ଅରଣ୍ୟର ରୋଦନ
ଅରଣ୍ୟର ରୋଦନ




ପଞ୍ଚତିରିଶି ବର୍ଷର ଅରଣ୍ୟ,ଘର ଯଶପୁର, ଉଚ୍ଚତା ପାଞ୍ଚଫୁଟ ଦୁଇ ଇଞ୍ଚ, ମଧ୍ଯମ ସ୍ୱାସ୍ଥ୍ୟ,ରଙ୍ଗ ଅଳ୍ପ ଗୋରା, ମୁଣ୍ଡରେ ଛୋଟ ଛୋଟ ବାଳ,ଆଖିରେ ଆଜିକାଲିର ମୋଟା ଚଷମା,ଗୋଲ ମୁହଁରେ ଅଳ୍ପ ଅଳ୍ପ ନିଶ ଦାଢି, ନାକ ଛୋଟ ସହ ପତଳା ଓଠ। ତା'ର ସାନ ସାନ କଳା ଧୂସର ଆଖିଦୁଇଟିରୁ ଲୋକଟି ସରଳ, ନିଷ୍କପଟ,ସ୍ପର୍ଶକାତର ଆଉ ବଡ଼ ତୃଷାର୍ତ୍ତ ଦିଶେ,ଯେମିତି ଅହରହ ସେ କିଛି ଖୋଜୁଛି! ପୋଷାକ ଅଧିକାଂଶ ସମୟରେ ଖଦୀର ଛୋଟ କୁର୍ତ୍ତା ଆଉ ପ୍ୟାଣ୍ଟ୍। ତା'କୁ ଅଳ୍ପ ବହୁତ ଜାଣିଥିବା ଲୋକମାନଙ୍କ ମଧ୍ୟରୁ କିଏ କୁହେ, ସେ କାଳେ ଟିକେ ପାଗଳ ହେଲେ ଦରଦୀ ଆଉ ଭଲ ମଜାକିଆ ଲୋକଟିଏ,କିଏ କହେ ଭଲ ଆର୍ଟିଷ୍ଟ୍ ତାହା ସହ ଜ୍ଞାନୀ ଗୁଣୀ ବି ,କିଏ କହେ ଗେଡ଼ାଙ୍କୁ ବିଶ୍ୱାସ ନାହିଁଁ, ଶଳା ଚୁପ୍ ସୈତାନ୍ ଟା! ଆଉ କିଏ କହେ ଛୋଟ ସାପର ଭାରି ବିଷ ତ କିଏ କହେ ପୁଣି ଡାଇନାମାଇଟ୍!
ଗତ ଚାରିବର୍ଷ ଧରି ଉତ୍କଳ ଉତ୍କର୍ଷ ବିଦ୍ୟାଳୟ,ନିଶାପଡ଼ାର ଜଣେ ଚିତ୍ରକଳା ଶିକ୍ଷକ ଭାବେ ସେ କାର୍ଯ୍ୟରତ। ତା' ଘର ଯଶପୁରରୁ ନିଶାପଡ଼ା ପାଞ୍ଚଶହ କି.ମିରୁ ଅଧିକ ବାଟ ହେବ, ହେଲେ କ'ଣ କରିବ,ବଦଳି ପାଇଁଁ ଯେତେ ଦରଖାସ୍ତ ଦେଲେ କି ନେହୁରା ହେଲେ କିଏ ଶୁଣୁଛି?ମାଟ୍ରିକ ପରଠାରୁ ଘରୁ ବାହାରେ ୧୯ବର୍ଷ ବିତେଇଲାଣି,ତା ମଧ୍ୟରୁ ୧୨ବର୍ଷ ଓଡ଼ିଶା ବାହାରେ ଭାରତର ବିଭିନ୍ନ ସହରରେ ବିତିଛି।
କିଛି ତଥାକଥିତ ମହାନ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କଲାପରେ,ଦଶବର୍ଷରୁ ଉର୍ଦ୍ଧ୍ବକାଳ ବଡୋଦରା ଆଉ ଦିଲ୍ଲୀରେ କଳାକାର ଗୋଟେ ହେବାର ସ୍ୱପ୍ନ ନେଇ କଳା ଅଭ୍ୟାସ କରିଥିଲା,ସଚ୍ଚା କଳାର ସାଧନା ପାଇଁ କାଳେ "ସତ୍ଯର ଖଣ୍ଡା ଧାରରେ ଚାଲିବାକୁ ହୁଏ" ସେଥିପାଇଁ ଯେଉଁ ପୁରୁଷାର୍ଥର ପ୍ରୟୋଜନ ଅଛି ତା ପାଖରେ ନଥିଲା କି,ଭଣ୍ଡ ଆଉ ବେପାରୀ କଳାକାରଟିଏ ହେବାପାଇଁ ଯେଉଁ ସବୁ କଞ୍ଚାମାଲର ଆବଶ୍ୟକତା ଅଛି ତା'ପାଖରେ ସେସବୁର ବି ଘୋର ଅଭାବ ଥିଲା। ଶେଷରେ ଅନିଶ୍ଚିତତାର ଜ୍ୱାଳା ଅସହ୍ୟ ହେବାରୁ ହାର୍ ମାନି ଏକ ସୁରକ୍ଷିତ ଜୀବନ ବଞ୍ଚିବା ସକାଶେ ଓଡ଼ିଶାକୁ ଫେରି ଆସିଲା ସରକାରୀ ଚାକର ହେବାର ଲୋଭ ସମ୍ଭାଳି ନପାରି।
ଆଗରୁ ତା'ର ସ୍ୱପ୍ନ ଥିଲା, ଆର୍ଟ କଲେଜରେ ଅଧ୍ୟାପକ ହୋଇ ଓଡ଼ିଶାର କଳା କ୍ଷେତ୍ରରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିବ।ତା'ର ଏହି ଦକ୍ଷତା ଅଛି ବୋଲି ତା ନିଜର ଆଉ ତାକୁ ଭଲ ପାଉଥିବା,ପାଖରୁ ଜାଣିଥିବା କିଛି ଲୋକଙ୍କର ଦୃଢ଼ ବିଶ୍ୱାସ ଥିଲା।ତା' ଭଳି ଆହୁରି ଅନେକ ଏମିତି ନିଜକୁ କାଢୁଆ ଭାବୁଥିଲେ,ସବୁଠୁ ବଡ଼ କାଢୁଆ ଦ୍ୱୟ ଯେଉଁ ମାନେ ଗଳା ରାସ୍ତାରେ ଚୁଟିଆ ଆଉ ଗାତୁଆ ମୂଷାଙ୍କଠୁ ବି ବହୁଗୁଣରେ ଦକ୍ଷ, ଖାଲିଥିବା ଆସନ ଦ୍ଵୟକୁ ଅଚିରେ ଅଳଙ୍କୃତ କଲେ । ଅରଣ୍ୟକୁ ଯେମିତି ଲାଗିଲା,ବେଶ୍ୟାକୁ ପାଇବାକୁ ଯାଇ ନିଜର ପତିବ୍ରତା ସ୍ତ୍ରୀକୁ ହତାଦର କରିଛି, ଶେଷରେ ଲାଙ୍ଗୁଡ ଗୁଞ୍ଜି ନିଜ ଘରକୁ ଫେରିଆସିଲା ବ୍ଯର୍ଥ ମନୋରଥ ହୋଇ ଆଉ ମନଯୋଗ କଲା ଯାହା ଅଛି ତାକୁ ନେଇ ବଞ୍ଚିବାକୁ ।
ତିନି କି ଚାରିଟା ବର୍ଷ ପରେ,ଦିଲ୍ଲୀ ରହଣି ବେଳେ ଉତ୍କଳ ଉତ୍କର୍ଷ ବିଦ୍ୟାଳୟର ବିଜ୍ଞାପନ ପଢ଼ି ତା ଭିତରେ ଦ୍ୱନ୍ଦ ଆରମ୍ଭ ହୋଇଗଲା, ଦିଲ୍ଲୀ ତାକୁ ବଞ୍ଚିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେଉଥିଲା ହେଲେ ସେଠିକାର ଅପ୍ରାକୃତିକ ଆଉ ମୂଷା ଦୌଡ଼ ଜୀବନରେ ସେ ଅଣନିଃଶ୍ବାସୀ ଅନୁଭବ କରୁଥିଲା। ଗୋଟିଏ ପଟେ ତା'ର ସ୍ୱପ୍ନ ଯେଉଁଥିପାଇଁ ତାକୁ ସବୁକିଛି ବାଜି ଲଗାଇ ଅନିଶ୍ଚିତତାର ଅତଳ ଗଭୀରକୁ ଲମ୍ଫ ଦେବାକୁ ହେବ,ପହଁରା ନଜାଣି!ଆଉ ଗୋଟେ ପଟେ ଏକ ସୁରକ୍ଷିତ, ପ୍ରାକୃତିକ, ଶାନ୍ତିପ୍ରିୟ ଆଉ ଆରାମଦାୟକ ପ୍ରତୀତ ହେଉଥିବା ଜୀବନର ଲୋଭ ଓ ଆକର୍ଷଣ! ଶେଷରେ "ଆର୍ଟ ଟିଚର୍" ଏଇ ପରିଚୟର ମଙ୍ଗଳସୂତ୍ର ବେକରେ ପକାଇ ସେ ସରକାରୀ ଶିକ୍ଷା କଳର ଏକ ଶ୍ରମିକ ପାଲଟିଗଲା।
ଦିଲ୍ଲୀରୁ ସିଧା ନିଶାପଡ଼ା, ଭାବିଥିଲା ପ୍ରକୃତି ଆଉ ନିଷ୍ପାପ ସରଳ ପିଲାଙ୍କ ଗହଣରେ ରହି ସେ ପିଲାଙ୍କସହ ମିଶି କଳା ଶିକ୍ଷା ଆଉ ସାଧନାରେ ବ୍ରତୀ ହେବ। ହେଲେ ଧିରେ ଧିରେ ଭିତରେ ରହି ଅନୁଭବ କଲା,ଶିକ୍ଷାର ମୂଳ ଲକ୍ଷ୍ୟ ଆଉ ମଣିଷ ଗଢ଼ିବା ନୁହେଁ ବରଂ ସଂବେଦନାଶୂନ୍ଯ ରୋବଟ୍ ଗଢ଼ିବା ଆଉ ଏଇ ମିଶନରେ ସରକାର,ଶିକ୍ଷା ବ୍ୟବସ୍ଥା, ଅଭିଭାବକ ଶିକ୍ଷକ ଓ ଶିକ୍ଷୟିତ୍ରୀଗଣ ସଭିଏଁ ମାତିଛନ୍ତି କିଏ ମନପ୍ରାଣ ଦେଇତ, କିଏ ବାଧ୍ୟ, ନିରୁପାୟ ଆଉ ଅସହାୟ ହୋଇ।
ଯେମିତିବି ହେଉ ବଜାର ଚାହିଦାକୁ ନେଇ ଅମୂଲ୍ୟ ହୀରାସବୁକୁ ମୂଲ୍ୟହୀନ ପାଷାଣ,ଧାନକୁ ଅଗାଡି, ତୁଳସୀକୁ ବିଛୁଆତି ଆଉ ଫୁଲକୁ କଣ୍ଟାରେ ରୂପାନ୍ତର କରିବାକୁ ହେବ, ଆଉ ତା'ଜାଣ ଅଜାଣତରେ ସେ ନିଜେବି ଧିରେ ଧିରେ ଯେମିତି ଏକ ଦକ୍ଷ ଦଲାଲ୍ ପାଲଟିଗଲାଣି ଏଇ ଅଭିଯାନରେ।
ଏଭଳି ଏକ ପରିବେଶରେ କଳାଶିକ୍ଷାର ମହତ୍ତ୍ଵ ,ସୁଅ ମୁହଁରେ ପଥର ସଦୃଶ୍ୟ। କ'ଣ ସେ କରିପାରିବ? ମୁହଁ ଖୋଲିଲେ ସାତ ପାଞ୍ଜିରୁ ଯିବ,ଯେମିତି ଚାଲୁଛି ଚାଲୁଥାଉ,ଦରମା ଗଣ୍ଡେ ମିଳୁଛି ତାକୁ ଖାଇ ରହ! ହେଲେ ଏଭଳି ଅସହାୟ ବୋଧ ତାକୁ ଧିରେ ଧିରେ ନିର୍ଜୀବ କରିଦିଏ,ଚମଡ଼ା ସବୁ ତାର ଯେମିତି ଗୋଦରା ହେଇ ହେଇ ଯାଏ।ସେ ଏବେ ବୁଝି ପାରୁଛି, କାହିଁକି ସରକାରୀ ଚାକିରିଆ ଗୁଡ଼ିକ ଭାରି ନିସ୍ତେଜ ଆଉ ଦରମଲା ଦେଖା ଯାଆନ୍ତି।
ରାତିରେ ଶୋଇଲା ବେଳେ ଚିନ୍ତାକରେ,ଏଇମିତି ଦିନେ ସେ ସବୁଦିନ ପାଇଁ ଶୋଇଯିବ ଆଉ କେବେ ତା ପାଇଁ ସୂର୍ଯ୍ୟୋଦୟ ହେବନି।ଏବେ ଯଦି,ଏ ଦେହକୁ ପ୍ରାଣ ଛାଡ଼େ ତେବେ ଅତି କମରେ ଦୁଇ ଦିନ ଯାଏଁ ତାର ଶବ ପଡ଼ିରହିବ,କେହି ଆସିବେନି ତାକୁ ଖୋଜିବାକୁ।ଫୋନ୍ ରେ ଚାର୍ଜ ସରି ସୁଇଚ୍ ଅଫ୍ ହେଇ ଯାଇଥିବ ତେଣୁ ବୋଉବାପା,ସ୍ତ୍ରୀ କି ଭାଇମାନେ ଫୋନ୍ କଲେ ସୁଇଚ୍ ଅଫ୍ ପାଇ ଭାବିବେ,ଧେତ୍ ପାଗଳଟା କ'ଣ କରୁଥିବ, ତା ମନ ହେଲେ ଆପେ ସେ ଫୋନ୍ କରିବ। ନବ ବିବାହିତା ସ୍ତ୍ରୀଟା ହୁଏତ ଟିକେ ଅଧିକ ବ୍ୟସ୍ତ ହେବ।ସାଙ୍ଗସାଥୀ କି ସହକର୍ମୀମାନଙ୍କ ମଧ୍ୟରୁ ଜଣେ ଦୁଇଜଣ କିଏ ଥରୁଟିଏ ଫୋନ୍ କରି ନିଜନିଜ କାମରେ ବ୍ୟସ୍ତ ରହିଯିବେ।
ଘରମାଲିକର ଘରୁ କ୍ଵଚିତ୍ କେବେ କିଏ ଏଠାକୁ ଆସନ୍ତି ଆଉ ଅତି ଜରୁରୀ କାମ ଥିଲେ ଆସି ପଚାରନ୍ତି ତେଣୁ ସେମାନେ ଭାବିବେ ଭିତରେ ସେ ଅଛି କି ଶୋଇଥିବ,ହୁଏତ ଏଇମିତି ଗୋଟିଏ ସପ୍ତାହ ପଳେଇ ଯାଇପାରେ।ପ୍ରଥମେ ତା'ର ବାପାବୋଉ ଆଉ ସ୍ତ୍ରୀ ବାରମ୍ବାର ଫୋନ୍ ଲଗାଇ,ସୁଇଚ୍ ଅଫ୍ ପାଇ ବ୍ୟସ୍ତ ହେବେ,ତାପରେ ହୁଏତ ଖୋଜାଖୋଜି ଆରମ୍ଭ ହେବ,ଏଠାକାର କାହାର କଣ୍ଟାକ୍ଟ ନମ୍ବର ତ ନାହିଁ ତେଣୁ ଖୋଜାଖୋଜି କରି ଆହୁରି ସପ୍ତାହେ ଗଡିଯାଇପାରେ ତା' ମୃତ ଦେହର ସନ୍ଧାନ ପାଇବା ପାଇଁ।
ଆମ୍ବୁଲାନ୍ସ,ପୋଲିସ୍ ଗାଡ଼ିର ହର୍ଣ୍ଣ ଆଉ ଲୋକଙ୍କ କୋଳାହଳରେ ଅଚାନକ ହଇଚଇ ମଚିଯିବ! ନାନାଦି କଳ୍ପନା ଜଳ୍ପନା ସହ ହୋହାଲ୍ଲା କିଛି ସମୟ ଲାଗିରହିବ।ସଢା ଦେହର ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।ସ୍କୁଲ ଗୋଟେ ଦିନ ଛୁଟିହେବ,କି କିଛି ସମୟ ନୀରବ ପ୍ରାର୍ଥନା, ଗୋଟେ ଦୁଇଟା ମ୍ଯାଡମ୍ ଆଉ କିଛି ପିଲା ମୁଖ୍ୟତଃ ଝିଅଛୁଆଙ୍କ ଆଖିରୁ ଲୁହ ଦୁଇ ଚାରି ଧାର ଝରିଯାଇ ପାରେ।
ସେ ଯେ ବହୁତ ଭଲ ଲୋକଟିଏ ଥିଲା,ଅନୁଭବରୁ କମ୍ ଅଧିକ ମନଗଢା କଥା କହି କିଛି ଲୋକ ପ୍ରମାଣ କରିବାକୁ ଚାହିଁବେ ଯେ,କେତେ ଦରଦୀ ଆଉ ତା'ର ନିଜର ସେମାନେ ଥିଲେ। WhatsApp ଆଉ Facebookରେ କିଛିଦିନ ତାର କିଛି ଫଟୋ ଘୂରିବୁଲିବ ଆଉ ତା'ର ସଢ଼ା ଦେହର ଛବିଟି ଅଧିକ ସମବେଦନା ସାଉଁଟିବା ସହ ଖୁବ୍ ଆଦୃତ ହେବ।
ଏକ ଏକାନ୍ତ, ନିସଙ୍ଗ ଆଉ ଜନବସତିଠୁ ଦୂରରେ କ୍ଷେତ ଆଉ ଜଙ୍ଗଲ ଭିତରେ ଗୋଟେ ଲୋକ କେମିତି ମଲା? ଏଇ ଜିଜ୍ଞାସା ନାନା କାହାଣୀ ସୃଷ୍ଟି କରିବ।କିଏ କହିବ ସଳାଟା କି ପାପ କରିଥିଲା କେଜାଣି? ମରିକି ପଚିଲା ସପ୍ତାହେ,କେହି ଜାଣି ପାରିଲେନି ! ମଲା ବେଳେ ପାଣି ଟିକେବି ପାଇଲାନି! କିଏ କହିବ,ସ୍ତ୍ରୀଟା ତା'ର ଅଲକ୍ଷଣୀ ଆସୁ ଆସୁ ସ୍ୱାମୀକୁ ଖାଇଲା !
କିଏ କହିବେ,ସେ ଶଳାର ସେଠି କାହା ସହ ଚକ୍କର ଚାଲିଥିଲା ସ୍ତ୍ରୀ ଜାଣିବା ପରେ ସ୍ୱାମୀ ସ୍ତ୍ରୀ ଆଉ ପରିବାର ଭିତରେ ଖୁବ୍ ଗଣ୍ଡଗୋଳ ଚାଲିଥିଲା,ଟୋକାଟା ଶେଷରେ ଆତ୍ମହତ୍ୟା କଲା ! କିଏ କହିବ ନାଁ ନାଁ ସେ ଏମିତି ପିଲା ନୁହଁ, ତା ସ୍ତ୍ରୀଟା ଦୁଶ୍ଚରିତ୍ରା ! ଆଉ କାହା ସହ ନାରେ ନାରେ କରୁଥିଲା,ଜାଣିଲା ପରେ ବିଚରାଟା ସହି ନପାରି ଜୀବନ ଦେଲା ! ଆଉ କିଛି ପୁରୁଷଙ୍କୁ ତା' ସ୍ତ୍ରୀଟା ଆଗ ଅପେକ୍ଷା ଅଧିକ ସୁନ୍ଦରୀ ଆଉ ସେକ୍ସି ଲାଗିବ ! ଏଇମିତି କିଛିଦିନ ତାର ରହସ୍ୟମୟ ମୃତ୍ୟୁର ସମାଚାର ଲୋକଙ୍କୁ ଆଲୋଚନା ଆଉ ଖଟ୍ଟିର ଖୋରାକ ଯୋଗାଇ ଦେବ।
ଏପଟେ ତା'ର ସ୍ୱଳ୍ପ ପ୍ରିୟ ବନ୍ଧୁଙ୍କୁ ଖବରଟି ସ୍ତବ୍ଧ କରିଦେବ,ତାଙ୍କ ଦୈନନ୍ଦିନ ଜୀବନରେ କିଛିଦିନ ପାଇଁ ଏକ ଅସ୍ବାଭାବିକ ମାହୋଲ ସୃଷ୍ଟି କରିପାରେ,ସେମାନେ ପ୍ରଥମେ କିଛି ସମୟ ନୀରବ ଆଉ ଶୋକାତୁର ରହି ଧିରେ ଧିରେ ତାଙ୍କର ଭଲପାଇବାକୁ ପ୍ରକାଶ କରିବେ।ତାଙ୍କ ଆଖିରେ ସେ ଆଗ ଅପେକ୍ଷା ଅଧିକ ମହାନ ହୋଇ ଉଠିବ ଆଉ ତା'ର ଭଲଗୁଣ ସବୁ ଅଧିକ ଚକ୍ ଚକ୍ କରିବ।
ସବୁଠୁ ବଡ଼ କ୍ଷତି ସହିବ ତା'ର ପରିବାର, ମୁଖ୍ୟତଃ ତା'ର ବାପାବୋଉ ଆଉ ସ୍ତ୍ରୀ,ଏମାନେ ସବୁଠୁ ଅଧିକ କାନ୍ଦିବେ, ବାପାମାଆଙ୍କର ଭେଣ୍ଡିଆ ପୁଅକୁ ହରାଇବା ଦୁଃଖଟି ସବୁଠୁ ବଡ଼! କିଛି ଦିନ ଘରେ ଚୁଲି ଜଳିବନି,ପରିସ୍ଥିତି ସ୍ବାଭାବିକ ହେବାକୁ ଟିକେ ଅଧିକ ସମୟ ଲାଗିଯିବ।ସ୍ତ୍ରୀଟା ତା'ର କିଛି ମାସ କାନ୍ଦିବ,ଧିରେ ଧିରେ ଲୁହ ହୃଦୟ ଭିତରେ ଜମାଟ ବାନ୍ଧିବ ଉପରକୁ ପରିସ୍ଥିତି ସ୍ବାଭାବିକ ହେଇଉଠିବ।ଘରେ ତା'ର ଆଉ କେଉଁଠି ଆଉଥରେ ବାହାଘର କରେଇ ଦେବେ,ହୁଏତ ସେ ନିଜେ କାହାକୁ ଭଲପାଇ ବାହା ହୋଇପାରେ କିମ୍ବା ସାରାଜୀବନ ଏକା ରହିବାକୁ ସ୍ଥିର କରିପାରେ ।
ଏଇମିତି ସମୟ ଗଡ଼ି ଚାଲିବ,ତାକୁ ସ୍ମୃତିରେ ସାଇତି ରଖିଥିବା ଘନିଷ୍ଠ ଲୋକଙ୍କ ଅନ୍ତେ ତା'ର ବି ଚିହ୍ନବର୍ଣ୍ଣ ସମ୍ପୂର୍ଣ୍ଣ ବିଲୟ ହେବ।ସେ ଆଙ୍କିଥିବା ଚିତ୍ରସବୁ ମାଟିରେ ମିଶିବ କିମ୍ବା କିଛି ବନ୍ଧୁ ଆଉ ପରିବାରର ପ୍ରୟାସରେ ତାର ଏକକ ପ୍ରଦର୍ଶନୀଟିଏ ହେବ,କିଛି ଲୋକ ଆସି ବାଃ ବାଃ କହିବେ,ଆଉ କିଛି ଲୋକ ନାକ ଟେକିବେ,ହେଲେ ସର୍ବ ସମ୍ମୁଖରେ ମିଛ ପ୍ରଶଂସା କରିବେ।ଏଇମିତି ହେଇପାରେ,ସେ ଓଡ଼ିଶାର ଅତିବେଶୀରେ ଭାରତର ଏକ ଛୋଟ କାଟିଆ କିମ୍ବା ଜଣେ ଭଲ ଚିତ୍ରକର ଗଣତିରେ ଆସିଯିବ।
ତା' ଡାଏରୀର ଲେଖାକୁ ସମ୍ମିଳିତ କରି କିଛି ଖଣ୍ଡ ବହି ବାହାରି ପାରେ,ସେତିକିରେ ସେ ଏକ ଲେଖକର ପରିଚୟ ମଧ୍ୟ ପାଇପାରେ।ହେଲେ, ତା' ପାଇଁ ଏସବୁର ଆଉ କିଛି ମାନେ ନଥିବ। ରାମ ରାବଣଙ୍କ ମୃତ୍ୟୁ ପରେ ଲୋକ ଯଦି ରାମକୁ ରାବଣ କି ରାବଣକୁ ରାମ କହିଲେ ଏଥିରେ ସେମାନଙ୍କର କି ଯାଏ ଆସେ? ତେଣୁ ତାର ମୃତ୍ୟୁ ପରେ ତାର କ'ଣ ହେବ ସେ କେବେ ଜାଣି ପାରିବ ନାହିଁ,ଜାଣିବାର ସମ୍ଭାବନା ଥିଲେ ବି ତାର କିଛି କରିବାର ସାମର୍ଥ୍ୟ ନଥିବ। ଯଦି ବା ଥିବ ଏହାର କିଛି ପ୍ରମାଣ ନାହିଁ ତେଣୁ ଏସବୁ ଅଯଥା ଆଉ ବ୍ୟର୍ଥ କଳ୍ପନା ମାତ୍ର।
ମୃତ୍ୟୁ କେବେବି ଆସିପାରେ,ଏହାପରେ ତା' ପାଇଁ ଏ ସଂସାରରବି ଅନ୍ତ ଘଟିବ,ସେ ବଂଚିଛି ତେଣୁ ତା' ଲାଗି ଏ ସଂସାର ଅଛି।ସେ ଦେଖୁଥିବା,ବଂଚୁଥିବା ଆଉ ଅନୁଭବ କରୁଥିବା ସଂସାର ତା' ଜାଣ ଅଜାଣତରେ ଯେମିତି ଅହରହ ନିଜର କାମନା,ଆକାଂକ୍ଷା ଆଉ ଅଭିଳାଷରୁ ଜନ୍ମିଥିବା ବିଷର ମହାଦ୍ରୁମ ସବୁ। ତା'ର ଭୟର କାରଣ ଏଇଠି,ସେ ଗଲାପରେ ତା'ର ତଥାକଥିତ ମିଛ ବିଶାଳ ସାମ୍ରାଜ୍ୟର କ'ଣ ହେବ? ତା'ର କେହିତ ଦାୟାଦ ନାହାନ୍ତି!ଏଇଠି ସନ୍ତାନ ପ୍ରାପ୍ତି ପ୍ରତି ଭୀଷଣ ଲାଳସାର ବୀଜଟି ରହିଛି,ପୁୁଣି ତାକୁ ମହାପରାକ୍ରମୀ କରିବାର ଅଦମ୍ୟ ଆଗ୍ରହ। କୁଳାଙ୍ଗାର ପୁଅ ଠାରୁ ପୁତ୍ର ହୀନତା
ଶ୍ରେୟସ୍କର।
- ଦୀର୍ଘ ନିଶ୍ଵାସଟିଏ ଛାଡ଼ି, ଚିନ୍ତାର ଧାରା ବଦଳାଇ ଭାବେ ,ଏବେ ସେ ବଞ୍ଚିଛି , ଏଇଠି ଅଛି !ଏହା ଛଡ଼ା, ତା'ର ଅତୀତ , ଭବିଷ୍ୟତ ପୁଣି ତାର ଭୟ,ଆଶଙ୍କ ଆଉ ଉଦ୍ବେଗର ଅସ୍ତିତ୍ବ କେବଳ ତା' ମନରେ। ଏଇ ପଞ୍ଚତିରିଶି ବର୍ଷ ମଧ୍ୟରେ ସେ ନିଜକୁ ଆଦରି ପାରିଲା ନାହିଁ,ଯାହା ଅଛି ତାକୁ ନେଇ ବଞ୍ଚିବା ଶିଖି ପାରିଲାନି , ପିଲାବେଳଠୁଁ ଆଜିଯାଏଁ ସେ ନିଜ ଦୁନିଆରେ ବଞ୍ଚି ଆସିଛି ଆଉ ନିଜ କଥା କେବଳ ଚିନ୍ତା କରିଛି , ତା' ନିଜର ସ୍ୱପ୍ନ , ହାର୍ ଜିତ୍ ଆଉ ହାନିଲାଭ।
ସେ ଚାହୁଁଥିଲା , ଏକାଧାରରେ ଜଣେ ମହାନ କଳାକାର , ଲେଖକ ଆଉ ଦାର୍ଶନିକଟିଏ ହେବ।ହେବାକୁ କିଏ ଅଟକାଉଛି ? ଏ ସମାଜର ବ୍ୟବସ୍ଥା , ପରିବେଶ ନା ପରିସ୍ଥିତି ? ନିଶ୍ଚିତ ରୂପେ ଏସବୁ ବ୍ଯର୍ଥ ବିଚାର ଆଉ ସ୍ୱପ୍ନ ପାଇଁ ତାକୁ ମିଳିଥିବା କୁଶିକ୍ଷାର ଆଂଶିକ ଭାଗ ଅଛି କିନ୍ତୁ ଅଧିକାଂଶ ପାଇଁ ସେ ନିଜେ ହିଁ ଦାୟୀ। ନିଜର ଅଜ୍ଞାନତାକୁ ନିଜେ ହିଁ ଦୂର କରିବାକୁ ହେବ , ଅଜ୍ଞାନତାର ଅନ୍ଧକାରରୁ ଯିଏ ନିଜକୁ ମୁକ୍ତ କରି ନପାରିଛି ସେ ସମାଜକୁ କି ଦିଗ୍ ଦର୍ଶନ ଦେବ ? ଆଉ ଯଦି ବା ତାକୁ କ୍ଷମତା ମିଳି ଯାଇଥାନ୍ତା ତେବେ କେତେଯେ ପ୍ରଳୟ ସେ ଘଟାଇଥାଆନ୍ତା ତାହା କଳ୍ପନା ବାହାରେ! ସତରେ ଜାଣି ଘୋଡ଼ାର ଶିଙ୍ଗ ନାହିଁ , ଭଗବାନ ଯାହାବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।
ଭଗବାନଙ୍କ ବିଚାର ତା' ଅଶାନ୍ତ ମନରେ ଟିକିଏ ସ୍ଥିରତା ଆଣିଲା , ତା'ର ବିଶ୍ୱାସ ହେଲାକି, ତାଙ୍କ କରୁଣାର ଦୃଷ୍ଟି ନିଶ୍ଚୟ ଅଛି। ଭଗବାନ ତାକୁ ଛୋଟ ନୀର୍ବଳ ଦେହଟିଏ ଆଉ ସ୍ଥାନଟିଏ ଦେଇ ଜୀବନର ଯେଉଁ ମହତ୍ ଶିକ୍ଷା ଦେବାକୁ ଚାହୁଁଛନ୍ତି ତାକୁ ଶିଖି ପାରିଲେ ଏଥିରେ ତା'ର ଆଉ ସମାଜର ଅଶେଷ ମଙ୍ଗଳ ହେବ। ପୁଣି ଏକ ଦୀର୍ଘ ନିଃଶ୍ବାସ ! ସମୟ ଦେଖିଲା , ରାତି ଦୁଇଟା ପରେ ! କାଲିଠାରୁ ଏକ ନୂଆ ଜୀବନ ଆରମ୍ଭର ଆଶାନେଇ ଅରଣ୍ୟ ଶୋଇବାକୁ ଚେଷ୍ଟାକଲା।