STORYMIRROR

Gobinda Chandra Sethi

Abstract Children Stories Romance

4.7  

Gobinda Chandra Sethi

Abstract Children Stories Romance

କୁହୁକ ବୃକ୍ଷ

କୁହୁକ ବୃକ୍ଷ

4 mins
33

ଥରେ ଏକ ରାଜ୍ୟରେ ଜଣେ ଶକ୍ତିଶାଳୀ ରାଜା ଥିଲେ । ତାଙ୍କ ନାମ ଥିଲା ଅରିନ୍ଦମ। ସେ ରୂପ, ଗୁଣ ସହିତ ବହୁତ ବୁଦ୍ଧିମାନ ଥିଲେ। ତାଙ୍କର ଚାରି ରାଣୀଥିଲେ। ସବୁଠାରୁ ବୁଦ୍ଧିମତୀ ବଡ଼ ରାଣୀର ନାମ ଥିଲା ଅକ୍ସରା, ଦ୍ୱିତୀୟର ନାମ ନଳିନୀ, ତୃତୀୟ ରାଣୀର ନାମ ମାୟା ଓ ସାନ ରାଣୀର ନାମ ହରିଣୀ।  
               ସାନରଣୀ ଏକ ଋଷି କନ୍ୟା ଓ ଐଶ୍ଵରୀକ ଶକ୍ତିର ଅଧିକାରୀ । ରାଜା ମୃଗୟାକୁ ଗଲାବେଳେ ଏକ ଘଞ୍ଚ ଜଙ୍ଗଲରେ ତାଙ୍କ ସହିତ ଦେଖା ହୋଇଥିଲା । ତାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଓ ଶେଷରେ ଋଷି କନ୍ୟାଙ୍କୁ ବିବାହ କରି ସେ ରାଜ ଉଆସକୁ ନେଇ ଆସିଥିଲେ । ହରିଣୀଙ୍କ ଯେମିତି ରୂପ ସେମିତି ଗୁଣ। ସେ ସବୁ ବିଦ୍ୟାରେ ପାରଙ୍ଗମା । ସେ କିଛି ସମୟ ନିଜ ଭକ୍ତି ତପସ୍ୟା ବଳରେ ସ୍ମିତ ହାସ୍ୟରେ ଧ୍ୟାନରେ ବସି ଈଶ୍ୱରଙ୍କୁ ଆରାଧନା କରି ସେ ନିଜ ମାନବ ରୁପକୁ କୋମଳ ସୁଗନ୍ଧ ମହକର ଏକ ପ୍ରସ୍ଫୁଟିତ ବୃକ୍ଷର ରୁପକୁ ଧାରଣ କରି ପାରନ୍ତି। ତାଙ୍କରି ଏହି ରୂପ ଓ ଗୁଣ ପାଇଁ ରାଜ ଉଆସ ସୌନ୍ଦର୍ଯ୍ୟ ଓ ସୁଗନ୍ଧରେ ଭରି ଦେଇଥାନ୍ତି । ସେଥିପାଇଁ ସେ ରାଜାଙ୍କର ସବୁଠାରୁ ଅତି ପ୍ରିୟପାତ୍ର ରାଣୀ । ସ୍ୱଳ୍ପ ସମୟ ଭିତରେ ଯଦି ଏକ ମନ୍ତ୍ର ବୋଲି ରାଜା ତାଙ୍କୁ ସ୍ପର୍ଶ କରିଥାନ୍ତି ସେ ପୁଣି ନିଜ ରୁପକୁ ଫେରି ଆସିବେ, ନୋହିଲେ ସବୁଦିନ ପାଇଁ ଏକ ବୃକ୍ଷ ହୋଇ ରହିଯିବେ । 
       ସାନ ରାଣୀ ହରିଣୀର ରୂପ ଗୁଣ ଓ ରାଜାଙ୍କ ଭଲ ପାଇବାରେ ଅନ୍ୟ ରାଣୀମାନେ ଈର୍ଷାରେ ଜର୍ଜରିତ ହେବା ସ୍ଵଭାବିକ ହେଲେ ସେମାନେ କିଛି କହି ପାରନ୍ତି ନାହିଁ । ସମସ୍ତେ ଏକାଠି ହସ ଖୁସି ହୋଇ ଦିନ ସରି ଯାଉଥିଲା । ରାଜ ମହଲ ଚାରି ରାଣୀଙ୍କର ରୂପ ଗୁଣରେ ପ୍ରଜାମାନଙ୍କ ଦ୍ୱାରା ପ୍ରଶଂସିତ ହୁଏ । ଦେଶରେ ଅଭାବ ଅନାଣ୍ଟନ ବୋଲି କିଛି ପରିଲକ୍ଷିତ ହୁଏ ନାହିଁ । 
        ପ୍ରତି ବର୍ଷରେ ଥରେ ଦେଶରେ କୁମାର ପୂର୍ଣ୍ଣିମା ଦିନ ଏକ ଉତ୍ସବ ପାଳିତ ହୁଏ। ସେ ଦିନ ରାଣୀ ହରିଣୀ କିଛି ସମୟ ପାଇଁ ବିଭିନ୍ନ ରଙ୍ଗର ଫୁଲରେ ଏକ ସୁନ୍ଦର ପୁଷ୍ପ ବୃକ୍ଷରେ ରୂପାନ୍ତନରିତ ହୁଅନ୍ତି। ଦେଶସାରା ପୁଷ୍ପର ସୁଗନ୍ଧ ଖେଳାଇଦିଏ। ପ୍ରଜା ଆବାଳ ବୃଦ୍ଧବନିତା ପୁଷ୍ପର ସୁଗନ୍ଧରେ ପାଗଳ ହୋଇଯାଆନ୍ତି । ସତେ ଯେମିତି ପୁଷ୍ପରୁ ମଧୁ ପାନ କରିବା ପାଇଁ ଦେଶସାରା ଭ୍ରମର ଗୁଞ୍ଜନ କରୁଛନ୍ତି । ସାନ ରାଣୀଙ୍କୁ ପ୍ରଶଂସା କରି ଦେଶରେ ସମସ୍ତେ ନିଜକୁ ଧନ୍ୟ ମନେ କରନ୍ତି।
         ଏହିପରି ହସ ଖୁସିରେ ପ୍ରଜାମାନେ ନିଜର ଜୀବନ ଅତିବାହିତ କରୁଥିଲେ। ଏକ ପଡୋଶୀ ଦେଶ ଦିନେ ଏହି ରାଜ୍ୟର ସୁଖ ଶାନ୍ତିକୁ ନଷ୍ଟ କରିବାକୁ ଚକ୍ରାନ୍ତ କଲେ । ସେଥିପାଇଁ ଏକ ବିରାଟ ଯାଦୁଗର ଦିନେ ଆସି ରାଜ ସଭାରେ ଗର୍ଜ୍ଜନ କରିଲା । ତାଙ୍କୁ ଯେବେବେଳେ ଆକ୍ରମଣ କରିବାକୁ ଚେଷ୍ଟା କରାଗଲା, ସେ ସଭାରେ ଉପସ୍ଥିତ ମନ୍ତ୍ରୀ ମଣ୍ଡଳ, ପଣ୍ଡିତ, ପୁରୋହିତ, ଶାସ୍ତ୍ରବିତ ଓ ରାଜ ଦରବାର ସୈନିକମାନଙ୍କୁ ମନ୍ତ୍ର ବଳରେ ବଶୀଭୂତ କରାଇଲେ । ଯାଦୁଗର ସହିତ ସଂଗ୍ରାମ କରି ସମସ୍ତେ ଚେତାଶୂନ୍ୟ ହୋଇଗଲେ। ଦେଶର ରାଜା କିଂକର୍ତ୍ତବ୍ୟବିମୁଢ଼। ଅର୍ଥାତ୍ କର୍ତ୍ତବ୍ୟ ଶୂନ୍ୟ, କଣ କରିବେ ଠିକ୍ କରି ପାରିଲେ ନାହିଁ। ଦେଶକୁ କିପରି ଏ ଯାଦୁଗର ଦାଉରୁ ରକ୍ଷା କରିବେ। କିଛି ସମୟ ପରେ ଯାଦୁଗର ରାଜାଙ୍କୁ ବଶୀଭୂତ କରିଦେଲା ।
        ଏ କଥା ପ୍ରଘଟ ହେବାପାଇଁ ସମୟ ଲାଗିଲା ନାହିଁ ।ରାଣୀ ଉଆସରେ ସଙ୍ଗେ ସଙ୍ଗେ କଥା ପହଁଞ୍ଚିଗଲା । ରାଜାଙ୍କୁ ସଂକଟରୁ ରକ୍ଷା କରିବା ପାଇଁ ଓ ସାନ୍ତ୍ୱନା ଦେବାପାଇଁ ଚାରିରାଣୀ ରାଜ ଦରବାରରେ ଉପସ୍ଥିତ ହୋଇଗଲେ । କିନ୍ତୁ ଯାଦୁଗରର ଯାଦୁ ବହୁତ ଭୟଙ୍କର ଥିଲା । ସେ ତା ଯାଦୁରେ ସମସ୍ତଙ୍କୁ ବଶୀଭୂତ କରିବାକୁ ଚେଷ୍ଟା କରୁଥାଏ । ରାଜାଙ୍କ ସାନରଣୀ ହରିଣୀ ସଙ୍ଗେ ସଙ୍ଗେ ଧ୍ୟାନ ବଳରେ ଏକ ଡେଙ୍ଗା ପୁଷ୍ପ ବୃକ୍ଷରେ ପରିଣତ ହୋଇଗଲେ ଓ ଅଚାନକ ନିଜର ଶାଖା ପ୍ରଶାଖା ମେଲେଇ ନିଜ ରାଜ୍ୟ ପାଇଁ କୃପାଛତ୍ର ପାଲଟି ଗଲଲେ । ଯାଦୁଗରର ସବୁ ନକାରାତ୍ମକ ଶକ୍ତି ବୃକ୍ଷ ନିଜେ ଶୋଷିନେଇ ଯାଦୁଗରକୁ ଅକାମି କରିଦେଲା । ଫଳରେ କିଛି ସମୟ ମଧ୍ୟରେ ଯାଦୁଗର ତଳେ ପଡ଼ି ଛଟପଟ ହୋଇ ମୃତ୍ୟୁ ବରଣ କଲେ । ସମସ୍ତ ରାଜ ସଭା ସଦସ୍ୟ ସହିତ ରାଜା କୁଶକ୍ତିରୁ ମୁକ୍ତି ପାଇଲେ । ରାଜାଙ୍କ ସହିତ ରାଜ ପରିଷଦ ଓ ତିନି ରାଣୀ ଆଖି ମଳି ମଳି ଚେତନା ଶକ୍ତି ଫେରି ଆସିବା ପରେ ଦେଖିଲେ ସାନ ରାଣୀ ହରିଣୀ ସବୁଦିନ ପାଇଁ ପୁଷ୍ପ ବୃକ୍ଷ ହୋଇଯାଇଛି । ସମୟର ସୀମା ଅତିକ୍ରାନ୍ତ କରି ଯାଇଥିଲା । ରାଣୀଙ୍କ ଆଉ ମାନବ ରୂପ ଫେରିଲା ନାହିଁ। ସେ ସବୁଦିନ ପାଇଁ ସୁବାସିତ ପୁଷ୍ପ ବୃକ୍ଷ ହୋଇ ନିଜ ରାଜ୍ୟକୁ କୁପ୍ରଭାବରୁ ରକ୍ଷାକଲେ। ରାଜା, ତିନି ରାଣୀ, ପ୍ରଜା ମଣ୍ଡଳୀ ସବୁ ଦୁଃଖରେ ଭାଙ୍ଗି ପଡିଲେ ସତ , କିନ୍ତୁ କିଛି ଲାଭ ମିଳିଲା ନାହିଁ । ସାନ ରାଣୀ ହରିଣୀ ସବୁଦିନ ପାଇଁ ଗଛ ହୋଇ ସମସ୍ତ ରାଜ୍ୟ ବାସୀଙ୍କୁ ପ୍ରେମରେ ବାନ୍ଧି ରଖିଲେ। 
     ଏହା ଥିଲା ରାଣୀ ହରିଣୀ ଓ ରାଜା ଅରିନ୍ଦମଙ୍କ ପ୍ରେମ କାହାଣୀ ଯେଉଁ ପ୍ରେମ ତାଙ୍କ ଦେଶକୁ ରକ୍ଷା କରିଥିଲା । ହରିଣୀଙ୍କ ଐଶ୍ଵରୀକ ଶକ୍ତି କେବଳ ଆଶ୍ଚର୍ଯ୍ୟ ନୁହେଁ ଏହା ଦେଶପାଇଁ ଏକ ରକ୍ଷାର କବଚ। ରାଜା ସବୁଦିନେ ପ୍ରାତଃ ମୁହୂର୍ତ୍ତରେ ଉଠି ହରିଣୀ ପୁଷ୍ପ ବୃକ୍ଷ ପାଖକୁ ଗମନ କରନ୍ତେ ଏକ ସୁବାସିତ ପୁଷ୍ପ ରାଜାଙ୍କ କର କମଳରେ ଖସିପଡ଼େ। ରାଜା ପୁଷ୍ପରେ ଏକ ଚୁମ୍ବନ ଦେଲେ ବୃକ୍ଷଟି ପବନରେ ହସି ହସି ଦୋଳାୟମାନ ହୋଇ ଉଠେ ଓ ସୁଗନ୍ଧର ବର୍ଷା ରାଜ ମହଲ ସହିତ ଦେଶସାରା ଖେଳିଯାଏ। ଆଜି ବୃକ୍ଷ ରାଜ୍ୟର ପ୍ରଜାମାନଙ୍କୁ ଶୁଭ ସକାଳର ସନ୍ଦେଶ ଦିଏ । ଅନେକ ବର୍ଷ ବିତିଗଲାଣି, କିନ୍ତୁ ପ୍ରଜାମାନେ ସେହି ପ୍ରେମ କାହାଣୀକୁ ଏବେ ମଧ୍ୟ ଭୁଲି ନାହାଁନ୍ତି।ବର୍ଷ ପରେ ବର୍ଷ ଆସେ , କିନ୍ତୁ ପ୍ରତିବର୍ଷ କୁମାର ପୂର୍ଣ୍ଣିମାରେ ପ୍ରଜାମାନେ ସାଙ୍ଗ ହୋଇ ଦେଶସାରା ବଡ଼ ଆଡମ୍ବରରେ ନକାରାତ୍ମକ ଶକ୍ତିରୁ ରକ୍ଷା ପାଇବାକୁ ହରିଣୀ ପୁଷ୍ପ ବୃକ୍ଷକୁ ପୂଜିବାକୁ କେବେ ଭୁଲି ନାହାଁନ୍ତି । ଏହି ପ୍ରେମ କାହାଣୀ ଆଜି “କୁହୁକ ବୃକ୍ଷର” ଏକ କିମ୍ବଦନ୍ତୀ ହୋଇ ରହିଛି ।



Rate this content
Log in

Similar oriya story from Abstract