ଅଟ୍ଟହାସ୍ୟ
ଅଟ୍ଟହାସ୍ୟ




ତିନୋଟି ପାହାଡ଼ର ପାଦଦେଶ ଅନ୍ତର୍ଗତ ସମତଳ ଭୂମିରେ ଅପେକ୍ଷାକୃତ କମ କୋଳାହଳପୂର୍ଣ୍ଣ ପରିବେଶରେ ଅବସ୍ଥିତ ଛୋଟିଆ ସହରଟିର ସୌନ୍ଦର୍ଯ୍ୟ ପରିବର୍ଦ୍ଧିତ କରୁଥିଲା ପାହାଡ଼ ଗୁଡ଼ିକର ନିମ୍ନରୁ ଉପରାର୍ଦ୍ଧ ପର୍ଯ୍ୟନ୍ତ ଥାକ ଥାକ ଘର ସହିତ ସର୍ପିଳ ରାସ୍ତା ଓ ସୀମାକୁ ଲାଗି ବହି ଯାଉଥିବା ଅଙ୍କାବଙ୍କା ନଈଟିଏ ; ସତେ ଯେପରି କେଉଁ ଏକ ସୌନ୍ଦର୍ଯ୍ୟ ପିପାସୁ ଶିଳ୍ପୀ ଦ୍ଵାରା ଅଙ୍କିତ ପଟ୍ଟଚିତ୍ରଟିଏ ।ସହରଟିର ଏହି ସୌନ୍ଦର୍ଯ୍ୟ ପ୍ରେମରେ ପଡିଯାଇଥିଲେ ଗଗନ ବାବୁ । ତେଣୁ ଚାକିରିକାଳର ଶେଷ ତିନିବର୍ଷ ଏଠାରେ କଟାଇ ଅବସର ଗ୍ରହଣପରେ ସହରଟିର ସ୍ଥାୟୀ ବାସିନ୍ଦା ପାଲଟିଯାଇଥିଲେ । ସାଧାରଣ ସ୍ୱଚ୍ଛଳ ଜୀବନ ଅତିବାହିତ କରୁଥିବା ଗଗନବାବୁ ଏକ ଆଦର୍ଶ ଓ ଅନୁଶାସିତ ପରିବାରର ମୂଖ୍ୟ ଭାବରେ ଆଖପାଖ ପଡୋଶୀମାନଙ୍କ ଭିତରେ ବେଶ୍ ଆଦୃତ ଓ ଆଦରଣୀୟ ଥିଲେ । ପରିବାର ବୋଇଲେ ଦୁଇ ଝିଅ, ଗୋଟିଏ ପୁଅ ଓ ପତ୍ନୀ ମମତାଙ୍କୁ ନେଇ ସଂସାର । ଦୁଇ ଝିଅ ଉଚ୍ଚଶିକ୍ଷା ସାରି ବିବାହ କରି ଭଲରେ ଅଛନ୍ତି । ପୁଅ ଏବେ ନିକଟରେ ଚାକିରୀ ପାଇସାରିଛି । ବିବାହଟା ସାରିଦେଲେ ଗୋଟେ ଜଞ୍ଜାଳ ଯିବ । କନ୍ୟା ଖୋଜା ଚାଲିଛି । ତିନୋଟି ପ୍ରସ୍ତାବ ଆସିଛି । ପ୍ରସ୍ତାବ ତିନୋଟି ଏକୁଆରେକ ବଳି ।
ସମୟ ଗତାନୁଗତିକ ଧାରାରେ ଗଡି ଚାଲିଛି । ସବୁ କିଛି ଠିକ୍ ଠାକ ଚାଲିଛି । କେଉଁଆଡ଼ୁ କୌଣସି ସମସ୍ୟା ନାହିଁ । ଗଗନବାବୁ ରହୁଥିବା ଗଳିର ଶେଷ ମୁଣ୍ଡରେ ଥିବା ଚା ଦୋକାନରେ ଦୈନିକ ସଂଧ୍ୟାବେଳେ ଭଲ ଖଟି ହୁଏ । ପ୍ରାୟତଃ ସମବୟସ୍କ ଦୁଇ ଜଣ ଅବସରପ୍ରାପ୍ତ ବନ୍ଧୁଙ୍କ ସାଙ୍ଗରେ ସଂଧ୍ୟାଟା କଟିଯାଏ । ବନ୍ଧୁମାନଙ୍କ ଭିତରେ ମଥୁରୀ ବାବୁ ଦୂର ସଂପର୍କିୟ । ମଥୁରୀବାବୁଙ୍କର ପିଲାଦିନ ଏଇ ସହରରେ କଟିଛି । ତେଣୁ କାହାର କିଛି ଭୋଜିଭାତ ହେଲେ ବା ସେହିଭଳି କିଛି କାର୍ଯ୍ୟରେ ମଥୁରୀବାବୁ ବେଶ୍ କାମରେ ଆସନ୍ତି । ଏହାଛଡ଼ା ଗଗନପାଦୁଙ୍କ ପରିବାରର ବିଭିନ୍ନ ଭଲମନ୍ଦ ପରିସ୍ଥିତିରେ ମଥୁରୀବାବୁଙ୍କର ସଂପୂର୍ଣ୍ଣ ଯୋଗଦାନ ଥାଏ । ତେବେ ଦିନଯାକ ନିଜ ନିଜ ବ୍ୟକ୍ତିଗତ ବା ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବା ପରେ ସଂଧ୍ୟା ବେଳକୁ ସମସ୍ତେ ନିର୍ଦ୍ଦିଷ୍ଟ ସମୟରେ ଖଟିରେ ଉପସ୍ଥିତ ହୋଇଯାନ୍ତି ।ଖଟିରେ ବିଭିନ୍ନ ଘରୋଇ ସମସ୍ୟାକୁ କେନ୍ଦ୍ର କରି ଆଲୋଚନା ଆରମ୍ଭ ହୁଏ । ତାପରେ ଦେଶବିଦେଶ, ରାଜନୀତି ଓ ଅନ୍ୟାନ୍ୟ ପ୍ରସଙ୍ଗ ଦେଇ ଶେଷରେ ଗଗନ ବାବୁଙ୍କ ସମସ୍ୟାବିହୀନ ଜୀବନକୁ ନେଇ ଅଳ୍ପ କିଛି ମନ୍ତବ୍ୟ ଆଦାନପ୍ରଦାନ ପରେ ସେ ଦିନର ଆଲୋଚନାର ଅନ୍ତ ହୁଏ । ସେ ଯେ ଜଣେ ପ୍ରଚଣ୍ଡ ସୌଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି, ଏଥିରେ କେହି ଦ୍ଵିମତ ନ ଥାନ୍ତି ।
ତେବେ ସମସ୍ତେ କିଛି ନା କିଛି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଠାକୁରଙ୍କ ପାଖରେ ମାନସିକ ରଖିଥିବା ସ୍ଥଳେ ଗଗନ ବାବୁ ଏସବୁକୁ ପରିହାସ କରି ସମସ୍ତଙ୍କୁ ଅପଦସ୍ତ କରନ୍ତି । ତାଙ୍କର ଏ ନାସ୍ତିକ ଗୁଣ କାହାର ପସନ୍ଦ ନୁହେଁ । ଥରେ ଦୁଇଥର ବନ୍ଧୁମାନେ ଆପତ୍ତି କଲା ପରେ ମଧ୍ୟ ଗଗନ ବାବୁଙ୍କ ପ୍ରକୃତିରେ କିଛି ସୁଧାର ନ ଆସିବାରୁ ଏବେ ଆଉ କେହି କିଛି କହନ୍ତି ନାହିଁ । ମଥୁରୀବାବୁ ତାଙ୍କ ଝିଅର ବିବାହରେ ବିଳମ୍ବ ହେତୁ ମହାଦେବଙ୍କ ଶରଣ ନେଇଥିବାରୁ ସ୍ଥାନୀୟ ଷଣ୍ଢଟିକୁ ଦେଖିବା ମାତ୍ରକେ ଏକ ନମସ୍କାର ପ୍ରଦାନ ପୂର୍ବକ ସୁବିଧା ଥିଲେ କଦଳୀଟିଏ ତା ପାଟିରେ ଗୁଞ୍ଜିଦିଅନ୍ତି । ଥରେ ଏ କାର୍ଯ୍ୟର ପୁନରାବୃତ୍ତି ହେଉଥିବାବେଳେ ଗଗନ ବାବୁଙ୍କ ଦୃଷ୍ଟି ପଡି ଯାଆନ୍ତେ ଏପରି ଅଟ୍ଟହାସ୍ୟ କଲେ ଯେ ନିକଟସ୍ଥ ଅଳିଆଗଦାରୁ କିଛି ଖୋଜୁଥିବା କୁକୁରଟି ସେଠାରୁ ଦୌଡି ପଳାଇଲା । ବିରକ୍ତ ମଥୁରୀବାବୁ ଦିନେ ଦୁଇ ଦିନ ଭଲରେ କଥାବାର୍ତ୍ତା କଲେନି । କେବଳ ଏତିକି କହିଲେ ତୁମ ମୁଣ୍ଡ ଠିକ ନାହିଁ । ମଥୁରୀବାବୁଙ୍କ ପୁଅର ଚାକିରୀ ପାଇଁ ବୟସ ସୀମା ନିକଟେଇ ଆସନ୍ତେ ବାରମ୍ଵାର ଅସଫଳ ହେଉଥିବାରୁ ଜନୈକ ଜ୍ୟୋତିଷଙ୍କର ପରାମର୍ଶ ଥିଲା କି ଭୃଗୁସଂହିତା ଅନୁଯାୟୀ ବୁଲା କୁକୁରଙ୍କୁ ଖାଇବାକୁ ଦେଲେ ଯାଇ ରିଷ୍ଟ ଖଣ୍ଡନ ହେବ । ସେବେଠାରୁ ଗଳିର କିଛି ବୁଲା କୁକୁର ମଥୁରୀବାବୁଙ୍କର ଅନ୍ତରଙ୍ଗ ହୋଇଯାଇଛନ୍ତି । ଚା ଦୋକାନରେ ବସିଥିବାବେଳେ ଲୋମ ବିହୀନ କୁକୁରଟିକୁ ମଥୁରୀବାବୁ ବିସ୍କୁଟ ଖଣ୍ଡିଏ ତା ମୁହଁ ଆଗରେ ପକାଇ ଦେଇ ଚୁ ଚୁ ଉଚ୍ଚାରଣ ପୂର୍ବକ ସସ୍ନେହରେ ଆଉଁସି ଦେବା ଦୃଶ୍ୟଟିକୁ ଗଗନବାବୁ କୌତୁହଳରେ ଦେଖିବା ଅବସରରେ ମୃଦୁ ଭତ୍ସନା କରନ୍ତେ, ମଥୁରୀବାବୁଙ୍କର ଦୁର୍ବଳ ପ୍ରତିକ୍ରିୟା ଥିଲା ,ଜୀବେ ଦୟା ନୀତିଟିକୁ ମୁଁ ପାଳନ କରୁଛି ମାତ୍ର । ମୋ ପୁଅର ଚାକିରୀ ହେଉ କି ନ ହେଉ, ଭୋକିଲା ଜୀବଟିକୁ ଖାଇବାକୁ ଦେବା କଣ ଖରାପ କଥା ? ମାତ୍ର ଗଗନ ବାବୁଙ୍କ ଶାଣିତ ଉତ୍ତର ଥିଲା, ସତେ ? ତେବେ ତାକୁ ଘରକୁ ନେଇ ପେଟ ପୁରା ଖାଇବାକୁ ଦେଉନା କାହିଁକି ? ଖଣ୍ଡିଏ ବିସ୍କୁଟରେ ଜୀବେ ଦୟା ନୀତିର ସଂପୂର୍ଣ୍ଣ ପାଳନ ?କହିବତ ଆଉକିଛି ଭୋକିଲା ଜୀବଙ୍କୁ ମୁଁ ଯୋଗାଡ କରିଦେଇପାରିବି । ଏ ଯୁକ୍ତିର ପ୍ରତ୍ୟୁତ୍ତରରେ ମଥୁରୀବାବୁ କହିଆସୁଥିଲେ , ମୁଁ କେବେ ସମସ୍ତ ଭୋକିଲା ଜୀବଙ୍କୁ ଗଗନ ବାବୁଙ୍କ ହୋ ହୋ ଅଟ୍ଟହାସ୍ୟରେ ମଥୁରୀ ବାବୁ ବାକ୍ୟଟି ପୁରା ନ କରିପାରି ଅଗତ୍ୟା ବାକି ଶବ୍ଦତକ ଢୋକି ଦେବାଟା ଶ୍ରେୟଷ୍କର ମନେକରି ନିରବ ରହିଲେ । ସେହି ଛୋଟିଆ ସାହରଟିରେ ଅଚାନକ ଘଟିଲା ଏକ ଛୋଟିଆ ଘଟଣା, ଯେଉଁ ଘଟଣାଟି ଜନତାଙ୍କ ମନକୁ ଦୋହଲାଇଦେବା ସଙ୍ଗେ ସଙ୍ଗେ ଆମ ଗଗନ ବାହୁଙ୍କର ଜୀବନର ଗତାନୁଗତିକ ଧାରାକୁ ମଧ୍ଯ ବଦଳେଇ ଦେବାରେ ସମର୍ଥ ହେଲା । ସ୍ଥାନୀୟ ମହାବିଦ୍ୟାଳୟର ସାହିତ୍ୟ ଅଧ୍ୟାପକଙ୍କର ହେଲା ଅଚାନକ ମତିଭ୍ରମ । ଅଧ୍ୟାପକଙ୍କର ଏ ଦୁର୍ଦ୍ଦଶା ହେବାର ପୃଷ୍ଟଭୂମିରେ ଦାୟୀ ଥିଲା ତାଙ୍କର କୃଷ୍ଣପ୍ରେମ ଓ ହଠାତ୍ ଏକାଗ୍ର ହୋଇଯିବାର ଗୁଣଟି । ମହୋଦୟ ପାଠ ପଢ଼ାଇବା ସମୟରେ ଯଦି ରାଧା, କୃଷ୍ଣ, ଗୋପପୁର , ମଥୁରା ପ୍ରଭୃତି କୌଣସି ଏକ ଶବ୍ଦର ସଂପର୍କରେ ଆସିଗଲେ , ତେବେ ମୂଳ ବିଷୟବସ୍ତୁକୁ ଭୁଲି ତନ୍ମୟ ହୋଇ କୃଷ୍ଣଙ୍କ ବିଷୟରେ ଗୁଡାଏ ଗପିଯିବା ସର୍ବଜନ ବିଦିତ ଥିଲା । ସେଦିନ ଜଣେ ପ୍ରବଚକଙ୍କ ସଙ୍ଗରେ ସାମାନ୍ୟ ଆଧ୍ୟାତ୍ମିକ ଅନୁଭୂତିରୁ ଆଲୋଚନା ଆରମ୍ଭ ହେଲାପରେ କୃଷ୍ଣଙ୍କ ଆଡକୁ କଥା ଯାଆନ୍ତେ, ସ୍ୱଭାବିକ ରୀତିରେ ଅଧ୍ୟାପକ ମହୋଦୟ ତନ୍ମୟ ହୋଇ କୃଷ୍ଣଙ୍କ ବିଷୟରେ ଏକ ଦୀର୍ଘ ଭାଷଣ ଦେବା ଅନ୍ତେ ଅବସ୍ଥା ଅଣାୟତ ହେଲା । ଏହାପରେ ଆଖିରୁ ଲୁହ ଝରିବା ବନ୍ଦ ହେଲାନାହିଁ କି ଅଧ୍ୟାପକ ମହାଶୟ ତନ୍ମୟ ଭାବରୁ ଫେରି ସ୍ୱାଭାବିକ ହେଲେ ନାହିଁ । ପ୍ରିୟଜନଙ୍କ ଚେଷ୍ଟାରେ ଚିକିତ୍ସା ଉପଚାର ହେତୁ ସାମାନ୍ୟ ସୁସ୍ଥ ହେଲେ ମଧ୍ୟ ଜନତାଙ୍କ ଦୃଷ୍ଟିରେ ଜଣେ ଜ୍ଞାନୀ ପାଗଳ ଭାବରେ ଖ୍ୟାତି ଲାଭ କରିବାରେ ବିଷେଶ ବିଳମ୍ବ ହେଲା ନାହିଁ । କେବେ କେବେ ମହାଶୟ ଦିନଯାକ ଇତଃସ୍ତତ ଭ୍ରମଣ ଭିତରେ ଗଗନବାବୁଙ୍କ ଖଟି ସ୍ଥଳକୁ ଆସିଯାନ୍ତି । ଅଧ୍ୟାପକ ପହଞ୍ଚିଯିବା ପରେ ସମସ୍ତେ ଠିଆ ହୋଇ ସମ୍ମାନ ଜଣାନ୍ତି ଓ ତାଙ୍କ ପାଇଁ ଏକ ଆସନ ଖାଲି ରଖି ବସନ୍ତି । ମହାଶୟ ବେଳେବେଳେ ଆଲୋଚନାରେ ଭାଗ ମଧ୍ୟ ନିଅନ୍ତି । ତେବେ ଅଧ୍ୟାପକଙ୍କର ଆଲୋଚନାରେ ଭାଗନେବାର ମାଧ୍ୟମଟି ଗଗନ ବାବୁଙ୍କର ଆଦୌ ପସନ୍ଦ ନୁହେଁ । ସାଧାରଣତଃ କୌଣସି ଆଧ୍ୟାତ୍ମିକ ଆଲୋଚନା ଚାଲିଥିବା ବେଳେ ଗଗନ ବାବୁ ଥରେ ଦୁଇଥର ଅଟ୍ଟହାସ୍ୟ କରିଥାନ୍ତି । ଏବେ କିନ୍ତୁ ଗଗନ ବାବୁଙ୍କର ଅଟ୍ଟହାସ୍ୟକୁ ବହୁଗୁଣରେ ସଙ୍କୁଚିତ କରି ଶୁଭୁଛି ଆଧ୍ୟାପକ ମହାଶୟଙ୍କର ବିଦ୍ରୁପ ଭରା ହସ । ପୁଣି ପ୍ରତିଥର ।
ଗଗନବାବୁ ଲଜ୍ଜିତ ଓ କ୍ରୋଧାନ୍ଵିତ ହେଲେ ମଧ୍ୟ ମୁହଁରେ ନିର୍ଲିପ୍ତତାର ଭାବ ଖେଳାଇ ବସି ରହନ୍ତି । କିନ୍ତୁ ଯେଉଁ ଘଟଣାଟି ତାଙ୍କୁ ଅଧିକ ଦୁଃଖ ଦିଏ , ତାହା ହେଲା ଉପସ୍ଥିତ ବନ୍ଧୁମାନଙ୍କର ପ୍ରତିକ୍ରିୟା । ଅର୍ଥାତ ସମସ୍ତେ ଗଗନବାବୁଙ୍କର ଲଜ୍ଜିତ ଅବସ୍ଥାକୁ ମୃଦୁ ହାସ୍ୟ ସହକାରେ ଉପଭୋଗ କରିବାର ଦୃଶ୍ୟ ଓ ତତ୍ସହିତ ଅଧ୍ୟାପକଙ୍କ ପ୍ରତି ସମ୍ଭ୍ରମତା ଓ ସମ୍ମାନବୋଧ ହାନୀ ନ ହେବାର ପ୍ରତିକ୍ରିୟା । ଏ ପରିସ୍ଥିତିରୁ ଉଦ୍ଧାର ପାଇବାର ଉପାୟ କିଛି ଦେଖାଯାଉନଥିଲା । ଦିନକୁ ଦିନ ଏ ସମସ୍ୟାଟି ଗଗନ ବାବୁଙ୍କ ମୁଣ୍ଡରେ ଭାରି ହେବାରେ ଲାଗିଥିଲା । ନିଜର ଦୈନନ୍ଦିନ ଜୀବନଚ଼ର୍ଯ୍ୟାରେ ତ୍ରୁଟି ବିଚ୍ୟୁତି ଦେଖାଗଲା । ପ୍ରାୟତଃ ଅନ୍ୟମନସ୍କ ରହୁଥିବା ଗଗନ ବାବୁ ଏଣିକି ଏଣିକି ଅନେକ କଥା ଭୁଲି ଯାଉଥିଲେ । ପତ୍ନୀ ଓ ପରିବାର ଲୋକ ଏକଥା ଜାଣୁଥିଲେ ମଧ୍ୟ ସାହସ କରି କେହି ପଚାରିପାରୁ ନଥିଲେ ।ଗଗନବାବୁ ଏବେ ରାତିରେ ଦୁଃସ୍ଵପ୍ନ ଦେଖୁଛନ୍ତି । ସ୍ୱପ୍ନରେ ଦେଖାଯାଉଛି କେତେବେଳେ ଶବଦାହ ଓ ଚାରିପଟେ ଉଦ୍ଦଣ୍ଡ ନୃତ୍ୟ ତ ଆଉ କେତେବେଳେ ନିଜେ ନିଆଁରେ ଜଳିଯାଉଥିବା ଅବସ୍ଥାରେ କାହାର ବିକଟାଳ ଅଟ୍ଟହାସ୍ୟ । ବିରତି ହୀନ ଏ ଦୁଃସ୍ୱପ୍ନର ଅନ୍ତ କେବେ ? ଅବଶେଷରେ ଦିନେ ଏ ସମସ୍ତ ଘଟଣାର ଅବସାନ ଘଟିଲା । ଗଗନ ବାବୁ କିଛି ଦିନର ବିରତି ପରେ ଖଟିକୁ ଆଗମନ କଲେ । ବନ୍ଧୁମାନଙ୍କ ବିସ୍ମୟପୂର୍ଣ୍ଣ ଦୃଷ୍ଟି ଅବଲୋକନ ପରେ ଗଗନ ବାବୁଙ୍କର ଏକ ଉଚ୍ଚ ଅଟ୍ଟହାସ୍ୟ ସମସ୍ତଙ୍କୁ ହତବାକ୍ କରିବାଟା ସ୍ଵାଭାବିକ ଥିଲା । ରାସ୍ତାର ଅପର ଦିଗରେ ଥିବା ଏକ ଦରଭଙ୍ଗା ପ୍ରାଚୀରରେ ଷଣ୍ଢଟି କାନ୍ଧ ଘଷୁଥିଲା । ଷଣ୍ଢର ହେଣ୍ଟାଳଟିଏ ଦୃଷ୍ଟି ଆକର୍ଷଣ କରନ୍ତେ ,ଗଗନବାବୁ ସାଷ୍ଟାଙ୍ଗ ପ୍ରଣାମ କଲେ । ମଥୁରୀ ବାବୁ ଆଖିରୁ ଲୁହ ପୋଛିଲେ । ବାମ କଡ଼କୁ ସାମାନ୍ୟ ମୁଣ୍ଡ ନୁଆଁଇ ଦୁଇଥର ସୁଁ ସୁଁ କଲେ । କଣ ହେଇଛି ? କିଏ ଜଣେ ପ୍ରଶ୍ନ କଲା । ମତିଭ୍ରମ ,ମୁଣ୍ଡଟି ସଂପୂର୍ଣ୍ଣ ନଷ୍ଟ । ରୁମାଲରେ ନାକ ପୋଛିବା ଅବସରରେ ମଥୁରୀବାବୁ ଉତ୍ତର ଦେଲେ । ଏଥର କିନ୍ତୁ ପୂର୍ବରୁ ଉପସ୍ଥିତ ଥିବା ଅଧ୍ୟାପକ ମହୋଦୟ ଗଗନ ବାବୁଙ୍କ ଅଟ୍ଟହାସ୍ୟର ପ୍ରତିବଦଳରେ ହସି ନଥିଲେ । ଗଗନବାବୁ ଘର ମୁହାଁ ହେଲେ । ମୁଣ୍ଡ ବହୁତ ହାଲୁକା ଲାଗୁଥିଲା । ଭିତରଟା ଶୂନ୍ୟ ଲାଗୁଥିଲା । ବେଳେବେଳେ ମହୁମାଛିର ଗୁଣୁଗୁଣୁ ଶବ୍ଦ ବ୍ୟତିତ ଅନ୍ୟ କିଛି ଶୁଭୁନଥିଲା । ଆନନ୍ଦର କଥା ହେଉଛି ଆଉ ଅଟ୍ଟହାସ୍ୟ ଶୁଭୁ ନ ଥିଲା । ନିହାତି ଅନ୍ତରଙ୍ଗ ଭାବରେ ସଙ୍ଗରେ ଚାଲିଥିବା ବୁଲା କୁକୁରଟିକୁ ମଝିରେ ମଝିରେ ଆଉଁସି ଦେଉ ଦେଉ ଗଗନ ବାବୁ ବିଜୟ ଗୌରବରେ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ।