘର ଏଇ ଅଫିସରେ । ଆଉ ୱାଚମ୍ୟାନ୍ , ପିଅନ କି ଦପ୍ତରୀ କିଛି ଲୋଡ଼ା ହେଉନି । ସେଇ ଲୋକଟା ସବୁ କରି ପକେଇବାକୁ ତୟାର । ତେଣୁ ଡେରି ଟିକେ ହେଲେ ଭାରି ଖରାପ ଲାଗେ । ଆଉ ଏବେ ମେସିନ୍ ଲାଗିଲା ପରେ ଛାଡ଼ ହାଲତ ଏକଦମ ଟାଇଟ । 


 ମଣିଷକୁ ଟିକିଏ ବି ମୁକ୍ତି ନାହିଁ ଏବେ । ଓଃ ! ହାତଘଡିକୁ ପୁଣି ଥରେ ଦେଖିଲା ଅଂଶୁ ଇସ୍ ଆଉ ଜମା ପନ୍ଦର ମିନିଟ । ମଲା ଆଜି ମଣିଷ , ହାଫ୍ ଡେ ହେଲା ପକ୍କା । 


  ଆଉ ଅପେକ୍ଷା କରିବା ସମ୍ଭବ ନୁହେଁ ଭିଜିକି ଯିବାକୁ ପଡ଼ିବ , ବର୍ଷା ଛାଡିବାର ନାଁ ନେଉନି । ଅଂଶୁ ବିକଳ ହେଇ ବହାରିଲା ବେଳକୁ ନଜର ଚାଲିଗଲା ପାଖ ଚା ' ଦୋକାନ ପିଣ୍ଡାକୁ । ଦୋକାନିଟା ମହା ମାଡୁଆ ଏମିତି ପାଗକୁ ଦୋକାନ ବନ୍ଦ କରିକି ବସିଛି । ଦୁଇଥର ନଜର ଯାଇଥିଲା ସିଆଡେ ଗିଲାସେ ଗରମ ଚା' ଲୋଭରେ କିନ୍ତୁ ଆଜି ବେଳା ଖରାପ । ହେଲେ ଏବେ ସେଠି ଠିଆ ହେଇଛି ଝିଅଟେ । ଭିଜି ଯାଇଛି ବର୍ଷାରେ ବାରାଣା । ଲମ୍ବା ଘାଗରା ଭଳି ଲାଗୁଥିବା ତା'ର ନୀଳ ରଙ୍ଗର ଲଙ୍ଗ୍ ସ୍କଟ୍ ଓଦା ହେଇ ଜଡେଇ ଯାଇଛି 

ଦେହରେ । ଉପରେ ପିନ୍ଧିଛି ଦୁଧ ଅଳତା ରଙ୍ଗର ଗୋଟେ ଜିନ୍ସ ଟପ୍ସ୍ । ଆଃ ! ଭାରି ପସନ୍ଦ ଅଂଶୁର ସେଇ ରଙ୍ଗ ଗୋଲାପୀ ଆଉ ଧଳାର ମଧ୍ୟବର୍ତ୍ତୀ । ଦୁଧ ଅଳତା ଶବ୍ଦଟା ହିଁ ସେଇ ରଙ୍ଗ ପାଇଁ ସଠିକ । କୁହେ ଶ୍ୱେତଲନା । ଝିଅଟା କେଉଁଠି ଥିବ କେଜାଣି ? ଛାଡ଼ ଏବେ ସାମ୍ନାରେ ଥିବା ଝିଅ କଥା ସରୁ ଭାବିବ ସେ ।


 ପ୍ରେମିକା ଗୋଟେ ପୁରୁଣା କ୍ଷତ ଭଳି ଚିହ୍ନ ଛାଡିଯାଏ ମନରେ । 


 ଆଛା ଏଇ ବର୍ଷାରେ ଅଧା ଭିଜା ଏକୁଟିଆ ଝିଅଟିକୁ ନେଇ ଚିନ୍ତାରେ ପଡିବା କ'ଣ ଠିକ ? ଅଫିସ ଡେରି ହେଉଥିବା ସମୟରେ ଏସବୁ ପାଇଁ ବିଚରା ଅଂଶୁ ପାଖରେ ବେଳ ଅଛି କି ? ଝିଅଟି ବାହାରକୁ ବାହାରିଛି ଯେତେବେଳେ ବର୍ଷାକୁ ସାମ୍ନା କରିବାର ଯୋଗ୍ୟତା ଅଛି ତା' ଭିତରେ ନିଶ୍ଚିତ । ଆଜିକାଲି ଝିଅ ଗୁଡା ପୁଣି ଆହୁରି ସଶକ୍ତ ହେଲେଣି କରାଟେ ଆଉ ଜୁଡୋ ମିଶିଗଲାଣି ତାଙ୍କ ରକ୍ତରେ । ତେଣୁ ଝିଅଟେ ଆଉ ଅବଳା , ଦୁର୍ବଳା , ଶର୍ମିଲତା ଅଛି କି ?..........


 କିନ୍ତୁ ଯେଉଁମାନେ ସବୁ ଶିକାର ହେଉଛନ୍ତି ସେମାନେ କ'ଣ ସଶକ୍ତ ନଥିଲେ କି ?.....

ଏଇଟା ଗୋଟେ ପରିତ୍ୟକ୍ତ ଜାଗା । ଆଖପାଖରେ କୌଣସି ଦୋକାନ ବଜାର ନାହିଁ ଏଇ ଚା' ଚାଳିଆ ବ୍ୟତୀତ । ସେଇଟି ବି ଆଜି ବନ୍ଦ। ଅଂଶୁ ଏଇ ନିଛାଟିଆ ବାଟ ରେ ଯାଏ କେବଳ ସେଇଥିପାଇଁ । ଭିଡ଼ ନଥାଏ , ଗାଡି ଘୋଡା ନଥାଏ , ଟ୍ରାଫିକ ବୋଲି ଶବ୍ଦ ନଥାଏ । ଏଠି ଝିଅଟି କେମିତି ସୁରକ୍ଷିତ ହେବ ଭଲା ?....


  କିନ୍ତୁ ଝିଅଟି ସାହାଯ୍ୟ ମାଗୁଥିଲେ ସିନା ସେ କିଛି ସାହାଯ୍ୟ କରିବ । ସେ କ'ଣ ଠିକା ନେଇଛି ସବୁ ଝିଅଙ୍କର ଯେ ଉପରେପଡି ପଚାରିବ । ଧେତ୍ ସେମିତି କଲେ ବି 

ଅଡୁଆ । ଝିଅଟା ତାକୁ ହିଁ ଭାବିବ ଅସାମାଜିକ । ହାଇଦ୍ରାବାଦ ଘଟଣା ପରେ କୌଣସି ଅଯାଚିତ ସାହାଯ୍ୟକାରୀକୁ କି ଆଉ ବିଶ୍ୱାସ ?


 ଅଂଶୁ ଆଉ ଭାବିବା ଜରୁରୀ ମନେ 

କଲାନି । ଯାଉ ଝିଅଟା ତା' ରାସ୍ତାରେ , ସେ କିଆଁ ଏତେ ଗୋଳେଇ ଘାଣ୍ଟି ହେବ ଯେ ।ସେ ନିଜ ନଜର ବୁଲେଇ ଅନେଇଲା ବର୍ଷାକୁ । ଶ' ଟିକିଏ ନରମିବାର ନୁହେଁ  

ବଦମାସ । ନା' ଆଜି ମଣିଷ ଭିଜିବ ଆଉ ବେମାର ପଡିବ । ସେ ଗାଡି ଷ୍ଟାର୍ଟ କଲା ଯିବାକୁ । ଠିକ ଏତିକି ବେଳକୁ ଝିଅଟା ଡାକ ପକେଇଲା , '' ଏକ୍ସକ୍ୟୁଜ୍ ମି ! "


 ଓଃ ! କି କୋଇଲି କଣ୍ଠ ଆହା । କାନ ଯୋଡ଼ାକ ଏକଦମ ପବିତ୍ର ହେଇଗଲେ । ଆଜି କାହା ମୁହଁ ଚାହିଁ ଥିଲା ସକାଳେ କେଜାଣି ? ମନୀତା ନାହିଁ ଘରେ ଏଇଟା ତାରି ପ୍ରଭାବ ନିଶ୍ଚିତ । ଗୋଲି ମାର ସେ ଅଫିସରକୁ । ଦିନେ ଅଧେ ହାଫ୍ ଡେ ବି ନେଇଯିବା ଭଲ । 


 ସେ ମୁହଁ ବୁଲେଇ ଅନେଇଲା । ଏବେ ଝିଅଟା ଚାଳିଆ ତଳୁ ବାହାରି ଆସି ବର୍ଷାରେ ଭିଜୁଥିଲା । ହୁଏତ ଲିଫ୍ଟ ମାଗିବାର ଉପକ୍ରମ କରୁଥିଲା ଅଂଶୁକୁ । କେମିତି ଝିଅ କେଜାଣି ଛତାଟେ ବି ଆଣିନି । ଅବଶ୍ୟ ସେ ଏକଦମ ଅଂଶୁ ଭଳି ବେପରୁଆ ଝିଅ ସେ ବି କୋଉ ଆଣିଛି ବର୍ଷାତି । 


 ଝିଅଟା ଏବେ ଅଂଶୁ ପାଖକୁ ଲାଗିଆସି କହିଲା '' ଆପଣ ପାର୍କ ଆଡେ ଯିବେ କି ?''

 ପାର୍କ ହେଁ ! ଏଇ ବର୍ଷା ଭିଜା କାଲୁଆ ଘଡି ରେ ପାର୍କ କିଏ ଯାଏ ? ହଁ ଅବଶ୍ୟ ଏଇ ଝିଅ ଭଳି ସୁନ୍ଦରୀ ମାନେ କୁଆଡେ ବି ଯାଇ ପାରନ୍ତି । ଦେଖୁନ ଅଂଶୁ ଭଳି ସାମାଜିକ ପ୍ରାଣୀ ନିଜ ଅଫିସ ଟେନ୍ସନ ଛାଡି ଏଇନେ ୟା ପାଇଁ ଭକୁଆ ହେଇଚି ମାନେ : ଝିଅଟେ କିଛିବି କରିପାରେ । 


 ଝିଅଟା ବୋଧେ ଚିଡି ଗଲା ଅଂଶୁର ଡାହାଳ ଆଖି ଦେଖି ଟିକେ ବିଗିଡି କି କହିଲା , '' କଣ କିଛି କହୁନା ଯେ ? '' 

 ଆହା କୋଇଲିଟା ମିନିଟିଏ ଭିତରେ କାଉ ହେଇଗଲା କେମିତି ? ... .

 ଅଂଶୁ ଘାବରେଇ ଗଲା , ଆଉ ହଡ଼ବଡ଼ ହେଇ କହିଲା , '' କୋଉ ପାର୍କ ଯିବେ ଆପଣ ?''  ଝିଅଟା ଡବଡବ ଆଖିରେ ଅନେଇଲା ଯେମିତି ଅଂଶୁ ଗୋଟେ ନିହାତି ଗହୀର୍ତ୍ତ ପ୍ରଶ୍ନ ପଚାରି ଦେଇଛି । ଏମିତି ପଚାରିକି ସେ ଗୋଟେ ମସ୍ତ ବଡ଼ ଭୁଲ କରିପକେଇଛି 

ଆଉ । ବିଚିତ୍ର ଝିଅ ଆରେ କୋଉ ପାର୍କ ନକହିଲେ ସେ କେମିତି କିଛି ଜଣେଇବ। ଅଂଶୁ ସେତେବେଳକୁ ଭିଜିକି 

ଗୋଟାପଣ ଜୁଡୁସୁଡୁ । ଝିଅଟା କିନ୍ତୁ କୌଣସି ଉତ୍ତର ଦେଉନି । ଅଂଶୁ ବାଧ୍ୟ ହେଇ ପ୍ରଶ୍ନ ଦୋହରେଇଲା । ଝିଅଟା ପ୍ରକାଣ୍ଡ ବୁଦ୍ଦୁ ଭଳିଆ କହିଲା '' କେତୁଟା ପାର୍କ ଅଛିକି ଏଠି ? ସେ ତ କହିଥିଲେ ପାର୍କ ବୋଲି ହେଲେ କୋଉ ପାର୍କ ସେତକ ତ କହି ନଥିଲେ !''


 ଅଂଶୁ ଏବେ ପ୍ରବଳ ବିରକ୍ତ ହେଇ ସାରିଥିଲା , କିନ୍ତୁ ବର୍ଷା ଭିଜା ଦୁଧଅଳତା ରଙ୍ଗର ଝିଅ ପ୍ରତି ମନ ଭିତରେ ଭିନ୍ନ କିଛି କୋଉ ରାଗିବାକୁ ଦେଉଛି !...... ଅଂଶୁ ଏବେ ପାଖେଇ ଆସି କହିଲା , 

 '' ଏଠି ଛ' ଟି ପାର୍କ ଅଛି , ଫୋନ୍ କରି ବୁଝନ୍ତୁ କେଉଁଠିକି କୁ ଯିବେ ? ''

--'' ଫୋନ୍ ଟା ବର୍ଷା ପାଣି ପଶି ବିଗିଡି ଯାଇଛି ପା ' କୋଉ କାମ ଦେଉଛି ।''

-- '' ଆପଣ ମୋ ସହ ଯିବେ କି ?''

--'' କୁଆଡେ ଯିବି ତେବେ ?''

 ଅଂଶୁର ଇଚ୍ଛା ହେଉଥିଲା କହିବ , '' ଯା ନର୍କକୁ '' ହେଲେ କିଛି କହିଲା ନାହିଁ ମଁ । ଅନେଇଲା ଖାଲି ଅସହାୟ ଦୃଷ୍ଟିରେ । ଝିଅଟା ଏଇନେ ଇଆଡ଼େ ସିଆଡେ ଅନେଇଲା ଯେମିତି କିଛି ଖୋଜୁଛି । ଅଂଶୁ ଆଉ ବୁଝିପାରୁ ନଥିଲା କ'ଣ କରିବ ।

ଅଫିସକୁ ଏବେ ଫୋନ୍ କରି ଜଣେଇବ ଛୁଟି ନେବା ପାଇଁ । ସେଇ ରାଢ଼ ବୁଢାକୁ କହିବାକୁ ପଡିବ । ଭାବିଲା ବେଳକୁ ଆହୁରି ବିରକ୍ତ ଲାଗିଲା । କିନ୍ତୁ ଝିଅଟିକୁ ଛାଡିକି ଯାଇ ହେବନି , ସାଥୀରେ ମଧ୍ୟ ନେଇ ହେବନି । ଅଫିସରୁ କିନ୍ତୁ ଛୁଟି ନେଇ ହେବ । 


 ସେ ପୁଣି ଚାଳିଆ ତଳକୁ ଆସିଲା । ତାକୁ ଦେଖି ଝିଅଟା ମଧ୍ୟ ଫେରିଆସିଲା ସେଇଠିକୁ । ଅଂଶୁ ବ୍ୟାଗ୍ ଭିତରୁ ରୁମାଲ କାଢିଲା ମୁହଁ ପୋଛିବାକୁ । ଝିଅଟା ତାକୁ ଏମିତି ବିକଳ ଦୃଷ୍ଟିରେ ଚାହିଁଲା ଯେ ସେ ତାକୁ ରୁମାଲ ବଢ଼େଇ ଦେଲା । ଝିଅଟା କିନ୍ତୁ ହାତ ହଲେଇ ମନା କଲା । ଓଃ ! ଦେଖ ଛଇ ମେକଅପ୍ ଉତୁରି ଯିବ ପୋଛି ପକେଇଲେ ଆଉ । ବର୍ଷାରେ ଧୋଇକି ସବୁ ଛାଡି ଗଲାଣି ଏତକ ବୁଝା ପଡୁନି । ଅଂଶୁ ଆଉ ବେଶି ଧ୍ୟାନ ନଦେଇ ଫୋନ୍ ଲଗେଇଲା ଅଫିସ ।

ହେଡକ୍ଲର୍କ ଆଦିତ୍ୟ ବାବୁ ଉଠେଇଲେ ଆଉ ବହେ ହସିଲେ ଦାନ୍ତ ଦେଖେଇ । ମନେ ପଡ଼ିଗଲା ଅଂଶୁର ସେଇ ପାନ ଖିଆ ମସିଆ ଦାନ୍ତତକ । ଲୋକଟା ଏକଦମ ଛେଳି ଭଳିଆ ଚୋବୋଉ ଥାଏ ଦିନ ରାତି । 

 ହଜାରେ ବାଜେ ଗପ ଶେଷକୁ ସେ ପଚାରିଲେ , '' ଆଜି କ'ଣ ଛୁଟି କି ?"

ଅଂଶୁ ବେଖାପ ହସ ହସି କହିଲା , '' ନାଇଁ ମଁ ବର୍ଷାରେ ଫସିଛି । ଛୁଟି କରିଦିଅନ୍ତୁ ଆଜି ଦିନଟା ।''

ସଂଗେ ସଂଗେ ପ୍ରଶ୍ନ କଲେ କ୍ଲର୍କ ବାବୁ , 

 '' ଦରଖାସ୍ତ କାଇଁ ?"

--'' ଆପଣଙ୍କ ପାଖରେ ପା ଅଛି ଗୋଟେ ଏମେରଜେନ୍ସି ପାଇଁ ମନ ନାହିଁ । ଟିକେ ତାରିଖ ପକେଇ ଦେଇଦେବେ ପ୍ଲିଜ ।''

--'' ନାଇଁ ନାଇଁ ଆଜିକାଲି ପା ସବୁ କମ୍ପ୍ୟୁଟରରେ । ଆପଣ ନିଜେ ମେଲ୍ କରନ୍ତୁ ମୋତେ ।''

 ଶ' ମଲା ମଣିଷ ଏଇନେ ମେଲ୍ କେମିତି କରିବ ସେ । ମୋବାଇଲ୍ ରୁ ହାଁ !......

 ସାମ୍ନାରେ ଦୁଧ ଅଳତା ଝିଅ , ତା' ସାଙ୍ଗକୁ ବର୍ଷା , ଅଜଣା ପାର୍କ ଏବେ ପୁଣି ଦରଖାସ୍ତ ।

ମୁଣ୍ଡ ଟିଣ ହେଇଗଲା ଅଂଶୁର । ଏଠି ଏବେ ବସି ମୋବାଇଲରେ ଦରଖାସ୍ତ ଲେଖିବ ନା' ଅଫିସ ଯିବ, ନା' ଝିଅଟାକୁ ନେଇ ପାର୍କ ଯିବ

କେଜାଣି ?  


 ଅଂଶୁ ବିକଳ ଦିଶିଲା ଆଉ ଝିଅଟିକୁ ଅନେଇଲା । ଝିଅଟି ଆହୁରି ମାଖୁନା ଦୃଷ୍ଟି ରେ ଚାହିଁଲା ଯେମିତି କହୁଛି " ପ୍ଲିଜ କିଛି ଗୋଟେ କର ମଁ ।''

 ସେଇ ଚାହାଣୀରେ କି କାହାଣୀ କେଜାଣି ଅଂଶୁ କାବୁ ହେଇଗଲା । ଫୋନ୍ ସିଧା ଲଗେଇଲା ଅଫିସରକୁ , '' ସାର୍ ମୋ ଦେହ ଖୁବ୍ ଅସୁସ୍ଥ ଆଜି ଆଉ ଯାଇ ପାରୁନି । ଦରଖାସ୍ତଟା ବଡ଼ ବାବୁଙ୍କ ପାଖରେ ଅଛି । ''

  ଆଜି ବୋଧେ ତା' ପାଇଁ ଭଲ ଦିନ ବୁଢା କହିଲା , '' ଓକେ ଦାସ ବାବୁ ।''

 ବାଃ ! ବଢିଆ ହେଲା । ଅଂଶୁ ଚଟ କି ଫୋନ୍ ଲଗେଇ କହିଦେଲା ବସ୍ ଙ୍କ ନିର୍ଦେଶ ହେଡ କ୍ଲର୍କକୁ ଆଉ ଶାନ୍ତିରେ ନିଶ୍ୱାସ 

ନେଲା ଗୋଟେ ଟେନ୍ସନ ଗଲା ।


  ଆଜି ଅଘୋଷିତ ଛୁଟି ନେଇଛି ଅଂଶୁ ଜୀବନରେ ପ୍ରଥମଥର । କାହିଁକି ନା' ଗୋଟେ ଅଜଣା ଅଶୁଣା ଝିଅ ବର୍ଷାରେ ଫସିଛି । ଅଂଶୁ ତା' ସୁରକ୍ଷା ଦାୟିତ୍ୱ 

ନେଇଛି । ଆଛା ସତରେ କ'ଣ ଅଂଶୁ ଏଇ ଝିଅଟିକୁ ସୁରକ୍ଷା ଦେବ ନା' ଏବେ ତା' ଭିତରେ ଗୋଟେ ଅଜଣା ଅଜଗର ଭିଡିମୋଡି ହେଉଛି ?............


  ଅଂଶୁ ନିଜକୁ ତାଗିଦ କଲା । ବେଶ ଯତ୍ନ ସହକାରେ ସେ ନିଜକୁ ନିବୁଜ କଲା ଆଉ ଆଗକୁ କରିବାକୁ ଥିବା ପଦକ୍ଷେପ ବିଷୟରେ ଚିନ୍ତା କଲା । ଏବେ ପ୍ରଥମେ ବୁଝିବାକୁ ପଡିବ ଝିଅଟାକୁ କୁଆଡେ ନେବ । ଧେତ୍ ବର୍ଷା ଭଲା ଛଡ଼ନ୍ତା ! ......


  ଝିଅଟିକୁ କିନ୍ତୁ ମାନିବାକୁ ପଡିବ । 

ବର୍ଷାରେ ଭିଜି , ଶୀତରେ ଥରି , ଅଜଣା ଜାଗାରେ ଅଚଳ ମୋବାଇଲ ସହ ଠିଆ ହେଇଛି ଆରାମରେ । ଏତକ କଣ ଅଂଶୁ ଉପରେ ବିଶ୍ୱାସର ପ୍ରତିଫଳନ । ସେ ଅଛି ବୋଲି ଝିଅଟା ଏତେ ଆରାମରେ ଠିଆ ହେଇଛି ।


 କାଶ ମନୀତା ତା' ଉପରେ ଏତିକି ବିଶ୍ୱାସ କରନ୍ତା । ଛ୍ୟା ବିଶ୍ୱାସ , ଦୁଇଦିନ ହେଲା ସ୍ତ୍ରୀ ଯାଇଛି ଉଟି ନିଜ ସାନ ଭଉଣୀ ସହ । ଅଂଶୁ ଯେ କେବେ ଏମିତି ବୁଲେଇ ନେବ ସେ ବିଶ୍ୱାସ ଆଉ ଟିକିଏ ମଧ୍ୟ ନାହିଁ । ତା'ର ଦୃଢ଼ ଧାରଣା ଅଂଶୁକୁ ଛୁଟି ମିଳିବ ନାହିଁ । ଅବଶ୍ୟ ବୁଲାବୁଲି କରିବାର ଖର୍ଚ୍ଚକୁ ଡରି ଏଇ ଧାରଣା ସେ ନିଜେ ଦେଇଛି ସ୍ତ୍ରୀକୁ ।

 

 ସେ ଗୋଟିଏ ଅଯୋଗ୍ୟ ସ୍ୱାମୀ ଯାହା ଉପରେ ସ୍ତ୍ରୀର ପରତେ ବିଶ୍ୱାସ ନାହିଁ । ସେ ବି କୋଉ କରିପାରିଛି ନିଜର କର୍ତ୍ତବ୍ୟ । ଅଳପ ଧନ ବିକଳ ମନ କୁ ନେଇ କୋଉ ଆଉ ଯୋଗ୍ୟତା । ଏଇ ଦୃଷ୍ଟିରୁ ପ୍ରେମିକା ବେଟର୍ , ଦେଖୁନ କୁଆଡେ ଯିବ ସେତକ ସୁଦ୍ଧା ନଜାଣି ଚାଲି ଆସିଛି ବର୍ଷାରେ ଭିଜି । ସ୍ତ୍ରୀକୁ ହଜରେ ଥର କହିଲେ ମଧ୍ୟ ଆସିବ ନାହିଁ ଏମିତି ପାଗରେ । ହଜାରେ ଢମ କାଢ଼ିବ ଆଉ ଶେଷକୁ କହିବ ଥାଉ ମଁ ଆଉ କୋଉ ଦିନ ଯିବା ଏଇ ପାଗରେ କିଏ ଘରୁ ବାହାରେ । କାରଟେ ଥିଲେ ସିନା ଯାଇଥାନ୍ତା ମଣିଷ । 


 ଝିଅଟା ଏଥର ଆଉ ଅଂଶୁ ଆଡ଼କୁ ନୁହେଁ ବାହାରର ବର୍ଷା ଆଡ଼କୁ ଦୃଷ୍ଟି ଦେଇଥିଲା । ହୁଏତ ବୁଝିସାରିଥିଲା ଅଂଶୁ ଦେଇ କିଛି ହେବନି । ତା'ର ବି କୋଉ କିଛି ଦରକାର କି କେବଳ ଜଣେ ସହଯାତ୍ରୀ ବ୍ୟତୀତ । ଅଂଶୁ ପଳେଇବାକୁ ବାହାରିଥିଲା ବୋଲି ସିନା ବ୍ୟସ୍ତ ହେଇଥିଲା । ଏଇନା ସବୁ ଠିକ ଅଛି ।ସେ ଆଉ କିଛି କହୁନଥିଲା ଏଇନେ କିନ୍ତୁ ଅଂଶୁର ଶୁଣିବାର ଥିଲା ଅନେକ କିଛି । ଯେମିତି ସେ କିଏ , କାହିଁକି ଆସିଛି , କିଏ ଡାକିଛି, କୁଆଡେ ଯିବ , ତାକୁ ଭୋକ ଲାଗୁଛି କି ନାହିଁ , କାହିଁକି ସେ ଏଇ ଦୁଧଅଳତା ରଙ୍ଗକୁ ବାଛିଲା , ତା'ର ଏଇ ବର୍ଷା କୁ ନେଇ ଭୟ ଅଛିକି ନାହିଁ ଆଉ ଶେଷରେ ସେ ଅଂଶୁ ସଂକ୍ରାନ୍ତରେ ତା'ର ଅନୁଭବ କେମିତି ?


 ଆରେ ଏସବୁ ସେ ଝିଅ କାହିଁକି ଭଲା କହିବ ତାକୁ । ସେ କ'ଣ ଅଂଶୁକୁ ଜାଣେ ଯେ ଗପିବ ପ୍ରଗଳ୍ଭ ହେଇ । ସେ କେବଳ ପାର୍କ କଥା ପଚାରୁଥିଲା ନା' । କିନ୍ତୁ ଅଂଶୁ ଯେ ଏଇନେ ଖାସ ଏଇ ଝିଅ ସକାଶେ ଗୋଟେ ଦିନ ଛୁଟି ମାରା କରିକି ବସିଛି । ଏତକ କ'ଣ ବୁଝା ପଡୁନି ଝିଅକୁ ?........


 ହେଲେ ସେ ବା କେମିତି ଜାଣିବ ସେ କୋଉ ଚିହ୍ନିଚି ଅଂଶୁକୁ । ଯେମିତି ସେ ଅଫିସ ଯାଉ ଥିଲା , ସେ ଛୁଟି ନେଲା , ସେ ଝିଅଟି ପାଇଁ ଛୁଟି ନେଲା ଆଦି ଇତ୍ୟାଦି । ବହୁତ ହେଲା ଏଥର ଶ' ସ୍ତ୍ରୀ ଠୁ ବଳିଗଲା ଝିଅଟା କିଛି ନହେଲେ ସ୍ତ୍ରୀ ବକର୍ ବକର୍ ହେଇ ପୁଳେ କଥା ବାନ୍ତି କରିଦିଏ ଯେ କିଛି ସସ୍ପେନ୍ସ ରୁହେନି । ଏଠି ତ ; 


 ଲାବଣ୍ୟବତୀ ଓଠରେ ତାଲା 

  ସମ୍ନାରେ ରଜାପୁଅ ଘାଇଲା 

   ଯା ଲୋ ମା ସବୁ ସଇଲା , 


ବାଃ ! ବଢିଆ କବିତାର ମାହୋଲରେ 

ବାବା । ହଁ ବର୍ଷା ଆଉ ଦୁଧଅଳତାର ଏଇ ପ୍ରଭାବ ଚମତ୍କାର ।

 

 ଝିଅଟି ଏଥର ବ୍ୟସ୍ତହେଲା ବୋଧେ କିଛି ଦେଖିକି । ସେ ଅଂଶୁର ଏକଦମ ପାଖକୁ ଲାଗି ଆସିଲା ଆଉ ଫିସ ଫିସ ସ୍ୱରରେ କହିଲା , '' ଟିକେ ମୋତେ ଆଢୁଆଳ କରି ଠିଆ ହେବେ !"


 ଏଇନେ ଅଂଶୁର ହାର୍ଟ ଫେଲ ହେବାର ପାଳି ବୋଧେ । ଆଢୁଆଳ କରି ମାନେ ସେ ତାକୁ କ'ଣ ଜାବୁଡି ଧରି ଫିଲ୍ମ ଷ୍ଟାଇଲରେ ମାନେ ମାନେ ଧେତ୍ । ଆରେ ହେ କେହି ଇଆଡ଼େ ଆସୁଛି କି ? ଟିଂ କି ବାଜିଲା

 'ଦିମାଗ କି ଘଣ୍ଟି ' ଅଂଶୁ ଟିକେ ନଜର ଘୁମେଇଲା ଦୁଇଟା ବାଇକ୍ ଲଗାଲାଗି ହେଇ କାହାକୁ ଖୋଜୁଥିବାର ଦୃଶ୍ୟ । ଓଃ ! ତେବେ ଝିଅଟିକୁ ଖୋଜା ପଡିଛି ତାହେଲେ ।ମାନେ ଏଇଟି ଲାବଣ୍ୟବତୀ ନୁହେଁରେ ବାବା ଇଏ ନାଲିବତୀ : ଡେଞ୍ଜର ।


 ଝିଅଟା ଅଂଶୁର ସମ୍ମତିକୁ ଅପେକ୍ଷା ନକରି ତାକୁ ଧରି ନେଲା ଆଉ ଠିକ ଗୋଟେ ଉତ୍ତେଜକ ଫିଲ୍ମ ସିନ ତିଆରି ନେଲା । ଅବଶ୍ୟ ସେମିତି ସେମାନଙ୍କୁ ଦିଶିଲା ସତରେ କିଛି ଘଟିଲା ନାହିଁ । ଅଂଶୁ କିନ୍ତୁ ସେତେବେଳେ ହାଫୁହାଫୁ ହେଇଗଲା ଭିତରେ । ଯେମିତି କେହି କହୁଥିଲା ,

 '' ଏଥର ବାବୁ ନୀଳମଣି ବଜା ଖଞ୍ଜଣି 

 ଟୋକାଏ ଚୋବେଇବେ ହାଣିହୁଣି ।" 


  ସେଇ ବାଇକ୍ ଗୁଡିକ ଯେତେ ଅଂଶୁର ନିକଟତର ହେଉଥିଲେ ଝିଅଟିର ଆଲିଙ୍ଗନ ସେତେ ଦୃଢ଼ ହେଉଥିଲା । ଯେମିତି ପେଶି ପକେଇବ ଅଂଶୁକୁ ତା' ବାହୁ ଫାଶରେ । 

ସେମାନେ ହୁଏତ ଏଇ ଦୃଶ୍ୟକୁ ଉପଭୋଗ କରୁଥିଲେ ସେମିତି ଗାଡି ଠିଆ କରି ତାଙ୍କୁ ଦେଖିଲେ । କିନ୍ତୁ କେହି କିଛି ପ୍ରଶ୍ନ  

କଲେନି । ଏଇ ନିକଟବର୍ତ୍ତୀ ହେବା ଭିତରେ ଅଂଶୁକୁ ସ୍ପଷ୍ଟ ଦିଶିଲା ଝିଅଟି ବେକରେ ଝୁଲୁ ଥିବା ମଙ୍ଗଳସୁତ୍ର । ଆଛା ଏଇଟି ଗୋଟେ ବିବାହିତା ସ୍ତ୍ରୀ 'ହେ ପ୍ରଭୁ '। ଅଂଶୁର ମୁଣ୍ଡ ଏଇନେ ଆହୁରି ଗୋଳମାଳ ହେଉଥିଲା । ସେ ଏକଦମ ଛାଟିପିଟି ହେଲା ମନେ ମନେ କିନ୍ତୁ ନିଜକୁ ମୁକୁଳେଇଲା ନାହିଁ । ଏମିତି ମୁହୂର୍ତ୍ତରେ କି ଆଉ ମୁକ୍ତ ହେବାକୁ ଇଚ୍ଛା ହୁଏ !......


 ସେଇ ବାଇକ୍ ବାଲା ଗୁଡା ଚାଲିଗଲେ ତାଙ୍କ ରାସ୍ତାରେ । ସ୍ତ୍ରୀ ଟା ଏବେ ନିଜକୁ ଦୂରେଇ ନେଲା ଅଂଶୁ ପାଖରୁ । ଆଉ ପୁଣି ଠିଆ ହେଇଗଲା ନିଜ ସ୍ଥାନରେ । ଏବେ ଅଂଶୁ ମନରେ ଆଉ କୌଣସି ପ୍ରଶ୍ନ ନଥିଲା ।

ଝିଅଟେ ରୁ ସ୍ତ୍ରୀଟେର ଦୂରତା ଭିତରେ ଅଂଶୁ ଭିତରର ଭାବନା ଗୁଡ଼ିକ ନିସ୍ପନ୍ଦ ହେଇଯାଇଥିଲେ । ଏବେ କିନ୍ତୁ ସ୍ତ୍ରୀଟିକୁ କହିବାର ଥିଲା । ସେ ଗୋଟେ ପତ୍ରଝରା ସ୍ୱରରେ କହିଲା ,'' ଅପଣ ନଥିଲେ ସେମାନେ ହୁଏତ ମୋତେ ମାରିଦେଇଥାନ୍ତେ  । ଧନ୍ୟବାଦ ମୋତେ ବଞ୍ଚେଇ ଥିବାରୁ ।"


 ଏତକ ଶବ୍ଦ ଅଂଶୁ ପାଇଁ ଯଥେଷ୍ଟ ଥିଲା ସେଠୁ ପଳେଇବା ପାଇଁ । ଆଉ ଅଧିକ ସେଇ ପରିବେଶରେ ରହିବା ଉଚିତ ମନେ କଲାନି ସେ । ବର୍ଷାବି ଏବେ ଛାଡିବା ଉପରେ । ଅଂଶୁ କେବଳ ଥରୁଟିଏ ଦୁଧଅଳତା ରଙ୍ଗର ଝିଅ ନା' ନା' ସ୍ତ୍ରୀଟିକୁ ଦେଖିଲା ଆଉ ଗୋଟେ ବର୍ଷା ବତୁରା ହସ ଫୋପାଡ଼ି ସେଠୁ ଯିବାକୁ ବାହାରିଲା । ସ୍ତ୍ରୀଟା ଏବେ କିନ୍ତୁ ବଡ଼ ସାବଲୀଳ ଭାବେ ଅଂଶୁ ଗାଡ଼ିରେ ବସି କହିଲା , " ପ୍ଲିଜ ମୋତେ ପାର୍କ ପାଖରେ ଛାଡି ଦେଇ ଯିବେ ।''......... 



Rate this content
Log in

Similar oriya story from Romance