ଜୀବନର ଅନ୍ତରାଳେ..?
ଜୀବନର ଅନ୍ତରାଳେ..?
ଜନମ ମରଣର ଅଜବ ରହସ୍ୟ କାହାକୁ ବା ଜଣା ? କେଉଁଠୁ ଆସେ କୁଆଡେ ଯାଏ କହିବା କଷ୍ଟ । ଗୀତରେ ଲେଖାଅଛି ଆତ୍ମା ଅମର। ଆତ୍ମାକୁ କୌଣସି ଅସ୍ତ୍ରରେ ହାଣି ପାରିବ ନାହିଁ କି ଅଗ୍ନିରେ ପୋଡି ପାରିବ ନାହିଁ ପାଣିରେ ଓଦା ହୋଇ ପାରିବ ନାହିଁ କି ପବନ ଏହାକୁ ଶୁଖାଇ ପାରିବ ନାହିଁ । ପୌରାଣିକ ମତରେ ଏ ଆତ୍ମା ଏକ ଶରୀର ଛାଡି ଅନ୍ୟ ଶରୀରରେ ପ୍ରବେଶ କରେ । ଖାଲି ସେତିକି ନୁହେଁ ମନୁଷ୍ୟର ମୃତ୍ୟୁ ପରେ ଆତ୍ମା ଯେ ଖାଲି ମନୁଷ୍ୟ ଆତ୍ମା ହେବ ତାହା ନୁହେଁ। ନିଜ କର୍ମ ଅନୁସାରେ ମନୁଷ୍ୟ ସବୁ ରୂପ ଧାରଣ କରି ପାରେ ସେ ପଶୁ କିମ୍ବା ପକ୍ଷୀ ରୂପେ ଜନ୍ମ ନେଇପାରେ। କିନ୍ତୁ ତାର ପୂର୍ବ ଜନ୍ମ କଥା କିଛି ମନେ ନ ଥାଏ । କିନ୍ତୁ ଆଜିର ଏ ଆଧୁନିକ ଯୁଗରେ ଡାକ୍ତର ବୈଜ୍ଞାନିକ ଜୀବନର ରହସ୍ୟକୁ ଖୋଜି ପାଉ ନାହାଁନ୍ତି। ମନୁଷ୍ୟର ପୁନଃ ଜନ୍ମ ଅଛି କହିବା ବାହୁଲ୍ୟ ବୋଲି ସେମାନେ କହୁଛନ୍ତି । ଆମେ ଖାଲି ଜାଣିଛେ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ। ଯାହା ଚିରନ୍ତନ ସତ୍ୟ । ପ୍ରତ୍ୟେକ ପ୍ରାଣୀର ଜନ୍ମ ଅଛି ତ ମୃତ୍ୟୁ ବି ସୁନିଶ୍ଚିତ ହୋଇ ରହିଛି । ହେଲେ ଆମେ କେହି ଜାଣି ନାହାନ୍ତି ଯେ, କେବେ ଏବଂ କିପରି ଭାବରେ ଆମର ମୃତ୍ୟୁ ହେବ ।
ମୋର ଛୋଟ ବେଳ କଥା ଆଜି ମନେ ପଡୁଛି । ଆମ ଗାଁରେ ହଇଜା ଲାଗିଥାଏ । କେତେ ଲୋକ ଆର ପାରିକୁ ଚାଲିଗଲେ । ଆମ ଗାଁର ପୁରୁଖା ଜ୍ଞାନୀ ଲୋକମାନେ ଏକ ହୋଇ ହଇଜାର ପ୍ରତିକାର ପାଇଁ ବଡ ବଡ଼ ପଣ୍ଡିତମାନଙ୍କୁ ଡାକିଲେ । ପଣ୍ଡିତମାନଙ୍କ ଉପଦେଶ ଥିଲା ହଇଜା ରୂପୀ ମାଙ୍କ ପ୍ରକୋପ ବଢ଼ି ଯାଇଛି ତାଙ୍କୁ ସନ୍ତୁଷ୍ଟ କରିବାକୁ ପଡିବ । ଦିନେ ଶୁଭ ମୁହୁର୍ତ୍ତ ଦେଖି ପୂଜା ଅର୍ଚ୍ଚନା ଚାଲିଲା। ଆମ ଗାଁର ଅନେକ ପରିବାର ନୂଆ ନୂଆ ମାଟି ହାଣ୍ଡିରେ ଅନ୍ନ ବ୍ୟଞ୍ଜନ ଆମ ଗାଁର ଶେଷ ମୁଣ୍ଡରେ ପ୍ରସ୍ତୁତ କଲେ । ପଣ୍ଡିତମାନେ ପୂଜା ଅର୍ଚ୍ଚନା ବେଦମନ୍ତ୍ର ପାଠ କରି ସାରିବା ପରେ ପ୍ରତି ରୋଷେଇ ହାଣ୍ଡିକୁ ରାସ୍ତା କଡରେ ରଖି ହଇଜା ଦେବୀଙ୍କୁ ସମର୍ପଣ କରି ମାଁ ଆମ ଗ୍ରାମରୁ ଦୂରେଇ ଯାଅ ବୋଲି ଲୋକମାନେ ଗୁହାରୀ କରି କହିଲେ । ଲୋକମାନେ ନିଜ ମନରୁ ନୁହେଁ ପଣ୍ଡିତମାନଙ୍କ ଉପଦେଶରେ ବେଦ ମନ୍ତ୍ର ଉଚ୍ଚାରଣ କରି ଶ୍ଳୋକରେ କହିଲେ । କିନ୍ତୁ ଆଜି ଡାକ୍ତର ବୈଜ୍ଞାନିକ ଏହାକୁ ମହାମାରୀ ରୋଗ ବୋଲି ପ୍ରମାଣ କରିଛନ୍ତି । ତାର ପ୍ରତିକାର ପାଇଁ ଉପଦେଶ ଓ ଔଷଧ ସାମଗ୍ରୀ ଖଞ୍ଜା ହୋଇଛି । କିନ୍ତୁ ଆଜି ପଣ୍ଡିତମାନଙ୍କ ବଂଶଧର ଆଉ ସେପରି ଉପଦେଶ ଦେଉ ନାହାଁନ୍ତି । କାରଣ ଆଧୁନିକ ଯୁଗରେ ତାଙ୍କ ପୋଥିର ସେ ଅଧ୍ୟାୟ ଆଜି ସଂଶୋଧନ ହୋଇ ଯାଇଛି ।
ଆଜି ଆମେ ଜନମ ମରଣର ରହସ୍ୟ ଜାଣି ନାହୁଁ । କିନ୍ତୁ ମୂର୍ତ୍ତି ପୂଜାରେ ଠାକୁରଙ୍କ ଆବାହନ, ଘଟ ପ୍ରତିଷ୍ଠା ଓ ବିସର୍ଜନ କରୁଛେ। ଦିନେ ମୋର ସାଙ୍ଗକୁ ପଚାରିଲି ଭାଇନା ତୁମେ ପୂଜା ଅର୍ଚ୍ଚନା କରୁଛ ଠାକୁରଙ୍କ ଆବାହନ, ବିସର୍ଜନ ଅର୍ଥାତ୍ ତାଙ୍କର ଆଗମନ ଓ ପ୍ରତ୍ୟାବର୍ତ୍ତନ କିଛି ଅନୁଭବ କରୁଛନ୍ତି କି । ସେ କହିଲେ ନାରେ କେବଳ ବିଶ୍ୱାସ। ବିଶ୍ୱାସ ମୂଳେ ଭଗବାନ। ସେ ପୁଣି ମୋତେ ପଚାରିଲେ ତୁ କଣ ଭାବୁଛୁ । ମୁଁ କହିଲି ତୁମେ ପଣ୍ଡିତ ପୁରୋହିତ ଭୁତ ଭବିଷ୍ୟ ସବୁ କହିପାରିବ , କିନ୍ତୁ ମୁଁ କିଛି ଭାବୁ ନାହିଁ, କିନ୍ତୁ ଗାଧୋଇ ସାରିଲା ପରେ ଠାକୁର ପାଖରେ ମୁଣ୍ଡିଆ ଓ ଚଉଁରାରେ ପାଣି ଦେବା ମୋ ପିତା ମାତାଙ୍କଠୁ ଶିଖିଛି, କିନ୍ତୁ ତୁମ ପରି ବେଦମନ୍ତ୍ର ପଢି ସଂସ୍କୃତରେ ଡାକୁନାହିଁ । ମୁଁ ସର୍ବଦା ମୋ ମାତୃଭାଷାରେ ହିଁ ଡାକୁଛି । ମୋ ପିଲା ବେଳେ ଚନ୍ଦ୍ର ଗ୍ରହଣ ବେଳେ ମୋ ବୋଉ କାନ୍ଦୁଥିଲା, କହୁଥିଲା ଦେଖେରେ ଗୋପ ଠାକୁରଙ୍କୁ କିପରି ରାକ୍ଷାସ ଗିଳି ଦେଉଛି । ସତରେ ମୁଁ ମଧ୍ୟ ସେତେବେଳେ ମୋ ବୋଉ ସହିତ କାନ୍ଦୁଥିଲି । ଆଜି ଚଦ୍ର ଗ୍ରହଣ ସୂର୍ଯ୍ୟ ପରାଗ ମାନୁଛି କିନ୍ତୁ ଆଉ କାନ୍ଦୁ ନାହିଁ । ତା ପରେ ମୋ ପୁରୋହିତ ସାଙ୍ଗ ହସି ଦେଇ ତା ବାଟରେ ଓ ମୁଁ ମୋ ବାଟରେ ଘରକୁ ଫେରି ଆସିଲି ।
ମଣିଷ ମୃତ୍ୟୁ ପରେ ଆର ପାରିକୁ ଚାଲିଯାଏ ।ଆର ପାରି କହିଲେ ମୃତ୍ୟୁ ଲୋକ । ଅର୍ଥାତ ଏ ସଂସାର ଏକ ନଦୀ ହେଲେ ତାର ଦୁଇଟି କୂଳ । ଗୋଟିଏ କୂଳରେ ଶରୀର ଧାରଣ କରି ଥିବା ଜୀବ ଜନ୍ତୁ ଓ ଅନ୍ୟ କୂଳରେ ଅଶରୀରୀ ମାନଙ୍କ କଳରାବ। କିନ୍ତୁ ଆଜି ଆଶ୍ଚର୍ଯ୍ୟ ଲାଗୁଛି ଜୀବନର ଅନ୍ତିମ ଘଡ଼ିରେ ମଣିଷ କିପରି ଜାଣି ପାରୁଛି ଯେ ଏବେ ସେ ଆର ପାରିକୁ ଚାଲିଯିବ । ସେତେବେଳେ ସେ ଆରପାରିକୁ ଚାଲି ଯାଇଥିବା ଲୋକଙ୍କ କଥା କହୁଛି କିପରି । ତାର କିଛି ଉଦାହରଣ ଦେଖିଥିବା ଓ ଶୁଣିଥିବା କିଛି ଘଟଣାକୁ ମୁଁ ପ୍ରକାଶ କରୁଛି ।
କିଛି ଦିନ ପୂର୍ବର ଘଟଣା । ମୋ ଭିଣୋଇଙ୍କ ବଡ଼ ଭାଇ ଅସୁସ୍ଥ ହୋଇ ବହୁ ଦିନ ପଡି ରହିଲେ । ସେ ତାଙ୍କ ମୃତ୍ୟୁ ଶଯ୍ୟାରେ ଜୀବିତ ଥିବା ସମୟରେ ଏଫ.ଏମ ରେଡ଼ିଓ ଶୁଣୁଥିଲେ, ପାଖରେ ହାତ ଘଣ୍ଟା ଓ ଟର୍ଚ୍ଚ ଲାଇଟ କେବେ ହାତ ଛଡା କରୁ ନ ଥିଲେ । ସେ ଠିକ୍ ମରିବାର ଦିନକ ପୂର୍ବରୁ କହିଲେ ମୋ ଜିନିଷ ପତ୍ର ରେଡ଼ିଓ, ଘଣ୍ଟା,ଟର୍ଚ୍ଚ ସବୁ ବନ୍ଧା ବନ୍ଧି କରିଦିଅ ସେମାନେ ଆସିଲେଣି ମୁଁ ପଳାଇବି। ତାପରେ ସେ ବାଧ୍ୟ କରିବାରୁ ତାକୁ ପରିବାର ଲୋକେ ତାକୁ ବନ୍ଧାବନ୍ଧି କରି ରଖିଦେଲେ । ଠିକ୍ ତା ପରଦିନ ସେ ମୃତ୍ୟୁ ବରଣ କରିଥିଲେ ।
ଆଉ ଏକ ଘଟଣା ମୋ ଭାଇଙ୍କ ଶ୍ୱଶୁର ମୃତ୍ୟୁ ଶଯ୍ୟାରେ ପଡ଼ିଥାନ୍ତି। କ୍ୟାନ୍ସର ଲାଷ୍ଟ ଷ୍ଟେଜ ଡାକ୍ତର ଘରକୁ ଫେରାଇ ଦେଲେ । କଥା ବାର୍ତ୍ତା ମଧ୍ୟ ହେଉଥାନ୍ତି । ଅନ୍ତିମ ସମୟରେ ଗୀତା ଭାଗବତ ପଢିଲେ ଦୁଃଖରୁ ମୁକ୍ତି ପାଇ ମାନବ ଆତ୍ମା ଶାନ୍ତିରେ ଚାଲିଯାଏ ବୋଲି କୁହନ୍ତି। କିନ୍ତୁ ଯେତେବେଳେ ଭାଉଜ ଭାଗବତ ପଢିଲେ ସେ କହିଲେ ଏବେ ପଢନାହିଁ । ମୁଁ ଏବେ ଯିବି ନାହିଁ ମୁଁ କହିଲେ ପଢିବ । ଠିକ ଦୁଇଦିନ ପରେ ସେ ଭାଗବତ ପଢ଼ିବାକୁ କହିଲେ । ସେହି ଦିନ ହିଁ ସେ ଚାଲିଗଲେ ଆର ପାରିକୁ । ସମସ୍ତେ ଆଶ୍ଚର୍ଯ୍ୟ ଏ କି ପ୍ରକାର ଆତ୍ମା । ସତରେ ଏ ଜଣେ ଦେବତୁଲ୍ୟ ଲୋକ ! କହିଲେ ଆମେ ପଢ଼ିଲୁ ପଢୁ ପଢୁ ଚାଲିଗଲେ । ଧନ୍ୟ ଆମ ଗୀତା ଭାଗବତ । ଏହା ମଧ୍ୟରେ କିଛି ମାଧୁର୍ଯ୍ୟ ଲୁଚି ରହିଛି ନିଶ୍ଚୟ। ଆଧୁନିକ ପିଢ଼ି ଏହାକୁ ଗ୍ରହଣ ନ କଲେ ନାହିଁ, କିନ୍ତୁ ମୃତ୍ୟୁ ଶଯ୍ୟାରେ ପୁରାଣ ପୋଥିର ଆଦର ମହତ୍ତ୍ୱ ଅଛି ।
ଯେଉଁଦିନ ମୋ ଖୁଡି ମୃତ୍ୟୁ ଶଯ୍ୟାରେ ପଡିଥିଲେ ସେ ଦିନ କଥା କହିଲା ବେଳକୁ ଲୋମ ଟାଙ୍କୁରୀ ଦିଏ । ଜୀବନ କାଳରେ ମୃତ୍ୟୁ ଲୋକଙ୍କ କଥା ଶୁଣିବା ପାଇଁ ସେ ଇଚ୍ଛା ପ୍ରକଟ କରେ ନାହିଁ । ଜୀବନକୁ ସେ ବହୁତ ଭଲ ପାଏ । ସେ ଦିନ ମୃତ୍ୟୁ ଶଯ୍ୟାରେ ପଡି କହିଲା ଗଙ୍ଗା ତାଙ୍କ ଭଣଜା, ମୋ ଦାଦା ଏ ଘରେ ଆସି ବସିଛନ୍ତି । ଗଙ୍ଗା ଡାକୁଛି ମାଇଁ ଆସୁନୁ ଯିବା । ସତରେ କଣ ମୃତ୍ୟୁ ଲୋକମାନେ ମୋ ଖୁଡିକୁ ଡାକୁଥିଲେ । ଦାଦା ମରିବାର ୨୫ବର୍ଷ, ଗଙ୍ଗା ଭାଇ ମରିବାର ୬ବର୍ଷ ହେଲାଣି ସେମାନେ ଆସିଛନ୍ତି ବୋଲି କହିଲା କାହିଁକି । ସେମାନଙ୍କର ଏପର୍ଯ୍ୟନ୍ତ କଣ ପୁନଃ ଜନ୍ମ ନାହିଁ ନା ପୁନଃ ଜନ୍ମ କଥା ମିଛ। କିମ୍ବା ସେମାନେ କେଉଁ ରୂପରେ ଜନ୍ମ ନେବେ ତାଙ୍କ ବିଚାର ଚାଲିଛି । ଏ କଥା ଭାବିଲା ବେଳକୁ ତାପର ଦିନ ମୋ ଖୁଡି ଆରପାରିକୁ ଚାଲିଗଲେ ।
xxx
ଭଦ୍ରକ ଗ୍ରୀଡ଼ରେ ଏସ.ଡି.ଓ ଥିବା ସମୟରେ ମୋର ଜଣେ ହୋମିଓ ପାଥି ଡାକ୍ତରଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କ ଥିଲା । ସେ ଥିଲେ ଭଦ୍ରକ କଲେଜର ଜଣେ ଅବସର ପ୍ରାପ୍ତ ଫିଜିକ୍ସ ପ୍ରଫେସର ପଣ୍ଡାବାବୁ । ତାଙ୍କ ପାଖୁ ଗଲେ ସେ ଘଣ୍ଟାଏ ଗପିବେ, ତାପରେ ଯାଇ ମେଡ଼ିସିନ ଦେବେ। ସେ ସବୁବେଳେ କୁହନ୍ତି ଏ ଜୀବନ ଅଢେଇ ଦିନିଆଁ । ଚାଳିଶି ପରେ ଭାଳିସି ପଶିବ । ଆଉ ଜୀବନର ଗତି ଆଗକୁ ନୁହେଁ ଶିଥିଳ। ତାପରେ ଜୀବନର କାଉଣ୍ଟ ଡାଉନ ଷ୍ଟାର୍ଟ । ଦିନେ ମୋତେ କହିଲେ ଗୋବିନ୍ଦ ବାବୁ ଜାଣିଛ ସ୍ୱାମୀ ବିବେକାନନ୍ଦ ଦେହ ତ୍ୟାଗ କରିବାର ଦୁଇ ଦିନ ପୂର୍ବରୁ କିଛି ଖାଇ ନ ଥିଲେ । କାରଣ ସେ ଜାଣିଥିଲେ ଏ ସଂସାର ଏବେ ଛାଡ଼ୁଛନ୍ତି । ସ୍ୱାମୀଜୀ କହିଥିଲେ ୪୦ବର୍ଷ ଭିତରେ ତାଙ୍କ କର୍ତ୍ତବ୍ୟ ସରିଯିବ । ତଥାପି ଏ ବନ୍ଧନ ଛାଡିଲା ବେଳକୁ କଷ୍ଟ ଲାଗୁଛି। ସେ ନିଜ ଶିଷ୍ୟମାନଙ୍କ ସହିତ ଧ୍ୟାନ କରୁଥାନ୍ତି ଏହାରି ମଧ୍ୟରେ ତାଙ୍କ ମହା ସମାଧି ହୋଇଥିଲା। ସେ ଆମ ପାଇଁ ସେ ଜୀବନ୍ତ ପ୍ରତିମା କିମ୍ବା ଦେବଦୂତ କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ସଂସ୍ପର୍ଶରେ ଯିଏ ଆସିଛି ଓ ତାଙ୍କ ଚିର ସବୁଜ ଉପଦେଶ ଯିଏ ମାନିଛି ତାଙ୍କ ଜୀବନ ସାଫଲ୍ୟ ମଣ୍ଡିତ ହୋଇଛି ।
xxx
କିନ୍ତୁ ଆଜି ମନରେ ପ୍ରଶ୍ନ ଉଠେ ମହାପୁରୁଷମାନେ ମୃତ୍ୟୁର ଆଭାସ ଜାଣିବା ସ୍ୱାଭାବିକ। କିନ୍ତୁ ଆମ ସାଧାରଣ ମାନବ ଜାଣୁଛୁ କିପରି । ଲୋକମାନେ ମରିବା ପୂର୍ବରୁ ମୃତ୍ୟୁ ଲୋକଙ୍କ କଥା କୁହନ୍ତି କାହିଁକି । ସେମାନେ ତାଙ୍କ ପାଖରେ ବସିଛନ୍ତି ବୋଲି କୁହନ୍ତି। ସେମାନେ ତାଙ୍କୁ ନେବା ପାଇଁ ଆସିଛନ୍ତି ବୋଲି କୁହନ୍ତି । ପୁରାଣରେ ବର୍ଣ୍ଣିତ ଯମଗଣ କଣ ସଂସାର ଛାଡିଥିବା ଲୋକମାନେ । ବେଳେ ବେଳେ ସେମାନଙ୍କ ପାଖକୁ ଯିବେ ବୋଲି କୁହନ୍ତି। ସତରେ କଣ ଏକ ମୃତ୍ୟୁ ଲୋକ ଅଛି । ମଣିଷ ପଶୁପକ୍ଷୀଙ୍କର କଣ ମୃତ୍ୟୁ ପରେ ଅଲଗା ଅଲଗା ଦୁନିଆଁ ଅଛି । ସେମାନେ ଯଦି ଅଛନ୍ତି କଣ ତାଙ୍କର ପୁନଃଶ୍ଚ ଜନ୍ମ ଆଉ ନାହିଁ । ଯଦି ନାହିଁ ମୃତ୍ୟୁ ଲୋକରେ ଅଶରୀରଙ୍କ ସଂଖ୍ୟା କେତେ ହୋଇଥିବ । ଯଦି ପୁନଃ ଜନ୍ମ ଅଛି କେଉଁମାନେ ଜନ୍ମ ହେଉଛନ୍ତି ଓ କିପରି । ଏଠାରେ କାହା କଥା ଚିନ୍ତା କରିଲେ କିଛି ବୁଝା ପଡୁନାହିଁ । ପୌରାଣିକ ମତ ନା ବୈଜ୍ଞାନିକ ମତ। ଜୀବନ ରହସ୍ୟ ଭିତରେ ରହି ଆଜି ଜୀବନର ଗତି । ତାକୁ ଚିନ୍ତା କଲେ ମଣିଷ ପାଗଳ ହୋଇଯିବ। ଜୀବନ ମରଣ ରହସ୍ୟ କହି ନ ପାରିବ ମଣିଷ । ଆଜି ଆମ ବୈଜ୍ଞାନିକ ସୂର୍ଯ୍ୟ ପରାଗ ଚନ୍ଦ୍ର ଗ୍ରହଣକୁ ରାହୁ କେତୁ ଗ୍ରାସ କରୁନାହିଁ ଏହା ପୃଥିବୀ, ସୂର୍ଯ୍ୟ ଚନ୍ଦ୍ର ମଧ୍ୟରେ ଛାଇ ଆଲୁଅର ଖେଳ ବୋଲି ପ୍ରମାଣ କଲେ । ହଇଜା ଦେବୀ ନୁହେଁ ଏହା ଜୀବାଣୁ ଦ୍ୱାରା ଜଳ ମାଧ୍ୟମରେ ଏକ ସଂକ୍ରମିତ ରୋଗ ବୋଲି ପ୍ରମାଣ କଲେ । ସବୁ ରୋଗର ନିରାକରଣ ପାଇଁ ଆଜି ଆମ ଭେଷଜ ବିଜ୍ଞାନ ଖଞ୍ଜିକି ରଖିଛି । ତଥାପି ଆମ ସମାଜ ବୈଜ୍ଞାନିକ ଡାକ୍ତରମାନେ କେବେ ନାସ୍ତିକ ନୁହଁନ୍ତି,ଏକ ଐଶ୍ଵରୀକ ଶକ୍ତି ତାଙ୍କ ସଫଳ ପଛରେ ଅଛି ବୋଲି ବିଶ୍ୱାସ କରନ୍ତି । କୌଣସି ନୂତନ କାର୍ଯ୍ୟ କରିବା ପୂର୍ବରୁ ସେମାନେ ଭଗବାନଙ୍କୁ ଡାକିବାକୁ କେବେ ଭୁଲନ୍ତି ନାହିଁ । ସୂର୍ଯ୍ୟ ଅଭିଯାନ ହେଉ କି ଚନ୍ଦ୍ର ସବୁ କର୍ମ କରିବା ପୂର୍ବରୁ ପୂଜା ପାଠ କରାଯାଏ । ମୃତ୍ୟୁପରେ ଶୁଦ୍ଧିକ୍ରିୟାର କର୍ମକୁ କେହି ମନା କରି ପାରିବେ ନାହିଁ। ପଶ୍ଚିମ ଦେଶ ହେଉ କି ହିନ୍ଦୁ ସମାଜ ହେଉ କିମ୍ବା ଅନ୍ୟ ଯେ କୌଣସି ସମ୍ପ୍ରଦାୟ ଧର୍ମର ଲୋକ ହୁଅନ୍ତୁ ନା କାହିଁକି ମୃତ୍ୟୁ ପରେ ଶବ ସତ୍କାର ବିଧିବଦ୍ଧ ନିଜ ଧର୍ମର ରୀତିନୀତି ଅନୁଯାଇ ପାଳିତ କରନ୍ତି। ଏହାକୁ କେବେ କେହି ଅଣଦେଖା କରି ନାହାଁନ୍ତି କି କରିବେ ନାହିଁ । ଜୀବନକୁ ଠଉରେଇବା ଭାରି କଠିନ। ବାସ୍ତବରେ ଜୀବନର ଅନ୍ତରାଳେ କଣ ଚାଲୁଛି କିଏ ବା କହିବ......???
