କଳିର ଅନ୍ଯ ନାମ
କଳିର ଅନ୍ଯ ନାମ
ଆଜିର ଖାଉଟି ସର୍ବସ୍ବ ଆଉ ଶିଳ୍ପଭିତ୍ତିକ ସମାଜରେ ବ୍ୟାପାରରେ ପ୍ରଚାର ଆଉ ପ୍ରସାର ପାଇଁ ବିଜ୍ଞାପନର ବିଶେଷତାକୁ କେହି ଅଣଦେଖା କରିପାରିବେ ନାହିଁ। ଖାଉଟି ଦେବାଦେବୀଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀଙ୍କ ମଧ୍ୟରେ ତଣ୍ଟିକଟା ପ୍ରତିଯୋଗିତା । ଆଜିର ସମସ୍ତ ଅନୁଷ୍ଠାନ ସେ ଧାର୍ମିକ ହେଉକି ଶିକ୍ଷା , ସମାଜସେବା ,ରାଜନୀତି, କ୍ରୀଡ଼ା କି ସିନେମା ସଭିଏଁ ନିଜର ବିଜ୍ଞାପନ ପାଇଁ ଆଧୁନିକ ସମାଜର ସୌନ୍ଦର୍ଯ୍ୟ ଆଉ ଆଦର୍ଶ ଜୀବନ ଶୈଳୀର ମାନକ ବା ପରିଭାଷାର ନୂତନ ପରିକଳ୍ପନା ଅନୁଯାୟୀ ଖାଲି ନାରୀ ପୁରୁଷ ନୁହେଁ ପିଲା ବୁଢ଼ା ସମସ୍ତଙ୍କୁ ବସ୍ତୁକରଣ କରୁଛନ୍ତି। ପୁରୁଷ ପ୍ରାଧାନ୍ଯତା ଯୋଗୁଁ ଶାରୀରିକ ଦୃଷ୍ଟିରୁ ସୁନ୍ଦରୀ ସ୍ତ୍ରୀ ମାନଙ୍କର ଅଧିକ ଗୁରୁତ୍ବ , ସ୍ତ୍ରୀ ମାନଙ୍କୁ ଭୋଗ୍ଯବସ୍ତୁ ଭାବେ ଦେଖାଇବା ପଛରେ ମୁଖ୍ୟ ଅଭିପ୍ରାୟ ଟି ହେଲା ପୁରୁଷମାନଙ୍କ ଅବଦମିତ ଯୌନ ଲାଳସାକୁ ଆକୃଷ୍ଟ କରିବା ଠିକ୍ ସେମିତି ପୁରୁଷ ମାନଙ୍କୁ ବ୍ଯବହାର କରାଯାଉଛି ନାରୀ ଖାଉଟିଙ୍କୁ ପ୍ରଭାବିତ କରିବା ପାଇଁ ।
ବସ୍ତୁ ମାନଙ୍କର ଆକର୍ଷଣ, ଚାହିଦା ଆଉ ମୂଲ୍ୟ (ଖାଲି ଆର୍ଥିକ ନୁହେଁ) ବଢ଼ି ବଢ଼ି ଚାଲିଛି ଏହା ସହିତ ତାଳ ଦେଇ ମଣିଷ ପଣିଆ ହ୍ରାସ ପାଉଥିବାର ପ୍ରତୀତ ହେଉଛି । ଯଦି ଜଣଙ୍କ ପାଖରେ ବ୍ରାଣ୍ଡ୍ ର ପୋଷାକ , ଜୋତା , ଘଡ଼ି , ଅଳଙ୍କାର , I Phone , ନାମୀଦାମୀ ହୋଟେଲ ରେଷ୍ଟୁରାଣ୍ଟ ରେ ଖାଇବା ପିଇବା ଆଉ ବିଦେଶ ଭ୍ରମଣର ସାମର୍ଥ୍ୟ ନାହିଁ ତେବେ ତା'ର ସ୍ତର ସମାଜରେ ନଗଣ୍ୟ ବୋଲି ପରିଗଣିତ ହେଉଛି । ଏବେକା ମଣିଷ ଜୀବନର ଏକ ମାତ୍ର ଲକ୍ଷ୍ଯ ଯେମିତି ଏସବୁ ବସ୍ତୁର ପ୍ରାପ୍ତି ଆଉ ଭୋଗ। ସେ ତା'ର ପୁରା ସାମର୍ଥ୍ୟ ଲଗାଇ ଖଟିବ , highest grade , highest paid ଚାକିରି କରିବ ଆଉ ତଥାକଥିତ highest status ର ଜୀବନ ବଞ୍ଚିବ।
High status କଥା ଭାବିଲା ବେଳକୁ ମନେ ପଡୁଛି " The Gods must be Crazy " ନାମକ ଗୋଟିଏ ଚଳଚ୍ଚିତ୍ରର ଦୃଶ୍ୟ ସବୁ। ସଂକ୍ଷେପରେ ସିନେମାର ବିଷୟ ବସ୍ତୁ ହେଲା , ଆଫ୍ରିକାର କୌଣସି ଏକ ଜଙ୍ଗଲରେ Bushman ନାମକ ଆଦିବାସୀମାନେ ଅତି ସରଳ ଆଉ ନିରାଡମ୍ବର ଜୀବନ ବଞ୍ଚୁଥିଲେ । ଦିନେ ଦୁଇ ଜଣ ପୁରୁଷ ଆଦିବାସୀ ଦେଖିଲେ କି ଆକାଶରେ ଗୋଟେ ହେଲିକପ୍ଟର ଶବ୍ଦକରି ଉଡି଼ଯାଉଛି । ସେମାନେ ଏଭଳି ବିସ୍ମୟକର ବସ୍ତୁ ଆଉ ଦୃଶ୍ୟ କେବେ ତାଙ୍କ ଜୀବନରେ ଦେଖି ନଥିଲେ ତେଣୁ କେଉଁ ଦେବତାଙ୍କ ବିମାନ ବୋଲି ଭାବିନେଲେ । ହେଲିକପ୍ଟରରେ ବସିଥିବା ଦେବତା ଜଣେ କୋକାକୋଲାଟିଏ ପିଇସାରି ଖାଲି ବୋତଲଟିକୁ ଫିଙ୍ଗି ଦେଲେ.. । କାଚ ବୋତଲଟି ସଂଯୋଗ ବସତଃ ଅକ୍ଷତ ଅବସ୍ଥାରେ ଆସି ପଡିଲା ସେମାନଙ୍କ ସାମ୍ନାରେ। ଦେବତାଙ୍କର ପୁରସ୍କାର ଭାବି ସେ ବିସ୍ମୟକର ବସ୍ତୁଟିକୁ ସେମାନେ ନିଜ ବସ୍ତିକୁ ଘେନିଗଲେ । ଏଭଳି ଏକ ବିଚିତ୍ର ବସ୍ତୁ ପ୍ରତି ସମସ୍ତେ ଆକର୍ଷିତ ହେବା ସ୍ୱଭାବିକ , ଆବାଳବୃଦ୍ଧବନିତା ସମସ୍ତେ ନିଜର ଆବଶ୍ୟକତା ଅନୁଯାୟୀ ତାହାର ଭିନ୍ନ ଭିନ୍ନ ବ୍ୟବହାର କଲେ । ଏଇଠୁ ଆରମ୍ଭ ହେଲା ଶାନ୍ତି ଆଉ ନିର୍ମଳ ଜୀବନରେ ଏକ ଭିନ୍ନ ସମସ୍ୟା ! ବସ୍ତୁ ଏକ ଆଉ ଆବଶ୍ୟକତା ସମସ୍ତଙ୍କର ତେଣୁ ଆରମ୍ଭ ହେଲା ବାଦବିବାଦ କଳହ ଆଉ ବିଗିଡିବାକୁ ଲାଗିଲା ସମ୍ପର୍କ । ଏହାର ସମାଧାନ ପାଇଁ ସଭା ବସିଲା ଆଉ ସଭାରେ କଥା ଛିଣ୍ଡିଲା ଯେ ଏଇ ବସ୍ତୁଟିକୁ ଯିଏ ଆଣିଛି ସେ ଯାଇଁ ପୃଥିବୀର ଶେଷ ପ୍ରାନ୍ତରେ ଛାଡ଼ି ଆସିବ। ଆଦିବାସୀ ଜଣକ ତା'ର ଏ ଯାତ୍ରାରେ ପ୍ରଥମ ଥର ପାଇଁ ସାମ୍ନା କରିଛି ଆଜିର ଆଧୁନିକ ଆଉ ସଭ୍ୟ ସମାଜକୁ। ବହୁବିଧ ଅନୁଭବ ସହ ଶେଷରେ ସେ ବୋତଲଟିକୁ ନିର୍ଦ୍ଦେଶିତ ସ୍ଥାନରେ ଛାଡ଼ି ଫେରି ଆସିଛି ନିଜ ବସ୍ତିକୁ। ଗୋଟାଏ ସମାଜର ଏକ ନଗଣ୍ୟ ବସ୍ତୁୁର ଅନୁପ୍ରବେଶ ଆଉ ଏକ ଭିନ୍ନ ସମାାଜକୁ କିପରି ବ୍ୟତିବ୍ୟସ୍ତ କରି ପକାଏ ସିନେମାଟିରେ ଏସବୁ ଚମତ୍କାର ଭାବେ ଚିତ୍ରଣ କରାଯାଇଛି । ଏଇଭଳି ନାନାଦି ବସ୍ତୁର ଅନୁପ୍ରବେଶ ଦ୍ୱାରା ଆମ ଜୀବନ ଆଉ ସମାଜର ଯେଉଁ ସବୁ ପୁରୁଣା ମୂଲ୍ୟବୋଧ ଥିଲା ସେ ସବୁ ବିଚ୍ୟୁତ ହୋଇ ଚାଲିଛି। ମଣିଷଙ୍କୁ କେବଳ ଏକ ଖାଉଟିରେ ପରିଣତ କରିବା ପାଇଁ consumerstic ଦର୍ଶନର ପ୍ରଣେତା ଆଉ ଉପଦେଶ୍ଟାମାନେ ନାନାଦି ଫନ୍ଦିଫିକର କରି ସମାଜର ପ୍ରତ୍ୟେକ କ୍ଷେତ୍ରରେ ଅନୁପ୍ରବେଶ କରିଛନ୍ତି ।
ସୂଚନା ପ୍ରାଦୌଗିକ ଆଉ ପରିବହନର ବ୍ୟାପକ ଉନ୍ନତି ଆଉ ତଥାକଥିତ ଜଗତୀକରଣ ପରେ ବିଶ୍ୱଟି ବଡ଼ପଣ୍ଡାଙ୍କ ଲୀଳାଖେଳା ପାଇଁ ଗୋଟିଏ ଛୋଟିଆ ଗ୍ରାମରେ ପରିଣତ ହେବାକୁ ଲାଗିଛି । ବିଶ୍ୱର ଏଇ ବଡ଼ପଣ୍ଡାମାନେ ନିଜର ଅର୍ଥନୈତିକ ଆଉ ରାଜନୈତିକ କ୍ଷମତାର ବୃଦ୍ଧି ପାଇଁ ଆପଣା ମଧ୍ୟରେ ହିଂସ୍ର ପ୍ରତିଯୋଗିତାରେ ମତ୍ତ ହୋଇ ନିଜ ଲାଳସାର ଡ୍ରୋଜର ଚଳାଇ ବିବିଧତା ପୂର୍ଣ୍ଣ ସାଂସ୍କୃତିକ ଆଉ ପ୍ରାକୃତିକ ପରିବେଶକୁ ସମତୁଲ କରିବାରେ ଲାଗିଛନ୍ତି।ଏଇଭଳି ଏକ ପ୍ରଳୟରୁ ମୁକ୍ତି ପାଇବା ପାଇଁ କ'ଣ ଏସବୁ ବସ୍ତୁ ଠାରୁ ଆଉ Technology ରୁ ନିଜକୁ ଦୂରେଇ ରଖିବା ? ଏଇଠି " Matrix " ନାମକ ଚଳଚ୍ଚିତ୍ରର କାହାଣୀଟି ମନେ ପଡୁଛି .....।
ଗୋଟେ ସମୟରେ machine ମାନେ ଏତେ ଶକ୍ତିଶାଳୀ ହୋଇ ଯାଇଛନ୍ତି ଯେ ସେମାନେ ସେତେବେଳେର ଏକମାତ୍ର ଶକ୍ତିର ଉତ୍ସ ମଣିଷକୁ ବ୍ୟବହାର କରୁଛନ୍ତି ନିଜକୁ ଚାଳିତ ରଖିବା ପାଇଁ । ଏଥିପାଇଁ Matrix ମଣିଷ ଚାଷ କରୁଛି। Matrix କବଳରୁ ଅଳ୍ପ ସଂଖ୍ୟକ ମଣିଷ ପୃଥିବୀ ଭିତରେ କେଉଁଠାରେ ଲୁଚି Technology ବା machineର ସାହାରାରେ ବଞ୍ଚିରହି Matrix ବିରୋଧରେ ଲଢ଼ି ଶେଷରେ ବିଜୟୀ ହେଉଛନ୍ତି । ଆଉ ଏଥିରେ ପୁଣି ନିଓ ନାମକ ମୁଖ୍ୟ ନାୟକର ଜନ୍ମ ସେହି matrixର ମଣିଷ କ୍ଷେତରୁ। ସମସ୍ତ ମଣିଷଙ୍କର ମୁଖ୍ୟତଃ ଜନନେତାଙ୍କ ଜୀବନର ଲକ୍ଷ୍ୟ ଯଦି ଲୋକକଲ୍ଯାଣ ଆଉ ଶାନ୍ତି ହୁଅନ୍ତା ତେବେ ଆମ Technology ଆମ ପାଇଁ ସେହି କୋକାକୋଲା ବୋତଲ ପରି ଅଭିଶାପ ନହୋଇ ବରଦାନ ତୁଲ୍ୟ ହୁଅନ୍ତା।
ପୁରାଣର ଏକ କାହାଣୀ ମନେ ପଡୁଛି ଯାହାକି ବଡ଼ ପ୍ରତୀକାତ୍ମକ ବୋଧହୁଏ । ଦ୍ଵାପର ଯୁଗର ଶେଷରେ ପାଣ୍ଡବ ବଂଶଜ ରାଜା ପରୀକ୍ଷିତଙ୍କ ସହ କଳିରାକ୍ଷସର ସାମ୍ନା ହୋଇଛି । କଳି ଭୟଭୀତ ହୋଇ ଶେଷରେ ପରୀକ୍ଷିତଙ୍କ ଶରଣାପନ୍ନ ହୋଇ ରହିବା ପାଇଁ କିଛି ସ୍ଥାନର ଭିକ୍ଷା ମାଗିଛି । ରାଜା ବହୁ ଚିନ୍ତା କରି ଅସତ୍ୟ ,କାମ , ମଦ ଆଉ କ୍ରୋଧ ଏଭଳି ଚାରିଟି ସ୍ଥାନ ତାକୁ ପ୍ରଦାନ କରିଛନ୍ତି । ହେଲେ ଏତିକି ପର୍ଯ୍ୟାପ୍ତ ନୁହେଁ କହି କଳି ପଞ୍ଚମ ସ୍ଥାନଟିଏ ଭିକ୍ଷା କରିଛି । ଶେଷରେ ରାଜା ସ୍ୱର୍ଣ୍ଣରେ ରହିବା ପାଇଁ ଅନୁମତି ଦେଇଛନ୍ତି ପରେ କଳି ଯାଇଁ ଲୁଚିଛି ରାଜାଙ୍କ ସୁନା ମୁକୁଟରେ । ସ୍ତ୍ରୀ ମାନଙ୍କର ସୁନା ପ୍ରତି ଅହେତୁକ ଆକର୍ଷଣ , ଏହି ସୁନାକୁ ନେଇ ଘରେ ଘରେ ଅସମାହିତ ଦ୍ୱନ୍ଦ ଆଉ ଆମ ରାଜା (ମନ୍ତ୍ରୀ)ମାନଙ୍କ ମଧ୍ୟରେ ମୁକୁଟକୁ ନେଇ ଯେଉଁ ଭୋଟ ବ୍ୟାଙ୍କ ହିଂସ୍ର ରାଜନୀତି ! ଏସବୁ ଦେଖି ପରିଷ୍କାର ଜଣାା ପଡ଼ିଯାଇଛି ଯେ କାହାଣୀଟି ନିରାଟ ସତ୍ୟ । ଏହା ସହ କଳିରାକ୍ଷସ କେଡ଼େ ଯେ ଚାଲାଖ ଆଉ ଦୂରଦୃଷ୍ଟି ସଂପର୍ଣ୍ଣ ସତେ ! ଏବେ କିନ୍ତୁ କଳିରାକ୍ଷସ କେବଳ ସେଇ ସୁନା ଆଉ ରାଜମୁକୁଟରେ ନିଜକୁ ସୀମିତ ନରଖି ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ଥାନ ସୁରକ୍ଷିତ କରିଛି । ସେ ସବୁ ବସ୍ତୁରେ ସବୁ ବ୍ରାଣ୍ଡ୍ ରେ ଲୁଚିଛି , ବ୍ରାଣ୍ଡ୍ ହିଁ କଳି ର ଅନ୍ଯ ନାମ କହିଲେ ଅତ୍ୟୁକ୍ତି ହେବ ନାହିଁ ।