ହଜିଯାଇଥିବା ପ୍ରତିଭା
ହଜିଯାଇଥିବା ପ୍ରତିଭା
ଦୌଡ଼ି ଦୌଡ଼ି କିଛି ବାଟ ଗଲାପରେ ବୁଗୁଲାର ପାଦ ଦୁଇଟି ଆପେ ଆପେ ଉପରକୁ ଉଠିଯାଏ , ଦେହ ତା'ର ହାଲୁକା ହୋଇଯାଏ , ସେ ସିଧା ହୋଇ ଠିଆ ହୋଇ ପାରେନି କାରଣ ପବନ ତା'ର ଗୋଡ଼ ଦୁଇଟିକୁ ପଛପଟୁ ଉପରକୁ ଠେଲୁଥାଏ । ସେ ଯେତେ ଚେଷ୍ଟା କଲେ ବି ପାଦ ତା'ର ଆଉ ଭୁଇଁରେ ଲାଗେନି ତା'ପରେ ସେ ରାମାୟଣ ସିରିଏଲ୍ ର ହନୁମାନ ପରି ଆକାଶରେ ଉଡ଼ିବାକୁ ଲାଗେ । ଏଇ ଉଡ଼ିବାଟା ତା'ପାଇଁ ଅତି ସାଧାରଣ କଥା ଥିଲା ଏଥିରେ ତାକୁ ବିଶେଷ ଯୋର୍ ଲଗାଇବାକୁ ପଡୁନଥିଲା । ସ୍ୱତଃପ୍ରବୃତ ବା ଆପେ ଆପେ ହୋଇଯାଏ । ତାକୁ ଲାଗେ ଗାଁର ତା'ର ସବୁ ସାଙ୍ଗ ତା'ଭଳି ସ୍ୱଚ୍ଛନ୍ଦରେ ଉଡ଼ିପାରିବେ । ସେ ସେମାନଙ୍କୁ ବହୁବାର ସାଙ୍ଗରେ ନେଇ ଖୋଲା ପଡ଼ିଆକୁ ଯାଇଛି ହେଲେ ଯେତେ ବୁଝାଇଲେ ବି କି ତୁମେ ମୋ ଭଳି ଆରାମରେ ଉଡ଼ିପାରିବ , ହେଇ ଦେଖ ! ଏଇମିତି ଦୌଡ଼ି ଦୌଡ଼ି ଟିକିଏ ଡେଇଁ ପଡ଼ିଲେ ହେଲା ...। ହେଲେ ସେମାନଙ୍କୁ ବହୁବାର ଉଡ଼ି ଦେଖାଇଲେ ପରେ ବି ସେମାନେ ତା'ଭଳି ଉଡ଼ି ପାରନ୍ତି ନାହିଁ । ଏତେ ସହଜ କାମଟିଏ ତା ସାଙ୍ଗ ମାନେ କାହିଁକି କରି ପାରନ୍ତି ନାହିଁ ? ସେ ଯେତେ ଚେଷ୍ଟା କଲେ ବି ଏହାର ରହସ୍ୟ ଖୋଜିପାଏନି । ବିଲକୁଲ୍ ବୁଝିପାରେନି କି ତା'ର ଏ ଉଡ଼ିବା ଦକ୍ଷତାକୁ କାହିଁକି କେହି ଏକ ଅସାଧାରଣ ଶକ୍ତି ବୋଲି ଭାବନ୍ତି ନାହିଁ ?
ଯେବେ ବି ବୁଗୁଲା ସ୍କୁଲରୁ ଘରକୁ ଜଲଦି ଜଲଦି ଫେରେ ବା ସ୍କୁଲ ଯିବାରେ ବିଳମ୍ବ ହୋଇଯାଏ ତେବେ ସାଙ୍ଗମାନଙ୍କ ପାଖରେ ପହଞ୍ଚିବା ପାଇଁ ଟିକିଏ ଜୋର୍ ଜୋରରେ ଚାଲିବା ମାତ୍ରେ ତା'ର ପାଦ ଦୁଇଟି ଆପେ ଆପେ ଭୁଇଁରୁ ଉପରକୁ ଉଠିଯାଏ , ସେ ଉଡ଼ିବାକୁ ଚାହୁଁ ନଥିଲେ ବି ଉଡ଼ିବାକୁ ଲାଗେ । ଉପରକୁ ଉପରକୁ ଉଠିଯାଏ ଘରଦ୍ୱାର ଗଛଲତା , ନଈନାଳ , ପାହାଡ଼ ପର୍ବତ ସବୁ ତଳେ ରହିଯାଆନ୍ତି ଆଉ ସେ ପକ୍ଷୀ ମାନଙ୍କ ସହ ଆକାଶରେ ବାଦଲକୁ ଛୁଇଁ ଉଡ଼ିବାକୁ ଲାଗେ । ପ୍ରଥମେ ପ୍ରଥମେ ସେ ନିଜ ଉଡ଼ିବାର ଗତିକୁ ନିୟନ୍ତ୍ରଣ କରିପାରୁନଥିଲା ଧିରେ ଧିରେ ସେ ଜାଣିଲା କି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସେ ଯେତେ ବ୍ୟସ୍ତ ହୁଏ ସେତେ ଦ୍ରୁତ ଗତିରେ ଉଡ଼ିବାକୁ ଲାଗେ । ଯେତେ ସେ ମନକୁ ଶାନ୍ତ ରଖେ ସେତେ ଧିରେଧିରେ ଉଡ଼େ । ଏହି ଉଡ଼ିବାର ଗତିଟି ତା'ର ମନର ସ୍ଥିତି ଉପରେ ନିର୍ଭର କରେ । ବିନା କୌଣସି ଦୁର୍ଘଟଣାରେ ଉଡ଼ିବାକୁ ହେଲେ ନିଜ ମନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆଣିବାକୁ ହୁଏ । ଟିକିଏ ମନଟି ଅମାନିଆ ହେଲେ ବା କୌଣସି ଗଛ କି ଘର ଆଡ଼କୁ ଆକର୍ଷିତ ହୋଇଗଲେ ଦେହଟି ସେହି ଆଡ଼କୁ ଟାଣି ହୋଇ ନିୟନ୍ତ୍ରଣ ହରାଇ ବାଡ଼େଇ ହୁଏ । କିନ୍ତୁ ଆଶ୍ଚର୍ଯ୍ୟ ! ତା'ର କିଛି ବି କ୍ଷତି ହୁଏନି କେଉଁଠି ଟିକିଏ ବି ଆଘାତ ଲାଗେନି କି ତା'ର ପୋଷାକ ଚିରେନି !
ଥରେ ସେ ଉଡ଼ିବୁଲୁଥିବା ସମୟରେ , ତାଙ୍କ ଗାଁ ପୋଖରୀ କୂଳରେ ଥିବା ବିଜୁଳି ଖୁଣ୍ଟରେ ଦୁଇଟି ହଳଦି ବସନ୍ତ ଚଢ଼େଇ ବସିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲା ! ଆରେ ଦୁଇ ଦୁଇଟା ହଳଦି ବସନ୍ତ ! ଆଜି ଦିନଟା ତ ବହୁତ ଶୁଭ ! ଏତିକି ଚିନ୍ତା କରିଛି କି ନାହିଁ ଅନୋଉ ଅନୋଉ ଚଢ଼େଇ ଦୁଇଟି ବସିଥିବା ବିଜୁଳି ତାର ଆଡ଼କୁ ଅଜାଣତରେ ସେ ଟାଣି ହୋଇ ଗଲା । ବିଚ
ାରା ଚଢ଼େଇ ଦୁଇଟି ପ୍ରାଣ ଭୟରେ ଫଡ଼ଫାଡ଼୍ ଉଡ଼ିକି ପଳେଇଲେ ! ତାକୁ ଲାଗିଲା ଆଜି ତା'ର ଶେଷ ଦିନ , ଭୟ ଆଉ ଆତଙ୍କରେ ସେ ଆଖି ବୁଜି ଦେଲା । ଯେମିତି ତାରରେ ବାଡ଼େଇ ହେଇଛି ନିଆଁ ଝୁଲ ସବୁ ଏଣେ ତେଣେ ବିଛୁରି ହୋଇ ପଡ଼ିଲା ଆଉ ସେ ଗୋଟିଏ ଝଟକା ଖାଇ ଫୋପାଡ଼ି ହୋଇ କିଛି ଦୂରରେ ପଡ଼ିଲା , କିନ୍ତୁ ଆଶ୍ଚର୍ଯ୍ୟ ତା'ର କିଛି ବି କ୍ଷତି ହେଲାନି !
କେହି ଜାଣନ୍ତୁ ନଜାଣନ୍ତୁ ସେ କିନ୍ତୁ ଧିରେ ଧିରେ ବୁଝିଗଲା କି ତା'ର ଉଡ଼ିବା ପୁଣି ପାହାଡ଼ରେ , ବଡ଼ ବଡ଼ କୋଠାରେ , ଗଛରେ ଆଉ ବିଜୁଳି ତାର ସହ ବାଡ଼େଇ ହୋଇ ବି ତା'ର କିଛି କ୍ଷତି ନହେବା ମାନେ ତା'ମଧ୍ଯରେ ଏକ ସୁପର୍ ପାୱାର ବା ଅତି ଶକ୍ତି ଅଛି ଯାହା ଅନ୍ୟମାନଙ୍କ ପାଖରେ ନାହିଁ । ହଁ ସମସ୍ତଙ୍କ ପାଖରେ କିଛି ନା କିଛି ସୁପର୍ ପାୱାର ନିଶ୍ଚିତ ଅଛି ହେଲେ ସଭିଏଁ ତାକୁ ଚିହ୍ନି ପାରନ୍ତି ନାହିଁ । ଯେତେବେଳେ ତୁମେ ନିଜେ ନିଜକୁ ନ ଚିହ୍ନିଛ ବାହାରର ଲୋକେ ତୁମକୁ କେମିତି ଚିହ୍ନିବେ ? କିଛି ଲୋକ ତ ଜାଣିଶୁଣି ଈର୍ଷା ପରାୟଣ ହୋଇ ଅନ୍ୟକୁ ପ୍ରଶଂସା କରିବାକୁ କୃପଣତା କରନ୍ତି । ଏମିତି ବ୍ୟବହାର କରନ୍ତି ଯେମିତି କି ତୁମେ କିଛି ବି ନୁହେଁ ବା ତୁମ ପ୍ରତିଭାଟି ଅତିବ ସାଧାରଣ କଥା । ଏଇଥି ପାଇଁ କି ତା'ର ସାଙ୍ଗମାନଙ୍କ ମଧ୍ୟରୁ କେହି ବି ଜଣେ ତା'ର ଏହି ଅତିମାନବ ଶକ୍ତିକୁ ଚିହ୍ନି ପାରିଲେ ନାହିଁ ? କଥାରେ ଅଛି ପରା " ଗୁଣ ଚିହ୍ନେ ଗୁଣିଆ " ଅନ୍ୟର ଗୁଣକୁ ବା ପ୍ରତିଭାକୁ ଚିହ୍ନିବା ବି ଏକ ବଡ଼ ପ୍ରତିଭା ଯାହା ସଭିଙ୍କ ପାଖରେ ନଥାଏ । ଏ ଗୁଣଟି ଥାଏ ପିତାମାତାଙ୍କ ପାଖରେ ଆଉ ମୁଖ୍ୟତଃ ପ୍ରକୃତ ଗୁରୁଙ୍କ ପାଖରେ । ପିତାମାତା ଅନେକ ସମୟରେ ନିଜ ପିଲାର ପ୍ରକୃତ ପ୍ରତିଭା ଜାଣିବା ସତ୍ୱେ ବି ନିଜ ଆର୍ଥିକ ସାମାଜିକ ଚାପ ଯୋଗୁଁ ଆଉ ପିଲାଟିର ଭବିଷ୍ୟତକୁ ସୁରକ୍ଷିତ କରିବା ଅଭିପ୍ରାୟରେ ଇଚ୍ଛା ଥାଇ ବି ପ୍ରୋତ୍ସାହିତ କରିପାରନ୍ତି ନାହିଁ । କିନ୍ତୁ ପ୍ରକୃତ ଗୁରୁଙ୍କ ପାଖରେ ଥାଏ ଏକ ଐଶ୍ୱରୀୟ ଶକ୍ତି ଆଉ ଏ ଶକ୍ତିର ଆଲୋକରେ ସେ ଶିଷ୍ୟର ଅନ୍ତରରେ ଥିବା ଅଜ୍ଞାନଜନିତ ଅନ୍ଧକାରକୁ ଦୂର କରି ତା'ର ପ୍ରକୃତ ପ୍ରତିଭାକୁ ଉଦ୍ଭାସିତ କରିପାରନ୍ତି ।
ବୁଗୁଲାର ଏହି ଉଡ଼ିବା କ୍ଷମତାଟି ବା ସୁପର୍ ପାୱାର ଟି ପ୍ରକୃତରେ ତା'ର ପିଲାବେଳେ ଆଉ କିଶୋର ଅବସ୍ଥାରେ ବାରମ୍ବାର ଦେଖୁଥିବା ଗୋଟିଏ ସ୍ୱପ୍ନ ମାତ୍ର । ଏ ସ୍ୱପ୍ନଟି ତାକୁ ଏତେ ବାସ୍ତବ ଲାଗେ ଯେ ନିଦ ଭାଙ୍ଗିବାର ବହୁ ସମୟ ପରେ ବି ସେ ବିଶ୍ୱାସ କରିପାରେନି କି ଏସବୁ କେବଳ ସ୍ୱପ୍ନଟିଏ ଥିଲା । ସ୍ୱପ୍ନ ପଛରେ ସତରେ କ'ଣ କିଛି ସାଙ୍କେତିକ ଅର୍ଥ ଥାଏ ନାଁ ସ୍ୱପ୍ନ କେବଳ ସ୍ୱପ୍ନ ଆଉ ଅବାସ୍ତବ ? ଏବେ ବି ଏକାନ୍ତରେ ପିଲାବେଳର ସେ ସ୍ୱପ୍ନ ବିଷୟରେ ଚିନ୍ତା କରେ । ଏହା ଭିତରେ ବହୁ ବର୍ଷ ବିତିଗଲାଣି ସେ ଆଉ କେବେ ବି ସେ ସ୍ୱପ୍ନ ଦେଖିନି । ସତରେ କ'ଣ ତା ପାଖରେ କିଛି ସୁପର୍ ପାୱାର୍ ଥିଲା ବା ଏବେ ବି ହୃଦୟରେ କେଉଁ କୋଣରେ ଲୁକ୍କାୟିତ ଅଛି ? ଏଇଥି ପାଇଁ କି ତାକୁ ସଦାସର୍ବଦା କିଛି ଗୋଟାଏ ହଜାଇ ଦେଲା ଭଳି ଲାଗେ ଆଉ ଏବେ ବି ତା ଜାଣଅଜାଣତରେ ତାକୁ ହିଁ ସେ ଖୋଜି ବୁଲୁଛି କି ?