ପ୍ରେମ କାହାଣୀ
ପ୍ରେମ କାହାଣୀ
ହେ ଅନନ୍ତ ! ଏ କୌଣସି ଭଗବାନ ନୁହଁନ୍ତି । ମୋର ଜଣେ ଅନ୍ତରଙ୍ଗ ବନ୍ଧୁ। ଡ଼ିଗ୍ରୀ ଇଂଜିନୟରିଂ କରୁଥିବା ସମୟରେ ଦୁହେଁ ଅନେକ ସମୟ ନିଜର ଅନ୍ତରଙ୍ଗ କଥାକୁ ପରିପ୍ରକାଶ କରି ବାର୍ତ୍ତାଳାପ କରୁଥିଲୁ । ଦିନେ ରାତ୍ର ଦଶଟା ହେବ ମୁଁ ମୋ ହଷ୍ଟେଲ ରୁମରେ ବସି ପଢୁଥାଏ । ଅନନ୍ତ ଆସି ପହଞ୍ଚିଲା ! ମୁଁ କହିଲି ଆରେ ତୁ ଯାଇଥିଲୁ କୁଆଡେ ଏତେ ଡେରିରେ ହଷ୍ଟେଲ ଆସୁଛୁ । ପିଲାଙ୍କୁ ଏବେ ଟ୍ୟୁସନ କରି ଆସୁଛି। କାଲି ପରୀକ୍ଷା କଣ ସବୁ ପଢ଼ି ଦେଇଛୁ । ନା କେତେବେଳେ ପଢ଼ିଲି ଏବେ ଆରମ୍ଭ କରିବି । ଆରେ ଭାଇ ରାତିସାରା ପଡିଛି ବଞ୍ଚିବା ପାଇଁ ଟ୍ୟୁସନ କରୁଛି । ମୁଁ କିଛି ବୁଝି ପାରିଲି ନାହିଁ । ସେ ଦିନ ସେ କହି ଚାଲିଥିଲା ତାର ଦୁଃଖ କାହାଣୀ। ମୁଁ ଖାଲି ତାକୁ ବକ ବକ ହୋଇ ଚାହିଁଥାଏ।
ମୋତେ କହିଲା,ଯିଏ ପାଠ ପଢେ ତା ପରିବାର ପାଇଁ ବୋଝ ହୋଇ ଯାଏ । କିନ୍ତୁ ମୁଁ ପାଠ ପଢ଼ିବାକୁ ଆସିଛି ମୋ ଦୁଃଖ ଓ ଆମ ପରିବାର ଦୁଃଖକୁ ଲାଘବ କରିବାକୁ ଚାହୁଁଛି। ତାହା ପୁଣି ଚାକିରୀ ପୂର୍ବରୁ ଓ ଚାକିରୀ ପରେ। ସେଥିରେ ପୁଣି ମୋର ଖର୍ଚ୍ଚ ତୁ ନିଜେ ଜାଣିଥିବୁ । କଣ କହୁଛୁ ଅନନ୍ତ ମୁଁ ବୁଝି ପାରୁ ନାହିଁ । ସେଦିନ କହିଲା ଶୁଣୁ ମୋ ଦୁଃଖ କାହାଣୀ। ମୁଁ କେଉଁ ବଡ଼ ଅଫିସର କିମ୍ବା ବଡ଼ ବ୍ୟବସାଇ କି ବଡ଼ ଚାଷୀର ସନ୍ତାନ ନୁହେଁ। ମୋ ବାପା ଜଣେ ଦିନ ମଜୁରିଆ। ସେ ପୁଣି ଓଡ଼ିଶାରେ ନୁହେଁ ଆମ ବାଲିଆପାଳକୁ ଲାଗିଥିବା ପଶ୍ଚିମବଙ୍ଗର କୋଲକତାରେ । ସେ ସେଠାରେ ରହି ନିଜ କାନ୍ଧରେ ବାଉଁଙ୍ଗି ଦ୍ୱାରା ତିନି ମହଲା କୋଠାକୁ କାନ୍ଧରେ ପାଣି ବୁହନ୍ତି। ସେଥିରୁ ଯାହା ରୋଜଗାର ସମୁଦ୍ରକୁ ଶଙ୍ଖେ। ତେଣୁ ମୋ ଟ୍ୟୁସନରୁ ମୋ ଖର୍ଚ୍ଚ ସହିତ ଆମ ଘର ଖର୍ଚ୍ଚ କିଛି ମୋ ବୋଉ ପାଖକୁ ପଠାଉଛି। ମୋ ସାନ ଭଉଣୀ ମଧ୍ୟ ପାଠ ପଢୁଛି। ଏତିକି କଥା ହେଲା ବେଳକୁ ରାତି ୧୧ଟା ଅନନ୍ତ ତା ରୁମକୁ ପଳାଇଲା କାରଣ କାଲି ସେମିଷ୍ଟାର ପରୀକ୍ଷା। କିଛି ଦିନ ପରେ ପରୀକ୍ଷା ଶେଷ ହେଲା। ଅନେକ ସାଙ୍ଗମାନେ ହସ ଖୁସି ହୋଇ ବୁଲାବୁଲି କଲେ ମଧ୍ୟ ଅନନ୍ତ ତାର ନିତି ଦିନିଆ ଦିନ ମଜୁରିଆଙ୍କ ପରି ତା ଟ୍ୟୁସନ କାମରେ ମାତିଥାଏ।
ଦିନେ ହଷ୍ଟେଲ ଭିତରେ ଅନେକ ସାଙ୍ଗ ପରି ଲକ୍ଷିତ କଲେ ଅନନ୍ତ କାହା ସହିତ ହଷ୍ଟେଲ P&Tରୁ ଘଣ୍ଟା ଘଣ୍ଟା ଧରି କଥା ହେଉଛି। ଅନୁସନ୍ଧାନ ଚାଲିଲା ଓ ସମସ୍ତେ ଜାଣିଲେ ଅନନ୍ତର ପ୍ରେମ କାହାଣୀ। ସେ ପୁଣି ଅନ୍ୟ କିଏ ନୁହେଁ ଆମକୁ ପାଠ ପଢ଼ାଉଥିବା ତଥା ଆମ ହଷ୍ଟେଲ ଦାୟିତ୍ୱରେ ଥିବା ଜଣେ ସୁନାମ ଧନ୍ୟ ଲେକ୍ଚରଙ୍କ ଜ୍ୟେଷ୍ଠ କନ୍ୟା । ସେ ଦିନ ପରୀକ୍ଷା ସରି ଯାଇଥାଏ ମୁଁ ମୋ ରୁମରେ ଏକୁଟିଆ ଥାଏ। ମୋ ରୁମ ଭିତରକୁ ରାତି ୧୦ଟାରେ ଅନନ୍ତ ପୁଣି ଆସି ମୋ ପାଖରେ ବସିଲା। ମୁଁ ଟିକେ ମୁରୁକି ହସି କହିଲି କଣ ସାଙ୍ଗ ସବୁ ଠିକ ଚାଲିଛି । କେଉଁ କଥା ଟ୍ୟୁସନ ସହିତ ତୋ ପ୍ରେମ । ପ୍ରେମ କଣ ସେ ପ୍ରଶ୍ନ କରି ମୋତେ ଭୁଲାଇବାକୁ ଚେଷ୍ଟା କଲା । ମୁଁ କହିଲି ଆଉ ଲୁଚାନ ତୁଣ୍ଡ ବାଇଦ ସହସ୍ର କୋଷ, ଚାରିଆଡେ ହାଲା ହୋଇ ଗଲାଣି । କିଏ ସେ ତୋ ହୃଦୟକୁ ଚୋରୀ କରିଛି । ମୋତେ କହ ତୋ ପ୍ରେମ କାହାଣୀର ପ୍ରଥମ ଅଧ୍ୟାୟ କିପରି ରଚନା କରିଛୁ। ଆଉ ଆଗକୁ କିପରି ଚାଲିବ। ଆମେ ତ ଦିନ ମଜୁରିଆ ପୁଅ ତୁ ପ୍ରେମ କାହିଁ କରୁଛୁ। ଆକାଶ କଇଁଆ ଚିଲିକା ମାଛ! କଣ ମେଳ ହୋଇ ପାରିବ । ତୋ ବାପା ଜଣେ ଦିନ ମଜୁରିଆ ତା ବାପା ଆମ ଲେକଚରର । ତୋ ବାପା ମାଆକୁ ସେମାନେ ବନ୍ଧୁ ବୋଲି ମର୍ଯ୍ୟାଦା ଦେବ ତ ? ସେଥିରେ ସଫଳ ହୋଇ ପାରିବୁତ। ସେମାନେ ତୁମ ପରିବାର ସହିତ ମିଶି ପାରିବେତ। ଏହି ପରି ଅନେକ କଥା କହିଲା ପରେ ଅନନ୍ତ କିଛି ସମୟ ନୀରବ ରହି ତା ପ୍ରେମ କାହାଣୀ କହି ଚାଲିଲା। କହିଲା ତୁ ଯାହା କହୁଛୁ ମୁଁ ବୁଝି ପାରୁଛି ମୋ ଘରର ସବୁ ପରିସ୍ଥିତି ତାକୁ କହିଛି। ତଥାପି କାହିଁ ଏ ପ୍ରେମରେ ମୁଁ ଛନ୍ଦି ହେଉଛି ମୁଁ ବି ଜାଣେନା। ମୁଁ ଏ ପ୍ରେମରୁ ଆଉ ବାହାରି ପାରିବି ନାହିଁ । ସେ ମୋ ମନକୁ କିଣି ନେଇ ସାରିଲାଣି । ଶୁଣୁ ମୁଁ ଯେତେବେଳେ ଟ୍ୟୁସନ କରେ ସେ ମୋ ଚପଳ ଭିତରେ କିଛି ଫୁଲ ଆଣି ରଖେ ଆଉ ମୁଁ ଯିବା ପୂର୍ବରୁ ତାକୁ କାଢ଼ି ନେଇ ତା ମନ ମନ୍ଦିରରେ ତାକୁ ସଜାଇ ରଖେ ତା ଶଯ୍ୟା ପାଖରେ । ସବୁବେଳେ କହେ ମୁଁ ତାର ଦେବତା। ସେ ମୋ ପାଇଁ ପୁରା ପାଗଳୀ ହୋଇଯାଇଛି। ମୁଁ ପ୍ରଶ୍ନ କଲି ଆଉ ତୁ? ସେ ଦିନ ମୁରୁକି ହସି ରହି ଯାଇଥିଲା ଅନନ୍ତ ।
ଅନେକ ଥର ଅନନ୍ତ ଓ ମୁଁ ଲାଇବ୍ରେରୀ ଯାଇଛୁ ସୋମ୍ୟା ଭେଟ ହୁଏ ସତେ ଯେପରି ଦୁହେଁ ଅପରିଚିତ । କେହି ଜାଣି ପାରିବେ ନାହିଁ ପଦାରେ । ସତରେ ଦୁହେଁ ନିଦା ବିଷ୍ଣୁ କଥା ହେବାତ ଦୂରର କଥା କେହି କାହା ମୁହଁକୁ ଅନାନ୍ତି ନାହିଁ। ମୁଁ ବେଳେ ବେଳେ କହେ ଆରେ ଅନନ୍ତ ଭାଉଜ କଣ କିଛି କହିଲେ ନାହିଁ କି ଚାହିଁଲେ ନାହିଁ । ପ୍ରେମଟା ତୋର ସତ ନା ମିଛ । ସେ କହେ ଏବେ ସିକ୍ରେଟ ସଫଳ ହେଲେ ଜାଣିବୁ । ବ୍ୟସ୍ତ କାହିଁ ହେଉଛୁ । ଏହାରି ଭିତରେ ଚାରି ବର୍ଷ କୁଆଡେ ସରିଗଲା ଜଣା ପଡିଲା ନାହିଁ । ସମସ୍ତେ ଚାକିରୀ ପାଇ କିଏ କୁଆଡେ ଚାଲିଗଲେ ।
ଅନନ୍ତ ଏକ ମହାରତ୍ନ ପବ୍ଲିକ ସେକ୍ଟର ଚାକିରୀ ପାଇଲା । ଦୁଇ ବର୍ଷ ଚାକିରୀ ମଧ୍ୟରେ ଆର୍ଥିକ ଅବସ୍ଥାରେ ଟିକେ ସୁଧାର ଆସିଲା । ବିବାହ ପୂର୍ବରୁ ଗାଁରେ ଘର ଖଣ୍ଡିଏ କଲା। ସୋମ୍ୟା ତା ଘରେ ଅନନ୍ତକୁ ଭଲ ପାଉଛି ତାକୁ ବିବାହ ହେବ ବୋଲି କହିଲା। ଭଲ ପିଲା ଭଲ ଚାକିରୀ ଖୋଜିଲେ ମିଳିବ ନାହିଁ । ଏ ପ୍ରସ୍ତାବକୁ କିଏ ବା ମନା କରିବ। ଅନନ୍ତ ସେ ଦିନ ସୋମ୍ୟାକୁ ସହଧର୍ମିଣୀ କରି ନିଜ ଘରକୁ ନେଇଗଲା। ଦୁହିଁଙ୍କ ପ୍ରେମ ସଫଳ ହେଲା। ମଉସାଙ୍କୁ ସମୁଦିର ମର୍ଯ୍ୟାଦା ମିଳିଲା। ଆଉ ଧନୀ ଗରିବର ପାର୍ଥକ୍ୟ କିଛି ନ ଥିଲା। ଏବେ ଅନନ୍ତ କମ୍ପାନୀର ଚିଫ ମ୍ୟାନେଜର। ବିବାହର ୧୫ ବର୍ଷ ପରେ ଦୁହିଁଙ୍କ ସହିତ ଭୁବନେଶ୍ୱରର ଏକ ହୋଟେଲରେ ଦୁହିଁଙ୍କ ସହିତ ଅଚାନକ ଦେଖା ହୋଇଗଲା। ସେତେବେଳେ ମୁଁ ମୋ ସହଧର୍ମିଣୀ ସହ ସେଠାରେ ବସି ଭୋଜନ କରୁଥାଏ। ଆମ ଦୁହିଁଙ୍କର ଖୁସିର ସୀମା ରହିଲା ନାହିଁ । କ୍ଷଣକ ମଧ୍ୟରେ ସବୁ ହସ ଖୁସି ଅତୀତର ଚର୍ଚ୍ଚା ହୋଇଗଲା। ଅନନ୍ତର ସଫଳ ପ୍ରେମ କାହାଣୀ । ଦୁଇବନ୍ଧୁ ବିଦାୟ ନେବା ପୂର୍ବରୁ ମୁଁ ଥଟ୍ଟାରେ କହିଦେଲି କଣ ଭାଉଜ ଏବେ କଠଉ ପୂଜା ହେଉଛି କି ନାହିଁ । କଠଉ କଣ ବୋଲି ସେ ଦିନ ସୋମ୍ୟା ପ୍ରଶ୍ନ କରିଥିଲେ । ଅନନ୍ତ ମୁରୁକି ହସି ସୋମ୍ୟା କାନରେ ସବୁ କହିଦେଲା। ତାପରେ ଦୁହେଁ ହସି ହସି ଚାଲି ଯିବା ଆଗରୁ ଅନନ୍ତ କହିଲା ଆଉ କଠଉ ପୂଜା ହେଉନାହିଁ । ତାପରେ ସୋମ୍ୟା କଥା ଛଡାଇ ନେଇ କହିଲେ ଯେତେବେଳେ ଦେବତା ମୋ ପାଖରେ ଅଛନ୍ତି ଆଉ କଠଉ ପୂଜିବାର ପ୍ରୟୋଜନ ନାହିଁ। ହଁ ଭାଉଜ ଆପଣ ଏକ ମହାନ ପ୍ରେମ ପୁଜାରିଣୀ। ହେ ଅନନ୍ତ ଆପଣଙ୍କ ପରି ପ୍ରେମୀ ଯୁଗଳ ସଂସାରେ ବିରଳ । ତୁମ ଦୁହିଁଙ୍କ ସଫଳ ପ୍ରେମ କାହାଣୀ ଯୁଗ ଯୁଗ ଧରି ସ୍ବର୍ଣ୍ଣ ଅକ୍ଷରେ ଲିପିବଦ୍ଧ ହୋଇ ରହିବ।ଏହା ଶୁଣିବା ପରେ ସମସ୍ତେ ହସି ହସି ବେଦମ ହୋଇଗଲୁ ଓ କ୍ଷଣକ ମଧ୍ୟରେ ନିଜ ନିଜର ଫୋନ୍ ନମ୍ବର ଦେଇ ନିଜ ଗନ୍ତବ୍ୟ ପଥରେ ଚାଲି ଯାଇଥିଲୁ ।

