Prashantam Bapu

Drama Inspirational Others

4.0  

Prashantam Bapu

Drama Inspirational Others

ଦିନେ

ଦିନେ

2 mins
201



ଦିନେ ତରତର ହୋଇ କର୍ମକ୍ଷେତ୍ରକୁ ବାହାରିବା ରାସ୍ତାରେ ତାକୁ ଦେଖିଲି । ଉଦୁଉଦିଆ ଖରାରେ ରାସ୍ତା ମଝିଟାରେ ସେ ତା'ର ପାରୁଯାଏ ଦ୍ରୁତ ଗତିରେ ଚାଲୁଥାଏ । ବୋଧହୁଏ ନିଜକୁ ପ୍ରଜାପତିରେ ରୂପାନ୍ତରିତ କରିବାର ଉଦ୍ଦେଶ୍ୟ ପଥରେ ଏକ ସୁରକ୍ଷିତ ଆଶ୍ରୟ ବା ସାଧନା ସ୍ଥଳ ଥିଲା ତା'ର ଗନ୍ତବ୍ୟ । ଚକା ତଳେ ବା କାହାର ପାଦତଳେ ନିରୀହଟିର ସ୍ୱପ୍ନ ଚାପି ହେଇନଯାଉ , ଖରାର ପ୍ରକୋପରେ ବେଚାରା ଜଳି ନଯାଉ ସେଇଥିପାଇଁ ଏକ ଝଡ଼ିଲା ଶୁଖିଲା ଶାଳ ପତ୍ରର ସାହାରାରେ ତାକୁ ଉଠେଇ ନେଇ ସମୀପରେ ଥିବା ଏକ ବୁଢ଼ା ଶାଳ ଗଛ ମୂଳରେ ଛାଡ଼ିଦେଇ ଆସିଲି । ଓଃ କେଡ଼େ ବଡ଼ ପୁଣ୍ୟ କାମଟିଏ ଆଜି ନକଲି ! ଏକ ଅବ୍ୟକ୍ତ ଆନନ୍ଦରେ ହୃଦୟ ମନ ପୁରି ଉଠିଲା । 


ଗାଡ଼ି ଚଳାଉଥିବା ବେଳେ ପରେ ମୁଣ୍ଡକୁ ଜୁଟିଲା କି ବୋଧହୁଏ ଦୟା ଦେଖେଇବାକୁ ଯାଇ ଏକ ଅକ୍ଷମଣୀୟ ଭୁଲ୍ କରିଦେଲି । ସେ ହୁଏତ ପାଖରେ ଥିବା ଘରଟି ମଧ୍ୟରେ ଏକ ସୁରକ୍ଷିତ ଆଶ୍ରୟର ତଲାସରେ ବାହାରିଥିଲା । ଗଛରେ ବାସ କରିବା ସମ୍ଭବତଃ ତା ପାଇଁ ସୁରକ୍ଷିତ ନୁହେଁ । କେତେ ପ୍ରକାର ଚଢ଼େଇ , ଝିଟିପିଟି , ଏଣ୍ଡୁଅ ବା ପିମ୍ପୁଡ଼ି ଦଳଙ୍କର ଅଚିରେ ଖାଦ୍ୟ ହେଇ ଯିବାର ସମ୍ଭାବନା ଯଥେଷ୍ଟ ଅଛି ପୁଣି ଗ୍ରୀଷ୍ମର ଅତିରିକ୍ତ ଉତ୍ତାପ ବି ବିରାଟ ଏକ ପ୍ରତିବନ୍ଧକ ସାଜିପାରେ । ସେହି ତୁଳନାରେ ମଣିଷର ବସା ହୁଏତ ତା ପାଇଁ ଅଧିକ ସୁରକ୍ଷିତ ହୋଇଥାଆନ୍ତା । ତା ଉପରେ ଦୟା ଦେଖାଇ ତାକୁ ଉଠେଇ ନେଇ ଗଛ ମୂଳରେ ଛାଡ଼ି ଆସିବାଟା ହୋଇପାରେ ତାକୁ ମରଣ ମୁହଁରେ ଛାଡ଼ିଦେଇ ଆସିବା ତୁଲ୍ୟ ହେଲା । 


ମଣିଷକୁ ଛାଡ଼ିଦେଲେ ପ୍ରକୃତିର ପ୍ରତ୍ୟେକ ଜୀବ ତାଙ୍କ ସହଜାତ ପ୍ରବୃତ୍ତିରୁ ଜାଣିଥାଆନ୍ତି କି ତାଙ୍କ ପାଇଁ କ'ଣ ସର୍ବୋକୃଷ୍ଟ । ମଣିଷର ସୁରକ୍ଷା ଦେବାର ପ୍ରୟାସ ହିଁ ସବୁଠୁ ବଡ଼ ହସ୍ତକ୍ଷେପ ପ୍ରତୀତ ହୁଏ । ପ୍ରକୃତିକୁ ନିଜ ଅଧିନରେ କରିବାର ପ୍ରଚେଷ୍ଟାକୁ ଛାଡ଼ି ତାକୁ ତା ରାସ୍ତାରେ ଛାଡ଼ିଦେଇ ସୁରକ୍ଷିତ ଦୂରତା ରକ୍ଷା କରିବା ହିଁ ତା'ର ପ୍ରକୃତ ସୁରକ୍ଷା ନୁହେଁ କି ? ମଣିଷ ନିଜକୁ ତ୍ରାଣକର୍ତ୍ତା ଆସନରେ ବସେଇ ଦେଇ ପ୍ରକୃତି ର ଆଜି ସବୁଠୁ ବଡ଼ ଶତ୍ରୁ ପାଲଟି ଯାଇନି କି ? 


ଏଇମିତି ରାସ୍ତା ସାରା ନାନାଦି କଥା ଭାବିଭାବି ଚାଲିଥାଏ... । ପୋକଟିକୁ ଖୋଜି ନିଜ ହିସାବରେ ଆଉ ଏକ ସୁରକ୍ଷିତ ସ୍ଥାନରେ ଛାଡ଼ିବାର ଚିନ୍ତା ବି ମନକୁ ଆସିଥିଲା ହେଲେ ପଛକୁ ଫେରିବା ସମ୍ଭବ ନଥିଲା । ସେ ସାଧାରଣ ପୋକଟିର ଜୀବନ ତୁଳନାରେ କର୍ମକ୍ଷେତ୍ରରେ ସମୟରେ ପହଞ୍ଚିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ହେଇପାରେ ସେ ଅଦୃଶ୍ୟ ଶକ୍ତିର ଇଙ୍ଗିତରେ ମୁଁ ଏକ ସାମାନ୍ୟ ଜରିଆ ହୋଇ ପୋକଟିକୁ ବିଧି ନିର୍ଦ୍ଧାରିତ ସ୍ଥାନରେ ଛାଡ଼ିଦେଇ ଆସିଲି... । ଏଇମିତି କେତେ ମନମତାଣିଆ ଚିନ୍ତା ଆଳରେ ମନକୁ ବୁଝାଇ ଦୋଷୀ ଭାବନାରୁ ନିଜ ଅହଂକାରକୁ ମୁକ୍ତ କରିବାକୁ ଚେଷ୍ଟା କରୁକରୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସାରିଥିଲି.... ।


Rate this content
Log in

Similar oriya story from Drama