Prashantam Bapu

Inspirational Others

4.3  

Prashantam Bapu

Inspirational Others

ଶିକ୍ଷା ଆଉ ଶିକ୍ଷକଙ୍କ ବିଷୟରେ

ଶିକ୍ଷା ଆଉ ଶିକ୍ଷକଙ୍କ ବିଷୟରେ

7 mins
255



ଦିନେ ଗୋଟିଏ ସ୍କୁଲର ଷ୍ଟାଫ୍ କମନ୍ ରୁମ୍ ରେ କିଛି ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମଧ୍ୟରେ କଥା ପଡ଼ିଥିଲା କି ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ଜୀବନ କାଳରେ କାହିଁ କେତେ ପିଲାଙ୍କୁ ଶିକ୍ଷା ଦେଇ ମଣିଷ କରିଛନ୍ତି ସେମାନଙ୍କ ନିଜର ସନ୍ତାନ ସନ୍ତତି ବିପଥଗାମୀ ହେବାର କାହିଁକି ଦେଖାଯାଉଛି ?


ଶିକ୍ଷକ ବା ସେହି ପରିବାରରୁ ଆସିଛୁ ବୋଲି ନୁହେଁ କି ଆମେ ତା'ର ସଠିକ୍ ଜବାବ୍ ଦେଇ ପାରିବା ବରଂ ଏଭଳି ପ୍ରଶ୍ନକୁ ଆତ୍ମସମ୍ମାନ ଆଉ ଯୋଗ୍ୟତା ପ୍ରତି ଏକ ବିଦୃପ ଭଳି ଦେଖାଯାଇପାରେ । ସେଇଆ ହିଁ ହେଲା ପ୍ରଶ୍ନ କର୍ତ୍ତାଙ୍କ ବିରୁଦ୍ଧରେ ଗୋଟିଏ ନିର୍ଦିଷ୍ଟ ଅଞ୍ଚଳରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମିଳିତ ହୋଇ ପାଲଟା ଆକ୍ରମଣ କଲେ । ସେମାନେ ପ୍ରମାଣିତ କରିବାକୁ ଚାହୁଁଥିଲେ କି ଆମ ଅଞ୍ଚଳର ଶିକ୍ଷକ ମାନଙ୍କ ପିଲାଛୁଆ ଅତିବ ସଂସ୍କାରୀ , ସଚ୍ଚୋଟ ଆଉ ସଫଳ କାରଣ ଆମ ଅଞ୍ଚଳର ଲୋକେ ବା ଆମେ ସବୁ ସଚ୍ଚୋଟ । ସେମାନଙ୍କ ଦୃଷ୍ଟିରେ ଏଇ ଯେଉଁ ସମସ୍ୟା ଟି କଥା ପଡ଼ିଛି ତାହା କେବଳ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳ ପାଇଁ ପ୍ରଯୁଜ୍ୟ । ସେଠାର ଖାଲି ଶିକ୍ଷକ ନୁହେଁ ବରଂ ସର୍ବସାଧାରଣ ଦୁର୍ନୀତିଗ୍ରସ୍ତ , ଚୋର , ଖଣ୍ଟ୍ ଆଉ ବଦମାସ୍ ତେଣୁ ସେମାନଙ୍କ ଛୁଆ ବି ସେହି ରାସ୍ତାକୁ ଅନୁସରଣ କରୁଛନ୍ତି । ଆମ ଏପଟର ଲୋକ ପ୍ରାୟତଃ ଦୁର୍ନୀତି କରିବାକୁ ଭୟ କରନ୍ତି ( କହିବାର କଥା ଦୁର୍ନୀତି କରିବାର ଇଛା ସତ୍ୱେ ସାହସ ଅଭାବରୁ କରିପାରନ୍ତି ନାହିଁ ) ।


ମଣିଷର ମନ ବି ବଡ଼ ବିଚିତ୍ର ସବୁ କଥାରେ ସେ ନିଜକୁ କେନ୍ଦ୍ର ବୋଲି ଭାବିନିଏ । ପୂର୍ବାଗ୍ରହ ଧାରଣା ଦ୍ୱାରା ଗ୍ରସିତ ମନ ଯେ କୌଣସି ପ୍ରଶ୍ନକୁ ନିଜ ଉପରକୁ ଏକ ଆକ୍ରମଣ ଭାବେ ଦେଖେ । ପକ୍ଷ୍ଯପାତୀ ମନ ସାମାନ୍ୟ କଥାରେ self defence mode କୁ ପଳେଇ ଆସେ ଆଉ କାଳବିଳମ୍ବ ନକରି ନିଜ ସୁରକ୍ଷା ପାଇଁ ପ୍ରତିରୋଧ ପ୍ରତିଆକ୍ରମଣ କରିବାକୁ ତତ୍ପର ହୋଇଉଠେ । ତା'ର ଦୃଢ଼ ବିଶ୍ୱାସ ଯେ ଏ ସଂସାରରେ ସେ ଆଉ ତା'ର ପିତାମାତା ସନ୍ତାନ ସନ୍ତତି ସମସ୍ତେ ସତ୍ଯ ପଥର ଯାତ୍ରୀ , ବଡ଼ ସଂସ୍କାରୀ , ସଚ୍ଚୋଟ , ଗୁଣବାନ ଆଉ ନିଷ୍ଠାପର ।


ନିଜର ବ୍ୟକ୍ତିଗତ ବ୍ୟର୍ଥତା ଅସଫଳତା ଯୋଗୁଁ ହେଉ ବା ତଥାକଥିତ ବିକାଶ ପଥରେ ନିଜ ଅଞ୍ଚଳକୁ ପଛୁଆ ଆଉ ଅନଗ୍ରସର ବୋଲି ପରିଗଣିତ କରୁଥିବା ଯୋଗୁଁ ହେଉ କିଛି ଲୋକଙ୍କ ଭିତରେ ଏକ ବଦ୍ଧ ମୂଳ ଧାରଣା ଦୃଢ଼ ହେଇଯାଏ କି ସେମାନେ ତାଙ୍କ କଳ୍ପିତ ଶତ୍ରୁ ଦ୍ୱାରା ପିଡୀତ । ସେମାନଙ୍କ ଅନଗ୍ରସରତାର ମୁଖ୍ୟ କାରଣ ତାଙ୍କର ସରଳତା ସଚ୍ଚୋଟତା ସହିତ ପଡ଼ୋଶୀ ଜିଲ୍ଲା ରାଜ୍ୟ ବା ଦେଶର ଲୋକଗୁଡ଼ାକଙ୍କର ଦୁର୍ନୀତି ଆଉ ଦାଦାଗିରି । ଜଣେ ବ୍ୟକ୍ତିଗତ ଭାବେ ପ୍ରଚେଷ୍ଟା ନକଲେ ଏଭଳି ଅଜ୍ଞାନତା ବା କୁପମଣ୍ଡୁକ ଦୃଷ୍ଟିକୋଣକୁ ବଦଳାଇବା ମୁସ୍କିଲ୍ । ଚରିତ୍ର କ'ଣ ଏକ ପ୍ରାକୃତିକ ସଂଗ୍ରହିତ ବସ୍ତୁ ଯାହା କେବଳ କିଛି ଅଞ୍ଚଳ ଭିତରେ ସିମୀତ ହୋଇ ଥାଏ ? ଭଲ ଖରାପ୍ କେଉଁଠି ନାହାଁନ୍ତି ? ଟିକିଏ ଆତ୍ମସମୀକ୍ଷା କଲେ ଆଉ ନିଜ ଚର୍ତୁପାଶ୍ୱରେ ଆଖି ବୁଲେଇ ଆଣିଲେ ଆମେ ପ୍ରକୃତରେ କେତେ ଯେ ସଚ୍ଚୋଟ ଆଉ ଦୁର୍ନୀତିମୁକ୍ତ ଜଣା ପଡ଼ିଯିବ । ନିଜ ସ୍ୱାର୍ଥ ସିଦ୍ଧି ବେଳେ କୁଆଡ଼େ ଯାଏ ମଣିଷର ସଚ୍ଚୋଟତା ଆଉ ସରଳତା ? ଟିକିଏ ସ୍ୱାର୍ଥ ହାନି ହେଲେ ପଡ଼ୋଶୀ ରାବଣ ତୁଲ୍ୟ ଦେଖାଯାଏ ଆଉ ସ୍ୱୟଂକୁ ସ୍ୱଘୋଷିତ ରାମଚନ୍ଦ୍ର ବା ପୀଡ଼ିତା ସୀତା ଦୃଷ୍ଟିରେ ଦେଖନ୍ତି । ସବୁବେଳେ ପଡ଼ୋଶୀ ବା ବାହାର ଲୋକ ପ୍ରକୃତ ଶତ୍ରୁ ନୁହେଁ । ଶତ୍ରୁ ତ ଆମ ଭିତରେ ଆମ ପରିବାରରେ ଆଉ ଆଖ ପାଖରେ ଥାଆନ୍ତି । ନିଜ ଅହଂକୁ ଖୁସିକରିବାକୁ ଯାଇ ଅନ୍ଯ ମୁଣ୍ଡରେ ଦୋଷ ଲଦି ଦେଇ ଅନ୍ଯକୁ ଶତ୍ରୁର ଆକ୍ଷା ଦେଇ ଦେଇ କ'ଣ ପ୍ରକୃତ ସମସ୍ଯାରୁ ମୁକ୍ତି ମିଳିଯିବ ? 


ମୁଖ୍ୟ ବିଷୟକୁ ଫେରି ଆସିବା କି ଶିକ୍ଷକମାନଙ୍କ ସନ୍ତାନ ସନ୍ତତି କାହିଁକି ତାଙ୍କ ଜୀବନରେ ଅସଫଳ ଆଉ ବିପଥଗାମୀ ହେବାର ଦେଖାଯାଆନ୍ତି ? ପ୍ରଥମ କଥା ହେଲା ଏଇ ବିଷୟରେ କେହି ବିଧିବଦ୍ଧ ଭାବେ ଗବେଷଣା କରିବାର ଜଣାନାହିଁ । ଆମ ସମାଜରେ ଅନ୍ଯ ବୃତ୍ତିରେ ଥିବା ଲୋକଙ୍କ ତୁଳନାରେ ଜଣେ ଶିକ୍ଷକର ସାମାନ୍ୟତମ ତ୍ରୁଟି ଲୋକଙ୍କୁ ଜଳ ଜଳ କରି ଦେଖାଯାଏ । ଶିକ୍ଷକଙ୍କ ଉପରେ ଏ ସମାଜର ସବୁବେଳେ ତୀକ୍ଷ୍ଣ ଦୃଷ୍ଟି ସହ ଉଚ୍ଚ ଆକାଂକ୍ଷା ରହିଆସିଛି । ତାଙ୍କ ଭିତରେ ବା ତାଙ୍କ ପିଲାଙ୍କ ଭିତରେ ଟିକିଏ ବି ଦୋଷ ଦୁର୍ବଳତା ଲକ୍ଷ୍ୟ କଲେ ସଙ୍ଗେ ସଙ୍ଗେ ସେ ସମାଲୋଚନାର ପାତ୍ର ହୁଅନ୍ତି କି ନିଜ ପିଲାଙ୍କୁ ଯେ ଭଲ ଶିକ୍ଷା ସଂସ୍କାର ଦେଇ ପାରିଲାନି ସେ କି ପ୍ରକାର ଶିକ୍ଷକ ବା ସେ ଛାତ୍ରଛାତ୍ରୀଙ୍କୁ କି ଶିକ୍ଷା ଦେବେ ? ଶିକ୍ଷକଙ୍କ ପ୍ରତି ସାମାଜର ଏହି ଉଚ୍ଚ ଆକାଂକ୍ଷା ବା ଚାପ ନିଶ୍ଚୟ ପ୍ରତ୍ୟେକ ଶିକ୍ଷକ , ତାଙ୍କ ପରିବାର ଲୋକେ ମୁଖ୍ୟତଃ ତାଙ୍କ ପିଲାମାନେ ଅନୁଭବ କରୁଥିବେ । ଏ ସାମାଜିକ ଦୃଷ୍ଟିଭଙ୍ଗୀକୁ ବଦଳାଇବା ବଡ଼ କଠିନ । 


ଶିକ୍ଷକଙ୍କ ପ୍ରତି ଏ ଅହେତୁକ ଅବାସ୍ତବ ଆକାଂକ୍ଷାର ଚାପ କିଛି ବ୍ୟଥିତ ଶିକ୍ଷକ ବାପାମା ଜାଣଅଜାଣତରେ ତାଙ୍କ ପିଲାଙ୍କ ଉପରେ ଲଦୁଥିବେ । ତାଙ୍କ ଚାଳିଚଳନ ଆଚାର ବ୍ୟବହାରକୁ ସମାଜ ଚାହିଦା ଅନୁଯାୟୀ ବା କଳ୍ପିତ ଆଦର୍ଶ ଢାଞ୍ଚାରେ ପକାଇବାକୁ ଭରପୁର ପ୍ରୟାସ କରାଯାଏ । ପିଲାଟିକୁ ସଜାଡି଼ବାକୁ ସମସ୍ତେ ଯେମିତି ନିଜର ନୈତିକ ଦାୟିତ୍ବ ବୋଲି ଧରିନିଅନ୍ତି । ସୁଧାରିବା ବା ଠିକ୍ କରି ଗଢ଼ିବା ଅଭିଯାନରେ ନିଷ୍ପାପ ଶିଶୁର ନିଜସ୍ଵତା ସୃଜନଶୀଳତାକୁ ମାଡ଼ିମକଚି ଦିଆଯାଏ । ପିଲାଟି ବଡ଼ ହୋଇ ତା ପ୍ରତି ହୋଇଥିବା ଅନ୍ୟାୟ ଅବିଚାର ପ୍ରତି ହୁଏତ ବିଦ୍ରୋହ କରେ ନହେଲେ ନିରୀହ ଆଜ୍ଞାଧୀନ ଗଧଟିଏ ହୋଇ ରହିଯାଏ ।


ଜଣେ ଶିକ୍ଷକତାକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି ବୋଲି ସେ ଯେ ଜଣେ ସଦାଚାରୀ ହୋଇଥିବେ ଏହା ଧରିନେବା ଭୁଲ୍ । ସଦାଚାର ଖାଲି ଶିକ୍ଷକତା ପାଇଁ ନୁହେଁ ବରଂ ପ୍ରତ୍ୟେକ ବୃତ୍ତି ପାଇଁ ଆଦର୍ଶ ହେବା କଥା । ଜଣେ ସଚ୍ଚୋଟତାର ଶିକ୍ଷା କେଉଁଠି ପାଇବ ? ଯେଉଁଠି ପିଲାଟି ଦିନରୁ ଜଣେ ଦେଖି ଆସିଛି କି ତା' ସାମାଜ , ସଭ୍ୟତା ଆଉ ଇତିହାସ ସବୁ ମିଥ୍ୟା ଆଉ ପ୍ରତାରଣା ରେ ଗଢ଼ା । ଏଠି ଜୀବନ ର ସବୁ କ୍ଷେତ୍ରରେ ତଣ୍ଟିକଟା ପ୍ରତିଯୋଗିତା , ପଢ଼ିବା ପାଇଁ ଭଲ ସ୍କୁଲ ଟିଏ ଠୁଁ ଆରମ୍ଭ କରି କଲେଜ୍ , ବିଶ୍ୱବିଦ୍ୟାଳୟ , ସରକାରୀ କାର୍ଯ୍ୟାଳୟ ପୁଣି ଚାକିରି , ପ୍ରେମ , ବିବାହ , ପଦମର୍ଯ୍ୟାଦା ଏମିତିକି ଗମନାଗମନ , ମେଡିକାଲ୍ ଶେଷରେ ମଶାଣି ରେ ବି ଲମ୍ବା ଲାଇନ୍ । ବିଦ୍ଯାଳୟର ପ୍ରାର୍ଥନାରେ ସେ ଗାଉଥିବା " ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି " କେବଳ ଏକ ଫମ୍ପା ଆଦର୍ଶ । ଅପ୍ରିୟ ବାସ୍ତବତା ଟି ହେଲା କି ଆଜିକା ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଛୋଟମୋଟ ମିଥ୍ୟା ଆଉ ଠକାମୀ ର ଆଶ୍ରା ନନେଇ ଶିକ୍ଷକତା ବି କରିବା ବଡ଼ କାଠିକର ପାଠ ।  


ହୁଏତ କେବେ କେଉଁ ସମୟରେ କିଛି ଚରମ ଆଦର୍ଶବାଦୀ ଶିକ୍ଷକଙ୍କ ପାଇଁ ଶିକ୍ଷକତା ଏକ ବୃତ୍ତି ନଥିଲା ବରଂ ଜ୍ଞାନ ଅର୍ଜନ କରିବା ସହ ତାକୁ ପର ପିଢ଼ିକୁ ହସ୍ତାନ୍ତର କରିବା ଥିଲା ଶିକ୍ଷାର ମୂଳ ଲକ୍ଷ୍ୟ । ଆଜିକା ସମୟରେ ମୋଟା ଅଙ୍କର ମନଲୋଭା ଚାକିରି ପ୍ରତି ଆଶା ନରଖି କେବଳ ଶିକ୍ଷକ ହେବାର ଏକାନ୍ତ ଲକ୍ଷ୍ୟ ନେଇ କେତ ଜଣ ଶିକ୍ଷକ ହେବାକୁ ଆଗେଇ ଆସନ୍ତି ? କେତେ ଜଣ ପିତାମାତା ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କର ଭଲ ପଢୁଥିବା ପିଲା ବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ହେବାକୁ ପ୍ରେରଣା ଦିଅନ୍ତି ? ଆଦର୍ଶ ଶିକ୍ଷକ ନିର୍ମାଣ କରିବାକୁ ଆମ ସରକାର , ସମାଜ କେତେ ଗୁରୁତ୍ୱ ଦିଏ , ଆନ୍ତରିକତା ଦେଖାଏ ଆଉ ଏହା ପଛରେ କେତେ ଅର୍ଥ ନିବେଶ ହୁଏ ? ଯେଉଁଠି ଗୋଟିଏ କ୍ଷେତ୍ରରେ ଆମର ସବୁ ଦୃଷ୍ଟିରୁ ନିବେଶ ଶୁନ୍ ସେଇଠି ଆମର ଏତେ ଉଚ୍ଚାକାଂକ୍ଷା କାହିଁକି ? ଶିକ୍ଷକ ଜଣେ ରାଷ୍ଟ୍ରପତି ହେବା ରାଜନେତା ହେବା ଅନ୍ୟାନ୍ୟ ତଥାକଥିତ ବଡ଼ ବଡ଼ ପଦବୀ ହାସଲ କରିବାର ଦୃଷ୍ଟାନ୍ତ ତ ଖୋଜିଲେ ଅସଂଖ୍ୟ ମିଳିଯିବ ହେଲେ ରାଷ୍ଟ୍ରପତି ବା ଅନ୍ୟାନ୍ୟ ବଡ଼ ବଡ଼ ପଦବୀକୁ ଭୁକ୍ଷେପ କରି ଶିକ୍ଷକ ହେବାର ଦୃଷ୍ଟାନ୍ତ କେତେଟା ମିଳିବ ? 


ଅଧିକାଂଶ ଲୋକଙ୍କ ଧାରଣା ଶିକ୍ଷକତା ମୁଖ୍ୟତଃ ସରକାରୀ ଶିକ୍ଷକ ଚାକିରୀ ଏକ ରଜା ଚାକିରୀ କାରଣ ଏଥିରେ ମାସ ମାସ ଛୁଟି ସହ ଦିନ ଦଶଟାରେ ଘରୁ ବାହାରି ଚାରିଟା ବେଳେ ଘରେ ପହଞ୍ଚ । ଚାକିରୀ ସହ ଛୋଟମୋଟ ବ୍ୟବସାୟ ଚଳାଇବା ସହ ଚାଷବାସ କଥା ବି ବୁଝିହୁଏ । ମୋଟାମୋଟି ଏକ ଆରାମଦାୟକ ଜୀବନ ମିଳେ ଏହା ସହ ଅଣ୍ଡା ଚାଉଳ ବି ତ ଅଛି । ଲୋକଙ୍କ କଥା ଛାଡ଼ନ୍ତୁ ଏ ଲେଖକ ଆଜିଯାଏଁ ଯେତେଜଣ ଶିକ୍ଷକଙ୍କ ସଂସ୍ପର୍ଶରେ ଆସିଛି ତାଙ୍କ ମଧ୍ୟରୁ ହାତଗଣତି କେତେ ଜଣଙ୍କୁ ଛାଡ଼ିଦେଲେ ଅଧିକାଂଶଙ୍କ ପାଇଁ ଶିକ୍ଷକ ବୃତ୍ତି କୁ ଆଦରି ନେବା ପଛରେ ମୁଖ୍ୟ ଆକର୍ଷଣ ଟି ହେଲା ଏକ ଆରାମଦାୟକ ଜୀବନ ଅତିବାହିତ କରିବାର ଲାଳସା । ଉଚ୍ଚ ଅଭିଳାଷା ରଖୁଥିବା ବ୍ୟକ୍ତି ଜଣେ କେବଳ ପରିସ୍ଥିତି ରେ ପଡ଼ି ଶେଷ ବିକଳ୍ପ ଭାବେ ଶିକ୍ଷକତା ବୃତ୍ତିକୁ ବାଛି ନେବାକୁ ବାଧ୍ୟ ହୋଇଥାଏ । ଏଇଆ ଭାବି କି ଚାକିରିରେ ରହି ଅନ୍ୟାନ୍ୟ ବଡ଼ ଚାକିରି ପାଇଁ ପ୍ରସ୍ତୁତି କରିବାକୁ ଭରପୁର ସମୟ ମିଳିଯିବ । ଯାହା ପାଖରେ ସମୟ ଅଛି ସେ କେମିତି I.A.S ,OAS , OES ଆହୁରି କେତେ ବଡ଼ ବଡ଼ ଚାକିରି ହାସଲ କରିବେ ସେଥିପାଇଁ ସ୍ୱପ୍ନ ଦେଖେ । ବଡ଼ ପଦବୀ ପାଇଁ ସ୍ୱପ୍ନ ଦେଖିବା ବା ଉଚ୍ଚ ଆକାଂକ୍ଷା ଦୋଷାବହ ନୁହେଁ ବରଂ କହିବା କଥା ହେଲା ଶିକ୍ଷକତା ଏମାନଙ୍କର ଜୀବନର କେବେ ବି ଏକାନ୍ତ ଲକ୍ଷ୍ୟ ନଥିଲା ବରଂ ପରିସ୍ଥିତି ରେ ପଡ଼ି ଆଦରି ନେଇଛନ୍ତି । ଏଇ ଲେଖକ ଟି ମଧ୍ୟ ଏହି ଶ୍ରେଣୀର ଶିକ୍ଷକ ଙ୍କ ମଧ୍ୟରୁ ଜଣେ ଯେ କି ନିଜ ପ୍ରକୃତ ସ୍ୱପ୍ନ ରାଇଜରେ ଅନିଶ୍ଚିତ ଅସୁରକ୍ଷିତ ବୋଧ କରିବା ଫଳରେ କକ୍ଷଚ୍ଯୁତ ହୋଇ ଏକ ତଥାକଥିତ ଆରାମଦାୟକ ସୁରକ୍ଷିତ ବଳୟ ଆଶାରେ ଶେଷ ବିକଳ୍ପ ହିସାବରେ ଶିକ୍ଷକତା ବୃତ୍ତିକୁ ଆଦରି ନେଇଛି ।


ଯେଉଁଠି ଅଧିକାଂଶ ଶିକ୍ଷକଙ୍କ ପାଇଁ ଶିକ୍ଷକତା ପରିସ୍ଥିତିରେ ପଡ଼ି ବାଛିଥିବା ଶେଷ ବିକଳ୍ପ ସେଇଠି ସ୍ୱତଃ ମନକୁ ପ୍ରଶ୍ନ ଆସେ କି ଶିକ୍ଷକତା ପାଇଁ ଯେଉଁ ମାନସିକ ପ୍ରସ୍ତୁତି ଆବଶ୍ୟକ ତାହା କେତେ ଜଣ ଶିକ୍ଷକଙ୍କ ଭିତରେ ଅଛି ? ନିଜ ବୃତ୍ତିକୁ ଆମେ ପ୍ରକୃତ ନ୍ୟାୟ ଦେଉଛନ୍ତି କି ନାହିଁ ତାହା ନିଜେ ନିଜକୁ ଅନୁଶିଳନ କଲେ ଜାଣିପାରିବା । ଆଉ ଗୋଟେ ପଟେ ଅଛି ଆମର ବିବାଦୀୟ ଶିକ୍ଷା ବ୍ୟବସ୍ଥା , ବିବିଧତା ପୂର୍ଣ୍ଣ ପରିବେଶ ସହ ଅଭିଭାବକଙ୍କ ସଚେତନତାର ଘୋର ଅଭାବ । ସବୁକୁ ଏକାଠି ଥୋଇ ଦେଖିଲେ ଲାଗୁଛି ଯେମିତି କାହା ସହ କାହାର ତାଳମେଳ ନାହିଁ । ସବୁ କିଛି ଏଠାରେ ଅସ୍ତବ୍ୟସ୍ତ , ପୁରା ବ୍ୟବସ୍ଥା ଟି ଆମୂଳଚୁଳ ଉଇଖିଆ ଫମ୍ପା ହୋଇଗଲା ଭଳି ଲାଗୁଛି । ପୁରୁଣା ଆଦର୍ଶ ମାନ୍ୟତା ଆଉଟଡ଼େଟେଡ୍ ବୋଲି ପ୍ରତୀତ ହେଉଛନ୍ତି । ଏହି ଭଳି ପରିବେଶରେ ଶିକ୍ଷକତାକୁ ବୃତ୍ତି ବୋଲି ଆଦରି ନେଇଥିବା କିଛି ସରକାରୀ ହେଉ ବା ବେସରକାରୀ ବେତନଭୋଗୀ ଶିକ୍ଷକ ଯାହାଙ୍କର ହାତଗୋଡ଼ ଦାସତ୍ୱର ବେଡ଼ିରେ ବନ୍ଧା , ହୃଦୟ ଦୃଶ୍ୟ ଅଦୃଶ୍ୟ ବିଗ୍ ବ୍ରଦରଙ୍କ ଆତଙ୍କରେ ସଦା ଆତଙ୍କିତ ତାଙ୍କ ଠାରୁ କେଉଁ ଅଧିକାରରେ ସମାଜ ସଦାଚାରିତା ଆଉ ସଚ୍ଚୋଟତା ଆଶା କରୁଛି ? 


ଆଜିକାଲି ଅଧିକାଂଶଙ୍କ ପାଇଁ ତ ସ୍କୁଲର ଉଦ୍ଦେଶ୍ୟ କେବଳ ପିଲାମାନଙ୍କୁ ଟାଇମ୍ ପାସ୍ କରାଇବା ସହ ଅନ୍ଯ ପିଲାଙ୍କ ସହ ସାମାଜିକରଣ କରି ଶେଷରେ ଯେନେତେନେ କରି ହେଉ ଭଲ ଗ୍ରେଡ଼ ର ସାର୍ଟିଫିକେଟିଏ ହାସଲ କରାଇବାରେ ସିମୀତ । ସମସ୍ତଙ୍କର ଦୃଢ଼ ଧାରଣା ଯେ ବିନା ଟ୍ଯୁସନ୍ ରେ ପିଲାର ଉନ୍ନତି ହେବ ନାହିଁ । ସ୍କୁଲ ପାଠ ପଢ଼ା ଉପରେ ଭରସା କରିବା ଚରମ ନିର୍ବୋଧତା ହେବା ସହ ପିଲାର ଭବିଷ୍ୟତକୁ ସଂକଟରେ ପକାଇବା ସାର ହେବ । ଟ୍ଯୁସନ୍ ର ବ୍ୟାପକ ଚାହିଦା ଯୋଗୁଁ ଏବେ ଅନଲାଇନ୍ ରେ ବି ଅଗଣିତ ସଂସ୍ଥା ମୁଣ୍ଡ ଟେକିଛନ୍ତି ମୁଖ୍ୟତଃ କରୋନା ପରେ ପରେ । ନିଜ ସନ୍ତାନ ପାଇଁ ଯେଉଁମାନଙ୍କ ପାଖରେ ଅର୍ଥ ଆଉ ସାମର୍ଥ୍ୟ ଅଛି ସମୟପୋଯୋଗୀ ଉତ୍କୃଷ୍ଟ ଶିକ୍ଷାର ରେଡ଼ିମେଡ଼ ପ୍ୟାକେଜ୍ କିଣିପାରିବାର କେବଳ ସେହିମାନଙ୍କ ପାଇଁ ଶିକ୍ଷା ଦେବୀଙ୍କ ମନ୍ଦିର ଦୁଆର ଖୋଲା । ଆମ ବଜାରରେ ନିମ୍ନ ବର୍ଗ , ମଧ୍ୟବିତ୍ତ ବର୍ଗ , ଉଚ୍ଚ ମଧ୍ୟବିତ୍ତ ବର୍ଗ ଆଉ ଉଚ୍ଚ ବର୍ଗ ପାଇଁ ଭିନ୍ନ ଭିନ୍ନ ପ୍ୟାକେଜ୍ ର ଶିକ୍ଷା ଉପଲବ୍ଧ । 


ଜଣେ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷକ ସହ ସଫଳ ବ୍ୟବସାୟୀଙ୍କ ସହିତ ବନ୍ଧୁତା ଘନିଷ୍ଠ ହେବା ଉତ୍ତାରୁ ସେ ତାଙ୍କ ସ୍କୁଲ୍ ନିର୍ମାଣ ପ୍ରକ୍ରିୟାରେ ଭୋଗିଥିବା ବା ଅଙ୍ଗେଲିଭା କିଛି ତିକ୍ତ ଅନୁଭବ ବାଣ୍ଟିଥିଲେ । ସ୍କୁଲ୍ ଟି ଖୋଲିବା ପାଇଁ ବୋର୍ଡ଼ର ସିକୃତୀ ନିମନ୍ତେ ତାଙ୍କୁ ତଳ ଠୁଁ ଉପର ଯାଏଁ ଚପରାଶି ଠୁଁ ଆରମ୍ଭ କରି ବଡ଼ ବଡ଼ ଅଫିସର୍ ଆଉ ନେତା ମନ୍ତ୍ରୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ ଖୁଆଇବାକୁ ପଡ଼ିଥିଲା । ଏହା ସହ କେଉଁ ଭଳି ଭାବେ ଶିକ୍ଷାର ବ୍ୟବସାୟ ମିଛ ପ୍ରତିଶ୍ରୁତି , ଠକାମୀ ଆଉ ଦୁର୍ନୀତି ବିନା ତିଷ୍ଠିବା ଅସମ୍ଭବ ତାହା ମଧ୍ୟ କହିଥିଲେ । ଏସବୁ ଶୁଣିବା ପରେ ଶିକ୍ଷାକୁ ନେଇ ଶୁଣିଥିବା ପଢ଼ିଥିବା ମହାପୁରୁଷଙ୍କ ମହତ ଆଉ ଆଦର୍ଶ ବାଣୀ ଉପରେ ମନରେ ମୋର ଘୋର ସନ୍ଦେହ ଜାତ ହେଲା । ଆମ ସବଜାନତା ନେତା ମନ୍ତ୍ରୀଗଣ ଆଉ ବାବୁମାନଙ୍କ ବଡ଼ ବଡ଼ ଭାଷଣ ଆଉ କାମ ମଧ୍ୟରେ ଯେମିତି ଅଲଂଘ୍ଯ ବ୍ୟବଧାନ ଥାଏ ଠିକ୍ ସେମିତି ଶିକ୍ଷାକୁ ନେଇ ଥିବା ଆଦର୍ଶ ବିଚାର ଆଉ ବାସ୍ତବତା ମଧ୍ୟରେ ବି ସେମିତି ଆକାଶ ପାତାଳର ବ୍ୟବଧାନ ପରିଲକ୍ଷିତ ହୁଏ । ଏଇଥି ପାଇଁ କି ନାଳନ୍ଦା ତକ୍ଷଶିଳା ଠୁଁ ଆରମ୍ଭ କରି ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ କେବଳ ଇତିହାସ ହୋଇ ରହିଗଲେ ? 







రచనకు రేటింగ్ ఇవ్వండి
లాగిన్

Similar oriya story from Inspirational