Prashantam Bapu

Inspirational Others

4.1  

Prashantam Bapu

Inspirational Others

ମର୍ଣ୍ଣିଙ୍ଗ୍ ଓ୍ୱାକ୍

ମର୍ଣ୍ଣିଙ୍ଗ୍ ଓ୍ୱାକ୍

7 mins
437



" Early to bed and early to rise makes a man healthy wealthy and wise . "


ସକାଳୁ ଉଠି ଶାନ୍ତ ନିରଳା ପ୍ରାକୃତିକ ପରିବେଶ ମଧ୍ଯରେ ଘେରାଏ ବୁଲିଆସିଲେ ମୁଖ୍ୟତଃ ଦୀର୍ଘଦିନର ବ୍ୟବଧାନ ପରେ ଇଂରାଜୀର ଏ ଉପରୋକ୍ତ ପ୍ରବାଦଟିକୁ ହୃଦୟଙ୍ଗମ କରିହୁଏ । କାର୍ଯ୍ଯବ୍ଯସ୍ତ ସାଂସାରିକ ଜଞ୍ଜାଳ ଭିତରେ କଏଦ ଅଧିକାଂଶ ମଣିଷର ନିଜ ଶରୀର ମନର ଯତ୍ନ ନେବା ପାଇଁ ସମୟର ଘୋର ଅଭାବ । ହେଲେ ମୋ ପାଖରେ ପର୍ଯ୍ୟାପ୍ତ ସମୟ ଅଛି ଆହା ତାହା ବିଷୟରେ ବାଜ୍ଯେ ଗପ କରିବା ପାଇଁ , ମୋବାଇଲ୍ ରେ ଫାଲତୁ ରିଲ୍ସ୍ ସିନେମା ଆଉ ସମାଚାର ଦେଖିବା ପାଇଁ । ଏଇସବୁ ଗୁରୁତ୍ୱପୂର୍ଣ୍ଣ କାମସବୁ ସାରିବା ପରେ ଅଧିକାଂଶ ସମୟରେ ଶୋଉ ଶୋଉ ରାତି ଗୋଟାଏ ଆଉ ଉଠୁ ଉଠୁ ଆଠଟା ହୁଏ । ଏହା ପରେ ତରତର ହୋଇ କର୍ମକ୍ଷେତ୍ର ଯୁଦ୍ଧକ୍ଷେତ୍ରକୁ ଯିବାର ପ୍ରସ୍ତୁତି ଚାଲେ ହେଲେ ଯେତେ ଚେଷ୍ଟା କଲେ ବି ଅଫିସ୍ ରେ ପହଞ୍ଚିବାକୁ ବିଳମ୍ବ ହୁଏ । କାମରୁ ଫେରି ଛକବଜାରରେ ଚା ଦୋକାନରେ ଚା ଗିଲାସ ଧରି ସାଙ୍ଗସାଥୀ ସହକର୍ମୀ ସହ ଦେଶଦୁନିଆ , ରାଜନୀତି , କ୍ରୀଡ଼ା ଆଉ ସେକ୍ସ୍ ସମ୍ବନ୍ଧୀୟ ଆଲୋଚନା ସମାଲୋଚନା ବା ଖଟ୍ଟିମଜା ପରେ ଘର ପାଇଁ ସଉଦା କରି ଫେରିବା ବେଳକୁ ସାତ ସାଢ଼େ ସାତ ବାଜେ । ଘରକୁ ଫେରି ଟିଭି ଖୋଲି କିମ୍ବା ମୋବାଇଲ୍ ରେ ସମୟ ବିତେ ଆଖିକୁ ନିଦ ଆସିବା ଯାଏଁ । ଏଇମିତି ଗଡ଼ି ଚାଲିଛି ସମୟ ଆଉ ଏ ଚାକିରିଆ ଜୀବନ ଏହା ସହ ତାଳ ଦେଇ ବଢ଼ି ଚାଲିଛି ବୟସ ଓଜନ ଆଉ ପେଟ । ସବୁଦିନ ଚିନ୍ତା କରେ ନାଁ କାଲିଠାରୁ ଯେମିତି ହେଉ ସକାଳୁ ଉଠି ଚାଲିବା ଆରମ୍ଭ କରିବି...। କିନ୍ତୁ ଏ କାଲିଟା ପାଖାପାଖି ଦେଢ଼ ବର୍ଷ ପରେ ଆଜି ସମ୍ଭବ ହୋଇପାରିଲା ସେ ବି ଲୋକେ ମର୍ଣ୍ଣିଙ୍ଗ୍ ଓ୍ୱାକ୍  ସାରି ଫେରିବା ସମୟରେ ପାଖାପାଖି ସକାଳ ସାଢ଼େ ଛଅଟା ବେଳେ । 


ମୟୂରଭଞ୍ଜର କରଞ୍ଜିଆ ଟାଉନ୍ ର ଅଙ୍କୁରା ଛକରୁ କେନ୍ଦୁଝର ଯିବା ରାସ୍ତାରେ ଦୁଇଶହ ମିଟର ଗଲେ ବାମ ପଟକୁ ଅଙ୍କୁରା ଗାଁକୁ ଯିବା ରାସ୍ତାରେ ପଡ଼େ ସରକାରୀ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟ ପଛକୁ ଗୋଟିଏ ଭଡ଼ା ଘରେ ଦୀର୍ଘ ଦେଢ଼ ବର୍ଷ ହେବ ରହଣି , ଏହି ଘର ସାମ୍ନାରେ ଏକ ବିରାଟକାୟ ପୁରୁଣା ଶାଳ ଗଛ କେଉଁ କାଳରୁ ଦଣ୍ଡାୟମାନ । ଏହି ଗଛର ସମସାମୟିକ ଆଉ କେତୋଟି ହାତ ଗଣତି ଶାଳ ଗଛ ଆଖପାଖ ଇଲାକାରେ ଦେଖାଯାଏ । ଏଠାର ପୁରୁଣା ଲୋକଙ୍କ କହିବା ଅନୁସାରେ ମାତ୍ର କିଛି ଦଶନ୍ଧି ତଳେ ଏହି ଇଲାକାଟି ଶାଳବଣର ଘଞ୍ଚ ଜଙ୍ଗଲ ଘେରା ଥିଲା । ଏହାରି ଭିତରେ କିଛି ଗାଁ ଅଳ୍ପ ସଂଖ୍ୟକ ଲୋକ ଆଉ କିଛି ବିଲବାଡ଼ି । ଅତୀତର ସେହି ଜଙ୍ଗଲର ସ୍ମୃତିକୁ ବହନ କରିରଖିଛି ଏହି ହାତ ଗଣତି କିଛି ପୁରୁଣା ଗଛ । ଘରମାଲିକ ଜଙ୍ଗଲ ବିଭାଗକୁ ଦରଖାସ୍ତ କରିଛନ୍ତି ଅନୁମତି ପାଇବା ପାଇଁ ଗଛଟିକୁ କାଟିବାକୁ ନହେଲେ ଏହା ତାଙ୍କ ଘର ପାଇଁ ଭବିଷ୍ୟତରେ ବିପଦ । ଏଇମିତି ଟାଉନ୍ ଆଉ ଲୋକସଂଖ୍ୟାର ବୃଦ୍ଧି ସହ ଲୋପ ପାଇଯାଇଥିବ ଏହି କିଛି ଦଶନ୍ଧି ତଳେ ଥିବା ସେ ଘଞ୍ଚ ଜଙ୍ଗଲ । 


ଏହି କେନ୍ଦୁଝର ଯିବା ରାସ୍ତାରେ ଆଉ ଦୁଇଶହ ମିଟର ଆଗକୁ ଗଲେ ରାସ୍ତାର ଦୁଇକଡ଼ରେ ପଡ଼େ ଶାଳ ଗଛର ପତଳା ବଣଟିଏ । ରାସ୍ତାର ବାମପଟେ ବଣ ଭିତରେ ପ୍ରତିଦିନ କୁଢ଼ କୁଢ଼ ପ୍ଲାଷ୍ଟିକ ଆବର୍ଜନା ଫିଙ୍ଗାଯାଉଛି । ଅଙ୍କୁରାରେ ରହୁଥିବା ଭଦ୍ର ସଭ୍ୟ ଶିକ୍ଷିତମାନେ ଶୁଦ୍ଧ ନିର୍ମଳ ପରିଷ୍କାର ବାତାବରଣ ଯୋଗୁଁ ଏହି ଅଞ୍ଚଳକୁ ମର୍ଣ୍ଣିଙ୍ଗ୍ ଓ୍ୱାକ୍ ରେ ଆସିଲା ବେଳେ ନିଜ ଘରର ଅଳିଆ ଆବର୍ଜ୍ଜନା ସାଥିରେ ନେଇ ଆସନ୍ତି ଆଉ ଜଙ୍ଗଲ ଭିତରକୁ ଫିଙ୍ଗି ଦେଇ ହାତ ଝାଡ଼ି ନିଶ୍ଚିନ୍ତ ହୁଅନ୍ତି ।


ରାସ୍ତାରେ ଚାଲୁଥିବା ଗାଡ଼ିର ପେଁପାଁ ଭଁଭାଁ ଶବ୍ଦରୁ ମୁକ୍ତି ପାଇବା , ଶାନ୍ତ ନିର୍ମଳ ପରିବେଶ ଆଉ ନୂଆ ଅଜଣା ଅଦେଖା ଜାଗାକୁ ଆବିଷ୍କାର କରିବା ଲୋଭରେ ବାମପଟେ ଜଙ୍ଗଲ ଭିତରକୁ ଯାଉଥିବା ଗୋଟିଏ ପତଳା ପାଦଚଲା ରାସ୍ତାରେ ପଶିଗଲି । ଜଳସେଚନ ପାଇଁ ଏହି ଜଙ୍ଗଲ ଭିତର ଦେଇ କେନାଲ ଖୋଳା ଚାଲିଛି ଆଉ ଏହି ପ୍ରକଳ୍ପ ପାଇଁ ଅଗଣିତ ଗଛ ବଳି ପଡ଼ିଛନ୍ତି । ଏହି ପାଦଚଲା ପତଳା ରାସ୍ତାରେ ଆଗକୁ ଆଗକୁ ଚାଲିଲି , ରାସ୍ତାର ଦୁଇପଟେ ଅଗଣିତ ଶାଳଗଛ ଠିଆହୋଇଛନ୍ତି ହେଲେ ଘର ଆଗରେ ଥିବା ସେ ବିରାଟକାୟ ପୁରୁଣା ଗଛର ସମବୟସ୍କ କେହି ବି ଦେଖାଯାଉନାହାନ୍ତି । ସବୁ ପତଳା ପତଳା ଅତି ବେଶୀରେ ପଚିଶି ତିରିଶ ବର୍ଷର ଲାଗୁଛନ୍ତି । ବଣ ଭିତରେ ତଳେ ଶୁଖିଲା ପତ୍ରସବୁ ବିଛେଇ ହୋଇ ପଡ଼ିଛି , ଏହି କିଛିଦିନ ତଳେ ପତ୍ରଝଡ଼ା ଯାଇ ନୂଆ ପତ୍ର ସବୁ କଁଅଳିଛନ୍ତି । ଉଜ୍ଜ୍ବଳ ସବୁଜ ନୂଆପତ୍ର ଉପରେ ସକାଳର ସୂର୍ଯ୍ୟ କିରଣ ପଡ଼ି ଆଖି ଝଲସି ଯାଉଛି , ଚଢ଼େଇର କିଚିରିମିଚିରି ସହ ନିଜର ପାଦଶବ୍ଦ ଛଡ଼ା ଚାରିଆଡ଼େ ନିଃଶବ୍ଦତାର ରାଜ୍ । କିଛି କ୍ଷଣ ଉପରକୁ ଅନାଇ ଗଛ ଗୁଡ଼ିକୁ ନିରୀକ୍ଷଣ କଲି , କି ବିଚିତ୍ର ! ଗଛ ଗୁଡ଼ିକ ଏତେ ପାଖରେ ପାଖରେ ଥାଇ ମଧ୍ୟ କେହି କାହାରିକୁ ସ୍ପର୍ଶ କରିନାହାନ୍ତି । ସମସ୍ତେ ଆକାଶ ମୁହାଁ , ପର୍ଯ୍ୟାପ୍ତ ସୂର୍ଯ୍ୟ ଆଲୋକ ପାଇବାକୁ ତାଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଚାଲିଛି ହେଲେ ମଣିଷ ଭଳି ଅନ୍ଯକୁ ଠେଲିଦେଇ ପେଲିଦେଇ ମୁଁ ଆଗ ! ମୁଁ ଆଗ ! ଜୋର୍ ଯାହାର ମୁଲକ ତାହାର ଭଳି ନୁହଁ । ବରଂ ପରସ୍ପରକୁ ନିଜ ନିଜ ଜାଗା ଛାଡ଼ିଦେଇ ଉପରକୁ ଉଠିବାର ଉତ୍ସାହ ପ୍ରେରଣା ଆବଶ୍ୟକ ସୂର୍ଯ୍ୟାଲୋକ ଛାଡ଼ିଦେଇ ବଢ଼ି ଚାଲିଛନ୍ତି ଯେମିତି । ଇଚ୍ଛା ହେଉଥିଲା ବଣ ଭିତରେ ସେ ଶୁଖିଲା ପତ୍ର ଉପରେ ଚାଲିବାକୁ ହେଲେ ସାପର ଭୟ ! ତେଣୁ ସେହି ପାଦଚଲା ରାସ୍ତା ଧରି ଆଗକୁ ଆଗେଇ ଗଲି । 

କିଛି ଦୂର ଗଲା ପରେ ଦେଖିଲି ଦୁଇଜଣ ଲୋକ ଗୋଟିଏ ବଡ଼ ପଥର ଉପରେ ଜଙ୍ଗଲରୁ କାଠ ପଥର ଆଣି ନିଆଁ ଲଗାଉଛନ୍ତି । ଜିଜ୍ଞାସା ପୂରଣ ପାଇଁ ପଚାରିଲି , ଆଛା ଭାଇ ! ନିଆଁ କାହିଁକି ଲଗାଉଛନ୍ତି ? ଉତ୍ତର ମିଳିଲା ଦୁଇ ଘଣ୍ଟା ଏମିତି ପଥର ଉପରେ ନିଆଁ ଜାଳିବା ପରେ ପଥରକୁ ହାତୁଡ଼ିରେ ପ୍ରହାର କଲେ ଆରାମରେ ପଥରଟି ଭାଙ୍ଗିଯିବ । ସେମାନେ ଏଇମିତି ଜଙ୍ଗଲ ଭିତରେ ଥିବା ପଥରଗୁଡ଼ାକୁ ଭାଙ୍ଗି ବୋଲ୍ଡର ଚିପ୍ସର ଆକାର ଦେଉଛନ୍ତି ଯାହା ଘର ତିଆରି କାମରେ ଲାଗୁଛି । ବଡ଼ ପଥରକୁ ଖଣ୍ଡଖଣ୍ଡ ଭାଙ୍ଗି କିଛି ଦୂରରେ ଥିବା କ୍ରସର୍ କୁ ନିଆଯାଏ । ଜଣାନାହିଁ ଏପରି କେବେ ଠାରୁ ଚାଲିଛି କେବଳ କିଛି କିଛି ସ୍ଥାନକୁ ଛାଡ଼ିଦେଲେ ପୁରା ଅଞ୍ଚଳଟି ଏବେ ପ୍ରାୟତଃ ସମତଳ ଦେଖାଯାଉଛି । ସ୍ଥାନେ ସ୍ଥାନେ ମଦ ବୋତଲ , ପାଣି ବୋତଲ ଆଉ ଲେଜ୍ କୁରକୁରେ ର ଜରି ସବୁ ପଡ଼ିଛି । ମଦ ପିଇବା ପାଇଁ ବି ଲୋକଙ୍କୁ ଏଭଳି ଏକ ନିରଳା ଜାଗା ଦରକାର । ଦିନେ ହୁଏତ ଏଠି ସବୁଆଡ଼େ ଛୋଟବଡ଼ ପଥରରେ ଭରି ରହିଥିଲା ଆଉ ଏକ ଭିନ୍ନ ପ୍ରକାରର ଭୂଦୃଶ୍ଯ ଥିଲା ଯାହା ଏବେ କଳ୍ପନା କରିବା ମୁସ୍କିଲ୍ । ଜଣାନାହିଁ ପୁରା ଅଞ୍ଚଳକୁ ପଥର ଶୂନ୍ୟ କରିବା ପରିବେଶ ଉପରେ କି କି କୁପ୍ରଭାବ ପଡୁଥିବ । ପଥର ସନ୍ଧିରେ କେତେ ଜୀବଜନ୍ତୁ ସରୀସୃପଙ୍କ ନିଶ୍ଚିତ ରୂପେ ଆବାସ ସ୍ଥଳୀ ଥିବ ଯାହା ଲୋପପାଇବା ଦ୍ୱାରା ସେମାନେ ବି ଲୋପପାଇଥିବେ । 


ସେଠାରୁ ବିଦାୟ ନେଇ ପୁନଃ କିଛି ଦୂର ଆଗେଇଲା ପରେ ଦେଖିଲି ଗୁଡ଼ାଏ ପଥର ଢ଼ିପ ଯାହା ଉପରେ ନିଆଁ ଜଳାଯିବା ଆଉ ପଥର ଭାଙ୍ଗିବା ଆଉ କାଟିନେବାର ସଙ୍କେତ । ଗୋଟିଏ ଜାଗାରେ ଜଙ୍ଗଲର ଗୋଟିଏ ପଟ ବହୁଦୂର ଯାଏଁ ନିଆଁ ଲାଗି ସବୁ ଛୋଟମୋଟ ଗଛ ବୁଦା ଜଳିଯାଇଛି । କେବଳ ବଡ଼ ବଡ଼ ଗଛକୁ ଛାଡ଼ିଦେଲେ ବାକି ସବୁ ଜଳିପୋଡ଼ି କଳା ପାଉଁଶ ହୋଇଯାଇଛନ୍ତି । ଜଙ୍ଗଲ କାଟି ଜାଳି ପୋଡ଼ି ଭସ୍ମ ନକଲେ ମଣିଷର ଭୋକ ମେଣ୍ଟିବ କେଉଁଠୁ ? ସେମାନେ କାହିଁକି ନଜାଳିବେ ମହାଭାରତରେ ଭଗବାନ କୃଷ୍ଣ ପରା ପାଣ୍ଡବଙ୍କ ସହ ମିଶି ଖାଣ୍ଡବପ୍ରସ୍ଥର ଜୈବିକ ବିବିଧତା ଭରା ଘଞ୍ଚ ଜଙ୍ଗଲକୁ ଜଳାଇ ଧ୍ୱଂସ କରିଥିଲେ । ଯେଉଁଥିରେ କାହିଁ କେତେ ନିରୀହ ପ୍ରାଣୀଙ୍କ ବାସସ୍ଥାନ ଥିଲା ଖାଲି ସେତିକି ତ ନୁହେଁ ସେଥିରେ ସାମାନ୍ୟ ମହୁମାଛିଟିଏ ମଧ୍ୟ ବର୍ତ୍ତି ନଥିଲା । ନିଁଆ ଦାଉରୁ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୌଡୁଥିବା ସମସ୍ତ ଜୀବଜନ୍ତୁଙ୍କୁ ଭଗବାନଙ୍କ ଆଦେଶରେ ହତ୍ୟା କରାଯାଇଥିଲା । ସେହି ଧ୍ୱଂସର ସ୍ତୁପ ଉପରେ ଭବ୍ୟ ଇନ୍ଦ୍ରପ୍ରସ୍ଥର ରାଜପ୍ରାସାଦ ଆଉ ସହର ଠିଆହୋଇଥିଲା । ଏଇତ ମଣିଷ ସଭ୍ୟତା ଆଉ ତା'ର ବିକାଶର ଲିଖିତ ଅଲିଖିତ ଇତିହାସ । ତେଣୁ ମୋତେ ଏ ଜଙ୍ଗଲ ସୁରକ୍ଷା ବନ୍ଯପ୍ରାଣୀଙ୍କ ସୁରକ୍ଷା ସବୁ ମଣିଷର ମିଛ ଛଳନା ଛଡ଼ା ଆଉ କିଛି ନୁହେଁ ବୋଲି ଲାଗେ । ମଣିଷର ଯେମିତି ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହେବା ପଛରେ ଉଦ୍ଦେଶ୍ୟ ହେଲା ନିଆଁ ଯୁଦ୍ଧ ଆଉ ଭସ୍ମ ! ଯେଉଁ ଦେଶ ଯେତେ ଏସବୁ କରୁଛି ବା କରିବାର ସାମର୍ଥ୍ୟ ରଖେ ସେ ଦେଶ ସେତେ ଉନ୍ନତ ଆଉ ସଭ୍ଯ । ଟିକିଏ ଶାନ୍ତ ନିର୍ମଳ ପରିବେଶ ଆଉ ନୂଆ ସ୍ଥାନର ଆବିଷ୍କାର ଲୋଭରେ ଜଙ୍ଗଲ ମଧ୍ଯରେ ପ୍ରବେଶ କରିଥିଲି କିନ୍ତୁ ଏସବୁ ଦୃଶ୍ୟ ଦେଖିବା ପରେ ମନଟି ଭାରି ହୋଇଗଲା ତେଣୁ ଫେରିବାର ରାସ୍ତା ଧରିଲି ଫେରିଆସିବାକୁ ଚାହିଁଲି ପୁନଃ ସେହି ସଭ୍ୟତା ଭିତରକୁ ।


ସେହି ଫେରିବା ରାସ୍ତାରେ ଭେଟିଲି ସାଇକେଲ ଗଡ଼ାଇ ଗଡ଼ାଇ ଆସୁଥିବା ଜଣେ ବୃଦ୍ଧଙ୍କୁ । କିଛିଟା ପୋଷା ଛେଳିର ପେଟ ପାଇଁ ସେ ଜଙ୍ଗଲରୁ କଅଁଳ ଶାଳପତ୍ରର ଗୋଛାଟିଏ ସଂଗ୍ରହ କରି ବାନ୍ଧିଥିଲେ ସାଇକେଲ୍ କ୍ୟାରିୟରରେ । ପଚାରିଲି ମଉସା ! ଏ ରାସ୍ତାଟି କେଉଁ ଗାଁକୁ ଯାଉଛି ? ଉତ୍ତର ମିଳିଲା ଶରଧା , ସେତିକି କହି ସେ ଚାଲିଗଲେନି ବରଂ କଥା ଲମ୍ବିଲା... । କଥା ଛଳରେ ସେ କହିଲେ ତାଙ୍କର ବୟସ ଷାଠିଏରୁ ଉର୍ଦ୍ଧ୍ବ ହେବ କିନ୍ତୁ ତାଙ୍କ କର୍ମଚଞ୍ଚଳତା ସୁସ୍ଥ ଶରୀର ପଛରେ ରହସ୍ୟ ହେଲା ସେ କୌଣସି ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ । ଏହା ସହ ତାଙ୍କ ଅମଳରେ ଖାଇଥିବା ଶୁଦ୍ଧ ଦେଶୀ ଖାଦ୍ୟ ଯାହା ଏବେ ସ୍ୱପ୍ନ ! ତାଙ୍କର ଦୁଇଟି ପୁଅ ଆଉ ଗୋଟିଏ ଝିଅ ସହ ଦଶ ନାତିନାତୁଣୀ ‌ । ଜଙ୍ଗଲରେ ଏକାଏକା ବୁଲିବାର ଭୟ ନିବାରଣ ପାଇଁ ପଚାରିଲି ମଉସା , ଏଠି ଭାଲୁ ଫାଲୁ ନାହାଁନ୍ତି ତ ! ସେ ହସରେ ଉଡ଼ାଇ ଦେଇ କହିଲେ ନାଁ ଭାଲୁ କୁଆଡୁ ଆସିବେ ? ଏହା ପରେ ସେ ଅନର୍ଗଳ ଗାଇଗଲେ ତାଙ୍କ ପୂର୍ବ ପିଢ଼ି ପାଖରୁ ଶୁଣିଥିବା , ନିଜ ଆଖିରେ ଦେଖିଥିବା ଆଉ ଅଙ୍ଗେ ନିଭାଇ ଥିବା ଜଙ୍ଗଲର ସଂକ୍ଷିପ୍ତ ଇତିହାସ । 


ବୃଦ୍ଧଙ୍କ କହିବା ଅନୁସାରେ ଦିନେ ଏ ଜଙ୍ଗଲ ଥିଲା ନିଘଞ୍ଚ ଅରଣ୍ୟ , ଭିତରକୁ ପଶିବା ଥିଲା ବଡ଼ ମୁସ୍କିଲ୍ ଆଉ ଦୁଃସାହସିକତାର କାମ ପୁଣି କାହିଁ କେତେ ବନ୍ଯପ୍ରାଣୀଙ୍କ ଥିଲା ଏହା ନିବାସ ସ୍ଥଳୀ । ସେ କହିଲେ ଏହି ଯେଉଁ ଅଙ୍କୁରାରେ ସେ ଛୋଟ ପାହାଡ଼ ତଳେ ଶୋଭନୀୟ ଶିକ୍ଷାଶ୍ରମ ନାମକ ଇସ୍କୁଲ୍ ଆଉ ଗୋଶାଳା ହେଇଛି ସେହି ପାହାଡ଼ ଗୁମ୍ଫାରେ ଦିନେ ବାଘ ରହୁଥିଲେ । ଧିରେଧିରେ ଏ ଜଙ୍ଗଲ କାଠମାଫିଆ ଆଉ ସରକାରଙ୍କ ଦ୍ୱାରା କଟା ହୋଇ ପଦା ହୋଇଗଲା । ଏହି ଗଛ ସବୁ ଯେଉଁ ଦେଖୁଛ ଏସବୁ ତ ନୂଆ । ପୁରୁଣା ଗଛ ସବୁ ବହୁତ ବଡ଼ ବଡ଼ ଥିଲେ ଯାହାର ଚିହ୍ନବର୍ଣ୍ଣ ଏବେ ଆଉ ନାହିଁ । ଏ ଯେଉଁ ଛୋଟ ଛୋଟ ଢିପ ଦେଖୁଛ ଯେଉଁଥିରେ ଛୋଟ ଛୋଟ ଶାଳ ଗଛସବୁ ଉଠିଛି । ସେହିସବୁ ଜାଗାରେ ଦିନେ ଠିଆ ହୋଇଥିଲେ ଏ ମୋଟା ମୋଟା ଦୀର୍ଘକାୟ ଗଛ ସବୁ । ଆମେ ଗାଁ ଲୋକେ ପାଳି କରି ରାତିଦିନ ଜଗି ଏତିକି ବଞ୍ଚାଇଛୁ । ମୁଁ ବାବୁ ପାଠସାଠ ଦିଅକ୍ଷର ସିନା ପଢ଼ିନି କିନ୍ତୁ ଏତିକି ଜାଣିଛି କି ଏହି ଜଙ୍ଗଲ ଆମରି ମାଁ ଆଉ ଏହାରି ପାଇଁ ଆମେ ବଞ୍ଚିଛୁ । ଲୋକଟିର ଏହି ଶେଷ ପଦକ କଥା ମୋ କ୍ଷତାକ୍ତ ହୃଦୟରେ ମଲମ ଭଳି କାମ କଲା ଆଉ ମନରେ ଟିକିଏ ଆଶା ସଞ୍ଚାର ବି କଲା । ମନେ ମନେ ଭାବିଲି ଯେବେ ଯାଏଁ ଏଭଳି ଲୋକ ବଞ୍ଚିଥିବେ ସେବେ ଯାଏଁ ଜଙ୍ଗଲ ବଞ୍ଚିରହିବ କିନ୍ତୁ ଏଭଳି ଲୋକ ବି ସେ ସବୁ ବନ୍ଯପ୍ରାଣୀଙ୍କ ପରି ବିଲୁପ୍ତ ପ୍ରାୟ....।

 


Rate this content
Log in

Similar oriya story from Inspirational