ବ୍ଲଡ଼ ଗ୍ରୁପ କହେ ପର ଆପଣା
ବ୍ଲଡ଼ ଗ୍ରୁପ କହେ ପର ଆପଣା
ବଡ଼ିଭୋରୁ ଉବେର ଟାକ୍ସିରୁ ଅସ୍ୱାଭାବିକ ଅବସ୍ଥାରେ ଓହ୍ଲାଇ ଘର ଭିତରକୁ ପଶି ଆସିଲା ଶ୍ରାବଣୀ । ଉମେଶ ବାବୁ ଓ ତାଙ୍କ ସ୍ତ୍ରୀ ଦୁଇଜଣ ତାଟସ୍ତ ହୋଇଗଲେ । ମା ଶାବ ତୁ ଏତେ ସକାଳୁ ଏକୁଟିଆ । ଏତିକି କହିଲା ବେଳକୁ ଶ୍ରାବଣୀ ବେଡ଼ ରୁମକୁ ଆସି ଶୋଇପଡ଼ିଲାଣି । ଶ୍ରାବଣୀର ଆଖିରେ ଅଦିନ ମେଘ । ଧାରା ଶ୍ରାବଣ ପରି ଆଖିରୁ ବହି ଚାଲିଛି ଅଶ୍ରୁ । କଣ ହେଲା କାହିଁ ଏତେ ସକାଳୁ ଆସି କାନ୍ଦୁଛୁ। ଜ୍ୱାଇଁ ଶାନ୍ତନୁ ତୋ ସହିତ କଣ ଆସି ନାହାଁନ୍ତି । ଏତେ ଦୂର ସମ୍ବଲପୁର ସହରରୁ ତୁ ଏକୁଟିଆ ଆସିଲୁ ଚିଠି କି ଫୋନ୍ କରି ଆଗରୁ ହେଲେ ଜଣାଇ ଥାଆନ୍ତୁ। ବାପା ଯାଇ ବସ୍ ଷ୍ଟାଣ୍ଡରୁ ନେଇ ଅସିଥାନ୍ତେ। ସେ କିଛି ନକହି ଖାଲି ଭୋ ଭୋ ହୋଇ କାନ୍ଦୁଥାଏ । ବାପା ମା ଦୁହେଁ କହି କହି ଥକିଗଲେ କିଛି ଉତ୍ତର ନ ଦେଇ ଖାଲି ବିକଳ ହୋଇ କାନ୍ଦୁଥାଏ ଶ୍ରାବଣୀ । ଉମେଶବାବୁଙ୍କ ଦେହପା ଭଲ ନଥିବାରୁ ସେ ଚେୟାର ଉପରେ ବସୁ ବସୁ ଝିଅକୁ ବୁଝାଇ ବୁଝାଇ ଘୁମେଇଁ ପଡିଲେ ।
ମା ତନୁଶ୍ରୀ ଦେବୀଙ୍କ ମନ ବୁଝୁ ନଥାଏ । ସେ ଝିଅ ପାଖରେ ବସି ତାର ମୁଣ୍ଡକୁ ଆଉଁସୁଥାନ୍ତି । ଆଲୋ କାହିଁ କାନ୍ଦୁଛୁ, କଣ ଜ୍ୱାଇଁ ସହିତ ଝଗଡା କରି ଆସିଛୁ। କହ ତୋର କଣ ହୋଇଛି, ମୋ ମା ଶାବ କହି କୋଳ ଉପରେ ତା ମୁଣ୍ଡଟି ରଖି ସାନ୍ତ୍ୱନା ଦେବାକୁ ଚାହିଁଲେ ତନୁଶ୍ରୀ ଦେବୀ । ଅତି ବିକଳ ହୋଇ ମା ବେକାରେ ଲୋଟି ପଡିଲା ଶ୍ରାବଣୀ । ମା ଝିଅଙ୍କର କାନ୍ଦ ଦେଖିବ କିଏ ? ତା ପରେ ଶ୍ରାବଣୀ ରୁଦ୍ଧ ଭରା କଣ୍ଠରେ କହିବାକୁ ଲାଗିଲା ମାମା ସତ କୁହ ମୁଁ ତୁମର କିଏ । ଏପରି କଣ ପଚାରୁଛୁ,କିଏ କଣ ତୋତେ କହିଛି । ତୁ ତ ଆମର ସବୁ କିଛି ଆମ ନୟନର ତାରା ଆମ ବୁଢା ବୁଢ଼ୀ ଦୁହିଁଙ୍କର ଅନ୍ଧର ଲଉଡ଼ି । ତାହା ଛଡା ଏ ସଂସାରେ ଆମର ତୋ ଛଡା ଅଛିବା କିଏ । ଡାକ୍ତର ଜ୍ୱାଇଁ ପାଇଛୁ, ତାଙ୍କ ପରି ଶାନ୍ତ ସ୍ଵଭାଵ ଆଜିକାଲି କାହାକୁବା ମିଳୁଛି । ଜ୍ୱାଇଁ ଶାନ୍ତନୁ ପୁଣି ମେଡିକାଲ କଲେଜର ପ୍ରଫେସର ଓ ଜଣେ ଭଲ ଡାକ୍ତର ହିସାବରେ ତାଙ୍କର ଖ୍ୟାତି ଅଛି । ତୋର ଅସୁବିଧା କଣ ହୋଇଛି ଚିଠି ପତ୍ର ନ ଦେଇ ଫୋନ ନ କରି ସମ୍ବଲପୁରରୁ ଏକୁଟିଆ ଚାଲି ଆସିଲୁ । କିଛି ନ କହି ଖାଲି ବିକଳ ହୋଇ କାନ୍ଦୁଛୁ । କଣ ହୋଇଛି ମୋତେ ଖୋଲି କି କହ ତୋ ବାପାଙ୍କ ଦେହ ଭଲ ନାହିଁ ଦେଖୁଛୁ ସେ କିପରି ଚେୟାର ଉପରେ ବସି ଶୋଇ ପଡିଲେଣି। ଶ୍ରାବଣୀ ପୁଣି କୋହ ଭରା କଣ୍ଠରେ କହିବାକୁ ଆରମ୍ଭ କଲା ସତରେ ମାମା ମୁଁ ତୁମର ନିଜ ଝିଅ ତୁମେ ମୋତେ ଜନ୍ମ ଦେଇଛ ତ । ଏହା ଶୁଣି ତନୁଶ୍ରୀ ଦେବୀ ଚମକି ପଡିଲେ । ଆରେ ଏପରି ତୁ କାହିଁ ପଚାରୁଛୁ । ମାମା ମୁଁ ଯଦି ତୁମର ନିଜ ଝିଅ ତୁମ ଦୁହିଁଙ୍କ ବ୍ଲଡ଼ ଗ୍ରୁପ ସହିତ ମୋ ବ୍ଲଡ଼ ଗ୍ରୁପର ସମ୍ପର୍କ ନାହିଁ କାହିଁକି । ବ୍ଲଡ଼ ସମ୍ପର୍କ ମିଶୁ ନଥିବାରୁ ତୋ ଜ୍ୱାଇଁଙ୍କ କଥା ମୁଁ ସହି ପାରୁନାହିଁ ମାମା । ଆମେ ଏଠି ତୁ ସେଠାରେ କିଏ କହିଲା ତୋ ସହିତ ଆମ ରକ୍ତର ସମ୍ପର୍କ ନାହିଁ । ଶାନ୍ତନୁ କହିଲେ ତୋ ଡାକ୍ତର ଜ୍ୱାଇଁ । ତନୁଶ୍ରୀ ଦେବୀଙ୍କ ଉପରେ ସତେ ଯେମିତି ବ୍ରଜ ପଡିଗଲା। ସେ ଉମେଶ ବାବୁଙ୍କୁ ପାଖକୁ ଧାଇଁ ଯାଇ ହଲେଇ ଡାକ ଛାଡିଲେ କଣ ଶୋଇ ପଡିଲେଣି । ଆରେ ନାଁ ଝିଅ ମୋର କାନ୍ଦୁଛି ମୁଁ ଶୋଇବି କିପରି ଖାଲି ଆଖି ଦୁଇଟା ବନ୍ଦ କରି ଶୁଣୁଛୁ । ଆସ ଜଲଦି ଝିଅ କଣ କହୁଛି ତାର ଉତ୍ତର ଦେବ ମୋ ମୁଣ୍ଡ କିଛି କାମ କରୁ ନାହିଁ । ବାପା ମାଆ ଦୁଇ ଜଣ ଝିଅ ପାଖରେ ବସି ପଡିଲେ । ଝିଅ ପ୍ରଶ୍ନ ଶୁଣି ତା ମନକୁ ଦୁହେଁ ବୁଝାଇ ବାକୁ ଚେଷ୍ଟା କରୁଥାନ୍ତି । ଉମେଶ ବାବୁ କହିଲେ ଶାବ ଏ ପ୍ରଶ୍ନ ତୋ ମୁଣ୍ଡରେ ଭରିଲା କିଏ ଆମ ଝିଅ ନୁହଁ ବୋଲି। ତାପରେ ସେ ଦିନର କଥାକୁ ବଖାଣି ଚାଲିଲା ଶ୍ରାବଣୀ । ତାର ବାପା ମା ଯେଉଁ ଦିନ ତା ପାଖକୁ ଆସିଥିଲେ ସେ ଦିନ ବାପାଙ୍କୁ ପ୍ରବଳ ଜ୍ୱର ହେବାରୁ ସେ କିପରି ବହୁତ ଦୁର୍ବଳ ହୋଇ ଯାଇଥିଲେ । ସେ ଦିନ ଜ୍ୱାଇଁ ତାଙ୍କୁ ବ୍ଲଡ଼ ନେବା ପାଇଁ କହି ଥିଲେ । ସେ ଦିନ ମାମା ନିଜେ ବ୍ଲଡ଼ ଦେବା ପାଇଁ ବାଧ୍ୟ କରିଥିଲେ । ଡାକ୍ତର ଜ୍ୱାଇଁ ଶାଶୁଙ୍କ କଥା ଭାଙ୍ଗି ପାରି ନ ଥିଲେ । ଦୁହିଁଙ୍କ ବ୍ଲଡ଼ ଗ୍ରୁପ O( ve )ଥିଲା ତେଣୁ ବ୍ଲଡ଼ ଦେବାରେ କିଛି ଅସୁବିଧା ନ ଥିଲା। ବାବାଙ୍କର ଆଉ ଗୋଟିଏ ବ୍ଲଡ଼ ନେବାର ଥିଲା। ସେ ମୋତେ କହିଲେ ବ୍ଲଡ଼ ଦେବାପାଇଁ । ମୋ ବ୍ଲଡ଼ ଗ୍ରୁପ ଦେଖିଲା ବେଳକୁ A( ve)। ସେ ଦିନ ଆଶ୍ଚର୍ଯ୍ୟ ହୋଇଥିଲେ ଶାନ୍ତନୁ ପିତା ମାତାଙ୍କର O( ve ) ମୋର A( ve) ହେଲା କିପରି । ସେ ମୋ ବ୍ଲଡ଼ ନିଜେ ନେଇ ଟେଷ୍ଟ କଲେ କିନ୍ତୁ A( ve) ଥିଲା । ତାପରେ ତୁମେ ଦୁହେଁ ପଳାଇ ଆସିଲ।ସେହି ଦିନ ଠାରୁ ସେ ମୋ ସହିତ ଭଲରେ କଥା ହେଉ ନାହାଁନ୍ତି । ସେ ମୋତେ ପ୍ରଶ୍ନ କଲେ କଣ ଶ୍ରାବଣୀ ତୁମେ ନିଜେ କୁହ ତୁମେ ଡାକ୍ତର ନ ହେଲେ ବି ଜଣେ ସାଇନ୍ସ ଛାତ୍ରୀ, ସତରେ କଣ ତୁମେ ଉମେଶ ବାବାଙ୍କ ଝିଅ । ମୋତେ ଲାଗୁଛି ତୁମେ ଜଣେ ଜାରଜ ସନ୍ତାନ । ନୋହିଲେ ତୁମ ବ୍ଲଡ଼ ଗ୍ରୁପ A( ve) ହେଲା କିପରି । ମୁଁ କହିଲି ମୋ ମାମା ଚରିତ୍ର ଉପରେ ଆଙ୍ଗୁଠି ଦେଖାଇବାକୁ ଭଗବାନ ବି ସାହସ କରିବେ ନାହିଁ। ମୋ ବାପା ମା ଦୁହେଁ ଭଗବାନଠୁ କୌଣସି ଗୁଣରେ କମ ନୁହଁନ୍ତି। ତୁମ ଭେଷଜ ବିଜ୍ଞାନ ଭୁଲ ହୋଇପାରେ କିନ୍ତୁ ମୋ ମାମା ନୁହେଁ। ମୁଁ ଶାନ୍ତନୁଙ୍କୁ କିଛି କହି ନାହିଁ ମାମା ରାଗରେ ପଳାଇ ଆସିଛି। ଏହା ଶୁଣିଲା ମାତ୍ରେ ଉମେଶ ବାବୁଙ୍କ ସ୍ତ୍ରୀ ମୂର୍ଚ୍ଚା ହୋଇ ଗଲେ । ଶ୍ରାବଣୀ ମାମା ମାମା କହି କାନ୍ଦି ଉଠିଲା । ଉମେଶ ବାବୁ ଧୈର୍ଯ୍ୟ ଧରି ବି ବିଚଳିତ ଲାଗୁଥିଲେ । ସତେ ଯେମିତି ଗୋଡ ତଳୁ ମାଟି ଅତଡ଼ା ଖସି ସେ ନିମ୍ନ ଗାମୀ ହେଉଛନ୍ତି । କିଛି ସମୟ ପରେ ତନୁଶ୍ରୀ ଦେବୀ ଚେତା ଫେରି ଶ୍ରାବଣୀକୁ କୋଳରେ ଧରି ଭୋ ଭୋ ହୋଇ କାନ୍ଦି ଉଠିଲେ । ଏ ସବୁ ଘଟଣା ଜୀବନରେ ଘଟିବ ସେ ବିଶ୍ୱାସ କରୁ ନ ଥିଲେ ବି ଆଜି ଶ୍ରାବଣୀର ଜୀବନୀକୁ କିପରି ବର୍ଣ୍ଣନା କରିବେ ସାହସ କରୁ ନ ଥିଲେ । ଏହି ଘଟଣା ମଧ୍ୟରେ ବେଡ଼ ଉପରେ ପଡି ଥିବା ଶ୍ରାବଣୀର ଚିଠି ପଢ଼ି ଜ୍ୱାଇଁ ଶାନ୍ତନୁ ବାବୁ ଉମେଶ ବାବୁଙ୍କ ଘରେ ଆସି ପହଞ୍ଚି ଯାଇଥିଲେ ।
ତାପରେ ଝିଅ ଜ୍ୱାଇଁଙ୍କୁ ପାଖରେ ବସାଇ ଶ୍ରାବଣୀର ଇତିହାସର ପୃଷ୍ଠାକୁ ସ୍ଵାମିସ୍ତ୍ରୀ ଦୁହେଁ ବର୍ଣ୍ଣନା କରିବାକୁ ଅଣ୍ଟା ଭିଡ଼ିଲେ । କେଉଁଠାରୁ ଆରମ୍ଭ କରିବେ ସେ କିଛି ବୁଝି ପାରୁ ନ ଥିଲେ । କାରଣ ତାଙ୍କ ଅଲିଅଳି ଝିଅର ସମ୍ପର୍କର ଚାବିକାଠି ଯେପରି ସୁଦୃଢ଼ ରହୁ । ଗୋପନ କଥାକୁ ବଖାଣିବାକୁ ମନରେ ସାହସ ଧରିଲେ ସ୍ୱାମୀ ସ୍ତ୍ରୀ ।
ଘଟଣାଟି ଥିଲା ଏପରି ! ସେ ଦିନ ଉମେଶ ବାବୁ ବିବାହର ଦୁଇ ବର୍ଷ ପରେ ପ୍ରଥମ ଥର ତନୁଶ୍ରୀ ଦେବୀଙ୍କୁ ଧରି ଭବାନୀ ପାଟଣା ଯାଉଥାନ୍ତି । ଶୂନଶାନ ରାସ୍ତା, କାଁ ଭାଁ ମଟର ଗାଡି ତା ସହିତ ରାସ୍ତା ଟି ଜନଶୂନ୍ୟ ଲାଗୁଥିଲା । କିଛି ବାଟ ଅତିକ୍ରମ ଗଲା ପରେ ରାସ୍ତା କଡରେ ଗୋଟିଏ କଅଁଳ ଛୁଆର କାନ୍ଦ ଶବ୍ଦ ଶୁଣି ଟ୍ୟାକ୍ସସି ଡ୍ରାଇଭରକୁ ଗାଡି ରଖିବାକୁ ଉମେଶ ବାବୁ କହିଲେ । ବହୁତ ଖୋଜା ଖୋଜି ପରେ ଉମେଶ ବାବୁ ତାଙ୍କ ସ୍ତ୍ରୀ ତନୁଶ୍ରୀ ଦେବୀ ଦେଖିଲେ ଏକ ପକ୍ଷୀଆ ଉପରେ ପକ୍ଷୀଆ ଘୋଡା ହୋଇଛି ତା ଭିତରେ ବେଡ଼ସିଟ ପଡିଛି ଓ ତା ଭିତରେ ପ୍ରାୟ ଦୁଇ ମାସର କଅଁଳ ଛୁଆଟି ଶୋଇ କାନ୍ଦୁଛି। କଣ କରିବେ ଉମେଶ ବାବୁ କିଛି ଠିକ୍ କରି ପାରିଲେ ନାହିଁ । ଏହା ମଧ୍ୟରେ ତନୁଶ୍ରୀ ଦେବୀ ଆଗ ପଛକୁ ଚିନ୍ତା ନ କରି ସଙ୍ଗେ ସଙ୍ଗେ ଛୁଆଟିକୁ ନିଜ କୋଳରେ ଉଠାଇ ନେଲେ । ଉମେଶ ବାବୁ କହିଲେ ଏ କଣ କରୁଛ କାହାର ଛୁଆ ତୁମେ ଧରୁଛ କାହିଁକି ଚାଲ ବାଟରେ କେଉଁ ଅନାଥାଶ୍ରମ କିମ୍ବା ଡାକ୍ତର ଖାନାରେ ଛୁଆଟିକୁ ଦେଇ ଚାଲିଯିବ । କିଛି କ୍ଷଣ ମଧ୍ୟରେ ଛୁଆଟି ପ୍ରତି ଏମିତି ମୋହ ଆସିଥିଲା ଯେ ତନୁଶ୍ରୀ ଦେବୀ ଛୁଆଟିକୁ ପାଇଁ ନିଜ କୋଳରେ ହଲେଇ ହଲେଇ ଶୁଆଇ ଦେଇଥିଲେ । ସେ ତାରି ମୁହଁକୁ ଅନାଇଁ ରହିଥାନ୍ତି। ଉମେଶବାବୁ କଣ କହୁଛନ୍ତି ତାଙ୍କ ପ୍ରତି ନିଜର କର୍ଣ୍ଣପାତ ନ ଥାଏ। ଉମେଶ ବାବୁ ପୁଣି ପଚାରିଲେ ଆରେ ଶୁଣୁଛ ଚାଲ ଏହାକୁ ନେଇ ଆମେ କେଉଁ ଅନାଥାଶ୍ରମରେ ଛାଡିବା । କାହାକୁ ଛାଡିବ ଏଠ
ାରେ ତ କେହି ଅନାଥ ନାହାଁନ୍ତି । ଏତ ମୋ ଝିଅ ଭଗବାନ ମୋତେ ଦେଇଛନ୍ତି ଏ ଶ୍ରାବଣ ମାସରେ ଏ ମୋ ଶ୍ରାବଣୀ । ଉମେଶ ବାବୁ କଣ କହିବେ କିଛି ଜାଣି ପାରିଲେ ନାହିଁ । ଭବାନୀପାଟଣାରେ ସେ ଜଣେ ବି. ଡି. ଓ ତନୁଶ୍ରୀ ଦେବୀଙ୍କୁ ନେବାକୁ ଆସିଥିଲେ , କିନ୍ତୁ ଏହାରି ଭିତରେ ଆସି କି ଜଞ୍ଜାଳ ଭଗବାନ ପହଞ୍ଚାଇ ଦେଲେ । କଣ କରିବେ କିଛି ଜାଣି ପାରୁ ନ ଥିଲେ । ତନୁଶ୍ରୀ ଦେବୀ ଅଧ ବାଟରେ ଗାଡି ଅଟକାଇଲେ ଦୋକାନକୁ ଯାଇ ଛୁଆର ଡ୍ରେସ, ତରକିସ ଟାଉଲ,ପପୁ ବୋତଲରେ, ଛୋଟ ପିଲାଙ୍କ ଖାଦ୍ୟ,ଖେଳନା ଆଦି ଅନେକ କିଛି କିଣିଲେ ତା ପରେ ଟାକ୍ସି ଉମେଶ ବାବୁଙ୍କ ବସା ଅଭିମୁଖେ ଆଗେଇ ଚାଲିଲା । ଘରେ ପହଞ୍ଚିଲା ବେଳକୁ ରାତ୍ର ପ୍ରାୟ ୧୦:୦୦ ଘଟିକା ତା ସହିତ ତୁହାକୁ ତୁହା ବର୍ଷା କାହାକୁ ଜଣା ପଡିଲା ନାହିଁ ଉମେଶ ବାବୁ କିପରି କାହାକୁ ନେଇ ଆସିଛନ୍ତି। ତାପରେ ଅଚିହ୍ନା ଟାକ୍ସି ଡ୍ରାଇଭର ନିଜର ଭଡ଼ା ସହିତ ଏକ୍ସଟ୍ରା ବକ୍ସିସ ନେଇ ନିଜ ଗନ୍ତବ୍ୟ ପଥରେ କେଉଁଆଡେ ଚାଲିଗଲା।
ତାପରେ ତନୁଶ୍ରୀ ଦେବୀ ଉମେଶ ବାବୁଙ୍କୁ ବିନମ୍ର ସହିତ ନିବେଦନ କଲେ ଏ କଥା ପ୍ରଘଟ ନ କରିବା ପାଇଁ , ଆମେ କହିବା ଏ ଆମର ଜନ୍ମିତ ସନ୍ତାନ । ଏପରିକି ଆମ ଆତ୍ମୀୟ ସ୍ୱଜନ ଓ ପଡୋଶୀଙ୍କୁ ମଧ୍ୟ ନୁହେଁ । ସେ ଦିନ କିଛି ନ କହି ଚୁପ ରହିଥିବା ଉମେଶ ବାବୁ ଆଜି ଝିଅ ଓ ଜ୍ୱାଇଁ ଆଗରେ ସବୁ ଗାଇଚାଲିଲେ ୨୬ ବର୍ଷର ଗୁପ୍ତ ରଖିଥିବା ଅକୁହା କଥା । ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ଆମେ ଗାଁକୁ ଯାଇନାହୁଁ ଖାଲି କେବଳ ତୋରି ପାଇଁ କାଳେ କିଏ କହିବ ତୁ ମୋର ଜନ୍ମିତ ସନ୍ତାନ ନୁହଁ । ସମସ୍ତେ ଜାଣିଛନ୍ତି ତୁ ଆମ ପାଳିତ ନୁହେଁ ଜନ୍ମିତ ସନ୍ତାନ। ସେ ଦିନ ଅଫିସ ଷ୍ଟାଫ ପଡୋଶୀ ଜାଣିଥିଲେ ତୁ ଗାଁରେ ଜନ୍ମ ହୋଇ ଆସିଥିଲୁ । ଆମ ଘର ଓ ତୋ ମାମୁଁ ଘର ଲୋକେ ଜାଣିଛନ୍ତି ତୁ ଭବାନୀପାଟଣାରେ ଜନ୍ମିଛୁ । ସେ ଦିନ ଅଫିସ ଷ୍ଟାଫ ବାଧ୍ୟ କରିଥିଲେ ସାର ଝିଅ କେବେ ଜନ୍ମ ହେଲା କହିଲେ ନାହିଁ, କିନ୍ତୁ ଆମକୁ ଗୋଟିଏ ଭୋଜି ଭାତ ଦରକାର । ଯେଉଁ ଦିନ ଭୋଜି ଭାତ ଦେଲି ତୋତେ ଦେଖି ସମସ୍ତେ କହିଲେ ସାର ଆପଣଙ୍କ ଝିଅ ସ୍ୱର୍ଗର ଚାନ୍ଦ । ସମସ୍ତେ ତୋତେ କୁଣ୍ଢାଇ ଧରି ଗେଲ କରୁଥାନ୍ତି । କିଏ କହୁଥାନ୍ତି ମୋ ପରି ହୋଇଛୁ ତ ଆଉ କିଏ କହୁଥାନ୍ତି ତୋ ମାମାର ରଙ୍ଗ ଗଠନକୁ ଛାପି ଆଣିଛୁ। ସେ ଦିନ ତୋ ମାମାର ଗୋଡ଼ ତଳେ ଲାଗୁ ନ ଥିଲା। ଉପହାରରେ ତୋତେ ସମସ୍ତେ ପୋତି ପକାଇଲେ । ତୋତେ ପାଇ ପାଳିତ ଓ ଜନ୍ମିତ ମଧ୍ୟରେ ପ୍ରଭେଦ ଆମେ ସବୁ ଭୁଲିଗଲୁ । ନିଜ ଔରସରୁ ସନ୍ତାନ ଜନ୍ମିଲେ କାଳେ ତୋତେ ଭଲ ପାଇବା କମ ହୋଇଯିବ ଭାଵି ଆମେ ଦ୍ୱିତୀୟ ସନ୍ତାନର ପରିକଳ୍ପନା ବି କରି ନ ଥିଲୁ। ତୋ ମାମା ସବୁବେଳେ କହୁଥାଏ ଏ ମୋର ପୁଅ ବି ଓ ଝିଅ ବି । ତୋ ପାଠ ପଢ଼ାରେ ବିଚକ୍ଷଣ ବୁଦ୍ଧି, ଧୀଶକ୍ତି ଆମକୁ କାବା କରି ଦେଉଥିଲା । ତୋ ମା ତୋ ଖାଇବା ପିଇବା ପାଠ ପଢିବା ଦାୟିତ୍ୱ ସବୁ ନେଇଛି। ସ୍କୁଲ କଲେଜ ସବୁ ଠାରେ ତୋ ସୁନାମ । ଯେଉଁଦିନ ତୁ ମାଟ୍ରିକ ପରୀକ୍ଷାରେ ଓଡ଼ିଶାରେ ସର୍ବାଧିକ ନମ୍ବର ପାଇ ବେଷ୍ଟଷ୍ଟାଣ୍ଡ ପାଇଲୁ ସେ ଦିନ ତୋ ଅଜା ଆଈ, ମାମୁଁ ମାଇଁ ସମ୍ବାଦ ପତ୍ରରେ ତୋ ଫୋଟୋ ଦେଖି ଖୁସିରେ ତାଙ୍କ ଅଞ୍ଚଳରେ ମିଠା ବାଣ୍ଟି ଥିଲେ । ତୁ ଆମ ଉତ୍କଳ ୟୁନିଭେର୍ସିଟିରେ କୋଟିକରେ ଗୋଟିଏ ଥିଲୁ । ତୋ ମାମା ତୋତେ ଚାକିରୀ କରିବାକୁ ମନାକଲା । ଚାକିରୀ କଲେ ଭଲ ଜ୍ୱାଇଁ ମିଳିବ ନାହିଁ ସମ୍ପର୍କ ସବୁଠାରୁ ବଡ଼ । ଖୋଜି ଖୋଜି ତୁମ ପରି ଜ୍ୱାଇଁ ଖୋଜି ଆମେ ପାଇଲୁ । ଆଜି ଅକୁହା କଥାକୁ ଖୋଲି କହିଲୁ ଆମ ଦୁହିଁଙ୍କ ବ୍ଲଡ଼ ଗ୍ରୁପ ଆମର ଦାଉ ସାଜିଲା । ମୋ ଶ୍ରାବଣୀକୁ ପରଝିଅ କହି ପାରିବୁ ନାହିଁ । ସେ ମୋ ରକ୍ତ ସମ୍ପର୍କ ନୁହେଁ ସତ ଆମ ଦୁହିଁଙ୍କର ପ୍ରେମ ସମ୍ପର୍କର ମୂଳ ଦୁଆ । ତାକୁ କ୍ଷଣକ ପାଇଁ ନ ଦେଖିଲେ ଆମେ ବଞ୍ଚି ପାରିବୁ ନାହିଁ। ତା ଦେହରେ କଣ୍ଟାର ଆଘାତ ହେଲେ ତା ମାର ଜୀବନ ଛାଡ଼ି ଯାଉଥିଲା। ଆଜି ତୁମ ଦୁହିଁଙ୍କ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ମୋ ଝିଅର ହୃଦୟ ସହିତ ଆମ ଦରଦୀ ହୃଦୟରେ ଆଜି ଅଦିନ ବନ୍ୟା ଆସିଛି। ଶେଷ ଜୀବନ କିପରି କାଟିବୁ ଆମେ କହିପାରୁ ନାହୁଁ । ଶ୍ରାବଣୀ ତାର ବାପା ମାକୁ କୁଣ୍ଢାଇ ଧରି ଅଧୈର୍ଯ୍ୟ ତାର ଚକ୍ଷୁରୁ ଶ୍ରାବଣର ଧାରା ବନ୍ଦ ହେଉ ନ ଥିଲା। ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ ମାମା କୁହ ଏ ସବୁ ମିଛ କଥା । ଲୋକ କହୁଛନ୍ତି ମୁଁ ବାପାଙ୍କ ସଦୃଶ । ଅଜା ବଞ୍ଚିଥିଲା ବେଳେ କହୁଥିଲେ ମୋ ଗୁଣ ମୋ ରୂପ ସବୁ କୁଆଡେ ତୁମ ପରି । ଆମ ମାନଙ୍କ ମଧ୍ୟରେ ଏତେ ସବୁ ସାମଞ୍ଜସ୍ୟ ଥାଇ ମଧ୍ୟ ତୁମେ କିପରି ଅନ୍ୟ କାହାର ପରିତ୍ୟକ୍ତ କନ୍ୟା ବୋଲି ମୋତେ କହୁଛ । କିପରି ବାବା ମାମା ଦୁହେଁ ତୁମ ଗେଲ୍ଲୀ ଶାବକୁ ଆଜି ପରକରି ଦେଉଛ । ଆମ୍ଭମାନଙ୍କ ମଧ୍ୟରେ ଥିବା ଅଭିନ୍ନ ବନ୍ଧନକୁ ଆଜି ଅଡୁଆ ସୂତା କହି ତୁମ ପାଖରୁ ଅଲଗା କରି ଦେଉଛ । ସତରେ ପିତାମାତା ଝିଅ ଶାବର ଶୋକାକୁଳ ପରିବେଶ ବହୁତ ହୃଦୟ ବିଦାରକ ଥିଲା । ପତିପତ୍ନୀ ଦୁହେଁ ଝିଅର ମୁହଁକୁ ମୁଣ୍ଡ ଟେକି ଚାହିଁ ପାରୁ ନ ଥିଲେ । ଶ୍ରାବଣୀର ଜୀବନ ଚକ୍ର ଓ ଶାଶୁ ଶ୍ୱଶୁରଙ୍କ ମହନୀୟତାର ଗୁଣ ଶୁଣି ନିଜକୁ ଲଜ୍ଜିତ ମନ କରିଥିଲେ ଡାକ୍ତର ଶାନ୍ତନୁ । ତାପରେ ଲୋତକ ପୂର୍ଣ୍ଣ ନୟନରେ ଜ୍ୱାଇଁ ଶାନ୍ତନୁ ଶାଶୁ ଶ୍ୱଶୁରଙ୍କ ପାଖକୁ ଯାଇ କହିଲେ ମୋତେ ଆଜି କ୍ଷମା କରିଦିଅ ବାପା ମାମା ଶ୍ରାବଣୀ ପ୍ରତି କରିଥିବା ଅନ୍ୟାୟ ବ୍ୟବହାର ପାଇଁ ଆଜି ମୁଁ ଲଜ୍ଜିତ । ସତରେ ସ୍ନେହ ମମତା ପ୍ରେମ ସମ୍ପର୍କ ଆଗରେ ଏ ରକ୍ତ ସମ୍ପର୍କ ଆଜି ତୁଚ୍ଛ । ମୁଁ କେବେ ଭାବି ନ ଥିଲି ଶ୍ରାବଣୀ ଆପଣଙ୍କ ପାଳିତ କନ୍ୟା। ସେଥିପାଇଁ ଦେଇଥିବା ବକ୍ତବ୍ୟ ପାଇଁ ମୁଁ ଲଜ୍ଜିତ ଓ ଆପଣଙ୍କ ପାଖରେ ମୁଁ କ୍ଷମା ପ୍ରାର୍ଥନା ମାଗୁଛି । ଏ ଶ୍ରାବଣର ଝଡ଼ ଆମ ଜୀବନରେ ଆଉ କେବେ ଆସିବ ନାହିଁ । ଶ୍ରାବଣୀ ମୋ ଜୀବନ ରେଖା ତୁମେ ଦୁହେଁ ଆମ ମାନବ ରୂପୀ ଭଗବାନ । ଶ୍ରାବଣୀ ଆପଣଙ୍କର ସାନ୍ନିଧ୍ୟ ଲାଭ କରି ନିଜକୁ ଭାଗ୍ୟବତୀ ମନେ କରିଛି । ଆଜି ଆମ ଦୁହିଁଙ୍କୁ ଯଦି ଆପଣଙ୍କ ସେବା କରିବାକୁ ଅନୁମତି ମିଳେ ଆମ ଜୀବନ ଧନ୍ୟ ହୋଇଯିବ। ମୋର ବି ଆଜି ନିଜର ବୋଲି ଏ ଦୁନିଆଁରେ କେହି ନାହିଁ। ମୋ ବାପା ମାଆ ମୋତେ ଛାଡ଼ି ବହୁଦିନ ହେଲା ଚାଲିଗଲେଣି । ସେ ଦୁହେଁ ବୋହୁ ମୁହଁ ବି ଦେଖି ନାହାଁନ୍ତି। ମୁଁ ଅନାଥ ନ ହେଲେ ବି ଜେଜ ଜେଜୀ ମାଙ୍କ ଦ୍ୱାରା ଲାଳିତ ପାଳିତ ହୋଇ ଆଜି ଏ ଦୁନିଆଁରେ ଛିଡା ହୋଇଛି। ସେହିଦିନ ଠାରୁ ଉମେଶ ବାବୁ ତନୁଶ୍ରୀ ଦେବୀ ଝିଅ ଜ୍ୱାଇଁଙ୍କ ପ୍ରେମ ବନ୍ଧନ ଭିତରେ ଏପରି ବାନ୍ଧିହୋଇ ଗଲେ ଯେ ଶ୍ରାବଣୀର ଅକୁହା କାହାଣୀ ଆଉ କେବେ ପୁନରାବୃତ୍ତି ହୋଇନାହିଁ । ଶ୍ରାବଣୀର ପୁଅ ଝିଅ ଦେଖି ବୁଢ଼ା ବୁଢ଼ୀ ଦୁହେଁ ଜୀବନର ଅନ୍ତିମ ସମୟରେ ଆର ପାରିକୁ ଚାଲି ଯାଇଥିଲେ ।
ଆଜି ନିଜ ଘର ଅଗଣାରେ ଶ୍ରାବଣୀ ଓ ଡାକ୍ତର ଶାନ୍ତନୁ ଦୁଇଟି ମୁଗୁନି ପଥରର ମୂର୍ତ୍ତି ସ୍ଥାପନ କରି ଉମେଶବାବୁ ଓ ତନୁଶ୍ରୀ ଦେବୀଙ୍କୁ ମାନବ ରୂପୀ ଭଗବାନ କହି ପୂଜା କରୁଛନ୍ତି। ସବୁ ଦିନେ ସନ୍ଧ୍ୟା ଧୂପ ଦେଇ ମନେ ମନେ ଶ୍ରାବଣୀ ଦେବୀ ନିଜ ଜୀବନ ଚକ୍ରକୁ ପରଖୁ ଥିଲେ । ସତରେ ବ୍ଲଡ଼ ଗ୍ରୁପଟା ସେ ଦିନ ମୋ ମାମା ବାପାଙ୍କ ମନରେ ଅନେକ ଆଘାତ ଦେଇଥିଲା। ବିଲୁଆ କୁକୁର ମୁହଁରେ ଆହାର ସାଜିବାକୁ ଯାଉଥିବା ଏ ଜୀବନ ସତରେ ଏହି ଦେବା ଦେବୀ ଦୁହିଁଙ୍କ ଯୋଗୁଁ ଆଜି ଦୁନିଆଁର କେତେ ସୁଖଶାନ୍ତି ଅନୁଭବ କରୁଛି । ଧନ୍ୟ ଏ ଜୀବନ। କେବେ ମୁଁ ବିଶ୍ୱାସ କରି ନଥିଲି, ମୋ ଜୀବନର ମୋଡ଼ ଏପରି ଅଛି ।କିନ୍ତୁ ସତରେ “ସତ କେବେ ଲୁଚି ରହେନା" । ସେ ଦିନ ବ୍ଲଡ଼ ଗ୍ରୁପ ଆଘାତରେ ମୋ ସହିତ ମୋ ମାମା ବାପା ଭାଙ୍ଗି ପଡ଼ିଥିଲେ। ତଥାପି ମୋ ପରିଚୟ ମୁଁ କେବେ ଖୋଜି ନାହିଁ। ମୋ ବ୍ଲଡ଼ ଗ୍ରୁପଟା ପର କହିଲେ ବି ଆଜି ମୁଁ ବିଶ୍ୱାସ କରି ପାରୁନାହିଁ । କାରଣ ପର ଆପଣା ଭଗବାନଙ୍କ ପାଖରେ ନ ଥାଏ । ସତରେ ଭଗବନ ଯଦି ପୁନଃ ଜନ୍ମ ଅଛି ସେହି ଦେବା ଦେବୀଙ୍କ ଔରସରୁ ଓ ଗର୍ଭରୁ ମୋତେ ଦିନେ ଜନ୍ମଦେବେ। ଏତିକି ଭାବିଲା ବେଳକୁ ଝିଅର ମମି ମମି ଡାକରେ ଚମକି ପଡିଲେ ଶ୍ରାବଣୀ ଦେବୀ ।
କ୍ରମଶଃ.....