Prashantam Bapu

Tragedy Inspirational

4.6  

Prashantam Bapu

Tragedy Inspirational

ହମ୍ପ୍

ହମ୍ପ୍

14 mins
333



ୟାସ୍ ବାତ୍ୟାର ଦିନକ ପୂର୍ବର ଏ ଘଟଣା, ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ଥିଲା ଆଉ ଟି.ଭି.ରେ ବିଭିନ୍ନ ଚ୍ୟାନେଲମାନଙ୍କରେ ତୁହାକୁ ତୁହା ସଚେତନତା ନାମରେ ଲୋକଙ୍କୁ କିଏ କେତେ ଡ଼ରାଇ ପାରିବ ତାହାର ପ୍ରତିଯୋଗିତା ଚାଲିଥିଲା । ଝିଆରୀ ମାମନର ବୃତ୍ତି ଟଙ୍କା ବ୍ୟାଙ୍କରୁ ଉଠାଇବାର ଥିଲା । ତେଣୁ ଦୀପୁଭାଇ ଫୋନ୍ କରି କହିଲେ, ମୁଁ ବଜାରରେ ଅଛି ତୁ ମାମନକୁ ନେଇ ଆସ୍ । ଯେହେତୁ ଲକ୍ ଡାଉନ୍ ଚାଲିଛି ପ୍ରଣୟଙ୍କୁ ଟିକିଏ ଡ଼ରଡ଼ର ଲାଗୁଥିଲା କାଳେ ପୋଲିସ୍ ଅଟକାଇବେ, ହୁଏତ ବାଡ଼ାବାଡ଼ି ବି କରିପାରନ୍ତି କିନ୍ତୁ ସେମିତି କିଛି ହେଲାନି । ପୂର୍ବ ବର୍ଷର ଲକ୍ ଡାଉନରେ ଯେଉଁ ଭୟ ଆଉ ଆତଙ୍କର ମାହୋଲ୍ ଥିଲା ଏବେ ତାହା ବିଲକୁଲ୍ ନାହିଁ । ଖାଲି ଯା ଦୋକାନଗୁଡ଼ାକ ବନ୍ଦ ଅଛି । କିନ୍ତୁ ଲୋକେ ଆବଶ୍ୟକ ପଡ଼ିଲେ ଆରାମରେ ଯିବାଆସିବା କରିପାରୁଛନ୍ତି । ଏହିଭଳି ଖାଲି ଖାଲି ଜନଶୂନ୍ୟ ନିଛାଟିଆ ରାସ୍ତାଘାଟ ଆଉ ସହର ପ୍ରଣୟଙ୍କୁ ଭଲ ଲାଗେ । ପାଟିତୁଣ୍ଡ ଭିଡ଼ଭାଡ଼କୁ ସେ କେବେ ପସନ୍ଦ କରନ୍ତି ନାହିଁ ।


ଯାଜପୁର ରୋଡ଼ ସହରରେ ଥିବା ପ୍ରଣୟଙ୍କ ପରିବାରର ଘରଟି ରହିବା ସହ ରେଡ଼ିମେଡ଼୍ ପୋଷାକ ଆଉ ଶାଢ଼ୀର ଗୋଦାମ ଭାବେ ବ୍ୟବହୃତ ହୁଏ । ପ୍ରଣୟଙ୍କର ବଡ଼ ଯୌଥ ପରିବାର ମଧ୍ୟରୁ ବଡ଼ ତିନି ଭାଇ, ବଡ଼ଭାଉଜ, ବାପା ଆଉ ବୋଉଙ୍କ ମଧ୍ୟରୁ ସବୁବେଳେ ଦୁଇ ତିନି ଜଣ କରି ସେଠାରେ ରୁହନ୍ତି । ପ୍ରଣୟ ଆଉ ମାମନ ସେଠାରେ ମଧ୍ୟାହ୍ନ ଭୋଜନ ସାରି ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଭଗବାନପୁର ଗାଁରେ ଥିବା ଘରକୁ ଫେରିଲେ । 


ଖାଇବା ବେଳେ ପ୍ରବଳ ବର୍ଷା ଆସୁଥିବାର ସୂଚନା ମିଳିଲା । ବର୍ଷା ଆରମ୍ଭ ହୋଇଗଲେ କେବେ ଛାଡ଼ିବ କହିହେବନି । ତେଣୁ ପ୍ରଣୟ ଝିଆରୀ ମାମନକୁ ଧରି ତରବରରେ ବାହାରି ପଡ଼ିଲେ । ତାଙ୍କର ଏହି ତରବରିଆ ଗୁଣ ଯୋଗୁଁ ବିଚରା ଛୁଆଟା ଠିକ୍ ସେ ଦୁଇ ମୁଠା ଖାଇବି ପାରିଲାନି । ଆଗରୁ କହିଛି କି ବଜାରଠୁଁ ଘରଟା ପାଞ୍ଚ କିଲୋମିଟର ଦୂର । ଆକ୍ଟିଭା ସ୍କୁଟି ସାମ୍ନାରେ ତିରିଶ କି ପଇଁତିରିଶ କିଲୋର ରେଡ଼ିମେଡ଼ ଡ୍ରେସର ଗୋଟିଏ ଛୋଟ ବସ୍ତା ଲଦା ହେଲା ତାହା ଘରକୁ ଆଣି ଜଣେ ବେପାରୀଙ୍କୁ ହସ୍ତାନ୍ତର କରିବାର ଥିଲା । ଏହି ଲକ୍ ଡାଉନରେ ଜୀବନ ଜୀବିକା ଲଢ଼େଇରେ ଏମିତି ଲୁଚାଛପା ବେପାର ଚାଲେ । ପ୍ରଣୟଙ୍କର ଓଜନ ପଞ୍ଚାବନ କି ଛପନ କିଲୋ, ଦଶମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଆରୀ ମାମନର ଓଜନ ଷାଠିଏ ପାଖାପାଖି ହେବ । ଇଆଡ଼େ ପବନର ବେଗ ବଢ଼ିବାରେ ଲାଗିଥିଲା ତେଣୁ ଗାଡ଼ି ଧିରେ ଧିରେ ଚଳାଇବା କଥା । କିନ୍ତୁ ବାହାରର ଝଡ଼ ତୋଫାନ ପ୍ରଭାବରେ ପ୍ରଣୟଙ୍କ ମନରେ ବି ଝଡ଼ ଆରମ୍ଭ ହୋଇଯାଇଥିଲା । ସେ ବ୍ୟସ୍ତ ବିଚଳିତ ଥିଲେ କାଳେ ବର୍ଷା ଆରମ୍ଭ ହୋଇଯିବ ତେଣୁ ଯେତେ ଜଲଦି ସମ୍ଭବ ଘରେ ପହଞ୍ଚିବାର ଅଛି । 


ଗୋଟିଏ କିଲୋମିଟର ଯିବା ପରେ ବଜାର ସରି ଭଗବାନପୁର ଗାଁକୁ ରାସ୍ତା ଆରମ୍ଭ ହୁଏ ସେଇଠୁ ଟୁପୁରୁ ଟୁପୁରୁ କରି ବଡ଼ ବଡ଼ ଟୋପାର ବର୍ଷା ପଡ଼ିବା ଆରମ୍ଭ ହୋଇଗଲା । ଏକ ତ ଦୁହେଁ ବର୍ଷାରେ ଭିଜିଯିବାର ଭୟ, ଦ୍ୱିତୀୟରେ ଆଗରେ ଥିବା ଡ୍ରେସ୍ ବସ୍ତାଟି ଭିଜିଯିବାର ଆଶଙ୍କା ଏହା ସହ ତୃତୀୟ ଆଉ ସବୁଠୁ ବଡ଼ ଭୟ ଥିଲା ବାପାଙ୍କ ଗାଳିକୁ । ପ୍ରଣୟ ଝିଆରୀକୁ କହିଲେ, ଟିକିଏ ତିନ୍ତିବା ବରଂ ରାସ୍ତା ମଝିରେ ଆଶ୍ରୟ ଦେଖି କେଉଁଠି ରହିବାନି । କାରଣ ଜଣା ନାହିଁ ଏ ବର୍ଷା କେତେବେଳେ ଯାଇ ଛାଡ଼ିବ ? ପିଲାଟି କୁନିବାପାଙ୍କର ପ୍ରଶ୍ନର କି ଉତ୍ତର ବା ଦେଇଥାଆନ୍ତା ? ସେ ଗାଡ଼ିର ବେଗ ବଢ଼ାଇ ଦେଲେ... ଏକମାତ୍ର ଲକ୍ଷ୍ୟ ଥିଲା ଘରେ ଯଥା ସମ୍ଭବ କମ୍ ସମୟ ମଧ୍ୟରେ ପହଞ୍ଚିବାର ଅଛି । ସେମାନେ ଯେତେ ଆଗକୁ ବଢୁଥାଆନ୍ତି ବର୍ଷା ସେତେ ବଢ଼ି ବଢ଼ି ଚାଲିଥାଏ । ରାସ୍ତା ପ୍ରାୟତଃ ସେତେବେଳେ ଖାଲି ଥିଲା । କାଁ ଭାଁ ଗୋଟେ ଯୋଡ଼େ ଗାଡ଼ି ଆତଯାତ କରୁଥାଏ । ମନୋରମା ଆଇ.ଟି.ଆଇ କଲେଜ ପାଖରେ ଦୁଇ ଦୁଇଟି ହମ୍ପ୍ସ୍ ପାଖରେ ପ୍ରଣୟ ଗାଡ଼ିର ବେଗ ଟିକିଏ କମେଇ ଏମିତି ଡେଇଁଗଲେ ଯେଉଁଟା ବିଲକୁଲ ମୂର୍ଖାମି ଥିଲା । କାରଣ ଟିକିଏ ଭାରସାମ୍ୟ ବିଗିଡ଼ି ଥିଲେ ଗାଡ଼ିକୁ ସମ୍ଭାଳିବା ମୁସ୍କିଲ ହୋଇଥାନ୍ତା । 


ପରିପକ୍ୱ ସମଝଦାର ମଣିଷ ସିଏ ଯିଏ ଛୋଟ ଗୋଟାଏ ଭୁଲରୁ ନିଜକୁ ସୁଧାରି ନିଏ ହେଲେ ପ୍ରଣୟ ଆମର ଅବୁଝା ଜିଦ୍ଦିଆ ମଣିଷଟାଏ । ଆଗକୁ ଛୋଟରାୟପୁର ବୁଲାଣି, ରାସ୍ତାର ବାମ ପଟରେ ଥିବା ବରଗଛ ମୂଳରେ ଜଣେ ବ୍ୟକ୍ତି ବର୍ଷାରୁ ରକ୍ଷା ପାଇବା ପାଇଁ ଗାଡ଼ି ରଖି ଅଟକି ଗଲେ । ପ୍ରଣୟଙ୍କୁ ବି ଅଟକି ଯିବାକୁ ଯେମିତି ସେ ନିରବ ସଙ୍କେତଟିଏ ଦେଉଥିଲେ । ପ୍ରଣୟଙ୍କର ବ୍ୟଗ୍ର ବିଚଳିତ ମନଟି ଏହି ସଙ୍କେତଟିକୁ ବି ଅମାନ୍ୟ କରି ଆଗକୁ ବଢ଼ିଗଲା । ଘର ମାତ୍ର ଆଉ ଗୋଟିଏ କିଲୋମିଟର ଥାଏ, ଦୁହେଁ ସେତେବେଳକୁ ପ୍ରାୟତଃ ଭିଜି ସାରିଥିଲେ ଆଉ ଆଗରେ ଥିବା ବସ୍ତାଟି ବି ଉପରୁ ଭିଜି ସାରିଥିଲା । ଏକବୁଝା ଜିଦ୍ଦିଆ ମନଟି ତାଙ୍କର କହିଲା, କେଉଁଠି ନଅଟକି ସିଧା ଚାଲ୍ । ଚଞ୍ଚଳ ମନଟି ହାତକୁ ଆଦେଶ ଦେଲା ଏସ୍କିଲେଟର୍ ଆହୁରି ଜୋରରେ ମୋଡ଼, ହାତ ମୋଡ଼ିଦେଲା ଆଉ ଗାଡ଼ିର ବେଗ ବଢ଼ିଲା.... । ଆଗରେ ପେଟ୍ରୋଲ ପମ୍ପ, ଅଟକି ଯାଇଥିଲେ ହୋଇଥାଆନ୍ତା । ହେଲେ ନାଁ ! ମନରେ ସେ ଯାହା ସ୍ଥିର କରିଛନ୍ତି ସେଇଆ ହିଁ କରିବେ ....। ସବୁବେଳେ ସେ ଏମିତି ଏକବୁଝା ଆଉ ଏକଜିଦ୍ଦିଆ, ଯାହା ମୁଣ୍ଡରେ ପଶିଲା ସେଇଟା କରିବେ ହିଁ କରିବେ ।


ପେଟ୍ରୋଲ ପମ୍ପର ଟିକିଏ ଆଗକୁ ପାହାଡ଼ ଉଚ୍ଚର ଏକ ନୂଆ ସିମେଣ୍ଟ ହମ୍ପ୍ । ଏହା ନୂତନ ଜଳ ଯୋଗାଣ ପ୍ରକଳ୍ପର ବାବୁମାନଙ୍କର ଦୂରଦୃଷ୍ଟି ସମ୍ପର୍ଣ୍ଣ ବୁଦ୍ଧିର‌ ନମୁନା । ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର‌ ଉଦ୍ଦେଶ୍ୟ ବୋଧହୁଏ । ପାଣି ପାଇପ୍ ସଂଯୋଗ ସହ ରାସ୍ତା କଡ଼ର ନୂଆ ପ୍ରେଟୋଲ୍ ପମ୍ପ ଯୋଗୁଁ ଦୁର୍ଘଟଣା ସମ୍ଭାବନାକୁ ବି ପ୍ରତିହତ କରିହେବ । କିନ୍ତୁ ପରିଣାମ ହେଉଛି ଓଲଟା କାରଣ ଆଗରେ ଏଡ଼େ ବଡ଼ ହମ୍ପ୍ ଅଛି ବୋଲି କୌଣସି ପୂର୍ବ ସୂଚନା ନାହିଁ । ପୁଣି ହମ୍ପଟିର ରଙ୍ଗ ଯୋଗୁଁ ଦୂରରୁ ଭଲ ଭାବେ ଦୃଷ୍ଟିଗୋଚର ବି ହୁଏନି । ଖାସ୍ ଏଥିପାଇଁ ବହୁଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଥିରେ ପ୍ରଶାସନର କିଛି ଯାଏ ଆସେ ନାହିଁ କି ନାଗରିକଙ୍କର କୌଣସି ପ୍ରତିକ୍ରିୟା ନାହିଁ । 


ରାଷ୍ଟ୍ରୀୟ ଆଉ ରାଜ୍ୟ ମୁଖ୍ୟ ପଥକୁ ଛାଡ଼ିଦେଲେ ବାକି ଆଉ ଯେତକ ରାସ୍ତା ରହିଲା ସେଥିରେ ଯିଏ ଯେଉଁଠି ଚାହିଁଲେ ଯେତେ ଉଚ୍ଚର ହମ୍ପ୍ ଠିଆ କରାଇ ପାରନ୍ତି । ଉତ୍ସବ ପାଇଁ ରାସ୍ତା ଉପରେ ଟେଣ୍ଟ୍ ଲଗାନ୍ତି, ମନ ଇଚ୍ଛା ଗାତ ଖୋଳିପକାନ୍ତି । କ୍ଷେତରେ ପାଣି ମଡ଼ାଇବା ପାଇଁ ରାସ୍ତା ମଝିରେ ଗାଡ଼ ଖୋଳି ପାଣି ପାଇପ୍ ପକାନ୍ତି । କେହି କେବେ ଏସବୁ କାର୍ଯ୍ୟକୁ ବିରୋଧ କରନ୍ତି ନାହିଁ କି ପ୍ରଶାସନର ବି ଏଥି ପ୍ରତି ତିଳେ ମାତ୍ର ଭୃକ୍ଷେପ ନାହିଁ । ଗାଡ଼ିର ବେଗ ଯୋଗୁଁ ପୂର୍ବର ହମ୍ପ୍ ଗୁଡ଼ାକ ଭଳି ସେହି ପ୍ରେଟୋଲ୍ ପମ୍ପ ପାଖର ହମ୍ପକୁ ଡେଇଁ କରି ଯିବା ଅସମ୍ଭବ ଥିଲା । ତେଣୁ ପ୍ରଣୟ ବ୍ରେକ୍ କଷିଲେ, ଗାଡ଼ି ହମ୍ପ୍ ପାଖାପାଖି ହୋଇ ଗଲାଣି ତଥାପି ଆବଶ୍ୟକ ଅନୁଯାୟୀ ବେଗ କମିଲା ନାହିଁ ! ତେଣୁ ଭୟଭୀତ ହୋଇ ଆହୁରି ଜୋର୍ କରି ବ୍ରେକ୍ କଷି ଦେଲେ.... ।


ବାସ୍ ଦୁଇ କି ତିନି ସେକେଣ୍ଡ୍ କଥା, ଆଗ ବ୍ରେକଟି ଭୁଲରେ ଚାପି ଧରିଲେ କି କ'ଣ ଠିକ୍ ସେ ତାଙ୍କର ମନେ ନାହିଁ । ଗାଡ଼ିର ଆଗ ଚକ ଖସିଯାଇ ଡାହାଣ ପଟକୁ ଗାଡ଼ି ଢଳିଗଲା । ସେ ଯଥା ସାଧ୍ୟ ଚେଷ୍ଟା କଲେ ଗାଡ଼ିଟିକୁ ନିଜ ଅକ୍ତିଆରକୁ ଆଣିବାକୁ । ପଛରେ ଛୁଆଟା ବସିଥିଲା ନହେଲେ ସେ ଗାଡ଼ିକୁ ଛାଡ଼ି ଡେଇଁ ପାରିଥାଆନ୍ତେ । ସେହି କିଛି ସେକେଣ୍ଡ୍ ମଧ୍ୟରେ ଯାହା ସବୁ ଘଟିଗଲା ଟିକିନିଖି ବର୍ଣ୍ଣନା କରିବାର ସାମର୍ଥ୍ୟ ଏ ଲେଖକର ନାହିଁ । ଦୁହେଁ ଡ଼ାହାଣ ପଟକୁ ପଡ଼ିଗଲେ ଗାଡ଼ି ତିନି କି ଚାରି ମିଟର ଦୂର ଯାଏ ଟାଣି ନେଇଗଲା ଠିକ୍ ହମ୍ପ୍ ପାଖାପାଖି ଯାଏଁ । ଡ଼ାହାଣ ପଟ କାନ୍ଧ, କହୁଣୀ, ପେଟ, ଆଣ୍ଠୁ ରାସ୍ତାରେ ଘଷି ଘଷି ହୋଇ ଗଲା । ଆଗରେ ଥିବା ବସ୍ତାଟି ଚିରିଯାଇ ସେଥିରୁ କିଛିଟା ପ୍ୟାକେଟ୍ ବାହାରି ପଡ଼ିଥିଲା । ବାସ୍ ଏହାଥିଲା କିଛି ସେକେଣ୍ଡ୍ ର କଥା । 


ଏହି ଦୃଶ୍ୟଟି ଆଖିରେ ପଡ଼ିବା କ୍ଷଣି ରାସ୍ତା କଡ଼ରେ ଥିବା ଜଣେ ଦୋକାନୀ କି ପ୍ରେଟୋଲ ପମ୍ପରୁ କିଏ ଜଣେ ଲୋକ ତତକ୍ଷଣାତ୍ ସେହି ବର୍ଷାରେ ଦୌଡ଼ି ଆସିଲେ ‌। ଗାଡ଼ିକୁ ଉଠାଇବାକୁ ସାହାଯ୍ୟ କଲେ , ପଛରୁ ଗୋଟାଏ ମିନି ଟ୍ରକ୍ ଆସୁଥିଲା ହାତ ଦେଖାଇ ସେଇଠାରେ ଅଟକାଇ ଦେଲେ ଆଉ ପଡ଼ିଥିବା ପ୍ୟାକେଟଗୁଡ଼ାକୁ ଗୋଟାଇ ଆଣି ଗାଡ଼ିରେ ରଖିଲେ । ମାମନ ପଡ଼ିଥିବା ପ୍ରଣୟଙ୍କ ଚଷମାଟିକୁ ଉଠାଇ ନେଇ ଦେବାବେଳେ ଯାଇଁ ସେ ଜାଣିଲେ କି ଯାହା ହେଉ ପିଲାଟିର ବିଶେଷ କିଛି ହୋଇନାହିଁ । ସହହୃଦୟ ଅଜଣା ବ୍ୟକ୍ତି ଜଣକ ପଚାରିଲେ, ଠିକ୍ ଅଛ‌ତ ? ଘର କେଉଁଠି ? ଗାଡ଼ି ଚଳେଇ ଯାଇପାରିବ କି ନାହିଁ ? ବ୍ୟକ୍ତିଙ୍କ ମୁହଁଟାକୁ ବି ସେ ଠିକ୍ ସେ ଦେଖିନାହାନ୍ତି । ବାସ୍ ସେହି ସ୍ଥାନରୁ ଯେତେ ଜଲ୍ଦି ସମ୍ଭବ ସେ ମୁକ୍ତି ଚାହୁଁଥିଲେ । 


ଗାଡ଼ିର ଡାହାଣ ପଟରେ ଦୁଇ ତିନି ଜାଗାରେ ମାଡ଼ ହୋଇ ଚେପା ହୋଇଯାଇଥିଲା, ଘଷି ହୋଇ ରଙ୍ଗ ଛାଡ଼ି ଯାଇଥିଲା ଆଉ ମିରରଟା ବି ଭାଙ୍ଗିଯାଇଥିଲା । ସେ ଯାହା ହେଉ ଗାଡ଼ି ଚାଲିଲା ଆଉ ସେ ସାହସ କରି ଘରକୁ ଫେରିଲେ । ଦେହ ସାରା ଯନ୍ତ୍ରଣା ହେଉଥାଏ ସବୁଠୁ ଅଧିକ ଡାହାଣ ଗୋଡ଼ର ପାଦଟା । ପାଦର ରକ୍ତ ଧାର ସହ ବର୍ଷା ପାଣି ମିଶି ପାଦ ରଖିବା ସ୍ଥାନଟି ଅଧିକ ବିଭତ୍ସ ଦିଶୁଥିଲା ...! ସେହି ଗୋଟିଏ କିଲୋମିଟର ଯେମିତି ତାଙ୍କ ପାଇଁ ଥିଲା ପଚାଶ କିଲୋମିଟର ସଦୃଶ, ରାସ୍ତା ଯେମିତି ସରୁ ନଥିଲା ..।


ଘରେ ପହଞ୍ଚି ତାଙ୍କୁ ଲାଗିଲା ବାସ୍ ! ସେ ଗଡ଼ଟିଏ ଜିତିଯାଇଛନ୍ତି, ଏବେ ଆଉ ବିଶେଷ କିଛି ଚିନ୍ତାର କାରଣ ନାହିଁ । ସାନଝିଆରୀ ଦୁଇଟା ପ୍ରଥମେ ତାଙ୍କ ଅବସ୍ଥା ଦେଖିଲେ, ତା'ପରେ ଖବରଟି ତୁରନ୍ତ ଖେଳିଗଲା । ବାପା ଉଠିଆସିଲେ, ପ୍ରଣୟ ତାଙ୍କୁ ଗାଡ଼ି ଆଉ ମାଲ୍ ବସ୍ତାଟିକୁ ଜିମା ଦେଇ ବିଶେଷ କିଛି ହେଇନି ବୋଲି ନାଟକ କରି ବାଡ଼ିପଟ ଦୁଆର ଟ୍ୟାପ୍ ପାଖକୁ ଚାଲିଗଲେ । ତାଙ୍କ ବୋଉ, ଦୁଇ ବଡ଼ଭାଉଜ ଆଉ ସ୍ତ୍ରୀ ଖାଇ ବସିଥିଲେ । ସମସ୍ତେ ଖାଇବା ଛାଡ଼ି ତତକ୍ଷଣାତ୍ ଉଠି ଆସିଲେ ଆଉ ଖାଇବା ତାଙ୍କର ସେ ଓଳିଟା ସେତିକିରେ ହିଁ ରହିଲା ।


ପ୍ରଣୟ ସ୍ତ୍ରୀଙ୍କ ସାହାଯ୍ୟରେ କପଡ଼ା ବଦଳାଇଲେ ଧୁଆଧୁଇ ହେଲେ । ଟ୍ୟାପ୍ ପାଣିରେ ପାଦର କ୍ଷତଟିକୁ ଦେଖେଇ ଦେଲେ ସଫା କରିବା ଉଦ୍ଦେଶ୍ୟରେ । ଟ୍ୟାପର ପାଣି ଯେମିତି ତୀର ପରି ବିଦ୍ଧ କଲା ପାଦକୁ ! ଲକ୍ଷ୍ୟ କଲେ କି ପାଦର ବୁଢ଼ା ଆଙ୍ଗୁଳି ଉପରକୁ ମାଂସ ଖଣ୍ଡେ ଉଡ଼ିଯାଇ ଗୋଟାଏ ଗାତ ହୋଇ ଯାଇଛି ଭିତରୁ ହାଡ଼ ସ୍ପଷ୍ଟ ଦେଖା ଯାଉଛି ! ସେ ଦୃଶ୍ୟ ଦେଖିବା ପରେ ସଞ୍ଚିଥିବା ସବୁ ସାହସ ତାଙ୍କର ସେଇଠି ଶୁଖିଗଲା, ହେଲେ ସାହସ ତ ବାନ୍ଧିବାର ଅଛି । ଛୋଟପିଲା ପରି ରଡ଼ିକରି କାନ୍ଦିବାର ବୟସ ଅତୀତରେ ସେ ହଜାଇ ସାରିଛନ୍ତି କେବେଠୁ । ବୋଉ ତାଙ୍କର ଅଧିକ ବ୍ୟସ୍ତବିବ୍ରତ ହେଉଥିଲେ । ମା'ଠାରୁ କିଏ ବା ଅଧିକ ସନ୍ତାନର ଯନ୍ତ୍ରଣା ଅନୁଭବ କରିପାରିବ ? ବାପା ତାଙ୍କର କଷ୍ଟଟିକୁ ଗାଳି ବର୍ଷଣ କରି ପୁରା କରିବାକୁ ଚାହୁଁଥିଲେ । କାହିଁକି ରାସ୍ତାରେ ଅଟକି ନଗଲୁ‌ ? କାହିଁକି ଗାଡ଼ି ସ୍ପିଡରେ ଚଳାଉଥିଲୁ .... ? ଏଇମିତି ବାରମ୍ବାର ସେହି ସେହି ସବୁ କଥା । ପ୍ରଣୟ ଚିଡ଼ିଯାଇ କହିଲେ, ବାପା ! ମୋର ଏ ଅବସ୍ଥାରେ ଏସବୁ ଗାଳି ଭଲଲାଗୁନି । ବାପା ତାଙ୍କ ମୁହଁକୁ ଦେଖିଲେ ଆଉ କିଛି କ୍ଷଣ ଚୁପ୍ ରହିଲେ । 


ପାଦରୁ ରକ୍ତ ଝରିବା ବନ୍ଦ ହେଉ ନଥାଏ । ପାଦଟିକୁ ଟିପଏ ଉପରେ ଥୋଇ କ୍ଷତ ଜାଗାରେ କିଛି ସମୟ କପଡ଼ାରେ ଚାପି ଧରିବା ପରେ ବି ରକ୍ତ ବହିବା ବନ୍ଦ ହେଉନଥିଲା ଏଥିଯୋଗୁଁ ସମସ୍ତେ ବ୍ୟସ୍ତ ହୋଇଗଲେ । ସେଠୁ ପ୍ରଣୟଙ୍କ ସାନବାପାଙ୍କ ପୁଅ ମୁନାକୁ ଡକାଗଲା । ଯେବେ ବି କାହାର ଦେହପା ହେଲେ ମୁନାକୁ ଖୋଜା ଯାଏ । ମୁନା ଔଷଧ ଦୋକାନରେ କାମ କରେ ଡ଼ି.ଏମ୍.ଏଲ୍.ଟି କରିଛି, ଔଷଧ, ଇଞ୍ଜେକ୍ସନ, ଡ୍ରେସିଂ ବାବଦ ଜ୍ଞାନ ତା'ର ଅଛି । ମୁନା ଖାଇବସିଥିଲା ତାଙ୍କ ଦୁର୍ଘଟଣା କଥା ଶୁଣି ତତକ୍ଷଣାତ୍ ଉଠିଆସିଲା ଫାଷ୍ଟ୍ ଏଡ୍ ବାକ୍ସ ଧରି । କ୍ଷତ ସ୍ଥାନ ସବୁକୁ ଭଲଭାବରେ ଉଷୁମ ପାଣିରେ ସଫା କଲା । ପାଦର କ୍ଷତକୁ କିଛି ସମୟ ଚାପିଧରିବା ପରେ ରକ୍ତ ଟିକିଏ ବନ୍ଦ ହେଲା । ଭଲ ଭାବରେ ସଫା କରି ତା'ପରେ ମଲମ ଲଗାଇ କପଡ଼ା ଭିଡ଼ିକି ବାନ୍ଧିଦେଇ କହିଲା, ଯଥାଶୀଘ୍ର ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ । 


ପ୍ରଣୟଙ୍କ ବଡ଼ଭାଇଙ୍କର ସାନଝିଅଟି ତା' ବାପାଙ୍କୁ ବିଡ଼ିଓ କଲ୍ କରି ଦୁର୍ଘଟଣା ବିଷୟରେ ଜଣାଇଲା । ଦୁର୍ଘଟଣାର ଗୁରୁତ୍ୱ ବହନ କରୁଥିବା ସବୁଠୁ ବଡ଼ କ୍ଷତ ସମୀପକୁ କ୍ୟାମେରା ଦେଖାଇବାକୁ ବାହାରିଥିବା ବେଳେ ପ୍ରଣୟ ଚିହିଁକି ଉଠିଲେ, ହେତ୍ ବନ୍ଦ କର୍‌ ! ଏସବୁ କାହିଁକି ଦେଖାଉଛୁ ? ବିଚରା ପିଲାଟି ତାଙ୍କର ଏପରି ରୂପ ଦେଖି ଡ଼ରିଗଲା ! ଅଧଘଣ୍ଟାଏ ମଧ୍ୟରେ ବଡ଼ ଦୁଇଭାଇ ଆସି ପହଞ୍ଚିଗଲେ ଧରାଧରି କରି ଗାଡ଼ିରେ ବସାଇ ଡାକ୍ତରଖାନାକୁ ଅବିଳମ୍ବେ ବାହାରିଗଲେ । ମଝିଆଁ ଭାଇଙ୍କ କାନ୍ଧରେ ହାତ ରଖି ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ପ୍ରଥମେ ଡ୍ରେସିଂ ରୁମକୁ ଗଲେ । ଡ୍ରେସିଂ କରୁଥିବା ଭାଇ ଜଣକ ତୁରନ୍ତ ନିଜ କାମରେ ଲାଗିଗଲେ ଆଉ ବଡ଼ଭାଇଙ୍କୁ ଡ଼ାକ୍ତରଙ୍କୁ ଡାକିଆଣିବାକୁ କହିଲେ । ଡାକ୍ତର ଆସି ଦୃଷ୍ଟିଟିଏ ଫୋପାଡ଼ି ଦେଇ ବିନା ବାକ୍ୟ ବ୍ୟୟରେ ଚାଲିଗଲେ ।‌ 


ସରକାରୀ ଡାକ୍ତରମାନେ ସବୁବେଳେ ଏମିତି ରୋଗୀ ପ୍ରତି ନିରୁତ୍ସାହିତ ଭାବ ପ୍ରକଟ କରନ୍ତି । ବେଶି ଦେଖିବାକୁ କି ଶୁଣିବାକୁ ତାଙ୍କ ପାଖରେ ନା ସମୟ ଥାଏ ନା ଇଚ୍ଛା ଶକ୍ତି । ସେ ଯାହା ବି ହେଉ ଡ୍ରେସିଂ କରୁଥିବା ଭାଇ ଜଣକ କିନ୍ତୁ ଖୁବ୍ ସତର୍କତା ଆଉ ଯତ୍ନର ସହ ନିଜ କାମ ସମ୍ପାଦନ କଲେ ଯେମିତି ରୋଗୀଙ୍କୁ ଅଧିକ କଷ୍ଟ ନହେବ । ପ୍ରଣୟ ସେହି ଭାଇଙ୍କୁ ଧନ୍ୟବାଦଟିଏ ଦେଇ ବାହାରି ଗଲେ ଇଂଜେକସନ ନେବାକୁ ଦିଦିଙ୍କ ପାଖକୁ । ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ପଚାଶ ମିଟର ଅତିକ୍ରମ କରି ନର୍ସଙ୍କ କ୍ୟାବିନ୍ ପାଖକୁ ଯିବାକୁ ହେଲା କାରଣ ନର୍ସ ମ୍ୟାଡ଼ାମ୍ ମଙ୍ଗିଲେ ନାହିଁ ରୋଗୀଙ୍କ ପାଖକୁ ଆସିବାକୁ । ସେମାନେ ବି କେତେ ଦୌଡ଼ିଦୌଡ଼ି କରି ନିଜ କର୍ତ୍ତବ୍ୟ କରିବେ ?


ଏହି ଦିନଠାରୁ ପ୍ରଣୟଙ୍କର ଆରମ୍ଭ ହେଲା ଏକ ନୂଆ ଜୀବନ । ଦେହର କଷ୍ଟଯନ୍ତ୍ରଣା ଛଡ଼ା ଦୁନିଆରେ ଆଉ କିଛି ନଥିଲା ତାଙ୍କ ପାଇଁ ଅନୁଭବ କରିବାକୁ । ଯେହେତୁ ସେ ଘରେ ସବାସାନ, ଘରର ଦାୟିତ୍ଵ ତାଙ୍କ ଉପରେ ବିଶେଷ କିଛି ପଡ଼େ ନାହିଁ ପୁଣି ଏ ଅବସ୍ଥାରେ ତାଙ୍କୁ ଆଉ କିଏ ବା କ'ଣ କହିବ ? ତେଣୁ ବିଛଣାରେ ପଡ଼ିରହି ସେ କେବଳ ଅଚଳ ଅବସ୍ଥାରେ ଥିବା ଗୋଡ଼ , ଦେହର ବାକି ସ୍ଥାନରେ ହୋଇଥିବା କ୍ଷତ ଆଉ ତା'ର ଯନ୍ତ୍ରଣା ଭିତରେ ନିଜର ମନକୁ ସୀମିତ କରି ରଖିଥାନ୍ତି । ଆଗରୁ ମଝିଆଁ ଭାଇଙ୍କ ଗାଡ଼ିରୁ ପଡ଼ି ଗୋଟିଏ ପାଦର ହାଡ଼ ଭାଙ୍ଗିଯାଇଥିଲା, ଝାଡ଼ା ପରିଶ୍ରା ଯିବା ପାଇଁ ବଡ଼ ଅସୁବିଧା ହେବାରୁ କଟକରୁ ଆଶାବାଡ଼ି ହଳେ କିଣା ଯାଇଥିଲା । ପ୍ରଣୟଙ୍କର ଏବେ ସେହି ଅବସ୍ଥା ତେଣୁ ଷ୍ଟୋର ରୁମରୁ ଆଶାବାଡ଼ି ଦୁଇଟିକୁ ଆଣି ତାଙ୍କୁ ଧରାଇ ଦିଆଗଲା । 


ଆଜିକୁ ପଚିଶି ଦିନ ହେଇଗଲା ସେ ସେହି ଆଶାବାଡ଼ି ସାହାରାରେ ଚାଲୁଛନ୍ତି ଆଉ ଉପଲବ୍ଧି କରୁଛନ୍ତି କି ଯାହାର ଗୋଟିଏ ପାଦ କି ଗୋଡ଼ ନାହିଁ ସେ କେଉଁ ଭଳି ଦୁଃଖକଷ୍ଟ ପାଉ ନଥିବେ ! ପନ୍ଦର ଦିନ ଯାଏ ତ ସେ ଗାଧୋଇ ପାରିଲେ ନାହିଁ । କେତେବେଳେ ବୋଉ ତ ଆଉ କେବେ ସ୍ତ୍ରୀ ଓଦାକନାରେ ଦେହ ପୋଛି ଦେଉଥିଲେ । ବାରମ୍ବାର ଉଠି ପରିସ୍ରା ଯିବା କଷ୍ଟକର ବୋଲି ବେଡ଼୍ ତଳେ ପାତ୍ରଟିଏ ରଖାଯାଉଥିଲା । ସବୁକଥା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡୁଥିବାରୁ ବେଳେବେଳେ ତାଙ୍କୁ ବଡ଼ ବିରକ୍ତ ଲାଗେ । ଗାଧୋଇବା କି ଖାଇବା ବିଳମ୍ବ ହେଲେ ସେ ସ୍ତ୍ରୀଙ୍କ ଉପରେ ରାଗନ୍ତି, ମୁହଁ ଫୁଲାନ୍ତି, ମନେମନେ ଭାବନ୍ତି ଆଜି ଖାଇବି ନାହିଁ କିନ୍ତୁ ନଖାଇଲେ ଔଷଧ କେମିତି ଖାଇବେ ? ତେଣୁ ସ୍ତ୍ରୀ ଉପରେ ବିରକ୍ତ ହୋଇ ତାଙ୍କର ଭୁଲ ନଥାଇ ବି ଗାଳି ଦେଇ ନିଜ କ୍ରୋଧକୁ ଅଳ୍ପବହୁତ ଶାନ୍ତକରନ୍ତି । ବିଚାରୀ ସ୍ତ୍ରୀ ତାଙ୍କର ଏତେ ଦିନ ହେଲା କେତେ କଷ୍ଟ ନଭୋଗି ସେବା କରୁଛନ୍ତି ? ଏହି କଥା ପରେ ଚିନ୍ତାକରି ତାଙ୍କୁ ଖୁବ୍ ଖରାପ୍ ଲାଗେ । ବୋଉର ସେବା ଭାବ ସହ ସ୍ତ୍ରୀର ସେବା ଭାବକୁ ତଉଲି ମନେମନେ ଏହି ନିଷ୍କର୍ଷରେ ପହଞ୍ଚନ୍ତି କି ମାଆ ଭଳି ନିଃସର୍ତ୍ତ ଭଲପାଇବା ଆଉ ସେବା ଦୁନିଆରେ ଆଉ କେହି କରିପାରିବେ ନାହିଁ । ସ୍ତ୍ରୀ ହୁଏତ ଦିନେ ବିରକ୍ତ ହେଇଯିବ କିନ୍ତୁ ମାଆ କେବେ ସନ୍ତାନର ସେବାରେ ବିରକ୍ତ ହୋଇ ନପାରେ । 


ଏହି ବିଭୀଷିକା କାଳରେ ବଡ଼ଭାଇମାନେ ଆଠଦଶ ଥର ତାଙ୍କୁ ଧରି ଡ଼ାକ୍ତରଖାନା ନେବାଆଣିବା କରିବାରେ କେବେ ବି ତିଳେ ମାତ୍ର ହେଳା କରିନାହାନ୍ତି । ଭାଉଜମାନେ ବାରମ୍ବାର ହସ୍ପିଟାଲ ଫେରନ୍ତା କପଡ଼ା ଧୋଇବାକୁ ଦ୍ୱିଧା ପ୍ରକଟ କରିନାହାନ୍ତି । ସପ୍ତାହ ପରେ ପ୍ରଣୟ ଚିନ୍ତା କଲେ, ନାଁ ! ଆଉ ଭାଇମାନଙ୍କୁ ହଇରାଣ କରିବେ ନାହିଁ । ବରଂ ଘରେ ରହି ନିଜେ ଡ୍ରେସିଂ କରିବେ ତା' ସହ ଔଷଧ ଖାଇବେ ଆଉ ବାରମ୍ବାର ଡ଼ାକ୍ତରଖାନା ଯିବେ ନାହିଁ । ସରକାରୀ ଡାକ୍ତରଙ୍କ ଚିକିତ୍ସାରେ ତାଙ୍କର ଭରସା ପାଇଲାନି ତେଣୁ ପ୍ରାଇଭେଟରେ ଜଣେ ଭଲ ଡାକ୍ତରଙ୍କ ପରାମର୍ଶ ନେଇ ଘରେ ରହିଲେ । ଏହି କରୋନା ସମୟରେ ଡ଼ାକ୍ତରଖାନା ଯିବାଆସିବା କରିବା ସମସ୍ତଙ୍କ ପାଇଁ ବଡ଼ ବିପଦ । ସେବେଠୁ ଘରେ ରହି ସ୍ତ୍ରୀଙ୍କ ସାହାଯ୍ୟରେ ନିଜେ ଘାଆ ସବୁକୁ ସଫା କରି ଔଷଧ ଲଗାଇ ବ୍ୟାଣ୍ଡେଜ୍ ବାନ୍ଧନ୍ତି ।


ପ୍ରଣୟଙ୍କର ଆଉ ଏକ ଚିନ୍ତା ହେଲା କେମିତି ଯଥାଶୀଘ୍ର ଆରୋଗ୍ୟ ହୋଇ ସ୍କୁଲରେ ଯୋଗଦେବେ । ସ୍କୁଲ ତାଙ୍କର ଛଅଶହରୁ ଉର୍ଦ୍ଧ୍ୱ କିଲୋମିଟର ଦୂର କଳାହାଣ୍ଡି ଜିଲ୍ଲାରେ । ଲକ୍ ଡାଉନ୍ ଚାଲିଛି, ସ୍କୁଲରେ ତାଙ୍କର ବିଶେଷ କିଛି ଗୁରୁତ୍ୱପୂର୍ଣ୍ଣ କାମ ବି ନାହିଁ । କିନ୍ତୁ ପାଳି ହିସାବରେ ସମସ୍ତେ ଯାଉଛନ୍ତି ଆଉ ସେ ନଗଲେ କଥାଟା ସୁନ୍ଦର ହେବନି । ତାଙ୍କର ଏଭଳି ପରିସ୍ଥିତିରେ ତ ଯିବା ଅସମ୍ଭବ ତେଣୁ ପ୍ରଧାନଶିକ୍ଷକଙ୍କୁ ଜଣାଇ ଦେଲେ ଯେ ସେ ଏକ ଦୁର୍ଘଟଣା ଯୋଗୁଁ ଏବେ ଆସି ପାରିବେ ନାହିଁ ।


ଦୁର୍ଘଟଣାକୁ ପ୍ରଧାନଶିକ୍ଷକ ସାମାନ୍ୟ ଭାବି ପାରନ୍ତି, ଭାବି ପାରନ୍ତି ଯେ ଦୁର୍ଘଟଣାର ବାହାନା କରି ସେ ଲମ୍ବା ଛୁଟି ହାତେଇବାକୁ ଚାହୁଁଛନ୍ତି । ଆଜିକାଲି ଯାହା ବି କିଛି ହେଲେ ପ୍ରମାଣ ସ୍ୱରୂପ ସଭିଏଁ ଫଟୋ ଉଠାଇ ହ୍ୱାଟ୍ସଆପ୍ ଗ୍ରୁପରେ ଛାଡ଼ୁଛନ୍ତି । କିନ୍ତୁ ପ୍ରଣୟ କ୍ଷତ ଗୁଡ଼ିକର ସେ ବୀଭତ୍ସ ଚିତ୍ର ଗୁଡ଼ିକୁ କ୍ୟାମେରାରେ ତୋଳି ପ୍ରଚାର ପ୍ରସାର କରି ଲୋକଙ୍କ ସହାନୁଭୂତି ଗୋଟାଇବାକୁ ଚାହିଁଲେ ନାହିଁ । ବିଦ୍ୟାଳୟର ସମସ୍ତ ସହକର୍ମୀଙ୍କୁ ତାଙ୍କର ଅବସ୍ଥା ଜଣାଇବାକୁ ତାଙ୍କର ଇଚ୍ଛା ହେଲାନାହିଁ । କିନ୍ତୁ ମୁଖ୍ୟଙ୍କୁ ତ ଜଣାଇବାକୁ ହେବ ତେଣୁ ଡ଼ାକ୍ତରଙ୍କ ଠାରୁ ପ୍ରମାଣ ପତ୍ରଟିଏ ଲେଖେଇ ଆଣିଲେ । ଏହି ପତ୍ରକୁ ବି ସନ୍ଦେହ କରାଯାଇପାରେ ତେଣୁ ସେ ବାଧ୍ୟ ହୋଇ ନିଜର ଆଶାବାଡ଼ି ଧରା ଫଟୋଟିଏ ସହିତ ଡ଼ାକ୍ତରଙ୍କ ପ୍ରମାଣ ପତ୍ରଟିର ଫଟୋ ପଠାଇ ଦେଲେ । 


ସତ କଥାଟି ହେଲା, ପ୍ରଣୟ ନିଜେ ଭାରି ସନ୍ଦେହଶୀଳ ପ୍ରକୃତିର । ସେ କାହାରିକୁ ସହଜରେ ବିଶ୍ୱାସ କରି ପାରନ୍ତି ନାହିଁ । ଯଦି ଜଣେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିବ ତେବେ‌ ତାଙ୍କୁ ଯେ ଅନ୍ୟମାନେ ସନ୍ଦେହ କରୁଥିବେ ଭାବିବାଟା ସ୍ୱାଭାବିକ । ସେଇଥିପାଇଁ ସେ ଚାହୁଁ ନଥିଲେ ବି ନିଜ ଶୋଚନୀୟ ଅବସ୍ଥାର ଫଟୋଟିକୁ ଡାକ୍ତରଙ୍କ ପ୍ରମାଣ ପତ୍ର ସହ ପ୍ରେରଣ କଲେ । ଏହା ଆଜିକାଲି ନିତ୍ୟାନ୍ତ ଜରୁରୀ ନହେଲେ କେହି ସେ ଅବସ୍ଥାର ଗମ୍ଭୀରତାକୁ ବୁଝିପାରିବେ ନାହିଁ ।


ଆମର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ହିଁ ଆମକୁ ମଣିଷ ଉପରେ ଅବିଶ୍ୱାସ ଆଉ ସନ୍ଦେହ ଚକ୍ଷୁରେ ଦେଖିବାକୁ ଶିଖାଏ । ସବୁ କଥା‌ ପାଇଁ ଆଗ ପ୍ରମାଣ ଆବଶ୍ୟକ । ମିଛ ପ୍ରମାଣ ଦେଇ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ମୁକ୍ତ ହୋଇପାରେ ଆଉ ଜଣେ ନିର୍ଦ୍ଦୋଷ ନିରୀହ ବ୍ଯକ୍ତି ନିଜ ନିର୍ଦ୍ଦୋଷତାର ପ୍ରମାଣ ନଦେଇ ପାରି ଦଣ୍ଡିତ ହୋଇପାରେ । ଚାକିରୀରେ ମୁଖ୍ୟତଃ ସରକାରୀ ଚାକିରୀରେ ତ ସବୁବେଳେ ଚିଠା, ପ୍ରମାଣ ପତ୍ର ଆଉ କାଗଜ ଆଗ । ତୁମେ କିଛି କର କି ନକର ହେଲେ କାଗଜରେ ସବୁକଥା କରୁଥିବାର ଦେଖେଇ ପାରିଲେ ତୁମେ ସବୁଠୁ ଭଲ ଆଉ କାଢ଼ୁଆ କର୍ମଚାରୀରେ ଗଣା ଯିବ ଆଉ ସମ୍ମାନୀତ ହେବ । 


ପ୍ରଣୟ ନିଜ ବ୍ୟକ୍ତିଗତ ଅନୁଭବରୁ ଶିଖିଛନ୍ତି ଯେ କର୍ମକ୍ଷେତ୍ରରେ କେହି କାହାର ନୁହେଁ । ପେଶାଦାର ଜୀବନରେ ଶତ୍ରୁ ତ ବହୁତ ମିଳିଯିବେ କିନ୍ତୁ ଭାଗ୍ୟରେ ଥିଲେ ପ୍ରକୃତ ମିତ୍ରଟିଏ  ମିଳେ  । ଏଠି ସଭିଏଁ ସ୍ୱାର୍ଥୀ ମତଲବି କେବଳ ନିଜର ଲାଭ କଥା ହିଁ ଚିନ୍ତା କରନ୍ତି । ସବୁ ସାହାଯ୍ୟ ସହଯୋଗ ମିତ୍ରତା, ସଦଭାବନା , ହସହସ ବ୍ୟବହାର କେବଳ ଉପରଠାଉରିଆ ଆଉ ଏହି ନାଟକ ପଛରେ ଥାଏ ସ୍ୱାର୍ଥ ସିଦ୍ଧିର ଉଦ୍ଦେଶ୍ୟ । ଏହିଭଳି ମାନସିକତା ପାଇଁ ବ୍ୟକ୍ତି ଅପେକ୍ଷା ଆମର ବ୍ୟବସ୍ଥା ଅଧିକ ଦାୟୀ । ବ୍ୟବସ୍ଥା କଳଟି ଏମିତି ଯେ ଜଣେ ବାଧ୍ୟ ହୁଏ ସବୁ ମାନବିକ ମୂଲ୍ୟବୋଧକୁ ଭୁଲି ମେସିନ୍ ପରି ବ୍ୟବହାର କରିବାକୁ । ସମସ୍ତେ ଚାହାଁନ୍ତି ନିଜର ଭୁଲକୁ ଅନ୍ୟ ଉପରେ କେମିତି ଲଦିଦେଇ ଖସିଯିବାକୁ । କେହି କେବେ ତୁମର ଛୋଟ ଗୋଟାଏ ତ୍ରୁଟିକୁ ବି ନିଜ ଉପରକୁ ନେବେ ନାହିଁ । କିନ୍ତୁ କାର୍ଯ୍ୟର ସଫଳତାରେ ବାହାଦୁରୀ ନେବାକୁ ସଭିଏଁ ଆଗଭର । ଏଥିପାଇଁ ଚାକିରିଆ ଜଣେ ତା' ଜୀବନ ସାରା ଡ଼ରି ଡ଼ରି ବଡ଼ ସଙ୍କୁଚିତ , ଶୁଷ୍କ ଆଉ ଉନ୍ମାଦନାହୀନ ଜୀବନଟିଏ ବଞ୍ଚେ । ଏହି ଡ଼ର ହିଁ ତା'ର ସବୁ ମଣିଷପଣିଆକୁ ଶୁଖେଇ ଦିଏ ।‌ 


ଆଉ ଗୋଟିଏ ଯେଉଁଟା ପ୍ରଣୟକୁ ଖରାପ ଲାଗିଲା ତାହା ହେଲା ଦୁର୍ଘଟଣାର ଖବର ପ୍ରଧାନଶିକ୍ଷକଙ୍କ ଦ୍ୱାରା ପରୋକ୍ଷରେ ସବୁ ସହକର୍ମୀ ପାଇଲା ପରେ ବି ଅଠର ଜଣ ସହକର୍ମୀଙ୍କ ମଧ୍ୟରୁ କେବଳ ତିନିଜଣ ସାର୍ କ'ଣ ହୋଇଛି ବୋଲି ପଚାରିଲେ । ଜଣେ ଫୋନ୍ କରି ଆଉ ଦୁଇଜଣ ମେସେଜ୍ ମାଧ୍ୟମରେ । ଛୋଟ ଦୁର୍ଘଟଣାଟିଏ ହେଲେ ବି ଆମ ଭିତରୁ ତ ସେ ଜଣେ । ମେସେଜ ମାଧ୍ୟମରେ ହେଲେ ବି କେମିତି ଅଛନ୍ତି ବୋଲି ବାକିମାନେ ଥରେ ତ ପଚାରି ପାରିଥାଆନ୍ତେ ! ସବୁ ପ୍ରେମ କ'ଣ କେବଳ ଉଛୁଳି ପଡ଼େ ଜନ୍ମଦିନ ଆଉ ବିବାହ ବାର୍ଷିକୀ ଅବସରରେ ? 


ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି ? ଆଜିର ଅଧିକାଂଶ ମଣିଷ ଅନ୍ୟର ଦୁଃଖକଷ୍ଟ ପ୍ରତି ପ୍ରତିକ୍ରିୟା ଶୁନ୍ୟ । ଅଧିକାଂଶ ମେସିନ୍ ଆଉ ମେଣ୍ଢା ଭଳି ଆଚରଣ କରନ୍ତି । ଯଦି ଜଣେ କିଏ ହେପି ବାର୍ଥ ଡେ ବୋଲି ମେସେଜ୍ ଟିଏ କଲା ତାଙ୍କ ଦେଖାଦେଖି ବାକି ସଭିଏଁ କରନ୍ତି । ଠିକ୍ ସେମିତି ଜଣେ ଯଦି କିଏ Get well soon ମେସେଜ କରିଥାଆନ୍ତେ ବାକି ସଭିଏଁ ନିଶ୍ଚୟ କରିଥାଆନ୍ତେ । ଏମିତି ବି ହେଇପାରେ ପ୍ରଣୟକୁ ଏମାନେ ପସନ୍ଦ କରନ୍ତି ନାହିଁ । ଏମାନଙ୍କ ପାଇଁ ସେ ବିଶେଷ ଗୁରୁତ୍ୱ ବହନ କରନ୍ତି ନାହିଁ କି ତାଙ୍କ ଠାରୁ କାହାର କିଛି ପାଇବାର ଆଶା ନାହିଁ । ତେଣୁ ତୁଚ୍ଛାଟାରେ ସମବେଦନା ଜଣାଇବାର କି ଆବଶ୍ୟକତା ଅଛି ? ଯଦି ପ୍ରଣୟ ସ୍ଥାନରେ କେହି ଜଣେ ଗୁରୁତ୍ୱପୂର୍ଣ୍ଣ ଲୋକ ହୋଇଥାଆନ୍ତେ ତେବେ ତତକ୍ଷଣାତ୍ Get well soon, take care ଭଳି ଭାବଗର୍ଭକ ମେସେଜର ବର୍ଷା ହୋଇଥାଆନ୍ତା । 


ସେମାନଙ୍କ କଥା ଛାଡ଼ ଖୋଦ୍ ପ୍ରଧାନଶିକ୍ଷକ ସବୁକଥା ଜାଣି ମଧ୍ୟ ଥରେ‌ ହେଲେ ବି କହିଲେନି ବ୍ୟସ୍ତ ହୁଅନ୍ତୁ ନାହିଁ, ଠିକ୍ ହେଲାପରେ ଆସନ୍ତୁ । ଏହା ପରିବର୍ତ୍ତେ ବରଂ ସ୍କୁଲ ଖୋଲିବା ତାରିଖରେ ଆସି ପହଞ୍ଚିବାକୁ ଆଦେଶ ଶୁଣାଇ ଦେଲେ । ଏହାର ମାନେ ଏଇଆ ହେଲା କି ସେ ଭାବୁଛନ୍ତି ଦୁର୍ଘଟଣାର ବାହାନା କରି ସେ ଠକୁଛନ୍ତି ଆଉ ଘରେ ବସି ଶୋଇ ଆରାମ୍ କରୁଛନ୍ତି । ଏଠି ମଣିଷତ୍ୱ ଅପେକ୍ଷା ନିତି ନିୟମ ଆଗ । ସେ ଦୃଢ଼ ନିଶ୍ଚୟ କଲେ କି ସେ ଆଉ ଛୁଟି ଭିକ୍ଷା କରିବେ ନାହିଁ କି ତାଙ୍କ ପରିସ୍ଥିତି ପାଇଁ କାହାର ଦୟାରେ ପାତ୍ର ହେବେ ନାହିଁ । ସୁସ୍ଥ ନହେବା ଯାଏଁ ଆଉ ଚାଲିବାକୁ କ୍ଷମ ନହେବା ଯାଏଁ ସେ ଛୁଟିରେ ରହିବେ । ଏଇଟା ତାଙ୍କର ଅଧିକାର ଆଉ ଏଥିପାଇଁ କାହା ଆଗରେ ହାତ ପତେଇବା ଆବଶ୍ୟକତା ନାହିଁ । ଏହା ବି ସତ କି ଏଥିରେ ପ୍ରଧାନଶିକ୍ଷକଙ୍କର ବି କିଛି ଦୋଷ ନାହିଁ କାରଣ ନାନା ବାହାନା କରି ନିଜ କର୍ତ୍ତବ୍ୟରେ ଅବହେଳା କରିବା ଲୋକଙ୍କ ସଂଖ୍ୟା କମ୍ ନୁହେଁ । ଜଣେ ଅତ୍ୟନ୍ତ ଉଦାର ହେଲେ ଅନୁଷ୍ଠାନଟିଏ କେବେ ବି ଚଳାଇ ପାରିବ ନାହିଁ ।


ହୋଇପାରେ ଏସବୁ ପ୍ରଣୟଙ୍କ ମନର ତୁଚ୍ଛା କଳ୍ପନା ମାତ୍ର । ଅନ୍ୟର ଦୃଷ୍ଟିକୋଣରୁ ନଦେଖି ନବୁଝି ନିଜର ସାମାନ୍ୟ ସ୍ୱାର୍ଥ ହାନିରେ ମ୍ରିୟମାଣ ହୋଇ ଅନ୍ୟକୁ ସମାଲୋଚନା କରିବାଟା ନିର୍ବୋଧତା ଆଉ ସ୍ୱାର୍ଥପରତା । ପ୍ରଣୟ ଭାରି ସମ୍ବେଦନଶୀଳ ଆଉ ଭାବପ୍ରବଣ । ସେ ଭାବନ୍ତି ଆଉ ଆଶା କରନ୍ତି କି ସମାଜରେ ସମସ୍ତେ ତାଙ୍କ ଚାହିଁବା ହିସାବରେ ଆଚରଣ କରନ୍ତୁ । ଆରେ କିଏ କେଉଁ ପରିବେଶ ପରିସ୍ଥିତି ବା‌ ସମସ୍ୟା ଭିତରେ ଥିବେ ଏହିଭଳି ଆଶା କରିବା ଆଉ ଆଶାଜନିତ ବ୍ୟବହାର ନମିଳିଲେ ଲୋକଙ୍କୁ ସମୀକ୍ଷା କରିବାଟା କ'ଣ ଠିକ୍ ? ଆଦର ଯତ୍ନ ସ୍ନେହ ସମ୍ମାନ ଏସବୁ କ'ଣ ମାଗିଲେ ମିଳେ ? ଅନ୍ୟଠୁ ଏସବୁ ଆଶା ନକରି ପ୍ରଥମେ ନିଜ ଚରିତ୍ର ଆଉ ଆଚରଣକୁ ସୁଧାରିବା ଜରୁରୀ । ସେ ନିଜେ ଅନ୍ୟମାନଙ୍କର‌ କେତେ ଯତ୍ନ ନିଅନ୍ତି ଆଉ ଭଲମନ୍ଦ ପଚାରି ବୁଝନ୍ତି ?


ସେ ଯାହା ବି ହେଉ ପାଖାପାଖି ଗୋଟିଏ ମାସ ଭୋଗିବା ଭିତରେ ପ୍ରଣୟ ବହୁତ କଥା ଶିକ୍ଷା କଲେ । ତାହା ଭିତରୁ ଦୁଇଟି କଥା ମୁଖ୍ୟ । ଗୋଟିଏ ହେଲା, କିଛି ବି ହେଇଯାଉ ରାସ୍ତାରେ ଗାଡ଼ି ଚଳାଉଥିବା ସମୟରେ କେବେ ବି ବ୍ୟସ୍ତ ହୋଇ ଦ୍ରୁତବେଗରେ ଚଳାଇବ‌ ନାହିଁ । କିଛି ବି ପରିସ୍ଥିତି ଥାଉ ନା କାହିଁକି ଗାଡ଼ି ସବୁବେଳେ ନିଜ ଅକ୍ତିଆରରେ ରହିବା ଭଳି ବେଗରେ ଚଳାଇବା ଉଚିତ୍ । ଜଲ୍ଦି ପହଞ୍ଚିବା ଚକରରେ ରାସ୍ତାରେ ନିଜ ଜୀବନ ସହ ଅନ୍ୟର ଜୀବନକୁ ବିପନ୍ନ କରିବା ଏକ ଅକ୍ଷମଣୀୟ ଅପରାଧ । ଜୀବନ ଠାରୁ ମୂଲ୍ୟବାନ ଆଉ କିଛି ନାହିଁ । ଗୋଟିଏ ଛୋଟ ଭୁଲ ପାଇଁ ଅଗଣିତଙ୍କ ଜୀବନ ବିପଦରେ ପଡ଼ିପାରେ ଆଉ ସାରା ଜୀବନ ପଶ୍ଚାତାପରେ ବିତିଯାଇପାରେ‌ ।


ଆଉ ଏକ କଥାରେ ସେ ଦୃଢ଼ ନିଶ୍ଚିତ ହେଲେ ତାହା ହେଲା, ପରିବାର ଆଉ ସହୃଦୟ ବନ୍ଧୁ ବିନା ମଣିଷ ଏକା ଏକା କେବେ ବି ବଞ୍ଚିପାରିବ ନାହିଁ । କଲେଜ ପଢୁଥିବା ବେଳର ଉଦ୍ଦାମ ବୟସରେ ସେ ଚିନ୍ତା କରୁଥିଲେ କି ନିଜ ମନମୁତାବକ ଏକ ମୁକ୍ତ ଜୀବନ ବଞ୍ଚିବା ଆଉ ବ୍ୟକ୍ତିତ୍ଵର ପୂର୍ଣ୍ଣ ପରିପ୍ରକାଶରେ ସମାଜର ନିତି ନିୟମ ହିଁ ସବୁଠୁ ବଡ଼ ଅନ୍ତରାୟ । କିନ୍ତୁ ଏବେ ସେ ଅନୁଭବ କରୁଛନ୍ତି କି ପରିବାର ଆଉ ଅନ୍ୟର ସାହାଯ୍ୟ ସହଯୋଗ ବିନା ମଣିଷ ଏକା ଏକା ବଞ୍ଚିବା ଅସମ୍ଭବ । ଭବିଷ୍ୟତର ଅଜଣା ବିପଦକୁ ସାମ୍ନା କରିବା ପାଇଁ, ଦୁଃଖକଷ୍ଟ ଯନ୍ତ୍ରଣା ସହ ଲଢ଼ିବାର ସାହସ ଜୁଟେଇବା ପାଇଁ କେଉଁ ଅନାଦି କାଳରୁ ମଣିଷ ପରିବାର ଗଢିଛି, ସମାଜର ସର୍ଜନା କରଛି ଆଉ ଏହାର ସୁରକ୍ଷା ପାଇଁ ନିତି ନିୟମମାନ ଗଢ଼ିଛି ।


ପରିବାର ଆଉ ସମାଜ ବିନା ମଣିଷର ଅସ୍ତିତ୍ବ ଚିନ୍ତା କରାଯାଇ ନପାରେ । ଅପ୍ରତ୍ୟାଶିତ ଦୁର୍ଘଟଣାରୁ ନିଜକୁ ଅନ୍ୟକୁ ସୁରକ୍ଷା ଦେବା ଆଉ ଜୀବନକୁ ଶୃଙ୍ଖଳିତ କରିବା ଅଭିପ୍ରାୟରେ ମଣିଷ କେତେ କେତେ ସାମାଜିକ ନିତିନିୟମର ହମ୍ପ୍ସ୍ ଗଢ଼ିଛି । ବେଳେବେଳେ ଏହି ହାତଗଢ଼ା ହମ୍ପ୍ସ୍ ହିଁ ଜୀବନକୁ ବିପନ୍ନ କରିପକାଏ । ସ୍ୱାଧୀନ ବିଚାରକୁ ଅଗ୍ରାହ୍ୟ, ପରିବର୍ତ୍ତନକୁ ଅନାଦର ଆଉ ସୃଜନଶୀଳତାର କଣ୍ଠରୋଧ କରେ । ବିବେକବାନ ହୋଇ ପ୍ରତିକ୍ଷଣ ସଚେତନତାର ସହ ବଞ୍ଚିବା ଶିଖିଗଲେ ରାସ୍ତାରେ କି ସମାଜରେ ହମ୍ପ୍ସ୍‌ ର ଆଉ ଆବଶ୍ୟକତା ପଡ଼ିବ ନାହିଁ ।



Rate this content
Log in

Similar oriya story from Tragedy