Prashantam Bapu

Inspirational Others

3  

Prashantam Bapu

Inspirational Others

ଆଶା ଟିକିଏ ବଞ୍ଚିରହୁ

ଆଶା ଟିକିଏ ବଞ୍ଚିରହୁ

6 mins
131



ମହାତ୍ମା ଗାନ୍ଧୀ ତାଙ୍କର ଦକ୍ଷିଣ ଆଫ୍ରିକାର ରହଣି କାଳରେ ଅନୁଭବ କରିଥିଲେ କି ଭାରତୀୟ ମାନଙ୍କୁ ଇଂରେଜ ମାନେ ଘୃଣା କରିବାର ବହୁ କାରଣ ମଧ୍ୟରୁ ଗୋଟିଏ ମୁଖ୍ୟ କାରଣ ଥିଲା ସେମାନଙ୍କ ଅପରିଚ୍ଛନ୍ନ ରହଣି ଶୈଳୀ । ତେଣୁ ସେ ପ୍ରାଣପଣେ ଲାଗିପଡ଼ିଥିଲେ ସେଠାର ଭାରତୀୟଙ୍କୁ ପରିଚ୍ଛନ୍ନତାର ଶିକ୍ଷା ଦେବାକୁ । ଏହା ସେ ପ୍ରଥମେ ନିଜ ଘର ଆଉ ଆଶ୍ରମରୁ ଆରମ୍ଭ କରିଥିଲେ । ଭାରତକୁ ଫେରିବା ପରେ ଭାରତୀୟଙ୍କ ସମତୁଲ ରୀତି ନୀତି ଦେଖି ତାଙ୍କୁ ଖଟା ଲାଗିଥିଲା । ମନକୁ ଆସିଲା ଏ ଲୋକମାନେ ସ୍ୱାଧୀନତା ପାଇଁ ଲଢ଼ୁଛନ୍ତି ! ଆଗ ସ୍ୱାଧୀନତା ଦରକାର ନା ଆଗ ସଫାସୁତୁରା ରହିବା ଦରକାର ? ଏ ପ୍ରଶ୍ନର ଉତ୍ତର ଗାନ୍ଧିଜୀଙ୍କ ପାଇଁ ସ୍ପଷ୍ଟ ଥିଲା । ସତେକି ଆମକୁ ଚେତାବନୀ ଦେବାକୁ ତାଙ୍କ କୁଟୀର , ଆଶ୍ରମ ଆଉ ସ୍ୱଳ୍ପ ବ୍ୟବହାର୍ଯ୍ୟ ଜିନିଷ କେଉଁଥିରେ ବି ମଇଳାର ଚିହ୍ନବର୍ଣ୍ଣ ନଥିଲା । ଗାନ୍ଧୀ ଆମର ଏବେକା ନେତାଙ୍କ ପରି କଥା କୁହା କପିଳା ନଥିଲେ , ତାଙ୍କ ଆଚାର ବିଚାର ମଧ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହେଉନଥିଲା । ସେ ନିଜେ ମନପ୍ରାଣ ଦେଇ ନିଜ କାମ ସବୁ ନିଜେ କରୁଥିଲେ ତ କିଛି କହିବା ଆବଶ୍ୟକ ପଡ଼ୁନଥଲା । ତାଙ୍କର ଅନୁଗାମୀ ତାଙ୍କ କାମରୁ ଦେଖି ଶିଖୁଥିଲେ ।


ଗତ କିଛି ବର୍ଷ ହେଲା ଗାନ୍ଧୀ ଜୟନ୍ତୀର ସପ୍ତାହ ପୂର୍ବରୁ ଯୋର୍ ସୋରରେ ପୁରା ଦେଶ ବ୍ୟାପି ସ୍ୱଚ୍ଛତା ଅଭିଯାନ ପାଳନ କରାଯାଉଛି । ଏହା ନିଶ୍ଚିତ ରୂପେ ଏକ ମହତ ଆଉ ସ୍ୱାଗତଯୋଗ୍ୟ କାର୍ଯ୍ୟ । କିନ୍ତୁ ହଜାର ହଜାର କୋଟି ଟଙ୍କା ପ୍ରଚାର ପ୍ରସାରରେ ବ୍ଯୟ କରିବା ପରେ ବି ଏହା ବାସ୍ତବିକ କେତେ ଫଳପ୍ରସୂ ହେଇଛି ତାହା ପ୍ରଶ୍ନବାଚୀ । ଆମର ବଡ଼ ବଡ଼ ନେତା ମନ୍ତ୍ରୀ ଆଉ ବାବୁମାନେ କ୍ୟାମେରା ଆଗରେ ଝାଡ଼ୁ ଧରି ସ୍ୱଚ୍ଛ ସ୍ଥାନ ଗୁଡ଼ିକୁ ସଫା କରିବାର ଫଟୋ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାର ଆମେ ଦେଖୁଛେ । ଏହା ସହ ଆମ ଗାଁ ସହର ରାସ୍ତାଘାଟ , ନାଳନର୍ଦ୍ଦମା , ସ୍କୁଲ୍ କଲେଜ୍ ଅଫିସ୍ ଆଉ ଡାକ୍ତରଖାନାର ଅବସ୍ଥା ବି ଦେଖୁଛେ । 


ଆମ ରାଜ୍ୟରେ ମୁଖ୍ୟତଃ ସରକାରୀ ବିଦ୍ୟାଳୟରେ କେଉଁଠି ବି ସଫେଇ କର୍ମଚାରୀଟିଏ ନାହାନ୍ତି । ସଫେଇ କର୍ମଚାରୀଙ୍କ ଯେ ଆବଶ୍ୟକତା ନାହିଁ ଆଉ ସ୍କୁଲ୍ କୁ ସଫା ରଖିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ଵ ବୋଲି ପରିସ୍କାର ଉଲ୍ଲେଖ କରିଦେଲେ ସ୍କୁଲ୍ କୁ କିଏ ସଫା କରିବ ସେ ଦ୍ୱନ୍ଦ ଆଉ ରୁହନ୍ତା ନାହିଁ । ଏମିତି ତ ପାଠ ପଢ଼ାକୁ ଗୌଣ କରି ହଜାରେ ଅନ୍ୟାନ୍ୟ କାମ କରିବାକୁ ଟିଚର୍ ମାନେ ବାଧ୍ୟ ହୁଅନ୍ତି । ଚାରିଶହ ପାଞ୍ଚଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ଏବେ ସବୁଠୁ ବଡ଼ ସମସ୍ୟା ହେଲା ସ୍କୁଲ୍ ର ଟଏଲେଟରୁ ଆରମ୍ଭ କରି ପୁରା ସ୍କୁଲ୍ ପରିସରକୁ କେମିତି ନିୟମିତ ସଫା ରଖାଯିବ । ଏ ସମସ୍ୟା ପ୍ରତି ଯେମିତି କାହାର ବି ନିଘା ନାହିଁ । ପ୍ରାଇମେରୀ ସ୍କୁଲ୍ କଥା କିଏ ପଚାରେ , କିଛିଟା ବଡ଼ ବଡ଼ ହାଇସ୍କୁଲରେ ବି ଗୋଟିଏ ପିଅନ ସାଙ୍ଗକୁ ଜଣେ ମାତ୍ର ରାତି ଜଗୁଆଳି ସହ ଝାଡୁଦାର ଅଛନ୍ତି । ରାତି ଜଗୁଆଳିଟି ଦୁଇରୁ ତିନି ହଜାର ଟଙ୍କାର ଦରମାରେ ରାତିରେ ସ୍କୁଲର ସୁରକ୍ଷା ଦାୟିତ୍ବ ନେବା ସହ ସକାଳୁ ଉଠି ପୁରା ବିଦ୍ୟାଳୟର ସଫେଇ ବି କରିବ ତ କହିବା ବାହୁଲ୍ୟ ପ୍ରାୟତଃ ସଫେଇ ହୁଏନାହିଁ । ପ୍ରଚାର ପ୍ରସାର ପାଇଁ ବା ଭୋଟ୍ ବ୍ୟାଙ୍କ ରାଜନୀତିରେ ବ୍ୟବହାର କରିବାକୁ ଆମ ସରକାରଙ୍କ ପାଖରେ ଅପର୍ଯ୍ୟାପ୍ତ ଅର୍ଥ ଅଛି କିନ୍ତୁ ଆମର ଶିକ୍ଷାର ମନ୍ଦିରରେ ନିୟମିତ ସଫେଇ କର୍ମଚାରୀଟିଏ ନିୟୋଜିତ କରିବାକୁ ପାଣ୍ଠିରେ ପଇସା ନାହିଁ । ଏଇଥିରୁ ପରିଚ୍ଛନ୍ନତାକୁ ନେଇ ସତରେ ଆମ ହୃଦୟରେ କେତେ ଆନ୍ତରିକତା ଅଛି ଜଣା ପଡ଼ିଯାଏ ।


ଯେଉଁ ସବୁ ସ୍କୁଲ୍ ରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଅଛି ସେଠାର ପ୍ରାୟତଃ ହଷ୍ଟେଲ ପିଲାଙ୍କ ଦେଇ ସଫାସଫି କାର୍ଯ୍ୟ କରାଯାଏ । ହଷ୍ଟେଲରେ ରହୁଥିବା ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ସମାଜର ନିମ୍ନ ବର୍ଗରୁ ଆସିଥାଆନ୍ତି । ଏମାନେ ଅତ୍ୟନ୍ତ ସରଳ ଆଉ ଆଜ୍ଞାବହ ତେଣୁ ସେମାନଙ୍କୁ ପିଅନଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ ଯାଏ ସଭିଏଁ ଏସବୁ କାମରେ ନିୟୋଜିତ କରନ୍ତି । ଯାହା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଜରିଆରେ ପିଲାମାନେ ସଫାସୁତୁରା କରନ୍ତି ସେତିକି । ଟଏଲେଟ୍ ସବୁ ସେଇମିତି ବର୍ଷ ବର୍ଷ ସଫା ନହୋଇ ପଡ଼ି ରୁହେ । ତା' ଭିତରକୁ ପ୍ରବେଶ କରିବାକୁ ଜଣେ ସାମାନ୍ୟ ସମ୍ବେଦନଶୀଳ ମଣିଷ ସାହସ କରିପାରିବ ନାହିଁ । ସେ ଟଏଲେଟ୍ କୁ ବ୍ୟବହାର କରୁଥିବା ପିଲାମାନଙ୍କ ସ୍ୱାସ୍ଥ୍ୟ ଭଗବାନଙ୍କ କରୁଣା ଉପରେ ଛାଡ଼ିଦିଆ ଯାଇଛି । ପ୍ରାୟତଃ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏ ପ୍ରତି ନିଘା ନଥାଏ ଯେଉଁ ହାତ ଗଣତି ସମ୍ବେଦନଶୀଳ ଟିଚର୍ ଅଛନ୍ତି ସେମାନେ ଅସହାୟ ହୋଇ ଆଖି ବୁଜିଦେବାକୁ ବାଧ୍ୟ ହୁଅନ୍ତି କାରଣ ଏହା ଛଡ଼ା ତାଙ୍କର ଅନ୍ୟ ଗତି ନଥାଏ । ଏହା ସହ ବର୍ଷକୁ ବର୍ଷ ସ୍ୱଚ୍ଛତା ଦିବସ ଧୁମଧାମରେ ପ୍ରଚାର ପ୍ରସାର କରାଯାଉଛି । ସତରେ ମେରା ଭାରତ ନିଃସନ୍ଦେହରେ ମହାନ୍ !


ଏବର୍ଷ ନବନିର୍ମାଣ ସ୍କୁଲ୍ ରେ ସ୍ୱଚ୍ଛତା ଦିବସ ପାଳନ କରାଯାଇ ପାରିଲା ନାହିଁ । କାରଣଟି ହେଲା ପୂଜା ଛୁଟି ଖୋଲିଲେ ପିଲାଙ୍କ ପରୀକ୍ଷା ଆଉ ଛୁଟି ପୂର୍ବରୁ ପଛେଇ ଯାଇଥିବା ନିର୍ଦ୍ଧାରିତ ପାଠ ସାରିବାକୁ ହେବ । ତେଣୁ ନେତାମନ୍ତ୍ରୀଙ୍କ ଅନୁକରଣରେ କେବଳ ସଫେଇ କରୁଥିବାର ଅଭିନୟ କରି କିଛି ଫୋଟୋ ନିଆଗଲା ବଡ଼ ବାବୁମାନଙ୍କ ଠାରୁ ଆତ୍ମ ସୁରକ୍ଷା ପାଇଁ । ସମାନ ନାଟକ କାହିଁ କେତେ ସ୍କୁଲ୍ ରେ ଅଭିନୀତ ହୋଇଥିବ ସମାନ ପରିସ୍ଥିତି ଯୋଗୁଁ । ଆମ ପାଇଁ ସବୁବେଳେ ପରୀକ୍ଷା ସହ ବାକି ସବୁ କାମ ଆଗ , ଘଣ୍ଟା ଘଣ୍ଟା ସୋସିଆଲ ମିଡ଼ିଆ , YouTube ,Netflix , Amazon prime, Desney Hotstar ରେ ମନୋରଞ୍ଜନ ହେଉ କି ବଜାର ଛକରେ ଖଟି ମାରିବା ହେଉ । ଏଇମିତି ଅଗଣିତ କାମର ଲମ୍ବା ତାଲିକା ଆମ ପାଇଁ ଆଗ କିନ୍ତୁ ସଫାସୁତୁରା ପଛ କଥା । ମନ୍ଦିର , ସ୍କୁଲ୍ କଲେଜ୍ ଅଫିସ୍ ଡାକ୍ତରଖାନା , ବସଷ୍ଟାଣ୍ଡ , ରାସ୍ତାଘାଟ ଏସବୁ ସଫା କରିବା ଆମର କାହାରି ଦାୟିତ୍ଵ ନୁହେଁ । ଯେଉଁଠି ଇଚ୍ଛା ସେଇଠି ପରିସ୍ରା କରିବା , ରାସ୍ତା କଡ଼ରେ ଝାଡ଼ା ଫେରିବା , ଛେପ ପକାଇବା , ଘରୁ ଅଳିଆ କାଢ଼ି ରାସ୍ତାରେ ହେଉ କିମ୍ବା ଆଖପାଖ ଜଙ୍ଗଲରେ ଫିଙ୍ଗିବା ଲୋକଙ୍କ ନିତିଦିନିଆ ଅଭ୍ୟାସ । ଏସବୁ କାହାକୁ ଦୃଷ୍ଟି କଟୁ ଲାଗିଲେ ବି ବିରୋଧ କରିବା ମାନେ କଳିଝଗଡ଼ାକୁ ଡାକି ଆଣିବା ତେଣୁ ମୁକ ବଧିର ଅନ୍ଧ ହୋଇଯିବା ଶ୍ରେୟସ୍କର । 


ବାହ୍ୟ ମଳମୁକ୍ତ ଅଭିଯାନରେ କୋଟି କୋଟି ଟଙ୍କା ଅର୍ଥ ଶ୍ରାଦ୍ଧ କରି ପ୍ରତି ଗାଁରେ ଘରେ ଘରେ ପାଇଖାନା କରାଗଲା ହେଲେ ସେସବୁରୁ ଅଧିକାଂଶ ସେଇମିତି ପଡ଼ିରହିଲା । ଲୋକେ ସେସବୁରେ ଗୋବର ଘଷି ଗୁଣ୍ଡା ସାଇତି ରଖିବାରେ ବ୍ୟବହାର କଲେ ମଧ୍ୟ ବାହାରେ ଝାଡ଼ା ଫେରିବାର ପୁରୁଷ ପୁରୁଷ ଧରି ଅଭ୍ୟାସକୁ ଛାଡ଼ିଲେ ନାହିଁ । ସ୍କୁଲ୍ ରେ ପିଲାମାନେ ନିଜ ନିଜର ଶ୍ରେଣୀକୁ ନିଜେ ନିଜେ ସଫା କରିବାକୁ ଆଗଭର ହେଲେବି ଝାଡ଼ୁ ଖଣ୍ଡିଏ ଖୋଜିଲେ ମିଳିବ ନାହିଁ । ନିୟମିତ ଝାଡ଼ୁ ସହ ହାତ ଧୋଇବା ପାଇଁ ସାବୁନ୍ କିଣିବା ସ୍କୁଲ୍ ର ପ୍ରଧାନ ଶିକ୍ଷକଙ୍କ ପାଇଁ ଏକ ଅତିରିକ୍ତ ଆର୍ଥିକ ବୋଝ ତେଣୁ ଅଧିକାଂଶ ଏହାକୁ ଜାଣିଶୁଣି ଅଣଦେଖା କରନ୍ତି । ଏଇମିତି କହି ଚାଲିଲେ କଥା ସରିବନି । ମୂଳ କଥା ହେଲା ସ୍ୱଚ୍ଛତା ଯେତେ ଗୁରୁତ୍ୱପୂର୍ଣ୍ଣ ବୋଲି ଭାଷଣ ଦେଲେ ବି ଏଥିରେ ଆମର ସାମାନ୍ୟ ଟିକିଏ ଆନ୍ତରିକତା ଥିଲା ଭଳି ଆମ ବ୍ୟବହାରରୁ ଲାଗେ ନାହିଁ । ଗାନ୍ଧୀ ମହାତ୍ମା କହି କହି ଗଲେ , ଖାଲି ସେ ନୁହେଁ କେତେ କେତେ ମହାତ୍ମା ସମାନ ଉପଦେଶ ଦେଇ ଗଲେଣି ହେଲେ ଆମ ମାନସିକତାରେ ବିଶେଷ କିଛି ପରିବର୍ତ୍ତନ ହେବାର ଲକ୍ଷଣ ଦେଖାଯାଉ ନାହିଁ ।


ଗାନ୍ଧୀ ଜୟନ୍ତୀ ଏଥର ସୋମବାର ପଡ଼ିଥିଲା , ଏମିତିକା ଛୁଟିର ମୌଉକା ହାତ ଛଡ଼ା କରିହେବନି , ଭାଗ୍ୟକୁ କେବେ କେବେ ଆସେ । ଯେଉଁ ନବନିର୍ମାଣ ସ୍କୁଲ୍ କଥା କହୁଥିଲି ସେ ସ୍କୁଲ୍ ରେ ପ୍ରଧାନ ଶିକ୍ଷକ ନାହାନ୍ତି । ଯିଏ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଛନ୍ତି ସେ ବେଆଇନ ଛୁଟି ନେବାରେ ସବା ଆଗରେ । ତାଙ୍କର ଛୁଟିରେ ରହିବାରେ ଥିଲେ ତା' ଠାରୁ ଆଉ କିଛି ଗୁରୁତ୍ଵପୂର୍ଣ୍ଣ ନଥାଏ କି ତାଙ୍କ ମିଛ ଉପସ୍ଥାନ ପକାଇବାଟା ବିଲକୁଲ ଅନ୍ୟାୟ ଅନୀତି କୁହାଯିବନି । ଯେହେତୁ ସେ ପ୍ରଧାନ ଶିକ୍ଷକଙ୍କ ଭାର ଗ୍ରହଣ କରି ପୁରା ବିଦ୍ୟାଳୟର ଛାତ୍ରଛାତ୍ରୀ ଆଉ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସବୁଠୁ ବଡ଼ ତ୍ୟାଗର ନିଦର୍ଶନ ଦେଇସାରିଛନ୍ତି ତ ଏ ଛୋଟମୋଟ କଥା ଧରିବାଟା ମଣିଷପଣିଆ ନୁହେଁ । ଛୁଟିରେ ରହିବେ ବୋଲି ସେ କେବଳ ଭାର ହସ୍ତାନ୍ତର କରିଥିବା ଟିଚର୍ ଙ୍କୁ ଜଣାଇ ଥାଆନ୍ତି ବାକି ଟିଚର୍ ମାନେ ସାମାନ୍ୟତମ ଟେର ପାଆନ୍ତି ନାହିଁ । ସେମାନଙ୍କ ତୋଟା ମୂଲ କରିବାର ବି ଅଧିକାର ନାହିଁ । 


ତ ଏଥର ଗାନ୍ଧୀ ଜୟନ୍ତୀ ଦିନ ଜଣା ପଡ଼ିଲା ନାହିଁ ଯେ କେତେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତ ରହିବେ । ପନ୍ଦର ଷୋହଳ ଜଣ ଟିଚରଙ୍କ ମଧ୍ୟରୁ ଶେଷରେ ମାତ୍ର ପାଞ୍ଚଜଣ ଆସିଲେ । ଗାନ୍ଧୀ ଜୟନ୍ତୀ ସହ ଅଗଷ୍ଟ ପନ୍ଦର, ଜାନୁଆରୀ ଛବିଶ , ଗଣେଶ ପୂଜା ଆଉ ସରସ୍ଵତୀ ପୂଜା ଭଳି ପାଳନୀୟ ଦିବସ ମାନଙ୍କରେ ସେଇ ଭଳି ଟିଚର୍ ମାନଙ୍କର ଉପସ୍ଥିତ କମ୍ ଦେଖାଯାଏ । କିନ୍ତୁ ଗାନ୍ଧୀ ଜୟନ୍ତୀ ଭଳି ଶୁଖିଲା ଦିନରେ ଟିକିଏ ଅଧିକ ଦେଖାଯାଏ । ଶୁଖିଲା ଦିନ କହିବା ମାନେ ସେଦିନ ଭୋଜିଭାତ କି ଭଳିକି ଭଳି ଶାଢ଼ୀ ପୋଷାକ ପିନ୍ଧିବାର ପ୍ରତିଯୋଗିତା ନଥାଏ । 


ଗାନ୍ଧୀ ଜୟନ୍ତୀ ଏକ ନିରଳସ ଦିନଟିଏ ଅଧିକାଂଶ ଟିଚର୍ ମାନଙ୍କ ପାଇଁ । ଟିଚର୍ ମାନଙ୍କ ଏହି ମାନସିକତା ଯୋଗୁଁ ଛାତ୍ରଛାତ୍ରୀ ମାନେ ବି ସମାବସ୍ଥା ଅନୁଭବ କରନ୍ତି । ନିଜକୁ ଜ୍ଞାନୀ ଗୁଣୀ କହୁଥିବା କିଛି ଟିଚର୍ ତ ଖୋଲାଖୋଲି ବାପୁଜୀଙ୍କ ଆଦର୍ଶକୁ ଫମ୍ପା ଅର୍ଥହୀନ କହି ନାପସନ୍ଦ କରିବା ସହ ତାଙ୍କ ଚରିତ୍ର ସଂହାର କରିବାରେ ଅଧିକ ଆମୋଦ ପାଆନ୍ତି । ସେମାନେ ତାଙ୍କ ହତ୍ୟାକାରୀ ନାଥୁରାମ୍ ଗଡ଼ସେକୁ ବରଂ ହିରୋ ବୋଲି ମାନନ୍ତି । ତାଙ୍କ ହାବଭାବରୁ ଲାଗେ କି ଗାନ୍ଧୀ ଜୟନ୍ତୀ ପାଳିବା ପରିବର୍ତ୍ତେ ନାଥୁରାମ୍ ଗଡ଼ସେ ର ଜୟନ୍ତୀ ପାଳନ ହେଲେ ସେମାନେ ହୁଏତ ଅଧିକ ଉତ୍ସାହିତ ଅନୁଭବ କରନ୍ତେ । ତ ଗାନ୍ଧୀ ଜୟନ୍ତୀକୁ ଛୁଟି ବୋଲି ଭାବିବା ଆଉ ସେହି ଦିନ ବିଦ୍ୟାଳୟରେ ଅନୁପସ୍ଥିତ ରହିବାକୁ ସେମାନଙ୍କ ବିବେକ ବାଧା ଦେବାର ପ୍ରଶ୍ନ ଉଠୁନାହିଁ । ବରଂ ସେମାନେ ଗୋଟିଏ ଦିନର ଲାଭ ଉଠାଇ ନେଲେ ବୋଲି ନିଜକୁ ଚାଲାକ୍ ଭାବୁଥିବେ । 


କିଏ ବା ଶୁଖିଲାଟାରେ ସକାଳୁ ସକାଳୁ ନିଜ କାମ ଦାମ ଛାଡି ସ୍କୁଲ୍ ଯାଇ ଗାନ୍ଧୀ ବୁଢ଼ାର ଫଟୋକୁ ସଜାଇ ଫୁଲମାଳ ଦେବ ? ପୁଣି ଆନ୍ତରିକତା ନଥାଇ ବୁଢ଼ାର ବଳିଦାନ , ତାଙ୍କ ନୀତି ଆଦର୍ଶ ଅହିଂସା ଆଉ ସ୍ୱଚ୍ଛତାକୁ ନେଇ ଭାଷଣ ଦେବା ବା ଶୁଣିବାରେ ସମୟ ନଷ୍ଟ କରିବ ? ସେଦିନ ସ୍କୁଲ୍ ରେ ପନ୍ଦର ଷୋହଳ ଜଣ ଟିଚରଙ୍କ ମଧ୍ୟରୁ ଯେଉଁ ତିନି ଚାରିଜଣ ଶିକ୍ଷକ ଥିଲେ ବିଚରା ନିର୍ଧାରିତ ସମୟକୁ ପୁରା କରିବା ପାଇଁ ନିଜ ଭାଷଣକୁ ଇଲାଷ୍ଟିକ୍ ଭଳି ଟାଣି ଟାଣି ଲମ୍ବା କଲେ । ପିଲା ବିଚାରା ବିରକ୍ତ ହେଲେ ଆଉ ଯିବା ପାଇଁ ଛଟପଟ ହେଲେ କିନ୍ତୁ ସହଜରେ ମୁକ୍ତି ମିଳିଲା ନାହିଁ । ଏହା ପରେ ସଫେଇ କାର୍ଯ୍ୟ , ଏ କାର୍ଯ୍ୟରେ ଆନ୍ତରିକତା ଥାଉଁ ନଥାଉ କିନ୍ତୁ ଫଟୋ ରେକର୍ଡ ରଖିବା ପାଇଁ ଏହା ସହ WhatsApp Facebook ଆଉ Instagram ରେ ସେୟାର କରିବା ପାଇଁ ଏହା ଜରୁରୀ ତେଣୁ ବାଧ୍ୟ ହୋଇ କରିବାକୁ ହୁଏ । ତ ପିଲାମାନଙ୍କ ମଧ୍ୟରେ କେଉଁଠୁ ଗାନ୍ଧିଜୀଙ୍କ ଆଦର୍ଶ ପ୍ରତି ଶ୍ରଦ୍ଧା ଭାବ ଆସିବ ? ଏମାନଙ୍କ ବ୍ଯତିରେକ ଅଛନ୍ତି ବି କିଛି ଟିଚର୍ ଯେଉଁ ମାନେ ବାପୁଙ୍କ ସହ ବାକି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ର ମହତ୍ତ୍ଵ ବୁଝନ୍ତି ଆଉ ଛାତ୍ରଛାତ୍ରୀଙ୍କୁ ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରିବାକୁ ସାଧୁ ଚେଷ୍ଟା କରନ୍ତି । ଏଭଳି ଶିକ୍ଷକମାନେ ଥାଉଁ ଥାଉଁ ବାପୁଙ୍କ ଆଦର୍ଶ ଯେ ନିଃସନ୍ଦେହରେ ବଞ୍ଚିରହିବ ଏ ଆଶା ଟିକିଏ ଶେଷରେ ବଞ୍ଚିରହୁ ଏହା ସହ ମହାତ୍ମା ଗାନ୍ଧିଜୀଙ୍କ ଜୟ ହେଉ ! 




Rate this content
Log in

Similar oriya story from Inspirational