STORYMIRROR

Gobinda Chandra Sethi

Abstract Tragedy Thriller

4.5  

Gobinda Chandra Sethi

Abstract Tragedy Thriller

ବର୍ଷା ଓ ବିରହ (ମୋ ବୋଉ )

ବର୍ଷା ଓ ବିରହ (ମୋ ବୋଉ )

4 mins
44


— ମୋ ଶୈଶବର ଏକ ଅଭୁଲା, ମର୍ମସ୍ପର୍ଶୀ କାହାଣୀ
ବର୍ଷା! ତୁମେ ଆସିଲେ ମୋ ମନରେ କେତେ ଯେ ପୁରୁଣା ସ୍ମୃତି ଜାଗିଉଠେ, ତାହାର ହିସାବ ନାହିଁ। ତୁମର ପ୍ରତିଟି ବୁନ୍ଦା ମୋ ଅତୀତର ଏକ ଅଲିଭା ଚିତ୍ରକୁ ମନର ପରଦା ଉପରେ ଆଙ୍କିଦିଏ। କେତେବେଳେ ସେ ଚିତ୍ରରେ ଥାଏ ଶୈଶବର ହସ, ତ ଆଉ କେତେବେଳେ ଥାଏ ଅଭାବ, ଅସହାୟତା ଓ ଆଖିରୁ ଝରିପଡ଼ିଥିବା ଲୁହର କାହାଣୀ।
ଆଜି ଜୀବନର ଅପରାହ୍ଣରେ ଠିଆ ହୋଇ ପଛକୁ ଫେରି ଚାହିଁଲେ, ମୋ ପିଲାଦିନର ସେହି ବର୍ଷାଭିଜା ଦିନଗୁଡ଼ିକ ମନେପଡ଼ିଯାଏ। ଆଜିର ଆଧୁନିକ ଜୀବନରେ ଗ୍ୟାସ ଚୁଲା, ବିଦ୍ୟୁତ୍ ଆଲୋକ ଓ ବିଭିନ୍ନ ସୁବିଧା ଆମ ଜୀବନକୁ ସହଜ କରିଦେଇଛି। କିନ୍ତୁ ଆମ ପିଲାଦିନରେ ଏସବୁ ଥିଲା ଏକ ଦୂର ସ୍ୱପ୍ନ। ସେତେବେଳେ ମାଟି ଘର, ମାଟି ଚୁଲି, ଘଷି, କାଠ ଓ ଡିବି-ଲଣ୍ଠନ ହିଁ ଥିଲା ଆମ ଜୀବନର ଅବିଚ୍ଛେଦ୍ୟ ଅଂଶ।
ବର୍ଷାରେ ବୋଉର ସଂଘର୍ଷ:-
        ଆଷାଢ଼ ଓ ଶ୍ରାବଣ ମାସ ଆସିଲେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସୁଥିଲା। ଚାରିଆଡ଼େ ଝିପିଝିପି ବର୍ଷା, କେବେ ଝଡ଼ବର୍ଷା, ତ କେବେ ଲଗାଣ ବର୍ଷା। ପ୍ରକୃତିର ଏହି ରୂପ ଦେଖିବାକୁ ଯେତିକି ମନୋହର, ଆମ ଭଳି ଅଭାବୀ ପରିବାର ପାଇଁ ସେତିକି ଯନ୍ତ୍ରଣାଦାୟକ ଥିଲା।
     ବୋଉ ଆଗରୁ ବହୁ କଷ୍ଟରେ ସାଇତି ରଖିଥିବା ଘଷି ଓ କାଠକୁଟା ବର୍ଷା ପାଣିରେ ଓଦା ହୋଇଗଲେ, ତା’ର ସବୁ ଚିନ୍ତା ଆରମ୍ଭ ହୋଇଯାଉଥିଲା। ରୋଷେଇ କରିବା ପାଇଁ ଚୁଲି ଜଳିବା ଦରକାର, ଆଉ ଚୁଲି ଜଳିଲେ ତ ଆମ ପେଟକୁ ଦିମୁଠା ଖାଦ୍ୟ ଯିବ!
ଓଦା କାଠ ଓ ଭିଜା ଘଷିରୁ ନିଆଁ ଧରୁ ନଥିଲା। ଚୁଲି ଭିତରେ ଧୂଆଁ ଭରିଯାଉଥିଲା। ବୋଉ ଚୁଲି ପାଖରେ ବସି ମୁହଁ ଲଗାଇ ଫୁଙ୍କି ଚାଲିଥିଲା। ଧୂଆଁରେ ତା’ର ଆଖି ଲାଲ୍ ହୋଇଯାଉଥିଲା, ଆଖିରୁ ଲୁହ ଝରୁଥିଲା, ତଥାପି ସେ ହାର ମାନୁ ନଥିଲା।
 ମୁଁ ପିଲା ମଣିଷ। ବୋଉର ଆଖିରୁ ଲୁହ ଝରୁଥିବା ଦେଖି ମନରେ ଦୁଃଖ ହେଉଥିଲା, କିନ୍ତୁ ସେ ଲୁହର ଗଭୀରତା ବୁଝିବାର ବୟସ ମୋର ହୋଇ ନଥିଲା। ଆଜି ବୁଝୁଛି, ସେ ଲୁହ କେବଳ ଚୁଲିର ଧୂଆଁ ପାଇଁ ନଥିଲା; ସେଥିରେ ମିଶି ରହିଥିଲା ଅଭାବର ଯନ୍ତ୍ରଣା, ସନ୍ତାନମାନଙ୍କ ପେଟ ଭରିବାର ଚିନ୍ତା ଓ ଜଣେ ମାଆର ଅସୀମ ତ୍ୟାଗ।

   ନିଜ କଷ୍ଟକୁ ଭୁଲି ବୋଉ ଆମ ପାଇଁ ରୋଷେଇ କରୁଥିଲା। ତା’ର ହାତରେ ଥିଲା ମମତା, ଆଖିରେ ଥିଲା ଲୁହ, ହେଲେ ଓଠରେ ଥିଲା ନିରବତା।
ଡିବି ଆଲୁଅରେ ରାତି ଭୋଜନ:-
     ସନ୍ଧ୍ୟା ହେଲେ ଗାଁର ଚାରିଆଡ଼େ ଅନ୍ଧାର ଘୋଟି ଆସୁଥିଲା। ବିଦ୍ୟୁତ୍ ଆଲୋକ ଆମ ଜୀବନରେ ସେ ଯୁଗରେ ଏକ ସ୍ୱପ୍ନ ଥିଲା। ଡିବି କିମ୍ବା ଲଣ୍ଠନର କ୍ଷୀଣ ଆଲୁଅ ହିଁ ଆମ ରାତିର ସାଥୀ ଥିଲା।
ବୋଉ ରୋଷେଇ ଶେଷ କରି ଆମକୁ ଖାଇବାକୁ ଡାକୁଥିଲା। ବର୍ଷା ହେଉଥିଲେ ଚାରିଆଡ଼େ ଓଦାଳିଆ ପରିବେଶ। ତା’ ସାଙ୍ଗକୁ ଡିବି ଆଲୁଅ ଚାରିପାଖରେ ଝଡ଼ିପୋକ ଓ ଝିଣ୍ଟିକାଙ୍କର ଅସମ୍ଭବ ଭିଡ଼। ସେମାନେ ଆଲୁଅ ଚାରିପାଖରେ ଘୂରି ବୁଲୁଥିଲେ, ଆମ ଖାଇବା ଥାଳି ଉପରେ ପଡ଼ୁଥିଲେ।
ବୋଉ ବାରମ୍ବାର କହୁଥିଲା, “ଡିବିଟାକୁ ଟିକେ ଦୂରରେ ରଖି ଖାଅରେ ପିଲାମାନେ।”
କିନ୍ତୁ ଅନ୍ଧାରରେ ଖାଇବା ସହଜ ନଥିଲା। ଖାଉ ଖାଉ କେତେବେଳେ ଗୋଟିଏ ଝଡ଼ିପୋକ କଂସା ଭିତରେ ପଡ଼ିଯାଉଥିଲା, ତ ଆଉ କେତେବେଳେ ଥାଳି ଚାରିପାଖରେ ଘୂରି ବୁଲୁଥିଲା। ଖାଇବା ପ୍ରତି ମନ ଉଠିଯାଉଥିଲା। ତଥାପି ଭୋକ ତ ଭୋକ! ଅନେକ ସମୟରେ ଅସୁବିଧା ସହି ଆମକୁ ଖାଇବାକୁ ପଡ଼ୁଥିଲା।
ଆଜି ସେହି ଦୃଶ୍ୟଗୁଡ଼ିକ ମନେପଡ଼ିଲେ ଦେହ ଶିହରି ଉଠେ। ଆଜିର ପିଲାମାନେ ହୁଏତ ଏପରି ଅନୁଭୂତି କଳ୍ପନା ମଧ୍ୟ କରିପାରିବେ ନାହିଁ। ସେମାନଙ୍କ ପାଇଁ ଆଲୋକ, ଆରାମ ଓ ସୁବିଧା ସ୍ୱାଭାବିକ; ହେଲେ ଆମ ପାଇଁ ସାମାନ୍ୟ ସୁବିଧାଟିଏ ମଧ୍ୟ ଥିଲା ଅନେକ କଷ୍ଟରେ ମିଳୁଥିବା ଏକ ସୌଭାଗ୍ୟ।
ବର୍ଷାର ଶବ୍ଦ ଓ ବୋଉର ଚିନ୍ତା:-
ରାତିରେ ବର୍ଷା ଯେତେବେଳେ ଛପର ଉପରେ ଅବିରତ ଝରୁଥିଲା, ଆମେ ଶୋଇଥିବା ଅବସ୍ଥାରେ ସେହି ଶବ୍ଦ ଶୁଣୁଥିଲୁ। କେଉଁଠି ଘରରୁ ପାଣି ଗଳୁଥିଲା କି ନାହିଁ, କେଉଁଠି ଚଟାଣ ଓଦା ହେଉଥିଲା କି ନାହିଁ, ସେସବୁ ଚିନ୍ତା ବୋଉକୁ ଘାରୁଥିଲା। ଆମେ ପିଲାମାନେ ନିଜ ନିଜ ଦୁନିଆରେ ଶୋଇପଡ଼ୁଥିଲୁ, କିନ୍ତୁ ବୋଉର ଆଖିରେ ନିଦ ଥିଲା କି ନାହିଁ, ତାହା କିଏ ଜାଣିଥିଲା!
ଆମେ ଥିଲୁ ତା’ର ସଂସାର। ଆମ ପାଇଁ ସେ ନିଜ ଦୁଃଖକୁ ଲୁଚାଉଥିଲା, ନିଜ ଇଚ୍ଛାକୁ ମାରିଦେଉଥିଲା ଓ ଅଭାବ ସହିତ ପ୍ରତିଦିନ ଲଢ଼ୁଥିଲା।
ବୋଉ କେବେ ଆମ ଆଗରେ ନିଜ କଷ୍ଟର ହିସାବ ରଖିନଥିଲା। ସେ ଜାଣିଥିଲା, ସନ୍ତାନର ପେଟ ଭରିଗଲେ ମାଆର ମନ ଭରିଯାଏ। ସନ୍ତାନ ହସିଦେଲେ ମାଆର ଦୁଃଖ କିଛି ସମୟ ପାଇଁ ହଜିଯାଏ।
କିନ୍ତୁ ଆଜି ଯେତେବେଳେ ବୋଉର ସେହି ଦିନଗୁଡ଼ିକୁ ମନେ ପକାଏ, ହୃଦୟର ଗଭୀରରୁ ଗୋଟିଏ ପ୍ରଶ୍ନ ଉଠେ—ଆମ ପାଇଁ ଜୀବନର ସବୁ କଷ୍ଟକୁ ହସି ହସି ସହିଯାଇଥିବା ସେହି ମାଆକୁ ଆମେ କେବେ ତା’ର ତ୍ୟାଗର ଉଚିତ ମୂଲ୍ୟ ଦେଇପାରିଲୁ କି?
ଆଜି ସମୟ ବଦଳିଯାଇଛି। ଜୀବନର ଅନେକ ପଥ ଅତିକ୍ରମ କରି ମୁଁ ଆଜି ଏକ ଭିନ୍ନ ପରିସ୍ଥିତିରେ ଠିଆ ହୋଇଛି। ଘରେ ଆଉ ସେହି ମାଟି ଚୁଲି ନାହିଁ, ଓଦା କାଠର ଧୂଆଁ ନାହିଁ, ଡିବି-ଲଣ୍ଠନର କ୍ଷୀଣ ଆଲୁଅରେ ଖାଇବାର ସେହି ଦୁର୍ଦ୍ଦଶା ମଧ୍ୟ ନାହିଁ। ଜୀବନରେ ଅନେକ ପରିବର୍ତ୍ତନ ଆସିଛି, ସୁଖସୁବିଧା ବଢ଼ିଛି; କିନ୍ତୁ ମୋ ଜୀବନର ସବୁଠାରୁ ମୂଲ୍ୟବାନ ମଣିଷଟି ଆଜି ମୋ ପାଖରେ ନାହିଁ। ମୋର ଅତି ପ୍ରିୟ ବୋଉ ଆଜି ଏହି ଦୁନିଆରେ ନାହିଁ।
ବର୍ଷା ଆସିଲେ ମନେପଡ଼େ ବୋଉର ସେହି ସଂଘର୍ଷମୟ ଦିନଗୁଡ଼ିକ। ଓଦା କାଠ ଜାଳିବା ପାଇଁ ଚୁଲି ପାଖରେ ବସି ଧୂଆଁରେ ଆଖି ଲାଲ୍ କରିଦେଉଥିବା ସେହି ମାଆଟି ଆଜି ମୋ ସ୍ମୃତିରେ ଜୀବନ୍ତ। ତା’ର କଷ୍ଟକୁ ସେତେବେଳେ ମୁଁ ପୂରା ବୁଝିପାରି ନଥିଲି। ଆଜି ଜୀବନର ଅନୁଭୂତି ମୋତେ ଶିଖାଇଛି—ସେହି ଧୂଆଁ ଭିତରେ କେବଳ ନିଆଁ ନଥିଲା, ଥିଲା ଜଣେ ମାଆର ତ୍ୟାଗ; ସେହି ଲୁହ ଭିତରେ କେବଳ ଯନ୍ତ୍ରଣା ନଥିଲା, ଥିଲା ସନ୍ତାନ ପ୍ରତି ଅସୀମ ମମତା।
   ଆଜି ବୋଉ ଥିଲେ, ତା’ର ସେହି ପୁରୁଣା ଦୁଃଖଗୁଡ଼ିକୁ ମୋ ସାଧ୍ୟମତେ ଦୂର କରିବାକୁ ଚେଷ୍ଟା କରିଥାନ୍ତି। ତା’ର କ୍ଳାନ୍ତ ମୁହଁରେ ହସ ଫୁଟାଇଥାନ୍ତି, ତା’ର ମନରେ ଖୁସି ଭରିଦେବାକୁ ନିଜର ସବୁ ପ୍ରୟାସ ଲଗାଇଦେଇଥାନ୍ତି। ଯେଉଁ ମାଆ ନିଜ ଜୀବନର ସୁଖକୁ ତ୍ୟାଗ କରି ଆମ ମୁହଁରେ ହସ ଫୁଟାଇଥିଲା, ତା’ର ମୁହଁରେ ଟିକିଏ ହସ ଦେଖିବା ପାଇଁ ଆଜି ମୋ ମନ କେତେ ଯେ ବ୍ୟାକୁଳ ହୁଏ, ତାହା କେବଳ ମୁଁ ହିଁ ଜାଣେ।
ହାୟ! ସମୟ ଥିବାବେଳେ ଯଦି ଏହି ସୁଯୋଗ ମିଳିଥାନ୍ତା, ତେବେ ବୋଉର ତ୍ୟାଗ ପାଇଁ ମୋ ଭଲପାଇବାକୁ କାର୍ଯ୍ୟରେ ପ୍ରକାଶ କରିପାରିଥାନ୍ତି। ଆଜି ସେ ନାହିଁ; ତା’ ପାଇଁ ମୋ ହୃଦୟରେ ଅଛି ଅସରନ୍ତି ଶ୍ରଦ୍ଧା, ଅସୁମାରି ସ୍ମୃତି ଓ ଅନେକ ଅକୁହା କଥା।
ବର୍ଷାର ପ୍ରତିଟି ବୁନ୍ଦା ଯେପରି ମୋତେ ପଚାରେ—“ତୋ ବୋଉ ଆଜି କେଉଁଠି?”
ମୋ ପାଖରେ ତାହାର କୌଣସି ଉତ୍ତର ନାହିଁ। କେବଳ ଆଖିର କୋଣରେ ଲୁହ ଜମିଯାଏ, ଆଉ ମନ ଅତୀତର ସେହି ଦିନଗୁଡ଼ିକୁ ଫେରିଯାଏ, ଯେଉଁଠି ବୋଉ ଥିଲା, ତା’ର ପଣତକାନି ଥିଲା, ଆଉ ଥିଲା ମୋ ପାଇଁ ତା’ର ଅସୀମ ମମତା।
ବୋଉ, ତୁ ଆଜି ନାହୁଁ, ହେଲେ ତୋ ସ୍ମୃତି ମୋ ହୃଦୟରୁ କେବେ ଲିଭିବ ନାହିଁ। ତୋ ଦୁଃଖ ଦୂର କରିବାର ସୁଯୋଗ ଆଜି ମୋ ହାତରେ ନାହିଁ, କିନ୍ତୁ ତୋ ତ୍ୟାଗକୁ ସମ୍ମାନ ଦେଇ, ତୋ ଆଦର୍ଶକୁ ଜୀବନରେ ଧାରଣ କରି, ତୋ ଭଲପାଇବାକୁ ମୋ ହୃଦୟରେ ସାଇତି ରଖିବି।
ବର୍ଷା ଆଜି ମଧ୍ୟ ଝରୁଛି, ହେଲେ ସେହି ବର୍ଷାରେ ମୁଁ ଆଉ ମୋ ବୋଉର ପଣତ ତଳେ ଆଶ୍ରୟ ନେଇପାରୁ ନାହିଁ। ଆକାଶର ବର୍ଷା ମାଟିକୁ ଭିଜାଉଛି, ଆଉ ସ୍ମୃତିର ବର୍ଷା ମୋ ହୃଦୟକୁ।
ସତରେ, ବର୍ଷାର ଶେଷ ଅଛି, ହେଲେ ବୋଉ ପାଇଁ ମୋ ବିରହର ଶେଷ ନାହିଁ।... 🙏
𝓖𝓸𝓫𝓲𝓷𝓭 𝓢𝓮𝓽𝓱𝓲, 𝓴𝓪𝓷𝓽𝓪𝓹𝓪𝓭𝓪, 𝓸𝓵𝓪𝓽𝓹𝓾𝓻, 𝓚𝓪𝓽𝓪𝓴


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract