ଅଧରାତିର କବି
ଅଧରାତିର କବି
ସଫେଦ୍ ରଜନୀଗନ୍ଧା ଫୁଟେ, ରାତିରେ l ରାତି ହେଲେ ସେହି ଝର୍କା ସେପାଖରୁ ଶେଫାଳୀର ବାସ୍ନା ଚହଟି ଭିତରକୁ ପଶିଆସେ l ଆକାଶରେ ତାରାମାନେ ଚି଼କ୍ମିକ୍ କରନ୍ତି l କାହିଁ କେତେ ଦୂରରେ ଥାଇ ଜହ୍ନ ଖିଲଖିଲ୍ ହସୁଥାଏ l ସେହି ବିରାଟ ବିଲ୍ଡିଂର ସବୁ ଘରର ଝର୍କା ଗୋଟିଏ ପରେ ଗୋଟେ ଅନ୍ଧାରୁଆ ହେଇଯାଏ l ରାତି ଯେତିକି ଯେତିକି ଗଭୀର ହେଉଥାଏ ନୀରବତା ସେତିକି ସେତିକି ଗାଢ଼ ହେଇଉଠୁଥାଏ l ରାତିକୁ ନୀରବତା ଯେତେ ବେଶି ଆବୋରି ବସେ ସିମିର ଚେତନା ସେତେ ବେଶି ଜାଗ୍ରତ ହେଇଉଠେ l
ସିମି କବିତା ଲେଖେ, କେବଳ ରାତିରେ ହିଁ ଲେଖେ l ଅଧରାତିରେ ଲେଖେ l ଦିନରେ ଅଫିସ୍ ଯାଏ l ସନ୍ଧ୍ୟାରେ ଶାଶ୍ୱତ୍ ସହ ପାର୍କ କିମ୍ବା କଫି ହାଉସରେ ସମୟ ବିତାଏ l ରାତି ସାଢ଼େ ଆଠ -ନଅରେ ଏହି ତା'ର ଛୋଟିଆ ଫ୍ଲାଟ୍ କୁ ସେ ଏକ୍ଲା ଫେରି ଡ୍ରେସ୍ ବଦଳେଇ ଶୋଇଯାଏ l ସିମିର ନିଦ ଭାଙ୍ଗେ ଫୁଲର ବାସ୍ନା ତା' ନାକ ପାଖରେ ରୁନ୍ଧି ହେଇଗଲେ l ସେ ଉଠିଯାଇ କଫି ବନାଏ l ବ୍ଲାକ୍ କଫି, ବିନା ଚିନିର l ବହି ଥାକରେ ହାତ ବୁଲାଏ l ଚଷମା ଖୋଜି ଆଖିରେ ଲଗାଏ l ବହି ବନିଯାଏ ତା'ର ପୃଥିବୀ l ସେ ପୃଷ୍ଠା ପରେ ପୃଷ୍ଠା ଓଲଟାଏ l
ରାତି ବଢେ, ସିମିକୁ ନିଶା ଘାରେ l ରାତିର ନିଶା, ଅନ୍ଧାରର ନିଶା, ସୌନ୍ଦର୍ଯ୍ୟର ନିଶା, ନୀରବତାର ନିଶା, କବିତାର ନିଶା l ଛୋଟିଆ କବିତାଟେ ଲେଖି ଫେସବୁକ୍ ରେ ପୋଷ୍ଟ୍ କରିଦିଏ l ଏତେ ରାତିରେ କିଏ ଚାହିଁରହିଥିବ ସିମିର 'ଅଧରାତିର କବିତା' ପଢିବାକୁ ? ସିମି କିନ୍ତୁ ସେ ବିଷୟରେ କିଛି ବି ଭାବେନି ଆଦୌ l ସେ ପୋଷ୍ଟ କରେ, କିଏ ପଢୁ କି ନପଢ଼ୁ l ସେହି ବିଳମ୍ବିତ ରାତିରେ ବି କେଇ ସେକେଣ୍ଡ୍ ଭିତରେ ଦୁଇ ଚାରୋଟି ଲାଇକ୍ ସହ ଗୋଟିଏ ଯୋଡିଏ କମେଣ୍ଟ୍ ଆସିଯାଏ l ଯା ହେଉ ତା' ପରି ଆଉ କେତୋଟି ପ୍ରାଣୀ ରାତିର ନିର୍ଜନତାକୁ ଚାହିଁ ରହି ଉପଭୋଗ କରନ୍ତି l ସିମି ମନେ ମନେ ହସେ l
"ରାତିରେ ଅନଲାଇନ୍ ରହିବାରେ କ୍ଷତି କ'ଣ ? ତୁମେ ଆଖି ବୁଜି ସ୍ୱପ୍ନ ଦେଖ l କିଛି ମନେ ରଖ, ବହୁତ୍ କିଛି ଭୁଲି ଯାଅ l ମୁଁ ଆଖି ଖୋଲା ରଖିଥାଏ, ସ୍ୱପ୍ନ ମୋତେ ଦେଖାଦିଏ l ମୁଁ ଯାହା ଦେଖିବାକୁ ଚାହେଁ, ସ୍ୱପ୍ନ ମୋତେ ତାହା ହିଁ ଦେଖାଏ l ମୁଁ ଯାହା ଦେଖେ ସବୁ ମନେ ରଖେ l କାଗଜରେ, ମୋବାଇଲ୍ ର ନୋଟ୍ ପ୍ୟାଡ୍ ରେ, ଲାପଟପରେ ଲେଖି ସାଇତି ଦିଏ l ଫେସବୁକରେ ସେୟାର୍ କରିଦିଏ l ମୁଁ ମୋ ଅଧରାତିର କବିତାରେ ବିଭୋର ହୁଏ l ତୁମେ ହୁଅନି ଶାଶ୍ୱତ୍? "
--ନାଁ ମୁଁ ହୁଏନି, ହେଇ ପାରେନି l ରାତିଟା ମୋ ପାଇଁ ଶୋଇବା ପାଇଁ ହେଇଛି, କ୍ଲାନ୍ତି ମେଣ୍ଟେଇବା ପାଇଁ ତିଆରି ହେଇଛି l ତୁମର ପାଗଳାମୀକୁ ସହ୍ୟ କରିବା ପାଇଁ ନୁହେଁ l
--ତେବେ ଶାଶ୍ୱତ୍, ତୁମେ ମଝିରେ ମଝିରେ କାହିଁକି ମୋତେ ଫୋନ୍ ଲଗେଇ ପଚାର ମୁଁ ଶୋଇଲିଣି କି ନାହିଁ ?
--ଜାଣିବା ପାଇଁ, କବି ମାନଙ୍କ ଫୋନ୍ ରାତିରେ ବ୍ୟସ୍ତ ଥାଏ କି ନୀରବ l
--ଶାଶ୍ୱତ୍ ରାତିରେ କେବଳ କବିଙ୍କ ଚେତନା ବ୍ୟସ୍ତ ରହେ l
--ଆଉ କବିଙ୍କ ଫେସବୁକ, ହ୍ୱାଟ୍ସଅପ୍, ମେସେଞ୍ଜର୍ ବି l
ଶାଶ୍ୱତ୍ ଏତିକି କହୁ କହୁ ହସିଲା ଏକ ରହସ୍ୟମୟ ହସ l ସିମି ରାତି ପରି ନିରବି ଗଲା l ମନେ ମନେ ସ୍ଥିର କଲା ଏହି ବ୍ୟସ୍ତମୟ,ବିଭ୍ରାନ୍ତିକର ଓ କୋଳାହଳରେ ଭରପୁର ସନ୍ଧ୍ୟାଗୁଡାକୁ ନିଜ ଜୀବନରୁ କାଟି ରାତି ପରି ନୀରବ କରିଦେବ l ଆଜିର ସନ୍ଧ୍ୟାକୁ ସେ ନିଜ ଜୀବନର ଶେଷ ବକବାସ୍ ସନ୍ଧ୍ୟା ଭାବେ ଘୋଷଣା କଲା l ଟିକେ ନୀରବ ରହି ସିମି କହିଲା, "ଶାଶ୍ୱତ୍ ଆଜି ତାରିଖ୍ ଟା କେତେ କୁହ ତ ? "
--କ'ଣ କିଛି ଗୁରୁତ୍ୱପୂର୍ଣ୍ଣ କାମ ଅଛି ?
--ହଁ ଟିପି ରଖିବି l
--ଆଚ୍ଛା ! ଆଜି କ'ଣ କି ସିମି ?
--"ଶାଶ୍ୱତ୍ ସହ ଶେଷ ସନ୍ଧ୍ୟା", କହିଦେଇ ସିମି ନିଜ ହ୍ୟାଣ୍ଡବ୍ୟାଗ୍ ଓ ମୋବାଇଲ୍ ଫୋନ୍ ଧରି ଉଠିଗଲା l ଶାଶ୍ୱତର ସାହସ୍ ନଥିଲା ସିମିକୁ ଗଡିଯାଉଥିବା ସନ୍ଧ୍ୟାରୁ ଦିନର ଆଲୋକ ଆଡକୁ ଫେରେଇ ଆଣିବା ପାଇଁ l
ଏବେ ସୂର୍ଯ୍ୟୋଦୟ ହେଲେ ସିମି ଲୋକ ଗହଳୀ ଭିତରେ ଓ ସୂର୍ଯ୍ୟ ବୁଡି ଅନ୍ଧାର ଘନେଇଲେ ନିଜ ଭିତରେ ହଜିଯାଏ l ରାତି, ଅନ୍ଧାର, ଫୁଲର ବାସ୍ନା, କବିତାର ଧାଡି ଏତକ ସବୁ ସିମିର ସମ୍ପତ୍ତି l ଦିନର ଆଲୋକ, ଶାଶ୍ୱତ, କଫି ହାଉସ୍, ଗହଳ ଚହଳ ରାସ୍ତା ଏସବୁକୁ ପାରକରି ଆଗକୁ ରାତି ଆଡ଼କୁ ଯିବାକୁ ହୁଏ ତା'କୁ l
ତିନିଟା ପଇଁଚାଳିଶ ହେଲାଣି l "ରାତିଟା କ'ଣ ଶୋଇବା ପାଇଁ ହେଇଛି ? ହେତ୍.. ଏତେ ସୁନ୍ଦର ରାତିକୁ ଏକ୍ଲା ଛାଡ଼ି କେହି କ'ଣ ଆଖିବୁଜି ପାରେ ? ", ସିମି ମନେ ମନେ ଭାବିଲା ଓ ମୋବାଇଲ୍ ଟା ପାପୁଲିରେ ରଖି ଫେସବୁକ୍ ଖୋଲିଲା l ଗୁଡ଼ାଏ ଫ୍ରେଣ୍ଡ୍ ରିକୁଏଷ୍ଟ୍ ର ନୋଟିଫିକେସନ୍, ନୂଆ ମେସେଜ୍ ଆସିଥିବାର ନାଲି ଚିହ୍ନ, ନିୟୁ ଗ୍ରୁପ୍ ପୋଷ୍ଟିଙ୍ଗସ୍ ଦେଖି କୋଉଟା ପ୍ରଥମେ ଖୋଲିବ ଚିନ୍ତାକଲା ଓ ମେସେଞ୍ଜରରେ ଟିପ ଦବେଇଲା l "କିଏ ମ ଏଇ 'ନିଶା' ? ହଜାରେ 'ହାଲୋ, ହାଏ ' ପଠେଇଲାଣି l ଆରେ ଏଯାଏଁ ବି ବ୍ଲୁ ବିନ୍ଦି ଲଗେଇ ଅନଲାଇନ୍ ବସିଛି l ହଉ 'ହାଏ' ଟେ ଲେଖି ଜଣେଇ ଦିଏ ତା'କୁ ମୁଁ ବି ରାତିରେ ଶୁଏନି l ", ସିମିର ମେସେଜ୍ ସେଣ୍ଡ୍ ହେଇଗଲା l
--ହାଲୋ ମାମ୍, କେମିତି ଅଛନ୍ତି ?
--ଖୁବ୍ ଭଲ l ଆପଣ ମୋତେ ଜାଣନ୍ତି ?
--ହଁ, କିଛିଦିନ ହେବ ଆପଣଙ୍କ ଅଧରାତିର କବିତା ପଢୁଛି l ମାମ୍ ମୁଁ ଆପଣଙ୍କ ପ୍ରେମରେ ପଡିଯାଇଛି l ରାତିରେ ଆଉ ନିଦ ହେଉନାହିଁ l
--ହଁ ପ୍ରେମରେ ପଡିଲେ ତ ନିଦ ହୁଏନି l
--ସତରେ କି ମାମ୍ ? ଆପଣ ତାହେଲେ କାହିଁକି ଶୁଅନ୍ତିନି ? କିଏ ସେ ଭାଗ୍ୟବାନ୍ ?
--ଅଧରାତି, ଆଉ କବିତା l
--ମାମ୍ ଆପଣ ମୋ ପ୍ରେମକୁ ସ୍ୱୀକାର କରୁଛନ୍ତି କି ନାହିଁ କୁହନ୍ତୁ ?
-- ମୁଁ ତୁମକୁ ଜାଣେନି l କିଏ ତୁମେ ? ନାମର ଆଗରେ ପଛରେ କିଛି ଲେଖିନ l ଏଇଟା କ'ଣ ଏକ ଫେକ୍ ପ୍ରୋଫାଇଲ୍ ? ତୁମର ଅସଲ ପରିଚୟ ଦିଅ l ତୁମେ ପୁଅ ନାଁ ଝିଅ ?
-- କ'ଣ ଫରକ୍ ପଡୁଛି ମାମ୍ ? ରାତିକୁ କେବେ ପଚାରିଛନ୍ତି ସେ ପୁଅ କି ଝିଅ ? ଆପଣଙ୍କ କବିତା ନାରୀ ନାଁ ପୁରୁଷ ? ଭାବିନିଅନ୍ତୁ ମୁଁ ବି ସେହିଭଳି କିଛି l
--କ'ଣ ଚାହଁ ତୁମେ ?
--ଆପଣଙ୍କ ରାତିରୁ ଅଳ୍ପକିଛି l
--ମୁଁ କେବଳ ନୀରବତା ଦେଇପାରିବି l
--ନୀରବ ଥିବା ସବୁ ଜିନିଷ ସୁନ୍ଦର l ମୋର ସେତିକି ଦର୍କାର l
'ନିଶା'ର ବ୍ଲୁ ବିନ୍ଦି ଲିଭିଗଲା l ଭୋର ହେଇଆସିଲା l କଢିମାନେ ଫୁଲ ହେବାକୁ ପ୍ରସ୍ତୁତ୍ ହେଉଥିଲେ l ପୂର୍ବ ଆକାଶରେ କମଳାରଙ୍ଗର ମୁରୁଜ ବିଞ୍ଚି ହେଇଯାଉଥିଲା l ସିମିର ମୋବାଇଲରୁ ବି ବ୍ୟାଟେରୀ ଶେଷ ହେଇଗଲା l ସେ ଶୋଇବାକୁ ବିଛଣା ଧରିଲା l
କିଛିଦିନ ହେବ ଫେସବୁକର ଫେକ୍ ପ୍ରୋଫାଇଲ୍ 'ନିଶା' ର ନିଶା ସିମିକୁ ଘାରିବାକୁ ଲାଗିଲାଣି l ତିନିମାସର ତିରିଶଟି 'ଅଧରାତିର କବିତା'କୁ ନେଇ ସିମି ବହିଟେ କରିବ ଭାବିଛି l "ଆଜି ଅଫିସ୍ ରୁ ଫେରିବା ବାଟରେ ସେ ପ୍ରକାଶକଙ୍କ ସହ ଦେଖାକରି ଆସିବି ", ସିମି ନିଜକୁ ନିଜେ କହିଲା ଓ ଡୋର୍ ଲକ୍ କରି ବାହାରିଗଲା l
ପ୍ରକାଶକଙ୍କ ଘର ପାଖ ଟି ଷ୍ଟଲ୍ ଆଗରେ ଏମିତି ଶାଶ୍ୱତ୍ ସହ ସିମିର ଅଚାନକ୍ ଦେଖା ହେଇଯିବା ନିଶ୍ଚୟ ଗୋଟେ ଅଘଟଣ l ସିମି ଆଗକୁ ଚାଲିଯିବା ଆଗରୁ ଶାଶ୍ୱତ୍ ତା'ର ନାଁ ଧରି ଡାକି ଦେଲା l
--ଆରେ ଶାଶ୍ୱତ୍ ତୁମେ ଏଠି ?
--ହଁ ଜଣେ କବି ବନ୍ଧୁଙ୍କୁ ଅପେକ୍ଷା କରିଥିଲି l
--କବିମାନେ କେବେଠାରୁ ତୁମର ବନ୍ଧୁ ହେଲେଣି ?
--ଯେବେଠୁଁ ତୁମେ ମୋତେ ଅବନ୍ଧୁ କଲଣି l
--ଛାଡ଼.. ଆଉ କେମିତି ଅଛ ? ଦେହ ଠିକ ଅଛି ତ ? ଏମିତି ଶୁଖିଲା ଦିଶୁଛ ଯେ ?
--ଦେହ ଭଲ ଅଛି l କେବଳ ତିନିମାସ ହେଲା ରାତିରେ ଯାହା ନିଦ ହେଉନାହିଁ l ସେଥିପାଇଁ ଏ ଅବସ୍ଥା l
--ରାତିରେ ନଶୋଇ କରୁଛ କ'ଣ ?
--କବିତା ପଢୁଛି l ସତରେ ତୁମେ ଠିକ୍ କହୁଥିଲ, ରାତିଟା ଦିନ ଅପେକ୍ଷା ବେଶି ସୁନ୍ଦର l
ସିମିକୁ ଶାଶ୍ୱତ୍ ଅବୁଝା ଲାଗିଲା l ହଠାତ୍ ସୂର୍ଯ୍ୟ ପରାଗ ହେଇ ଦିନଟା ରାତି ହେଇଗଲା ପରି ସେ ଅନୁଭବ କଲା l ଶାଶ୍ୱତ୍ ମୁହଁରେ ହାତ ଦେଇ ବାରମ୍ବାର ହାଇ ମାରୁଥିଲା ବେଳେ, ସିମି ତା ଫେକ୍ ପ୍ରୋଫାଇଲ୍ ଫ୍ରେଣ୍ଡ୍ 'ନିଶା'କୁ ମେସେଞ୍ଜରରୁ ଭିଡ଼ିଓ କଲ୍ କଲା l ଶାଶ୍ୱତର ଫୋନ୍ ତା' ପକେଟ୍ ଭିତରେ ଥାଇ ବାଜିଉଠିଲା l
ଶାଶ୍ୱତ୍ ଫୋନ୍ ଟା କାଢିଆଣି ରିସିଭ୍ ନକରି ହସି ହସି ସିମିକୁ ପଚାରିଲା , " ଏଇ ଅଧରାତିର କବି, କହିପାରିବ କି ତୁମେ ଭଲ ପାଉଥିବା ରାତିଟା ପୁଅ ନାଁ ଝିଅ ? "