T.Durga Prasad Rao

Fantasy Inspirational Others

5.0  

T.Durga Prasad Rao

Fantasy Inspirational Others

ଅସହାୟତାର ସୀମା

ଅସହାୟତାର ସୀମା

9 mins
10.5K


ସେଦିନ ବନ୍ଧୁ ଆସରରେ ନିଶା ଟିକିଏ ଜୋର୍ ଧରିଥାଏ। ମନା କରିବା ସତ୍ତ୍ଵେ ପ୍ଳାବନ ପିଆଇ ଦେଇଥିଲା ବିଦେଶୀ ରମ୍.ରୁ କିଛି। ମୁଁ କ୍ଵଚିତ୍ ପିଏ। କିନ୍ତୁ ବେଳେ ବେଳେ ପରିସ୍ଥିତି ଏମିତି ଆସେ ବନ୍ଧୁଙ୍କୁ କଡ଼ାକଡ଼ି ମନା କରି ହୁଏ ନାହିଁ କିଛି କ୍ଷେତ୍ରରେ। ହୁଏତ ବନ୍ଧୁ ଅଭିମାନ କରି ବସିବେ। ସେ ଯାହାହେଉ, ନିଶା ଏମିତି ବି ଜୋର୍ ନ ଥିଲା ଯେ ମୁଁ ଚାଲି ଚାଲି ମୋ ଘର ପର୍ଯ୍ୟନ୍ତ ଯାଇ ପାରିବି ନାହିଁ। ହାତ ଘଣ୍ଟାକୁ ଚାହିଁଲି, ରାତି ସାଢ଼େ ଏଗାର। ଛୋଟ ସହରଟି ଘୁମନ୍ତ ଅବସ୍ଥାରେ। ଏଠି ପ୍ରାୟ ସମସ୍ତେ ସମସ୍ତଙ୍କୁ ଚିହ୍ନନ୍ତି। ତେଣୁ ରାସ୍ତାରେ ଭୟର କିଛି କାରଣ ନାହିଁ। ଅପରାଧ ପ୍ରବଣତା ଏ ସହରରେ ଭାରି ନ୍ୟୁନ। ତଥାପି ପୋଲିସ୍ ତାର କାମ କରୁଥାଏ ରାତି ସାରା। ମୋର କେବଳ ଗୋଟିଏ ଡର। ପେଟ୍ରୋଲିଂ ଦାୟିତ୍ୱରେ ଥିବା ଚିହ୍ନା କନେଷ୍ଟବଳଟିଏ ଯଦି ମୋତେ ଏ ଅବସ୍ଥାରେ ଦେଖେ, ତାହେଲେ କଣ ଭାବିବ।

କିଛି ଅଭାବନୀୟ ପରିସ୍ଥିତି ସୃଷ୍ଟି ନ ହେଉ, ସେହି ହିସାବ ନିକାଶରେ ପାଦ ଥାପି ଥାପି ଚାଲୁଥାଏ। ରାସ୍ତା ପ୍ରାୟ ଶୁନ୍ ଶାନ୍। ମୋ ଘରେ ପହଞ୍ଚିବା ପାଇଁ ମୋତେ ଅତିକ୍ରମ କରିବାକୁ ହେବ ପ୍ରାୟ ଅଧା କିଲୋମିଟର ରାସ୍ତା। ମୁଁ ରାସ୍ତାର ଏକଡ଼ ସେକଡ଼ ଚାହିଁ ଧିରେ ଧିରେ ଆଗକୁ ବଢ଼ୁଥାଏ। ମୋର ନଜରକୁ ଆସିଲା ରାସ୍ତାକଡ଼ ଗୋଟିଏ ଦୋକାନ ପିଣ୍ଡାରେ କେହି ଜଣେ ବସିଛି। ଭାବିଲି, ଏତେ ରାତିରେ ପାଗଳ କି ଭିକାରିଟେ ହେଇଥିବ। କିମ୍ବା ଦୂର ସ୍ଥାନର କେହି ଯାତ୍ରୀଟିଏ ଶୋଇବା ପାଇଁ ଦୋକାନ ପିଣ୍ଡାକୁ ଆଶ୍ରା କରିଛି। ଗାଡ଼ିଟି ଯେତେବେଳେ ପାଖେଇ ଆସିଲା, ମୋତେ ଲାଗିଲା କିଏ ଜଣେ ବୟୋବୃଦ୍ଧ, ବେଶଭୁଷାରୁ ସମ୍ଭ୍ରାନ୍ତ ମନେ ହେଉଛନ୍ତି। ଆହୁରି ପାଖରେ ପହଞ୍ଚିଲା ପରେ ମନେ ହେଲା, ବୃଦ୍ଧ ଜଣକ କଇଁ କଇଁ ହୋଇ କାନ୍ଦୁଛନ୍ତି। ଖୁବ୍ ସଂଯତରେ ପାଦ ପକାଇ ପହଞ୍ଚିଲି ବୃଦ୍ଧଙ୍କ ନିକଟରେ। ହଠାତ୍ ମୋତେ ଦେଖି ବୃଦ୍ଧ ଇତସ୍ତତଃ ହୋଇ ଉଠି ଠିଆ ହୋଇ ପଡ଼ିଲେ। ତାପରେ ମୁଁ ଯେତେବେଳେ ତାଙ୍କୁ ଆଶ୍ୱାସନା ଦେଇ କହିଲି, ମଉସା ଡରନ୍ତୁ ନାହିଁ, ଆପଣ ଏଠି ଏକୁଟିଆ ବସିଛନ୍ତି ତ, ମୋର ମନେ ହେଲା ଆପଣ କିଛି ସାହାଯ୍ୟ ଆବଶ୍ୟକ କରୁଛନ୍ତି, ମୋ ପାଟିରୁ ବାସ୍ନା ବାରି ପାରି ସେ ମୋତେ ଚୋର କି ଖଣ୍ଟ ପରି ଦେଖିଲେ। ଏଇଠି ମୋ ବିବେକ ମୋତେ ଖୁବ୍ ଧିକାରିଲା। ମୁଁ ହୃଦୟଙ୍ଗମ କଲି ନିଜେ ଯଦି ଠିକ୍ ନାହାନ୍ତି, ଅନ୍ୟକୁ ସାହାଯ୍ୟର ହାତ ବଢ଼େଇଲେ ବି ଲୋକ ସନ୍ଦେହ କରିବେ। ମୁଁ ମୋର ପକେଟ୍ ଅଣ୍ଡାଳି ଆଇ କାର୍ଡ ବାହାର କରି ଦେଖାଇଲି। କହିଲି, ମୁଁ ଜଣେ ସରକାରୀ କର୍ମଚାରୀ, ଆପଣ ଯାହା ଆଶଙ୍କା କରୁଛନ୍ତି ମୁଁ ସେୟା ନୁହେଁ। ଲାଇଟ୍ ପୋଷ୍ଟର ସ୍ୱଳ୍ପ ଆଲୋକରେ ଆଇ କାର୍ଡ୍ ପଢ଼ି ହେଉନଥିଲା ଆଉ ବୃଦ୍ଧଙ୍କର ଆଇ କାର୍ଡକୁ ଭଲ ରୂପେ ଦେଖିବା ପାଇଁ ସ୍ପୃହା ବି ନ ଥିଲା। ସେ କେବଳ ମୋ କଥାବାର୍ତ୍ତାରେ ଟିକିଏ ପ୍ରଭାବିତ ହେଲା ପରି ମନେ ହେଲେ। ପୁଣି ଆସି ବସିଲେ ପିଣ୍ଡାଟାରେ। ମୁଁ ପଚାରିଲି, କିଛି ଖାଇଛନ୍ତି? ମୋ ଆତ୍ମୀୟତାରେ ସେ ଟିକିଏ ଛଳ ଛଳ ହୋଇ ନା କହି ମୁଣ୍ଡଟା ହଲେଇଲେ। ମୁଁ ଆଖପାଖ ସବୁଆଡ଼େ ମୋର ଆଖି ଘୁରାଇଲି। ନା, ସବୁ ଛୋଟମୋଟ ଦୋକାନ ବନ୍ଦ ହୋଇ ସାରିଲାଣି। ଉପାୟ ଶୂନ୍ୟ। ମୁଁ କହିଲି, ଆପଣ ଯଦି ଉଚିତ୍ ଭାବୁଛନ୍ତି ତାହେଲେ ମୋ ସାଙ୍ଗରେ ଚାଲନ୍ତୁ। ମୋ ଘର ଆଉ ଅଳ୍ପ ଦୂର। ମୋ ଘରେ ମୁଁ ଏବେ ଏକୁଟିଆ। ପତ୍ନୀ ପିଲାପିଲିଙ୍କୁ ନେଇ ବାପଘରକୁ ଯାଇଛନ୍ତି। ଆପଣ ନିର୍ଦ୍ୱନ୍ଦରେ ଆଜି ରାତି ମୋ ଘରେ କାଟି ପାରିବେ, ଯଦି ମୋତେ ବିଶ୍ୱାସ କରନ୍ତି। ଏତେ ବଡ଼ ବଦାନ୍ୟତା ଦେଖାଇବା ଆଗରୁ ମୁଁ ଟିକିଏ ଚିନ୍ତା କରିନଥିଲି। କହିସାରିବା ପରେ ଭାବିଲି, ଜଣେ ଅପରିଚିତଙ୍କୁ ଘରେ ସ୍ଥାନ ଦେବା ମହଙ୍ଗା ପଡ଼ିବ ନାହିଁତ? ବୃଦ୍ଧଜଣକ କିଛି ନିର୍ଣ୍ଣୟ ନେଇ ପାରୁନଥିଲେ। ମୁଁ ତାଙ୍କ ହାତ ଧରି ପିଣ୍ଡା ତଳକୁ ଓହ୍ଲାଇଲି। ବୃଦ୍ଧଜଣକ କେଉଁ ଅସହାୟତାରେ ଥିଲେ କେଜାଣି ଆଉ ମନା କରିପାରିଲେ ନାହିଁ। ମୁଁ ତାଙ୍କୁ ନେଇ ଘରେ ପହଞ୍ଚିଲି। ଫ୍ରିଜ୍.ରେ କିଛି ଫଳ ଓ ମିଠା ଥିଲା। ସେତକ ଉଦରସ୍ଥ କରି ବୃଦ୍ଧଜଣକ ଟିକିଏ ସାଷ୍ଟାମ ହେଲେ। ରାତିରେ ମୁଁ ଆଉ ତାଙ୍କୁ କିଛି ପଚାରି ବ୍ୟସ୍ତ କରିବା ଉଚିତ୍ ମନେ କଲି ନାହିଁ।

ସକାଳେ ବୃଦ୍ଧଙ୍କର ଟିକିଏ ଡେରିରେ ନିଦ ଭାଙ୍ଗିଲା। ରାତିଯାକ ବୋଧହୁଏ ଭାବନାରେ ରହି ଡେରିରେ ଶୋଇଛନ୍ତି। ଉଠିବା ସାଙ୍ଗେ ସାଙ୍ଗେ ସେ ଗାଧୁଆପାଧୁଆ ସାରି ଯିବା ପାଇଁ ବ୍ୟସ୍ତ ହେଲେ। ମୁଁ ଚାହା ଟିକିଏ କରି ତାଙ୍କ ପାଖରେ ଥୋଇ ଦେଇ କହିଲି, ଆପଣ ଯଦି ମୋତେ ନିଜର ଭାବି ପାରୁନାହାନ୍ତି, ତାହେଲେ ମୋର ଆଉ କିଛି କରିବାର ନାହିଁ। ଆପଣ ଯଦି ଯିବାକୁ ଚାହୁଁଛନ୍ତି, ମୁଁ ଅଟକାଇବି ନାହିଁ। କେଉଁଠିକି ଯିବାକୁ ଚାହୁଁଛନ୍ତି କୁହନ୍ତୁ, ମୁଁ ନେଇ ଛାଡ଼ି ଆସିବି। ବୃଦ୍ଧଜଣକ ଉଠୁ ଉଠୁ ଥକ୍କା ମାରିଲା ପରି ପୁଣିଥରେ ବସିପଡ଼ିଲେ ସୋଫାଟାରେ। ମୁଁ ତାଙ୍କ ସାମ୍ନା ସୋଫାରେ ବସିଲି। କୋଉଠିକି ଆଉ ଯିବି? ଗୋଟିଏ ବୋଲି ମୋର ନୀଡ଼ ଥିଲା, କାଲି ରାତିରେ ସେ ନୀଡ଼ ମୋର ଭାଙ୍ଗି ଯାଇଛି ପୁଅ। ବୃଦ୍ଧଜଣକ ଆଖିରୁ ଲୁହ ପୋଛିଲେ। ପୁଅ ବୋଲି ମୋତେ ସମ୍ବୋଧନ କଲେ। ଆପଣଙ୍କ ମନରେ ଯାହା ବି କଷ୍ଟ ଅଛି କହିଦିଅନ୍ତୁ। ଦୁଃଖ ତ ମୁଁ ନେଇ ପାରିବି ନାହିଁ, କିନ୍ତୁ ଆପଣଙ୍କ ମନ ହାଲ୍.କା ହୋଇଯିବ।

ବୃଦ୍ଧ ଯେଉଁ କାହାଣୀ କହିଲେ ମୋର ରୁମ ଟାଙ୍କୁରି ଉଠିଲା। ତାଙ୍କର ନାଁ ଥିଲା ସମରେନ୍ଦ୍ର। ସେ ଅତି ଅଳ୍ପ ବୟସରୁ ବାପାମାଙ୍କୁ ହରାଇଥିଲେ। ନିଜର ସଚ୍ଚୋଟତା, କର୍ମକୁଶଳତା ଆଉ ଉଦ୍ୟୋଗ ବଳରେ ସେ ଅଳ୍ପ ପାଠ ପଢ଼ାରେ ବି ନିଜକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ ଜଣେ ମାନ୍ୟଗଣ୍ୟ ରୂପା ବ୍ୟବସାୟୀ ଭାବରେ। ଦୂର ଦୂରାନ୍ତରୁ ଲୋକ ରୌପ୍ୟ ଦ୍ରବ୍ୟ କିଣିବା ପାଇଁ ତାଙ୍କ ପାଖକୁ ଆସନ୍ତି। ତାଙ୍କର ମଧୁର ସ୍ଵଭାବ ଓ ବ୍ୟବହାର ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ସହିତ ଉଚିତ୍ ମୂଲ୍ୟରେ ଚିଜ ପାଇବାର ଭରସା ବେଶୀ ବଢ଼ାଏ ତାଙ୍କର ବ୍ୟବସାୟ। ଦିନେ ଗୋଟିଏ ଦଶ ବାର ବର୍ଷର ପିଲାଟିଏ ରୂପାର ଲକ୍ଷ୍ମୀ ମୂର୍ତ୍ତୀଟିଏ ଚୋରାଉଥିବା ଅବସ୍ଥାରେ ଧରି ପଡ଼ିଗଲା ତାଙ୍କ ଆଖିରେ। ସେ ତାକୁ ଧରି ପକାଇବାରେ ସମର୍ଥ ହେଲେ। ଉପସ୍ଥିତ ଗ୍ରାହକ ଛୋଟ ପିଲାଟିର ଏଭଳି କାର୍ଯ୍ୟକଳାପରେ ଉତ୍ତ୍ୟକ୍ତ ହୋଇ ତାକୁ ମାରଧର କରିବାକୁ ଉଦ୍ୟତ ହୁଅନ୍ତେ ସମରେନ୍ଦ୍ର ବାବୁ ସମସ୍ତଙ୍କୁ ସେଥିରୁ କ୍ଷାନ୍ତ ହେବାକୁ କହି ପିଲାଟିକୁ ପାଖରେ ବସାଇଲେ। ତା ବିଷୟରେ ଓ ତା ପରିବାର ବିଷୟରେ ସବୁକିଛି ବୁଝିବାକୁ ଚେଷ୍ଟା କରି ଜାଣି ପାରିଲେ, ପିଲାଟିର ନାଁ ସଦାନାଥ। ପିଲାଟି ଅନାଥ। ତାର ନିଜର ବୋଲି କେହି ନାହାନ୍ତି। ବଞ୍ଚିବାର କିଛି ଉପାୟ ନ ପାଇ ପିଲାଟି ମଝିରେ ମଝିରେ ଏମିତି ଚୋରି କରେ। ବେଳେ ବେଳେ ଧରା ପଡ଼ି ମାଡ଼ ବି ଖାଏ। ପିଲାଟିର ବିକଳ ଭାବ ତାଙ୍କ ଆଖିକୁ ଆର୍ଦ୍ର କରିଦେଲା। ସେ ତାକୁ ଗୋଟିଏ ସୁଯୋଗ ଦେଲେ। ତାହା ହେଲା ସଦା ପାଠପଢ଼ା ସାଙ୍ଗରେ ତାଙ୍କୁ ଦୋକାନରେ ଜିନିଷ କିଣାବିକାରେ ସାହାଯ୍ୟ କରିବ। ସଦା ବୋଧହୁଏ ଏମିତି ଏକ ସୁଯୋଗ ଅପେକ୍ଷାରେ ଥିଲା। ସମରେନ୍ଦ୍ର ବାବୁଙ୍କ କଥାରେ ସେ ଛଳ ଛଳ ନେତ୍ରରେ ସମ୍ମତି ଜଣାଇଲା। ସଦାର ଅକୁଣ୍ଠ ସାହାଯ୍ୟ ଓ ତାର କାର୍ଯ୍ୟଦକ୍ଷତାରେ ସମରେନ୍ଦ୍ର ବାବୁଙ୍କ ବ୍ୟବସାୟ ଉତ୍ତରୋତ୍ତର ଉନ୍ନତି କରିବାକୁ ଲାଗିଲା। ସେତେବେଳକୁ ସମରେନ୍ଦ୍ର ବାବୁ ବିବାହିତ ଆଉ ସଦାର ସମବୟସ୍କ ତାଙ୍କର କେବଳ ବୋଲି ଝିଅଟିଏ ଥାଏ। ନିଜର ଆଉ ପୁଅ ନ ଥିବା ଯୋଗୁଁ ସମରେନ୍ଦ୍ର ବାବୁ ସଦାକୁ ମନେ ମନେ ନିଜର ପୁଅ ବୋଲି ଭାବି ସାରିଥାନ୍ତି। ଝିଅ ଯେତେବେଳେ ହେଲେ ବି ବାହା ହୋଇ ପରଘରକୁ ଯିବ। ତେଣୁ ତାଙ୍କ ଅନ୍ତେ ସଦାକୁ ହିଁ ନିଜର ଉତ୍ତରାଧିକାରୀ ଭାବରେ ସେ ଦେଖୁଥାନ୍ତି। ସଦା ଓ ସମରେନ୍ଦ୍ର ବାବୁଙ୍କ ଝିଅ ସୁକାନ୍ତି ଏକାଠି ଭାଇଭଉଣୀ ପରି ସବୁ ଅଳି ଅର୍ଦ୍ଦଳି ଭିତରେ ଧିରେ ଧିରେ ବଡ଼ ହେବାକୁ ଲାଗିଲେ। ଝିଅ ପାଇଁ ବର ଖୋଜିବାରେ ଲାଗି ପଡ଼ିଲେ ସମରେନ୍ଦ୍ର ବାବୁ। ନିଜର ଶ୍ୟାଳକଙ୍କ ପୁଅ ସହିତ ସୁକାନ୍ତିର ବିବାହ ଏକରକମ ସ୍ଥିର ହୋଇଗଲା। ନିର୍ବନ୍ଧ ହେବାକୁ ଆଉ ଚାରିଦିନ ବୋଧେ ବାକି ଅଛି, ସେଦିନର କଥା। ଦିନ ଗୋଟାଏ ସମୟରେ ସମରେନ୍ଦ୍ର ବାବୁ ସଦାକୁ ଘରକୁ ପଠାଇଲେ ଖାଇ ଦେଇ ଜଲ୍ ଦି ଆସିବା ପାଇଁ। ସଦା ଆସିଲା ପରେ ସେ ଘରକୁ ଯିବେ। ଏଇଟା ନିତିଦିନିଆ କଥା। ସଦା ଆଗ ଘରକୁ ଯାଇ ଖାଇଦେଇ ଆସିଲେ, ପରେ ସମରେନ୍ଦ୍ର ବାବୁ ଘରକୁ ଯାଆନ୍ତି, ଖାଇପିଇ ଟିକିଏ ବିଶ୍ରାମ ନିଅନ୍ତି। ପୁଣି ଦୋକାନକୁ ଆସନ୍ତି ପାଞ୍ଚଟା ପରେ। ହଠାତ୍ ସେ ଶୁଣିଲେ, ସଦାର ଦେହ ଭଲ ଲାଗୁନି, ତାକୁ ଡାକ୍ତରଖାନା ନିଆଯାଇଛି। ଗାଁରେ ଡାକ୍ତରଖାନା ଥିଲେ ବି ଡାକ୍ତର ରହୁନଥିଲେ। କମ୍ପାଉଣ୍ଡର ହିଁ ତୁଲାଉଥିଲେ ଡାକ୍ତରଙ୍କର ଦାୟିତ୍ୱ । ସଦାକୁ ପରୀକ୍ଷା କରି କମ୍ପାଉଣ୍ଡର କହିଲେ ଫୁଡ୍ ପଏଜନିଂ କେଶ୍। ସେ ପାରିବେ ନାହିଁ। ସଦାକୁ ବଡ଼ ମେଡ଼ିକାଲ୍ ନେବାକୁ ହେବ। ସମରେନ୍ଦ୍ର ବାବୁ ଦୌଡା ଦୌଡ଼ି କରି ଗାଡ଼ି ଗୋଟିଏ ବ୍ୟବସ୍ଥା କରି ତାକୁ ପାଖ ସହରକୁ ନେବାର ବ୍ୟବସ୍ଥା କଲେ। ହେଲେ ରାସ୍ତାରେ ହିଁ ସଦାର ମୃତ୍ୟୁ ହୋଇଗଲା। ସେଦିନ ଅଧା ଦମ୍ଭ ଭାଙ୍ଗିଗଲା ସମରେନ୍ଦ୍ର ବାବୁଙ୍କର। ପୁଅ ପରି ଭାବି ଦୀର୍ଘ ଦଶ ବର୍ଷ ଯାହା ପ୍ରତି ନିଜର ସ୍ନେହ ମମତା ଅଜାଡ଼ି ଦେଇଥିଲେ ସେ ଏମିତି ହଠାତ୍ ଅଧାରୁ ବାଟ କାଟିବ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲେ ସମରେନ୍ଦ୍ର ବାବୁ। ଅନେକ ଦିନ ପର୍ଯ୍ୟନ୍ତ ନିଜକୁ ସମ୍ଭାଳି ପାରି ନ ଥିଲେ ସମରେନ୍ଦ୍ର ବାବୁ। ପୁଅ ସମ ସଦାର ମୃତ୍ୟୁ ପରେ ଝିଅର ବିବାହ ତାରିଖ ଘୁଞ୍ଚାଇବାକୁ ଚେଷ୍ଟା କଲେ। କିନ୍ତୁ ଜ୍ଞାତି କୁଟୁମ୍ବଙ୍କ କଥାରେ ବାଧ୍ୟ ହୋଇ ସେ ନିର୍ଦ୍ଧାରିତ ତାରିଖରେ ହିଁ ବିବାହ କରିଦେଲେ ସୁକାନ୍ତିର ନିଜ ଶ୍ୟାଳକଙ୍କ ପୁଅ ସହିତ। କିଛି ଦିନ ଅନ୍ତେ ଏକ ଦୁସାଧ୍ୟ ରୋଗରେ ପଡ଼ି ପତ୍ନୀଙ୍କର ମୃତ୍ୟୁ ହୋଇଗଲା। ସମ୍ପୂର୍ଣ୍ଣ ଏକା ହୋଇଗଲେ ସମରେନ୍ଦ୍ର ବାବୁ। ଘରଟା ତାଙ୍କୁ ଖାଁ ଖାଁ ଲାଗିଲା। ବେଶି ବେଶି ମନେ ପଡ଼ିଲା ସଦାର ଚେହେରା। ତାର ଆତ୍ମୀୟତା ଭରା ଚାହାଣୀ ଆଉ ହସ। କୌଣସି ଚିଜରେ ତାର ଲୋଭ ନାହିଁ କି ଆବଶ୍ୟକତା ନାହିଁ। ସମରେନ୍ଦ୍ର ବାବୁ ଯେତିକି ଦେଲେ ସେତିକିରେ ସେ ସନ୍ତୁଷ୍ଟ। ସେ ତା ପାଇଁ ଅନେକ କିଛି ସ୍ଥିର କରି ରଖିଥିଲେ। ହେଲେ ପିଲାଟା ଯେମିତି ତାଙ୍କୁ ଋଣୀ କରି ଚାଲିଗଲା। ହାଃ ହାଃ କାର କରି ଉଠିଲା ସମରେନ୍ଦ୍ର ବାବୁଙ୍କ ହୃଦୟ। ସ୍ଥିର କଲେ ସବୁ କିଛି ବିକ୍ରି କରି ସେ ନିଜ ଝିଅ ପାଖକୁ ଚାଲିଯିବେ। ଏ ଏକାକିତ୍ୱ ତାଙ୍କ ପାଇଁ ଭାରି ଦୁଃସହ। କେବଳ ପୈତୃକ ଘରକୁ ଛାଡ଼ି ସବୁ କିଛି ବିକ୍ରି କରି ଝିଅ ନାଁରେ ଜମା ମଧ୍ୟ କରିଦେଲେ। ସେତେବେଳେ ଝିଅ ଆଉ ଜ୍ୱାଇଁ ଅଲଗା ରହୁଥାନ୍ତି ନିଜ ପରିବାରକୁ ନେଇ ଏଇ ସହରରେ ମାନେ ମୋରି ସହରରେ। ଝିଅ ବି ଖୁସି ହୋଇଗଲା ବାପାଙ୍କ ଆସିବା ଖବର ଶୁଣି। କିଛି ଦିନ ଝିଅ ପାଖରେ ଅତ୍ୟନ୍ତ ଖୁସିର ସହକାରେ ରହିଲେ ସମରେନ୍ଦ୍ର ବାବୁ। ଏଇ ଦଶଦିନ ତଳେ ସେ ତୀର୍ଥାଟନରେ ବାହାରି ଥିଲେ। ଫେରିଛନ୍ତି କାଲି ରାତିରେ।

ଆଖିରୁ ଅନବରତ ଲୁହ ଝରୁଛି ସମରେନ୍ଦ୍ର ବାବୁଙ୍କର। ଆଉ ଆଗକୁ କହିବା ପାଇଁ ସେ ମୁହଁ ଖୋଲି ପାରୁନାହାନ୍ତି। କୋହରେ ଯେମିତି ଫାଟି ପଡ଼ୁଛି ତାଙ୍କ ହୃଦୟ। ମୁଁ ସାମ୍ନା ସୋଫାରୁ ଉଠି ଆସି ତାଙ୍କୁ ଲାଗି ତାଙ୍କ ପାଖରେ ବସିଲି। ନିଜ ପାପୁଲିରେ ତାଙ୍କ ଲୁହ ଧାରକୁ ପୋଛିବାକୁ ଚେଷ୍ଟାକଲି। କିନ୍ତୁ ସମରେନ୍ଦ୍ର ବାବୁଙ୍କ ଆଖିର ଲୁହ ଧାର ବନ୍ଦ ହେଉ ନ ଥାଏ। ସେ ଉଠି ଠିଆ ହେଲେ। ବେସିନ୍.ରେ ମୁହଁ ଧୋଇ ଦେଇ ତଉଲିଆରେ ପୋଛି ହୋଇ ପୁଣି ଥରେ ସୋଫାରେ ବସିଲେ। ପୁଅ, ମୁଁ ଯାହା କଳ୍ପନାରେ ସୁଦ୍ଧା ଭାବି ନ ଥିଲି, କାଲି ସେଇକଥାଟି ଶୁଣି ମୁଁ ଆଉ ନିଜକୁ ଥୟ ଧରି ରହିପାରୁନି। କାଲି ମୁଁ ଫେରିଲି ରାତି ଗାଡ଼ିରେ ପ୍ରାୟ ନଅଟା ପରେ। ଘରେ ପହଞ୍ଚି ମୁଁ ମୋ ରୁମ୍.ରେ ପ୍ରଥମେ ପଶିଗଲି। ମୋ ରୁମ୍ ପ୍ରଥମେ ପଡ଼େ। ତାପରେ ଡ୍ରଇଂରୁମ୍, ଡାଇନିଂ ରୁମ୍, କିଚେନ୍। ଉପର ମହଲାରେ ଦୁଇଟି ବେଡ଼ରୁମ୍। ଝିଅ ବା ଅନ୍ୟ କେହି ମୋର ଘରକୁ ଫେରିବା କଥା ଜାଣି ନ ଥିଲେ। ମୁଁ ଭାବିଲି ଝିଅ ରୋଷେଇ ଘରେ ବ୍ୟସ୍ତ ଥିବ। ପିଲାମାନେ ଶୋଇ ପଡ଼ିଥିବେ ଅଥବା ଟିଭି ଦେଖୁଥିବେ। ଆଉ ଜ୍ୱାଇଁପୁଅ ତ ସାଢ଼େ ଦଶ ନ ହେଲେ ଘରକୁ ଫେରନ୍ତିନି। ମୁଁ ପ୍ରଥମେ ଲୁଗାପଟା ବଦଳାଏ, ତାପରେ ଦେଖାହେବି। ପୁଅ, ଭିତରକୁ ଯେମିତି ପଶିଛି, କାହାର ପାଟିତୁଣ୍ଡ ଉପର ମହଲାରୁ ଶୁଭିଲା। କାନଡେରି ଶୁଣିଲି, ଚାରୋଟି କଣ୍ଠସ୍ଵର। ଚିହ୍ନିପାରିଲି, ଝିଅର ଶ୍ଵଶୁର ଅର୍ଥାତ୍ ମୋ ଶ୍ୟାଳକ ଓ ତାର ସ୍ତ୍ରୀ ଆସିଛନ୍ତି। ଆଉ ଦୁଇଟି କଣ୍ଠସ୍ଵର ଥିଲା ମୋ ଝିଅ ଓ ଜ୍ୱାଇଁଙ୍କର। କେଉଁ ଗୋଟିଏ ବିଷୟ ନେଇ ତାଙ୍କ ଭିତରେ ଯେମିତି ମିମାଂସା ହୋଇପାରୁନାହିଁ। କିଛି ନିଷ୍ପତିରେ ପହଞ୍ଚି ପାରୁନାହାନ୍ତି। ପାହାଚ ପାହାଚ କରି ଚାରି ପାଞ୍ଚଟି ପାହାଚ ଉପରକୁ ଉଠିଲା ପରେ କଥାବାର୍ତ୍ତା ଟିକିଏ ସ୍ପଷ୍ଟ ହେଲା। ଝିଅ କହୁଥିଲା, ପଇସାପତ୍ର ସବୁ ତ ମୋ ବାପାଙ୍କର। ମୁଁ ସେଥିରୁ କାଣିଚାଏ ବି ଦେବିନି। କାହିଁକି ଦେବି? ମୁଁ ତାଙ୍କର ଗୋଟିଏ ବୋଲି ଝିଅ, ସେ ହିସାବରେ ସେ ସବୁତକ ମୋ ନାଁରେ ଲେଖିଦେଲେ। ତୁମ ପାଟିରୁ କାହିଁକି ଲାଳ ଗଡ଼ୁଛି? ମୋ ଶ୍ୟାଳକ କହୁଛି, ହଁ ଯେ ମା ତୋ ପଇସା କଣ ମୋ ପଇସା କଣ ଗୋଟିଏ ଘର କି ନା? ଏଠି ତୋର ମୋର ବୋଲି କୋଉଠୁ ଆସିଲା? ଝିଅ କହୁଛି, ଯଦି ତୋର ମୋର କଥା ନାହିଁ, ତାହେଲେ ମୋତେ ମାଗୁଛ କାହିଁକି? ଜ୍ୱାଇଁ ବଡ଼ ପାଟି କରି କହୁଥିଲେ, ଏତେ କଣ ଗୋଟେ ଜିଦ୍ କରୁଛୁ, ସତେ ଯେମିତି ବାପା ତୋ ନାଁରେ ଲେଖି ପକାଇଥାନ୍ତେ, ସେ ସଦା ନ ମରିଥିଲେ। ମୁଁ ବତାଇଥିବା ଉପାୟରେ ଯାଇ ତା ଖାଇବା ଥାଳିରେ ମୁଁ ଆଣିଥିବା ପୁଡ଼ିଆରୁ କିଛି ତୁ ପକାଇ ଦେଇଥିଲୁ ବୋଲି ସିନା ଆଜି ଏ ସଂପତ୍ତିତକ ତୋର ହୋଇ ପାରିଛି। ନହେଲେ ସେ ସଦା ବଞ୍ଚିଥିଲେ ବାହା ହେଇ ବିଦା ହେଲା ବେଳେ ଯେତିକି ନେଇ ଆସିଲୁ ସେତିକିରେ ସନ୍ତୁଷ୍ଟ ରହିଥାନ୍ତୁ, ବୁଝିଲୁ। ତୋ ବାପା ତ ସବୁବେଳେ ସଦା ସଦା ହେଉଥିଲେ। ତୋ ଭାଗରେ ଛେନାଗୁଡ଼ ପଡ଼ିଥାନ୍ତା। ଭାରି ଦେଖେଇ ହେଉଛି ଗୋଟିଏ ବୋଲି ଝିଅ। ଆରେ, ଭଉଣୀର ଆଗକୁ ବାହାଘର ଅଛି, ସେଥିପାଇଁ ବାପାବୋଉ ଆସିଛନ୍ତି। ବେଶୀ ଜିଦ୍ କରିବୁ ତ ପଦାରେ ପଡ଼ିବୁ କହିଦେଉଛି। ଚୁପ୍ ଚାପ୍ ବାପା ବୋଉ ଯାହା କହୁଛନ୍ତି କର୍। ମୁଁ ସେଠି ଆଉ କିଛି ଶୁଣିବା ଅବସ୍ଥାରେ ନ ଥିଲି। ମୋ ନିଜ ଝିଅ ଯେ ଏତେ ତଳକୁ ଖସି ଯାଇଛି, ମୁଁ ମୋ କାନକୁ ବିଶ୍ୱାସ କରି ପାରୁନଥିଲି ପୁଅ। ନିଜ ଜନ୍ମ କଲା ଝିଅ ମୋ ବିଶ୍ୱାସରେ ବିଷ ଦେଇଦେଲା। ଆଉ ସଦା ପରି ପର ପୁଅଟିଏ ଅତି ଅଳ୍ପଦିନରେ ସମସ୍ତଙ୍କୁ ନିଜର କରି ନିଜ ନିସ୍ୱାର୍ଥପର କର୍ମରେ, ବ୍ୟବହାରରେ, ସେବାରେ ସମସ୍ତଙ୍କୁ ଋଣୀ କରି ଚାଲିଗଲା। ମୋ ଝିଅ ଘରଟା ମୋତେ ବୁଢ଼ିଆଣୀ ଜାଲ ପରି ମନେ ହେଲା ପୁଅ। ଆଉ କିଛି ସମୟ ରହିଲେ ମୁଁ ବି ସେଇ ଜାଲରେ ଛନ୍ଦି ହୋଇ ଯାଇଥାନ୍ତି, ଯେଉଁଥିରେ ଛନ୍ଦି ହୋଇ ପ୍ରାଣ ହରାଇଥିଲା ମୋ ସଦା। ମୋ ଝିଅର ସ୍ୱାର୍ଥ ଆଗରେ ତା ବାପାର ଜୀବନ ବି ତାକୁ ଅତି ନଗଣ୍ୟ ମନେ ହୋଇଥାନ୍ତା। ସମରେନ୍ଦ୍ର ବାବୁ କୋହ ଚାପି ଉପରକୁ ଚାହିଁଲେ। କହିଲେ, ସେଇମିତି ସେଇ ପୋଷାକରେ ଅତି ବିକଳରେ ଅସହାୟତାରେ ଦଉଡ଼ି ଚାଲି ଆସିଲି ସେ ଘରୁ। ଏବେ ମୁଁ ଯିବି କୁଆଡ଼େ? ସମ୍ପୂର୍ଣ୍ଣ ଏକା ହେଇଗଲି ପୁଅ। ମୋ ବୁଢ଼ାକାଳକୁ ଆଶ୍ରାସ୍ୱରୂପ ଝିଅଟେ ଅନ୍ତତଃ ଅଛି ବୋଲି ଯାହା ମୁଁ ଆଶ୍ୱସ୍ତ ହେଉଥିଲି, ସେତକ ବି ଗଲା।

ମୋ ଆଖିରୁ ସ୍ୱତଃ ଦୁଇଟୋପା ଲୁହ ନିଗିଡ଼ି ଆସିଲା। ମୋର ଭାରି ଇଚ୍ଛା ଥିଲା, ସମରେନ୍ଦ୍ର ବାବୁଙ୍କୁ ନିଜ ପାଖରେ ବାପାର ସମ୍ମାନ ଦେଇ ରଖିବା ପାଇଁ। କିନ୍ତୁ ମୁଁ ବୁଝି ପାରୁଥିଲି ଏତେ ପରେ ସେ ଆଉ ଏ ସହରରେ ନିଶ୍ଚିତ ଭାବେ ରହିବେ ନାହିଁ। ତଥାପି କହିଲି, ମୁଁ ଆପଣଙ୍କୁ ଆଜିଠାରୁ ମୋର ବାପା ବୋଲି ମନେ କରୁଛି। ପ୍ରତି ସୁବିଧା ଅସୁବିଧାରେ ଆପଣ ମୋ ସହ ନିଜର ଦୁଃଖ କଷ୍ଟ ବାଣ୍ଟି ପାରିବେ। ନିଜକୁ କେବେ ହେଲେ ଏକୁଟିଆ ମନେ କରିବେ ନାହିଁ। ଭାବି ନିଅନ୍ତୁ ଆଜିଠାରୁ ମୋର ପରିବାର ଆପଣଙ୍କର ନିଜର। ଆପଣ ଯେତେଦିନ ଏଇଠି ରହିବାକୁ ଚାହିଁବେ ରହିପାରିବେ। ଏତେ ଦୁଃଖରେ ବି ସମରେନ୍ଦ୍ର ବାବୁ ଟିକିଏ ହସିଲେ। ବୋଧହୁଏ ମୋର ବୋକାମୀରେ। କହିଲେ, ପୁଅ ଆଉ ମୋ ଜୀବନରେ କିଛି ନାହିଁ। ବାକି ସମୟତକ ମୋ ଗାଁରେ ମୋତେ ଭଲ ପାଉଥିବା ଲୋକଙ୍କ ସହ ବିତେଇଦେବି। କିଛି ଟଙ୍କା ଏବେ ବି ମୋ ଆକାଉଣ୍ଚ୍.ରେ ଅଛି। ମୃତ୍ୟୁ ପର୍ଯ୍ୟନ୍ତ ଯେନତେନ ଚଳେଇନେବି। ତୁମର ଆତିଥ୍ୟ ଆଉ ସମବେଦନା ପାଇଁ ବହୁତ ଧନ୍ୟବାଦ। ମୋତେ ଟିକିଏ ବସ୍.ଷ୍ଟାଣ୍ଡରେ ଛାଡ଼ିଦେବ ପୁଅ? ମୋର ଆଉ ଉପାୟ ନ ଥିଲା। ମୁଁ ଲୁହ ପୋଛି ଘର ତାଲା ମାରି ବାଇକ୍ ଷ୍ଟାର୍ଟ କଲି।

ଗାଡ଼ି ଚଳାଉଥିଲା ବେଳେ ରାସ୍ତାଟା ମୋତେ କାହିଁକି ଝାପ୍ସା ଝାପ୍ସା ଦିଶୁଥିଲା।

ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in

Similar oriya story from Fantasy