କାହିଁ ସେ ଗାଁ ?
କାହିଁ ସେ ଗାଁ ?
ଜଣା ପଡେ ନାହିଁ ସିନା, କିନ୍ତୁ ସମୟର ଗତି ଭାରି ପ୍ରଖର । ସମୟ ଗତିରେ ସବୁ ପରିବର୍ତ୍ତନ । ଦେଖୁ ଦେଖୁ ସମୟ ଚାଲିଗଲା କିଛି ଜାଣି ପାରିଲି ନାହିଁ କେତେବେଳେ କିପରି ଜଣେ ବରିଷ୍ଠ ନାଗରିକ ହୋଇଗଲି । ଚାକିରୀରୁ ଅବସର ମିଳିଗଲା । ଅବସର ପରେ ମୋ ଗାଁ କଥା ମନେ ପଡିଲା । ମୁଁ ଛୁଟି ଆସିଲି ମୋ ଗାଁର ସ୍ମୃତିକୁ ସାଉଁଟିବାକୁ । ସବୁ ନୂଆ ନୂଆ ଲାଗୁଥାଏ । ଚିହ୍ନି ପାରୁ ନ ଥାଏ ମୋ ଗାଁର ଗଳି କନ୍ଦି ଓ ରୂପ ରେଖା । ଖାଲି ସେତିକି ନୁହେଁ କୌଣସି ପିଲାମାନେ ନା ମୋତେ ଜାଣିଛନ୍ତି ନା ମୁଁ ତାଙ୍କୁ । କିଏ କହୁଥାଏ ଭାଇ ତ ଆଉ କିଏ ଦାଦା ନମସ୍କାର , କିନ୍ତୁ ମୁଁ ଖାଲି ବଲ ବଲ ହୋଇ ଚାହୁଁଥାଏ । ପଚାରିଲେ ସେମାନେ ନିଜର ପରିଚୟ ଦେଇ ଚାଲି ଯାଉଥାନ୍ତି । ଯେଉଁ ଭାଇମାନଙ୍କୁ ସେମାନଙ୍କର ଯୁବାବସ୍ଥାରେ ଦେଖିଥିଲି ଆଜି ସେମାନେ ଆଶା ବାଡ଼ିର ପଥିକ । ଦେଖା ମିଳିଲେ ପ୍ରଣାମ କରୁଛି,କହୁଛନ୍ତି ହଇରେ ଗୋବିନ୍ଦ କିପରି ଅଛୁ, ତୋ ପିଲା ଛୁଆ କେତେ ସେମାନେ କଣ କରୁଛନ୍ତି । ଆଉ ଯେଉଁ ନୂଆ ବୋଉମାନେ ଛୋଟ ବେଳେ ଥଟା ତାମସା କରୁଥିଲେ ଆଜି ତାଙ୍କ ପାଟିରୁ ବଚନ ବାହାରୁ ନାହିଁ । କିଏ କହୁଛି ତୋ ଭାଇ ଦେହ ଭଲ ନାହିଁ ତ ଆଉ କିଏ କହୁଛି ଭାଇ ଯିବାର ଆଜିକୁ ଚାରି ବର୍ଷ ହେଲାଣି । ସବୁ ଶୁଣୁଥାଏ କିଛି ସାନ୍ତ୍ୱନା ମଧ୍ୟ ଦେଉଥାଏ କେବେଳ ମନ ବୁଝିବା ପାଇଁ । ମୋ ପାଇଁ ସତେ ଯେପରି ସମସ୍ତେ ନୂଆ ନୂଆ । ସତେ ମୁଁ ଏକ ଅଜଣା ରାଇଜକୁ ଆସିଲା ପରି ଲାଗୁଥିଲା । ମୋ ଏନ୍ତୁଡ଼ିଶାଳ ଜନ୍ମ ମାଟି ଏଠି ସବୁ ମୋ ବୋଉ କହିଛି । କେତେ ଗପ ଶୁଣିଥିଲି ମୋ ବୋଉ ପାଖରୁ ବୁଢ଼ୀ ଅସୁରୁଣୀ, ଟୁଆଁ ଟୁଇଁ, ବଣ ମହିଷୀ ଅନେକ କଥା । ସତରେ ପାଠ ନ ପଢି ତାର ସ୍ମରଣ ଶକ୍ତି କହିଲେ ନ ସରେ । ସନ୍ଧ୍ୟା ହେଲେ ଆମେ ଭାଇ ଭଉଣୀ ତା ପାଖରେ ବସି ସବୁ ଶୁଣୁଥିଲୁ । କଳାରେ ମୋ ବୋଉ ଅନେକ ଆଗରେ ତା ଝୋଟି ମାଟି କାନ୍ଥରେ ବହୁତ ସୁନ୍ଦର ଲାଗେ । ଆଜି ସେ କାନ୍ଥ ନାହିଁ କି ସେ ଲୋକ ନାହାଁନ୍ତି । ସବୁ ମନେ ପଡେ ସତେ ଯେମିତି ମୋ ଆଖି ଆଗରେ ସବୁ ଝଲସି ଉଠୁଛି ।
ଦୀର୍ଘ ୪୨ବର୍ଷର ବ୍ୟବଧାନ କିଛି କମ ନୁହେଁ । ମାଟ୍ରିକ ପାଶ କଲା ପରଠୁ କାଁ ଭାଁ ଗାଁକୁ ଆସେ। ଆଇ. ଏ. ସି ପରେ ଇଞ୍ଜିନୟରିଙ୍ଗ ତାପରେ ଚାକିରୀ କରି କେତେ ବେଳେ କିପରି ସରିଗଲା କିଛି ଜଣା ପଡିଲା ନାହିଁ । ଆଜି ମୋ ଚୁଟି ସହ ସାଙ୍ଗ ମାନଙ୍କର ମୁଣ୍ଡ ଚୁଟି ପାଚି ଧୋବ ଫର୍ ଫର୍ । ଅନେକ ରୁଗ୍ଣ ପରି ଦେଖା ଯାଉଛନ୍ତି । ସେମାନେ ଆଗ ଭଳି କଥା କହିବାକୁ ନାରାଜ । ସତେ ଯେମିତି ତାଙ୍କର ଲକ୍ଷେ ହଜାର ଖାଇ ଯାଇଛି । କିଏ କହୁଛନ୍ତି ତୁ ଚାକିରୀଆ ଲୋକ ତୋର ଅଭାବ କଣ । ଆମର ଏ ବର୍ଷ ଭଲ ଚାଷ ହେଲା ନାହିଁ ଚଳିବା ପାଇଁ ବହୁତ କଷ୍ଟ । ମୋ ଝିଅ ବିବାହ ପାଇଁ ବହୁତ କରଜ କରିଛି। ଦେହ ମୁଣ୍ଡ ଭଲ ନାହିଁ ଟଙ୍କା ପଇସା ଅଭାବ ଇତ୍ୟାଦି ଇତ୍ୟାଦି । ମନେ ମନେ ଭାବେ ଟିକେ ଭଲ ପଢ଼ୁଥିଲି ବୋଲି ଚାକିରୀ କରି ପରିବାର ପୋଷିଲି ସବୁ ଭଗବାନଙ୍କ କୃପା । ଆମର କେଉଁ ଜମିବାଡ଼ି ତୁମ ପରି ଅଛି କି ଥିଲା । ଖାଲି ଭାବେ ସିନା କିଛି କହିବା ପାଇଁ ପାଟି ଖୋଲେ ନାହିଁ । ସତେ ଯେପରି ସାଙ୍ଗ ମାନଙ୍କର ଆଜି ମୁଁ ପସନ୍ଦ ନୁହେଁ । ସାଙ୍ଗ ସାଥୀ ହୋଇ ଯେଉଁମାନେ ଖେଳୁଥିଲୁ ନ ଦେଖିଲେ ଡାକିବା ପାଇଁ ଘର ପାଖରେ ପହଁଞ୍ଚି ଯାଉଥିଲୁ । ଆଜି ବାର୍ଦ୍ଧକ୍ୟରେ କାହିଁ ଦାଉ ସାଦୁଛନ୍ତି କହିଁ ହେଉ ନାହିଁ । ମୋ ଚାକିରୀଟା ବୋଧେ ମୋ ବାଲ୍ୟ ବନ୍ଧୁମାନଙ୍କୁ ଦୂରେଇ ଦେଉଛି । ଯେତେ ଘନିଷ୍ଠ ହେବା ପାଇଁ ଚାହିଁଲେ କେହି ଅନ୍ତର ସହିତ କଥା ହେଉ ନାହାଁନ୍ତି । ମନକୁ ବୁଝାଇଲି ମୋ ଦୀର୍ଘ ଦିନର ବିଚ୍ଛେଦର ବ୍ୟବଧାନ ଏହାର ମୂଳ କାରଣ । ମନେ ମନେ ଭାବେ ପିଲାଦିନରେ କେତେ ଖେଳ କରୁଥିଲୁ , ବେଳେ ବେଳେ ଭୋଜି ଭାତ କରୁଥିଲୁ । ସେ ସମୟରେ ସମସ୍ତେ ନିଜ ନିଜ ଘରୁ ଚାଉଳ, ପରିବା ଆଣି କେବଳ ସଉଦା ପାଇଁ ଘରୁ ଟଙ୍କେ ଦି ଟଙ୍କା ଆଣୁଥିଲୁ । ଭୋଜି ସରିଲା ପରେ ଖିଆ ପିଆ କରି, ହାଣ୍ଡି କୁଣ୍ଡେଇ ଧୋଇ ୟୁ. ପି.ସ୍କୁଲ ବାରଣ୍ଡାରେ ରାତିରେ ଶୋଇ ପଡ଼ୁଥିଲୁ । ମନେ ମନେ ଭାବେ ମୋ ଭଲ ପାଇବା ତୁମ ପ୍ରତି ଅଛି ସାଙ୍ଗ । ଖାଲି ଚାକିରୀ କରି ଦୂରରେ ଥିଲି । ମୋର ଅନ୍ତରଙ୍ଗ ସାଙ୍ଗ ବିଜୟ ଚାଲି ଗଲାଣି । ଆଉ ତା ସହିତ ଦେବ ବଳରାମ ଓ ମହେନ୍ଦ୍ର । ଆଉ ଯେଉଁମାନେ ରହିଲେ ଚିହ୍ନିଲେ ବି ଅଚିହ୍ନା ଅଚିହ୍ନା ଭାବୁଥାନ୍ତି। ସେ ଯାହା ହେଉ ଏହାରି ଭିତରେ ମୁଁ ମୋର ସ୍ମୃତି ଅନୁଭୂତିକୁ ସାଉଁଟିବା ପାଇଁ ଚେଷ୍ଟା କରୁଥାଏ ।
ପ୍ରଥମେ ନଜର ପଡିଲା ମୋ ଗାଁ ବିଦ୍ୟାଳୟ ଆଡ଼େ ।
ଦେଖିଲି ୟୁ.ପି ସ୍କୁଲଟା ଆଉ ନାହିଁ । ସେ ଆମର ବି. ଏମ. ସ୍କୁଲ ସହିତ ମିଶି ଯାଇଛି । ଯେଉଁ ସ୍କୁଲ ଆଜବେଷ୍ଟ ଘର ଥିଲା ଏବେ ଦୁଇ ମହଲା କୋଠା ଘର ହୋଇ ଯାଇଛି । ୟୁ. ପି., ଓ ଏମ. ଇ ସ୍କୁଲ ହାଇସ୍କୁଲ ସହିତ ମିଶି ଯାଇଛି । ତତ ସହିତ ବି. ଏମ. ସ୍କୁଲ ନାମ ଜାଗରେ ମୋ ସ୍କୁଲର ନାଁ ବି. ଏମ. ନୋଡାଲ ସ୍କୁଲ ହୋଇ ଯାଇଛି । ବହୁତ କଷ୍ଟ କରି ଯେଉଁ ଆଜବେଷ୍ଟ ଘର କରିଥିଲୁ ସେ ସ୍ମୃତି ହଜି ଯାଇଛି, ଧାଡି ଧାଡି ହୋଇ ଛିଡା ହୋଇ ଥିବା ଟଗର ଗଛ ନାହିଁ । ସ୍କୁଲ ମଝିରେ ଥିବା କୂଅ ଓ ତା ଚାରି ପାର୍ଶ୍ଵର ସଦା ବିହାରୀ ଆଉ ନାହିଁ । ତା ଜାଗରେ ଅନେକ ଘର, ଚଟାଣଟା ଟାଇଲି ହୋଇ ଯାଇଛି । ବାଇଗବା, ଅମରୀ ଗଛରେ ତିଆରି ବାଡ଼ ଆଜି ସିମେଣ୍ଟ ପାଚେରୀ ହୋଇ ଯାଇଛି । ରାସ୍ତା ସମ୍ମୁଖ ପାଚେରୀରେ ଅନେକ ପ୍ରକାର ସଦ ଉପଦେଶ ସହ ସୁନ୍ଦର କାରୁକାର୍ଯ୍ୟ ଶୋଭା ବର୍ଦ୍ଧନ କରୁଛି । ସ୍କୁଲ ରୂପରେଖା ବଦଳି ଯାଇ ସତରେ ବହୁତ ଉନ୍ନତ କରିଛି । ଶୁଣିଲି ମୋ ପ୍ରିୟ ଗୁରୁଜୀମାନେ ଜୀବନର ଆର ପାରିକୁ ଚାଲି ଗଲେଣି । ମନେ ମନେ ଭାବେ ତାଙ୍କ ଶିଷ୍ୟମାନେ ତ ଗଲେଣି ପରମ ପୂଜ୍ୟ ଗୁରୁଜୀ ରହିବେ କିପରି । ଯାହା ଚିରନ୍ତନ ସତ୍ୟ ତାହା ହିଁ ହେଉଛି ତାକୁ ଆଉ ରୋକିବ କିଏ । ହେ ଭଗବାନ ସେମାନଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ।
ଆମ ଗାଁର ମାଟି ଖପରା ଧୂଳିରେ ଗଢ଼ା ଦାଣ୍ଡ “ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ସଡ଼କ" ଯୋଜନାରେ କଂକ୍ରିଟ ହୋଇ ଯାଇଛି। ୧୯୯୯ ମହାବାତ୍ୟା ପରେ ଗାଁର ରୂପରେଖା ପ୍ରାୟ ବଦଳି ଯାଇଛି । ଗାଁର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କ କୋଠା ଘର । ଚାଳ ଘର ଆଉ ନାହିଁ । ଆମ ଗାଁ ଦାଣ୍ଡରେ ଆଉ ଗାଈ ଗୋରୁ ଦେଖା ଯାଉ ନାହାଁନ୍ତି କି ଗାଈ ଖୁଣ୍ଟ ବି ନାହିଁ । ଆଜି ଆମ ଗାଁର ସେ ଧାନ ବିରି କୋଳଥ ବ୍ୟବସାୟ ପାଇଁ ବ୍ୟବହୃତ ହେଉ ଥିବା ପ୍ରିୟ ଘୋଡା ଆଜି ସ୍ବପ୍ନ । ସତରେ ସେ ଦିନର କଥା ଆଜି ବହୁତ ମନେ ପଡେ ସାଙ୍ଗଙ୍କ ଘୋଡା ଆଣିବା ପାଇଁ ଆମେ ସ୍କୁଲ ଛୁଟି ପରେ ଆମ ବାଲିକୁଦ ମହିଷୀ ଗଡିଆକୁ ଯାଉଥିଲୁ । ଘୋଡା ଉପରେ ବସି ଅନେକ ମଜା କରିଛୁ । ଆଜି ସବୁ ସ୍ବପ୍ନ । ଆମ ଗାଁର ପଶ୍ଚିମ ମୁଣ୍ଡରେ ବଜାର ନାଁ ଘୋଡା ବଜାର ଥିଲା । ନାଁ ଟା ଏବେ ବଦଳି ଯାଇଛି ନାଁ ତାର କୁଅଁରପୁର ବଜାର କହୁଛନ୍ତି । ଏ ବଜାର ନାଁ ଦିନେ ଘୋଡା ବଜାର ଥିଲା ଏବେକାର ପିଢ଼ି ଭୁଲି ଯାଇଛନ୍ତି । ସେଠି ଯେଉଁ ବରା ପିଆଜି ଦୋକାନ ଥିଲା ଆଉ ନାହିଁ । ସେହି ବଜାରରେ ଆମର ଏକ ତେଜ ରାତି ଦୋକାନ ଥିଲା ତାକୁ ନରି ଭାଇ ଚଳାଉଥିଲେ । ସେ ଦୋକାନ ସବୁ ଆଉ ନାହିଁ , ଏବେ ଭିଡ଼ ହେଉଛି ଆମ ସ୍କୁଲ ଛକରେ । ଆମ ସ୍କୁଲ ପଛପଟ ବାଲି କୁଦରେ ଆଉ ବାଲି ନାହିଁ ସେ ଆଜି ସମତୁଲ ହୋଇ ଯାଇଛି । ଦିନେ ଥିଲା ସେ ଆମ ବାଲିର ଖେଳ ପଡିଆ । ସ୍କୁଲ ପରେ ଓ ଛୁଟି ଦିନ ମାନଙ୍କରେ ଆମେ ଅନେକ ଖେଲିଛୁ । ସେହି ବାଲିରେ ସମୁଦ୍ର କୂଳିଆ ଗେଣ୍ଡା ଶାମୁକା ମିଳୁଥିଲା । ସେ ପରିବେଶ ବଦଳି ଯାଇଛି , ଲୋକମାନେ ଜାଗାଟିକୁ ନିଜ ନାମରେ ପଟା କରି ଖାଇ ସାରିଲେଣି । ଆଉ କୁଦ ଉପର ମଶାଣି ଶିମିଳି ଗଛ ନାହିଁ କି ବାଉଁଶ ବଣ ଆମ୍ବ ଗଛ ନାହିଁ । ମହିଷୀ ଗଡିଆ ଯିବା ବାଟରେ ଦୁଇ ପାର୍ଶ୍ୱରେ ବିରାଜ କରୁଥିବା ଅମରୀ, କିଆ ବଣ ଆଉ ନାହିଁ। ପାଣି ପଚ ପଚ ମଣ୍ଡାଫୁଲ ଛକ ଆଉ ନାହିଁ କି ପାଖକୁ ଲାଗି ହାଣ୍ଡି ଦିଆ ଜାଗା ଆଉ ନାହିଁ । ଖାଲି ଘର ଓ ଘର । ସମୟ ଗତିରେ ସବୁ ପରିବେଶ ହଜି ଯାଇଛି । ଯେଉଁ ମଶାଣିରେ ଦିନ ଦ୍ବିପ୍ରହରେ ଆମକୁ ଡ଼ର ମାଡୁଥିଲା ଆଜି ଶ୍ମାଶନକୁ ଲାଗି କୋଠାଘର । ଗୋଟିଏ ବିଲୁଆ କି କୋକି ଶିଆଳି କି ବାଲି ଶୁଆ ଦେଖା ଯାଉ ନାହାନ୍ତି ସବୁ ଲୋପ ପାଇଗଲେ । ମୋର ଆଜି ମନେ ଅଛି ସେ ଦିନର କଥା । ମୁଁ ଯେତେବେଳେ ବାପା ବୋଉଙ୍କ ପାଖରେ ଶୋଇଥାଏ ଅଣ୍ଡିରା ବିଲୁଆ ବୋବାଇଲେ ବାପା ବୋଉ ଦୁହେଁ ମିଶି ମୋତେ ଡାକି ଚେଇଁ ଦେଉଥିଲେ । କାରଣ ସେତେବେଳେ ଆମ ଲୋକମାନଙ୍କ ଅନ୍ଧ ବିଶ୍ୱାସ ଅଣ୍ଡିରା ବିଲୁଆ ବୋବାଇଲେ କାହାର କାହାର ଅକାଳ ମୃତ୍ୟୁ ହୁଏ । ଆଜି ଗାଈ ଗୋରୁଙ୍କ ମଢ଼ ଖାଇବା ପାଇଁ ଆଉ କାଉ ଶାଗୁଣା ଆସୁ ନାହାଁନ୍ତି । ମହାବାତ୍ୟା ପରେ ସେମାନଙ୍କ ବଂଶ ଲୋପ ପାଇଁ ଯାଇଛି। ଯେଉଁ ଜାଗରେ ମଢ଼ ପଡୁଥିଲା ସେ ଜାଗରେ ଆଜି କୋଠା ବାଡ଼ି କହିଲେ ନ ସରେ । ସେ ସମୟ ପରି ବାଦୁଡ଼ି ଓ ଶୁଆ ଆଉ ମକା ଓ ପିଜୁଳି ଖାଇବାକୁ ଆସୁ ନାହାଁନ୍ତି । ଖାଲି ପାତି ମାଙ୍କଡ଼ ଗେଧ ମାଙ୍କଡ଼ ବିଲ ବାଡ଼ି ଚାରିଆଡେ ଡ଼େଉଛନ୍ତି । ପନି ପରିବା ଆଉ ଭାଡ଼ିରେ ନାହିଁ କି ବିଲରେ ନାହିଁ । ଚତୁରୁ ମାସିଆ ଶାଗ, ପୋଇ,କଖାରୁ ଡଙ୍କ, ପର୍ବତୀଆ ଶାଗ, କନସିରି ଶାଗ ଓ ହରଗଉରା ଗଛ ଦେଖିବା ସାତ ସପନ । ଚାଷବାସ ହଜି ଗଲାଣି କହିଲେ ଚଳେ। ଘରେ ଘରେ ବଳଦ ନାହିଁ ହଳ ଲଙ୍ଗଳ ଆସିବ ବା କେଉଁଠୁ । ଆମ ଗାଁର ଯଦୁଆ ଓ ରାଧୁଆ ବେହେରା ବଡ ଚାଷୀ ଥିଲେ ଆମ ଗହୀରରୁ ବାରଣା ତାଙ୍କର ଚାଷ ଜମି ଥିଲା । ସେ ଦିନରେ ସେମାନେ ତାରାପୁର, ଉତ୍ତର କୂଳ ପରି ଓଡ଼ିଶାର ବଡ ବଡ଼ ଅପେରା ଆଣି ଆମ ଗାଁରେ ନଚାଉ ଥିଲେ। କିନ୍ତୁ ଏବେ ତାଙ୍କର ବିଲ ଗୁଣ୍ଠେ ନାହିଁ ସବୁ ବିକ୍ରି କରି ସାରିଲେଣି । ତାଙ୍କ ପିଲାମାନେ ଆଜି କାଙ୍ଗାଳ । କାରଣ ହେଲା ଜନ ସଂଖ୍ୟା ବୃଦ୍ଧି। ସେ ଦିନ ମୋ ବୋଉ କହୁଥିଲା ରାଧୁଆ ବେହେରାର ଅଠରଟା ଛୁଆ ହୋଇଥିଲା । ସେଥିପାଇଁ ତାଙ୍କ ଦ୍ୱିତୀୟ ପତ୍ନୀ ଅଠର ନଳା ଦେଖିବାକୁ ଯାଇଥିଲା। ଆଜି ସେମାନଙ୍କର ସଂଖ୍ୟାରେ ଏକ ଛୋଟ ଗାଁ କହିଲେ ଚଳେ । ଆଜିର ପିଲା ଜାଣିଲେ ନାହିଁ ହଳ କଣ କି ଲଙ୍ଗଳ କଣ । ସେତେବେଳେ ସହରୀ ଛୁଆଙ୍କୁ ଜଣା ନ ଥିଲା କିନ୍ତୁ ଆଜି ଗାଁ ଛୁଆଙ୍କର ସେଇ ଅବସ୍ଥା । ଆଉ ଆମ ଗାଁର ଶଗଡ଼ ଗାଡି ସ୍ବପ୍ନ । ମନେ ପଡେ ବିଲକୁ ଯେବେ କାହାର ଖତ ଯାଏ ଆମେ ସାଙ୍ଗ ସାଥୀ ହୋଇ ଶଗଡ଼ ପଛେ ପଛେ ଚାଲି ଚାଲି ଯାଉଥିଲୁ। ଖତ ଓଦରରୁ ବିଲରେ ପଡି ସାରିଲା ପରେ ସମସ୍ତେ ଶଗଡ଼ ଦଣ୍ଡା ଧରି ଜଣ ଜଣ କରି ଓଦର ଭିତରେ ପଶି ଚିଲେଇ ଚିଲେଇ ଘରକୁ ଆସୁଥିଲୁ । ମୋର ମନେ ଅଛି ମୋ ଦେଇ ବାହାଘର ସମୟରେ ଶଗଡ଼ ଗାଡ଼ିରେ ଶାଶୁଘର ଯାଇଥିଲା । ସେତେ ବେଳେ ବାପା ଦାଦା ଦେଇ ବାହାଘରେ ଯୌତୁକ ଘଣ୍ଟା, ସାଇକେଲ ରେଡ଼ିଓ ଦେଇଥିଲେ । ଯାହା ଥିଲା ସେ ଯୁଗର ବଡ଼ ଯୌତୁକ । ଆଜି ସେ ଭଳିଆ ଯୌତୁକ ନାହିଁ, ସେ ଶଗଡ଼ ନାହିଁ କି ବଳଦ ନାହିଁ ଆମର ଆଧୁନିକ ସଭ୍ୟତା ସବୁ ଛଡାଇ ନେଇଛି ।
ଆଜି ଆମ ଗାଁର ଘରେ ଘରେ ଆଉ ହାଣ୍ଡିଶାଳ ନାହିଁ । ମାଟି ହାଣ୍ଡି ନାହିଁ ପଖାଳ ଭାତ ଆସିବ କେଉଁଠୁ। ଇଡ଼ଲି ବରା ପିଆଜି ଆଜି ଗାଁର ପ୍ରାତଃ ଭୋଜନ । ସକାଳ ହେଲେ ରାସ୍ତା କଡ଼ର ଗାଁ ବଜାରକୁ ଲୋକେ ଧାଉଁଛନ୍ତି ଚା ପିଇବାକୁ । ଆଉ ମାଟି ଚୁଲିର ମାଟି ହାଣ୍ଡିର ମୁଢ଼ି ଭାଜିବା କୌଶଳ ସରି ଯାଇଛି । ସବୁ ମୁଢ଼ି କିଣି ଖାଉଛୁ । ଧାନର ଉଷୁଆଁ ବମ୍ଫା କୌଶଳ କିପରି ଅରୁଆ, ଉଷୁନା , ଉଆ ପକ୍ଷୀଆ ଚାଉଳ ହୁଏ ଆଜି କାହାକୁ ଜଣା ନାହିଁ । ମନେ ପଡେ ଉଆ ପକ୍ଷୀଆ ଚାଉଳ ଓ ବିରି ମିଶି ଘରେ ଆମର ଚକୁଳି, ଡାଲା ପିଠା ହେଉଥିଲା । ଗୋଟିଏ ଡାଲା ପିଠା ଖାଇଲେ ପେଟ ଭରି ଯାଉଥିଲା । ଆଜି ଏ ହଜିବା ସହିତ ତାର ତିଆରି ପଦ୍ଧତି ଆଉ କାହାକୁ ଜଣା ନାହିଁ ।
ଗାଁ ଭିତରେ ଆଜି କାହାର ଏକତା ନାହିଁ । ଗାଁ ଛାଡି ରାସ୍ତା କଡରେ ଘର କଲେ ଲୋକେ ଭାବୁଥିଲେ ଗାଁ ମୁଖିଆର ଦଣ୍ଡ ପାଇକି ଆସିଛି । କିନ୍ତୁ ଆଜି ଲୋକମାନଙ୍କର ରାସ୍ତା କଡ଼ ପସନ୍ଦ ଗାଁ ଭିତରେ କେହି ଆବଧ ହେବା ପାଇଁ ଚାହୁଁ ନାହାଁନ୍ତି । ଗାଁ ପରିବେଶ ସହର ଠାରୁ ଦୁଇ ହାତ ଆଗରେ କହିଲେ ଚଳେ । ସହରେ ପିଲାମାନେ ଶିକ୍ଷା ପ୍ରତି ଆକର୍ଷଣ ହେଉଥିବା ବେଳେ ଆଜି ଗାଁ ପିଲାଙ୍କର ଶିକ୍ଷା ପ୍ରତି ବିମୁଖ । ଖାଲି ରାଜନୀତି ବୋପା ମାଆକୁ ଆଜି କେହି ମାନୁ ନାହାଁନ୍ତି । ବିଲ ଫାଟି ଆଁ କରି ପଡିଆ ପାଲଟି ଗଲାଣି ଚାଷ ବାସ ହେଉ ନାହିଁ । ଜମି ବିକା ଚାଲିଛି ବିଲଡରମାନେ ମାଡି ଆସି ପରିବେଶ ଖାଇଲେଣି । ଖାଲି ଫ୍ଲାଟ ଓ ପ୍ଲଟ କରି ସହରୀ ବାବୁମାନଙ୍କୁ ଆକର୍ଷଣ କରା ଯାଉଛି। ଜଳବାୟୁ ପରିବର୍ତ୍ତନ ଆଉ ବର୍ଷା ହେଉ ନାହିଁ ବର୍ଷ ତମାମ ଖାଲି ଜ୍ୟେଷ୍ଠ ବୈଶାଖ ପରି ଲାଗୁଛି । ଇଟା ଭାଟି ହୋଇ ଇଟା ପୋଡା ଚାଉଛି ଘରେ କି ବାହାରେ ରହି ହେଉ ନାହିଁ । ବରଗଛ ନାହିଁ କି ଚାକୁଣ୍ଡା ଗଛ ନାହିଁ । ଗଛ ଛାଇ ତଳେ ବସିବାକୁ ଆଉ ଲୋକେ ନାହାଁନ୍ତି ଫ୍ୟାନ ଏ. ସି ତଳେ ବସି ଦିନ ଯାଉଛି । ଗାଁ ପିଲାଙ୍କୁ ଆଉ କଥା କହି ହେଉନାହିଁ ଅଧାରୁ ଅଧେ ମଦୁଆ ଦଣ୍ଡା ବାଳୁଙ୍ଗା । ଗାଁରେ ସାଇକେଲ ନାହିଁ ସମସ୍ତଙ୍କ ପାଖରେ ମଟର ସାଇକେଲ ଓ ମୋବାଇଲ ନୋହିଲେ ପିଲାମାନେ ଘରୁ ବାହାରୁ ନାହାଁନ୍ତି । ସେ କାଳର ଭୋଜି ଭାତ ଆଜି ମଦ ମାଂସରେ ବଦଳି ଯାଇଛି । ବାର ଅବାର ଆଉ କିଛି ନାହିଁ ଚାଓମିନ ରୋଲ ବିରିୟାନୀ ଗାଁ ବଜାରରେ ଘର କରିଛି।
ଆଜି ଆମର ବେଶ ଭୁଷାରେ ଅନେକ ପରିବର୍ତ୍ତନ ନୂଆ ବୋହୁ ଆସିଲେ ମୁଣ୍ଡରେ ଓଢଣୀ ନାହିଁ । ଆଉ ଶାଶୁ ଶ୍ୱଶୁର ସେବାକୁ କିଏ ପଚାରେ । ସଞ୍ଜ ବଳିତା ଆଉ ଚଉରା ଦାଣ୍ଡ ଦୁଆରେ ଦେଖା ଯାଉ ନାହିଁ । ସନ୍ଧ୍ୟା ହେଲେ ବୋଉ ସବୁ ଘର ଦୁଆର ବନ୍ଧରେ ଗୋଟିଏ ଗୋଟିଏ ସଞ୍ଜ ବଳିତା ଥୋଉଥିଲା । ସେ ପ୍ରଥା କାହିଁକି କେଉଁଦିନ ଠାରୁ ହଜିଲା କିଏ କହିବ । ସେ ଯୁଗ ପରି ବାରିଘରେ ଗୋବର ପାଣି ପକାଇ ସକାଳୁ ଝାଡୁ କିଏ ମାରୁ ନାହାନ୍ତି । ସତେ ଯେପରି ସହର ମାଡି ମାଡି ଗାଁରେ ଘର କରି ସାରିଲାଣି । ସବୁ ହଜି ଗଲାଣି ଆମ ପରିବେଶ ସହିତ ଆମ ସଂସ୍କୃତି ଓ ସଭ୍ୟତା । ସହରୁ ଗାଁକୁ ପିଲାମାନେ ଆସିଲେ ଯିବା ପାଇଁ ନାଁ ଧରୁ ନାହାଁନ୍ତି କାରଣ ଏଠି ସହର ଓ ଗାଁ ଭିତରେ କିଛି ପାର୍ଥକ୍ୟ ନାହିଁ । ସତେ ଯେମିତି ଆମ ଗାଁ ସହର ଠାରୁ ଦୁଇ ହାତ ଆଗରେ ଅଛି ଉନ୍ନତିରେ ନୁହେଁ ଅବନତିର ଆଗ ଧାଡିରେ । ହଜିଲା ଗାଁ ଆଉ ଖୋଜିଲେ ମିଳୁନାହିଁ । ସେ ଲୋକ ନାହାଁନ୍ତି କି ରାମାୟଣ ମହା ଭାରତ ଭାଗବତ ପଢା ଯାଉନାହିଁ । ଭାଗବତ ଟୁଙ୍ଗି ଜରାଜୀର୍ଣ୍ଣ ଅବସ୍ଥା । ଆମ ସମାଜର ପିଲାମାନେ ନିଜ ମାତୃଭାଷାକୁ ଭଲ ଭାବରେ ପଢି ପାରୁ ନାହାଁନ୍ତି କି ବୁଝି ପାରୁ ନାହାଁନ୍ତି । ସମ୍ବାଦ ପତ୍ର ଧରିତ୍ରୀ ସମାଜ ଆଉ ଗାଁକୁ ଆସୁ ନାହିଁ । ଭାଗବତ ଘର ତାଳପତ୍ର ପୋଥି ଉଈ ଖାଇ ଗଲାଣି ତା ମହତ୍ୱ ବୁଝିବା ଲୋକେ ହଜି ଗଲେଣି । ଖାଲି ସ୍ମୃତି ଅନୁଭୂତି ମୁଁ ଝୁରୁଛି । ଆଉ କେତେ ଦିନ କିଏ ମନେ ରଖିବ। ଦିନ ସରି ସରି ଆସିଲାଣି । ହଜିଲା ଜିନିଷ ଖୋଜିଲେ ଆଉ ମିଳିବ ନାହିଁ । ଆଜି ପିଲା ଦିନର ସ୍ମୃତିର ଚି଼ହ୍ନ କାଣିଚାଏ ଦେଖିବାକୁ ମିଳୁନାହିଁ । ମନଟା ଖାଲି ହାଇଁ ପାଇଁ ହେଉଥିଲା । ହେଲେ କାହାକୁ କହିବି । ସାଙ୍ଗ ସାଥୀ ମାନଙ୍କ ପରି ମୋର ବି ବଳ ବୟସ ସରି ଗଲାଣି । ଆମ ଉପଦେଶ କେବେ ଏ ପିଢ଼ିଙ୍କ ପାଇଁ ଗ୍ରହଣୀୟ ନୁହେଁ ।
ଗାଁ ଛାଡିବା ପୂର୍ବରୁ ସାଙ୍ଗ ସାଥୀଙ୍କୁ ଏକାଠି କରି ଆମ କୁଦ ବରଗଛ ପାଖରେ ଏକ ଭୋଜିର ଆୟୋଜନ ହେଲା। ସମସ୍ତେ ଖୁସି ପିଲା ଦିନର ଚର୍ଚ୍ଚା ଚାଲିଲା ସହଧର୍ମିଣୀମାନେ ହସି ହସି ଗଡ଼ିଗଲେ । କିନ୍ତୁ ଆମ ଭୋଜିକୁ କାହା ଛୁଆ ପିଲା ଆସିଲେ ନାହିଁ । କାରଣ ଆମ ଭୋଜିଭାତ ସେମାନଙ୍କୁ ପସନ୍ଦ ନୁହେଁ । କିଏ ଆସୁ କି ନ ଆସୁ କିନ୍ତୁ ବୃଦ୍ଧକାଳେ ଏକାଠି ହେବା କିଛି କମ କଥା ନୁହେଁ । ସମସ୍ତେ କହିଲେ ଆମ ପିଲା ଦିନର କାହିଁ ସେ ଗାଁ, କାହିଁ ସେ ପରିବେଶ ଆଜି ସବୁ ହଜି ଯାଇଛି । ଧନ୍ୟ ଏ ସମୟ ଧନ୍ୟ ତା ଗତି । ସମୟ ଗତିରେ ଆମେ ବୁଢ଼ା ବୁଢ଼ୀ ହେଲେ । ଆମ ଗାଁ ମଧ୍ୟ ସବୁ ପରିବର୍ତ୍ତନ ହୋଇଗଲା । ଖାଲି ସେ ସ୍ମୃତି ଆଜି ଆମ ମାନସ ପଟରେ ଉଙ୍କି ମାରୁଛି ସତ, କିନ୍ତୁ ଆଉ କେତେ ଦିନ । ଭୋଜି ଭାତ ସରିବା ଭିତରେ ଦିନର ସମୟ ଢଳି ଆସିଲା । ପଶ୍ଚିମ ଆକାଶରେ ସୂର୍ଯ୍ୟ ଦେବ ବିଦାୟ ନେବା ପୂର୍ବରୁ ଆମ ସମ୍ମିଳନୀର ଏକ ଫୋଟ ନେବାକୁ ଭୁଲି ନ ଥିଲୁ । ତାପରେ ଆମେ ସବୁ ଚାଲିଗଲୁ ଯେଝା ବାଟରେ । ପଛକୁ ଚାହିଁଲୁ ବରଗଛ ମୂଳ ଖାଲି କେବଳ କେତୋଟି ବୁଲା କୁକୁର ଅଇଁଠା ପତ୍ରରୁ ଖାଦ୍ୟ ଦରାଣ୍ଡୁ ଥାନ୍ତି ।
