STORYMIRROR

Prashantam Bapu

Fantasy Inspirational

4  

Prashantam Bapu

Fantasy Inspirational

ଅପୂର୍ବ ମିଳନ...

ଅପୂର୍ବ ମିଳନ...

8 mins
399

  


   ଗୁଜୁରାତର ବରୋଦା ସହରରେ ଫତେଗଞ୍ଜ୍ ଅଞ୍ଚଳର ଟେସ୍କଟାଇଲ୍ ସୋସାଇଟିର ଦୁଇ କଡ଼ରେ ଧାଡ଼ିଧାଡ଼ି ହୋଇ ଥିବା ଘରମାନଙ୍କ ମଧ୍ୟରେ ବାମ ପଟେ ସବା ଶେଷରେ ହାଉସ୍ ନମ୍ବର-09 ନାମରେ ଗୋଟିଏ ଦୁଇମହଲା ବିଶିଷ୍ଟ ଧଳା ରଙ୍ଗର କୋଠାଟିଏ ଅଛି । ସେଇଠୁ ଅଳ୍ପ ଦୂରରେ ବହିଯାଇଛି ବିଶ୍ୱାମିତ୍ର ନଦୀ ଯେଉଁଟି ଦୂର ଅତୀତରେ ଥିଲା ଏକ ପବିତ୍ର ନଦୀ । କିନ୍ତୁ ବର୍ତ୍ତମାନରେ ଏଇଟି ନାମକୁ ମାତ୍ର ନଦୀ କାରଣ ଏହା ସହରରୁ ନିଷ୍କାସିତ ହେଉଥିବା ଡ୍ରେନ୍ ର ମଇଳା ପାଣିସବୁକୁ ଧାରଣ କରି ଗୋଟିଏ ଦୁର୍ଗନ୍ଧ କିଟିବିଟି କଳା ରଙ୍ଗର ନାଳରେ ପରିଣତ ହେଇଯାଇଛି କେବେଠୁ । କେବଳ ବର୍ଷା ଦିନରେ ନଦୀଟି ତା'ର ପୂର୍ବ ପରିଚୟ ଫେରିପାଏ । ପଙ୍କରେ ଭର୍ତ୍ତି ନଦୀଟି ସହର ଯାକର ବର୍ଷା ପାଣିକୁ ସମ୍ଭାଳି ନପାରି ଉଛୁଳି ପଡ଼େ ଆଉ ତା'ର ଦୁଇ କୁଳରେ ଥିବା ସହରକୁ ଅସ୍ତବ୍ୟସ୍ତ କରିପକାଏ କିଛିଦିନ । ନଦୀ କୁଳରୁ ଆରମ୍ଭ କରି ସୋସାଇଟ୍ ଯାଏଁ ବବୁରି ଗଛର ପତଳା ବଣଟିଏ ବି ଅଛି । ଛାତ ଉପରେ ଠିଆ ହୋଇ ଦେଖିଲେ ସେ ଛୋଟ ବଣ ସହ ନଦୀର ଆର କୂଳରେ ଥିବା ବରୋଦା ସହରଟିର ସୌନ୍ଦର୍ଯ୍ୟ ବଡ଼ ମନମୁଗ୍ଧକର ଦିଶେ ! ମୁଖ୍ୟତଃ ସକାଳେ ସନ୍ଧ୍ୟାରେ ଆଉ ନଦୀ ବଢ଼ି ସମୟରେ । ନଦୀ ବଢ଼ି ସମୟରେ ତ କେତେ କୁମ୍ଭୀର ପହଁରୁଥିବାର ଦେଖାଯାଏ ପୁଣି ବଢ଼ି ପାଣି ଛାଡ଼ିବା ପରେ ସୋସାଇଟିରେ ଠିଆ ହୋଇଥିବା କାର୍ ତଳେ ଛୋଟବଡ଼ କୁମ୍ଭୀର ଶୋଇଥିବାର ଦେଖାଯାଏ । ଲୋକେ ବନବିଭାଗକୁ ଫୋନ୍ କଲେ ତୁରନ୍ତ ବନବିଭାଗର ଗାଡ଼ି ଆସି କୁମ୍ଭୀରଗୁଡ଼ାକୁ ଧରିନେଇ ସୁରକ୍ଷିତ ସ୍ଥାନରେ ଛାଡ଼ି ଦିଅନ୍ତି । ଏହି ସବୁ ଦୃଶ୍ୟ ଯୋଗୁଁ ସହରରେ ହୃଦୟ ସ୍ଥଳରେ ସୋସାଇଟି ଥାଇ ବି ଏକ ଅଲଗା ଦୁନିଆରେ ଥିଲା ଭଳି ଲାଗେ । ବୋଧହୁଏ ଏଥି ପାଇଁ ଧଳା କୋଠାଟିର ମାଲିକ ଜାଣିଶୁଣି ଏଇ ସ୍ଥାନଟିକୁ ବାଛିଛନ୍ତି । ରକ୍ଷଣାବେକ୍ଷଣ ଅଭାବରୁ ସେ ଧଳା କୋଠାଟି ନେଳି ଲାଗି ମଳିଛିଆ ପାଲଟି ଗଲାଣି କେବେଠୁଁ ଆଉ ଘର ଚାରିପଟେ ଅନାବନା ଗଛରେ ବି ପରିପୂର୍ଣ୍ଣ । 


  କୋଠାଟି ବାହାରୁ ଏକ ଭୂତ କୋଠା ଭଳି ପ୍ରତୀତ ହୁଏ । କାରଣ ବର୍ଷ ବର୍ଷ ବିତିଗଲାଣି ସେଠାରୁ କେହି କେବେ ବାହାରିବାର କି ଯିବାର ଦେଖାଯାଇନି । କେବଳ ଯା ମଝିରେ ମଝିରେ ଗୋଟିଏ କୁକୁରର ଭୁକିବା ଶବ୍ଦ ଶୁଣିବାକୁ ମିଳେ । ବାହାର ଗେଟ୍ ଆଉ କବାଟରେ ନାଲି ରଙ୍ଗରେ କେପିଟାଲ୍ ଲେଟର୍ ରେ ବଡ଼ବଡ଼ କରି " Do Not Disturb " ର ବୋର୍ଡ଼ । ବାହାର କବାଟର ଦୁଇହାତ ଦୂରରେ ବାମପଟ କାନ୍ଥରେ ଏକ ବଡ଼ ଡେଲିଭରି ବକ୍ସ ଯାହାର ଗୋଟିଏ ପଟ ମୁହଁ କାନ୍ଥରେ ଆଉ ଆରପଟଟି ଘର ଭିତରେ । ଲୋକଟି କ'ଣ କରେ କେହି ଜାଣନ୍ତି ନାହିଁ କାରଣ ତାଙ୍କୁ କେହି କେବେ ସ୍ବଚକ୍ଷୁରେ ଦେଖି ନାହାନ୍ତି । ସେ ବଞ୍ଚିଛନ୍ତି ବୋଲି ତିନିଗୋଟି ପ୍ରମାଣ ମିଳେ ତନ୍ମଧ୍ୟରୁ ଗୋଟିଏ ହେଲା ମଝିରେ ମଝିରେ ଗୋଟିଏ କୁକୁରର ଭୁକିବା ଶବ୍ଦ , ଦ୍ୱିତୀୟଟି ହେଲା ରାତିରେ ଘରଭିତରେ ଲାଇଟ୍ ଜଳିବା ଆଉ ତୃତୀୟଟି ହେଲା ତାଙ୍କ ଘର ଠିକଣାରେ ନିୟମିତ ଡେଲିଭରି ବୟ କିଛି ନା କିଛି ଅର୍ଡର ମିଳିଥିବା ଜିନିଷ ନେଇ ଆସିବା । 


  ଡେଲିଭରି ଦେବାକୁ ଯାଉଥିବା ପିଲାଗୁଡ଼ାଙ୍କର ବି ମନରେ ବଡ଼ ଯିଜ୍ଞାସା ଲୋକଟିକୁ ଟିକିଏ ଦେଖିବାକୁ ହେଲେ କେବେ ବି ଏହା ସମ୍ଭବ ହୁଏନି । ଡେଲିଭରି ଦେବାକୁ କଲିଙ୍ଗ୍ ବେଲ୍ ଟିପିଲେ ପ୍ରଥମେ କୁକୁରର ଭୁକିବା ଶବ୍ଦ ତା'ପଛକୁ ଭିତରୁ ପୂର୍ବ ଭଳି ବାହାରେ ଲାଗିଥିବା ସ୍ପିକର୍ ରୁ ଗୁଜୁରାତି ଆଉ ଇଂରାଜୀରେ ରେକର୍ଡିଙ୍ଗ୍ ଭଏସ୍ ର ନିର୍ଦ୍ଦେଶ ମିଳେ ଡେଲିଭରି ବକ୍ସ୍ ରେ ଛାଡ଼ିଦିଅ । ସ୍ୱରଟିର କିଛି ବିଶେଷତା ନଥାଏ ତେଣୁ ସେଥିରୁ ଲୋକଟିର ବୟସ ଚରିତ୍ର ବିଷୟରେ କିଛି ଅନୁମାନ ଲଗାଇ ହୁଏନି । କିଏ କୁହେ ସେ ଜଣେ କାଳେ ବଡ଼ ବୈଜ୍ଞାନିକ , କିଏ କୁହେ ଚିତ୍ରକର ଆଉ କିଏ କୁହେ ନାଁ ନାଁ ଲୋକଟା ଜଣେ ବଡ଼ ଲେଖକ । ହେଲେ କେହି ବି ତାଙ୍କର ବୈଜ୍ଞାନିକ ଅନୁସନ୍ଧାନ ବିଷୟରେ କି ତାଙ୍କ ଛବି ଆଉ ଲେଖା ବିଷୟରେ କିଛି ବି ଜାଣନ୍ତି ନାହିଁ । ସମସ୍ତଙ୍କ ପାଇଁ ସେ ଜଣେ ଅସମାହିତ ରହସ୍ୟ ! କେତେ କାହାଣୀ ତାଙ୍କ ବିଷୟରେ ଶୁଣିବାକୁ ମିଳେ ଲୋକଙ୍କ ମୁହଁରୁ ସେଥିରୁ କେତେ ସତ ଆଉ କେତେ ମନଗଢ଼ା କହିବା ମୁସ୍କିଲ୍ ।


  ଗାଁ ହୋଇଥିଲେ ହୁଏତ ଲୋକଟି ଏମିତି ରହସ୍ୟ ହୋଇ ରହିପାରିନଥାନ୍ତା । ଗାଁ ପରିବେଶରେ ଜଣେ ଗୋଠଛଡ଼ା ହୋଇ ରହିବା କଷ୍ଟକର କିନ୍ତୁ ସହରର କଥା ଅଲଗା ମୁଖ୍ୟତଃ ବରୋଦା ଭଳି କସ୍ମୋପଲିଟିଆନ୍ ସହରରେ । ଯେଉଁଠି ଭାରତର ବିଭିନ୍ନ ରାଜ୍ଯରୁ ବିଭିନ୍ନ ଭାଷାଭାଷୀ ଆଉ ଧର୍ମର ଲୋକ ଏକତ୍ର ବସବାସ କରନ୍ତି । ବିବିଧତା ପୂର୍ଣ୍ଣ ଭାଷା ଧର୍ମ ଆଉ ସଂସ୍କୃତିର ମିଶ୍ରଣ ସଂସ୍କୃତିରେ ଗୁଡ଼ାଏ ସକରାତ୍ମକ ଦିଗ ସହ କିଛି ନକରାତ୍ମକ ଦିଗ ମଧ୍ୟ ଅଛି । ଧର୍ମ , ଭାଷା ଆଉ ସଂସ୍କୃତିକୁ ନେଇ ଅଲଗା ଅଲଗା ଗୋଷ୍ଠୀ ତିଆରି ହୁଏ । ଗୋଟିଏ ଗୋଷ୍ଠୀ ଅନ୍ଯ ଏକ ଗୋଷ୍ଠୀକୁ ପ୍ରତିଦ୍ବନ୍ଦୀ ଭାବେ , ପରସ୍ପର ବିରୁଦ୍ଧରେ ଭିତିରି ଶତ୍ରୁତା ମଧ୍ୟ କୁହୁଳୁ ଥାଏ । ଗୋଟିଏ କଲୋନୀରେ ଭାଷା , ଅଞ୍ଚଳ , ଧର୍ମକୁ ନେଇ ଥିବା ଭିନ୍ନତାକୁ ଆଳ କରି ଭେଦଭାବର ବାତାବରଣ ସ୍ପଷ୍ଟ ବାରିହୁଏ ।‌ ଲୋକେ ଏଠାରେ ଅଧିକ ବ୍ଯକ୍ତିକେନ୍ଦ୍ରିକ ନିଜ ନିଜ ଦୁନିଆରେ ନିମଗ୍ନ ରୁହିବାକୁ ପସନ୍ଦ କରନ୍ତି । ପାଖ ପଡ଼ୋଶୀ ଘର ଯଦି ନିଜ ଭାଷା ଅଞ୍ଚଳ ଧର୍ମ ଏବଂ ଜାତିର ଲୋକ ହେଇଥାଏ ତେବେ ସମ୍ପର୍କ ଭଲ ରହେ । ଅଲଗା ହୋଇଥିଲେ ଜଣେ ଯେତେ ଚେଷ୍ଟା କଲେ ବି ଆର ଜଣକ ତାକୁ କେବେ ବି ନିଜ ଲୋକ ଭଳି ଆଦରି ନେଇପାରେନି ।‌ 


  ହାଉସ୍ ନମ୍ବର 09 ରେ ରହୁଥିବା ବ୍ୟକ୍ତି ଜଣକ ସେମିତି ଜଣେ ଅଜ୍ଞାତ ଅଞ୍ଚଳର ଯାହାଙ୍କ ଜାତି ଧର୍ମ ବିଷୟରେ ଲୋକେ ଅଗୋଚର । ସହରର ବ୍ୟସ୍ତବହୁଳ ସ୍ୱାର୍ଥକୈନ୍ଦ୍ରିକ ଜୀବନରେ କାହା ପାଖରେ ବା ସମୟ ଅଛି ଅଜଣା ପଡ଼ୋଶୀ ବିଷୟରେ ମୁଣ୍ଡ ଖେଳେଇବାକୁ । ତଥାପି ଲୋକଙ୍କ ଆଖି ସି.ସି.ଟି.ଭି କ୍ୟାମେରା ଭଳି ସବୁବେଳେ ପଡ଼ୋଶୀ ଉପରେ ନିବଦ୍ଧ ରହେ । ତାଙ୍କର ଚାଲିଚଳଣ ଗତିବିଧି ଉପରେ ନଜର ରଖିବା ପଛରେ ଥାଏ ସନ୍ଦେହ ଆଉ ଅସୁରକ୍ଷିତ ଭାବନା । ତେଣୁ ମଉକା ମିଳିଲେ ପରସ୍ପର ମଧ୍ୟରେ ଏହି ରହସ୍ୟମୟ ପଡ଼ୋଶୀ ବିଷୟରେ ଆଲୋଚନା ହୁଏ କିନ୍ତୁ କେହି କେବେ ସାହସ କରନ୍ତି ନାହିଁ Do Not Disturb ଫଳକକୁ ଅବମାନନା କରି କଲିଙ୍ଗ ବେଲ୍ ଟିପିବାକୁ ଏମିତିକି କଲୋନୀର ବାଳୁଙ୍ଗା ଛୁଆ ମଧ୍ୟ । ଛୁଆଙ୍କ ମଧ୍ୟରେ ଡ଼ର ଥାଏ କାରଣ ଲୋକଟି ଆଉ ଘରଟିକୁ ନେଇ ସେମାନେ କେତେ ନା କେତେ କାହାଣୀ ଶୁଣିଥାଆନ୍ତି । ଲୋକଟି କାଳେ ଜଣେ ବଡ଼ ରାକ୍ଷସ ଯେ ପିଲାଙ୍କ ରକ୍ତ ପିଇଯାଏ କଞ୍ଚା ଚୋବେଇ ଖାଇଯାଏ .... ଏଇମିତି କେତେ କ'ଣ ।

   

  ଫତେଗଞ୍ଜରୁ ଅନତି ଦୂରରେ ସୟାଜୀ ବା କମାଟି ବାଗ୍ ସେଇଠି ନିତିଦିନ ସକାଳ ସନ୍ଧ୍ୟାରେ ଝିଅଟିଏ ଚାଲିବାକୁ ଆସେ । ଯାହାର ବୟସ କେତେ ହେବ ଅନୁମାନ କରିବା ମୁସ୍କିଲ୍ । ଲୋକଙ୍କ କହିବା ଅନୁଯାୟୀ ତିରିଶି ଉପରେ ହେବ । ମଧ୍ୟମ ଉଚ୍ଚତା , ପତଳା ଶରୀର , ଗୌର ବର୍ଣ୍ଣ , ବଡ଼ ବଡ଼ ଆଖି ଦେଖିବାକୁ ସୁନ୍ଦର ହେଲେ ନିଃସଙ୍ଗ , ଶୁଖିଲା ମୁହଁ ଯେମିତି ନିଦ୍ରାହୀନତାର ଜଣେ ରୋଗୀ । ଝିଅଟି ଅବିବାହିତ ଆଉ ଏକା ରୁହେ ନିଜାମପୁରାରର ମିତ୍ର ମଣ୍ଡଳ ସୋସାଇଟିର ଆପାର୍ଟମେଂଟରେ । ଲୋକଙ୍କ କହିବା ଅନୁସାରେ ଝିଅଟିର ନିଜର ବୋଲି କେହି ନାହାଁନ୍ତି , ବାପାମାଆଙ୍କ ଚେହେରା ତା'ର ମନେ ନାହିଁ । ଆପାର୍ଟମେଣ୍ଟଟି ତାରି ନାମରେ ଅଛି ପୁଣି ଦେଖାଶୁଣା ରୋଷେଇବାସ ପାଇଁ ବାଇ ଆସି କରିଦେଇ ଯାଆନ୍ତି । ଝିଅଟି କେତେ ପାଠ ପଢ଼ିଛି କେହି ଜାଣନ୍ତି ନାହିଁ କି ଝିଅଟିକୁ ପଚାରିଲେ ସେ କିଛି କୁହେନି । କିନ୍ତୁ ସେ ଅତି ମାର୍ଜିତ ଇଂରାଜୀ କହିବା ସହ ଲେଖିପଢ଼ି ଜାଣେ ଏହା ସହ ଗୁଜୁରାତି ଆଉ ହିନ୍ଦୀ ମଧ୍ୟ ତେଣୁ ଝିଅଟି ଜଣେ ଉଚ୍ଚ ଶିକ୍ଷିତ ଏଥିରେ ସନ୍ଦେହ ନାହିଁ । ଝିଅଟିକୁ ଚଳିବା ପାଇଁ କିଛି କରିବାକୁ ପଡ଼େନି କାରଣ ବ୍ୟାଙ୍କରେ ତା ଏକାଉଣ୍ଟ୍ ରେ ଆବଶ୍ୟକ ଠାରୁ ଅଧିକ ଅର୍ଥ ଗଛ୍ଛିତ ଅଛି । ଏ ପଇସା କେଉଁଠୁ ଆସିଲା କିଏ ରଖିଲା ତାକୁ ଜଣାନାହିଁ କି ତା'ର ଜାଣିବାର ସାମାନ୍ୟତମ ଜିଜ୍ଞାସା କେବେ ଜନ୍ମି ନାହିଁ । 


  ସନ୍ଧ୍ୟା ସକାଳେ ନିୟମିତ ଚାଲିବାକୁ ସେ କମାଟିବାଗ୍ ଯାଏ ବାଟରେ ବୁଲା ଗାଈ , କୁକୁରଙ୍କୁ ରୁଟି , ପାଉଁରୁଟି ଆଉ ବିସ୍କୁଟ ଖାଇବାକୁ ଦିଏ । ପାର୍କରେ ମାଙ୍କଡ଼ , ଗୁଣ୍ଡୁଚିମୂଷା , ପାରା , ଶୁଆ ସହ ଅନ୍ୟାନ୍ୟ ଚଢ଼େଇଙ୍କୁ ବି ବିସ୍କୁଟ , ବାଦାମ ଆଉ ବିଭିନ୍ନ ପ୍ରକାରର ଖାଦ୍ୟ କିଣି ଖାଇବାକୁ ଦିଏ । ଝିଅଟି ସବୁବେଳେ ଚୁପଚାପ୍ ଲୋକଙ୍କ ସହ କେବେବି କଥା ହୁଏନି । ଯଦି କେବେ କେହି କିଛି ପଚାରେ ତେବେ ଅତି ସଂକ୍ଷେପରେ ଉତ୍ତର ଦେଇ ସେ ଆଗକୁ ବଢ଼ିଯାଏ । ମଣିଷ ଅପେକ୍ଷା ତାକୁ ପଶୁପକ୍ଷୀଙ୍କ ସହ ସମୟ ବିତାଇବାକୁ ଅଧିକ ଭଲଲାଗେ । ଏହା ସହ ତା' ଘରର ବାଲକୋନୀରେ ଥିବା କେତେ କିସମର ଫୁଲ ଗଛର ଯତ୍ନ ନେବାରେ ସେ ନିଜକୁ ନିୟୋଜିତ କରେ । ଏଇଥିରେ ତା'ର ଅଧିକାଂଶ ସମୟ ଅତିବାହିତ ହୁଏ ବାକି ସମୟ ସେ ବହି ପଢ଼ିବା ଆଉ ଗୀତ ଶୁଣିବାରେ କାଟିଦିଏ । 


  ଦିନକର କଥା ଡିସେମ୍ବର ମାସର ଶୀତଦିନ ସକାଳ ଛଅଟା ପାଖାପାଖି ହେବ ଟେସ୍କଟାଇଲ୍ ସୋସାଇଟିର ୦୯ ନମ୍ବରର ସେ ରହସ୍ୟମୟ ଘରଟିର କବାଟ ଖୋଲିଲା । ସକାଳୁ ମଣି‌ଙ୍ଗ୍ ୱାକ୍ ରେ ବାହାରିଥିବା ଚାରିପାଞ୍ଚ ଜଣ ମଧ୍ୟବୟସ୍କ ଆଉ ବୃଦ୍ଧଲୋକଙ୍କୁ ହତଚକିତ କରି ବାହାରି ଆସିଲେ ସେ ରହସ୍ୟମୟ ବ୍ୟକ୍ତିଜଣକ ତାଙ୍କ ବିଦେଶୀ ଧଳା ରଙ୍ଗର ସୁସ୍ଥସବଳ ବୁଲ୍ ଡଗ୍ ସହ । ଖବରଟି ବିଜୁଳି ବେଗରେ ଖେଳିଗଲା ପୁରା ସୋସାଇଟିରେ । ସକାଳ ଛଅଟା ହେବା ସତ୍ତ୍ୱେ ମୁହଁ ଅନ୍ଧାର ଥାଏ ଆଉ ଷ୍ଟ୍ରିପ ଲାଇଟ୍ ଜଳୁଥାଏ କାରଣ ଗୁଜରାଟରେ ଆମ ଓଡ଼ିଶା ଭଳି ଶୀତ ଦିନରେ ସକାଳ ଛଅଟାରେ ସୂର୍ଯ୍ୟୋଦୟ ହୁଏନି । ତଥାପି ସମସ୍ତେ ବାହାରି ଆସିଲେ ଲୋକଟିର ଗୋଟିଏ ଝଲକ୍ ପାଇବା ପାଇଁ ।


 ଲୋକଟିର ବୟସ ଷାଠିଏ ଉପରେ ହେବ , ମଧ୍ୟମ ଉଚ୍ଚତା ସହ ମଧ୍ୟମ ସ୍ୱାସ୍ଥ୍ୟ , ଗୌର ବର୍ଣ୍ଣ , ଚନ୍ଦା ଚିକ୍କଣ ମୁଣ୍ଡ , ବଡ଼ ବଡ଼ ଦୁଇଟି ନିର୍ମଳ ଆଖି , ଲମ୍ବା ନାକ ସହ ପେଟ ଯାଏଁ ଲମ୍ବିଥିବା ଧୂସର ରଙ୍ଗର ବହଳ ଦାଢ଼ି । ଦେହରେ ଗେରୁଆ ରଙ୍ଗର କୁର୍ତ୍ତା ଉପରେ ମାଟିଆ ରଙ୍ଗର ନେହେରୁ ଜ୍ୟାକେଟ୍ ଏହା ସହ ଧଳା ରଙ୍ଗର ପାଇଜାମା ଆଉ ପାଦରେ କଳା ରଙ୍ଗର ଚମଡ଼ା ସାଣ୍ଡେଲ୍ । ଉଜ୍ଜ୍ବଳ ମୁହଁ , ପ୍ରଶାନ୍ତ ଚିତ୍ତ , ଗମ୍ଭୀର ସ୍ୱଭାବ ଆଉ ଧିର ମନ୍ଥର ଚାଲି । ଆବଭାବରୁ ଲାଗୁଛି ଯେମିତି ଲୋକଟି ଦୀର୍ଘଦିନ ସମାଧିରୁ ଉଠିଛନ୍ତି । ତାଙ୍କ ଚେହେରାକୁ ଦେଖିଲେ ମନେପଡ଼ିଯାଏ ଗ୍ରୀକ୍ ଦାର୍ଶନିକ ସକ୍ରେଟିସଙ୍କ ପଥରରେ ନିର୍ମିତ ଷ୍ଟାଚ୍ଯୁ କଥା କିମ୍ବା କୌଣସି ଭାରତୀୟ ସାଧୁସନ୍ଥଙ୍କ ପରି । କୁକୁରଟି ବି ସେମିତି ଶାନ୍ତ ସ୍ୱଭାବର ତାକୁ ଦେଖି କଲୋନୀର ବୁଲା କୁକୁରଙ୍କ ପ୍ରତିକ୍ରିୟା ଶୁନ୍ ! ଦୁଇ କଡ଼ରେ କଲୋନୀର ଆବାଳବୃଦ୍ଧବନିତା ସ୍ତବ୍ଧ ହୋଇ ଚାହିଁ ରହିଥାଆନ୍ତି । ପିଲାମାନଙ୍କ ମନରେ ଲୋକଟିର ଯେଉଁ କ୍ରୁର ବିଭତ୍ସ ରୂପ ଥିଲା ତାହା କୁଆଡ଼େ ଉଭେଇ ଗଲା ଆଉ ଏହା ସହ ଲୋକଙ୍କର ସମସ୍ତ କଳ୍ପନାଜଳ୍ପନାରେ ବି ପୂର୍ଣ୍ଣଛେଦ ପଡ଼ିଗଲା । ସମ୍ବୋଧନ କରିବାକୁ କାହା ମୁହଁରେ ଶବ୍ଦଟିଏ ବି ପଇଟିଲା ନାହିଁ କେବଳ ନୀରବ ଦ୍ରଷ୍ଟା ହୋଇ ଚାହିଁବା ଛଡ଼ା । 


  ଲୋକଟି ତାଙ୍କ ପୋଷା କୁକୁର ସହ ସେମିତି ଚାଲୁଥାଆନ୍ତି ଆଉ ରାସ୍ତାର ଦୁଇକଡ଼ରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଚାହୁଁଥାଆନ୍ତି ତାଙ୍କୁ ହେଲେ ସେଥିରେ ଲୋକଟିର ସାମାନ୍ୟତମ ପ୍ରତିକ୍ରିୟା ନଥିଲା । ତାଙ୍କର ଠିକ୍ ସେ ମନେପଡ଼ୁନାହିଁ କି ସେ ମନେ ପକାଇବାକୁ ଚାହୁଁନାହାଁନ୍ତି କି କେତେ ବର୍ଷପରେ ସେ ବାହାର ଦୁନିଆ କୁ ଦେଖୁଛନ୍ତି । ମନଟି ତାଙ୍କର ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣରେ ଆଉ କେବଳ ବର୍ତ୍ତମାନରେ ହିଁ ରହିଛି । ନିଃଶ୍ୱାସ ପ୍ରଶ୍ୱାସର ଯିବାଆସିବାକୁ ସେ ପ୍ରତିକ୍ଷଣ ଅନୁଭବ କରିପାରୁଛନ୍ତି ଏହା ସହ ସମସ୍ତ ଶରୀରରେ ସୃଷ୍ଟି ହେଉଥିବା ସମ୍ବେଦନାକୁ ମଧ୍ୟ । ତାଙ୍କ ପାଇଁ ବାହାର ଦୁନିଆର ଏ ଅପରୂପ ଯାଦୁକରୀ ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣ ନିଆରା ଯେମିତି ସେ ଏକ ଅଲୌକିକ ଦୁନିଆରେ ଅଛନ୍ତି ।  


  ଜଣାନାହିଁ କାହିଁକି କମାଟିବାଗ୍ ର ପ୍ରଥମ ଗେଟ୍ ପୂର୍ବରୁ ପ୍ରସସ୍ଥ ଫୁଟଫାଥ୍ ରେ ସେ ଅଟକି ଗଲେ ଆଉ ବାମପଟରେ ଥିବା ସିମେଣ୍ଟ ଚୌକିରେ ଧିରେସୁସ୍ଥେ ବସିପଡ଼ିଲେ । ନଜର ତାଙ୍କର ଲାଖିଥିଲା ସେ ଝିଅଟି ଉପରେ ଯିଏ ସେତେବେଳେ ଗୋଟିଏ ଗାଈକୁ ବଡ଼ ସରାଗରେ ରୁଟି ଖୁଆଉଥିଲା ଆଉ ତା'ର ବାଛୁରୀଟି ମାଆ ଠାରୁ କ୍ଷୀର ଖାଇବାରେ ବ୍ୟସ୍ତ ଥିଲା । ଗାଈକୁ ରୁଟି ଖୁଆଇବା ପରେ ଗାଈ ଆଉ ବାଛୁରୀକୁ କିଛି ସମୟ ଆଉଁସି ଦେଇ ଝିଅଟି ଯନ୍ତ୍ରଚାଳିତ ଭାବେ ଆସି ବସିପଡ଼ିଲା ଲୋକଟି କଡ଼ରେ ଚୌକିର ବାମ ପାଖକୁ ଥିବା ଖାଲି ସ୍ଥାନରେ । ଲୋକଟିର କୌଣସି ପ୍ରତିକ୍ରିୟା ନଥିଲା ତାଙ୍କର ନଜର ଏକବିଦ୍ଧ ଥିଲା ଗାଈ ଆଉ ବାଛୁରୀଟି ଉପରେ । ଝିଅଟି ବି ଏକ ଲୟରେ ଚାହିଁଥାଏ ସେହି ଆଡ଼କୁ ...। କୁକୁରଟି ସାଙ୍ଗେ ସାଙ୍ଗେ ଝିଅଟି ପାଖକୁ ପଳାଇ ଆସିଲା ଯେମିତି ଝିଅଟି ତା'ର ଅତି ଆତ୍ମୀୟ । ଝିଅଟି କୁକୁରକୁ ଆଉଁସିବାରେ ଲାଗିଲା ଆଉ କିଛି ଖଣ୍ଡ ବିସ୍କୁଟ୍ ଖାଇବାକୁ ଦେଲା । ଲୋକଟିର ନଜର ଗାଈ ବାଛୁରୀ ଉପରେ ଆଉ ଝିଅଟିର କୁକୁରଟି ଉପରେ , କୁକରଟି ଖୁସିରେ ଲାଞ୍ଜଟିକୁ ହଲେଇ ହଲେଇ ଝିଅଟିର ହାତକୁ ଚାଟିବାରେ ଲାଗିଲା । କୁକୁରଟି ଥରେ ଝିଅଟିକୁ ତ ଥରେ ତା'ର ମାଲିକକୁ ଚାହିଁ ଯେମିତି କିଛି କହିବାକୁ ଚାହୁଁଥିଲା । ହେଲେ ଦୁହେଁ ତ ନିଜ ନିଜ ରାଜ୍ୟରେ ନିମଗ୍ନ ତେଣୁ କୁକୁରଟି ଦୁହିଁଙ୍କ ଦୃଷ୍ଟି ଆକର୍ଷଣ କରିବା ଚେଷ୍ଟାରେ ବୋଧହୁଏ ଗାଈବାଛୁରୀ ପାଖକୁ ଧାଇଁଗଲା ।  


  କୁକୁରଟି ଗାଈବାଛୁରୀ ପାଖକୁ ଧାଇଁଯିବାର ଦେଖି ମାଲିକ ତା'ର ଟିକିଏ ସଜାଗ ହୋଇଗଲେ କାଳେ କୁକୁରଟି ଗାଈ ବାଛୁରୀର କିଛି କ୍ଷତି କରିବ ନାହିଁ ତ ! ପୁଣି ଗାଈଟି ନିଜ ଛୁଆ ପାଇଁ କୁକୁର ପ୍ରତି ଅସୁରକ୍ଷିତ ବୋଧକରି କୁକୁରଟିକୁ ମୁଣ୍ଡିଆଟିଏ ମାରିଦେବନି ତ ! ଝିଅଟି ବି ସମାନ ଆଶଙ୍କା କଲା କିନ୍ତୁ ଆଶ୍ଚର୍ଯ୍ୟ ! ଗାଈଟି କୁକୁରକୁ ମୁଣ୍ଡିଆଟିଏ ମାରିବା ପରିବର୍ତ୍ତେ ତା' ଛୁଆକୁ ଚାଟିଲା ପରି କୁକୁରଟିକୁ ବି ଚାଟିବାରେ ଲାଗିଲା । କୁକୁରଟି ତା'ର ଖୁସି ଜାହିର କଲା ଲାଞ୍ଜକୁ ହଲେଇ କୁଦା ମାରିମାରି , ଶୁଙ୍ଘିଦେଇ ପୁଣି ବହେ ଗାଈ ମୁହଁକୁ ଚାଟିଲା ତ ବହେ ବାଛୁରୀକୁ । ପରେ କୁକୁର ବାଛୁରୀ ଡିଆଁ ମରାମରି ହୋଇ ଖେଳିବାକୁ ଲାଗିଲେ....‌! ଏପଟେ ଏହି ଦୃଶ୍ୟଟିକୁ ଉଭୟ ଦେଖି ସ୍ତବ୍ଧ ...! ସୂର୍ଯ୍ୟ ସେତେବେଳେକୁ ପୂର୍ବ ଦିଗରେ ଉଁକି ମାରିଲେ । ଶୀତ ସକାଳେ ସୂର୍ଯ୍ୟଙ୍କ ଉଷ୍ମ ସୁନେଲି ଦିବ୍ୟ ପ୍ରଥମ ଆଲୋକ ଗଛର ଫାଙ୍କ ଦେଇ ବିଛୁରିତ ହୋଇ ପଡ଼ିଲା ଦୁହିଁଙ୍କ ମୁହଁ ଉପରେ । ସୂର୍ଯ୍ୟୋଦୟର ପ୍ରଥମ କିରଣ ସମ ଦୁହିଁଙ୍କ ମୁହଁରେ ଖେଳିଗଲା ଏକ ପରମ ତୃପ୍ତିର ହସ । ଦୁହେଁ ପରସ୍ପରର ମୁହଁକୁ ପ୍ରଥମ ଥର ପାଇଁ ଚାହିଁଲେ ଆଉ ସେହି ସମୟରେ କୁକୁର ବାଛୁରୀ ଦୁହେଁ ଧାଇଁଆସିଲେ ସେମାନଙ୍କ ପାଖକୁ ଏପଟେ ଗାଈଟି ଦୂରରୁ ନୀରବ ଦ୍ରଷ୍ଟା ହୋଇ ଚାହିଁଥିଲା ଏଇ ଅପୂର୍ବ ମିଳନକୁ ।


Rate this content
Log in

Similar oriya story from Fantasy