STORYMIRROR

Gobinda Chandra Sethi

Romance Fantasy Thriller

4.5  

Gobinda Chandra Sethi

Romance Fantasy Thriller

ବାଃ ଭାଲେଣ୍ଟାଇନ

ବାଃ ଭାଲେଣ୍ଟାଇନ

8 mins
229


  ଆମ ପଡୋଶୀ ମାଉସୀଙ୍କ ବଡ଼ ଝିଅ ପୂର୍ଣ୍ଣିମା ମୋ ଚାନ୍ଦ। ଆମ ଦୁଇ ପରିବାର ମଧ୍ୟରେ କ୍ଷୀର ନିରର ସମ୍ପର୍କ । ଆମେ ଦୁହେଁ ବି.ଏସ.ସି ଭୁବନେଶ୍ୱର ବି. ଜେ. ବି କଲେଜରେ ପଢ଼ୁଥିଲୁ । କଲେଜ ଯିବା ଆସିବା ଦୁହେଁ ସାଙ୍ଗ ହୋଇ କରୁଥିଲୁ । ଆଜି ମୁଁ ଘର ସଂସାର କରି ନେଇଛି । କିନ୍ତୁ ବିଗତ ଦିନର ଘଟଣା ଗୁଡିକ ମୋ ମନର ଅସ୍ଥିର ଭାବନକୁ ଆନ୍ଦୋଳିତ କରୁଛି। ପ୍ରଣୟର ପ୍ରେମର ଦିଗଟା କିପରି ପରିବର୍ତ୍ତନ ହୋଇଗଲା ଜଣା ପଡିଲା ନାହିଁ । ସେ ଦିନର ପ୍ରେମଟା ଆମ ମଧ୍ୟରେ କିପରି ଅଭେଦ୍ୟ ପାଚେରୀ ହୋଇ ଛିଡା ହୋଇଥିଲା ତାହା ଭାଵିଲା ବେଳକୁ ବିକଳ ଲାଗେ । ଆଜି ମୋ ଚାନ୍ଦ ଜଣେ ସୁନାମ ଧନ୍ୟ ଡାକ୍ତରଙ୍କ ସହ ଧର୍ମିଣୀ । ଆଉ ମୁଁ ଜଣେ ଓଡିଶା ସେକ୍ରେଟାରୀଏଟର ଜଣେ କାର୍ଯ୍ୟରତ ଅଫିସର ଅନୁପ ମହାପାତ୍ରଙ୍କ ଧର୍ମପତ୍ନୀ । ଏ କେମିତିକା ପ୍ରେମ କିପରି ହେଲା ମୁଁ ଜାଣେନା । ସମୟ ଗତିରେ ଆମ ଦୁହିଁଙ୍କର ଏକ ମନ ଏକ ପ୍ରାଣର ଗତିପଥ କ୍ରମଶଃ ଦିଗ ହରା ହୋଇ କିପରି ଗତି ପଥଟା ବଦଳି ଗଲା ଆଜି ଭାବିଲା ବେଳକୁ ସ୍ବପ୍ନ ରାଇଜର ପରି କାହାଣୀ ପରି ଲାଗୁଛି। 


  ରାତି ପାହିଲେ କୁମାର ପୂର୍ଣ୍ଣିମା । ରାତିସାରା ନିଦ ନାହିଁ ସକାଳ ହେଲେ ପୂଜା ହେବ। ସର୍ବଗୁଣସମ୍ପନ୍ନ ଜୀବନସାଥୀ ପାଇବାକୁ କୁମାରୀ କରିବେ ଚନ୍ଦ୍ରପୂଜା । ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ ଆମେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା କରିବୁ । ଏହି ପୂଜା କଲେ ଭଲ ବର ମିଳେ ବୋଲି ବିଶ୍ଵାସ ରହିଛି ।   

  ସେ ଦିନ ବଡି ଭୋର୍‌ରୁ ଉଠି ଆମେ ଗାଧୋଇ ନୂତନ ବସ୍ତ୍ର ପରିଧାନ କରି ଚଉରା ମୂଳେ ପହଁଞ୍ଚି ଗଲୁ । ମାଉସୀ ଚଉରା ମୂଳ ଲିପାଲିପି କରି ମୁରୁଜ ପକାଇ ଦେଇଥାନ୍ତି । ଖଇ, ଗୁଆ, କଦଳୀ, ନଡ଼ିଆ, କସି କାକୁଡ଼ି, କସି ଜହ୍ନି ଓ ଆଖୁ ଆଦି ଫଳ ମୂଳ ନେଇ ଆମେ ପୂଜା କରିବାକୁ ଆସି ପହଞ୍ଚିଗଲୁ । ଆମ ଦୁହିଁଙ୍କୁ ଦେଖି ସେ ଦିନ ଅନୁପ ଭାଇ ମୁରୁକି ହସି ତାଙ୍କ ସେକ୍ରେଟାରୀଏଟ୍ ଅଫିସ ଚାଲିଗଲେ । ସେ ନୂଆ ନୂଆ ଚାକିରୀ ପାଇ ଆମ ଘର ପାଖରେ ପୂର୍ଣ୍ଣ ମଉସାଙ୍କ ଘରେ ଭଡାରେ ରହୁଥିଲେ । ସେ ଦିନ ଦୁହେଁ ଆମେ ଠରାଠରି ହୋଇ ହେଲୁ ଏପରି ବରଟା ଯଦି ମିଳି ଯାଆନ୍ତା ଆମ ଚାନ୍ଦ ପୂଜା ସଫଳ ହୁଅନ୍ତା । ଏପରି କଥା ହେଉ ହେଉ ମାଉସୀ ଆସି ପହଁଞ୍ଚି ଗଲେ କହିଲେ କଣ କିରେ ଭାରି ହସା ହସି ହେଉଛ। ତାପରେ ଆମେ ଦୁହେଁ ଚୁପଚାପ ହୋଇ ଗଲୁ । ସେ ଦିନ ସକାଳେ ବୃନ୍ଦାବତୀଙ୍କ ପାଖରେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରି ପୂଜା ଶେଷ ହୋଇଥିଲା ।

    ସନ୍ଧ୍ୟାରେ କୁମାରୀମାନଙ୍କ ଚଉରା ମୂଳେ ଏକତ୍ର ହୋଇ ଚାନ୍ଦ ପୂଜା କରନ୍ତି । ଚାନ୍ଦ ଉଇଁବା ଆରମ୍ଭ ହେଉଥାଏ ମାଉସୀ ସେଦିନ କହୁଥିଲେ ଆରେ ଜଲଦି ପୂଜାକର ଜହ୍ନ ଉପରକୁ ଉଠି ଆସିଲାଣି । ପୂଜାରେ ଡେରିହେଲେ ବୁଢ଼ା ବର ମିଳିବ। ଯେତିକି ହସୁଥିଲୁ ସେତିକି ତତ୍ପରତା ମନରେ ଝୁଙ୍କ ମାରୁଥିଲା ସତରେ କଣ କଥାଟା ସତ । କାଳେ ବୁଢ଼ା ବର ମିଳିଯିବ ତେଣୁ ତର ତର ହେଉ ଥାଉ ପୂଜା ଶେଷ କରିବାକୁ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ରଟିଏ ବାନ୍ଧି ଦେଲୁ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା' ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଇ ଦେଲୁ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ସଜାଇ ଦେଇଥିଲୁ ।ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲାଗିଲା । ଭୋଗ ପରେ ନିଜ ପ୍ରିୟ ସାଙ୍ଗ ପୂର୍ଣ୍ଣିମା ସହ ଚାନ୍ଦ ଚକଟା ଖୁଆ ଖୁଇ ହୋଇ "ଚାନ୍ଦ" ବସିଲୁ । ସେହି ଦିନ ଠାରୁ ଦୁହେଁ ନିଜ ନାଁ ବଦଳରେ ଚାନ୍ଦ ଡକା ଡାକି ହେଲୁ । ମୁଁ ପୂର୍ଣ୍ଣିମା ଡାକେ ନାହିଁ କି ସେ ମୋତେ ଅନୁପମା ଡାକେ ନାହିଁ। କିନ୍ତୁ କୁମାର ପୂର୍ଣ୍ଣିମାରେ ମୋ ଚାନ୍ଦ ମନକୁ ସେ ଦିନ କିଣି ନେଇଥିଲା ଅନୁପ ଭାଇର ରୂପ । ପୂଜା ସରିଲା ବେଳକୁ ସେ ଦିନ ଆମ ଗଳି ଦେଇ ଅନୁପ ଭାଇ ଅଫିସରୁ ଫେରୁଥାନ୍ତି । ସମସ୍ତଙ୍କୁ ପୂର୍ଣ୍ଣିମା ଭୋଗ ବାଣ୍ଟୁଥାଏ। ମୁଁ କହିଲି ଭାଇନା ଭୋଗ ନେଉନ,ଅନୁପ ଭାଇ ପଛକୁ ଫେରି ଆସି ପୂର୍ଣ୍ଣିମା ହାତରୁ ଭୋଗ ନେଇ ମୁରିକି ମୁରିକି ହସି ଚାଲି ଗଲେ। ମୁଁ ଦେଖିଲି ଅନୁପ ଭାଇ କିଛି ବାଟ ଆଗକୁ ଗଲାପରେ ପଛକୁ ଚାହିଁଲା ବେଳକୁ ଚାନ୍ଦ ବି ସେମିତି ଅନାଇ ଥାଏ । ସତରେ ଯେମିତି ଦୁହେଁ ଦୁହିଁଙ୍କର ମନକୁ କିଣି ନେଇଛନ୍ତି । କଣ ଚାନ୍ଦ ପସନ୍ଦ ହୋଇଛି କହିଲା ବେଳକୁ ପୂର୍ଣ୍ଣିମା ଚମକି ପଡିଲା । ସେ ମୋ ମୁହଁରେ ପୁଳାଏ ଚାନ୍ଦ ଚକଟା ମାଡ଼ି ଦେଇ କହିଲା ହଁ ହଁ ପସନ୍ଦ ଲାଗୁଛି ଆଉ ଖାଇବୁକି କହି କଥା ବୁଲେଇ ଦେଲା । ଆମେ ଦୁହେଁ ହେଁ ହେଁ ହୋଇ ହସି ଉଠିଲୁ । ଏତିକି ବେଳେ ପଛରୁ ମାଉସୀ ପହଁଞ୍ଚି କଣ ପସନ୍ଦ କିରେ କହିଲା ବେଳକୁ ଆମ ହସ ବନ୍ଦ। ମୁଁ କହିଲି ମାଉସୀ ଦେଖିଲ,ଚାନ୍ଦ ମୋ ମୁହଁରେ କେତେ ଚକଟା ବୋଳିଲାଣି ମୋତେ ପସନ୍ଦ ଲାଗୁଛି ବୋଲି। ମାଉସୀ କହିଲେ ଏ ଚକଟା ସମସ୍ତଙ୍କୁ ପସନ୍ଦ ଲାଗିବ, ଠାକୁରଙ୍କୁ ଡାକ ଦୁଇଜଣକୁ ପୁନେଇଁ ଜହ୍ନ ହସିଲା ପରି ବର ମିଳୁ। ଆମେ ଦୁହେଁ ହସି ଦେଇ ପୂର୍ଣ୍ଣିମାର ଷ୍ଟଡିରୁମ ଭିତରେ ପସିଗଲୁ।

    ସେହି ଦିନ ଠାରୁ ମୋ ଚାନ୍ଦର ଅନୁପ ଭାଇଙ୍କୁ ମନେ ମନେ ଭଲ ପାଇବା ଅନେକ ବଢ଼ି ଯାଇଥିଲା। କେବେ ମୁହଁ ଖୋଲି କହି ପାରୁ ନ ଥିଲା । ମାଉସୀ ବହୁତ ଷ୍ଟ୍ରିକ୍ଟ , କଲେଜ ଗଲାବେଳେ କୁହନ୍ତି ସିଧା ଯିବ ସିଧା ଆସିବ । କାହା ସହିତ ହେଁ ହେଁ ହେବାର ମୁଁ ଦେଖିବି ନାହିଁ କି ଶୁଣିବି ନାହିଁ । ନୋହିଲେ ତୋ ପାଠ ପଢା ବନ୍ଦ ଘରେ ବସିବୁ । ସେଥିପାଇଁ ସେ ଅନୁପ ଭାଇକୁ ପାଟି ଖୋଲିବାକୁ ସାହସ କରେ ନାହିଁ । କିନ୍ତୁ ତାଙ୍କ ପ୍ରେମରେ ଉବୁଟୁବୁ ହେଉଥାଏ । ସେ ଭଲ ପାଇବାର ସୂତ୍ରଧାର ମୁଁ କହିଲେ ଚଳେ। ବେଳେ ବେଳେ ରାସ୍ତା କଡରେ କଲେଜ ଯିବାପାଇଁ ଅଟୋରିକ୍ସାକୁ ଅପେକ୍ଷା କରିଥିବା ବେଳେ ଅନୁପ ଭାଇ ଆମ ଦୁହିଙ୍କ ଆଡ଼େ ଚାହିଁ ମୁରୁକି ହସି ମଟର ସାଇକେଲରେ ଅଫିସ ଯାଉଥିଲେ । ମୁଁ ବେଳେ ବେଳେ ତାଙ୍କୁ ହାତ ହଲାଇ କେତେ ଥର ଟା ଟା କରିଛି । ନାଁ ସିଏ ଦେଖିଛନ୍ତି ନାଁ ଆଉ କିଏ। ମୁଁ ସବୁବେଳେ ମୋ ଚାନ୍ଦକୁ କହୁଥିଲି ଭାଲେଣ୍ଟାଇନ ତୋର ଯାଉଛି । ଏଭଳି ଭାଲେଣ୍ଟାଇନ ଭାଗ୍ୟରେ ଥିଲେ ମିଳେ କହି ଖାଲି ଆମେ ଦୁହେଁ ହସି ହସି ଗଡ଼ୁଥିଲୁ ।

  ପ୍ରେମର ଅମଡ଼ା ବାଟରେ ଚାଲୁ ଚାଲୁ କେତେବେଳେ ପ୍ରେମର ଦିଗଟା ବଦଳି ଗଲା ଜାଣି ପାରିଲୁ ନାହିଁ । ଦୁହିଁଙ୍କର ବି.ଏସ.ସି ସରିଗଲା। ମୋ ଚାନ୍ଦର ବୋଉ ଶୋଭା ମାଉସୀ ସବୁବେଳେ ମୋ ବୋଉକୁ କହୁଥିଲେ ଝିଅମାନେ ବଢିଲା ନଈ ଏମାନଙ୍କୁ ଆଉ ପାଖରେ ରଖି ଲାଭ ନାହିଁ । ତୁମେ ଅନୁ ବୋଉ ଜ୍ୱାଇଁ ଖୋଜା ଖୋଜି କଲେଣି କି ନାହିଁ । ମୋ ବୋଉ କହେ ହଁ ଖୋଜିବା ପାଇଁ ମୋ ଭାଇଙ୍କୁ କହିଛି । ଆଜିକାଲି ଚାକିରୀଆ ବର ପାଇବା ବହୁତ କଷ୍ଟ ତଥାପି ନଜର ପକାଇ ସାଙ୍ଗ ସାଥୀଙ୍କୁ କହିଛି ବୋଲି ଅନୁ ବାପା କହୁଛନ୍ତି । ଶୋଭା ମାଉସୀ କହିଲେ ଏହି ଦୁଇ ବର୍ଷ ଭିତରେ ପୂର୍ଣ୍ଣିମା ବିବାହ ଯେମିତି ହେଲେ କରିବୁ ବୋଲି ପୂର୍ଣ୍ଣିମା ବାପା କହିଛନ୍ତି । ଏ କଥା ଗୁଡିକ ଶୁଣି ଆମେ ଦୁହେଁ ହସି ହସି ଘର ଭିତରେ ଯାଇ ବସିଲୁ।

  

 ଶୋଭା ମାଉସୀ ଡରରେ ଓ ଏକ ପାଖିଆ ପ୍ରେମରେ ମୋ ଚାନ୍ଦ ହାରି ଯାଇଥିଲା । ମୋ ଚାନ୍ଦ ପାଇଁ ପ୍ରେମର ସମ୍ପର୍କକୁ ବଢ଼ାଇବାକୁ ଯାଇ ମୁଁ ଅନୁପମା ମୋ ଚାନ୍ଦର ପ୍ରେମରେ ପାଚେରୀ ହୋଇ କିପରି ଛିଡ଼ା ହୋଇ ଯାଇଥିଲି ମୁଁ ଜାଣେ ନାଁ । ଅନୁପ ଭାଇଙ୍କ ଏକ ପାଖିଆ ପ୍ରେମରେ ମୁଁ କୁଆଡେ ତାଙ୍କ ମନ କିଣି ନେଇଥିଲି । ଅନୁପ ଭାଇଙ୍କ ମା ବାପା ସେ ଦିନେ ମୋ ମାମୁଁଙ୍କ ସହ ଆମ ଘରକୁ ଆସି ମୋ ସହିତ ବିବାହ ପ୍ରସ୍ତାବ ଆଣିଲେ । ଏ ପ୍ରସ୍ତାବରେ ମୁଁ ଥିଲି ନିରୁପାୟ । ସେ ଦିନ ମୋତେ ଦେଖି ସେମାନେ ବୋହୁ କରିବା ପାଇଁ ପ୍ରସ୍ତାବ ଦେଇ ମୋ ହାତରେ ହଜାର ଏକ ଟଙ୍କା ଦେଇ ଚାଲିଗଲେ । କିଛି ବୁଝି ପାରିଲି ନାହିଁ ମୋ ଚାନ୍ଦକୁ କିପରି ବୁଝାଇବି ଓ ମୁହଁ ଦେଖାଇବି କିମ୍ବା ଏ ପ୍ରସ୍ତାବରେ ରାଜି ନୁହଁ ବୋଲି କହିବାର ସତ ସାହସ ମୋ ପାଖରେ ନ ଥିଲା । ବିବାହ ପ୍ରସ୍ତାବଟି ଯେଉଁ ଦିନ ମୋ ବୋଉ ଶୋଭା ମାଉସିଙ୍କୁ କହିଦେଲେ ସେଦିନ ମୋ ଚାନ୍ଦ ଶୁଣିଲା ପରେ ସ୍ଥାଣୁ ହୋଇ ଯାଇଥିଲା । ସେହି ଦିନ ଠାରୁ ଚାନ୍ଦ ମୋ ସହିତ କଥା ହେବାତ ଦୂରର କଥା ମୁଁ ତାର ଛାଇ ବି ଦେଖି ପାରୁ ନ ଥିଲି । ବିଭାଘର ପାଖେଇ ଆସିଲା ଚାନ୍ଦକୁ ବୋଉ ମୋତେ ଡାକିବା ପାଇଁ କହୁଥାଏ,କଣ କହି କିପରି ଡାକିବି କିଛି ବୁଝି ପାରୁ ନ ଥାଏ । ବିବାହ ପ୍ରସ୍ତାବ ଦିନ ଠାରୁ ମୋ ଚାନ୍ଦର ଆଖିରୁ ଲୋତକର ଶ୍ରାବଣ ଧାର କେବେ ବନ୍ଦ ହେଉ ନ ଥିଲା । କେହି କିଛି ଜାଣି ପାରୁ ନ ଥିଲେ। ସମସ୍ତେ କହୁଥିଲେ ଅନୁପମା ପୂର୍ଣ୍ଣିମା ଦୁହେଁ ପିଲା ଦିନର ସାଙ୍ଗ ଦୁହିଁଙ୍କ ପାଇଁ ଅଧୀର । ସମସ୍ତେ ଆମକୁ ବୁଝାଉଥାନ୍ତି ଆଜି ଅନୁପମା ଯାଉଛି କାଲି ପୂର୍ଣ୍ଣିମା ଶାଶୁ ଘରକୁ ଯିବ । ଝିଅ ଜନମ ଶାଶୁ ଘରକୁ ସବୁ ସ୍ନେହ ମମତା ଫିକା ପକାଇ ଯିବାକୁ ପଡିବ। କଥାରେ ଅଛି ବନ ପୋଡ଼ିଗଲେ ସମସ୍ତେ ଜାଣନ୍ତି ମନ ପୋଡ଼ିଗଲେ କିଏ ନ ଜାଣେ । କିନ୍ତୁ ମନର କଥାକୁ ବୁଝୁଛି କିଏ ? ବହୁ କଷ୍ଟକରି ବିବାହ ପୂର୍ବରୁ ଚାନ୍ଦ ପାଖକୁ ଗଲି ସ୍ୱଇଚ୍ଛାରେ ନୁହେଁ ଶୋଭା ମାଉସୀ ଖାଇବା ପାଇଁ ନିମନ୍ତ୍ରଣ କରିଥିଲେ। ସେ ଦିନ ଘର ଭିତରେ ପସୁ ପସୁ ସେ ଭେଁ ଭେଁ ହୋଇ କାନ୍ଦିବାକୁ ଆରମ୍ଭ କଲା । କିଛି ସମୟ ମୋ ବେକରେ ଓହଳି କଇଁ କଇଁ ହୋଇ କାନ୍ଦି ଧୀରେ ଧୀରେ କାନ୍ଦି କହିଲା ମୁଁ ପ୍ରେମରେ ହାରିଗଲି ଚାନ୍ଦ। କିନ୍ତୁ ମୁଁ ତା' ନୟନର ଶ୍ରାବଣ ଧାରାକୁ ବନ୍ଦ କରି ପାରି ନ ଥିଲି। ଯାହାକୁ ମୁଁ ତୋ ଭାଲେଣ୍ଟାଇନ ଭାଲେଣ୍ଟାଇନ କହି ଚିଡାଉଥିଲି ତାକୁ ମୁଁ ଦିନେ ଛଡାଇ ନେବି କେବେ ବିଶ୍ୱାସ କରି ପାରୁ ନ ଥିଲି । ସେ ଯୁଗରେ ମୁଣ୍ଡ ଟେକି ଜବାବ ଦେବାର ସାହସ ଆମ୍ଭ ଦୁହିଁଙ୍କ ପାଖରେ ନ ଥିଲା । ମୋତେ ଭୁଲ ବିଝିବୁ ନାହିଁ ଚାନ୍ଦ ଏଥିରେ ମୋର କିଛି ଭୁଲ ନାହିଁ ଏ ଅନୁପ ଭାଇଙ୍କ ଘର ଲୋକଙ୍କ ପ୍ରସ୍ତାବ ।

   ଦିନେ ଶୁଭମୁହୁର୍ତ୍ତ ଦେଖି ଅନୁପ ଭାଇ ବିବାହ ମଣ୍ଡପରେ ମୋର ହାତ ଧରି ଥିଲେ। ସମସ୍ତେ ବନ୍ଧୁ ବାନ୍ଧବ ମଣ୍ଡପରେ ରୁଣ୍ଡ ହେଲେ କେବଳ ମୋ ଚାନ୍ଦକୁ ଛାଡ଼ି । ମୁଁ ନିରୀହ ନିରିମାଖି ମୋ ମନରେ ତିଳେମାତ୍ର ମୋ ଚାନ୍ଦ ପ୍ରତି ହିଂସା କିମ୍ବା ଭାବ ନ ଥାଏ । ମନ ହେଉଥାଏ ମୋ ବଦଳରେ ମୋ ଚାନ୍ଦ ଯଦି ଅନୁପ ଭାଇକୁ ବିଭା ହାଉଥାନ୍ତା ସବୁ ଠାରୁ ଖୁସିରେ ମୁଁ ଏ ମଣ୍ଡପରେ ନାଚି ଥାନ୍ତି। ସେ ଦିନ ମୁଁ ଅନୁପମା ଅନୁପଙ୍କ ହାତର ସିନ୍ଦୁର ମଥାରେ ଲଗାଇ ତାଙ୍କ ସହଧର୍ମିଣୀ ପାଲଟି ଯାଇଥିଲି ବେଦିରେ ବସି । ମୋ କୁଆଁରୀ ଜୀବନର ଶେଷ ସୋପାନକୁ ଅତିକ୍ରମ କରି ମୁଁ ବଧୂ ସାଜିଥିଲି । ମୋ ହାତରେ ଶଙ୍ଖା ମଥାରେ ସିନ୍ଦୁର ଓ ମୁଣ୍ଡରେ ଓଢ଼ଣୀରେ ମୁଁ ନଵବଧୂ ସାଜି ଅନୁପଙ୍କ ଘରକୁ ଆସିଥିଲି। ସେ ଦିନ ବାସର ରାତ୍ରରେ ମୁଁ ଯେତେବେଳେ ମୋ ସ୍ୱାମୀ ଅନୁପଙ୍କୁ ପଚାରିଲେ ସତରେ କଣ ମୋତେ ବିବାହ ପୂର୍ବରୁ ଭଲ ପାଉଥିଲ। ସେହି ରାତ୍ରରେ ସେ ମୋବାଇଲ ନୋଟ ପ୍ୟାଡ଼ରେ ଲେଖିଥିବା ପ୍ରତି ତାରିଖର ଘଟଣା ଗୁଡିକୁ ମୋ ଆଗରେ ତନ ତନ କରି ପଢ଼ିବାକୁ ଲାଗିଲେ। କେତେବେଳେ ମୋ ଗୋଲାପ ପାଖୁଡା ଭାଲେଣ୍ଟାଇନ ତ ଆଉ କେତେବେଳେ ମୋ ପ୍ରିୟତମା କହି ଲେଖା ଗୁଡିକୁ ଆରମ୍ଭ କରିଛନ୍ତି । ଭିତରେ ବର୍ଣ୍ଣନା ଅଛି ତୁମ ବିନା ମୋ ପ୍ରେମ ଅଧୁରା। ତୁମକୁ ମୁଁ ଖୋଲି କହି ପାରୁ ନାହିଁ। ଦିନେନା ଦିନେ ମୋ ବାପା ମାଅଙ୍କୁ ଅଳି କରି ପାଲିଙ୍କିରେ ବସାଇ ଆମ ଘରକୁ ମୋ ଜୀବନ ସାଥୀ କରି ନେବି । ସବୁବେଳେ ଭାଲେଣ୍ଟାଇନ ଦିବସରେ ତୁମ ଘର ବରଣ୍ଡାରେ ଲାଲ ଗୋଲାପର ଗୁଚ୍ଛକୁ ରାତି ପାହାନ୍ତରେ ମୁଁ ହିଁ ଫୋପାଡ଼ି ଥାଏ। ଏହି ଫୁଲ ଗୁଚ୍ଛକୁ ଦେଖି ଅନେକ ଅନୁସନ୍ଧାନ ଚାଲିଛି ତଥାପି ମୁଁ ଧରା ପଡି ନାହିଁ । ତୁମେ ଯେତେବେଳେ ତୁମ ସାଙ୍ଗ ପୂର୍ଣ୍ଣିମା ସହିତ ମୋତେ ହାତ ହଲେଇ ଆଗ ପଛକୁ ଚାହିଁ ମୁରୁକି ମୁରୁକି ହସୁଥିଲ । ମୋ ବାଇକରେ ଲାଗିଥିବା ଦର୍ପଣରେ ତୁମ ପ୍ରତିବିମ୍ବକୁ ଦେଖି ମୁଁ ସବୁ ବୁଝିଛି ।ସେ ଦର୍ପଣ ସବୁ ମୋତେ କହିଛି ତୁମେ ମୋତେ ହୃଦୟ ଦେଇ କେତେ ଭଲ ପାଇଛ । ଏତିକି ଶୁଣି ପଢ଼ିଲା ବେଳକୁ ମୁଁ ଏତେ ଲାଜେଇ ଯାଇଥିଲି ଯେ ମୋ ଓଢଣା ତଳେ ନ ହସି ମୁଁ ରହି ପାରି ନ ଥିଲି । ସେ ମୋ ମୁଣ୍ଡରୁ ଓଢଣୀ ଖୋଲି ହସି ହସି ମୋ ଓଷ୍ଠ ପ୍ରଦେଶରେ ଏକ ଚୁମ୍ବନ ଦେଇ କଣ ବୁଝିଲ ଭାଲେଣ୍ଟାଇନ କହିଲା ବେଳକୁ ମୁଁ କଇଁ କଇଁ ହୋଇ କାନ୍ଦି ଉଠିଲା ବେଳକୁ ସେ ମୁହଁରେ ହାତ ଦେଇ ମୋ କାନରେ କହି ଦେଲେ ଆଇ ଲଭ 💞ୟୁ ଅନୁ... ମୋ ଅନୁପମା। ଆଜି ମୋ ପ୍ରେମ ସତ ହେଲା ତୁମେ କାନ୍ଦିବାର ଆବଶ୍ୟକ ନାହିଁ।

   ସତରେ ପ୍ରେମର ଅମଡ଼ା ବାଟରେ ଚାଲି ଚାଲି ମୋ ଚାନ୍ଦକୁ ତୁଚ୍ଛାରେ ଖାଲି ତା ଭାଲେଣ୍ଟାଇନ କହୁଥିଲି । ମୁଁ ଭିଲିଆନ ସାଜି ନ ଥିଲେ ବି ତା ମନରେ ଗୋଟିଏ କିନ୍ତୁ ରହିଗଲା । ସେ ଯଦିଓ ସବୁ ଭୁଲିଯାଇଛି, କିନ୍ତୁ ମୁଁ କିଛି ଭୁଲି ନାହିଁ। ବିଭାଘରର ୨୫ ବର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅନୁପ ମୋ ସ୍ୱାମୀ ଫେବୃଆରୀ ୧୪ ତାରିଖ ଭାଲେଣ୍ଟାଇନ ଦିନଟିକୁ କେବେ ଭୁଲି ନାହାଁନ୍ତି କି ସେ ଗୋଲାପ ଫୁଲ ତୋଡ଼ାକୁ କେବେ ଆଣିବାକୁ ଭୁଲି ନାହାଁନ୍ତି । ସବୁବେଳେ କହନ୍ତି ବାଃ ବାଃରେ ଭାଲେଣ୍ଟାଇନ ଓଃ ମାଇଁ ଡାର୍ଲିଂ ଭାଲେଣ୍ଟାଇନ ।

  ବାସ୍ତବରେ ପ୍ରେମ ଚିରନ୍ତନ ସତ୍ୟ, ଯାହା ସୃଷ୍ଟିର ପ୍ରତ୍ୟେକ ଜୀବ ସତ୍ତାର ଭାବରେ, ଭାବନାରେ ଭରି ହୋଇଛି । ପ୍ରେମ ନଶ୍ୱର, ପ୍ରେମ ଶାଶ୍ୱତ ଓ ଏକ ଅନିର୍ବାଣ ଅଗ୍ନିଶିଖା । ସେଥିରୁ କିଛି ସାଉଁଟିଥିବା ଅନୁଭୂତିର ଏହା ଏକ ବାସ୍ତବ ଚିତ୍ରଣ।


Rate this content
Log in

Similar oriya story from Romance