Prashantam Bapu

Drama Fantasy Inspirational

3  

Prashantam Bapu

Drama Fantasy Inspirational

ପୁନଃ ମାଟ୍ରିକ୍ ପରୀକ୍ଷା

ପୁନଃ ମାଟ୍ରିକ୍ ପରୀକ୍ଷା

6 mins
168



   ଏତେ ବଡ଼ ପୃଥିବୀରେ ଆଉ କ'ଣ କିଛି ଗୁରୁତ୍ଵପୂର୍ଣ୍ଣ ଖବର ନାହିଁ ? ଟିଭି , ଖବରକାଗଜ ଆଉ ସୋସିଆଲ ମିଡ଼ିଆ ସବୁଥିରେ ସେହି ଗୋଟିକ ମୁଖ୍ୟ ଖବର । କ'ଣ ନା " କୌଣସି ବିଶେଷ ସମସ୍ୟା ଯୋଗୁଁ ଦୁଇହଜାର ମସିହାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀ ଆଉ ଥରେ ପରୀକ୍ଷା ଦେବେ " । ଖାଲି ସେତିକି ନୁହେଁ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ନିୟମିତ ସ୍କୁଲ ଯାଇ ପରୀକ୍ଷା ପାଇଁ ପାଠ ପଢ଼ିବାକୁ ହେବ । ପୁଣି ସରକାରଙ୍କ କଡ଼ା ନିର୍ଦ୍ଦେଶ ଯେ ଯଦି କେହି ଏହାର ଅବମାନନା କରିବେ ତେବେ ସେ ବ୍ୟକ୍ତି କରୁଥିବା ଚାକିରିରୁ ବହିଷ୍କୃତ ହେବା ସହ ତାଙ୍କର ଅନ୍ୟାନ୍ୟ ଉଚ୍ଚ ଶିକ୍ଷାର ସାର୍ଟିଫିକେଟ ସବୁ ବି ଅସିଦ୍ଧ ଘୋଷଣା କରାଯିବ । ଖବରଟି କୌଣସି ସୁତ୍ରରୁ ଜାଣିବା ପରେ ମୋ ପାଦ ତଳ ମାଟି ଯେମିତି କେଉଁ ଅତଳ ଗଭୀରକୁ ଧସିଗଲା ! ସରକାରଙ୍କ ଏ କି ଅଜିବ୍ କିମ୍ବୁତକିମ୍ବାକାର ବେଆଇନ୍ ନିର୍ଦ୍ଦେଶ ! କେଉଁ ବିଶେଷ କାରଣ ଯୋଗୁଁ ସରକାର ଏ ନିଷ୍ପତି ନେଲେ ତାହାର ସୁରାକ କେଉଁଠି କିଛି ବି ମିଳୁନି !


   ସବୁଠୁ ବଡ଼ ଆଶ୍ଚର୍ଯ୍ୟ ର କଥା ହେଲା , ସରକାରଙ୍କ ଏ ଯୁକ୍ତିହୀନ ନିର୍ଦ୍ଦେଶ ବିରୁଦ୍ଧରେ ଗଣମାଧ୍ୟମରେ ସମାଲୋଚନା ତ ଛାଡ଼ ସାମାନ୍ୟତମ ଆଲୋଚନା ବି ହେଉନାହିଁ ! କି କେଉଁଠି କିଛି ପ୍ରତିକ୍ରିୟା ନାହିଁ ବାସ୍ କେବଳ ସୂଚନା ଦେବା ଛଡ଼ା । ବାକିମାନଙ୍କ କଥା ଛାଡ଼ନ୍ତୁ ଦୁଇହଜାର ମସିହାରେ ପରୀକ୍ଷା ଦେଇଥିବା ହଜାର ହଜାର ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେହି ବି ଜଣେ ହେଲେ ସାମାନ୍ୟତମ ପ୍ରତିକ୍ରିୟା ଦର୍ଶାଇଲେ ନାହିଁ !


   ସରକାରଙ୍କ ଏ ଅନ୍ୟାୟ ଅବିଚାର ବିରୁଦ୍ଧରେ ନିଜ ମତ ରଖିବାକୁ ସାଧାରଣ ଲୋକ ତ ଛାଡ଼ ସମାଜର ଆଗଧାଡ଼ିରେ ଥିବା ତଥାକଥିତ ବିରୋଧି ଦଳର ବଡ଼ ବଡ଼ ନେତା , ସାମ୍ବାଦିକ , ଆଇନଜୀବୀ ଆଉ ବୁଦ୍ଧିଜୀବୀ ମାନେ ବି ଡରୁଛନ୍ତି ? ଏମାନଙ୍କ ପାଇଁ ସାଧାରଣ ନାଗରିକ ଉପରେ ହେଉଥିବା ଏଭଳି ଅନ୍ୟାୟ ଅବିଚାରର କ'ଣ କୌଣସି ଗୁରୁତ୍ଵ ନାହିଁ ? ସତ କଥା ହେଲା ସରକାରଙ୍କ ଅନ୍ୟାୟ ଅନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାକୁ , ପ୍ରଶ୍ନ କରିବାକୁ ନାଁ ବିରୋଧୀ ଦଳ ନେତା ଅଛନ୍ତି ନାଁ ସାମ୍ବାଦିକ ଆଉ ବୁଦ୍ଧିଜୀବୀ । କିଛି ଡରରେ ତ ଆଉ କିଛି ନିଜ ସ୍ୱାର୍ଥରେ ଅନ୍ଧ ହୋଇ ମୌନ ବ୍ରତ ଧାରଣ କରିଛନ୍ତି , ବାକି ଯେତେକ ରହିଲେ ସବୁ ଚାଟୁକାର ପାଲଟି ଯାଇଛନ୍ତି । ମୁଖ୍ୟ କଥା ହେଲା ଏସବୁ ସେମାନଙ୍କର କେବେଠୁଁ ଦେହସୁହା ହୋଇଗଲାଣି । 


   ଏଇ କଥା ସବୁ ଭାବି ଭାବି ଲାଗୁଛି ମୁଁ ପାଗଳ ହୋଯିବି ବା ହୋଇଗଲିଣି । ବଡ଼ ଅସହାୟ , ନିଃସଙ୍ଗ ଅନୁଭବ କରୁଛି କାରଣ କାହା ଆଗରେ ଏ ଲଜ୍ଯାକର ବିଷୟରେ ଆଲୋଚନା କରିବି ? ସଭିଏଁ ମୋତେ ଯେମିତି ବଳି ପଡ଼ିବାକୁ ଯାଉଥିବା ବୋଦାଟିଏ ପରି ଦେଖୁଛନ୍ତି । ମୋର ଏଭଳି ଅବସ୍ଥାକୁ ଦେଖି କିଏ ମଜ୍ଜା ନେଉଛନ୍ତି ତ ଆଉ କିଏ ଦୟା ଦୃଷ୍ଟିରେ ଦେଖିଲା ଭଳି ଲାଗୁଛି । ସରକାରଙ୍କ ଏଭଳି ନିର୍ଦ୍ଦେଶ ପଛରେ ପ୍ରକୃତ ଉଦ୍ଦେଶ୍ୟ କ'ଣ ଯେତେ ଖୋଜିଲେ ବି କେଉଁଠୁ କିଛି ସୁରାକ ମିଳୁନି । ଏ ଅଯୌକ୍ତିକ ବିଭ୍ରାନ୍ତିକର ନିର୍ଦ୍ଦେଶକୁ ସମସ୍ତେ ମୁଣ୍ଡପାତି ଗ୍ରହଣ କରିନେଇଛନ୍ତି । କିଛି ତ ସରକାରଙ୍କ ଏ ନିର୍ଦ୍ଦେଶକୁ ବଡ଼ ପ୍ରଶଂସନୀୟ ପଦକ୍ଷେପ ବୋଲି କହି ତାଙ୍କ ଭଗବାନ ତୁଲ୍ୟ ନେତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । 


  ସମସ୍ତେ ଏବେ ଦୁଇହଜାର ମସିହାରେ ମାଟ୍ରିକ୍ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କୁ ଏକ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ସେମାନେ ଯେମିତି ରାତାରାତି ସେଲିବ୍ରେଟି ପାଲଟି ଯାଇଛନ୍ତି । କିନ୍ତୁ ମୋ ପାଇଁ ଏଭଳି ପରିସ୍ଥିତିରେ ଘରୁ ବାହାରିବା ବଡ଼ ମୁସ୍କିଲ , କାହାକୁ ମୁହଁ ଦେଖେଇ ହେବନି । ଲାଗୁଛି ଯେମିତି ମୋ ଅଜାଣତରେ କୌଣସି ଜଘନ୍ୟ ଅପରାଧ କରିଦେଇଛି । ପାଠ ନପଢି଼ ଜାଲି ସାର୍ଟିଫିକେଟ ଧରି ସମାଜକୁ ଠକିଛି ଆଉ ଯାହାର ଶାସ୍ତି ଏବେ ପାଇବାକୁ ଯାଉଛି । 


  ଲୋକଙ୍କୁ ତ ସବୁବେଳେ ନୂଆ ନୂଆ ମନୋରଞ୍ଜନ ଦରକାର । ଏବେ ଏଇ ଖବରଟି ସବୁଠୁ ବଡ଼ ମନୋରଞ୍ଜନ ର ଖୋରାକ ପାଲଟିଛି । ଛକ ବଜାରରେ ସବୁଠି ସେହି ଆଲୋଚନା , ସମସ୍ତେ ଆତୁର ହୋଇ ଚାହିଁଛନ୍ତି ପରୀକ୍ଷା ଆଉ ତା'ପର ର ଫଳାଫଳକୁ । ବ୍ୟକ୍ତିର ସ୍ୱାଧୀନ ବିଚାରକୁ ନିଜ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ମଝିରେ ମଝିରେ ଏହିଭଳି ଅସାର ବିଭ୍ରାନ୍ତିକର ଖବରର ଖୋରାକ ଖୁଆଇ ଲୋକଙ୍କୁ ମେଣ୍ଢା କରି ରଖିବାର ପ୍ରୟାସ କରାଯାଏ । 


   ୨୦୦୮ରେ ଚିତ୍ରକଳାରେ ଶାନ୍ତିନିକେତନରୁ ଏମ୍.ଏଫ୍.ଏ ସାରିବା ପରେ ବରୋଦା, ଗୁଜରାଟ ରେ ଗତ ପାଞ୍ଚବର୍ଷ ହେଲା ରହି କଳାକାରଟି ହେବାର ସ୍ୱପ୍ନ ନେଇ କଳାଅଭ୍ଯାସରେ ମାତିଛି । ପେଣ୍ଟିଂ ମୋର ଏବେ ଯାଏ ବିକ୍ରି ହୋଇନି କି କେବେ ଆଉ କେମିତି ହେବ ସେ କଥା ବି ଜାଣିନ ‌। ଆର୍ଟ ଟ୍ଯୁସନ୍ କରି ସୀମିତ ଅର୍ଥରେ ନିଜ ଗୁଜୁରାଣ ମେଣ୍ଟାଇବା ସହ କଳାଭ୍ଯାସ ବଡ଼ କଷ୍ଟରେ ଚାଲିଛି । ଏହିଭଳି ପରିସ୍ଥିତିରେ ପୁଣି ଏକ ବାଜ୍ଯେ ଟେନସନ୍ ! ଶଳା ବୋଝ ଉପରେ ନଳିତା ବିଡ଼ା ! କ'ଣ କରିବି ? ଭଡ଼ାଘର ଛାଡ଼ିବାକୁ ହେବ , ନହେଲେ ସାତ ଆଠ ମାସ ଖାଲି ଖାଲିଟାରେ ଭଡ଼ା ପଇସା ଗଣିବାକୁ ହେବ । ଭବିଷ୍ୟତ ମୋର ଅନିଶ୍ଚିତ ଅନ୍ଧକାର ଦେଖାଯାଉଛି ! ସ୍ୱପ୍ନକୁ ଅଧୁରା ଛାଡ଼ି ତ ଯିବି ଆଉ ଫେରିପାରିବି ତ ? 


    ଅନ୍ଯୋପାୟ ହୋଇ ଶେଷରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ଯାଜପୁର ଜିଲ୍ଲାର ଠାକୁର ପାଟଣା ଗାଁରେ ଥିବା ଆମ ନିଜ ଘରକୁ ଯିବାକୁ ହେବ । ମୋ ପାଇଁ ପୁରା ପରିବାର ଚିନ୍ତିତ ତେଣୁ ସମୟ ନଷ୍ଟ ନ କରି ଯେତେ ଶୀଘ୍ର ସମ୍ଭବ ଘରକୁ ଫେରିବାକୁ ବାପାଙ୍କ କଡ଼ା ନିର୍ଦ୍ଦେଶ ! ତିନିମାସ ଆଗରୁ ଟିକେଟ୍ ନକଲେ ସଂରକ୍ଷଣ ମିଳିବା କଷ୍ଟକର । ତତ୍କାଳ ଟିକେଟ୍ ପାଇଁ ଲୋକେ ପୂର୍ବ ରାତିରୁ ଲାଇନ୍ ଲଗାନ୍ତି । ତେଣୁ ଅଧା ରାତିରୁ ଯାଇ ଲାଇନ୍ ରେ ଠିଆ ହେବାକୁ ହେବ । ଅତିକମରେ ଆର୍.ଏ .ସି ଟିକେଟ୍ ଟିଏ ମିଳିଗଲେ ବସିକି ତ ଯାଇହେବ । ଭାଗ୍ଯବଶତଃ ଟିକେଟ ମିଳିଗଲେ ସାଙ୍ଗ ରାମ ରୁମରେ କିଛି ଜିନିଷ ଛାଡି଼ ବାକି ଜିନିଷ ଧରି ଯିବାକୁ ହେବ । ସାଙ୍ଗମାନେ ନିଶ୍ଚୟ ଷ୍ଟେସନ୍ ଯାଏଁ ଆସିବେ ବାଟୋଇ ଦେବାକୁ । ସେ ଯେମିତି ଯୁଦ୍ଧ କ୍ଷେତ୍ରକୁ ବାହାରିଛି ଆଉ ଜୀବନ୍ତ ଫେରିବ କି ନାହିଁ ତାହାର ଆଶା କ୍ଷୀଣ । ତେଣୁ ସାଙ୍ଗମାନଙ୍କ ସହ ସେ ବି ଭାବ ବିହ୍ୱଳ ହୋଇପଡ଼ିବାର ଦୃଶ୍ୟ ଜଳଜଳ ଦେଖିପାରୁଛି । 


  ଅହମଦାବାଦ୍ ପୁରୀ ଟ୍ରେନ୍ ରେ ଅଧିକାଂଶ ଓଡ଼ିଆ । ସମସ୍ତେ ନିଶ୍ଚିତ ସେହି ଆଲୋଚନା ସବୁ କରିବେ । ସମସ୍ତେ ତାକୁ ନିଶ୍ଚୟ ସନ୍ଦେହ ନଜରରେ ଦେଖିବେ । ସହଯାତ୍ରୀ ସବୁ ନାନାଦି କଥା ଆଳରେ ଖୋଳତାଡ଼ କରିବେ ଯେମିତି କି ସେ କ'ଣ କରନ୍ତି , କାହିଁକି ଓଡ଼ିଶା ଯାଉଛନ୍ତି ଆଉ କେବେ ଫେରିବେ‌. ? 


  ଏହା ଭିତରେ ଦଶବର୍ଷ ବିତିଗଲାଣି ମାଟ୍ରିକ୍ ପରୀକ୍ଷା ଦେବାର । ଶଳା ! ସବୁ ପୁଣି ଥରେ ମୂଳରୁ ଆରମ୍ଭ କରିବାକୁ ହେବ । ପୁଣି ସେହି ପାଠ ! ବିଜ୍ଞାନ , ଗଣିତ , ଇତିହାସ ଭୂଗୋଳ , ଇଂରାଜୀ , ସାହିତ୍ୟ । ସବୁ ମୂଳରୁ ପଢ଼ିବାକୁ ହେବ ପୁଣି ନିୟମିତ ସ୍କୁଲ ଯାଇ । ସ୍କୁଲ୍ ରେ ମୋ ଠାରୁ ବୟସରେ ଆଉ ଯୋଗ୍ୟତାରେ କମ୍ ନୂଆ ନୂଆ ଶିକ୍ଷକ ଶିକ୍ଷୟିତ୍ରୀ ମୋତେ ପାଠ ପଢ଼ାଇବେ ! ଛିଃ ! ସହି ହେବନି । ସବୁ ଛାଡ଼ିଛୁଡ଼ି କୁଆଡ଼େ ପଳେଇ ଯିବାକୁ ଭାରି ଇଚ୍ଛା ହେଉଛି । ସମୟ ଯେମିତି ହେଲାଣି ଏଠି ମଣିଷ ଟିକିଏ ଶାନ୍ତିରେ ନିଃଶ୍ୱାସ ବି ନେଇ ପାରିବନି । କ'ଣ କରିବି ? ସବୁ ଅନ୍ଧାର ଦେଖା ଯାଉଛି । ଜୀବନ ପ୍ରତି ମୋହ ପ୍ରବଳ ତେଣୁ ଆତ୍ମହତ୍ୟା କରିବା କଥା ଭାବି ବି ପାରିବି ନାହିଁ । ମୁଁ ଏତେ ଦୁର୍ବଳ ନୁହେଁ ଯେ ଏଇ ଛୋଟ ଛୋଟ କଥାକୁ ଡରି ହାର୍ ମାନିଯିବି ଆଉ ପଳାତକ ସାଜିବି । ଜୀବନରେ କେତେ ଗଠନମୂଳକ ମୂଲ୍ୟବାନ କାମ ଅଛି କିନ୍ତୁ ଏ ଶଳେ ! କିଛି କରିବାକୁ ଦେବନି । ଏ ଗେନ୍ଧା ସ୍କୁଲ୍ ର ପାଠ ବହିରେ କ'ଣଟା ଅଛି ଯେ ଜୀବନର ଅତି ମୂଲ୍ୟବାନ ସମୟ ତକ ଏହି ବହି , ପରୀକ୍ଷା ଆଉ ମାଷ୍ଟରଙ୍କ ନାଲି ଆଖି ଖାଇଯାଆନ୍ତି । ସ୍କୁଲ୍ ମଣିଷ ଭିତରେ ଥିବା ସବୁ ସୃଜନଶୀଳତା ଆଉ ଉଚ୍ଚ ସମ୍ଭାବନାକୁ ନଷ୍ଟ କରି ତାକୁ ପ୍ରାଣହୀନ ଯନ୍ତ୍ରଟିଏ କରିଦିଏ । କିନ୍ତୁ ସମସ୍ତେ ଯେମିତି ଏକ ମନ ଏକ ପ୍ରାଣରେ ମାତିଛନ୍ତି ମଣିଷ ଛୁଆକୁ ଏକ ପ୍ରାଣହୀନ ଯୋଗ୍ଯ ଯନ୍ତ୍ରଟିଏ କରିବାକୁ । ସବୁ ଯନ୍ତ୍ର ମାନବ ପାଲଟି ଗଲେ ନିୟନ୍ତ୍ରଣ କରିବା ବଡ଼ ସହଜ ହେବ । ଆଜିକା ସମୟରେ ମାନବିକ ମୂଲ୍ୟବୋଧ , ମଣିଷ ପଣିଆ ସବୁ କାଳେ ପୁରୁଣାକାଳିଆ କଥା , ଆଉଡେଟେଡ଼଼ ଆଉ ମୂଲ୍ୟହୀନ ।


  ନାଁ ଏମିତି ବଞ୍ଚିହେବନି କିଛି ଗୋଟାଏ କରିବାକୁ ହେବ । ସବୁ କିଛି ଜାଳି ପୋଡ଼ି ପାଉଁଶ କରିଦେବାକୁ ଇଚ୍ଛା ହେଉଛି । ଓଃ ! କ'ଣ କରିବି ? କୁଆଡ଼େ ଯିବି ? ଦେହ ଯାକ ଝାଳ ! ପ୍ରବଳ ଗରମ ! ଘୋଡ଼ାଇ ଥିବା କମ୍ବଳଟିକୁ କାଢ଼ି ଫିଙ୍ଗିଦେବା ପରେ ଯାଇ ସଚେତନ ହେଲି କି ଆରେ ଏ ତ ଡିସେମ୍ବର ମାସ ଆଉ ପ୍ରବଳ ଶୀତର ସମୟ ! କିନ୍ତୁ ମୋ ଦେହରେ ଏତେ ଝାଳ କାହିଁକି ? ଦେଖିବାର ପ୍ରବଳ ଜିଜ୍ଞାସା ହେତୁ ଆଖି ଖୋଲି ଗଲା , ଦୀର୍ଘ ନିଃଶ୍ବାସ ଟେ ନେଲା ପରେ ଯାଇ ପୂର୍ଣ୍ଣ ସଚେତନ ହେଲି କି ଏସବୁ ମାତ୍ର ସ୍ୱପ୍ନଟିଏ ଥିଲା ! ଓଃ ପ୍ରଭୁ ! ଏ କି ସ୍ୱପ୍ନ ! ଏବେ ବି ସବୁ ସତ ଲାଗୁଛି । 


  ଜଣା ନାହିଁ ଆମ ବେଳର ଦଶମ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ଯେଉଁ ଅସହ୍ୟ ଅବ୍ୟକ୍ତ ଚାପ ଅନୁଭବ କରୁଥିଲେ ତାହା ଏବେକାର ପିଲାମାନେ ଅନୁଭବ କରୁଛନ୍ତି କି ନାହିଁ । ସମସ୍ତଙ୍କର ଏହି ପରୀକ୍ଷାକୁ ନେଇ ଭିନ୍ନଭିନ୍ନ ଅନୁଭବ ଥିବ , ସେହିଭଳି ମୋର କିଛି ନିଆରା ଅନୁଭବ ଥିଲା । ଏହା ଭିତରେ ପାଖାପାଖି ବାଇଶି ବର୍ଷ ବିତିଗଲାଣି ତଥାପି ଦଶମ ଶ୍ରେଣୀ ପରୀକ୍ଷା ଜନିତ ପାଇଥିବା ମାନସିକ ଚାପର ପ୍ରଭାବ ରୁ ମୁଁ ଏଯାଏଁ ବି ସମ୍ପୁର୍ଣ୍ଣ ମୁକ୍ତ ନୁହେଁ କହିଲେ ଅତ୍ୟୁକ୍ତି ହେବନାହିଁ । ଚାକିରି କରିବା ପରେ ଆଉ ଆର୍ଥିକ ଦୃଷ୍ଟିରୁ ତଥାକଥିତ ସୁରକ୍ଷିତ ହେବା ପରଠୁ ଦଶମ ପରୀକ୍ଷାର ଦୁଃସ୍ୱପ୍ନ ଆଉ ସେତେଟା ଦେଖୁନାହିଁ । ଏହା ପୂର୍ବରୁ ପାଖାପାଖି ପନ୍ଦର ଷୋହଳ ବର୍ଷ ଯାଏଁ ଯେବେ ବି ନିଜ କ୍ୟାରିୟର ଜନିତ ଚିନ୍ତା , ଅସଫଳତା ଆଉ ଭବିଷ୍ୟତକୁ ନେଇ ଅସୁରକ୍ଷିତ ଭାବ ଟିକିଏ ଅଧିକ ହେଇଯାଉଥିଲା ସେହି ସମୟରେ ଦଶମ ଶ୍ରେଣୀ ପରୀକ୍ଷାକୁ ନେଇ ଏହି ଦୁଃସ୍ୱପ୍ନଟି ନିଶ୍ଚୟ ଥରେ ଦେଖୁଥିଲି । 



Rate this content
Log in

Similar oriya story from Drama