ବାରିଷ୍ଟର
ବାରିଷ୍ଟର
ବାରିଷ୍ଟର ବିଶ୍ବମ୍ବର ବିଶ୍ବାସରାୟ! ବିଲାତ ଫେରନ୍ତା ବିଶିଷ୍ଟ ଅଧିବକ୍ତା। ଯେଉଁ କତିପୟ ଓଡ଼ିଆ ଆଇନଜୀବୀ ସର୍ବଭାରତୀୟସ୍ତରରେ ନିଜର ଭାସ୍ବର ସ୍ୱାକ୍ଷର ଲିପିବଦ୍ଧ କରିବାରେ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବାରିଷ୍ଟର ବିଶ୍ଵାସରାୟ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ସୁପ୍ରିମକୋର୍ଟ ଓ ବିଭିନ୍ନ ରାଜ୍ୟର ହାଇକୋର୍ଟ ମାନଙ୍କରେ ଅଗଣିତ ମକଦ୍ଦମାର ସଫଳ ପରିଚାଳନା କରି ସୁନାମ ଅର୍ଜନ କରିଛନ୍ତି। ଆଇନ୍ ବ୍ୟବସାୟର ଅବଧି ମଧ୍ୟରେ ବିଚାରପତିମାନଙ୍କ ହୃଦୟରେ ବିଶେଷ ସ୍ଥାନର ଅଧିକାରୀ ସେ। ଅଗଣିତ ଅସଂଖ୍ଯ ମାମଲାରେ ଜିତାପଟ ହାସଲ କରିଛନ୍ତି ନିଜର ଦୀର୍ଘ ବୃତ୍ତିଗତ ଜୀବନରେ ବିଚକ୍ଷଣ ବୌଦ୍ଧିକ କ୍ଷମତା ଏବଂ ଅକାଟ୍ଯ ଯୁକ୍ତି ବଳରେ। ଅବଶ୍ୟ ମହକିଲଙ୍କ ଠାରୁ ଆଦାୟ କରୁଥିବା ଫିସ୍ ଢେର ଅଧିକ ଅନ୍ୟ ଆଇନଜୀବୀଙ୍କ ତୁଳନାରେ। ଏମିତି କୌଣସି ପ୍ରକାର ମକଦ୍ଦମା ନାହିଁ ଯେଉଁଥିରେ ବାରିଷ୍ଟର ବିଶ୍ବାସରାୟ ପରାକାଷ୍ଠା ପ୍ରଦର୍ଶନ କରିନାହାଁନ୍ତି।
କଟକ ସହରଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଯେଉଁଠି ବି ଯେତେବେଳେ ତାଙ୍କର ପରାମର୍ଶ ଅବା ସେବା ଆବଶ୍ୟକ ହୁଏ ସବୁବେଳେ ମହକିଲଙ୍କ ପାଇଁ ନିଜକୁ ପ୍ରସ୍ତୁତ କରି ରଖିଥାନ୍ତି ସେ। ଏତେ ବଡ଼ ଓକିଲ ହୋଇ ମଧ୍ୟ ବେଶ୍ ଅମାୟିକ ସାଧାସିଧା ମଣିଷ ବିଶ୍ବାସରାୟ ବାବୁ। ଗାଉଁଲି ମଳିମୁଣ୍ଡିଆ ଲୋକଠୁ ଧନାଢ୍ୟ ଶିଳ୍ପପତି ସଭିଏଁ ତାଙ୍କର ମହକିଲ। କିନ୍ତୁ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେ କେବେ କୌଣସି ମକଦ୍ଦମା ବିନା ପାରିଶ୍ରମିକରେ ଲଢିବାର ନଜିର୍ ନାହିଁ। ଗଣବଳାତ୍କାର, ନରହତ୍ୟା ପରି ଜଘନ୍ୟ ମାମଲାରେ ପ୍ରକୃତ ଦୋଷୀକୁ ନିରପରାଧି ସାବ୍ୟସ୍ତ କରି ଫାସିଖୁଣ୍ଟରୁ ମୁକୁଳାଇବା ତାଙ୍କ ପକ୍ଷେ ଖୁବ୍ ସାଧାରଣ କଥା। ଅନେକ ସମୟରେ ବୁଦ୍ଧିଜୀବୀ ମହଲରେ ବାରିଷ୍ଟର ବିଶ୍ବାସରାୟ ବାବୁଙ୍କର ତୀବ୍ର ସମାଲୋଚନା ହୁଏ। ସେ କିନ୍ତୁ ନିର୍ବିକାର ଓ ବଦ୍ଧପରିକର ଦୋଷୀର ଜୀବନ ରକ୍ଷା କରିବା ପାଇଁ। ଏହା କାଳେ ତାଙ୍କର ପ୍ରଫେସନାଲ୍ ଏଥିକ୍ସ୍! ତାଙ୍କ ମତରେ, ଆଇନରେ ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି ଏବଂ ଏହି ଅଧିକାର ହାସଲ କରିବା ପାଇଁ ଯଦି ସେ ମାଧ୍ଯମ ହୋଇପାରୁଛନ୍ତି ତେବେ ଅନ୍ୟ କାହାର ଗାତ୍ରଦାହ ହେଉଛି କାହିଁକି?
ନାଉଗାଁର ଦୁଇ ଭାଇ ସତୁରା ସିଂହ ଆଉ ଫତୁରା ସିଂହ। ସତୁରା ବୟସରେ ବଡ଼। ଭାଇ ତ ନୁହେଁ ଦିହେଁ ଭଗାରି। ବାପା ମାଆ ଥିବାବେଳେ ହିଁ ଭିନ୍ନେ ହୋଇଯାଇଛନ୍ତି ନିଜ ହାତକୁ ହାତେ। ଅନେକ ଦିନରୁ ଦୁଇ ଭାଇଙ୍କ ମଧ୍ୟରେ ଅହିନକୁଳ ସମ୍ପର୍କ। କେହି କାହାରି ଶିରି ଦେଖି ପାରନ୍ତି ନାହିଁ। ଯୋଗକୁ ଦୁଇଜଣଙ୍କର ଧର୍ମପତ୍ନୀମାନେ ବି ସେହି ସମାନ ମାନସିକତା ସଂପନ୍ନ। ଯେଉଁଦିନ ସେମାନଙ୍କ ମଧ୍ୟରେ କିଛି ନା କିଛି ଖିଟ୍ ପିଟ୍ ନହେବ କାହାର ବି ଭାତ ହଜମ ହୁଏ ନାହିଁ। ଗାଁ ଦାଣ୍ଡରେ ବାଟୋଇମାନେ ଯାଉଥିବା ବେଳେ ତାଙ୍କ ଘରୁ ଅନେକ ସମୟରେ ପାଟିତୁଣ୍ଡ ଶୁଣିବାକୁ ପାଆନ୍ତି।ଦୁଇଭାଇଙ୍କ ମଧ୍ୟରେ ଅସଲ ମନାନ୍ତରର ମଞ୍ଜି ହେଲା ତଳଦଣ୍ଡାରେ ଥିବା ଦୁଇ ଏକରର ଉର୍ବର ଚାଷଜମି ଆଉ ମାଛପୋଖରୀ। ସବୁ ଧନ ସମ୍ପତ୍ତି ଦୁଇ ସମାନ ଭାଗରେ ବଣ୍ଟା ଯାଇସାରିଥିଲା ମଧ୍ୟ ଏଇ ଦିଏକର ଜମିକୁ ନେଇ ସବୁବେଳେ ଝାମେଲା। ଅନେକ ଥର ଭଦ୍ରଲୋକ ବସି ନ୍ଯାୟ ନିଷ୍ପତ୍ତି ହୋଇଛି ହେଲେ ଫଳ ଶୂନ। ଦୁହେଁ ନଛୋଡବନ୍ଧା। କେହି ବି କାହାରି ସହ ଭାଗ ବସାଇବା ପାଇଁ ନାରାଜ୍।
ଏମାନଙ୍କର ମତିଗତିର ସୁଯୋଗ ନେଇ ଗାଁର ଅନ୍ୟମାନେ ଜମିକୁ ହଡ଼ପ କରିବାକୁ ମସୁଧା କରୁଥିଲେ। କିଛି ଟାଉଟର ଦୁଇଭାଇଙ୍କୁ ଲଢେଇ ରଖି ମଜା ଦେଖୁଥାନ୍ତି। ଦୁଇ ପକ୍ଷରୁ ପଇସା ଖାଇ ହାତ ଚିକ୍କଣ କରୁଥାନ୍ତି କଜ୍ଜଳପାତିଆ ମାମଲତକାରଗଣ। ସ୍ଥାୟୀ ସମାଧାନ କରିବା ପରିବର୍ତ୍ତେ ଝୁଲେଇ ରଖି ଦୁଇଭାଇଙ୍କୁ ଲୁଟୁଥାନ୍ତି। ସେବର୍ଷ ଖରାଦିନେ ମାଛପୋଖରୀ ଉଝୁଳା ଯାଉଥିଲା। ଗାଁସାରା ଲୋକ ଭିଡ଼। ବଡ଼ ବଡ଼ ରୋହି ଭାକୁର ମିରିକାଳି ଚିତ୍ତଳ ଷେଉଳ ରତା ମାଗୁର ଚିଙ୍ଗୁଡି କଙ୍କଡା ସବୁ ଧରାପଡୁଥାନ୍ତି। ଦେଖିଲେ ପେଟ ପୁରିଯିବ। ଖାଇବା ତ ଦୂରର କଥା। ତେଲ କଡେଇରେ ଏହି ମଧୁର ଜଳରୁ ମିଳୁଥିବା ମାଛ ଭାଜିଲେ ତାର ତୈଳସ୍ନିଗ୍ଧ ବାସ୍ନାରେ ମହକି ଉଠିବ ଖଣ୍ଡ ମଣ୍ଡଳ। କିଏ ବା ଏଡ଼ାଇ ପାରିବ ଏଇ ମାଛଗୁଡ଼ିକର ଲୋଭ?
ଗାଁ ମାମଲତକାରଙ୍କ ଉପସ୍ଥିତିରେ ବଣ୍ଟାଯିବ ସେସବୁ। ହେଲେ ଏକଣ ଭାଗବଣ୍ଟା ବେଳକୁ ଭଦ୍ରଲୋକେ ତିନି ଭାଗ କରିବାକୁ ଅଡିବସିଲେ। ତୃତୀୟ ଭାଗଟି ସେମାନଙ୍କର ମଧ୍ୟସ୍ଥି ପାଉଣା। ମାମଲତକାରଙ୍କ ଏହି ଅଜବ ସର୍ତ୍ତରେ ଦୁଇ ଭାଇ ରାଜି ନଥିଲେ। ଦୁହେଁ ଦୁହିଁଙ୍କୁ ଅବିଶ୍ଵାସ ତ ଆଗରୁ କରୁଥିଲେ ଏବେ ଚିନ୍ତା କଲେ ଯେ ଆର ଜଣକ ମାମଲତକାରଙ୍କୁ ହାତରେ ରଖିବା ପାଇଁ ହୁଏତଃ ଏହି ଭିଆଣ କରିଥାଇପାରେ। ଧୂ ଧୂ ଖରାରେ ମୁଣ୍ଡ ଫାଟି ଯାଉଥାଏ ତେଣେ ଘରେ ମାଛ ତରକାରୀ ପାଇଁ ବେସରବଟା ଚାଲିଛି। ହେଲେ ଏଠି ଭାଗ ବଣ୍ଟା ଛିଡୁନି। କେହି ଜଣେ ସତୁରା ସିଂହଙ୍କୁ ଉସୁକେଇଦେଲା। ଚାହୁଁ ଚାହୁଁ ଆରମ୍ଭ ହୋଇଗଲା ବଚସା। ବଚସାରୁ ତୁମୁଳ କାଣ୍ଡ। ଉପସ୍ଥିତ ଭଦ୍ର ଲୋକେ ନିରବ ଦର୍ଶକ। ମାଛ ଭର୍ତ୍ତି ହଣ୍ଡାଟି ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ। ସାନ ଭାଇ ଫତୁରା ସିଂହର ଠେଙ୍ଗା ମାଡ଼ରେ ବଡ଼ ଭାଇ ସତୁରା ସିଂହ ମୃତ!
ବନାଗ୍ନି ପରି ବ୍ଯାପି ଗଲା ଏହି ଦୁଃଖଦ ଖବରଟି। ସଙ୍ଗେ ସଙ୍ଗେ ନିଆଳି ଥାନାରୁ ଛୁଟି ଆସିଲେ ଥାନାବାବୁ ସଦଳବଳେ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଗିରଫ କରାଗଲା ଫତୁରା ସିଂହଙ୍କୁ। ଦୁଇଭାଇଙ୍କ ପରିବାର ବରବାଦ୍ ହୋଇଯାଇଥିଲା ମଧ୍ୟସ୍ଥି ମାମଲତକାରଙ୍କ ପାଇଁ। ଧରାଯାଇଥିବା ମାଛସବୁକୁ ଦ୍ବିପଦ ରଙ୍କୁଣା ଚିଲ ଶାଗୁଣାମାନେ ଲୁଟି ନେଇଥିଲେ। ସୂର୍ଯ୍ୟ ନଇଁ ଆସିବା ବେଳକୁ ସତୁରା ସିଂହର ଚିତା ଜଳୁଥିଲା ଗାଁ ମଶାଣିରେ। ଆଉ ସାନଭାଇ ଫତୁରା ସିଂହ ଥିଲା ପୋଲିସ୍ ହାଜତରେ। ଅଶୀତିପର ବାପାମାଆଙ୍କ ଆଖିରୁ ବୋହିଯାଉଥିଲା ଅମାନିଆ ଲୁହର ଧାର, ଯାହାକୁ ରୋକିବାକୁ ସଭିଏଁ ଅସମର୍ଥ ଥିଲେ।
ଫତୁରା ସିଂହକୁ ପରଦିନ କଟକ ଜିଲ୍ଲା ଫୌଜଦାରୀ କୋର୍ଟରେ ହାଜର କରାଗଲା। ଜାମିନ ନାମଞ୍ଜୁର ହେବାରୁ ଚୌଦ୍ଵାର ଜେଲକୁ ପଠାଇ ଦିଆଗଲା। ଫତୁରାର ଶାଳକ ଟଙ୍କଧର ବାବୁ କଟକ ମାଲଗୋଦାମରେ ଗୁମାସ୍ତା। ନିଜର ଏକମାତ୍ର ଭିଣୋଇଙ୍କୁ ମୁକୁଳାଇବା ପାଇଁ ବାରିଷ୍ଟର ବିଶ୍ବମ୍ବର ବିଶ୍ବାସରାୟଙ୍କ ଦ୍ୱାରସ୍ଥ ହେଲେ। ସବିଶେଷ ଆଲୋଚନା ପରେ ବାରିଷ୍ଟର ରାଜି ହେଲେ ମାମଲା ପରିଚାଳନା ଭାର ହାତକୁ ନେବା ପାଇଁ। ଟିକିନିଖି କରି ସମସ୍ତ ବିଷୟରେ ଅବଗତ ହେଲେ। କିନ୍ତୁ ମୋଟା ଅଙ୍କର ଅଗ୍ରୀମ ପାଉଣା ଦେବାକୁ ଅସମର୍ଥ ବୋଲି ଟଙ୍କଧର ବାବୁ ଜଣାଇବାରୁ, ଫତୁରାର ଜେଲରୁ ମୁକୁଳିବା ପରେ ଫିସ୍ ଦେବାକୁ ଚୁକ୍ତି ହେଲା। ଗରିବ ଲୋକର ଅବସ୍ଥା ଦେଖି ବାରିଷ୍ଟର ମଧ୍ଯ ନିଜ ଅଗ୍ରୀମ ନୀତିରେ ପରିବର୍ତ୍ତନ ଆଣିଲେ।
କୋର୍ଟରେ ଆରମ୍ଭ ହେଲା ମାମଲାର ବିଚାର। ଶୁଣାଣି ବେଳେ ସରକାରୀ ଓକିଲ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଫତୁରାକୁ ଫାସି ଦଣ୍ଡ ଦେବା ପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କଲେ। ସମସ୍ତ ତଥ୍ୟ ସାକ୍ଷ୍ୟ ପ୍ରମାଣ ଫତୁରାକୁ ଦୋଷୀ ସାବ୍ୟସ୍ତ କରୁଥିଲେ। ମାମଲାରେ କିଛି ବି ରହସ୍ୟ କିମ୍ବା ଦୁର୍ବୋଧ୍ୟ ବିଷୟ ନଥିଲା। ସଭିଏଁ ଦୃଢ଼ ନିଶ୍ଚତ ଥିଲେ ଫତୁରାର ଫାସି ବାବଦରେ।
ବିଚାରପତି ମହୋଦୟ ପ୍ରତିପକ୍ଷ ଓକିଲଙ୍କୁ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଲେ। ପ୍ରତିପକ୍ଷରୁ ବାରିଷ୍ଟର ବିଶ୍ବମ୍ବର ବିଶ୍ବାସରାୟ ନିଜ ଆସନରୁ ଉଠି ଠିଆ ହେଲେ। ଗାଉନକୁ ଟିକେ ସଜାଡି ନେଇ ଆରମ୍ଭ କଲେ, " ମିଃଲର୍ଡ୍! ମୋର ମହକିଲ ଫତୁରା ସିଂହ ମାନସିକ ବିକୃତି ସଂପନ୍ନ ମଣିଷ। ସାଧା ଭାଷାରେ କହିଲେ ପାଗଳଟାଏ। ଯିଏ ନିଜେ କଣ କରୁଛି ତାକୁ ଜଣା ନାହିଁ। ଗାଁ ଲୋକେ ତାର ଭାଇକୁ ମାରି ଖସିଯିବା ପାଇଁ ଏଇ ପାଗଳ ମୁଣ୍ଡରେ ଦୋଷ ଲଦି ଦେଇଛନ୍ତି। ଏହି ଅଦାଲତରେ ଉପସ୍ଥାପିତ ସମସ୍ତ ସାକ୍ଷ୍ୟ ପ୍ରମାଣ ଏହିସବୁ ଲୋକଙ୍କ ଦ୍ୱାରା ପ୍ରସ୍ତୁତ ଦସ୍ତାବିଜ, ଯାହାର ମୋ ମହକିଲଙ୍କ ସହ କୌଣସି ପ୍ରକାର ସଂପର୍କ ନାହିଁ। ଦୀର୍ଘ ବର୍ଷ ଧରି ଫତୁରା ସିଂହ ମାନସିକ ବିକୃତି ପାଇଁ ଚିକିତ୍ସିତ ହେଉଛନ୍ତି। ଏଇ ରହିଲା ତାଙ୍କର ମେଡିକାଲ୍ ରିପୋର୍ଟ୍। ଏଣୁ ମୁଁ ମାନନୀୟ ନ୍ଯାୟାଧିଶଙ୍କୁ ଅନୁରୋଧ କରେ କି ମାନସିକ ବିକାରଗ୍ରସ୍ତ ଫତୁରା ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଉ।"
ପ୍ରତିପକ୍ଷ ଓକିଲଙ୍କ ଅପ୍ରତ୍ୟାଶିତ ଯୁକ୍ତିରେ ସରକାରୀ ଓକିଲ ଚକମା ଖାଇ ଆବାକ୍ ହୋଇଯାଇଥିଲେ। କାଠଗଡ଼ାରେ ଠିଆ ହୋଇଥିବା ଫତୁରାକୁ କ୍ରସ୍ ଏକଜାମିନ୍ କରିବାକୁ ଅନୁମତି ଲୋଡିଲେ। ବିଚାରପତିଙ୍କ ଦ୍ବାରା ମଞ୍ଜୁର ହେଲା ଅନୁମତି। ଫତୁରାକୁ ଗୀତା ଉପରେ ହାତ ରଖିବାକୁ କୁହାଗଲା। ସେ ଶୁଣିଲାନି। ଅଗତ୍ୟା ତାର ହାତକୁ ଭିଡି ଆଣି ଗୀତା ଉପରେ ରଖାଗଲା ଏବଂ ଶପଥ କରିଦିଆଗଲା ଯେ, ସେ ଯାହା କହିବ ସତ ହିଁ କହିବ, ସତ କଥା ଛଡା ଆଉ କିଛି ବି କହିବ ନାହିଁ।
ସରକାରୀ ଓକିଲ ଫତୁରାକୁ ଜବାବସୁଆଲ କରିବା ପାଇଁ ପଚାରିଲେ।
: ତୁମର ନାଁ କଣ?
ଫତୁରା କିଛି ବି କହିଲା ନାହିଁ। ବାରିଷ୍ଟର ବିଶ୍ବମ୍ବରଙ୍କ ଆଡକୁ ବିକଳ ହୋଇ ଚାହିଁଲା। ଆଖିରେ ଆଖିରେ ଇସାରା ଦେଲେ ବାରିଷ୍ଟର। ଏବେ ଫତୁରା ଆରମ୍ଭ କଲା ପାଗଳାମି। ବେଶ୍ ନିଖୁଣ ଭାବେ ଅଭିନୟ କରିଥିଲା ସେ। ଆଗରୁ ଗାଁ ଡ୍ରାମାରେ ଅଂଶଗ୍ରହଣ କରି ହାସଲ କରିଥିବା ଅଭିଜ୍ଞତା ଠିକ୍ ଜୀବନ ମରଣ ସମସ୍ଯା ବେଳକୁ କାମରେ ଆସିଲା।
ସରକାରୀ ଓକିଲ ପୁଣି ପଚାରିଲେ।
: ତୁମ ନାଁ କଣ?
: ମେଁ...
: ତୁମ ଗାଁ ନାଁ କଣ?
: ମେଁ...
: ତୁମ ଭାଇକୁ ମାରିଲ କାହିଁକି?
: ମେଁ...
: କିଏ ତୁମକୁ ଭାଇକୁ ମାରିବା ପାଇଁ ଉସକାଇଲେ?
: ମେଁ...
: ସତ କଥା ମାନି ଯାଅ ଛାଡ଼ି ଦେବେ ତୁମକୁ। ନହେଲେ ଫାସି ହେବ...
: ମେଁ...
: ଦେଖ, ଅଦାଲତରେ ଅଭିନୟ କରି ସମୟ ନଷ୍ଟ କରିବା ଅଭିଯୋଗରେ ତୁମକୁ ଜେଲ୍ ହୋଇ ପାରେ...
: ମେଁ...
: ଭଲରେ ଭଲରେ ସତ କଥା କହିଦିଅ...
: ମେଁ...
ସରକାରୀ ଓକିଲ ଯାହା ବି ପ୍ରଶ୍ନ ପଚାରୁଥିଲେ, ଉତ୍ତରରେ ଫତୁରା କେବଳ "ମେଁ" କହୁଥିଲା ନିଜକୁ ପାଗଳ ବୋଲି ପ୍ରମାଣିତ କରିବା ପାଇଁ। ତାର ଏପରି ବିଚିତ୍ର ବ୍ୟବହାରରେ ସଭିଏଁ ଆଶ୍ଚର୍ଯ୍ୟ। ଲୋକଟା କଣ ସତରେ ଭାତୃ ହତ୍ଯାର ଆତ୍ମଗ୍ଲାନିରେ ପାଗଳ ହୋଇଗଲାଣି? ଏସବୁକୁ ବିଚାରପତି ମହୋଦୟ ବଡ଼ ଉତ୍ସୁକତାର ସହ ପର୍ଯ୍ୟବେକ୍ଷଣ କରୁଥାନ୍ତି। ତାଙ୍କ ମନରେ କେଉଁଠି ନା କେଉଠି ପ୍ରଶ୍ନ ଉଠୁଥିଲା ଫତୁରାର ପାଗଳାମି ଅବା ଫାଜିଲାମିକୁ ନେଇ। କିନ୍ତୁ ମେଡିକାଲ୍ ରିପୋର୍ଟ୍ ଓ ବାରିଷ୍ଟରଙ୍କ ଅକାଟ୍ଯ ଯୁକ୍ତି ଆଗରେ ସରକାରୀ ଓକିଲ ନିରସ୍ତ୍ର ହୋଇ ନିଜର ପରାଜୟ ସ୍ବୀକାର କରିନେଇଥିଲେ। ପୋଲିସର ଥାର୍ଡ୍ ଡିଗ୍ରୀ ପାଇଁ ଫତୁରା କନ୍ଫେସନ୍ ଦସ୍ତଖତ କରିଥିବା କଥା ପ୍ରମାଣ କରିବା ପାଇଁ ତା ଦେହରେ ଥିବା ମାଡ଼ ଦାଗ ଯଥେଷ୍ଟ ଥିଲା।
ବିଚାରପତି ନିରୁପାୟ। ଆଜିକାଲି ଭଳି ମିଛଧରିବା ଉପାୟ ସେବେ ଉପଲବ୍ଧ ନଥିଲା। ସୂତରାଂ ଫତୁରା ସିଂହକୁ ନିର୍ଦୋଷରେ ଖଲାସ କରାଗଲା। ଏବେ ପାଳି ବାରିଷ୍ଟରଙ୍କ ପାଉଣା ଦେବାର ଚୁକ୍ତି ମୁତାବକ। ବାରିଷ୍ଟର ମାଗିଲେ ନିଜର ପାଉଣା। ଫତୁରା ସିଂହ ପ୍ରତ୍ୟୁତ୍ତରେ କେବଳ ପଦୁଟିଏ କହିଲା... "ମେଁ"!! ପବନ ବେଗରେ ଉଭାନ୍ ହୋଇଗଲା ସଭିଙ୍କର ଦୃଷ୍ଟିରୁ। ବାରିଷ୍ଟର ବିଶ୍ବମ୍ବର ବାବୁ ଜୀବନରେ ପ୍ରଥମ ଥର ମକଦ୍ଦମା ଜିତି ମଧ୍ୟ ହାରି ଯାଇଥିଲେ ନିଜର ପାରିଶ୍ରମିକ! ତାଙ୍କ ଦ୍ବାରା ପ୍ରଶିକ୍ଷିତ ମହକିଲ ତାଙ୍କୁ ବୋକା ବନାଇ ମାରିଥିଲା ଚମ୍ପଟ...