Prashantam Bapu

Drama Inspirational

3  

Prashantam Bapu

Drama Inspirational

କୁହା ଅକୁହା କଥା କିଛି

କୁହା ଅକୁହା କଥା କିଛି

11 mins
241


  


   ଗୁରୁଦିବସ ଦିନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମନରେ ଏକ ଭିନ୍ନ ପ୍ରକାରର ପ୍ରସନ୍ନତା ଖେଳିଯାଏ । ନୂଆ ନୂଆ ଯୁବ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମୁହଁରେ ପରିଷ୍କାର ବାରିହୁଏ କିନ୍ତୁ ପୁରୁଣା ଙ୍କ ଶୁଖିଲା ଚର୍ବିଳ ମୁହଁରେ ସେଇଟି ଟିକିଏ କ୍ଷୀଣ ଦେଖାଯାଏ । ପ୍ରସନ୍ନତା ଖେଳିଯିବାଟା ଅଧିକାଂଶ ମଣିଷଙ୍କ ପକ୍ଷରେ ସ୍ୱଭାବିକ କଥା । ସମ୍ମାନ ଆଉ ପୁରସ୍କାର ପାଇବାକୁ କାହାକୁ ବା ଅରୂଚିକର ଲାଗେ ? ହୁଏତ କିଛିଟା ଗୋଠଛଡ଼ା ଥିବେ ଯାହାଙ୍କୁ ଏସବୁ ପସନ୍ଦ ନଥିବ । ସମ୍ମାନ ଆଉ ପୁରସ୍କାର ପାଇବାକୁ ଆଦର୍ଶ ସାର୍ ଙ୍କୁ ବି ଭଲ ଲାଗେ ଖାଲି ଯା ବାହାରୁ ଟିକିଏ ଦେଖେଇ ହୁଅନ୍ତି କି ଏସବୁକୁ ସେ ବିଲକୁଲ ପସନ୍ଦ କରନ୍ତି ନାହିଁ । 


   ସ୍କୁଲରେ ଆଦର୍ଶ ସାର୍ ପହଞ୍ଚୁ ପହଞ୍ଚୁ ପିଲାଙ୍କ ଭିଡ଼ ଲାଗିଗଲା ପାଦ ଛୁଇଁ ଆଶିର୍ବାଦ ନେବାକୁ । ଭିଡ଼ ମୂଖ୍ୟତଃ ଛାତ୍ରୀମାନଙ୍କର ଥିଲା କାରଣ ପୁଅଗୁଡ଼ାକ ତ ସବୁବେଳେ ସେମିତି । କିଛି ପିଲା ସାର୍ ଙ୍କ ପାଖରୁ ଦୂରେଇ ରହିଲେ ଆଖି ମିଳାଇଲେ ନାହିଁ । ହୁଏତ ସେମାନେ ସାର୍ ଙ୍କୁ ପସନ୍ଦ କରନ୍ତି ନାହିଁ କିମ୍ବା ପାଦ ଛୁଇଁବାକୁ ତାଙ୍କୁ ମାଡ଼ିପଡ଼ୁଥିବ । ହେଇପାରେ ସେମିତି କିଛି ନୁହେଁ । ପିଲା ମନ ତେଣୁ ସେ ଆଡ଼କୁ ତାଙ୍କର ବିଶେଷ ଦୃଷ୍ଟି ନଥିବ ବା ଲାଜ ଲାଗୁଥିବା କାରଣ ରୁ ହୋଇଥାଇପାରେ । ସାର୍ ଛୁଆଙ୍କୁ ପାଦ ଛୁଇଁବାକୁ ବାରଣ କରୁଥିଲେ କିନ୍ତୁ ତାହା ଥିଲା ଉପରଠାଉରିଆ କାରଣ ଯେଉଁ ପିଲା ଆସି ଆଶିର୍ବାଦ ନେଲେ ନାହିଁ ସେମାନଙ୍କ ପ୍ରତି ସାର୍ ଙ୍କ ହୃଦୟରେ ଟିକିଏ ବିରକ୍ତି ଭାବ ଜାଗ୍ରତ ହେଲା । ସେ ଯାହା ବି ହେଉ ସେଥିରୁ ମୁକ୍ତି ମିଳିଲା ପରେ ଅନ୍ଯ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସେ ଆସନ ଗ୍ରହଣ କଲେ । ଆଜି ତାଙ୍କର ବିଶେଷ କିଛି କାମ ନାହିଁ ସବୁ ଦାୟିତ୍ଵ ପ୍ରାୟତଃ ପିଲାମାନେ ତୁଲାଇ ନେବେ ।



   ଆଶିର୍ବାଦ ନେବା ସହ ଅଧିକାଂଶ ପିଲା ଶିକ୍ଷକଙ୍କୁ ପେନ୍ ଟିଏ ଉପହାର ସ୍ବରୂପ ଦେଉଥିଲେ । ସେଦିନ ନାନା କିସମର ଶହେ ସରିକି ପେନ୍ ତାଙ୍କୁ ଉପହାର ମିଳିଲା । ପ୍ରାୟତଃ ପେନ୍ ର ମୁଲ୍ଯ ଦଶ ଟଙ୍କାରୁ ଉର୍ଦ୍ଧ୍ଵ । ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ସଂଖ୍ୟା ୧୬ ତେବେ ଚିନ୍ତା କରନ୍ତୁ ଗୋଟିଏ ପିଲା ପେନ୍ ବାବଦ କେତେ ଖର୍ଚ୍ଚ କରିଥିବ । ପୁରସ୍କାର ପାଇବାକୁ ତାଙ୍କୁ ସିନା ଭଲ ଲାଗିଲା ହେଲେ ପରେ ଚିନ୍ତା କଲେ କି ଏହା ବିଲକୁଲ୍ ସୁସ୍ଥ ପରମ୍ପରା ନୁହେଁ । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପିଲାମାନେ ଏସବୁ ଦେଖି ନିଶ୍ଚିତ ରୂପେ ଏକପ୍ରକାର ମାନସିକ ଚାପ ଅନୁଭବ କରୁଥିବେ । ଏହି କାରଣରୁ ବୋଧହୁଏ କିଛି ପିଲା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶିର୍ବାଦ ନନେଇ ଦୂରେଇ ରହୁଥିଲେ । 


   ଏ ପରମ୍ପରା କେବେ ଠୁଁ ଆରମ୍ଭ ହେଲା ତାଙ୍କୁ ଜଣାନାହିଁ କିନ୍ତୁ ସେ ତାଙ୍କ ସାତବର୍ଷ ଶିକ୍ଷକତା କାଳରୁ ଦେଖିଆସୁଛନ୍ତି । ତାଙ୍କ ଛାତ୍ର ଜୀବନରେ ଏଭଳି ପରମ୍ପରା ନଥିଲା । ହୁଏତ ଲୋକଙ୍କ ଆର୍ଥିକ ଅବସ୍ଥା ସୁଧାରିବା ସହ ଡଟ୍ ପେନ୍ ର ମୂଲ୍ୟରେ କୌଣସି ବିଶେଷ ବୃଦ୍ଧି ନହେବା ଯୋଗୁଁ ଏ ପରମ୍ପରାଟି ଭାଇରାଲ୍ ହୋଇଥାଇପାରେ । ଆଗରୁ ଗୋଟିଏ କଲମ ବା ଡଟ୍ ପେନ୍ ବହୂବର୍ଷ ଧରି ଚଳୁଥିଲା କେବଳ ରିଫିଲ୍ ବଦଳାଇବାକୁ ହେଉଥିଲା । କିନ୍ତୁ ଏବେ ଲେଖ ଆଉ ଫିଙ୍ଗ " ୟୁଜ ଆଣ୍ଡ୍ ଥ୍ରୋ " ର ଯୁଗ । ପିଲାଟିଏ ଏବେ ମାସକୁ ଆଠ ଦଶଟି ଲେଖାଏଁ ପେନ୍ କିଣୁଛି ଆଉ ଫିଙ୍ଗୁଛି । ପିଲାଙ୍କ ଡେକ୍ସ୍ ତଳୁ ଆରମ୍ଭ କରି ସ୍କୁଲ୍ ଡଷ୍ଟବିନ୍ , ଖେଳପଡ଼ିଆ , ଝରକା ପଛପଟ ଯୁଆଡ଼େ ଦେଖିବେ ଡଟ୍ ପେନ୍ ।‌ ଅଧିକାଂଶ ସେଥିରୁ ବ୍ୟବହାର ଯୋଗ୍ୟ । ସ୍କୁଲ୍ ପାଠାଗାର ରେ ଗୁଡ଼ାଏ ପିଲା ତାଙ୍କ ପେନ୍ ଛାଡ଼ିଦେଇ ଯାଆନ୍ତି ଆଉ କେବେ ଖୋଜନ୍ତି ନାହିଁ । ହେଲେ ତାଙ୍କ ସମୟରେ କଲମଟି ହଜିଯିବାଟ ଏକ ବଡ଼ ଗମ୍ଭୀର ବିଷୟ ଥିଲା । ପିଲାଟି ବାପାମାଙ୍କ ଗାଳି ଖାଇବା କଥା ଭାବି କାନ୍ଦ କାନ୍ଦ ହେଇଯାଉଥିଲା । 


   ଗୁରୁଦିବସ ର ଦିନକ ପୂର୍ବରୁ ସେ ମନେ ମନେ କେତେ ଚିନ୍ତା କରିଥିଲେ , ପିଲାମାନଙ୍କୁ କି କି ଉପଦେଶ ସବୁ ଶୁଣାଇବେ । ଏଥିପାଇଁ ଗୁଗଲ୍ ଆଉ ୟୁଟ୍ୟୁବରେ ସର୍ଚ୍ଚ ମଧ୍ୟ କରିଥିଲେ । ଦିନଟି ମୁଖ୍ୟତଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମଦିନ ଯେ ଥିଲେ ଦେଶର ପ୍ରଥମ ଉପରାଷ୍ଟ୍ରପତି ଆଉ ଦ୍ୱିତୀୟ ରାଷ୍ଟ୍ରପତି । ଏହା ସହ ଜଣେ ଆଦର୍ଶ ଶିକ୍ଷକ , ଶିକ୍ଷାବିତ ଆଉ ମହାନ ଦାର୍ଶନିକ ମଧ୍ୟ ଥିଲେ । ୟୁଟ୍ୟୁବରେ ରାଧାକ୍ରିଷ୍ଣନ୍ ଙ୍କ ସମ୍ବନ୍ଧୀୟ ଭିଡ଼ିଓ ଦେଖୁଦେଖୁ ତାଙ୍କ ବାବଦରେ ଏକ ବିବାଦୀୟ ଆଉ ନକରାତ୍ମକ ଭିଡିଓଟିଏ ପାଇ ସାର୍ ଆଶ୍ଚର୍ଯ୍ୟ ହେଲେ ! ଆଗରୁ ସେ ଏ କଥାସବୁ କେଉଁଠୁ ଶୁଣିଥିଲେ ବା ପଢ଼ିଥିଲେ କିନ୍ତୁ ଭୁଲିଯାଇଥିଲେ । ଭିଡ଼ିଓଟିରେ ଦିଆଯାଇଥିବା ତଥ୍ୟ ଉପରେ ସନ୍ଦେହ ହେବାରୁ ଉଇକିପିଡ଼ିଆରେ ମଧ୍ୟ ଦେଖିଲେ ସେହି ସମାନ କଥା ଦର୍ଶାଯାଇଛି । 


   ଯଦୁନାଥ ସିହ୍ନା ନାମକ ରାଧାକ୍ରିଷ୍ଣନ୍ ଙ୍କ ଜଣେ ଛାତ୍ର କଲିକତା ହାଇକୋର୍ଟରେ ତାଙ୍କ ବିରୁଦ୍ଧରେ କପିରାଇଟ୍ ଉଲଂଘନ ର ମାମଲା ଦର୍ଜ କରିଥିଲେ । ତାଙ୍କର ପ୍ରସିଦ୍ଧ ଆଉ ବହୁ ଚର୍ଚ୍ଚିତ ବହି " ଇଣ୍ଡିଆନ୍ ଫିଲୋସଫି " ବହିର ବହୁଳାଂଶ କାଳେ ଛାତ୍ର ସିହ୍ନାଙ୍କ ପି.ଏଚ୍.ଡ଼ି ନିବନ୍ଧରୁ ସେ ଚୋରାଇଥିଲେ । ଏମିତି କି ସେ ସୋଭିଏତ୍ ସଂଘରେ ଭାରତୀୟ ରାଷ୍ଟ୍ରଦୂତ ଥିବା କାଳରେ ତାଙ୍କର କାର୍ଯ୍ୟପନ୍ଥା ପୁଣି ପରେ ଉପରାଷ୍ଟ୍ରପତି ହେବା ଆଉ ରାଷ୍ଟ୍ରପତି ହେବା ପଛରେ ବି ବହୁ ବିବାଦୀୟ କଥା ତାଙ୍କ ବିରୁଦ୍ଧରେ ଜାଣିବାକୁ ପାଇଲେ । 


   ଏଇମିତି ପ୍ରାୟତଃ ପ୍ରତ୍ୟେକ ପ୍ରସିଦ୍ଧ ବ୍ୟକ୍ତିତ୍ଵଙ୍କ ବିରୁଦ୍ଧରେ କିଛି ନା କିଛି ବିବାଦୀୟ ବା ଆପତ୍ତିଜନକ ଆରୋପ ସମାଲୋଚନା ଶୁଣିବାକୁ ପଢ଼ିବାକୁ ମିଳିଯିବ । ଇନ୍ଟରନେଟ୍ ରେ ମିଳୁଥିବା ତଥ୍ୟର ସତ୍ୟାସତ୍ୟ ପରିକ୍ଷା କରି କୌଣସି ନିଷ୍କର୍ଷରେ ପହଞ୍ଚିବା ବଡ଼ କଷ୍ଟସାଧ୍ୟ । ରାଧାକ୍ରିଷ୍ଣନ୍ ଙ୍କ ଅବଦାନ ସବୁ କ'ଣ ଥିଲା ସେସବୁ ଜାଣିବାକୁ ଚାହିଁଲେ ତାହା ପାଇଁ ବହୁତ ସମୟ ଧରି ତାଙ୍କ ଜୀବନୀ ଆଉ କାର୍ଯ୍ୟକୁ ନେଇ ଗବେଷଣା କରିବାକୁ ହେବ । ଏତେ ଭିତରକୁ ଯିବାକୁ ନା ସାର୍ ଙ୍କ ଧୈର୍ଯ୍ୟ ଅଛି ନା ଇଚ୍ଛାଶକ୍ତି । ଖାଲି ଯା ଭାଷଣ ଦେବା ପାଇଁ ଯେତିକି ଆବଶ୍ୟକ ସେତିକି ସୂଚନା ପାଇଗଲେ ବହୁତ । ଭାବିଥିଲେ ତାଙ୍କ ଅଭିଭାଷଣରେ ସେ କହିବେ କି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କୁ ଆମେ ମନେ ରଖିଛନ୍ତି ସେ ଜଣେ କେବଳ ମହାନ୍ ଶିକ୍ଷକ ଥିଲେ ବୋଲି ନୁହେଁ । ବରଂ ଶିକ୍ଷକ ହୋଇ ମଧ୍ୟ ଏହି ବିଶାଳ ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତିଙ୍କ ଆସନ ଅଳଙ୍କୃତ କରିପାରିଥିଲେ ବୋଲି । ହେଲେ ଏସବୁ ସେ ତାଙ୍କ ଭାଷଣରେ ପିଲାଙ୍କୁ କହିପାରିଲେନି । କାରଣ ପ୍ରକୃତ ସତ୍ୟ କ'ଣ ନଜାଣି ଛୋଟ ଛୋଟ ପିଲାଙ୍କ ଆଗରେ ଏସବୁ ନକରାତ୍ମକ ବିବାଦୀୟ କଥା ସବୁ କହିବା ବିଲକୁଲ୍ ଉଚିତ ନୁହେଁ ।


   ସାର୍ ଙ୍କ ମନକୁ ବାରମ୍ବାର ଏ ପ୍ରଶ୍ନଟି ଆନ୍ଦୋଳିତ କରେ କି ଜଣେ ଶିକ୍ଷକ ଶିକ୍ଷକତା ଛାଡ଼ି ରାଷ୍ଟ୍ରପତି ହେବାଟା ଜଣେ ବ୍ୟକ୍ତି ପାଇଁ , ସେ ସମାଜ ପାଇଁ ବଡ଼ ସଫଳତା ନା ରାଷ୍ଟ୍ରପତି ଭଳି ଗରୀମାମୟ ସର୍ବୋଚ୍ଚ ପଦବୀର ମୋହକୁ ତ୍ୟାଗ କରି ଶିକ୍ଷକତା କରିବାଟା ? ଆମ ଦେଶର ଶାସନ ତନ୍ତ୍ରରେ ରାଷ୍ଟ୍ରପତି ଏକ ଅଳଙ୍କାରିକ ପଦବୀ ଆଉ ତାଙ୍କର ଭୂମିକା ଏକ ସାମାନ୍ୟ ରବର୍ ଷ୍ଟାମ୍ପ୍ ବୋଲି ବିଦ୍ରୁପ କରାଯାଏ । ତଥାପି ଲୋକଦୃଷ୍ଟିରେ ଜଣେ ମହତ୍ ଶିକ୍ଷକର ସାଧନା ଠାରୁ ରାଷ୍ଟ୍ରପତିଙ୍କ ଆସନ ହାସଲ କରିବାଟା ଜଣେ ବ୍ୟକ୍ତି ପକ୍ଷରେ ଆଉ ସମାଜ ଦୃଷ୍ଟିରେ ଏକ ବିରାଟ ସଫଳତା । 


   ସେହି Google , Wikipedia ଆଉ YouTube videos ଅନୁଯାୟୀ ରାଧାକ୍ରିଷ୍ଣନ୍ ଙ୍କ କିଛି ଶ୍ରଦ୍ଧାଳୁ ଛାତ୍ର ସେ ରାଷ୍ଟ୍ରପତି ହେବା ପରେ ତାଙ୍କର ଜନ୍ମଦିନକୁ ବଡ଼ ଆକାରରେ ପାଳନ କରିବାକୁ ଚାହିଁଲେ । ରାଧାକ୍ରିଷ୍ଣନ୍ ସେମାନଙ୍କୁ ବାରଣ କଲେ ଆଉ ପରେ ତାଙ୍କ ଜନ୍ମ ତାରିଖଟିକୁ ସମସ୍ତ ଶିକ୍ଷକଙ୍କୁ ମନେପକାଇବା ପାଇଁ ଗୁରୁଦିବସ ଭାବେ ପାଳନ କରିବାକୁ ଉପଦେଶ ଦେଲେ । ଏହି ଦେଶରେ ସମସ୍ତ ଗୁରୁଙ୍କୁ ଶ୍ରଦ୍ଧା ସମ୍ମାନ ଦେବା ଉପଲକ୍ଷେ କାହିଁ କେଉଁ କାଳରୁ ଗୁରୁପୂର୍ଣ୍ଣିମା ଭଳି ମହତ୍ ଦିନଟିଏ ଉତ୍ସର୍ଗ କରାଯାଇଛି‌ । ଏହିଭଳି ଏକ ଦିନ ଥାଉ ଥାଉ ପୁଣି କାହିଁକି ଜଣେ ବ୍ୟକ୍ତିର ଜନ୍ମଦିନକୁ ( ସେ ବ୍ୟକ୍ତି ଜଣକ ଯେତେ ମହାନ ହୋଇଥାଆନ୍ତୁ ନାଁ କାହିଁକି ) ସାରା ଦେଶରେ ଗୁରୁଦିବସ ଭାବେ ପାଳନ କରିବା ର ଆବଶ୍ୟକତା ପଡ଼ିଗଲା ? ଏହା ପଛରେ କୌଣସି ରାଜନୈତିକ ଅଭିସନ୍ଧିଚ୍ଛା ନାହିଁ ତ ? ସେ କେବଳ ଜଣେ ଆଦର୍ଶ ଶିକ୍ଷକ ହୋଇଥିଲେ ତାଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରାଯାଇଥାନ୍ତା କି ?


   ଆମ ସମାଜରେ ନେତା ମନ୍ତ୍ରୀ , ବଡ଼ ଅଫିସର୍ , ଧନୀ ବଣିକ , ସିନେମା ଜଗତର ତଥାକଥିତ ତାରକା ହିଁ ଶ୍ରେଷ୍ଠ । ତେଣୁ ଶିକ୍ଷକତା ଛାଡ଼ି ତଥାକଥିତ ବଡ଼ ବଡ଼ ଆସନ ହାସଲ କରିବାର ପ୍ରମାଣ ଖୋଜିଲେ କାହିଁ କେତେ ମିଳିଯିବ । ବର୍ତମାନ ରାଷ୍ଟ୍ରପତି ଶ୍ରୀମତି ଦୌପଦୀ ମୁର୍ମୁ ମଧ୍ୟ ଅତୀତରେ ଏକଦା ଜଣେ ଶିକ୍ଷକ ଥିଲେ । ହେଲେ ତଥାକଥିତ ବଡ଼ ବଡ଼ ଆସନକୁ ଅଣଦେଖା କରି ବା ତ୍ୟାଗ କରି ଶିକ୍ଷକତାକୁ ଆଦରି ନେବାର ପ୍ରମାଣ ଖୋଜିଲେ ମିଳିବା କଷ୍ଟକର ହେବ । 


    ଅତୀତର ଶିକ୍ଷକ ବା ଗୁରୁଙ୍କ ମହିମାର ହୃଦୟସ୍ପର୍ଶୀ କାହାଣୀ ଅନେକ ଅଛି । ଏମିତି ଏକ ଗୁରୁଶିଷ୍ୟର କାହାଣୀ ମହାଭାରତରେ ବର୍ଣିତ ଗୁରୁ ଦ୍ରୋଣାଚାର୍ଯ୍ୟ ଆଉ ଏକଲବ୍ୟ କୁ ନେଇ । କାହାଣୀ ଟି ସମସ୍ତେ ଜାଣିଥିବେ ତେଣୁ ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ । କେବଳ ଦ୍ରୋଣଙ୍କ ଗୁରୁପଣିଆ କୁ ନେଇ ତାଙ୍କ ମନରେ କିଛି ଅସମାହିତ ପ୍ରଶ୍ନ ଅଛି । ସେ ଜାଣିଥିବା କାହାଣୀ ଅନୁସାରେ ଦ୍ରୋଣାଚାର୍ଯ୍ୟ ଏକଲବ୍ୟ କୁ ଆଗରୁ କେବେ ବି ଥରୁଟିଏ ଦେଖି ନଥିଲେ । ସେହି ଶିଷ୍ୟ ପାଖରୁ ଗୁରୁ ଦକ୍ଷିଣା ସ୍ୱରୂପ ତା'ର ଡ଼ାହାଣ ହାତର ବୃଦ୍ଧା ଆଙ୍ଗୁଠି (ଯାହା ଥିଲା ଜଣେ ଧନୁର୍ଦ୍ଧର ର ସର୍ବସ୍ବ ) କେମିତି ମାଗିପାରିଲେ ? ବାସ୍ତବରେ ଶିକ୍ଷା ଦେଇଥିଲେ କି ଶିଷ୍ୟ ହୋଇଥିଲେ କେବେ ବି ଏଭଳି ଜଘଣ୍ଯ କାମ କରିପାରିଥାଆନ୍ତେ କି ? ଦ୍ରୋଣାଚାର୍ଯ୍ୟଙ୍କ ସପକ୍ଷରେ ବହୁ ଯୁକ୍ତି ଦିଆଯାଏ ହେଲେ ସମସ୍ତ ଯୁକ୍ତି ସେ ଅମାନୁଷିକ କାର୍ଯ୍ୟ ତୁଳନାରେ ବଡ଼ ଦୁର୍ବଳ ଦିଶେ । ଆମ ଭାରତୀୟ ପରମ୍ପରା ଅନୁଯାୟୀ ଗୁରୁ ପିତା ସମାନ ଆଉ ଶିଷ୍ୟ ସନ୍ତାନ ତୁଲ୍ୟ । ତେଣୁ ଜଣେ ପ୍ରକୃତ ଗୁରୁ ତାଙ୍କ ଶିଷ୍ୟ ପ୍ରତି ଏଭଳି ନିଷ୍ଠୁର ହେବାଟା ଅସମ୍ଭବ ଅକଳ୍ପନୀୟ ! କୁହାଯାଏ ଏହି ଷଡ଼ଯନ୍ତ୍ର ପଛରେ ପ୍ରିୟ ଶିଷ୍ଯ ଅର୍ଜୁନ କୁ ଶ୍ରେଷ୍ଠ ଧନୁର୍ଦ୍ଧର କରିବାର ତାଙ୍କର ଅଭିପ୍ରାୟ ଥିଲା ? ପୁଣି ଜଣେ ତଥାକଥିତ ଅସବର୍ଣ୍ଣ ଆଉ ଅକ୍ଷେତ୍ରୀୟ ପ୍ରତିଭା ପ୍ରତି ଅସୁରକ୍ଷିତ ଅସହିସ୍ନୁ ଭାବ । ଏହି ରାସ୍ତାରେ ପ୍ରତିବନ୍ଧକ ପ୍ରତିଯୋଗିତା କୁ ମୂଳରୁ ହିଁ ଛିନ୍ନ କରିବାର କ୍ରୁର ଉଦ୍ଦେଶ୍ୟ ନେଇ ଏଭଳି ପଦକ୍ଷେପ ନେଇଥିଲେ ବୋଲି ତାଙ୍କୁ ସମୀକ୍ଷା କରାଯାଏ । ସରଳ ନିଷ୍କପଟ ଏକଲବ୍ୟ ର ଗୁରୁ ଦକ୍ଷିଣା ଅପାତ୍ରରେ ଦାନ ଗଲା ଭଳି ଲାଗେ । ତା'ର ଗୁରୁ ଭକ୍ତି ଅନ୍ଧଭକ୍ତି ପରି ପ୍ରତୀତ ହୁଏ । ଅନ୍ଧଭକ୍ତି ହିଁ ମଣିଷ ର ହିତାହିତ ଜ୍ଞାନକୁ ଲୋପ କରିଦେଇଥାଏ । ଯେମିତି ଆଜିକାଲି ର ଅସାର ଧର୍ମ , ତଥାକଥିତ ଧାର୍ମିକ ବାବା , ରାଜନେତା , ଖେଳ ଆଉ ସିନେମା ତାରକାଙ୍କ ଅନ୍ଧଭକ୍ତଗଣ ତାଙ୍କର ଧାର୍ମିକ ବିଚାର , କଳ୍ପିତ ମହାମାନବ ର ସୁରକ୍ଷା ପାଇଁ ନୀରିହଙ୍କ ପ୍ରାଣ ନେବା କି ନିଜ ପ୍ରାଣବଳି ଦେବାକୁ ପଛାଉ ନାହାନ୍ତି ।  


   କୁହାଯାଏ ଏକଲବ୍ୟର ଏହି ମହତ୍ କାର୍ଯ୍ୟ ପାଇଁ ହିଁ ଆଜିଯାଏଁ ସେ ଚିରସ୍ମରଣୀୟ ହୋଇରହିଛି । କିନ୍ତୁ ଆଦର୍ଶଙ୍କ ସଂଶୟୀ ମନକୁ କଥାଟି ଆଜିକାଲିର ରାଜନେତା ଆଉ ଧାର୍ମିକ ମୌଳବାଦୀଙ୍କ ପ୍ରରୋଚନା ପରି ଲାଗେ । ପ୍ରରୋଚନାରେ ପଡ଼ି ପ୍ରାଣବଳି ଦେଇଥିବା ନିରୀହ ନିର୍ବୋଧ ମାନଙ୍କୁ ମରୋଣତ୍ତର ସମ୍ମାନ ଦେଇ ବା ତା'ର ପ୍ରତିମୁର୍ତ୍ତି କେଉଁ ଅଚିହ୍ନା ଅଜଣା ଛକ ବଜାରରେ ଠିଆ କରାଇ ନିଶାସକ୍ତ ନିଷ୍କ୍ରିୟ ଯୁବସମାଜକୁ ଭବିଷ୍ୟତରେ ନିଜ ସ୍ୱାର୍ଥର ଯଜ୍ଞରେ ବଳିପକାଇବା ପାଇଁ ଉତ୍ସାହିତ କରାଇବାର ଏ ଯେମିତି ଏକ ସୁଚିନ୍ତିତ ଅତୁଟ ଫାଶ । ଯେଉଁ ଏକଲବ୍ୟ ଭିତରେ ସେ ସମୟର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହେବାର ବା ବୀରତ୍ବ ବଳରେ ଏକ ନୂଆ ଯୁଗ ସୃଷ୍ଟି କରିବାର ସମସ୍ତ ସମ୍ଭାବନା ଥିଲା ସେ କେବଳ ଏହିଭଳି ଗୁରୁଦିବସରେ ଜଣେ ତଥାକଥିତ ଶ୍ରେଷ୍ଠ ଶିଷ୍ୟର ଗୋଟିଏ ମନମତାଣିଆ ଉଦାହରଣ ଆଉ ଦୟାର ପାତ୍ର ହୋଇ ରହିଗଲା ।  


   ଏସବୁ ଚିନ୍ତା ସାର୍ ଙ୍କ ମନକୁ ଆନ୍ଦୋଳିତ କରୁଥାଏ ଆଉ ସିଆଡ଼େ ସଭାରେ ଜଣେ ପରେ ଜଣେ ଶିକ୍ଷକ ଶିକ୍ଷୟିତ୍ରୀ ନିଜର ବକ୍ତବ୍ୟ ରଖୁଥାଆନ୍ତି । ଛାତ୍ର ଜୀବନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏ ଲମ୍ବା ଲମ୍ବା ଭାଷଣ ଶୁଣିବାର ଧୈର୍ଯ୍ୟ ତାଙ୍କର ବିଲକୁଲ୍ ନଥିଲା । କେବଳ ଏକଲବ୍ୟ ଆଉ ଆରୁଣୀ ନାମକ ଶିଷ୍ୟଙ୍କର ଗୁରୁଭକ୍ତିର ହୃଦୟସ୍ପର୍ଶୀ କାହାଣୀମାନ ସେ ମନଦେଇ ଶୁଣୁଥିଲେ । ଶିଷ୍ୟ ଆରୁଣୀ କଥା ମନେପଡ଼ିବା କ୍ଷଣି ସେ ପୁଣି କିଛି ସମୟ ହଜିଗଲେ ସେ କାହାଣୀଟିରେ । ଆଜି ବି ଆରୁଣୀର ଗୁରୁଭକ୍ତି ତାଙ୍କ ମନକୁ ଆନ୍ଦୋଳିତ କରେ ।


    ଅହରହ ବର୍ଷା ଯୋଗୁଁ ଶସ୍ୟ କ୍ଷେତର ଅବସ୍ଥା କ'ଣ ଦେଖିଆସିବାକୁ ଗୁରୁଙ୍କ ଆଦେଶ ପାଇ ପିଲାଟି କ୍ଷେତକୁ ଗଲା । ପହଞ୍ଚି ଦେଖିଲା କି ପ୍ରବଳ ବର୍ଷା ଯୋଗୁଁ ହିଡ଼ଟିଏ ଭାଙ୍ଗି ପାଣିର ସ୍ରୋତରେ ଫସଲ ନଷ୍ଟ ହେବାକୁ ବସିଛି । ପାରୁଯାଏଁ ସେ ଚେଷ୍ଟା କଲା ମାଟି ପକାଇ ଭାଙ୍ଗିଯାଇଥିବା ହିଡ଼କୁ ସଜାଡ଼ିବାକୁ । ହେଲେ ସ୍ରୋତର ପ୍ରଖରତା ଯୋଗୁଁ ତା'ର ସବୁ ପ୍ରୟାସ ଅସଫଳ ଗଲା । ଶେଷକୁ ଅନ୍ଯୋପାୟ ହୋଇ ସ୍ରୋତ ମୁହଁରେ ସେ ଶୋଇପଡ଼ିଲା ଫସଲକୁ ସୁରକ୍ଷା ଦେବା ଅଭିପ୍ରାୟରେ । ଜଣା ନାହିଁ କେତେ ସମୟ ସେ ସେମିତି ପଡ଼ିରହିଥିଲା ସେହି ଥଣ୍ଡା ପାଣିରେ ! ତାହା ସହ ଥମ୍ବୁନଥିବା ବର୍ଷା , ଥଣ୍ଡା ପବନ ପୁଣି ସାପ ଆଉ ହିଂସ୍ର ବନ୍ୟଜନ୍ତୁଙ୍କର ଭୟ ! ପିଲାଟିର ଦୃଢ଼ ସଂକଳ୍ପ ଆଉ ଗୁରୁଙ୍କ ପ୍ରତି ଗଭୀର ଭକ୍ତି‌ ନିଶ୍ଚୟ ତାକୁ ଶକ୍ତି ଯୋଗାଇଥିବ । ଏପଟେ ଆଶ୍ରମରେ ପିଲାଟିର ଫେରିବାର ବହୁ ବିଳମ୍ବ ଦେଖି ଚିନ୍ତିତ ଗୁରୁ ତାଙ୍କର କିଛି ଶିଷ୍ୟଙ୍କ ସହ ଖୋଜି ଖୋଜି ଆସି ଶେଷରେ ଆରୁଣୀକୁ ସେ ଶୋଚନୀୟ ପରିସ୍ଥିତିରୁ ଉଦ୍ଧାର କଲେ । ଆଜ୍ଞାବହ ଶିଷ୍ୟର ଗୁରୁଙ୍କ ପ୍ରତି ଅଶେଷ ଭକ୍ତି , ଉତ୍ସର୍ଗୀକୃତ ଆଉ ସମର୍ପଣ ଭାବ ଦେଖି ସଭିଏଁ ନିଶ୍ଚିତ ହତଚକିତ ହୋଇଥିବେ । ସେଦିନ ଆରୁଣୀ ଗୁରୁଙ୍କ ଆଶିର୍ବାଦରୁ ସର୍ବୋଚ୍ଚ ଜ୍ଞାନର ଅଧିକାରୀ ହେବା ସହ କାଳ କାଳକୁ ଅମର ହୋଇଗଲା । ଏହିଭଳି ଗୁରୁଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ଭାବର ଆଉ ଏକ କାହାଣୀ ତିବ୍ବତର ସିଦ୍ଧ ପୁରୁଷ ମିଲାରେପାଙ୍କୁ ନେଇ ମଧ୍ୟ ଅଛି । ନିଜର ଗୁରୁଭକ୍ତି ଆଉ ଗୁରୁଙ୍କ ଆଶିର୍ବାଦ ଯୋଗୁଁ ଜଣେ ଜଘଣ୍ଯ ହତ୍ୟାକାରୀ ରୁ ରୂପାନ୍ତରିତ ହୋଇ ଆଧ୍ୟାତ୍ମିକର ସର୍ବୋଚ୍ଚ ସ୍ଥିତିକୁ ସେ ହାସଲ କରିପାରିଥିଲେ । ସେହି କାହାଣୀଟି ମନେ ପକାଉ ପକାଉ ଆଦର୍ଶ ସାର୍ ଙ୍କୁ ଛାତ୍ରଛାତ୍ରୀଙ୍କ ପ୍ରତି କିଛି ଉପଦେଶ ସୂଚକ ଅଭିଭାଷଣର ରଖିବାକୁ ଡାକରା ମିଳିଲା । ( ପାଠକେ ମିଲାରେପାଙ୍କ ପୁରା କାହାଣୀଟି ଜାଣିବାକୁ ଇଛାକଲେ ୟୁଟ୍ୟୁବରେ ଏହି ଲିଙ୍କ୍ କୁ ଯାଇ ଦେଖିପାରିବେ https://youtu.be/7jsa49dZOZk ) ।


    ଚିନ୍ତାର ଗହଳିରୁ ନିଜକୁ ମୁକ୍ତକରି ମାଷ୍ଟ୍ରେ ପୋଡ଼ିଅମ୍ ପାଖରେ ଠିଆହେଲେ ଆଉ ମାଇକ୍ ର ମୁହଁକୁ ନିଜର ଉଚ୍ଚତା ଅନୁଯାୟୀ ତଳକୁ କଲେ । ପିଲାମାନେ ଏହା ପୂର୍ବରୁ ଦେଢ଼ ଘଣ୍ଟା ହେବ ଲମ୍ବା ଲମ୍ବା ଭାଷଣମାନ ଶୁଣିଆସୁଥିଲେ । ଆଉ ଭାଷଣ ଶୁଣିବାକୁ କାହାର ବି ତିଳେ ମାତ୍ର ଧୈର୍ଯ୍ୟ ନଥିଲା । କିନ୍ତୁ ମାଇକ୍ ମିଳିଛି ଯେତେବେଳେ ସୁଯୋଗ ହାତଛଡ଼ା କରିହେବନି । କେହି ଶୁଣନ୍ତୁ କି ନଶୁଣନ୍ତୁ ଭାଷଣ ଝାଡ଼ିବା ତାଙ୍କ କାମ । ରାଧାକ୍ରିଷ୍ଣନ୍ ଙ୍କ ଉପରେ କିଛି କହିଲେ ନାହିଁ କାରଣ ତାଙ୍କ ପୂର୍ବରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସେ ବିଷୟରେ ଅଳ୍ପ ବହୁତ କହିସାରିଥିଲେ । ପୁଣି ଆଗରୁ ସ୍ଥିର କରିଥିଲେ କି ସେ ବିଷୟରେ କିଛି କହିବେ ନାହିଁ । ତାଙ୍କ ପୂର୍ବରୁ ଜଣେ ଶିକ୍ଷକ ଏକଲବ୍ୟଙ୍କ ଗୁରୁଭକ୍ତି କଥା କହି ପିଲାଙ୍କୁ ଗୁରୁଭକ୍ତି ର ମହତ୍ତ୍ଵ ବିଷୟରେ ବୁଝାଇଥିଲେ । କେତେ କଥା ସେ ପୂର୍ବରୁ ଚିନ୍ତା କରିଥିଲେ ହେଲେ ଷ୍ଟେଜ୍ କୁ ଯାଇ ତାଙ୍କ ମୁଣ୍ଡକୁ କିଛି ଜୁଟିଲା ନାହିଁ । ଦ୍ରୋଣାଚାର୍ଯ୍ୟଙ୍କ ଗୁରୁପଣିଆ ଆଉ ଏକଲବ୍ୟ ର ଗୁରୁଭକ୍ତି କୁ ନେଇ ଯେଉଁ ସନ୍ଦେହ ଆଉ ପ୍ରଶ୍ନ ମନରେ ଥିଲା ସେହିସବୁ ଭାଷଣରେ ଝାଡ଼ିଲେ । ଆଗରୁ ସେସବୁ ବିଷୟରେ କୁହା ସରିଛି ତେଣୁ ପୁନଃ ଦୋହରାଇବାଟା ଅନାବଶ୍ୟକ ।


   ପିଲାଙ୍କର ତାଙ୍କ ତଥାକଥିତ ଗୁରୁଗମ୍ଭୀର ଭାଷଣରେ ବିଲକୁଲ୍ ଆଗ୍ରହ ନଥିଲା । ନିଜନିଜ ଭିତରେ କଥାବାର୍ତ୍ତାରେ ସେମାନେ ବ୍ୟସ୍ତ ଥିଲେ ଆଉ ତାଙ୍କର ଭାଷଣକୁ ବିଲକୁଲ୍ କାନ ଦେଉନଥିଲେ । ଗୁରୁ ଦିବସରେ ପିଲାଙ୍କ ଏଭଳି ବ୍ୟବହାର ଦେଖି ମାଷ୍ଟ୍ରେ ମନେ ମନେ ବଡ଼ ବିରକ୍ତ ହେଲେ । ସେ ବିରକ୍ତି ଭାବ ତାଙ୍କ ଭାଷଣରେ ପ୍ରତିଫଳିତ ହେଲା । ଦ୍ରୋଣାଚାର୍ଯ୍ୟଙ୍କ ଗୁରୁପଣିଆ ସହ ଆଜିକାଲି ର ଶିକ୍ଷକଙ୍କୁ ତୁଳନା କରି କହିଲେ କି ଦ୍ରୋଣାଚାର୍ଯ୍ୟ ତାଙ୍କର ପ୍ରିୟ ଶିଷ୍ୟ ଅର୍ଜୁନଙ୍କୁ ଶ୍ରେଷ୍ଠ ଧନୁର୍ଦ୍ଧର କରିବା ଅଭିପ୍ରାୟରେ ନୀରିହ ନିଷ୍କପଟ ଏକଲବ୍ୟ ର ବୃଦ୍ଧା ଆଙ୍ଗୁଠି କାଟିନେଲେ । ହେଲେ ଆଜିର ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କର ପ୍ରୀୟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ପ୍ରତିଯୋଗିତାରେ ସଫଳ କରାଇବା ପାଇଁ ନାନାଦି ଅସତ ଉପାୟ ନିଶଙ୍କୋଚରେ , ବିନା ଅନୁଶୋଚନାରେ ଆପଣାଇ ନେଉଛନ୍ତି । ଏହାଦ୍ବାରା ସେମାନେ ନିଜ ପ୍ରୀୟ ଅର୍ଜୁନମାନଙ୍କ ମନ ହୃଦୟକୁ କଳୁଷିତ ଭ୍ରଷ୍ଟ କରିବା ସହ କେତେ ଅଜଣା ଏକଲବ୍ୟ ର ଭବିଷ୍ୟତକୁ ଅନ୍ଧକାରଛନ୍ନ କରୁଛନ୍ତି । ପୁଣି ଯେଉଁ ଛାତ୍ରଛାତ୍ରୀମାନେ ସାମାନ୍ୟ କିଛି ମାର୍କ ପାଇଁ ବା ମିଛ ମେଡାଲ୍ ଟିଏ ହାସଲ କରିବା ଲୋଭରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ସେଭଳି ସାହାଯ୍ୟ ଲୋଡୁଛନ୍ତି ସେମାନଙ୍କର ଗୁରୁ ଭକ୍ତି ଏକଲବ୍ୟ ର ଅନ୍ଧଭକ୍ତି ତୁଲ୍ୟ । ସେମାନଙ୍କର ଏ ଅନ୍ଧଭକ୍ତି ସେମାନଙ୍କୁ ଭବିଷ୍ୟତରେ ସଶକ୍ତ ନୁହେଁ ବରଂ ପଙ୍ଗୁ ଅଥର୍ବ କରାଇବ । ତେଣୁ ପିଲାଏ ଜିଜ୍ଞାସୁ ହୁଅ ବା ଜାଣିବାର ଇଚ୍ଛାକୁ ପ୍ରବଳ କର । ବୈଜ୍ଞାନିକ ମନୋବୃତ୍ତି ରଖ ଆଉ ସବୁ କଥାକୁ ଭଲ ଭାବେ ପରୀକ୍ଷା ନିରୀକ୍ଷା କରି ଗ୍ରହଣ କର ।


   ଏସବୁ କଥା ସିନା ସେ ଏକା ନିଃଶ୍ୱାସରେ କହିଗଲେ କିନ୍ତୁ ଯେଉଁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହୁଥିଲେ ସେମାନେ କିଛି ଶୁଣିଲା କି ବୁଝିଲା ଭଳି ଲାଗୁନଥିଲେ । ବରଂ ତାଙ୍କ ଭାଷଣ ଶୁଣି କିଛି ଶିକ୍ଷକ ଶିକ୍ଷୟିତ୍ରୀ ଅସହଜ ବୋଧ କଲେ ବୋଲି ଲାଗିଲା । ପରେ ସେ କଥାକୁ ନେଇ ଆଲୋଚନା ହେଲା ଆଉ କିଛି ଜଣ ଧରିନେଲେ କି ସେ କୌଣସି ନିର୍ଦ୍ଦିଷ୍ଟ ଶିକ୍ଷକ ବା ଶିକ୍ଷୟତ୍ରୀଙ୍କୁ ଦୃଷ୍ଟିରେ ରଖି ବା ଇଙ୍ଗିତ କରି କହିଛନ୍ତି । ମୁଁ ଯେତିକି ଆଦର୍ଶ ସାର୍ ଙ୍କୁ ଜାଣିଛି ତାଙ୍କ ମନହୃଦୟରେ କାହା ପ୍ରତି ବିଶେଷ ଇର୍ଷା ଘୃଣା ବା ତିକ୍ତତା ଥିଲା ଭଳି ଲାଗେନି । ତା ମାନେ ନୁହେଁ ସେ ଏସବୁରୁ ଉର୍ଦ୍ଧ୍ବରେ । କିନ୍ତୁ ଯେବେ ବି ଯାହା ସହ ତାଙ୍କର ଯୁକ୍ତିତର୍କ ମନୋମାଳିନ୍ଯ ହୁଏ ତାହା ମୁଖ୍ୟତଃ ବିଚାରଧାରାକୁ ନେଇ । କୌଣସି ବ୍ୟକ୍ତିଗତ ସ୍ୱାର୍ଥର ହାନୀ ଯୋଗୁଁ ବା ଅହଂକାର ବଶତଃ ବୋଲି ଲାଗେନି । ହେଇପାରେ ତାଙ୍କୁ ମୁଁ ଠିକ୍ ସେ ଜାଣିନାହିଁ । ଆପଣଙ୍କୁ ଲାଗିପାରେ କି ଲୋକଟାର ସପକ୍ଷରେ ଏ ଲେଖକ ଓକିଲାତି କରୁଛି । କିନ୍ତୁ ଯେତିକି ତାଙ୍କୁ ଜାଣିଛି ସେହି ହିସାବରେ ଚେଷ୍ଟା କରିଛି ତାଙ୍କ ପକ୍ଷ ନନେଇ କେବଳ ତାଙ୍କ ବିଚାରକୁ ପ୍ରକାଶ କରିବାକୁ । 


    ଶିକ୍ଷକ ଜଣକ କୋମଳ ହୃଦୟର ଆଉ ଗୋଟେ ଛୋଟ ପିଲାଟିଏ ପରି ସରଳ ନିଷ୍କପଟ ଲାଗନ୍ତି । କପଟତା , ଛଳନା , ମିଥ୍ଯାଚାର , ଚୁଗୁଲିଆମୀ , ଦୁର୍ନୀତି ଆଉ ପ୍ରାଧାନ୍ୟତା ଜାହିର କଲା ଭଳି ଗୁଣକୁ ସେ କେବେ ହଜମ କରିପାରନ୍ତି ନାହିଁ । ଗୋଟିଏ ପଟେ ପିଲାଙ୍କୁ ନୈତିକତା ର ପାଠ ପଢ଼େଇ ଅନ୍ଯପଟେ ନିଜର ଗୁରୁତ୍ୱ ବଜାୟ ରଖିବା ପାଇଁ କୁତ୍ସିତ ରାଜନୀତି ଖେଳିବା , ଅନ୍ୟକୁ ନ୍ଯୁନ ଚକ୍ଷୁରେ ଦେଖିବା ଆଉ ନିଜର ଶ୍ରେଷ୍ଠତା ପ୍ରତିପାଦିତ କରିବା ଭଳି ଗୁଣ ସବୁକୁ ସେ ଘୃଣା କରନ୍ତି । ଏହିସବୁ ଦେଖି ତାଙ୍କ ବିଦ୍ରୋହୀ ପ୍ରାଣ କେବେ କେବେ ସହି ନପାରି ଚିତ୍କାର କରିଉଠେ । ସେଦିନର ସେ ଭାଷଣ ତଥାକଥିତ ଗୁରୁପଣିଆ ଆଉ ଛଳନା ବିରୁଦ୍ଧରେ ତାଙ୍କ ବିଦ୍ରୋହୀ ପ୍ରାଣର‌ ଏକ ସାମାନ୍ୟ ଚପା ଚିତ୍କାର ହିଁ ଥିଲା । କେବଳ କିଛି ଲୋକ ହୁଏତ ତା'ର ଭାବ ବୁଝିପାରିଥିବେ କିନ୍ତୁ ବାକି ତାଙ୍କୁ ପାଗଳ ଭାବି ଅଣଦେଖା କରିଥିବେ ।


   କହିବାର ଜିଦ୍ ରେ ଯାହା କହିବା କଥା ଆଉ ନକହିବା କଥା କହି ତ ଦେଲେ ହେଲେ ପରେ ଦିନଟି ଯାକ , ରାତିତମାମ ସେ ସେହି ସେହି କଥା ଭାବିଭାବି ଶୋଇପାରିଲେ ନାହିଁ । ନୀରିହ ନିଷ୍ପାପ ପିଲା ଯାହାଙ୍କ ସ୍ୱରକୁ ଅନୁଶାସନ , ନୈତିକତା , ପାଠ ଆଉ ପରୀକ୍ଷା ନାମରେ ନାଲି ଆଖି ଦେଖାଇ ଦବାଇ ଦିଆଯାଇଛି । ସେଇମାନଙ୍କୁ ନଶୁଣି ସେମାନଙ୍କୁ ସ୍ୱରକୁ ନିର୍ଭୟରେ ପ୍ରକାଶ କରିବାର ସାହାସ ନଦେଇ ଅସାର ଉପଦେଶ ବାଣୀ ଶୁଣାଇଥିବାରୁ ସେ ବଡ଼ ଅପରାଧବୋଧ କଲେ । ନିଜ ଶିକ୍ଷକପଣିଆକୁ ସେ ଧିକ୍କାର କଲେ ! ମନେ ମନେ ପଣ କଲେ କି ସେ ଆଉ କେବେ ବି ପିଲାଙ୍କୁ ସେଭଳି ତୁଚ୍ଛ ଭାଷଣ ଶୁଣାଇବେ ନାହିଁ । ବରଂ ସେମାନଙ୍କୁ ଶୁଣିବେ ଆଉ ବୁଝିବାକୁ ସତ୍ ଚେଷ୍ଟା କରିବେ । ଶୁଣିବାର କଳା ପ୍ରଥମେ ତାଙ୍କୁ ହିଁ ଶିଖିବାକୁ ହେବ...। ଭାଷଣ ଦେବା ଲୋକଙ୍କର ତ ଅଭାବ ନାହିଁ ହେଲେ ଶୁଣିବା ଲୋକ ବିରଳ । ସେ ସେହି ବିରଳ ପ୍ରଜାତିର ହୋଇ ରହିବାକୁ ପସନ୍ଦ କରିବେ ।







Rate this content
Log in

Similar oriya story from Drama